“ନିଜ ପଥେ ଚାଲିବାରେ ଯେ ମଜା ଥାଏ, ଆଉ କାହା ପଥେ ଗଲେ ବେକାର ହୁଏ।”
ଯେ ମଣିଷ ଏକା ଚାଲି ଜାଣିଥାଏ,
ସିଏ ହିଁ ଜଗତେ ବାଟ ଚାଲିଥାଏ।
ଯିଏ କାହା ସାଥେ ନିଜ ପାଦ ମିଳାଏ,
କୁନି ଜୀବନ ତା’ ଛୋଟ ହୋଇଯାଏ।
ନିଜ ପଥେ ଚାଲିବାରେ ଯେ ମଜା ଥାଏ,
ଆଉ କାହା ପଥେ ଗଲେ ବେକାର ହୁଏ।
ଯେ ମଣିଷ ଏକା ଚାଲି ଜାଣିଥାଏ,
ସିଏ ହିଁ ଜଗତେ ବାଟ ଚାଲିଥାଏ। (୦)
ଏ ସାରା ଜଗତ ଗତିଶୀଳ ଥାଏ,
ସୂରୁଜ ଚାନ୍ଦ ବି ସଦା ଚାଲିଥାଏ।
ବାଲିଗରଡ଼ାଠୁଁ ହିମାଳୟ ଯାଏଁ,
ବେଳାଟିଏ ଲାଗି କେ’ ଥିର ନ ଥାଏ।
କାହା ପରି କିଏ ତ ଚାଲି ନ ଥାଏ,
ସବୁରି ବେଗ ଅଲଗା ହୋଇଥାଏ।
କେହି ବି କାହାରି ପଛେ ଚାଲି ନ ଥାଏ,
କେହି ତ କାହାକୁ ଅନେଇ ବି ନ ଥାଏ।
ଆପଣା ବେଗରେ ପ୍ରତିଟି ଚିଜ ଧାଏଁ,
ନିଜର କରମ ପାଳିଥାଏ ସଭିଏଁ।
ଏକ ସାଥେ ଆରେକ ସଦା ଯୋଡ଼ା ଥାଏ,
ଜଣେ ଆଉ ଜଣକର ଶୁଭ ହିଁ ଚାହେଁ।
ଏକାଠି ଜଗତ ସଦା ଆଗକୁ ଧାଏଁ,
ଚାନ୍ଦ ଦେଖି କଢ଼ି ତା’ ପାଖୁଡ଼ା ମେଲାଏ।
ଯେ ମଣିଷ ଏକା ଚାଲି ଜାଣିଥାଏ,
ସିଏ ହିଁ ଜଗତେ ବାଟ ଚାଲିଥାଏ। (୧)
ଡରୁଆ ମଣିଷ ଏହା ବୁଝି ନ ଥାଏ,
ଅକାରଣେ ଲୁଚେ କାହା ପଛରେ ଧାଏଁ।
ଆକୁ ତାକୁ ଦେଖି ତା’ ଜୀବନ ବିତାଏ,
କ’ଣ କିଆଁ କରେ ସିଏ ଜାଣି ନ ଥାଏ।
ଜଗତକୁ ଦେଖେ ଯିଏ ବୁଝି ସେ ଯାଏ,
ଏକା ଚାଲିବାକୁ ସିଏ ତିଆର ହୁଏ।
ନିଜେ ଭାବି ନିଜର ଯୋଜନା ବନାଏ,
ଏହା ଅନୁସାରେ ନିଜ ଜୀବନ ଜିଏଁ।
ନିଜ ବାଟେ ଚାଲେ ଯିଏ ମଣିଷ ହୁଏ,
ନୂଆଁ ଚାଲି ଜୀବନ ତା’ ମାନେଟି ପାଏ।
ତା’ ଖୁସି ଦେଖି ନୂଆଁ ପାଦ ମିଳାଏ,
ହେଲେ କେହି ତା’ ଖୁସି ପାଇ ନ ଥାଏ।
ନିଜ ପଥ ରଚେ ଯିଏ ଖୁସି ସେ ପାଏ,
ଜୀବନ ତା’ ନିଜ ପଥକୁ ଭଲ ପାଏ।
ଯେ ମଣିଷ ଏକା ଚାଲି ଜାଣିଥାଏ,
ସିଏ ହିଁ ଜଗତେ ବାଟ ଚାଲିଥାଏ। (୨)
ଏବେ କବିଙ୍କର କଣ୍ଠରୁ ଶୁଣନ୍ତୁ ଏହି କବିତାର ଆବୃତ୍ତି :
ଆଗରୁ ମଧ୍ୟ କବିଙ୍କର ଗୀତର ଅଡିଓ ଶୁଣିଥିଲି । ଜୀବନ ଧର୍ମୀ । ଭଲ ଲାଗେ ।
Beautiful rendition.
“ନିଜ ପଥେ ଚାଲିବାରେ ଯେ ମଜା ଥାଏ, ଆଉ କାହା ପଥେ ଗଲେ ବେକାର ହୁଏ।” – ଏହି କଥାଟି ସମସ୍ତେ ବୁଝନ୍ତେ ଭଲା ,
କବିଙ୍କ ଲେଖାଟି ଗୀତି କବିତା ହୋଇଥିଲେ ସୁଦ୍ଧା ଏହାର ଗୁରୁତ୍ୱ ବହୁତ ରହିଛି। କବିଙ୍କ ଦ୍ୱାରା ଏହି କବିତାର ସଙ୍ଗୀତରେ ସଜାଇବା ଅନ୍ୟତମ ଆକର୍ଷଣୀୟ ହୋଇପାରିଛି।
ଯେ ମଣିଷ ଏକା ଚାଲି ଜାଣିଥାଏ,
ସିଏ ହିଁ ଜଗତେ ବାଟ ଚାଲିଥାଏ।
କବିଙ୍କର ଶେଷରେ ଥିବା ଏହି ପଦଟି ସବୁଠାରୁ ଆକର୍ଷଣୀୟ ଓ ଚମତ୍କାର ହୋଇପାରିଛି। ସମସ୍ତେ ଏହି କଥା ବୁଝିପାରିଲେ ଅନେକ ସମସ୍ୟା ଦୂର ହୋଇଅପାରନ୍ତା ବୋଲି ମୋର ମତ।