ଇଂରାଜୀରେ ‘ଲିପ୍ ସର୍ଭିସ୍’ ବୋଲି କଥାଟିଏ ଅଛି। ଓଡ଼ିଆରେ ଏହାକୁ ଆମେ ତୁଣ୍ଡ ସେବା ବୋଲି କହିପାରିବା। ଆଜି ଆମର ଭାଷା ଓ ସାହିତ୍ୟରେ ଏହି ତୁଣ୍ଡ ସେବାଟି ପ୍ରବଳ। ଆମ ସାହିତ୍ୟ ମୁମୂର୍ଷୁ ହୋଇ ଯେ କେଉଁ ରସାତଳକୁ ଗଲାଣି ସେ ଆଡ଼କୁ କାହାର ନିଘା ନାହିଁ। ଅଥଚ ସେହି ସାହିତ୍ୟ ନାମରେ ଆମର କିଛି ସାହିତ୍ୟଜୀବୀ ମଞ୍ଚ ଦୁଲୁକାଇବା ଓ ନିଜର ଚେହେରା ଚମକାଇବାରେ ବ୍ୟସ୍ତ। ଭାଷଣ, ଫୁଲମାଳ, ସମ୍ବର୍ଦ୍ଧନା, ପ୍ରଦର୍ଶନୀ, ନାଚ ଓ ତାମସା ଜରିଆରେ ହିଁ ଏବେ ଚାଲିଛି ସାହିତ୍ୟ ସେବା।
ସାହିତ୍ୟର ଧର୍ମ ତ ମାତ୍ର ଯୋଡ଼ିଏ: ଲିଖନ ଓ ପଠନ। ଅର୍ଥାତ୍ ଲେଖକ ଲେଖିବ ଓ ପାଠକ ପଢ଼ିବ; ଆମ ସାହିତ୍ୟକୁ ବଂଚାଇ ରଖିବା ପାଇଁ ଏହି ଦୁଇଟି ପ୍ରକ୍ରିୟା ହିଁ ଯଥେଷ୍ଟ। ଅଥଚ ସାହିତ୍ୟ ନାମରେ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଆମର କିଛି ତଥାକଥିତ ସାହିତ୍ୟସେବୀ ଏହି ଦୁଇଟିକୁ ଛାଡ଼ି ଆଉ ସବୁଥିରେ ଲିପ୍ତ।
ଦିନକୁ ଦିନ ଓଡ଼ିଆ ସାହିତ୍ୟର ପାଠକଙ୍କ ସଂଖ୍ୟା କମିଚାଲିଥିବା କଥା ଅନେକଙ୍କୁ ବିବ୍ରତ କରେ। କିନ୍ତୁ ଏହାର ଆଉ ଗୋଟିଏ ଶୋଚନୀୟ ଦିଗ ହେଲା ଯେ ଆମ ଲେଖକଗଣଙ୍କର ଲେଖିବାର ପ୍ରବୃତ୍ତି ମଧ୍ୟ କମିଯାଇଛି। ଉଚ୍ଚମାନର ନୂଆ ମୌଳିକ ସର୍ଜନା ପାଇଁ ଅଧିକାଂଶ ଲେଖକମାନଙ୍କ ମଧ୍ୟରେ ନା ଅଛି ଆଗ୍ରହ, ନା ସମୟ। ଅନେକେ ନିଜର ପୁରୁଣା ଲେଖାଗୁଡ଼ିକୁ ନୂଆ ବୋଲି କହି ଚଳାଇନେଉଛନ୍ତି; ନୋହିଲେ ପୂର୍ବରୁ ଅନ୍ୟ କେହି ଲେଖିଥିବା ରଚନାଗୁଡ଼ିକର ନାମମାତ୍ର ପରିବର୍ତ୍ତନ କରି ତାହାର ଏକ ପ୍ରକାର ପୁନର୍ଲିଖନରେ ହିଁ ଲିପ୍ତ ଅଛନ୍ତି। ଏହା ସହିତ ତାଳ ଦେଇ ପାଠକମାନେ ମଧ୍ୟ କ୍ରମେ ସାହିତ୍ୟ ପ୍ରତି ମୁହଁ ମୋଡ଼ିବା ଆରମ୍ଭ କରିଛନ୍ତି। ଫଳରେ ଏବେ ନା ଚାଲିଛି ଲିଖନ, ନା ପଠନ। କେବଳ ସାହିତ୍ୟ ନାମରେ ସଭା ସମିତି ଓ ତର୍କବିତର୍କ ଆଦି ହିଁ ଯାହା ବଢ଼ି ବଢ଼ି ଚାଲିଛି। ଏହାକୁ ସାହିତ୍ୟର ତୁଣ୍ଡ ସେବା ବୋଲି କହିବା ନାହିଁ, ତ ଆଉ କ’ଣ!
ସାହିତ୍ୟ ବରଂ ରସାତଳକୁ ଯାଉଥାଉ, ହେଲେ ସାହିତ୍ୟ-ଉତ୍ସବମାନଙ୍କର ଅଭାବ ନାହିଁ। ଖାଲି ‘ଉତ୍ସବ’ କହିଲେ ବୋଧହୁଏ ପାପ ଲାଗିବ; ତେଣୁ ଏଗୁଡ଼ିକୁ ‘ମହୋତ୍ସବ’ ବୋଲି କୁହାଯାଉଛି। ଆମ ଜାଣିବାରେ ଗତ ବର୍ଷକ ଭିତରେ ଖୋଦ୍ ଭୁବନେଶ୍ୱରରେ ଏଭଳି କେଇ ଗଣ୍ଡା ମହୋତ୍ସବ ଅନୁଷ୍ଠିତ ହୋଇସାରିଲାଣି। ଆମ ସରକାର ବାହାଦୁର ମଧ୍ୟ ବିପୁଳ ଅର୍ଥ ବ୍ୟୟ ପୂର୍ବକ ଏକ ବିରାଟ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏହି ସମ୍ମିଳନୀର ପ୍ରାକ୍ ପ୍ରସ୍ତୁତି ସ୍ୱରୂପ ଓଡ଼ିଶାର ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କରେ ଭାଷା ଓ ସାହିତ୍ୟ ସଂପର୍କିତ ସଭା କରିବା ପାଇଁ ବଡ଼ ରକମର ଅର୍ଥ ମଂଜୁରୀ ସହ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହାର ପରିଣାମରେ ସେହି ଶିକ୍ଷାନୁଷ୍ଠାନଗୁଡ଼ିକରେ ଉପର ଠାଉରିଆ ଭାବରେ ଯେଉଁ ସଭା ଓ ସେମିନାର ଆଦି ଆୟୋଜିତ ହେଉଛି, ସେସବୁ ଆମର ଭାଷା ଓ ସାହିତ୍ୟକୁ ଆଗକୁ ନେବାପାଇଁ ବାସ୍ତବରେ ସହାୟକ ହୋଇପାରିଛି କି?
ତଥାପି ଆଶ୍ୱାସନାର ବିଷୟ ଏହି ଯେ ଏଭଳି ପ୍ରତିକୂଳ ପରିବେଶ ସତ୍ତ୍ୱେ ଆଜି ବି ଅଳ୍ପ କିଛି ସଂଖ୍ୟକ ନିଷ୍ଠାପର ସାଧକ ଆମ ଭାଷା ଓ ସାହିତ୍ୟର ନିରଳସ ସେବାରେ ବ୍ରତୀ ଅଛନ୍ତି। ପ୍ରଚାର, ପୁରସ୍କାର ଅବା ସମ୍ବର୍ଦ୍ଧନା ଆଦିର ଆସକ୍ତିଠାରୁ ଉର୍ଦ୍ଧ୍ୱରେ ଥାଇ ନିରବରେ ନିଜର ସାଧନା ଜାରି ରଖିଥିବାରୁ ଏମାନେ ସହଜରେ କାହାରି ନଜରରେ ପଡ଼ନ୍ତି ନାହିଁ। ଏହିଭଳି କିଛି ବ୍ୟତିକ୍ରମୀ ପ୍ରତିଭାଧର ହିଁ ଆଜି ଆମର ଅର୍ଦ୍ଧମୃତ ସାହିତ୍ୟରେ ନବଜୀବନର ସଂଚାର କରିବାରେ ମୂଲ୍ୟବାନ ଭୂମିକା ତୁଲାଉଛନ୍ତି ବୋଲି ଆମେ ମନେକରୁ।
ନିହାର ଶତପଥୀ
Chamatkar Sampadakiya.
Pranam
ସବୁବେଳେ ଥିଲା। ଏବେ ମାତ୍ରା ଅଧିକ, କିନ୍ତୁ ଆଉ କିଛି ଫରକ୍ ନାହିଁ । ଫତୁରାନନ୍ଦଙ୍କ ‘ମଙ୍ଗଳବାରିଆ ସାହିତ୍ୟ ସଂସଦ’ରେ ବର୍ଣ୍ଣିତ ସାହିତ୍ୟ ପରିବେଶର ଏକ ପରିବର୍ଦ୍ଧିତ ରୂପ ଏବେ ଦେଖିବାକୁ ମିଳୁଛି।
କର୍ପୋରେଟ୍ ସ୍ପନ୍ସର୍ସ ନମିଳିଲେ ସାହିତ୍ୟ ଉତ୍ସବ ବନ୍ଦ ହୋଇଯିବ।
କିନ୍ତୁ ଲେଖକମାନେ ଲେଖୁଥିବେ ଓ ପାଠକ ମାନେ ପଢୁଥିବେ।
ସାହିତ୍ୟକୁ ସମାଜର ଦର୍ପଣ କୁହାଯାଏ। ସମାଜର ବିଭିନ୍ନ ଚରିତ୍ରଙ୍କ ସହ ସାମାଜିକ ଜୀବନର ପ୍ରତିଛବିକୁ ନିଆରା ଢଙ୍ଗରେ ଉପସ୍ଥାପନ କରି ପାଠକ ମନରେ ଜିଇଁ ରହନ୍ତି ସାହିତ୍ୟିକ। ସେହି ସାହିତ୍ୟ କାଳଜୟୀ ହୁଏ , ଯାହା ପାଠକ ହୃଦୟରେ ସ୍ଥାନ ଅଧିକାର କରିନିଏ।
ସାମାଜିକ ଜୀବନରେ ପରିବର୍ତ୍ତନ ଅବଶ୍ୟମ୍ଭାବୀ।ସେହି ପାରିପାର୍ଶ୍ବିକ ସ୍ଥିତିରେ ସାହିତ୍ୟ ଓ ସାହିତ୍ୟିକଙ୍କ ମାନସିକତାରେ ମଧ୍ୟ ପରିବର୍ତ୍ତନ ହେବା ସ୍ୱାଭାବିକ। ଡିଜିଟାଲ୍ର ପ୍ରାଧାନ୍ୟ ମଧ୍ୟରେ ପତ୍ରିକା ପଢ଼ିବାର ଆଗ୍ରହ କମିବା ଏକ ସ୍ୱାଭାବିକ ପ୍ରକ୍ରିୟା।ଠିକ୍ ସେପରି ସଂପ୍ରତି ଲେଖିବା,ପୁଣି ସଂଶୋଧନ ବାରମ୍ବାର କରିବା ଏବଂ ଉଚ୍ଚ ମାନର ସୃଷ୍ଟି ପାଇଁ ପ୍ରୟାସ ନିମନ୍ତେ ଆବଶ୍ୟକ ଧୈର୍ଯ୍ୟର ପରିବେଶଟିଏ ନାହିଁ। ଏଣୁ ସାହିତ୍ୟର ଏହି ଜୟଯାତ୍ରାର ଇତିହାସ ପୃଷ୍ଠାରେ ସମୟ ହିଁ କହିବ ପରବର୍ତ୍ତୀ ପିଢିଙ୍କ ଆଦରର ସାହିତ୍ୟର ସ୍ଥିତି କିପରି ହେବ :
ଆକର୍ଷଣୀୟ ମଞ୍ଚରେ ପଦ ପଦବୀର ପ୍ରାବଲ୍ୟତା ନା ପୁରୁଣା ଧାରାର ଆତ୍ମୀୟତାଭରା ପାଠକୀୟ ଆଦରରେ ବିମୋହିତ ସାହିତ୍ୟାନୁରାଗୀଙ୍କ ସମ୍ମେଳନ।
ଭାଷା ରକ୍ଷା ପାଇଁ ମୌଳିକ ସମସ୍ୟାର ନିଦାନ ନ କରି ସରକାରଙ୍କ ଦ୍ୱାରା ଏଣୁ ତେଣୁ ଦିଗରେ ପଇସା ଖର୍ଚ୍ଚ କରିବା, କ୍ୟାନସର ପୀଡ଼ିତର ଘାଆରେ ବରୋଲିନ କ୍ରିମ ଲେପିବା ପରି। ସମ୍ପାଦକୀୟର ଶେଷ ଭାଗରେ ନିରବ ସାହିତ୍ୟସାଧକମାନଙ୍କ ପ୍ରତି ପ୍ରସ୍ତୁତ କରିଥିବା ଦୃଷ୍ଟିକୋଣ ପାଇଁ ସମ୍ପାଦକଙ୍କୁ ଅନେକ ଧନ୍ୟବାଦ।
ମୋବାଇଲ ଫୋନ ମାଧ୍ୟମରେ ପାଠକ ଓ ଶ୍ରୋତାଙ୍କ ପାଇଁ ଅନେକ ଶସ୍ତା, ସହଜଲଭ୍ୟ ରୋଚକ ସାମଗ୍ରୀ ମିଳୁଥିବା ବେଳେ ମୁଦ୍ରିତ ସାହିତ୍ୟ ପ୍ରତି ରୁଚି ଜନ୍ମାଇବା ଏକ ଦୁରୂହ ବ୍ୟାପାର। ଏହା ନାଇଲନ ଓ ପଲିଷ୍ଟରର ଆବିର୍ଭାବରେ ଖଦୀ କପଡ଼ା ପାଇଁ ଉତ୍ପନ୍ନ ହୋଇଥିବା ସଙ୍କଟ ସହ ସମାନ। ବାସ୍ତବରେ ଏହା ଏକ ଗମ୍ଭୀର ବିଷୟ. ଭାଷାକୁ ନେଇ ଯଦି ନବଜାଗରଣ ନ ଆସେ, ତେବେ ଭାଷା ବିଲୁପ୍ତ ହେବାର ସମ୍ଭାବନା ସତ୍ୟରେ ପରିଣତ ହେବ।
ଆଜିକାଲି face book ଏବଂ ସମ୍ବାଦ ପତ୍ରରେ ଅନେକ ଲେଖା ପ୍ରକାଶିତ ହେଉଛି, ଗଣ ମାଧ୍ୟମ ରେ ବିଭିନ୍ନ ନାମ ରେ ସାହିତ୍ୟ ଅନୁଷ୍ଠାନ ଗଢି ଉଠିଛି, ଲେଖକ ଙ୍କୁ ମାନ ପାତ୍ର ଦିଆ ଯାଇ ଖୁସି କରା ଯାଉଛି। ଅନୁଷ୍ଠାନ ର କର୍ମକର୍ତ୍ତାଙ୍କ ବାହାଦୂରୀ କହିଲେ ନ ସରେ।ସତେ ଯେପରି ଗୋଟିଏ ଗୋଟିଏ ଦେଶ ପରିଚାଳନା କରୁଛନ୍ତି!!
ମାନ ପାତ୍ର ଏବଂ ସାହିତ୍ୟ ମହୋତ୍ସବ ରେ ଯୋଗ ଦେବା ପାଇଁ ଅତି ଚତୁର ଭାବ ଦେଖାଇ ଅର୍ଥ ଆଦାୟ କରା ଯାଉଛି।ଯଦି ଅର୍ଥ ଦିଆ ହୋଇ ପାରୁ ନାହିଁ,ତାଲିକାରୁ ଲେଖାକୁ,ଲେଖକଙ୍କୁ ହଟେଇ ଦିଆ ଯାଉଛି…
କେତେକ Admin ଙ୍କ ଗର୍ବ କହିଲେ ଭଲ ଲାଗିବ ନାହିଁ।
ପଇସା ଦେଇ ମାନ ପତ୍ର ଓ ପ୍ରଶଂସା ଯୋଗାଡ ହେଲେ,ସାହିତ୍ୟ କ୍ଷେତ୍ରରେ ଉନ୍ନତି କେମିତି ହେବ ?
Online ରେ voting ହୋଇ ସ୍ରଷ୍ଟା ଙ୍କୁ ଶ୍ରେଷ୍ଠ ମାନ୍ୟତା ମିଳିବା ଏକ ଦୁର୍ବଳ ମାନସିକତାର ଲକ୍ଷଣ…
ପାଠକ ମାଳମାଳ ,ଗଣ ମାଧ୍ୟମ ପ୍ରବଳ,admin ଙ୍କ ଅଯଥା କୋଳାହଳ,ଲେଖା କିନ୍ତୁ ନିହାତି ଦୁର୍ବଳ….
ସଂପାଦକୀୟ ପୃଷ୍ଠାଟି ସାଂପ୍ରତିକ ସାହିତ୍ୟର ବାସ୍ତବ ଚରିତ୍ରକୁ ସୁନ୍ଦର ଭାବେ ଚିତ୍ରିତ କରାଯାଇଛି