ଘଣ୍ଟୁ ବିଭିନ୍ନ ବିଷବିଦାଳୟ କ୍ୟାମ୍ପସ୍ରେ ଶିକାର ସନ୍ଧାନରେ ପଇଁନ୍ତରା ମାରୁଥିଲା।
ଧେତ୍ ତେରିକା; ୟା ହାପ୍ ଏଇଟା ଓଡ଼ିଶା ନା ବିହାର। ଏଠି ଥାନ ନାଁ ବିହାର, ପାଠଘର ବି ବିହାର, ଆମେ ଓଡ଼ିଆଏ ବି ବିହାରୀ। ଖଳିଙ୍ଗ ବିହାର, କୀଳାଦ୍ରି ବିହାର, ଭୟଦେବ ବିହାର, ଗଜନ୍ନାଥ ବିହାର – ଏସବୁ ଏଠାକାର ଥାନର ନାଁ। ‘ପୁର’ ନାମ ବଦଳରେ ଏଠି ‘ବିହାର’ ବସିଚି। ବଡ଼ ବଡ଼ ପାଠଘରମାନେ ବିଷବିଦ୍ୟାଳୟଗୁଡିକରେ ବି ବିହାର ଯୋଡାଯାଇଛି। ବେଣୀ ବିହାର, ଭଣ୍ଡ ବିହାର, ଝୋଟିବିହାର, ନ୍ୟାଶବିହାର- ଏଠି ବଡ଼ ବଡ଼ ବିଷବିଦ୍ୟାଳୟ। ଏଇଠି ଭର୍ତ୍ତି ହେବାକୁ ନାନା ଫିକର, ନାନା ଗଳିବାଟ, ଭର୍ତ୍ତି ହେବା ପରେ ବାର ମାସରେ ତେର ଯାତରା ଭଳିଆ ନାନା ଉଚ୍ଛବ, ନାମା ମହୁଛବ, କେତେ କୁହୂ, କେତେ ମହୁ, କେତେ ଉହୁ। ଶରତିଆ ରାହାସ ନୁହେଁ, ବାରମାସିଆ ରାହାସ ଏଠି। ଗୋପୀକେ ଗୋବିନ୍ଦଟିଏ, ସେ ଗୋବିନ୍ଦ ପୁଣି ନାନା କିସମର। ରାସ-ସଙ୍ଗିନୀ ଗୋପୀ, ପଢ଼ିବା ବେଳେ ନୋଟ୍ ତକ ନେଇ କଣ୍ଠସ୍ଥ କଲା, ପଢ଼ା ଶେଷକୁ ମାର୍କ ପାଇଁ ଗୋବିନ୍ଦ ବଦଳେଇ ଏକଜାମିନିଆଁ ସାଆର୍ଙ୍କର ଗୋଟାପଣେ ପରାଣସଙ୍ଗିନୀ ହେଇ ଛପି ଛପି ଛଇରେ ମାତିଲା। ଫୋନ୍ରେ ଫୋନ୍ରେ ମହୁ ମାଖି ମାର୍କ ଓଟାରି ଆଣିଲା, ପ୍ରଥମ ଶ୍ରେଣୀରେ ପ୍ରଥମା ହେଲା। ସାର୍ ଗୋବିନ୍ଦ ତାକୁ ତଲାସିଲା ବେଳେକୁ ସେ କ୍ୟାମ୍ପସ୍-ବୃନ୍ଦାବନ ଛାଡି ସାରିଲାଣି। ସାର୍ ଗୋବିନ୍ଦଙ୍କର ବି ଶୋଚନା ନାଇଁ, ପ୍ରତିବର୍ଷ ନୂଆ ନୂଆ ଗୋପୀଏ ଆସନ୍ତି; ତାଙ୍କ କଦରିଆ କାରଖାନା ବୃନ୍ଦାବନରେ ରାସ ରଚିବା କେତେ ମାତ୍ର?
ସାଙ୍ଗଠାରୁ ଅଙ୍ଗ ବିଳାସର ପ୍ରତିଶ୍ରୁତି ଦେଇ ନୋଟ୍ ଓଟାରିଣୀ ଛଇଳା, ସାର୍ଙ୍କ ଠାରୁ ମାର୍କ ହାରିଣୀ ନବ ରସିକା- ଏଥର ଉଚ୍ଚଶିକ୍ଷାର ଶିଡ଼ି ଚଢ଼ିବା ପାଇଁ ଆନ ରସିକ ମାଷ୍ଟ୍ରଙ୍କ ତଲାସରେ ରହିଲା। ଦେଖିଲା ତା’ର ଗୋବେଷଣା କରିବା ଦରକାର। ଏଥିପାଇଁ ଗୋବେଷିକିଆ ମାଷ୍ଟ୍ରେ ଅଛନ୍ତି; ମାତ୍ର ନାଳୁଆ ଗୋବେଷିକିଆଙ୍କୁ ପୋଷା ମନେଇଲେ, ଯାଇ ଗୋବେଷଣା କାମଟା ସଳଖ ସଡକରେ ହାଇସ୍ପିଡିଆ ଗାଡି ଭଳିଆ ଦୌଡିବା ଦରକାର। ଏମନ୍ତ ଚିନ୍ତା କରୁ କରୁ ଦିନେ ଜଣେ ଲୀଳାବନ୍ତ ଓ ନାଳବନ୍ତ ପ୍ରୋଫେସରଙ୍କ କାନଫୁଙ୍କା ନମ୍ବର ତଲାସ କରି ଅତି ଲଳିତ କଣ୍ଠରେ ଛନ୍ଦ ସୁର ଦେଇ ଫୁଙ୍କିଲା। ଗୋଟାଏ ଫୋନ୍ରେ ନାଳବନ୍ତେ ଗଦ୍ଗଦେଇ ଯାଇ ହାରାହାରି ବେହାଲ୍ ହେଲେ। ତାଙ୍କୁ ଦେଖା କରିବା ପାଇଁ ସମୟ ବି ଧାର୍ଯ୍ୟ ହେଇଗଲା।
ଅଧ୍ୟାପକୀୟ ପାହାଚ
ଯେ ପାଠ ପଢ଼ାନ୍ତି, ସେ ଅଧ୍ୟାପକ ବାପୁଡା। ଯେ ପାଠ ନ ପଢ଼େଇ ଏଣୁ ତେଣୁ ଗାଲୁପେଲନ୍ତି- ସେ ହେଲେ ତା’ ଉପରର ରଡର୍। ସହଯୋଗୀ ପ୍ରୋଫେସର୍। ଯେ ପାଠ ଶ୍ରେଣୀରେ ଆଦୌ ମୁହଁ ଦେଖା ଦିଅନ୍ତି ନାହିଁ, ଭଲ ବେଶପଟୁକାରେ, ବେକ ପଘା ପେଟକୁ ଝୁଲେଇ ଆଟୋପରେ ଯାଆସ୍ କରନ୍ତି, ଛାଆଞ୍ଚିଆ କାଣ୍ଡମାନ ଭିଆଣ କରନ୍ତି- ସେମାନେ ହେଲେ ପ୍ରୋଫେସର। ପ୍ରକୃତ ଗଣେଶିଆ ଓ ସରସ୍ୱତୀଆ ଯେତେ ଉଚ୍ଚାଙ୍ଗ କାମ କଲେ ବି, ଏମାନେ ତାକୁ ଅଣଦେଖା କରନ୍ତି। ଆପଣାର ବଡ଼ ପଣର ଛାଇ ତଳେ ଯେକୌଣସି ଡିଗ୍ରୀ ଗଣ୍ଡ ଯଦି ଶରଣ ପଶିଲା, ସେମାନେ ଆଦର କରନ୍ତି। ଛଇଳା ଏମନ୍ତମାନଙ୍କ କାଣ୍ଡ ଜାଣେ, ପଢ଼ିବା ବେଳରୁ ସେ ପୂରା ଏମାନଙ୍କ ମେଜରମେଣ୍ଟ୍ ପାଇସାରିଚି। ତେଣୁ ତା’ର ପ୍ରଥମ ପସନ୍ଦ ହେଲା ନାଳବନ୍ତଙ୍କୁ ତୋଷ କରି ବିଦ୍ୟାବିଭୂଷଣ ଡିଗ୍ରୀଟା କଳେ କଉଶଳେ ହାତେଇ ନେଲେ ଗଲା।
ଛପି ଛପି ଛଇଳା ବଡ ଛା’ଣ୍ଟରେ ସହରରେ ଥିବା ବିଉଟି କମାରୁଣୀଙ୍କ କମାରଶାଳରେ ଦିନ ଦି ପହରୁ ପ୍ରବେଶିଲା। ଏମିତି ଅନେକ ଉପର ପାଠୋଈ ଡିଗ୍ରୀ ଓଟାରିଣୀମାନଙ୍କଠାରୁ ସେ ପ୍ରାରମ୍ଭିକ ଗୋବେଷଣା ତଥ୍ୟ ପାଇଚି। ନାଳୁବନ୍ତଙ୍କୁ ବିଦ୍ୟାଠାରୁ ଚେହେରା ପସନ୍ଦ। ତେଣୁ ସଂଜ ଘଣ୍ଟା ବାଜିବା ବେଳକୁ ବ୍ୟୁଟି କମାରୁଣୀ ତାଙ୍କ ଶାଳରେ ଛଇଳାର ଚେହେରାକୁ ପରସ୍ତ ପରସ୍ତ ପଲସ୍ତରା କରେଇ ଗୋଟାପଣେ ଅପସ୍ରା ଛା’ଣ୍ଟ କରି ଛାଡିଦେଲେ। ଟଙ୍କା ତିନି ହଜାର ଦକ୍ଷିଣା ଦେଇ ଶାଳରୁ ବାହାରିଲା ଛଇଳା।
ଛଇଳା ବାହାରିଲା। ଛକ ପାଖ ଚା’ ଦୋକାନରୁ ଘଣ୍ଟୁ ତା’ର ପିଛା କଲା। ଘୁ’ମାଛି ପଛେ ପଚା ଶଢ଼ା ଜିନିଷର ବାସନା ନ ପାଉ; ଘଣ୍ଟୁ କିନ୍ତୁ ପାରଲର ଫେରନ୍ତିମାନଙ୍କ ପିଛା କରିବାରେ କାଣିଚାଏ ବି ଊଣା କରେନି। ଧେନୁ ପଛରେ ବଚ୍ଛା। ଟିକିଏ ଦୂରତା ରଖି ଏକାକିନୀ ଛଇଳା ପଛରେ ଘଣ୍ଟୁ। ଛଇଳା ଛନକବତୀ, ଛପି ଛପି ହାଣିଲା ବାଙ୍କ ଚାହାଣି, ଘଣ୍ଟୁ ଛାତିଟାରେ ଭାରି ଯନ୍ତ୍ରଣା। ସତରେ ଇଏ ପଣଙ୍କ ଭିତରେ ଜଣେ ନିଶ୍ଚେ। ପଛେ ପଛେ ଯାଇ, ଛଇଳା ପାଖରେ ଜୋରରେ ବ୍ରେକ୍ ଦେଲା ଘଣ୍ଟୁ। ଆପେ ଆପେ ଷ୍ଟାର୍ଟ ବନ୍ଦ କରିଦେଲା। ଛଇଳା ଛନକୀ ପଣରେ ଏମିତି କେତେ ଛଟକିଆଙ୍କୁ ଛାଙ୍କି ଦେଇଚି। ଗାଡ଼ି ଅଟକୁ ନ ଅଟକୁଣୁ ଘଣ୍ଟୁ ଆଡେ ମୁହଁ ବୁଲେଇ ଅନେଇଲା। ଘଣ୍ଟୁ ବି ଚାହାଣି ବିନିମୟ କଲା। ଗୋଟାଏ ମଞ୍ଚରେ ଯେମିତି ଦୁଇ ବିରୋଧୀ ରାଜନୀତିଆଙ୍କ ତରକା ତରକୀ। ଛଇଳା ଆରମ୍ଭିଲା- “ଏକ୍ସକ୍ୟୁଜ୍ ମି, ଗାଡି ଇଂଜିନ୍ କ’ଣ ବନ୍ଦ ହେଲା?” “ନାଇଁ ସେମିତି କିଛି ନୁହେଁ ଯେ, ଇଗିନେସନ୍ଟା ଥପ୍ ହେଇଗଲା।”କିକ୍ ମାରିଲା ଘଣ୍ଟୁ ଷ୍ଟାର୍ଟ ହେଲା ବାଇକ୍। ଆପଣ କୁଆଡ଼େ ବାହାରିଚନ୍ତି କି? ଏଠି ତ ଟେମ୍ପୋ ମିଳିବନି।” ଛଇଳା ଚମକ ଖେଳେଇ କହିଲା- “କ’ଣ ଆଉ କରାଯିବ, ଛକ ଯାଏ ଗଲେ ହୁଏତ ମିଳିପାରେ।” ଏମନ୍ତ ସୁଯୋଗକୁ ହାତଛଡ଼ା ନ ଦେଇ ଘଣ୍ଟୁ ବାଇକ ବ୍ୟାକ୍ ମଣ୍ଡନ କରେଇଲା ଛଇଳାକୁ। କୁଆଡେ ଯିବେ ବୋଲି ପଚାରିଲା। ଉତ୍ତର ମିଳିଲା ୟୁନିଭରସିଟି କ୍ୟାମ୍ପସ୍। ଘଣ୍ଟୁ କହିଲା ମୁଁ ବି ସେଇପଟେ ଯିବି, ଆପତ୍ତି ନ ଥିଲେ ସେଇଠି ଡ୍ରପି ଦେବି।
ପ୍ରୋଫେସର ନାଳୁବନ୍ତଙ୍କ କେଳିକୁଞ୍ଜ ସାମନାରେ ଗାଡିରୁ ଉତୁରି ଛଇଳା ପ୍ରବେଶ କଲେ, ଘଣ୍ଟୁକୁ ଗୋଟେ ଉସୁକିଆ ଧନ୍ୟବାଦ ଦେଇ। ଏମନ୍ତ ଜିଅନ୍ତୀ ପିଶାଚୁଣୀକୁ ବାହାରେ ଛାଇ ଅନ୍ଧାରରେ ଅପେକ୍ଷା କଲେ ଘଣ୍ଟୁ। ନାଳୁବନ୍ତେ ଛଇଳାର ଛନକୀ ପଣରେ ଶହେ ଶହେରେ ସନ୍ତୋଷ୍ଟ। ପାଦଛୁଇଁଲା ଛଇଳା। ତା’ ଚୁଟି ସାଉଁଳେଇ, ସାୱାର ପାଣି ଭଳିଆ ଆଶୀର୍ବାଦ ବର୍ଷାରେ ହାପ୍ ଭିଜେଇଲେ ନାଳୁବନ୍ତେ। ସାମନା ସାମନି ଉଭା ହେଲେ, ବୈଠକୀ ଆରମ୍ଭ ହେଇଗଲା, ବିଦ୍ୟା ଚର୍ଚ୍ଚା ଭିତରେ ଛଇଳାର ଛଇକୁ ଛଟକରେ ବହୁବାର ଡାଆଁସିଆ ଆଖିରେ ଅନଉଥିଲେ ନାଳୁବନ୍ତେ। ଛଇଳାଠାରୁ ତା’ ଠା, ଠିକଣା, ପରିବାର ଥଇଥାନ ସମ୍ବନ୍ଧରେ ଅନେକ ତଥ୍ୟ ଆଦାୟ କରିଦେଲେ ନାଳୁବନ୍ତେ। ଛଇଳାର ବୟାନ ତାଙ୍କ ମାପକୁ ପାଇ ବି କିଛି ବହକା ହେଲା। ଚୂଡ଼ାନ୍ତବାଣୀ ପ୍ରକାଶିଲେ- “ଆସିଲ ଭଲ କଲ, ତମର ଇଣ୍ଟରେଷ୍ଟ ଅଛି, ତମେ ପାରିବ, ତୁମ ଆଟିଚ୍ୟୁଡ୍ ଖୁସିକାରକ। ମାତ୍ର ମୋ ଅଣ୍ଡରରେ ତ ସିଟ୍ ନାଇଁ। ତମ ଭଳି ଅନେକ ଆଶାୟିନୀ ମଧ୍ୟ ଲାଇନ୍ରେ ଅଛନ୍ତି। ଦେଖାଯାଉ।”
ଛାଙ୍କ ଦେଇ ଛୁଙ୍କ ମାରିବାରେ ଓସ୍ତାଦୀ ଛଇଳା ଛୁରି ମାରିଲା ଆଖିରେ। ଧକ ଧକେଇଲେ ନାଳୁବନ୍ତେ। “ଠିକ୍ ଅଛି, ମୁଁ ତମ ଭଳି ସଂସ୍କାରିଆଣୀଙ୍କୁ ନେବି। ତମେ ଆର ଉଇକ୍ ଏଣ୍ଡ୍ରେ ଆସ। ହଁ ଆଗେ ଫୋନ୍ରେ ଟାଇମ୍ ନେଇ ଯାଇ ପରେ ଆସିବ।” ନମ୍ର ଭାବେ ଛଇଳା ପ୍ରୋଫେ ନାଳୁବନ୍ତଙ୍କ ପଦଛୁଆଁ ବେଳକୁ, ତା’ ପୃଷ୍ଠ ପୋଷାକରେ ହସ୍ତ ପଖାଳିଲେ ନାଳୁବନ୍ତେ।
ଘଣ୍ଟୁଆର କାରନାମା
ଘଣ୍ଟୁଆ ଛକିଥିଲା। ଛଇଳା ସରଣୀ ଚାହିଁ ଚାହିଁ ଛପି ଥିବା ଘଣ୍ଟୁ ପୂର୍ବ ଢଙ୍ଗରେ ଛଇଳାର ପିଛା କଲା, ବାଇକ୍ ବ୍ୟାକ୍ରେ ବସାଇ ନେବା ବେଳେ ଛଇଳାର ଟେଲିଫୋନ୍ ନମ୍ବରଟା ବି କୌଶଳରେ ସଂଗ୍ରହ କରିନେଲା। ଖାଲଖମାଣିଆ ରାସ୍ତାରେ ଘଣ୍ଟୁ ବି ଛଇଳାଙ୍ଗ କେତେଥର ଘଣ୍ଟୁର ପୃଷ୍ଠସ୍ପର୍ଶ ପାଇଲା, ଫଳିଲା ଉନ୍ମାଦିଆ ଭାବ। ଛକରେ ଛଇଳା ଉତୁରିଲା, ରସୁଆଳ ଧନ୍ୟବାଦଟିଏ ଦେଇ। ଘଣ୍ଟୁ ଏଣିକି ୟାକୁ ନେଇ ଯୋଜନା ଥିର କରୁ କରୁ ପ୍ରୋଫେସର ନାଳୁବନ୍ତଙ୍କୁ ଅଷ୍ଟ ଆଠ ଅଙ୍ଗିଆ ପ୍ରଣାମ କରି କୌଣସି ପ୍ରକାରେ ଏକ କେଜି ମେଷ ମାଂସ ବିନିମୟରେ ଘଣ୍ଟା ସଂପର୍କରେ ଅବଗତ ହେଇଗଲା।
ଘଣ୍ଟୁ ଯୋଜନା ପାକଳ। ଏଇ ସପ୍ତାହେ ଭିତରେ ଛଇଳାକୁ ସମାନ ଭଉଣୀ କରି ବାରବାର ମେସେଜ୍ ଦେଇ ନିଜର ଭାଇ ପଣର ଚାରାଟାକୁ ଛଇଳାର ମନକିଆରେ ରୋଇ ଦେଇଛି। ଘଣ୍ଟୁର ଆକସ୍ମିକ ଆବିର୍ଭାବରେ ଛଇଳା ବି ଖୁସି। ଯା ଆସିଆ ଖର୍ଚ୍ଚା ବି ରହିଯିବ। ଭାବ କଲେ ଅଭାବ ରହେନି। ତେଣୁ ଭାବ ଷୋଳଣାକରେ ଛଇଳା, ମାତ୍ର ବଟୁଆରେ ହାତମରେଇ ଦିଏନା। ବଡଭାଇ ପ୍ରଣାମ ବୋଲି ସେ ବି ମେସେଜ୍ ଦେଇଛି। ଏମନ୍ତ କନିଷ୍ଠାର କଳକଣ୍ଠୀ ଶବଦ, ଛାଣ୍ଟିଆଣୀ ରୂପ, ଘଣ୍ଟୁକୁ ଆକର୍ଷଣ କରିଚି। ଫ୍ରିଲେନ୍ସିଂ କରୁଥିବା ଭଲ କ୍ୟାମେରାମ୍ୟାନ୍ କାହା ପାଲରେ ବନ୍ଧା ପଡ଼େନା। ସେମିତି ଘଣ୍ଟୁ କେତେ କୁହୁକିନୀଙ୍କ ମୋହନୀମାୟାରୁ ଆପଣାକୁ ମୁକୁଳେଇ ନିଜ ବେପାରରେ ଉନ୍ନତି କରି, ସାଇକେଲ୍ରୁ ଫଟ୍ଫଟିଆ ଯାଏ ପ୍ରମୋଶନ ପାଇଚି; ଇମୋସନ୍ରେ ବନ୍ଧାହେଲେ ମୋସନ୍ ବନ୍ଦ, ପ୍ରମୋସନ୍ କଥା ପଚାରେ କିଏ?
ପ୍ରୋଫେ ନାଳୁବନ୍ତଙ୍କ କୁଞ୍ଜରେ ଛଇଳାର ଦ୍ୱିତୀୟ ବଇଠକୀ। ପ୍ରୋଫେ ଶୁଣାଇଲେ ଛଇଳା ଯେହେତୁ ଜଣେ ଲେଡି, ତାଙ୍କୁ ଲେଡାଙ୍କ ଭଳିଆ ବିଷୟ ଦିଆଯିବ ନାହିଁ। କାରଣ ଖେତଖମାରକୁ ଯାଇ ବିଷୟ ସଂଗ୍ରହ କରିବାରେ ଝାମେଲା ପରେ ଝାମେଲା। ତେଣୁ ସେ ଏଇ କୁଞ୍ଜରେ ହିଁ ତାଙ୍କ କାମ ଜାରି ରଖିବେ। ଏଇଠୁ ତଥ୍ୟ ସାଉଁଟା ସାଉଁଟି କରିବେ, ଏଇଟା ହେବ ଗୋବେଷଣା ପୋଖରୀ, ଏଇଠୁ ଦଣ୍ଡକିରୀ, କେରାଣ୍ଡି, ସେଉଳ, ମାଗୁର, କଉ, ରତା, ଦରଣ୍ଡା ଦରଣ୍ଡି କରି ଆଣି ଖାଳେଇ ଭରିବେ। ଏଠି ତ ସବୁବେଳେ ବେଳ ମିଳିବନି, ନିରୋଳା ବେଳରେ ଆସି ଏ ଜ୍ଞାନପୋଖରୀ ମନ୍ଥିବେ ଛଇଳା। ଏମିତିରେ ଛଇଳା ବି ଏୟା ଚାହୁଁଥିଲା। ମଳୁ ବଇଦେ- ଉଭୟ ଖୁସି। ପୁଣି ଦିନ ଧାର୍ଯ୍ୟ କରି ଛଇଳା ଫେରିଲା। ଦୃଶ୍ୟ ଶେଷକୁ ଛଇଳାର ପାଦଛୁଆଁ ଓ ନାଳୁବନ୍ତଙ୍କ ପୃଷ୍ଠ ଛୁଆଁ।
ନାଳୁବନ୍ତେ ବହୁ ଛଇଳାଙ୍କୁ ଗୋବେଷଣା କରେଇ ତହସିଲ୍ରୁ ପଟା ପାଇବା ଭଳିଆ ଡିଗ୍ରୀ ପଟା ଦେଇଛନ୍ତି। ଇଏ ଏମିତି କେଉଁ ଧେନୁର ଗୋମୟ କି? ଛଇଳା ବି ଭାବ କରି କରି ଏଯାଏ ଉଠି ଉଠି ଆଇଚି, ମାତ୍ର କେଉଁଠି ତା’ ବଟୁଆ ମୁକୁଳା କରିନାଇଁ। ବଟୁଆ ଜାକୁଜାକୁ ସମାନ ଏଗାରଥର ବୈଠକୀ ବସିଲାଣି। ସବୁଥର ନୂଆ ନୂଆ ଢାଞ୍ଚା, ତେଣୁ ନାମ ପଞ୍ଜୀକୃତ ହେଇପାରିଲାନି। ଘଣ୍ଟୁ ଭାଇକି ଫଗୁଣମାସିଆ କଅଁଳିଆ ପତର ଭଳିଆ, ଅତି ଲହୁଣିଆ ମେସେଜ୍ରେ ନିଜର ଊହୁ ଜଣେଇଲା। ବଇଶାଖିଆ ଚାତକ ଭଳିଆ ଘଣ୍ଟୁ ତ ଏଇ ସୁଯୋଗକୁ ଛକି ବସିଥିଲା। ପରସ୍ପରର ସ୍ୱାର୍ଥ ପାଇଁ ରାଷ୍ଟ୍ର ରାଷ୍ଟ୍ର ଭିତରେ ଚୁକ୍ତି ଦସ୍ତଖତ ହେବା ଭଳିଆ, ଛଇଳି ଓ ଘଣ୍ଟୁ ଭିତରେ ଅଲିଖିତ ଚୁକ୍ତି ରାଜିନାମା ଥୟ ହେଇଗଲା।
ଗୋବେଷଣା କୁଞ୍ଜ
ଠିକଣା ଦିନ ସଂଜରେ ଗୋବେଷଣା କୁଞ୍ଜରେ ପ୍ରବେଶିଲା ଛଇଳା। ନାଳୁବନ୍ତେ ବି ଉଚ୍ଛନ୍ନ ହେଇ ଅପେକ୍ଷା କରିଥିଲେ। ଆଜି ହିଁ ଗୋବେଷଣା ପ୍ରସଙ୍ଗ ଥିର ହେବ, ପ୍ରୋଜେକ୍ଟ ତିଆରି ହେବ ବୋଲି ଶୁଣି ଛଇଳା ଚକିତ ହେଲା, ଚଉଠହସିତ ମୁଦ୍ରାରେ ସ୍ୱାଗତିଲା ନାଳୁବନ୍ତଙ୍କୁ। ନାଳୁବନ୍ତେ କୁଞ୍ଜ ବହିରାଗତ ହେଇ ଏକ ଘଣ୍ଟା କାଳ ଛଇଳାକୁ ଏକାକିନୀ କରି ଅନ୍ତର୍ଦ୍ଧାନ ହେଇଗଲେ। ପରେ ପରେ ଦି ଚାରିଫାଳ ଟାଇପ୍ କାଗଜ ଆଣି ଛଇଳାକୁ ୟା ଉପରେ ଆଖି ପକାଇବାକୁ କହିଲେ। ଚାଷୁଣୀ ଆଖିରେ ସୈନ୍ଧବ ଯାହା, ଶବରୁଣୀ ଆଗରେ ଗଜମୁକୁତା ଯାହା, ଛଇଳା ଆଗରେ ଏ କାଗଜ ବି ତାଆ। ଭାବ ଦେଇ ଦେଇ ମାର୍କ ଘୋଷାରି ସେ ଏ ଯାଏ ଆଇଚି, ଏସବୁ ପାଠ ସେ ଜାଣନ୍ତା କେମିତି? ଏବେ ସ୍କଲାରୁଣୀ ତାଲିକାରେ ନାମ ଚଢ଼େଇବା ବେଳକୁ ଏ କାରସାଦିଆ ପ୍ରୋଫେ କ’ଣ ଏମିତି କହିଲାଣି। ସ୍ୱଗତୋକ୍ତି କରୁଥିଲା- “ରହରେ ବାବୁଲି! କେତେ କେତେ କେତେଙ୍କୁ ମୁଁ ଥୋପ ଗିଳେଇଚି, ତୁ ମତେ ବନିଶୀ କଣ୍ଟା ଦେଖଉଚୁ? ଥୟଧର ବେଟା, ମୋ ଗଦ ଶୁଙ୍ଘେଇ ତତେ ବଶ କରିଦେବିରେ ବାଇନ।”
ଗୋବେଷଣା କୁଞ୍ଜରେ ଚୌକ୍ୟାସୀନ ହେଇ ନାଳୁବନ୍ତେ ମୌନମୁଦ୍ରାରେ ରହିଲେ। ଗୌତମେ ବି ଏମନ୍ତ ମୁଦ୍ରାରେ ମୁଦ୍ରିତ ନୟନରେ ତପ କରି ନ ଥିବେ। ମୌନଭଙ୍ଗ ଉପରେ ବଜାର ବନ୍ଦ ହେଉଥିବା ଚୋରାବେପାରୀଙ୍କ ଦରଖୋଲା କବାଟ ଭଳିଆ ପ୍ରେଫେ ନାଳୁବନ୍ତ ଏଥର ଆଦେଶିଲେ “ପ୍ରୋଜେକ୍ଟ ଦେଖିଲ ତ, ଏବେ କାମରେ ଲାଗିପଡ।” ପ୍ରଥମେ ଆମର ଏଇ ଜ୍ଞାନକୁଞ୍ଜରେ ଥିବା ବହି ଓ ପତ୍ରପତ୍ରିକାରୁ ଘଣ୍ଟାଘଣ୍ଟି କରି ତଥ୍ୟ ମଞ୍ଜି ମାନ ପାରା ସୋରିଷ ଖୁଣ୍ଟିଲା ଭଳିଆ ଖୁଣ୍ଟି ପକାଅ। ଏଇଟା ତମ ଗୋବେଷଣାଗାର। ଦିନ ସାରା ଏଇଟା ଅଫିଟା ରହେ, ସଂଜରେ ଫିଟେ, ସ୍ୱୟଂ ସରସ୍ୱତୀ ଏଠି ସଂଜରୁ ଡେରା ପକାନ୍ତି। ତମେ ଆଗେ ତଥ୍ୟ ଖୁଣ୍ଟି ପକାଅ, ପରେ ସେ ଗୁଡା ସଜଡ଼ା ହେବ। ଛଇଳା ଆନନ୍ଦରେ ସହମତି ଜଣାଇଲେ।
ଗଦଗଦିଆ ନାଳୁବନ୍ତେ
ରାତି ଦଶଟା ହେବ, ଛଇଳା କୁଞ୍ଜ ଛାଡିବା ପୂର୍ବରୁ ପ୍ରୋଫେଙ୍କ ପାଦ ଛୁଉଁ ଛୁଉଁ ଅତି ଗଦଗଦିଆ ହେଇ ନାଳୁବନ୍ତେ ସମଗ୍ର ପୃଷ୍ଠ ଦେଶରେ ଝାଡୁମାରିଲା ଭଳିଆ ମୃଦୁ ମୃଦୁ ହସ୍ତ ସଂଚାଳନ କଲେ। ଏସବୁକୁ ଦିହକୁ କାଠ କରି ସମ୍ଭାଳି ନେଲେ ଛଇଳା।
ନାଳୁବନ୍ତେ ନୂଆ ଶିକାରକୁ ଖୋଜୁଥାନ୍ତି, ମାତ୍ର ଛଇଳା ଆଉ ଆସିଲେ ନାଇଁ। ମନେ ମନେ ସନ୍ତାପି ହେଲେ ନାଳୁବନ୍ତେ, ନିଜ ତରଫରୁ ଫୋନ୍ କଲେ, ପାଣି ନିଜେ ଶୋଷ ପାଖକୁ ଯିବାକୁ ଉଦ୍ୟତ। ମାତ୍ର ଛଇଳା ନିଜ ଦିହ ସୁଖ ନାଇଁ ବୋଲି ଫୋନ୍ରେ ଜଣାଇଲେ। ମନଟା ଖିନିଭିନ୍ନିଆ ହେଇଗଲା। ଏକ ମାସ ପରେ ଘଣ୍ଟୁ ଭାଇଙ୍କ ସହ ପ୍ରବେଶିଲେ ଛଇଳା, ୟା ଭିତରେ ଦୈନିକ ସଂଜରେ ନାଳୁବନ୍ତଙ୍କ ଗୋବେଷଣା କୁଞ୍ଜର ଟିକି ନିଖି ଖବର, ଶାସକ ଦଳର ଗୋପନ ତଥ୍ୟ ବିରୋଧୀ ଦଳିଆ ରଖିବା ଭଳି, ଜାଣି ନେଇଥିଲେ ଘଣ୍ଟୁ। ଛଇଳା ଭାଇର ପରିଚୟ ଦେଇ ଘଣ୍ଟେ ଏଥର ନାଳୁବନ୍ତଙ୍କୁ ଠିଆ ଠିଆ ଜୁହାରିଲେ। ୟା ଆଗରୁ ନାଳୁବନ୍ତଙ୍କ କଳାତ୍ମକ କାରବାରର ଏକ ଦୀର୍ଘ ସୂଚନା ଦେଲେ। ନିରବ ହେଲେ ନାଳୁବନ୍ତେ, ଚକିତ ହେଲେ। କି ସାଂଘାତିକ ଏଇଟା, ମୋ ଅତୀତକୁ ପୂରା ଗୋବେଷଣା କରି ନେଇଚି। କ’ଣ କରିବି, କେମିତି ମୁକୁଳିବି ଏ ଗଣ୍ଡୁଆସିଆ ଫାସରୁ, ଭାବୁଥିଲେ ସେ।
ଘଣ୍ଟୁ ହାଙ୍କିଲେ- “ସାର୍ ଆଜ୍ଞା! ଏସବୁ ପଦାରେ ପକେଇ ଦିଆଯିବ, ଅନେକ ଡେରି ହେଲାରି ମୋ ଭଉଣୀକୁ ରାତିରେ ଆସିବାକୁ ଆପଣ କହିଛନ୍ତି, ସେ ସବୁ ରେକର୍ଡ ଅଛି, ଆଉ ଆଉ ଯଥେଷ୍ଟ କଥାମାନ ବି ଅଛି। ଛାଡନ୍ତୁ ସେ କଥା- ଏବେ ବିଷବିଦାଳ କୋଳପତି, ରାଜ୍ୟ ସରକାର, ଖବର କାଗେଜିଆଙ୍କୁ ଜଣେଇଦେବି, ସମ୍ଭାଳିବେ ଆପଣ। ଆଖି ପିଛଡାକେ କଳଙ୍କର ଆଲକାତରା ବୋଳି ହେଇଯିବ, ନା ୟାର କିଛି ସମାଧାନ କରିବା?” ଅଗତ୍ୟା ପ୍ରୋଫେ ନାଳୁଙ୍କ ନିଶା ଖସିଗଲା, ଡ୍ରୟର ଖୋଲି ଟଙ୍କା ଦି’ ଲକ୍ଷ ସେ ଘଣ୍ଟୁ ହାତକୁ ବଢ଼େଇ ଦେଇ କାକୁସ୍ଥ ହେଇ ରାଧାଲୀଳାର ଚନ୍ଦ୍ରସେଣା ପାର୍ଟିଅର ଭଳିଆ ଅନେଇ ଥିଲେ।
ଛଇଳାଙ୍କ ସହ ଫେରି ଆସିଲା ଘଣ୍ଟୁ। ଆଗକୁ ଏମିତି ଅନେକ ନାଳୁବନ୍ତଙ୍କ ସନ୍ଧାନ କରି ସେମାନଙ୍କୁ ଫାସି ଖୋଇଲେ, ରୋଜଗାରଟା ମନ୍ଦ ହୁଅନ୍ତାନି। ଗୋବେଷଣା ଛାଡି ମାତିଲେ ଛଇଳା। ରୂପ ଥିଲେ ଗୋବେଷଣା କେତେ ମାତ୍ର?
ଘଣ୍ଟୁ ଏଥର ବିଭିନ୍ନ ବିଷବିଦାଳୟ କ୍ୟାମ୍ପସ୍ରେ ଶିକାର ସନ୍ଧାନରେ ପଇଁନ୍ତରା ମାରୁଥିଲା। ମଧ୍ୟେ ମଧ୍ୟେ ଛଇଳା ସହ ଯାଇ ନାଳୁବନ୍ତମାନଙ୍କ ଗୋବେଷଣା କୁଞ୍ଜ ପ୍ରବେଶ କରୁଥିଲା।
କିଛିଦିନ ପରେ, ଖବରକାଗଜରେ ଛଇଳାଙ୍କ ସୁଦୃଶ୍ୟ ଫଅଟ୍ ଥାଇ ତଳେ ‘ଗୋବେଷିକାଙ୍କ ଡକ୍ଟରେଟ୍ ଲାଭ’ ଶିରୋନାମାରେ ଖବର ହୁଏତ କାହା କାହାର ନଜରକୁ ଆସିଥିଲା।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜାନୁଆରୀ , ୨୦୨୪ ସଂଖ୍ୟାରେ ପ୍ରକାଶିତ ଧାରାବାହିକ ବ୍ୟଙ୍ଗ ରଚନା।)
ସମୟୋପଯୋଗୀ ବ୍ଯଙ୍ଗ।👌
ଡ. ମିଶ୍ରଙ୍କ ବ୍ୟଙ୍ଗ ପ୍ରକୃତରେ ବେଶ ଚମତ୍କାର। ଚଉପଦୀ ବା ଚଉତିଶା ଢଙ୍ଗରେ ନାମର ସାମଞ୍ଜସ୍ୟ ରକ୍ଷା କରି ବେଶ୍ ଭାବିଚିନ୍ତି ପ୍ରସଙ୍ଗଟିକୁ ଚମତ୍କାର ଭାବରେ ସେ ଉପସ୍ଥାପନ କରିଛନ୍ତି। ଏହିଭଳି ଘଟଣା ଅନେକ ବର୍ଷରୁ ହୋଇଆସୁଛି। କିନ୍ତୁ ଡ ମିଶ୍ରଙ୍କ ଲେଖିବାର ଶୈଳୀ ଓ ଶବ୍ଦ ସଂଯୋଜନା ସହିତ ଆରମ୍ଭ ଓ ଶେଷ ମଧ୍ୟରେ ଉଚିତ ତାଳମେଳ ତା ସହିତ ନିରୁତା ବ୍ୟଙ୍ଗ ଅତ୍ୟନ୍ତ ଚମତ୍କାର।