“ଯେତେବେଳେ ମୋତେ ସଭାସମିତିରେ କହିବା ପାଇଁ ଡ଼ାକନ୍ତି, ମୁଁ ଅନର୍ଗଳ କହିବାକୁ ଭଲ ପାଏନାହିଁ।”
ପ୍ରବୀଣ କବି ଡ. ଆଶୁତୋଷ ପରିଡ଼ା ଓଡ଼ିଆ ସାହିତ୍ୟ ଜଗତରେ ଜଣେ ପ୍ରଗତିଶୀଳ ସାରସ୍ୱତ ସ୍ରଷ୍ଟା ଭାବରେ ପରିଚିତ। କବିଙ୍କର ବୟସ ବର୍ତ୍ତମାନ ୭୭ ବର୍ଷ ଏବଂ ସେ ଏ ବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇ ଚର୍ଚ୍ଚାକୁ ଆସିଛନ୍ତି। ଭୁବନେଶ୍ୱରସ୍ଥିତ ଆଂଚଳିକ ଗବେଷଣାଗାରଠାରେ ଜଣେ ବରିଷ୍ଠ ବୈଜ୍ଞାନିକ ଭାବରେ କାର୍ଯ୍ୟ କରି ସେ ସେବାନିବୃତ୍ତ ହୋଇଛନ୍ତି। ଏ ଯାବତ୍ ତାଙ୍କର ପ୍ରକାଶିତ ପୁସ୍ତକ ଗୁଡ଼ିକ ମଧ୍ୟରେ ୧୨ଗୋଟି କବିତା ସଂକଳନ ଅନ୍ତର୍ଭୁକ୍ତ। ତା’ଙ୍କ ସହିତ ବାର୍ତ୍ତାଳାପ କରିଥିଲେ ‘ସାହିତ୍ୟ ଚର୍ଚ୍ଚା‘ର ସଂପାଦକ ନିହାର ଶତପଥୀ।
ସାହିତ୍ୟ ଚର୍ଚ୍ଚା: ଆପଣ ଏ ବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରର ବିଜେତା ହୋଇଥିବାର ଘୋଷଣା ଶୁଣି ଓଡ଼ିଶାର ସାହିତ୍ୟ ଜଗତ ଏକ ପ୍ରକାର ଚକିତ ହୋଇପଡ଼ିଥିଲା। କାରଣ, ଏ ବର୍ଷର ସମ୍ଭାବ୍ୟ ବିଜେତାଙ୍କ ତାଲିକାରେ ଅନ୍ୟ କିଛି ଜଣଙ୍କର ନାମ ମଧ୍ୟ ଶୁଣାଯାଉଥିଲା। ଏହା ଆପଣଙ୍କୁ ମଧ୍ୟ ଚକିତ କରିଛି କି?
ଆଶୁତୋଷ ପରିଡ଼ା: ହଁ, ମୋତେ ନିଶ୍ଚିତ ଭାବରେ ଟିକିଏ ଆଶ୍ଚର୍ଯ୍ୟାନ୍ୱିତ କଲା। ପୂର୍ବରୁ ମଧ୍ୟ ମୋ ବହି ଏଥିପାଇଁ ପ୍ରାରମ୍ଭିକ ବିବେଚନାକୁ ଯାଇଛି; କିନ୍ତୁ କୌଣସି କାରଣରୁ ଏହା ମନୋନୀତ ହୋଇପାରିନାହିଁ। ତେଣୁ ଏଥରକ ବି ମିଳିଯିବ, ସେମିତି କିଛି ଆଶା ନ ଥିଲା।
ସାହିତ୍ୟ ଚର୍ଚ୍ଚା: ତା’ହେଲେ ଆପଣଙ୍କର ଏହି ବହିଟି ପୂର୍ବ ବର୍ଷ ମଧ୍ୟ ସର୍ଟଲିଷ୍ଟେଡ୍ ହୋଇଥିଲା?
ଆଶୁତୋଷ ପରିଡ଼ା: ହଁ, ପୂର୍ବ ବର୍ଷ ବି ସର୍ଟଲିଷ୍ଟେଡ୍ ଥିଲା; ଏହା ଅବଶ୍ୟ ମୁଁ ପରେ ଜାଣିଲି।
ସାହିତ୍ୟ ଚର୍ଚ୍ଚା: ତେବେ ଏ ବର୍ଷର ପୁରସ୍କାରଟି ଆପଣଙ୍କର ଏହି ବହିକୁ ମିଳିବାର ଅଛି ବୋଲି ଆପଣ ଆଗରୁ କିଛି ବି ଆଭାସ ପାଇନଥିଲେ !
ଆଶୁତୋଷ ପରିଡ଼ା: ନା, ଆଭାସ ପାଇନଥିଲି।
ସାହିତ୍ୟ ଚର୍ଚ୍ଚା: ଓଡ଼ିଶାରେ ଗୋଟିଏ ଧାରଣା ରହିଆସିଛି ଯେ ବିନା ଲବିଂରେ ସାହିତ୍ୟ ପୁରସ୍କାରଟିଏ ପାଇବା ବଡ଼ କଷ୍ଟକର। ଆପଣ ଏହାକୁ ଭୁଲ୍ ବୋଲି ପ୍ରମାଣିତ କରିଦେଲେ।
ଆଶୁତୋଷ ପରିଡ଼ା: ଆମେ କେମିତି କହିପାରିବା, ଯେ ଲବିଂ ହେଉଛି ବୋଲି? ଆଗରୁ ଯେଉଁମାନେ ପାଇଛନ୍ତି, ସେମାନେ ଲବିଂରେ ପାଇଛନ୍ତି ବୋଲି କାହିଁକି ଭାବିବା? ସେମାନଙ୍କ ବହିକୁ ବିଚାରକ ମଣ୍ଡଳୀ ପସନ୍ଦ କରିଛନ୍ତି। ମୋତେ ଯଦି ପଚରାଯିବ ଯେ, ‘ଆପଣଙ୍କ ବହି ଗତ ବର୍ଷ କାହିଁକି ପାଇଲାନି’, ମୁଁ କହିବି ଯେ ‘ହୁଏତ ମୋ କବିତାର ସ୍ୱର ଜୁରିର ପସନ୍ଦକୁ ଆସିଲା ନାହିଁ।’ କିନ୍ତୁ ଏ ବର୍ଷ ସେମାନେ ଏହାକୁ ପସନ୍ଦ କଲେ; ଆମେ ଏଇମିତି ଭାବିବା। ମୁଁ ଭାବେନା, ସମସ୍ତ ଲେଖକ ଲବିଂ କରି ପୁରସ୍କାର ପାଆନ୍ତି ବୋଲି।
ସାହିତ୍ୟ ଚର୍ଚ୍ଚା: ଆପଣ ତ ମୂଳତଃ ଜଣେ କବି। ତେବେ ଆପଣ ‘କଳାତ୍ମକ ବାସ୍ତବତା – ଭିତ୍ତି ଓ ଅଙ୍ଗୀକାର’ ନାମକ ଗୋଟିଏ ପ୍ରବନ୍ଧ ସଂକଳନ ମଧ୍ୟ ରଚନା କରିଛନ୍ତି। ଏହି କଳାତ୍ମକ ବାସ୍ତବତା କହିଲେ ଆପଣ ଯାହା ଭାବନ୍ତି, ତାହା ନ ଥିଲେ କବିତାଟିଏ ଅନ୍ତଃସାର ଶୂନ୍ୟ ହୋଇଯାଏ କି?
ଆଶୁତୋଷ ପରିଡ଼ା: ଅବଶ୍ୟ; କାରଣ ମୁଁ ଅନ୍ତତଃ ଭାବେ, ଯେ କୌଣସି ସାହିତ୍ୟିକ ସର୍ଜନା ବାସ୍ତବତାର ଗୋଟିଏ ପ୍ରକାର ପୁନର୍ନିର୍ମାଣ ମାତ୍ର। ସବୁ କଳାସୃଷ୍ଟିର ମୂଳରେ ବାସ୍ତବତା ଅଛି।
ସାହିତ୍ୟ ଚର୍ଚ୍ଚା: ବାସ୍ତବଧର୍ମୀତା ତ ରହିବ ନିଶ୍ଚୟ, ତାହା ଅଳ୍ପ ହେଉ ବା ଅଧିକ। କିନ୍ତୁ ସେଥିରେ କଳାତ୍ମକତାର ସଂଯୋଗ ନ ହେଲେ ତାହା କବିତା ହୋଇପାରିବ କି?
ଆଶୁତୋଷ ପରିଡ଼ା: ମୋ’ର ଧାରଣା ଯେ ହୋଇପାରିବନି। କିନ୍ତୁ ସାହିତ୍ୟର ବାସ୍ତବତା ହେଉଛି ଏକ ରୂପାନ୍ତରିତ ବାସ୍ତବତା।
ସାହିତ୍ୟ ଚର୍ଚ୍ଚା: ତେବେ ଏହି ରୂପାନ୍ତରଣ ପ୍ରାୟତଃ ଘଟିଥାଏ କି?
ଆଶୁତୋଷ ପରିଡ଼ା: ଆମେ ବାସ୍ତବତାକୁ ସ୍ଥୂଳଦୃଷ୍ଟିରେ ଯାହା ଦେଖୁଛେ, ସେଇଟା ଯେତେବେଳେ ସାହିତ୍ୟ କିମ୍ବା କଳାର ରୂପ ନେବ, ଅର୍ଥାତ୍ କବିତା ବା ଚିତ୍ରାଙ୍କନ ଭାବରେ ପ୍ରକାଶିତ ହେବ, ତାହା ନିଶ୍ଚିତ ଭାବରେ ଗୋଟିଏ ରୂପାନ୍ତରିତ ଆକୃତି ପାଇବ।
ସାହିତ୍ୟ ଚର୍ଚ୍ଚା: ଆମ ଆଖିକୁ ଯାହା ବାସ୍ତବ ଘଟଣା ବା ଦୃଶ୍ୟଟି ଦିଶିଥାଏ, ତା’ପ୍ରତି କବି ନିଜର ଯେଉଁ ସୂକ୍ଷ୍ମ ଅନ୍ତର୍ଦୃଷ୍ଟି ଆରୋପିତ କରେ, ତାହାକୁ ବୋଧହୁଏ ଆପଣ ଏକ ରୂପାନ୍ତରଣ ବୋଲି କହୁଛନ୍ତି!
ଆଶୁତୋଷ ପରିଡ଼ା: ହଁ, ସେହି ବାସ୍ତବତା ଭିତରକୁ ପ୍ରବେଶ କରି ତାହାର ଅନ୍ତଃସ୍ୱରକୁ ଉନ୍ମୋଚନ କରିବା ହିଁ ହେଉଛି କବିତା। ଏହାକୁ ବାସ୍ତବତାର କଳାତ୍ମକ ଉନ୍ମୋଚନ ବୋଲି ମଧ୍ୟ କୁହାଯାଇପାରେ।
ସାହିତ୍ୟ ଚର୍ଚ୍ଚା: ‘ଇପ୍ସିତ କ୍ରୋଧ’ ବହିଟି ପାଇଁ ଆପଣ ୧୯୯୦ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ୨୦୨୩ରେ ଆପଣଙ୍କର ‘ଅପ୍ରସ୍ତୁତ ମୃତ୍ୟୁ’ ସଂକଳନ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଲା। ଏହି ଦୀର୍ଘ ୩୩ ବର୍ଷର ବ୍ୟବଧାନ ଭିତରେ ଆପଣଙ୍କ କାବ୍ୟସ୍ୱରରେ କୌଣସି ବିବର୍ତ୍ତନ ହୋଇଛି କି?
ଆଶୁତୋଷ ପରିଡ଼ା: ବିବର୍ତ୍ତନ ତ ହେବା ସ୍ୱାଭାବିକ, ପରିବର୍ତ୍ତନ ଯେହେତୁ ସଂସାରର ନିୟମ। ଯେ କୌଣସି ସାହିତ୍ୟିକର ଚିନ୍ତା ଓ ଭାବନା ସମୟ କ୍ରମେ ନିଶ୍ଚିତ ଭାବରେ ରୂପାନ୍ତରିତ ହେବ। ତେବେ ଏହା ଏକ ନକାରାତ୍ମକ ଭାବରେ ବଦଳେ ନାହିଁ।
ସାହିତ୍ୟ ଚର୍ଚ୍ଚା: ତା’ର ମୌଳିକ ଚିନ୍ତନ ଓ ଅବବୋଧ ମଧ୍ୟ କ’ଣ ବେଳକୁ ବେଳ ବଦଳୁଥାଏ?
ଆଶୁତୋଷ ପରିଡ଼ା: ମୌଳିକ ଭାବ ତ ସେଇଆ ହିଁ ରହିବ। କିନ୍ତୁ ସେହି ଭାବକୁ ବୁଝିବାର ଓ ପ୍ରକାଶ କରିବାର ପ୍ରଚେଷ୍ଟା କବିଟିଏ ନୂଆ ନୂଆ ଢଙ୍ଗରେ କରିଥାଏ।
ସାହିତ୍ୟ ଚର୍ଚ୍ଚା: ଗୋଟିଏ ଦୃଷ୍ଟାନ୍ତ ଦେଇ ଆମେ ଏହାକୁ ବୁଝିବାକୁ ଚାହିଁବୁ। ୧୯୮୭ରେ ପ୍ରକାଶିତ ଆପଣଙ୍କ ‘ଇପ୍ସିତ କ୍ରୋଧ’ ସଂକଳନର ପ୍ରଥମ କବିତା ‘ଭାରତମାତା’ର କେଇ ଧାଡ଼ି: “କାହାର ବାଟ ଓଗାଳି ତୁ ଠିଆହୋଇଛୁ ମା! ଦୁଇହାତ ମେଲାକରି ରହିଯିବାର ଏ ଭଙ୍ଗୀରେ, ତୁ ଗତିରୋଧ କରୁଛୁ କାହାର?” ଦେଶର ଜାତୀୟ ଅସ୍ମିତାର ଛବି ଭାରତମାତାକୁ ପ୍ରଶ୍ନ କରିବାର ଆପଣଙ୍କର ଏକ ଉଦ୍ଦାମତା ଥିଲା ସେହି ସମୟରେ।
ଆଶୁତୋଷ ପରିଡ଼ା: ହଁ
ସାହିତ୍ୟ ଚର୍ଚ୍ଚା: ତା’ପରେ, କିଛି କାଳ ଅନ୍ତେ, ଅର୍ଥାତ୍ ୨୦୨୦ରେ ପ୍ରକାଶିତ ‘ଅପ୍ରସ୍ତୁତ ମୃତ୍ୟୁ’ ସଂକଳନର ‘କ୍ଷମା କରିଦେ ପୃଥ୍ୱୀ’ କବିତାରେ ସେହି କାବ୍ୟସ୍ୱର ଆଉ ଏକ ସ୍ତରକୁ ଉନ୍ନିତ ହୋଇଛି। ଆପଣ କହିଛନ୍ତି, “ମୋତେ କ୍ଷମା କରିଦେ ପୃଥ୍ୱୀ; ବିନ୍ଦୁଏ ମାଟି, ବିନ୍ଦୁଏ ପାଣି, ବିନ୍ଦୁଏ ଉତ୍ତାପରେ ଗଢ଼ା ମୋର ଅବୟବ। କେତୋଟି ଶବ୍ଦ ଭିତରେ ସୀମିତ ମୋ ଆୟୁଷ। ମୋ ଚାରିପାଖରେ ଭଙ୍ଗାରୁଜା ସ୍ୱପ୍ନ।” ପୃଥ୍ୱୀ ପ୍ରତି ଆପଣଙ୍କ ଏହି ଆବେଗଭରା ଅନୁନୟ, ଆପଣଙ୍କ ଅବବୋଧକୁ ଭିନ୍ନ ଏକ ଉଚ୍ଚତା ଦେଇଛି କି?
ଆଶୁତୋଷ ପରିଡ଼ା: ମୁଁ ଯେତେବେଳେ ଭାରତମାତାଙ୍କ କଥା କହୁଛି, ସେଠାରେ ଗୋଟିଏ ପ୍ରକାର ଦେଶାତ୍ମବୋଧକ ଭାବନା ଅଛି। ଏଠି ଦେଶକୁ ମୁଁ ଜଣେ ମାଆ ଭାବରେ ଦେଖୁଛି। ଭାରତମାତା ମାନଚିତ୍ରଟି ମୋତେ ହାତ ମେଲା କରି ଛିଡ଼ା ହୋଇଥିବା ଜଣେ ମାଆ ଭଳି ଦିଶୁଛି। ସେ ଯେମିତି ନିଜର ସନ୍ତାନମାନଙ୍କୁ ସବୁ ବିପଦ ଓ ଦୁର୍ବିପାକରୁ ରକ୍ଷା କରିବା ପାଇଁ ଅଭୟଦାୟିନୀ ରୂପରେ ଛିଡ଼ା ହୋଇଛି।
ସାହିତ୍ୟ ଚର୍ଚ୍ଚା: ପରବର୍ତ୍ତୀ କବିତାଟିରେ ଏହି ସ୍ୱର କେଉଁ ରୂପ ନେଇଛି?
ଆଶୁତୋଷ ପରିଡ଼ା: ‘କ୍ଷମା କରିଦେ ପୃଥ୍ୱୀ’ରେ ଏହା ମୁଖ୍ୟ ସ୍ୱର ନୁହେଁ। ଏଥିରେ ଯେମିତି ଏକ ସାଧାରଣ ଟୋନ୍ ଅଛି। ପୃଥିବୀକୁ ଏଠି କାହିଁକି କ୍ଷମା ଯାଚନା କରାଯାଇଛି, ତା’ହେଲା, ପୃଥିବୀ ମଧ୍ୟ ଆମର ମାଆ, ଆହୁରି ବୃହତ୍ତର ଭାବରେ। ସେଠି କିନ୍ତୁ ହୋଇଛି କ’ଣ ନା, ଆମେ ସମସ୍ତେ ତା’କୁ ଲୁଣ୍ଠନ କରିବାକୁ ଚାହୁଁଛୁ।
ସାହିତ୍ୟ ଚର୍ଚ୍ଚା: ତେବେ ଦେଶ ଓ ପୃଥିବୀ ପ୍ରତି ଆପଣଙ୍କ କାବ୍ୟସ୍ୱରର ଆଭିମୁଖ୍ୟରେ ବିଶେଷ ପରିବର୍ତ୍ତନ ଆସିନାହିଁ ବୋଲି କ’ଣ ଆମେ କହିପାରିବା?
ଆଶୁତୋଷ ପରିଡ଼ା: ନା, ଆସିନାହିଁ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ରଚନାସମଗ୍ରକୁ ଦେଖିଲେ ଜଣାପଡ଼େ ଯେ ଆପଣ ଘନିଷ୍ଠ ଭାବରେ ମାନବବାଦୀ, ତା’ ସହିତ ବିଦ୍ରୋହୀ ମଧ୍ୟ। କିନ୍ତୁ ସେ ବିଦ୍ରୋହରେ ଉଗ୍ରତା କିମ୍ବା ଉତ୍ତାପ ନାହିଁ। ଏହାର କାରଣ କ’ଣ ହୋଇପାରେ?
ଆଶୁତୋଷ ପରିଡ଼ା: ବିଦ୍ରୋହ ଥିଲେ ତ ଉତ୍ତାପ ଟିକିଏ ନିଶ୍ଚୟ ରହିବ। ବିନା ଉତ୍ତାପରେ ବିଦ୍ରୋହ ହୋଇପାରିବନାହିଁ।
ସାହିତ୍ୟ ଚର୍ଚ୍ଚା: କିନ୍ତୁ ଉଦାହରଣ ସ୍ୱରୂପ, ରବି ସିଂଙ୍କ ବିଦ୍ରୋହ ଓ ଆପଣଙ୍କ ବିଦ୍ରୋହ ଭିତରେ ଫରକ ଅଛି।
ଆଶୁତୋଷ ପରିଡ଼ା: ନିଶ୍ଚୟ ଫରକ ଅଛି। କାରଣ ସାଧାରଣ ଭାବରେ ଯେଉଁ ବିଦ୍ରୋହଧର୍ମୀ ବା ବିପ୍ଳବାତ୍ମକ କବିତାସବୁ ଲେଖାହୋଇଛି, ତା’ର ଭିତରେ ବି ବିଭିନ୍ନ ରୋମାଣ୍ଟିକ ତତ୍ତ୍ୱ ରହିଛି। କିନ୍ତୁ ଆମେ ଯେତେବେଳେ ବାସ୍ତବବାଦୀ ଦୃଷ୍ଟିକୋଣରୁ ଅନୁଭବ କରିବା ଏବଂ ତାହା ଭିତରେ ଗୋଟିଏ ବିଦ୍ରୋହକୁ ଆବିଷ୍କାର କରିବା, ତାହାର ପରିପ୍ରକାଶ ଟିକିଏ ଅଲଗା ପ୍ରକାର ହୋଇଯିବ। ଆବେଗ ତ ନିଶ୍ଚୟ ରହିବ; କିନ୍ତୁ ତାହା ସ୍ଲୋଗାନଧର୍ମୀ ନ ହୋଇ ବରଂ ନିୟନ୍ତ୍ରଣ ଭିତରେ ଏକ ରହିବ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ କବିତାରେ ଏହି ଆଭିମୁଖ୍ୟଟା ଆପଣଙ୍କର ସ୍ୱଭାବଗତ ବା ଜେନେଟିକ୍?
ଆଶୁତୋଷ ପରିଡ଼ା: ସ୍ୱଭାବଗତ ଭାବରେ କହିଲେ ପିଲାଦିନେ ମୁଁ ଟିକିଏ ଲାଜକୁରା ଥିଲି। କବିମାନେ ବି ସାଧାରଣତଃ ଚୁପଚାପ୍ ଓ ଲାଜକୁରା ପ୍ରକୃତିର ହୋଇଥାଆନ୍ତି, ମୋ’ର ଯାହା ଧାରଣା। କବି ବାଚାଳ ହୋଇପାରିବନି।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର କହିବାର କଥା ଯେ କବିଟିଏ ସାଧାରଣତଃ ନିରବ ଓ ମନନଶୀଳ ହେଇଥାଏ ! ତେବେ ଆପଣ ପିଲାଦିନେ କେବେ ଭାବିଥିଲେ କି, କବିଟିଏ ହେବେ ବୋଲି?
ଆଶୁତୋଷ ପରିଡ଼ା: ନା, ସ୍ୱଭାବଗତ ଦୃଷ୍ଟିରୁ ଦେଖିଲେ ଏହା ମୁଁ ଭାବିନଥିଲି। ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ସ୍କୁଲର ପତ୍ରିକା ପାଇଁ ଗୋଟିଏ କବିତା ଲେଖିଥିଲି। ତା’ପରେ ଦଶମ ଶ୍ରେଣୀରେ ଯେତେବେଳେ ମୁଁ ଭଦ୍ରକରେ ପଢ଼ିଲି, ସେତେବେଳେ ସେଠାରେ ସାହିତ୍ୟିକ ଆବହାୱା ଥିଲା; କାରଣ ଶିକ୍ଷକମାନେ ସାହିତ୍ୟପ୍ରାଣ ଥିଲେ। ସେତେବେଳେ ମୁଁ ଯେଉଁ କବିତା ଲେଖିଲି ତାହାକୁ ସାର୍ମାନେ ପସନ୍ଦ କଲେ। ତେଣୁ ମୋର ଉତ୍ସାହ ଜାଗ୍ରତ ହେଲା।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କୁ ସାଧାରଣତଃ ଜଣେ ପ୍ରଗତିଶୀଳ କବି ଭାବରେ ଚିତ୍ରଣ କରାଯାଏ। ଗୋଟିଏ ନିର୍ଦ୍ଦିଷ୍ଟ ରାଜନୈତିକ ଆଦର୍ଶର ଅନୁଗାମୀମାନଙ୍କୁ ପ୍ରଗତିଶୀଳ କୁହାଯାଏ କି?
ଆଶୁତୋଷ ପରିଡ଼ା: ମୁଁ ଅନେକ ଥର କହିଛି, ଓ ଲେଖିଛି ମଧ୍ୟ; ମୋତେ ଯଦି କିଏ କହେ ଯେ ମୁଁ ପ୍ରଗତିଶୀଳ ମୁଁ ତାହାର ବିରୋଧ କରିନି। କାହିଁକି ନା, ପ୍ରଗତିଶୀଳର ଅର୍ଥ ହେଉଛି ଯିଏ ପରିବର୍ତ୍ତନରେ ବିଶ୍ୱାସୀ। ଜଣେ ବିଜ୍ଞାନର ଛାତ୍ର ଭାବରେ ମୁଁ ତ ପରିବର୍ତ୍ତନରେ ବିଶ୍ୱାସୀ। ଜଣେ କବି ଓ ଲେଖକ ଭାବରେ ମଧ୍ୟ ଏଥିରେ ବିଶ୍ୱାସୀ। ମୁଁ ଭାବେ ଯେ ଗୋଟିଏ ସାମାଜିକ ବିବର୍ତ୍ତନ ଭିତର ଦେଇ ସୁସ୍ଥ ଓ ସୁନ୍ଦର ସମାଜଟିଏ ଗଠିତ ହୋଇପାରିବ।
ସାହିତ୍ୟ ଚର୍ଚ୍ଚା: ଏଥିରେ କୌଣସି ନିର୍ଦ୍ଦିଷ୍ଟ ମତାଦର୍ଶର ଭୂମିକା ନାହିଁ?
ଆଶୁତୋଷ ପରିଡ଼ା: ପ୍ରଗତିଶୀଳ ହେବାପାଇଁ ଯେ କୌଣସି ନିର୍ଦ୍ଦିଷ୍ଟ ମତାଦର୍ଶ ରହିବ, ଅର୍ଥାତ୍ ଜଣେ ସାମ୍ୟବାଦରେ ବିଶ୍ୱାସ କରିବ, ସେମିତି କିଛି ନାହିଁ। ଜଣେ ସାମ୍ୟବାଦୀ ତ ପ୍ରଗତିଶୀଳ ହୋଇପାରେ। କିନ୍ତୁ ଜଣେ ସାମ୍ୟବାଦୀ ନ ହୋଇ ବି ପ୍ରଗତିଶୀଳ ହୋଇପାରିବ।
ସାହିତ୍ୟ ଚର୍ଚ୍ଚା: କୁହାଯାଏ ଯେ ଆପଣ ଭାରି ଚୁପଚାପ୍; ସାହିତ୍ୟ ପାଇଁ ବେଶି ଧାଁ ଦଉଡ଼ କରନ୍ତି ନାହିଁ। ଏହା ଆପଣଙ୍କର ବିଳମ୍ବିତ ସ୍ୱୀକୃତିର ଏକ କାରଣ କି? ନିଜ ବୟସର ବେଶ୍ ପରିଣତ ପ୍ରହରରେ ଆପଣ ସାହିତ୍ୟ ଏକାଡମୀ ପୁରସ୍କାର ପାଇଥିବାକୁ ନେଇ ଏ କଥା ଆମ ମନକୁ ଆସୁଛି।
ଆଶୁତୋଷ ପରିଡ଼ା: କଥା ହେଉଛି, ଯେତେବେଳେ ମୋତେ ସଭାସମିତିରେ କହିବା ପାଇଁ ଡାକନ୍ତି, ମୁଁ ଅନର୍ଗଳ କହିବାକୁ ଭଲ ପାଏନାହିଁ। ମୋର ବ୍ୟକ୍ତିଗତ ଧାରଣା ଯେ ସାହିତ୍ୟ ଉପରେ ଏତେ ଦୀର୍ଘ ଆଲୋଚନାର ଆବଶ୍ୟକତା ନାହିଁ।
ସାହିତ୍ୟ ଚର୍ଚ୍ଚା: ଚର୍ବିତ ଚର୍ବଣ କଥା ଶୁଣିବାକୁ ଶ୍ରୋତାମାନେ ମଧ୍ୟ ପସନ୍ଦ କରନ୍ତି ନାହିଁ।
ଆଶୁତୋଷ ପରିଡ଼ା: ହଁ, ସେମାନେ ପସନ୍ଦ କରନ୍ତି ନାହିଁ। ପୂର୍ବରୁ ତ ଲୋକେ ଘଣ୍ଟା ଘଣ୍ଟା ଧରି ଭାଷଣ ଦେଉଥିଲେ। ଏବେ ତ ଟିକିଏ କମିଗଲାଣି। ମୁଁ ଯେହେତୁ ଜଣେ ଅଧ୍ୟାପକ ନୁହେଁ, ତେଣୁ ସେତେ ଲମ୍ବା ଭାଷଣ ଦେଇପାରିବିନି। ମୁଁ ମଞ୍ଚପ୍ରିୟ ମଧ୍ୟ ନୁହେଁ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ସେ କାଳର କବି ବନ୍ଧୁମାନଙ୍କଠାରୁ ଶୁଣିଛୁ ଯେ ଆପଣ ଏକଦା ଭୁବନେଶ୍ୱରର ଏକ ନମ୍ବର ମାର୍କେଟ ପାଖରେ ଚାଲୁଥିବା ସାହିତ୍ୟ ଖଟିକୁ ନିୟମିତ ଭାବରେ ଆସୁଥିଲେ।
ଆଶୁତୋଷ ପରିଡ଼ା: ମୁଁ ପ୍ରତିଦିନ ଘରୁ ଟାଉନ୍ ବସ୍ ରେ ସେଠାକୁ ଯାଉଥିଲି। ବେଶ୍ ଆତ୍ମୀୟତା ଭରା ଭାବ-ବିନିମୟ ହେଉଥିଲା ସେଠି।
ସାହିତ୍ୟ ଚର୍ଚ୍ଚା: ଜଣେ ଆଧୁନିକ ଯୁଗର କବିଟିଏ ହୋଇଥିବ; କିନ୍ତୁ ପ୍ରେମ ବା ଶୃଙ୍ଗାର ରସକୁ ନେଇ ପଦଟିଏ ଲେଖିବ ନାହିଁ, ଏହା ନ ହୋଇପାରେ। କିନ୍ତୁ ଆପଣ ମାନବୀୟ ସମ୍ବେଦନାର ଏହି ଦିଗଠାରୁ ନିଜକୁ ଦୂରେଇ ରଖିଛନ୍ତି କାହିଁକି?
ଆଶୁତୋଷ ପରିଡ଼ା: ଜଣେ ସାଧାରଣ ମଣିଷ ଭାବରେ କେହି ପ୍ରେମାନୁଭବକୁ ଛାଡ଼ି ରହିପାରିବ ନାହିଁ। ଯେତେବେଳେ ଆମେ ପରିଣତ ବୟସକୁ ଆସୁ, ସେହି ପ୍ରେମାନୁଭବ ଏକ ଭିନ୍ନ ସ୍ତରକୁ ସ୍ଫର୍ଶ କରେ। ନାରୀର ତ ପୁଣି ଗୋଟିଏ ପରିବ୍ୟାପ୍ତ ସତ୍ତା ଅଛି!
ସାହିତ୍ୟ ଚର୍ଚ୍ଚା: ତେବେ ଆପଣ ନିଜ କବିତାରେ କେବେହେଲେ ନାରୀକୁ ଜଣେ ପ୍ରେମିକା ଭାବରେ ବୋଧହୁଏ ଦେଖିନାହାନ୍ତି।
ଆଶୁତୋଷ ପରିଡ଼ା: ମୋ’ର ପ୍ରେମ କବିତା ଅଛି; କିନ୍ତୁ ତାହା ସାଧାରଣ ଭାବରେ ପ୍ରେମ କବିତା ବୋଲି କହିଲେ ଯାହା ବୁଝାଏ, ସେହିଭଳି ନୁହଁ। ଶୃଙ୍ଗାର ରସାତ୍ମକ ତ ମୋଟରୁ ନୁହେଁ।
ସାହିତ୍ୟ ଚର୍ଚ୍ଚା: ଆଜିର ଏହି ମନୋଜ୍ଞ ଆଲୋଚନାଟି ପାଇଁ ଆପଣଙ୍କୁ ବିଶେଷ ଧନ୍ୟବାଦ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଫେବୃୟାରୀ, ୨୦୨୪ ସଂଖ୍ୟାରେ ପ୍ରକାଶିତ । )
ଆଶୁତୋଷ ପରିଡ଼ାଙ୍କ ସହ ସାରସ୍ୱତ ଆଳାପରୁ ତାଙ୍କ ସମ୍ପର୍କରେ ଅନେକ ତଥ୍ୟ ଜାଣିବାକୁ ପାଇଲି।
କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବାରୁ ଶୁଭେଚ୍ଛା।
ଆଲୋଚନାଟି ଖୁବ ଉପାଦେୟ l