ଲିମେରିକ୍ ହେଉଛି ଏକ ପାଞ୍ଚ ଧାଡ଼ିଆ ଲଘୁ କବିତା ଯାହାର ଉନ୍ମେଷ ଇଂରାଜୀ ସାହିତ୍ୟରେ ଘଟିଥିଲା। ଏହା ‘ନନସେନ୍ସ’ କବିତାର ଶ୍ରେଣୀରେ ଯାଏ। ଜାକିର ଖାନ୍ ହେଉଛନ୍ତି ଓଡ଼ିଆ ନନସେନ୍ସ ଧାରାର ଜଣେ ଅଗ୍ରଣୀ ସ୍ରଷ୍ଟା।
୧
ବେଦୀରେ ବସି କନ କନ ହୋଇ କହିଲା ଗୋରୀ କନିଆଁ
କୁଣ୍ଡେଇ କୁଣ୍ଡେଇ ମୁଣ୍ଡ ମୁଁ ଏବେ ହୋଇଗଲିଣି ଛାନିଆ
ବରକୁ ଡାକ
ଆସୁ ସେ ଲୋକ
ବଜାର ଯାଇ କିଣି ଆଣିବ ଉକୁଣି ପାଇଁକି ପାନିଆଁ।
୨
ବାବୁ ଆମ ଥିଲେ ଜଣେ ପୁରା କଲିକତିଆ
ନିଶ ତାଙ୍କ ରହିଥିଲା ପୁରା ମାଛକାତିଆ
ଭାଳିଲେ ରଖିବାକୁ ଦାଢ଼ି
କିଣିଲେ ନୂଆ ଏକ ଗାଡ଼ି
ଗାଡ଼ି ଚଢି, ନିଶ ଛାଡ଼ି ଚାଲିଗଲେ ଛତିଆ।
୩
ବଜାରରେ ବୁଲି ବୁଲି ବାୟା ହେଲା ବରଜୁ
କହିଲା ଦିନେ ଦେଖିଯିବ ସିଏ ନଦୀ ସରଜୁ
ପୋଖରୀ କୂଳରେ ଯାଇ ବସିଲା
ମନେ ମନେ ଭାବି କିଛି ହସିଲା
ଏବେ ସିଏ ପୋଖରୀକୁ କହେ ନଦୀ ସରଜୁ।
୪
ଥିଲା ଗୋଟେ ସୁନା ପିଲା ନାଆଁ ତା’ର ବାବନା
କଥା କୁହା କପିଳାକୁ କହିଥାନ୍ତି ପବନା
ବାବନା ଦିନେ ଭାଳି ଭାଳି ହଜିଗଲା ଭାବନାରେ
ଲୋକ ଭାବିଲେ ଉଡିଗଲା ସିଏ କେଉଁ ପବନରେ
ବାବନା ନାଆଁରେ ଗାଆଁରେ ଯା ଉଡୁଛି ଗୋଟିଏ ବାନା।
୫
ପାଠଶାଠ ହେଲା ନାହିଁ ବୋଲି ଆମ ଗାଆଁ ଗୋପାଳ
କହିଲା ଏଥର ମୁଁ ନିତି ନିତି ଚରାଇବି ଛାଗଳ
ଏମନ୍ତ ଭାବି ସେ କିଣିଲା ନିଜର ହାତୀଟିଏ
ହାତୀ ସହ ମିଳିଗଲା ମାଗଣାରେ ତା’କୁ ନାତିଟିଏ
ଏଥର ଠୁଁ ଗାଆଁ ଲୋକେ ଗୋପାଳକୁ କହୁଛନ୍ତି ଯାହା ପାଗଳ।
୬
ନାମୀଦାମୀ ବଡଲୋକ ହନୁମନ୍ତ ଦାସ
ଦିନେ ଖାଇଲେ ଦି’ ଦିନ ରହନ୍ତି ଉପାସ
ଭାଳିଲେ ଦିନେ କରିବେ ଅଧିକା ସଞ୍ଚୟ
ଜେଲ୍ ରେ ଯାଇ ତେଣୁ ସେ ନେଲେ ଆଶ୍ରୟ
ଗାଆଁ ଲୋକେ କରୁଛନ୍ତି ଏବେ ବାବୁଙ୍କୁ ଯାହା ଉପହାସ।
୭
ଆଜନ୍ମ ବ୍ରହ୍ମଚାରୀ ଯେ ଆମ ଗାଆଁ ଗୋପାଳ
ପୁଅ ନାତି ମିଶି ତା’ର ଦୁଇ ଶହ ସତର
ବିବାହ ଆଦିରେ ତାଙ୍କ ନାହିଁ ତିଳେ ଆଶା
ଦିନ ରାତି ଘୋଷୁଥିବେ ବସି ଚଉତିଶା
ଅବୁଝା ଲାଗେ ଗୋପାଳଙ୍କ ସବୁ କାରବାର।
୮
ଜନ୍ମରୁ ଯେ ମୂକ ଆମ ବାବୁ ଚନ୍ଦ୍ରମଣି
ଶୁଣାନ୍ତି ସେ ମିଠା ମିଠା ଅକୁହା କାହାଣୀ
ବସିଗଲେ ଯଦି ଗାଇବାକୁ ଗୀତ
ଜାଣ ଯେ ସେଦିନ ହେବ ହିମପାତ
ସର୍ବମୋଟ୍ ଏତିକି ହିଁ ବାବୁଙ୍କ କାହାଣୀ।
ଲଘୁ ସଙ୍ଗୀତ ଭଳି ଏହି କବିତା ବେଶ୍ ଚମତ୍କାର ହୋଇଛି। ଜାକିର ଖାନ୍ କିଛି ନୂତନ ଲେଖା ମାଧ୍ୟମରେ ସବୁବେଳେ ପାଠକମାନଙ୍କୁ ଆକର୍ଷିତ କରିଥାନ୍ତି। ଏହିଭଳି ଲେଖା ମାଧ୍ୟମରେ ଚାପଗ୍ରସ୍ତ ମଣିଷ ନିଶ୍ଚିତଭାବେ ଚାପମୁକ୍ତ ହେବ ବୋଲି ମୋର ଆଶା।
Thanks a lot dear Bhai
ଚମତ୍କାର ବ୍ୟଙ୍ଗାତ୍ମକ ଲଘୁ କବିତା