ସେଦିନ ସେ ବହିରୁ ଗୋଟିଏ ନୂଆ ବାକ୍ୟ ପଢ଼ିଲି, “ଦଶରଥ ରାମର ପିତା।”
ମୋ ପିଲା ବେଳ କଥା ଲେଖୁଛି। ମାନେ ଷାଠିଏ ବର୍ଷର ପୁରୁଣା କଥା। ଗାଆଁରେ ରହୁଥିଲୁ। ସେତେବେଳେ ଇଲେକ୍ଟ୍ରିକ ବତି ସହରରେ ବି ସମସ୍ତଙ୍କପାଇଁ ସ୍ୱପ୍ନ ଥିଲା। ଗାଆଁରେ କିରୋସିନ ବତି ବା ଲଣ୍ଠନର କାରବାର। ସଞ୍ଜ ହେଲା, ସଂଧ୍ୟା ବତି ଲାଗିଲା ପରେ ସମସ୍ତଙ୍କ ଘରେ ଖାଇବା ପିଇବା ଆରମ୍ଭ ହୋଇଯିବ। ଅନ୍ଧାର ବେଶି ହୋଇନଥିବ ଲୋକଙ୍କ ତାଟି କବାଟ ପଡ଼ିଯିବ।
ସେଦିନ ରାତି ବେଶି ହୋଇନାହିଁ। ଯାହାକୁ କହନ୍ତି ଭାତଖିଆ ନିଦ ସମସ୍ତଙ୍କୁ ଲାଗିଥିବ କି ନାହିଁ, ପାଟି ଶୁଭିଲା। ମାଷ୍ଟର ବାବୁଙ୍କ ଘରୁ ପାଟି ଶୁଭୁଛି। ତାଙ୍କ ପଡ଼ିଶା ଘର ଦିଗାମ୍ୱର ପ୍ରଧାନଙ୍କୁ ଡକା ପଡ଼ିଛି। ଦାଦା ଲଣ୍ଠନ ଧରି ଦିଗା ସାଆନ୍ତଙ୍କ କବାଟ ଠକ ଠକ କରି ବାଡ଼େଇ ତାଙ୍କୁ ଜଲଦି ଆସିବାକୁ ଡାକୁଛନ୍ତି। କବାଟ ବାଡ଼େଇବା ଓ ପାଟି କରି ଡାକିବା ଶବ୍ଦରେ ଗାଆଁର ସମସ୍ତଙ୍କ ଘରୁ ବୁଢ଼ା, ଟୋକାସବୁ ଆସି ଆମ ଘର ଆଗରେ ଜମା ହୋଇଗଲେଣି। ଘର ଭିତରକୁ ଦାଦା କାହାକୁ ଛାଡ଼ୁନଥାନ୍ତି। ଦିଗାମ୍ୱର ପ୍ରଧାନ ଭଲ ଗୁଣିଆଁ ବୋଲି ନାଆଁଡାକ ଅଛି। ତାଙ୍କ ଝଡ଼ାଫୁଙ୍କାରେ ବହୁତ ମଣିଷ ଭଲ ହୋଇଛନ୍ତି। ସାପ କାମୁଡ଼ିଥିଲେ, ତାଙ୍କ ଗୁଣିରେ ବିଷ ଝଡ଼ାଇ ଲୋକଙ୍କୁ ଭଲ କରିଥିବା କଥା ସମସ୍ତେ ଜାଣନ୍ତି। ଘରକୁ କାହାକୁ ନ ଛାଡ଼ିବାର କାରଣ ହେଲା ମାଷ୍ଟରବାବୁଙ୍କୁ ଅନ୍ଧାରରେ କ’ଣ ଗୋଟାଏ କାମୁଡ଼ି ଦେଇଛି। ସାପ ହୋଇଥାଇପାରେ, ସାପଟି ଘର ଭିତରେ ଥିଲେ ଆଉ କାହାକୁ ଚୋଟ ମାରିପାରେ। ଦିଗାମ୍ୱର ପ୍ରଧାନ ଘରୁ ବାହାରି ଆସି ମାଷ୍ଟ୍ର ବାବୁଙ୍କ ଘରେ ପହଞ୍ଚିଗଲେ।
ବାପା ଶିକ୍ଷକ ଥିବାରୁ ଗାଆଁରେ ମାଷ୍ଟର ବାବୁ, ମାଷ୍ଟ୍ରେ ଭାବରେ ଜଣାଶୁଣା। ଶୋଇବା ଘର ଝରକା ପାଖରେ ବାହାର ପଟୁ କେତେଜଣ ଘର ଭିତରକୁ ଉଣ୍ଡୁଥିଲେ। ଘର ଭିତରକୁ ସାହାସୀ ଦୁଇ ତିନିଜଣ ଶକ୍ତ ଠେଙ୍ଗା ଧରି ଗୁଣିଆଁ ଦିଗାମ୍ୱରଙ୍କ ସହ ମାଷ୍ଟରବାବୁଙ୍କ ଶୋଇବା ଘର ଭିତରକୁ ଆସି ସତର୍କ ଭାବରେ ଘରର ସବୁ କୋଣ, ଆଲମିରା କଡ଼, ଖଟ ତଳ ସବୁଆଡ଼େ ଟର୍ଚ୍ଚ ଆଲୁଅରେ ନଜର ପକାଇଲେ। ସାପ ସେତେବେଳେ ଘର ଭିତରେ ନଥିବା ନିଶ୍ଚିତ କଲାପରେ ପାଖ ଘର, ଗୁହାଳେ ଦେଖିବାକୁ ସେ ସାହସୀ ଲୋକଙ୍କୁ ନିର୍ଦ୍ଦେଶ ଦେଇ ବାପାଙ୍କ ଠାରୁ ସବୁ କଥା ମନଦେଇ ଶୁଣୁଥିଲେ, କିଛି ଅବୁଝା ହେଉଥିଲେ, ଜେରା କଲାଭଳି ପଚାରି ଉତ୍ତର ଆଦାୟ କରୁଥିଲେ।
ହେଲେ ବାପାଙ୍କୁ ଏମିତି ରାତି ଅଧରେ କାମୁଡ଼ିଲା କ’ଣ, ବା କିଏ ତାହା ଥିଲା ମୁଖ୍ୟ ପ୍ରଶ୍ନ। ସେହି କୁହେଳିର ଉତ୍ତର ରଖିବା ମୋର ଏହି ରଚନାର ଉଦ୍ଦେଶ୍ୟ।
x x x x
ଏଇଟି ମୋ ନିଜ ପିଲାବେଳ କଥା। ସାନପିଲା ହୋଇଥିଲା ବେଳେ ଆମେ ଯାହା କରୁ ସେ ସବୁ ବିସ୍ମରଣ ହୁଏ। ବୟସ୍କ ଲୋକଙ୍କ ମୁହଁରୁ ପରେ ସେ ଘଟଣା ଶୁଣି ଏକଥା ଯାହା ଜାଣିପାରୁ। କୌଣସି ଗୋଟିଏ ପରିବେଶରେ ସେମାନଙ୍କର ଏକଥା ମନେପଡ଼େ ଓ ସେମାନେ ଘଟଣାଟିକୁ ବର୍ଣ୍ଣନା କରନ୍ତି। ମୋ ବାଳୁତ କାଳର ଏଇ ଘଟଣାଟି ମୁଁ ବାପାଙ୍କଠାରୁ ଚତୁର୍ଥ କି ପଞ୍ଚମ ଶ୍ରେଣୀରେ ପଢ଼ୁଥିଲାବେଳେ ଶୁଣିଥିଲି। ପରେ ବଡ଼ ହେଲାପରେ ଗାଆଁରେ କୌଣସି ଗୋଟିଏ ଆଲୋଚନା ବେଳେ ଗାଆଁର ଜଣେ ବୁଢ଼ାଲୋକଙ୍କ ମୁହଁରୁ ଆଉ ଥରେ ତାହା ଶୁଣିବାରୁ ବାପା ମୋତେ ସେଦିନ କହିଥିବା କଥାଟି ମନେ ପଡ଼ିଥିଲା।
ଘଟଣାଟି ଏହିପରି। ବାପା ଶିକ୍ଷକ ଥିଲେ, ସେତେବେଳେ ସେ ଦୂରରେ ଚାକିରୀ କରିଥିଲେ। ସୋମବାର ସକାଳୁ ସାଇକେଲରେ ଘରୁ ବାହାରି ଯାଆନ୍ତି। ଶନିବାର ଦିନ ଲେଉଟି ଆସନ୍ତି, ସଞ୍ଜହେବା ବେଳକୁ ଘରେ ପହଞ୍ଚିଥାଆନ୍ତି। ଘରେ ଦାଦା, ମୁଁ ଓ ବୋଉ ରହୁ। ଦାଦା ବାଡ଼ି, ଘର ଓ ଚାଷବାସରେ ଦିନସାରା ବ୍ୟସ୍ତ ରହନ୍ତି। ମୋତେ ସେତେବେଳକୁ ବୋଧହୁଏ ତିନି ବା ଚାରି ବର୍ଷ ହୋଇଥିଲା। ଗାଆଁରେ କୋଡ଼ିଏ କି ବାଇଶ ପରିବାର ରହୁଥିଲେ। ଗାଆଁରେ ସମସ୍ତେ ମିଳିମିଶି ଚଳନ୍ତି। ଦୁଃଖ ସୁଖରେ ସମସ୍ତେ ଭାଗୀଦାର ହେଉଥିଲେ। ପରିବାର ଭଳି ଚଳୁଥିବାରୁ, କିଏ କାହାକୁ ଦାଦା, ଖୁଡ଼ୀ, ବଡ଼ବାପା, ବଡ଼ବୋଉ, ମାମୁଁ, ମାଇଁ, ଇତ୍ୟାଦି ଡକା ଡକି ହେଉଥିଲେ ଓ ସେ ଡାକରେ ଆତ୍ମୀୟତା ବି ଥିଲା।
ମୋ ମାମୁଁଘରକୁ ଛାଡ଼ିଦେଲେ ଅନ୍ୟମାନଙ୍କର ଜମିବାଡ଼ି ଖୁବ୍ କମ୍। ସେମାନେ ସମସ୍ତେ ମୋ ମାମୁଁଘରେ ଅଥବା ପାଖ ଗାଆଁରେ ମୂଲ ଲାଗି ବା କାହାଘରେ ବର୍ଷିକିଆ ଚୁକ୍ତିରେ ରହି ନିଜର ଗୁଜୁରାଣ ମେଣ୍ଟାଉଥିଲେ। ସେତେବେଳେ ପ୍ରାଇମେରୀ ସ୍କୁଲ ସଂଖ୍ୟା ବହୁତ କମ୍ ଥିଲା। ଅନେକ ଗାଆଁରେ ଚାଟଶାଳୀ ବି ଚାଲୁଥିଲା। ଆମ ଗାଆଁର ପିଲା ପାଠ ପଢୁନଥିଲେ। ଅନ୍ନଚିନ୍ତା ଚମତ୍କାର, ପାଠ ପଢ଼ିବାକୁ ଚିନ୍ତା କରିବାକୁ ବେଳ କାହାର? କିନ୍ତୁ ପାଠର ମୂଲ୍ୟ ସମସ୍ତେ ବୁଝନ୍ତି।
ସଞ୍ଜହେଲେ ଆମ ଘରେ ଭାଗବତ ପଢ଼ାହୁଏ। ବୋଉ ଭାଗବତ ପଢ଼େ। ଭାଗବତ ଶୁଣିବାକୁ ବୟସ୍କ ଲୋକ ତ ନିଶ୍ଚୟ ଆସିବେ। ଛୋଟ ପିଲାମାନେ ବି ତାଙ୍କ ଜେଜ, ଅଜା, ଦାଦା କି ମାମୁଁଙ୍କ ସହ ଆସି ଥାଆନ୍ତି। ବୋଉ ସେଇ ଗାଆଁର ଝିଅ ହୋଇଥିବାରୁ କାହାକୁ ଲାଜ କରିବାର ନଥିଲା, ନୋହିଲେ ସେତେବେଳେ ହାତେ ଲମ୍ୱାର ଓଢ଼ଣା ପକାଇବା ଥିଲା ଏକ ପ୍ରଥା। ଆମ ଘରେ ଲକ୍ଷ୍ମଣ ମିଶ୍ରଙ୍କ ବହି “ଘର ବଇଦ” ବା “ଅନୁଭୂତ ଯୋଗମାଳା” ଥାଏ। ପିଲା, ବୁଢ଼ା କାହା ଦେହ ଖରାପ ହେଲା ମାତ୍ରେ ଆମ ଘରେ ସେଇ ବହିରୁ ଔଷଧ ପଢ଼ି ଗଛ, ପତ୍ର, ଚେର, ମୂଳ ଖୋଜାଯାଏ ଓ ଔଷଧ ପ୍ରସ୍ତୁତ ହୋଇଥାଏ। ତେଣୁ ଆମଘର କେତେବେଳେ ଖାଲି ଥିବା କେହି ଦେଖିବ ନାହିଁ। ସଞ୍ଜବେଳ ଛାଡ଼ିଦେଲେ ଅନ୍ୟ ସମୟରେ ଝିଅ, ବୋହୂ, ବୁଢ଼ୀମାନଙ୍କର ଆସର ଜମିଥାଏ।
ସପ୍ତାହ ଶେଷରେ ବାପା ଆସନ୍ତି। ରବିବାର ଦିନ ରହି ସୋମବାର ସକାଳେ ମୁଁ ଉଠିବା ଆଗରୁ ଫୁର୍ ହୋଇଯାଇଥାଆନ୍ତି। କିନ୍ତୁ ଶନିବାର ଓ ରବିବାର ରାତିରେ ବାପାଙ୍କ ପାଖରେ ଶୋଇବା ହୁଏ।
ରବିବାର ସକାଳ ହେବା ଆଗରୁ ରାତି ପାହାନ୍ତାରେ ବାପାଙ୍କ ଠାରୁ ଗପ ଶୁଣିବା ଗୋଟାଏ ଅଭ୍ୟାସ ହୋଇଯାଇଥିଲା। ବାପା ଆସିଲେ ଗାଆଁଲୋକଙ୍କ ଭିଡ଼ ଜମେ। ସେମାନେ ଦେଶର ରାଜ୍ୟର ବହୁକଥା ଶୁଣନ୍ତି, ଜାଣନ୍ତି ମଧ୍ୟ। ଭାଗବତର କୌଣସି ପ୍ରସଙ୍ଗ ଅବୁଝା ଥିଲେ ଆଲୋଚନା ହୁଏ। ବାପା ପୁରାଣ ବିଷୟରେ ବେଶି ନଜାଣିଥିଲେ ବି ଭାଗବତ ବହି ମଗାଇ ପ୍ରସଙ୍ଗଟି ପଢ଼ି ବୁଝାଇଥାଆନ୍ତି। ଗାଆଁର ଖତୁ ସାଆଁନ୍ତ ପୁରାଣ କଥା ଟିକେ ଟିକେ ଜାଣନ୍ତି। ସେଇ ପୁରାଣ କଥା ମୋତେ ଗପ ଭଳି ଲାଗେ। ସେ ସବୁକୁ ମନଦେଇ ଶୁଣିଲେ ବି ପରଦିନ ସକାଳକୁ ପାସୋରି ଯାଇଥାଏ। ସେ ଆସିଥିଲେ, ସେଦିନ ପୁରାଣ ଆଲୋଚନାରେ ରାତି ବେଶି ହୋଇଯାଏ। ନୋହିଲେ ଗାଆଁର ସୁବିଧା ଅସୁବିଧା ଆଲୋଚନା ହୁଏ।
ଶୁଣିଛି, ମୁଁ କୁଆଡ଼େ ଦୁଷ୍ଟ ନଥିଲି। କହିବାର କାରଣ ହେଲା, ଆମ ଗାଆଁର ପୋଖରୀ ଚାରିପାଖରେ ସମସ୍ତଙ୍କ ଘର ଥିଲା। ସମସ୍ତଙ୍କ ଘର ଆଗରେ ଦାଣ୍ଡ, ତା’ପରେ ତାଙ୍କ ବଗିଚା, ତା’ପରେ ପୋଖରୀ ଥିଲା। କେବଳ ଆମ ଘର ଆଗରେ ଦାଣ୍ଡ ପରେ ପୋଖରୀ। ଦାଣ୍ଡ ବି ଅଣ ଓସାରିଆ। ବୋଉ ମୋତେ ଘରର ପିଣ୍ଡାରେ ବସେଇ ଦେଇ ପୋଖରୀ କୂଳରେ ବାସନ ମାଜୁଥିବ ବା ପୋଖରୀ ହୁଡ଼ାରେ ମାଡ଼ିଥିବା ସୁନୁସୁନିଆଁ ଶାଗ ତୋଳୁଥିବ, ନୋହିଲେ ପୋଖରୀ ତୁଠରେ ବସି କାହାସହ ଗପୁଥିବ। ମୋତେ ଯେଉଁଠି ବସେଇ ଦେଇ ଯାଇଥିବ ମୁଁ ସେଇଠି ହିଁ ବସିଥିବି। କନ୍ଦାକଟା କରେନାହିଁ ବୋଲି ଶୁଣିଛି। ଘରେ ଗହଳି ଥିଲେ ମୋତେ କାଖେଇ କେତେଜଣ ବୁଲୁଥିବେ।
ମୋର ପଢ଼ିବା ବୟସ ପାଖେଇ ଆସୁଥାଏ। ବାପା ମୋ ପାଇଁ ବିଭିନ୍ନ ଛବି ଥିବା ବହି ନେଇ ଆସନ୍ତି। ସେ ବହି ମାନଙ୍କରୁ ଛବି ଦେଖେ। ବୋଉ କହୁଥିଲା, ସେ ବହିରୁ ଚିତ୍ର ଦେଖାଇଲା ବେଳେ ଛବିର ନାଆଁ କହୁଥିଲା। ମୁଁ ବି ସୁଧାର ପିଲା ଭଳି ସେଗୁଡ଼ିକ ମନେ ରଖୁଥିଲି। ସେ ବହି ମୁଁ କେବେ ଚିରାଚିରି କରିନାହିଁ, ବରଂ ଘରକୁ ଆସିଥିବା ଝିଅ ବୋହୂଙ୍କ ହାତରେ ନଷ୍ଟ ହୋଇଥିବ। ଅନେକ ଦିନ ପରେ ବି ସେ ପୁରୁଣା ବହି ଆମଘରେ ଥିଲା। ବାରମ୍ୱାର ବାତ୍ୟା ଓ ୧୯୭୧ ମସିହାର ସମୁଦ୍ର ଜୁଆରରେ ମାଟିଘର ଭାଙ୍ଗିଯିବାରୁ ସମସ୍ତ ସାଇତା ବହି ନଷ୍ଟ ହୋଇଗଲା। ସେଇ ଭିତରେ ମୋର ଅକ୍ଷର ଶିଖିବା ହୋଇଯାଇଥିଲା। ଗାଆଁର କେତେଜଣ ବଡ଼ ଝିଅ ବି ସେଇ ବହି ପଢ଼ି ଅକ୍ଷର ଶିଖିଯାଇଥିଲେ। କିନ୍ତୁ ପାଠ ଆରମ୍ଭ ହେଲା ବେଳକୁ ସେମାନେ କେତେଜଣ ବାହା ହୋଇଯାଇଥିଲେ।
ଅକ୍ଷର ଶିକ୍ଷାପରେ ବିଭିନ୍ନ ଶବ୍ଦ ଶିଖିବାକୁ ବହି କିଣାଗଲା। ସେଇ ବହିର ନାମ “ନବୀନ ପାଠ”, କଟକ ଷ୍ଟୁଡେଣ୍ଟସ୍ ଷ୍ଟୋର ଦ୍ୱାରା ପ୍ରସ୍ତୁତ ହୋଇଥିଲା। ଅଳ୍ପ କେତେ ଦିନରେ ଅବନା ଶବ୍ଦ ଗୁଡ଼ିକ ଅଭ୍ୟାସ ହୋଇଗଲା। “ଆ-କାର” ପାଠ ଆରମ୍ଭ ହେଲା। ତା’ପରେ “ଇ-କାର” ବି ଶିଖିଗଲି। ବହିରେ ଲେଖାହୋଇଥିବା ଶବ୍ଦ ଓ ବାକ୍ୟଗୁଡ଼ିକ ଲେଖେ ଓ ପଢ଼େ। ଆଉ ଅବୁଝା ଶବ୍ଦର ଅର୍ଥ ବୋଉ ବୁଝାଇଥାଏ। ତଥାପି ସମୟ ମିଳିଲେ ବାପାଙ୍କୁ ବି ପଚାରି ବୁଝିନିଏ।
ସେଦିନ ସେ ବହିରୁ ଗୋଟିଏ ନୂଆ ବାକ୍ୟ ପଢ଼ିଲି, “ଦଶରଥ ରାମର ପିତା।” ବୋଉ ପାଖରେ ନଥିଲା। କଲରା ପିତା ଲାଗେ। ତେଣୁ ପାଠବହିରୁ ପଢ଼ା ସେଇଠି ରହିଲା। ପୁରାଣ କଥା ଆଲୋଚନା ବେଳେ ରାମ, ଦଶରଥଙ୍କ ନାଆଁ ଶୁଣିଥିଲି। ସେମାନେ ଆମ ଭଳି ମଣିଷ ବୋଲି ବୁଝିଗଲି। କିନ୍ତୁ ଦଶରଥ ପିତା କେମିତି? ସେମିତି ପଢ଼ୁ ପଢ଼ୁ କେତେବେଳେ ଢୋଳେଇ ବହି ପାଖରେ ଶୋଇଯାଇଛି ମନେ ନାହିଁ। ବୋଉ ଆସି ମୋତେ କେତେବେଳେ ନେଇ ବିଛଣାରେ ଶୁଆଇ ଦେଇ, ପାଠବହିକୁ ରଖି ଦେଇଛି, ଜାଣିପାରିନି।
ପରଦିନ ବୋଉ ଥିଲା ବେଳେ ପାଟିକରି ପଢ଼ିଲା ବେଳେ ସେଇ ବାକ୍ୟଟି ପୁଣିଥରେ ପଢ଼ିଲି। “ଦଶରଥ ରାମର ପିତା।” ବୋଉକୁ ପଚାରିଲି, “ଦଶରଥ କ’ଣ କଲରା ପରି ପିତା ?” ବୋଉ ତା’ଢଙ୍ଗରେ ବୁଝାଇଦେଲା ଯେ ରାମଙ୍କ ବାପାଙ୍କ ନାମ ଦଶରଥ। ବାପାଙ୍କୁ ପିତା କୁହାଯାଏ। ଆଉ କିଛି ପଚାରିଲା ବେଳକୁ ଜଣେ ବୁଢ଼ୀ ଆଈ ହାତରେ ଖଣ୍ଡେ ଚିଠି ଧରି ବୋଉ ପାଖରେ ହାଜର। ତାଙ୍କ ପୁଅ କଲିକତାରୁ ଚିଠି କାହା ହାତରେ ପଠେଇଥିଲା। ସେ ଆଈ ମୋ ପାଇଁ ତାଙ୍କ ବାଡ଼ିରୁ ବଡ଼ ପିଜୁଳିଟିଏ ଆଣିଥିଲେ। ପିଜୁଳି ଖାଇବା ନିଶାରେ “ପିତା” ଅବୁଝା ରହିଗଲା। ହେଲେ “ବାପାଙ୍କୁ ପିତା କାହିଁକି କହନ୍ତି ?” ବୋଧହୁଏ ସମସ୍ତଙ୍କ ବାପା କଲରା ପରି ପିତା ହୋଇଥିବେ। ଏଇଭଳି ଭାବନା ମନରେ ରହିଗଲା।
ଦିନେ ଦୁଇ ଦିନ ପରେ ବାପା ଘରକୁ ଫେରିଲେ। ମନରେ ରହିଥିଲା, ବାପାଙ୍କୁ ଚାଖିଲା ପରେ ବାପାଙ୍କୁ “ପିତା” ଶବ୍ଦର ଅର୍ଥ ପଚାରିବି।
ବାପା ସେଦିନ କୌଣସି କାରଣରୁ ଶୀଘ୍ର ଘରେ ପହଞ୍ଚିଥିଲେ। ସଞ୍ଜବେଳ ଆସରରେ କେବଳ ଗାଆଁ କଥା ଆଲୋଚନା ହୋଇଥିଲା, ନୋହିଲେ ପୁରାଣ କଥା ପଡ଼ିଥିଲେ ରାମଙ୍କ କଥା ଆଲୋଚନା ହୋଇଥାଆନ୍ତା ଏବଂ ମୁଁ ମୋ ଅବୁଝା କଥା ବୁଝି ନେଇଥାଆନ୍ତି। ସେଦିନ ଶୀଘ୍ର ଆସର ଶେଷ ହୋଇଯାଇଥିଲା।
ରାତି ହେଲା। ସେତେବେଳେ କଲିକତାରୁ ଫେରିଥିବା ଲୋକ ଚା’, ରୁଟି, ପରଟା କ’ଣ ଜାଣିଥିଲେ ବି, ଗାଆଁରେ କେହି ଚା’ କି ରୁଟି ଖାଉନଥିଲେ। ଦିନରେ ଓ ରାତିରେ ଭାତ ଖାଇବା ଅଭ୍ୟାସ ଥିଲା। ବାପାଙ୍କ ସହ ଗୋଟିଏ ଥାଳିରେ ଖାଇ ବସିଲି। ଖାଇସାରି ମୁଁ ବାପାଙ୍କ ବିଛଣାରେ ଶୋଇଗଲି। ଭାତ ଖାଇଥିବାରୁ ନିଦ ହୋଇଗଲା।
କେତେ ରାତିରେ ନିଦ ଭାଙ୍ଗିଗଲା। ଘର ଅନ୍ଧାର ଥି୍ଲା। ବାପା ପିତା ଲାଗନ୍ତି କି ନାହିଁ ଚାଖିବାକୁ ହେବ। ସନ୍ତର୍ପଣରେ ଯାଇ ହଠାତ୍ ବାପାଙ୍କ ହାତର ମଣିବନ୍ଧ ପାଖରେ ଜୋରରେ କାମୁଡ଼ିଦେଲି। ବାପା ଚିତ୍କାର କରି ଧଡ଼ପଡ଼ ହୋଇ ଉଠି ପଡ଼ିଲେ। ମୁଁ ଏହା କରିବାର ଅବଶ୍ୟ ସେ ଦେଖିନଥିଲେ। ଜାଣିପାରିଲେ କାଳେ ଗାଳି କରିବେ, ସେଥିପାଇଁ ଆଖିବୁଜି ବିଛଣାରେ ପଡ଼ିରହିଲି। ବାପାଙ୍କ ଚିତ୍କାରରେ ବୋଉ ହାଉଳି ଖାଇଲା। ଭାବିଲା ବୋଧେ ଘରକୁ ସାପ କେତେବେଳେ ପଶି ଆସିଛି, ବାପାଙ୍କୁ କାମୁଡ଼ିଦେଲା। ଅନ୍ୟ କୋଠରୀରୁ ଦାଦା ଟର୍ଚ୍ଚ ଧରି ଦୌଡ଼ି ଆସିଲେ। ବାପାଙ୍କୁ ଟର୍ଚ୍ଚ ଧରେଇଦେଇ ଲଣ୍ଠନ ଧରି ଯେତେ ଶୀଘ୍ର ସମ୍ଭବ ପଡ଼ିଶା ଘରେ ରହୁଥିବା ଗୁଣିଆଁଙ୍କୁ ଡାକିବାକୁ ଚାଲିଗଲେ।
ଏଇ ହୋ ହଲ୍ଲା ଭିତରେ ଗାଆଁର ସବୁ ବୁଢ଼ା, ଟୋକା ବସି ଆମଘର ପାଖରେ ହାଜର।
ଦିଗା ସାଆଁନ୍ତ ସବୁ ଦେଖିଲେ; ଶୁଣି ସାରିବାପରେ ବାପାଙ୍କ ହାତର କାମୁଡ଼ା ଚିହ୍ନ ଦେଖିଲେ। ସେ ନିଶ୍ଚିତ ହେଲେ ଯେ ସେଇଟି ସାପ କାମୁଡ଼ା ଦାଗ ନଥିଲା। ପାଟି କରି ସମସ୍ତଙ୍କୁ ଜଣାଇଦେଲେ ଯେ ସାପ କାମୁଡ଼ା ଦାଗ ନୁହେଁ। ଲୋକମାନେ ଟିକେ ଆଶ୍ୱସ୍ତ ହେଲେ। ସାପ ନୁହେଁ କିନ୍ତୁ କିଏ କାମୁଡ଼ିଛି, ଜାଣିବାକୁ ହେବ।
ସାଆଁନ୍ତ ହାତକୁ ପୁଣିଥରେ ନିରୀକ୍ଷଣ କରି ଦାନ୍ତରେ ହୋଇଥିବା ଦାଗକୁ ବାରମ୍ୱାର ଦେଖୁଥିଲେ। ସେତେବେଳକୁ ମୁଁ ବିଛଣାରେ ଚୁପଚାପ ବସି ସମସ୍ତଙ୍କ କଥା କେବଳ ଶୁଣୁଥାଏ।
ହଠାତ୍ ଦିଗା ସାଆଁନ୍ତ ମୋତେ ପଚାରିଲେ, ”ବାବୁ, ତୁ କାମୁଡ଼ି ଦେଇଛୁ କିରେ ?” ଘରେ, ବାହାରେ ବହୁତ ଲୋକ ଜମା ହୋଇଥାଆନ୍ତି। ସାପ କାମୁଡ଼ି ନଥିବା କଥା ଶୁଣିଥିଲେ ବି ଲୋକ ସାପ ଖୋଜୁଥିଲେ। ମୁଁ ତାଟକା ହୋଇ ସବୁ ଦେଖୁଥିଲି। ଏବେ ସାଆଁନ୍ତ ପଚାରିଦେବାରୁ, କ’ଣ କହିବି ଭାବୁଥିଲି। ଦିଗା ସାଆଁନ୍ତଙ୍କ ମୋ ଉପରେ ସନ୍ଦେହ ହୋଇଥିବା ଦେଖି ବାପା ନିଜ ହାତରେ କାମୁଡ଼ା ଦାଗ ଦେଖିଲେ। ସେଇଟି ମଣିଷ କାମୁଡ଼ା ଦାଗ ବୋଲି ନିଶ୍ଚିତ ହେଲେ। ମୋତେ କାଖେଇ ଧିରେ ପଚାରିଲେ, “ବାବା, ମତେ କାମୁଡ଼ିଲୁ କାହିଁକି? ମୋ ଉପରେ ରାଗିଛୁ କି?” ଥରେ କି ଦୁଇଥର ପଚାରିବା ପରେ ମୁଁ ବଡ଼ ପାଟି କରି କାନ୍ଦିବା ଆରମ୍ଭ କଲି। କହୁଥାଏ, “ବାପା ତ ପିତା ଲାଗିଲେ ନାହିଁ। ଦଶରଥ ରାମଙ୍କ ପିତା କେମିତି ହେଲେ?”
ସେତିକି ବେଳେ ବୋଉ ନିଜେ ମୋ କଥା ବୁଝିଗଲା ଆଉ ସମସ୍ତଙ୍କୁ ମୋ କଥାର ଅର୍ଥ ବୁଝାଇ ଦେଇଥିଲା।
ପିତା ଶବ୍ଦ ସହ ସମସ୍ତଙ୍କ ପାଖରେ ଉନ୍ନତ ଚିନ୍ତା ଶକ୍ତି କିମ୍ବା ଜୀବନର ପ୍ରାରମ୍ଭରେ ଏହି ଶବ୍ଦ ଗୁଡିକର ସୃଷ୍ଟି ଓ ସମୃଦ୍ଧି ପାଇଁ ସମ୍ମିଳିତ ଚେଷ୍ଟା କରି ଥାନ୍ତି।
ନମସ୍କାର । ଅନୁଭୂତିର ବର୍ଣ୍ଣନା ଅତୀବ ଚମତ୍କାର । ଏକା ନିଃଶ୍ଵାସରେ ପଢିଲା ଭଳି ହୋଇଛି । ଶେଷ ନ କରି ରହି ପାରିବ ନାହିଁ । ହସରେ ପେଟ ଫାଟିଲା ଭଳି ନିଛକ ସତ କାହାଣୀ ।ଲେଖିଲେ ଅନେକ କଥା ହେବ । ଅନ୍ୟକୁ ନ ଶୁଣାଇ ରହି ହେବ ନାହିଁ