ସମୟ ଢେର ଗଡ଼ି ଯାଇଥିଲା। ବୟସର ଚାପରେ ବାପା ବି ବାର୍ଦ୍ଧକ୍ୟର ଶେଷ ଅବସ୍ଥାକୁ ଆସି ସାରିଥିଲେ।
ବାପାଙ୍କ ପକେଟ୍ରେ ଥିବା ସେହି କଲମଟି ପ୍ରତି ପିଲାଟି ଦିନରୁ ଶେଖରର ଥିଲା ଅହେତୁକ ଦୁର୍ବଳତା। ସବୁବେଳେ ଶେଖର କଲମଟି ନେବାକୁ ଖୁବ୍ ଅଳି କରୁଥିଲା ଘରେ। ହେଲେ ବାପା ଥିଲେ ଶୃଙ୍ଖଳା, ନୀତି ଓ ଅନୁଶାସନର ଜଣେ ନିଆରା ମଣିଷ। କେବେ ହେଲେ ତାଙ୍କ ବିନା ଅନୁମତିରେ କିଛି ବି କରିବା ଅସମ୍ଭବ। କଲମ ନେବା ତ ଦୂରର କଥା ଛୁଇଁବାକୁ ସେ କାହାରିକୁ ପ୍ରଶ୍ରୟ ଦେଉ ନ ଥିଲେ। ବୃତ୍ତିରେ ବାପା ଥିଲେ ପ୍ରଧାନଶିକ୍ଷକ। ବିଜ୍ଞାନ, ଗଣିତ ଓ ଜ୍ୟାମିତି ପରି ଜଟିଳ ପାଠ ସବୁ ପଢ଼ାଉଥିଲେ। ସାତଖଣ୍ଡ ମଉଜାରେ ଶ୍ରେଷ୍ଠ ଶିକ୍ଷକ ଭାବେ ତାଙ୍କର ଥିଲା ଏକ ବିଶେଷ ପରିଚୟ। ଯେ କେହି ଦେଖିଲେ ସମ୍ମାନର ସହିତ ମୁଣ୍ଡ ନୁଆଁଇ ପ୍ରଣାମ କରୁଥିଲେ। ପିଲାମାନେ ଯେତିକି ଭୟ କରୁଥିଲେ, ସେତିକି ସମ୍ମାନ ଅଜାଡ଼ି ଦେଉଥିଲେ। କେଜାଣି କାହିଁକି ଶେଖର ମନରେ କିନ୍ତୁ ସେହି କଲମଟି ପ୍ରତି ଭରି ରହିଥିଲା ଖୁବ୍ ଆଗ୍ରହ।
ସୁନେଲି ରଙ୍ଗର ସୁନ୍ଦର ଫାଉଣ୍ଟେନ୍ କଲମ। ସେମିତି ସୂକ୍ଷ୍ମ କାରୁକାର୍ଯ୍ୟର ସୁନ୍ଦର କଲମଟେ ସହଜରେ କେଉଁଠି ମିଳିବା ବି ଅସମ୍ଭବ। ବାପାଙ୍କ ସଫେଦ ଧଳା ପଞ୍ଜାବି ପକେଟ୍ରେ ସେହି କଲମଟି ଥିଲା ଖୁବ୍ ଆକର୍ଷଣୀୟ। ସମସ୍ତଙ୍କ ନଜର କେନ୍ଦ୍ରିତ କରୁଥିଲା ସେହି କଲମଟି। ହେତୁ ପାଇବା ଦିନରୁ ବାପାଙ୍କ ପକେଟ୍ରେ କଲମଟିକୁ ଦେଖି ଆସୁଥିଲା ଶେଖର। କଲମଟି ବିଷୟରେ ଶେଖର ବିଶେଷ କିଛି ଜାଣେ ନାହିଁ, ସେ କିନ୍ତୁ ଏତିକି ଜାଣିଛି କଲମଟି ବାପାଙ୍କର ଅତି ପ୍ରିୟ। ସେଥିପାଇଁ ସେ କେବେହେଲେ ବି କଲମଟିକୁ ନିଜଠୁ ଦୂରେଇ ରଖିପାରନ୍ତିନି। ତାଙ୍କ ବ୍ୟତୀତ ସେ କଲମଟିକୁ ଅନ୍ୟ କେହି ଯେ ଛୁଇଁଥିବ ସେକଥା ବି ଅସମ୍ଭବ ପ୍ରାୟ। ସତେ ଯେପରି ବାପା ଓ କଲମ ଏକ ଏବଂ ଅଭିନ୍ନ।
କଲେଜରେ ପଢ଼ିବା ବେଳେ ସେହି କଲମଟି ବିଷୟରେ ଶେଖର ଅଳ୍ପ କିଛି ଶୁଣିବାକୁ ପାଇଥିଲା। ସେତେବେଳକୁ ବାପାଙ୍କର ଚାକିରି ସରି ଆସିଥାଏ। କଥାବାର୍ତ୍ତା ଭିତରେ ଥରେ ମାଆ କହୁଥିଲେ, “ଏ କୁଆଡ଼େ ବାପାଙ୍କର କଲେଜ ସମୟର କଥା। ସେ ସମୟରେ ପରାଧୀନ ଭାରତ ନୂଆ ନୂଆ ସ୍ୱାଧୀନତାର ସ୍ୱାଦ ପାଇଥାଏ। ଇଂରେଜମାନେ ନିଜ ଦେଶକୁ ଫେରି ଯିବାକୁ ପ୍ରସ୍ତୁତ ହେଉଥାନ୍ତି। ହେଲେ କିଛି କିଛି ଇଂରେଜମାନଙ୍କ ମନରେ ଭାରତ ଓ ଭାରତୀୟଙ୍କ ପ୍ରତି ଭରି ରହିଥାଏ ଖୁବ୍ ଭଲପାଇବା, ସ୍ନେହ ଓ ପ୍ରେମ। ସେମିତି ଜଣେ ଇଂରେଜ ସାହେବଙ୍କ ଝିଅ ଥିଲେ ବାପାଙ୍କ ଅତି ଅନ୍ତରଙ୍ଗ ବାନ୍ଧବୀ। ପରସ୍ପରଙ୍କ ବନ୍ଧୁତା ଥିଲା ଖୁବ୍ ନିବିଡ଼। ଶେଷରେ ସ୍ୱଦେଶକୁ ଫେରିଯିବା ବେଳେ ସ୍ମୃତିର ସନ୍ତକ ସ୍ୱରୂପ ଏ କଲମଟି ଥିଲା ବାପାଙ୍କ ଲାଗି ଇଂରେଜୀ ବାନ୍ଧବୀଙ୍କଠୁ ଶେଷ ଉପହାର।” ବୋଉର ଏ କଥା ଯେ କେତେ ସତ ସେ କଥା ଶେଖର ଜାଣେ ନାହିଁ। ବାପାଙ୍କ ପରି କଠୋର ଅନୁଶାସନ ମଣିଷର ଯେ ବିଦେଶୀ ବାନ୍ଧବୀ ଥିବେ କଥାଟା ଅବିଶ୍ୱାସ ପରି ମନେ ହୁଏ ଶେଖରକୁ। କିନ୍ତୁ ଏ କଥା ସତ ଯେ କଲମଟି ପ୍ରତି ବାପାଙ୍କ ସମ୍ପର୍କ ଖୁବ୍ ନିବିଡ଼। ଲେଖିବା ତଥା କିଛି ସରକାରୀ କାର୍ଯ୍ୟ ପାଇଁ ବାପା ଅନ୍ୟ କଲମର ବ୍ୟବହାର କଲେ ମଧ୍ୟ ବିଶେଷକରି ଦସ୍ତଖତ ଲାଗି ଲୋଡ଼ା ପଡ଼ିଥାଏ ସେହି କଲମଟି। ବାପାଙ୍କ ହାତର ଖୁବ୍ ସୁନ୍ଦର ଅକ୍ଷରରେ ବିଦେଶୀ କଲମ ସ୍ୟାହିର ମିଶ୍ରଣ ଦେଖିବାକୁ ଅତି ଚମତ୍କାର ଲାଗେ। କଲମଟିକୁ ପାଖରୁ ଦେଖିବାକୁ ଅନେକବାର ଚେଷ୍ଟାକରି ବିଫଳ ହୋଇଛି ଶେଖର। ଏମିତିରେ ତ ବାପାଙ୍କ ପାଖକୁ ଯିବାର ସାହସ ନ ଥାଏ ତା’ର। ଯଦି କେବେ ବାପାଙ୍କ ନିକଟତର ହୁଏ ତେବେ କଲମ ଅପେକ୍ଷା ବାପାଙ୍କ ବଡ଼ ବଡ଼ ଆଖି ଦୁଇଟି ଶେଖରକୁ ଅଧିକ ଭୟଭୀତ କରିପକାଏ।
କଲମଟି ଉପରେ କିଛି ମୂଲ୍ୟବାନ ଧାତୁ ଅବା ପଥରଟେ ଲାଗିଥିବାର ଅନୁମାନ କରେ ଶେଖର। ସକାଳେ ଅବା ସଂଧ୍ୟାର ସୂର୍ଯ୍ୟ କିରଣରେ ବାପାଙ୍କ ପକେଟ୍ରେ ଥିବା କଲମଟି ଖୁବ୍ ଉଜ୍ଜ୍ୱଳ ଭାବେ ଚକ୍ ଚକ୍ କରେ। ଦୂରରୁ ହିଁ ଶେଖର ଜାଣିପାରେ ବାପାଙ୍କ ସ୍ଥିତି ଅବା ଉପସ୍ଥିତି ବିଷୟରେ। ଶେଖରର କଲେଜ ପଢା ଶେଷ ହେବା ବେଳକୁ ବାପା ସମ୍ପୂର୍ଣ୍ଣ ରୂପେ ସରକାରୀ ଚାକିରିରୁ ସେବା ନିବୃତ୍ତ ହୋଇ ସାରିଥାନ୍ତି। ସେମିତି ବିଶେଷ କିଛି କାମ ନ ଥିଲେ ବି ସବୁଦିନ ଧଳା ପଞ୍ଜାବୀଟି ପିନ୍ଧି କଲମଟିକୁ ପକେଟ୍ରେ ରଖି ସେ ବାହାରି ପଡନ୍ତି ବୁଲାବୁଲି କରିବାକୁ। ରାସ୍ତାଘାଟ, ହାଟ, ବଜାର ସବୁଠି ସମସ୍ତଙ୍କ ନଜର ସେହି କଲମଟି ଉପରେ। ସତେ ଯେମିତି କଲମଟି ବାପାଙ୍କ ବ୍ୟକ୍ତିତ୍ୱର ଅନ୍ୟ ଏକ ପରିଚୟ। ପାଠପଢା ଏବଂ କର୍ମ ନିଯୁକ୍ତିର ସଂଘର୍ଷ ଭିତରେ ଘରଠୁ ଅନେକ ବର୍ଷ ଧରି ଦୂରରେ ରହିବାକୁ ବାଧ୍ୟ ହୋଇଥିଲା ଶେଖର। ସମୟ କ୍ରମେ ବିଦେଶରେ ସେ ନିଜକୁ ପ୍ରତିଷ୍ଠିତ କରି ପାରିବାରିକ ଜୀବନରେ ଖୁବ୍ ଖୁସି ଥିଲା।
ସମୟ ଢେର ଗଡ଼ି ଯାଇଥିଲା। ବୟସର ଚାପରେ ବାପା ବି ବାର୍ଦ୍ଧକ୍ୟର ଶେଷ ଅବସ୍ଥାକୁ ଆସି ସାରିଥିଲେ। ଘରଠୁ ଦୂରରେ ରହିବା ହେତୁ ବାପାଙ୍କ କଲମକୁ ପ୍ରାୟତଃ ପାସୋରି ସାରିଥିଲା ଶେଖର। ସେଦିନ ବାପାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଜଟିଳ ଥିବା ଖବର ପାଇ ପରିବାର ସହ କିଛିଦିନ ଛୁଟିନେଇ ଘରକୁ ଆସିଥିଲା ଶେଖର।
ବାପା ଥିଲେ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ। ଅନୁଶାସନ, ନୀତି ଓ ଶୃଙ୍ଖଳା ସବୁ କିଛି ଫିକା ଲାଗୁଥିଲା ବାପାଙ୍କ ପାଖେ। ଦୁର୍ବଳ ଶରୀର, ଅସ୍ପଷ୍ଟ ସ୍ୱର ଓ କ୍ଷୀଣ ଶକ୍ତିକୁ ନେଇ କଅଁଳ ଶିଶୁଟେ ପରି ମନେ ହେଉଥିଲେ ସେ। ପାଖରେ ବସି କିଛି ସମୟର କଥାବାର୍ତ୍ତା ଭିତରେ ଶେଷରେ ତକିଆ ତଳୁ କଲମଟିକୁ କାଢ଼ି ଶେଖର ହାତକୁ ବଢ଼ାଇ ଦେଲେ ବାପା। ଆଶ୍ଚର୍ଯ୍ୟରେ ଚାହିଁଲା ଶେଖର! ଅନେକ ଦିନ ପରେ ସେ ପୁଣି ଦେଖୁଛି ଏ କଲମଟିକୁ। ଯାହାକି ପିଲାଦିନେ ଛୁଇଁବାର ଆଶା ବି ଅପୂରଣୀୟ ଥିଲା ତା’ ପକ୍ଷେ, ହେଲେ ଆଜି କିନ୍ତୁ ବାପା ନିଜେ ଧରାଇ ଦେଇଛନ୍ତି ତାଙ୍କର ସେ ଅତିପ୍ରିୟ କଲମଟିକୁ। ବାପାଙ୍କ ରୁଗଣ୍ ହାତ ସହ କଲମଟିକୁ ଜାବୁଡ଼ି ଧରିଥାଏ ଶେଖର। ପ୍ରଥମ ଥର ସେ ଅନୁଭବ କରୁଛି ସେହି କଲମର ଅପୂର୍ବ ସ୍ପର୍ଶ। କହିବାର ବିଶେଷ ସାମର୍ଥ୍ୟ ନ ଥିବା ବାପା କ୍ଷୀଣ ସ୍ୱରରେ ଶେଖରର କାନେ, କହିଲେ “ବାବୁରେ ମୋର ତ ଆୟୁଷ ସରି ଆସିଲାଣି। ହେଲେ, ଏ କଲମର ଆହୁରି ଗୋଟେ ଆୟୁଷ ତୋ ହାତରେ ଅଛି। ମୁଁ ଜାଣେ ମୋ ପରି ତୁ ଏ କଲମକୁ ଖୁବ୍ ଭଲ ପାଉ। ସେଥିପାଇଁ ତତେ ଏ ମୋର ଶେଷ ଉପହାର।”
ବାପାଙ୍କ ହାତରୁ କଲମଟି ସମ୍ପୂର୍ଣ୍ଣ ରୂପେ ଆସି ସାରିଥିଲା ଶେଖର ହାତକୁ। କଲମରେ ଥିବା ଇଂରାଜୀ ମୋହରଟିକୁ ଅତି ଆଶ୍ଚର୍ଯ୍ୟର ସହ ଦେଖୁଥାଏ ଶେଖର। କଲମର ସୁନ୍ଦରତା ଓ ତା’ ଭିତରେ ଭରି ରହିଥିବା ସମ୍ପର୍କର ଗଭୀରତାକୁ ଅନୁଭବ କରିପାରୁଥାଏ ଶେଖର। ଅନେକ ଜଟିଳ ଗଣିତକୁ ସରଳରେ ସମାଧାନ କରିଥିବା ଏ କଲମ, ମନର ଭାବନାକୁ କାଗଜରେ ଧରି ରଖୁଥିବା ଏ କଲମ ଯାହା ଭିତରେ ଲୁଚି ରହିଛି ଗୋଟେ ଅନାବିଳ ଅଦେଖା ସମ୍ପର୍କ। ସତରେ ସମୟ ଓ ବୟସ ହିଁ ବୁଝେଇପାରେ ମଣିଷ ଓ ଏ କଲମ ଭିତରେ ଥିବା ସମ୍ପର୍କର ମୂଲ୍ୟକୁ। କଲମଟିକୁ ପକେଟ୍ରେ ରଖି ବାପାଙ୍କୁ ଚାହିଁଲା ଶେଖର। ବାପାଙ୍କ ଓଠରେ ହସ ଆଉ ଆଖିରେ କିଛି ଖୁସିର ଲୁହ। ଅନୁରୂପ ଭାବେ ବାପାଙ୍କ ହାତରୁ ଏ ମୂଲ୍ୟବାନ ଉପହାର ପାଇ ଶେଖର ଆଖିରେ ବି ଚାଲିଆସିଥିଲା କେଇ ଟୋପା ଖୁସିର ବୁନ୍ଦା।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଫେବୃୟାରୀ, ୨୦୨୪ ସଂଖ୍ୟାରେ ପ୍ରକାଶିତ । )
ବହୁତ ସୁନ୍ଦର