ଆଜିକାଲି କେତେକ ‘ସ୍ଵାଗତମ୍’ ଜାଗାରେ ‘ସୁସ୍ଵାଗତମ୍’ ବ୍ୟବହାର କରୁଛନ୍ତି। ଏ ‘ସୁସ୍ଵାଗତମ୍’ଟିର ଅର୍ଥ କଣ?
ଆମ ଓଡ଼ିଆରେ ଗୋଟାଏ ଢଗ ଅଛି- “କଥା କୋଉ ମାରଗରେ ଯାଉଛି, ଦାରୁ ଗଛକୁ ଚଡ଼କ ମାରିଲେ, ଦୁବ ଗଛ ଜଳି ଯାଉଛି।” ବାତ୍ୟା ସତର୍କତା ଭଳି ଏଠି ପାଠକମାନଙ୍କୁ ସତର୍କ କରି ଦିଆଯାଉଛି ଯେ ବାତ୍ୟା ତା’ ଗତିପଥ ବଦଳାଇ ଓଡ଼ିଶା ଉପକୂଳରୁ ଚେନ୍ନାଇ ଉପକୂଳକୁ ଯାଇପାରେ ବା ବଙ୍ଗଳା ଦେଶ ଆଡ଼କୁ ମୁହାଁଇ ପାରେ, ସେ କଥାର ଆମେ ସହଜରେ ପୂର୍ବାନୁମାନ କରି ନ ପାରିବା ଭଳି, ପାଠକେ ବି ଏଠି ସହଜରେ ଠଉର କରି ପାରିବେନି ଲେଖାର ଗତି କୁଆଡ଼କୁ ଯାଉଛି, କଲମର କଣ୍ଟା କୋଉଠି କେଞ୍ଚୁଛି।
ଆନ୍ଦୋଳନପ୍ରବଣ ବିଭିନ୍ନ ସଙ୍ଘ ଓ ସଂଗଠନସବୁ ବର୍ଷକୁ ବାରଥର ‘ଭୁବନେଶ୍ୱର ଚାଲ’ କରୁଥିବା ଭଳି ଏ ବାତ୍ୟା ବି ହୁଏତ ସେମାନଙ୍କଠୁ ଶିଖି ବର୍ଷକୁ ବହୁବାର ‘ଓଡ଼ିଶା ଚାଲ’ କରୁଛି। ଅଗନା ଅଗାଧ ସମୁଦ୍ର ମଝିରୁ ଆସି ଜଳଭାଗ ଅତିକ୍ରମି ଝଡ଼ବାତ୍ୟା ଯେତେବେଳେ ସ୍ଥଳଭାଗରେ ପ୍ରବେଶ କରେ, ତାକୁ ଆଜିକାଲି ଆମ ଓଡ଼ିଆଶବ୍ଦଗରିବ ମାଗିକୁହା ଗଣମାଧ୍ୟମିଆମାନେ କହୁଛନ୍ତି ବାତ୍ୟା ‘ଲ୍ୟାଣ୍ଡ୍ଫଲ୍’ କରିବ। ‘ରାମସ୍ୟ ଈଶ୍ୱରଃ ରାମେଶ୍ୱରଃ’ ନା ‘ରାମ ଯଶ୍ୟ ଈଶ୍ୱରଃ ରାମେଶ୍ୱରଃ’- ଉଭୟ ଶ୍ରୀରାମ ଓ ମହାଦେବ ଶିବଶଙ୍କର ଆପଣା ଆପଣା ଢଙ୍ଗରେ ‘ରାମେଶ୍ୱର’ର ଅର୍ଥ କାଢ଼ିବା ଭଳି ଇଙ୍ଗ୍ରାଜୀଅଜ୍ଞାନ ଓଡ଼ିଆମାନେ ଏ ‘ଲ୍ୟାଣ୍ଡଫଲ୍’ର ଅର୍ଥ ସହଜରେ ସମଝି ପାରନ୍ତି ନାହିଁ- ଲ୍ୟାଣ୍ଡରେ ଫଲ୍ କରେ ନା ଲ୍ୟାଣ୍ଡ୍ଟା ଫଲ୍ କରେ?
ସୁ ସୁ ବାତ୍ୟା
ସେ ଯାହା ହେଉନା କାହିଁକି ନବବଧୂ ଗୃହ ପ୍ରବେଶ ବେଳେ ନିରବରେ ପଦପାତ କରି ଧୀରମନ୍ଥର ଗତିରେ ଆସେ ସିନା, ବାତ୍ୟା କିନ୍ତୁ ଆସେ ଝଡ଼ ବେଗରେ ଆତଙ୍କ ଆଣି। ପ୍ରବଳ ବେଗରେ ପବନ ସହ ବର୍ଷା ହେଲେ ଆମେ କହୁ ଝଡ଼ବର୍ଷା ବା ଝଡ଼ବାତ୍ୟା; କହୁ ଘୂର୍ଣ୍ଣିଝଡ଼, କେବଳ ଝଡ଼ ବି କହୁ। ସୁ ସୁ ଶବ୍ଦ କରି ଆଗତପ୍ରାୟ ବାତ୍ୟା ବେଗବାନ୍ ଝଡ଼ର ପୂର୍ବ ସୂଚନା ଦିଏ। ତା’ ପରେପରେ ବେଗ ଧାରଣ କରି ନ ପାରି ବର୍ଷା ବର୍ଷିଯାଏ ବିଭତ୍ସ ବିତ୍ପାତ ଘଟାଇ। ସାଧାରଣତଃ ଆମେ ଅତର୍ଚ୍ଛ ଝାଡ଼ା ବା ପରିସ୍ରା ଲାଗିଲେ ତାକୁ ଚାପି ରଖିବା ଅର୍ଥରେ ‘ବେଗଧାରଣ’ ପ୍ରୟୋଗ କରୁ। ବହୁମୂତ୍ର ରୋଗୀ ବା ଯେଉଁମାନଙ୍କର ପ୍ରୋଷ୍ଟେଟ୍ ଗ୍ଲାଣ୍ଡ ବଢ଼ିଥାଏ ସେମାନେ ବେଗଧାରଣ କରି ନ ପାରି ବାରମ୍ବାର ‘ସୁସୁ’ କରିଥା’ନ୍ତି। ତା’ ଛଡ଼ା ଅସମର୍ଥ କଅଁଳା କୁନିପିଲାଟି ବିଛଣା ଓଦା କରିଦେଲେ ଆଜିକାଲି ସମସ୍ତେ କହୁଛନ୍ତି- “ଆରେ, ଆରେ, କୁନିଟା ସୁସୁ କରିଦେଲା”। ଏ ‘ସୁସୁ’ ଶବ୍ଦଟି କୋଉଠୁ ଆସିଲା? ‘ସୁସୁ’ କୋଉଠୁ ଆମଦାନୀ ହେଇ ଆମ ଓଡ଼ିଆ ଭାଷାଭୂମି ସ୍ପର୍ଶକଲା ତା’ର ତିଥି ବାର ଠିକଣା କେହି ରଖିନି। ଆମେ ତ ଆଗରୁ କହୁଥିଲୁ ଛୁଆଟା ‘ମୂତିଦେଲା’ ବା ‘ଏକ କରିଦେଲା’ ବୋଲି; ଏବେ ସହର କାହିଁକି, ଗାଆଁରେ ବି କହିଲେଣି ‘ସୁସୁ କରିଦେଲା’ ବୋଲି। ବାହାରୁ ଆମଦାନୀ ହେଉଥିବା ତଟକା ତଟକା ଶବ୍ଦ ସବୁ ସହରୀବାବୁମାନଙ୍କ ପାଟିର ପରିଧିରୁ ଗାଆଁ ଆଡ଼କୁ ପହଁରି ଯାଉଥିବାରୁ ଗାଆଁରେ ବି ଛୁଆ ମୂତିଲେ, ଏମିତିକି ବଡ଼ମାନେ ମୂତିଲେ ବି ‘ସୁସୁ କରୁଛି’ ବୋଲି କହୁଛନ୍ତି।
‘ମୂତିବା ବା ହଗିବା’ ଭଳି ଶବ୍ଦ ଦୁଇଟାକୁ ଏବେ ଆମେ ଅଶ୍ଳୀଳ କହି ଅଳିଆଗଦାକୁ ଫିଙ୍ଗି ସାରିଲୁଣି; ଏମିତି କି ମୂତିବା ବା ହଗିବା ତ ଦୂରର କଥା ଏ ଶବ୍ଦ ଦୁଇଟା ଉଚ୍ଚାରଣ କଲେ ବି ଆଜିକାଲିର ନବ୍ୟସଭ୍ୟ ସହରୀମାନଙ୍କର ସୁନ୍ଦର ନାକଟିମାନ ଅବିଳମ୍ବେ ଟେକି ହେଇ ଯାଉଛି। ଅଥଚ ଆଜି ପ୍ରେମିକ ପ୍ରେମିକାମାନେ ‘ହଗ୍ ଡ଼େ’ ପାଳନ କରୁଛନ୍ତି ଏବଂ ବିଭିନ୍ନ ପାର୍କରେ ଖୋଲାଖୋଲି ପରସ୍ପରକୁ ‘ହଗ୍ କରୁଛନ୍ତି’। ବିଦେଶାଗତ ଏକ ଯୁବଦମ୍ପତି ସର୍ବ ସମକ୍ଷରେ ପରସ୍ପରକୁ ଆଲିଙ୍ଗନ କରିବା କଥାଟାକୁ ଗାଆଁଟା ସାରା ନାପସନ୍ଦ କଲେ ଏବଂ କଥାଟା ଯାଇ ତାଙ୍କ ବୁଢ଼ୀମା’ ଶ୍ରୀମତୀ ଚମ୍ପାବତୀ ଓରଫ ଚମ୍ପୀବୁଢ଼ୀ ପାଖରେ ପହଞ୍ଚିଲା। ବୁଢୀ ନାତିକି କହିଲା- “ଇରେ ଯୋଗୀ! ତୋ ଗୋରୀ ଭାରିଯା କୁଆଡ଼େ ତୋ ଉପରେ ହଗୁଛି?” କଅଁଳା ପିଲା ବିଛଣାରେ ହଗିବ ବୋଲି ଆଜିକାଲି ବଜାରରେ ହଗିସ୍ ମିଳୁଛି, ତାକୁ କିଣିଆଣି ପିଲାକୁ ପିନ୍ଧାଇ ଦିଆଯାଉଛି। ଆଧୁନିକାମାନେ ପୁରୁଷମାନଙ୍କ ଭଳି ଠିଆ ହେଇ ସୁସୁ କରିବାକୁ ଏକ ଉପକରଣ ବି ବାହାରିଲାଣି, ‘ଯାହାକୁ ୟୁରିନେସନ୍ ଡିଭାଇସ୍’ କୁହାଯାଉଛି। ଆମାଜନରେ ମଗେଇଲେ ଏହା ମଧ୍ୟ ମିଳୁଛି। ଏହାକୁ ଇଙ୍ଗ୍ରାଜିରେ ସଂକ୍ଷେପରେ ୟୁ.ଡ଼ି. କୁହାଯାଉଛି। ଏହାର ଓଡ଼ିଆ ପ୍ରତିଶବ୍ଦ ଏପର୍ଯ୍ୟନ୍ତ ହେଇନାହିଁ, ଏହାର ଓଡ଼ିଆ ହୁଏତ ନିଶ୍ଚୟ ହଗିସ୍ ଭଳି ‘ମୂତିସ୍’ ଦିଆଯିବାଟା ଠିକ୍ ହେବ। ମୂତିସ୍ ଶବ୍ଦଟା ଠିକ୍ ହେବ ବା ନ ହେବ ପଛ କଥା, ବର୍ତ୍ତମାନ ବଡ଼ କଥା ହେଲାଣି ରାଜଧାନୀରେ ମୂତିବାକୁ ଜାଗା ନ ମିଳିବାରୁ ଲୋକେ ରାସ୍ତାଘାଟ ମୂତି ବୁଡ଼େଇଲେଣି। ଏ କଥା ମଧ୍ୟ ଖବର କାଗଜରେ ବାହାରି ରାଜ୍ୟସାରା ଡିବିଡିବି ବାଜିଲାଣି।
ରାଜଧାନୀର ଲଜ୍ଜା
୨୦୨୩ ମସିହା ଡିସେମ୍ବର ୦୯ ତାରିଖ ‘ସମ୍ବାଦ’ର ‘ମହାନଗର’ ପ୍ରକରଣରେ ପୂର୍ଣ୍ଣପୃଷ୍ଠାରେ ପ୍ରକାଶିତ ପ୍ରିୟଙ୍କା ରାୟଙ୍କ ଲେଖାର ଶୀର୍ଷକ ଓ ଉପଶୀର୍ଷକ ହେଉଛି- “ରାଜଧାନୀର… ଏକ ଲଜ୍ଜା… କେବେ ସ୍ମାର୍ଟ ହେବ ଭୁବନେଶ୍ୱର… ହାଟରେ ଅଚଳ ପରିସ୍ରାଗାର… ମଣ୍ଡପ ଓ ମଇଦାନରେ ଅଗ୍ନିନିର୍ବାପକ ଭଳି ଟଏଲେଟ୍ ବାଧ୍ୟତାମୂଳକ କେବେ?” – ଏଥିସହିତ ‘ମାଷ୍ଟର କ୍ୟାଣ୍ଟିନର ସକାଳ’ ନିମ୍ନକରେ ଏକ ସମବେତ ସୁସୁକରଣ ବା ସମୂହ ମୂତ୍ରଦାନର ସୁନ୍ଦର ଚିତ୍ର।
ଆମ ଲୋକଙ୍କ ଗୋଟାଏ ପ୍ରକୃତି ହଉଛି ଯୋଉ କଥାକୁ ତମେ ବାରଣ କରିବ, ସେମାନେ ସେଇ କଥା ବା କାମକୁ ଯତୁନିଏ କରିବେ। ଲେଖା ହେଇଥିବ “ଏଠାରେ ପାନଛେପ ପକାଇବା ମନା”; ସେଇଠି ପାନୁଆମାନେ ଛେପ ପକେଇ ଅରାଟାଯାକ ଜାଗା ଭିଜେଇଥିବେ। ଗୋଟାଏ ବିଲୁଆ ଭୁକିଲେ ପଲଟାଯାକ ବିଲୁଆ ଭୁକିଲା ଭଳି, ଜଣେ ସୁସୁ କରିବାକୁ ବାହାରିଲେ ଆହୁରି ପାଞ୍ଚଜଣ ବାହାରି ପଡ଼ନ୍ତି; ଏହା ଏକ ସଂକ୍ରାମକ ପ୍ରବୃତ୍ତି ଆଉ ପ୍ରକୃତି।
ରାସ୍ତାକଡ଼ରେ ଘରକରି ରହୁଥିବା ଜଣେ ବଙ୍ଗାଳୀ ଭଦ୍ରଲୋକ ତାଙ୍କ ଦିଆଲ କାନ୍ଥରେ କାଳେ କିଏ ମୂତା ଆରମ୍ଭ କରିଦେବ ଭାବି “ଏଖାନେ ପିସାବ କରବୋ ନା, କରଲେ ଦଣ୍ଡିତ ହବେ” ବୋଲି ବଡ଼ବଡ଼ ଅକ୍ଷରରେ ଲେଖି ଏକ ବୋର୍ଡ଼ ଟାଙ୍ଗିଦେଲେ। ବସ୍ ରେ ‘ନିଜ ଜିନିଷ ନିଜ ଦାୟିତ୍ୱରେ ରଖନ୍ତୁ, ହଜିଲେ କମ୍ପାନି ଦାୟୀ ନୁହେଁ’ ବୋଲି ଲେଖାଥିବାର ଦେଖାଯାଏ। ଏକଥା ବି ଦେଖାଯାଏ ଯେ କେତେକ ଅତିବୁଦ୍ଧିଆ ବାଳୁଙ୍ଗା ଯାତ୍ରୀ କେତେବେଳେ ସୁବିଧା ଦେଖି ‘ଜିନିଷ’ରୁ ‘ଜି’ଟାକୁ ଆଞ୍ଚୁଡ଼ି ନିଭେଇ ଦେଇଥାନ୍ତି। ଏଣୁ ଲେଖାଥାଏ “ନିଜ ନିଷ ନିଜ ଦାୟିତ୍ୱରେ ରଖନ୍ତୁ, ହଜିଲେ କମ୍ପାନି ଦାୟୀ ନୁହେଁ’। ଏଇ ‘ନିଷ’ଟାକୁ ଯାତ୍ରୀମାନେ ‘ନିଶ’ ଅର୍ଥରେ ବୁଝନ୍ତି ଏବଂ ବେଳେବେଳେ ଏହାକୁ ନେଇ ହସର ଏକ ମୃଦୁ ଗୁଞ୍ଜରଣ ଯାତ୍ରୀମାନଙ୍କ ଭିତରେ ଖେଳିଯାଏ। ନିଶୁଆ ନିଶବନ୍ତ ଯାତ୍ରୀଜଣେ ସେଇ ଲେଖା ଆଡ଼କୁ ଚାହିଁ ନିଜ ନିଶରେ ହାତ ମାରି ଅଛି କି ନାହିଁ ପରଖି ବସିଲେ ହସଟା ବିସ୍ଫୋରକ ରୂପନିଏ। ଏଠି କିନ୍ତୁ ସେଇ ବଙ୍ଗାଳୀ ଭଦ୍ରଲୋକଙ୍କ କେହି ଜଣେ ସବୁଦିନିଆ ଶତ୍ରୁ ତାଙ୍କ ଲିଖିତ ବିଜ୍ଞାପନ ବୋର୍ଡରେ ଥିବା ଗୋଟାଏ କମା(,)କୁ ‘ନା,’ ଡାହାଣରୁ ଉଠେଇ ଆଣି ପୂର୍ବ ଶବ୍ଦ ‘କରବୋ’ ଡାହାଣ ପଟେ ବସେଇ ଦେଲେ; ଫଳରେ ସେଇ ବିଜ୍ଞାପନ ବୋର୍ଡ଼ର ଲେଖାଟାର ଅର୍ଥ ସମ୍ପୂର୍ଣ୍ଣ ବଦଳିଗଲା- “ଏଖାନେ ପିସାବ କରବୋ, ନା କରଲେ ଦଣ୍ଡିତ ହବେ” ହେଇଗଲା। ସେ ବାଟ ଦେଇ ଯାଉଥିବା ସମସ୍ତ ପଥଚାରୀ ଦଣ୍ଡିତ ହେବା ଭୟରେ ମୂତ ନ ମାଡ଼ୁଥିଲେ ବି କୁନ୍ଥେଇ ମୁନ୍ଥେଇ ଟୋପାଏ ଟୋପାଏ ମୂତ୍ରଦାନ କରିଯିବାରୁ ସେଠି ଗୋଟାଏ ମୂତର ମହାନଦୀ ସୃଷ୍ଟି ହେଇଗଲା।
ଛାନ୍ଭିନ୍
ଏଠି ତେବେ ମାଷ୍ଟର କ୍ୟାଣ୍ଟିନ୍ ଛକରେ ସେମିତି କିଛି ଗୋଟାଏ ବିଜ୍ଞାପନ ବୋର୍ଡ଼ ‘ଏଠାରେ ପରିସ୍ରା କରିବ ନାହିଁ, କଲେ ଦଣ୍ଡିତ ହେବ’ ବୋଲି ଥିଲା କି ନାହିଁ ତାହା ଆମ ଆଧୁନିକ ଗଣମାଧ୍ୟମିଆ ଭାଷାରେ ‘ଛାନ୍ଭିନ୍’ କରି ‘ପର୍ଦ୍ଦାଫାସ୍’ କରିବା ଦରକାର ଯେ କାହିଁକି ସକାଳ ପହରଟାରେ ଏତେଗୁଡ଼ାଏ ଲୋକ ସମୂହ ମୂତ୍ରଦାନରେ ଯୋଗଦେଲେ? ହୁଏତ ସେମିତି ଏକ ଲେଖାକୁ କେହି ଖଣ୍ଡନମଣ୍ଡନ କରି ରଖିଦେଇଛି କି ‘ଏଠାରେ ପରିସ୍ରା କରିବ, ନ କଲେ ଦଣ୍ଡିତ ହେବ’? ଦଣ୍ଡ ଭୟରେ ଲୋକ ବାଧ୍ୟ ହେଇ ମୂତ୍ରଦାନ କରିଛନ୍ତି। ଏଠି ଏ ‘ମୂତ୍ରଦାନ’ ଶବ୍ଦଟା ବି ସେମିତି ଏକ ଭାଷାର ଭେଳିକି, ସେମିତି ଏକ ଭୁଲ୍ରୁ ଜନ୍ମ ନେଇ ଅର୍ଥକୁ ଅନର୍ଥ ତ ନୁହଁ କଦର୍ଥ କରୁଛି ବୋଲି କୁହାଯାଇ ପାରେ। ବାଘ ଜାଗାରେ ବିଲେଇ ଦେଖାଇବା ନ୍ୟାୟରେ ଆମର ପିଣ୍ଡଶ୍ରାଦ୍ଧରେ, ପୂଜାଉଜାରେ ପୁରୋହିତ ଗୋସେଇଁ ‘ବସ୍ତ୍ରାଭାବେ ସୂତ୍ରଂ ଦଦ୍ୟାତ୍’ ପଢ଼ି ଲୁଗା ଜାଗାରେ ସୂତା ଖଣ୍ଡେ ଦେଇ ପୂଜା ବଢ଼େଇ ଦିଅନ୍ତି। କେହି ଜଣେ ପୁରୋହିତ ଗୋସେଇଁ ଯୋଉ ହାତଲେଖା ପୋଥିରୁ ପୂଜାମନ୍ତ୍ର ପଢି ଘୋଷିି ଶିଖିଥିଲେ ସେଥିରେ ଲେଖନକାର ଲେଖିଲା ବେଳେ ‘ସ’ ତଳେ ଗାରଟା ଭୁଲ୍ରେ ଛାଡ଼ି ଯାଇଥିବାରୁ ‘ବସ୍ତ୍ରାଭାବେ ସୂତ୍ରଂ ଦଦ୍ୟାତ୍’ଟା ‘ବସ୍ତ୍ରାଭାବେ ମୂତ୍ରଂ ଦଦ୍ୟାତ୍’ ହେଇଯାଇଥିଲା। ଏହା ‘ମୂତ୍ରଂ ଦଦ୍ୟାତ୍’ ନୁହେଁ ‘ସୂତ୍ରଂ ଦଦ୍ୟାତ୍’ ବୋଲି ଜଜମାନ ଯେତେ କହିଲେ ବି ଅଧାପାଠୁଆ ପୁରୋହିତେ ଅଡ଼ିବସିଲେ, “ମୁଁ ପଢ଼ିଛି ‘ମୂତ୍ରଦାନ’, ତମେ ବାବୁ ବେଶି ପଣ୍ଡିତପଣିଆ ନ ଦେଖେଇ ଗଲ। ଯାଅ। ପୂଜାସ୍ଥାନରୁ ଉଠିଯାଇ ବାଡ଼ିଆଡ଼େ ଟିକେ ମୂତ୍ରଦାନ କରି ଆସ।”
ଓଡ଼ିଆରେ ଗୋଟାଏ କଥା ଅଛି- ‘ଅତି ସଂସ୍କୃତରେ ପୁଅ ନାଆଁ ବାଣ୍ଠୁଦେବ’। ଅତି ଇଙ୍ଗ୍ରାଜିପଢୁଆ ବୋଲି ଦେଖେଇ ହେବାକୁ ଯାଇ ଆମ ଗଣମାଧ୍ୟମିଆ ବାବୁ ଓ ବାବୁଆଣୀମାନେ ଆମ ଓଡ଼ିଆ ଶବ୍ଦସବୁ ବ୍ୟୟ କରିସାରି ଇଙ୍ଗ୍ରାଜିରୁ ଉଧାର ଆଣି କଥା ଭିତରେ ଗଣ୍ଡା ଗଣ୍ଡା ‘ଆଣ୍ଡ୍’, ‘ବିକଜ୍’, ‘ଦେନ୍’, ‘ସୋ’ମାନ ଗୁଞ୍ଜିଦେଲେଣି। ସେଗୁଡ଼ା ସବୁ ସହଜରେ ସଂକ୍ରମି ଆସିଲାଣି ଅନୁକରଣପ୍ରିୟ ଆମ ଯୁବବର୍ଗଙ୍କ ଭିତରକୁ। ବେଶି ହିନ୍ଦି ଚୋବେଇବାକୁ ଯାଇ କଥା କଥାରେ ‘ଫିର୍ଭି’, ‘ଭଲ୍ ସେ’, ‘ଠିକ୍ ସେ’, ‘ଢେର୍ ସାରା’ ବ୍ୟବହାର କରିବସିଲେଣି। ଆମ ଓଡ଼ିଆ ଶବ୍ଦଗୁଡ଼ାକ ତାଙ୍କୁ ଏମିତି ଅବାଗିଆ, ଅସନା, ଅଭଦ୍ର ଆଉ ଅଶ୍ଳୀଳ ମନେ ହେଲାଣି ଯେ ଅତିକଥନ ହେଲେ ବି ସେମାନେ ହୁଏତ ଅତି ଭଦ୍ର ଦେଖେଇ ହେବାକୁ ତୃତୀୟ ପାଣ୍ଡବ ଅର୍ଜୁନଙ୍କ ଧନୁକୁ ‘ଗାଣ୍ଡିବ ଧନୁ’ ନ କହି ‘ପିଚାବ ଧନୁ’ କହିବେ, ଆମର ବହୁ ପ୍ରଚଳିତ ପ୍ରବଚନକୁ ଭଦ୍ରଭାଷାରେ କହିବେ ‘ବାପପୁଅ ଦୁହେଁ ରାତି ଅନିଦ୍ରା, ମୁଗୁରା ମଳଦ୍ୱାର ମେଲା’, ‘ବାଳକୃଷ୍ଣ’କୁ ‘ଚୁଟିକୃଷ୍ଣ’ କହିବେ, ‘ବାଳ ସାହିତ୍ୟ ପୁରସ୍କାରକୁ ‘ଚୁଟି ସାହିତ୍ୟ ପୁରସ୍କାର’ କହିବେ।
ଅତି ଆନୁଗତ୍ୟ ଦେଖେଇ ହେବା ପାଇଁ ଯେମିତି ଆଗେ ‘ଶ୍ରୀ ଅମୁକ’ ଜାଗାରେ ‘ଶ୍ରୀଶ୍ରୀ ଅମୁକ’ ବା ‘ଶ୍ରୀଳ’, ‘ଶ୍ରୀଯୁକ୍ତ’, ‘ଶ୍ରୀ ଅମୁକ’, ‘ଶ୍ରୀ ଶ୍ରୀ ଶ୍ରୀ ଅଷ୍ଟ ଉତ୍ତର ଶ୍ରୀ’ ଆଦି ବ୍ୟବହାର କରାଯାଉଥିଲା, ଆଜିକାଲି ସେମିତି ଅତି ବିନୟ ଭାବ ପ୍ରକଟେଇ ହେବାକୁ କେତେକ ‘ସ୍ୱାଗତମ୍’ ଜାଗାରେ ‘ସୁସ୍ୱାଗତମ୍’ ବ୍ୟବହାର କରୁଛନ୍ତି। -ଏ ‘ସୁସ୍ୱାଗତମ୍’ଟିର ଅର୍ଥ କ’ଣ?
ସ୍ୱାଗତମ୍ ଅର୍ଥ ହେଉଛି ‘ଭଲରେ ଆସ’, ସୁଖରେ ଆସି ପହଞ୍ଚିବା, ଶୁଭାଗମନ, ବିଶିଷ୍ଟ ବ୍ୟକ୍ତିଙ୍କୁ କରାଯିବା ଅଭିନନ୍ଦନ, ଅଭ୍ୟର୍ଥନା। ‘ସୁ’ ଶବ୍ଦର ଅର୍ଥ ହେଉଛି- “ଉତ୍ତମ, ସୁନ୍ଦର, ସାତିଶୟ, ଅତ୍ୟନ୍ତ, ସହଜ, ଅନାୟାସରେ, ମନୋରମ, ପୁଣ୍ୟ” ଇତ୍ୟାଦି। ସ୍ୱାଗତମ୍ ଅର୍ଥ ହେଉଛି- ‘ସୁ + ଆଗତମ୍’, ଆଉ ଏ ସୁସ୍ୱାଗତମ୍ ତେବେ ସୁସୁ+ଆଗତମ୍?
ଜଣେ ଥଟ୍ଟା କରି କହିଲେ- “ଏ ସୁସୁ ଆଗତମ୍ ଅର୍ଥ ହେଲା ‘ମୂତ ଆସିଗଲା’,ଅର୍ଥାତ୍ ମୂତ ମାଡ଼ିଲା, ଏକ ଲାଗିଲା।” ଆଉ ଜଣେ କହିଲେ- “ନା,ନା, ‘ସୁସୁ ଆଗତମ୍’ ଅର୍ଥ ହେଉଛି ‘ମୂତୁରା ଆସିଗଲା’।”
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜାନୁଆରୀ, ୨୦୨୪ ସଂଖ୍ୟାରେ ପ୍ରକାଶିତ । )
ପ୍ରାବନ୍ଧିକ ବୈଷ୍ଣବ ଚରଣ ମହାନ୍ତିଙ୍କ ଏହି ରମ୍ୟ ରଚନାଟି ଅତି ଚମତ୍କାର ଲାଗିଲା। ସ୍ବାଗତମ କୁ ପ୍ରାୟ ସବୁ ସଭା ସମିତିରେ ସୁସ୍ବାଗତମ କହୁଛନ୍ତି, ଯାହାର କୌଣସି ଆବଶ୍ୟକତା ହିଁ ନାହିଁ। ଏହି ରମ୍ୟ ରଚନା ମାଧ୍ୟମରେ ଶ୍ରୀ ମହାନ୍ତି ସେହି ବ୍ୟକ୍ତି ମାନଙ୍କୁ ବ୍ୟଙ୍ଗ କରିଛନ୍ତି।
ବହୁତ ପ୍ରମାଣ ଭିତ୍ତିକ ଉପସ୍ଥାପନା।