ଆଲୋଚ୍ୟ ପୁସ୍ତକଟିକୁ ଆମେ ଓଡ଼ିଆ ଆତ୍ମଜୀବନୀ ସାହିତ୍ୟର ଏକ ଉଲ୍ଲେଖନୀୟ କୃତି ବୋଲି କହିପାରିବା। ବିଶିଷ୍ଟ ମନସ୍ତତ୍ତ୍ୱବିତ୍, ଅଧ୍ୟାପକ ତଥା ନାଟ୍ୟଶିଳ୍ପୀ ଡ଼. ବସନ୍ତ କୁମାର ଦାସଙ୍କର ଏହା ଏକ ସୁଖପାଠ୍ୟ ଆତ୍ମଚରିତ। ନିଜର ଜନ୍ମବୃତ୍ତାନ୍ତଠାରୁ ନେଇ ଅଧ୍ୟାପନା ବୃତ୍ତିରୁ ଅବସର ନେବା ଉପରାନ୍ତେ ‘ଚେତନା’ ନାମକ ଅନୁଷ୍ଠାନରେ ଯୋଗଦାନ ପର୍ଯ୍ୟନ୍ତ ସୁଦୀର୍ଘ କାଳର ଏକ ନିଖୁଣ ଦସ୍ତାବେଜ ବହନ କରେ ପୁସ୍ତକଟି।
ଏହି ଆତ୍ମଚରିତ ରଚନା କରିବା ପଛରେ ନିଜର ଅଗ୍ରଜ ତଥା ପ୍ରଥିତଯଶା ଓଡ଼ିଆ ପ୍ରାବନ୍ଧିକ ସ୍ୱର୍ଗତ ଚିତ୍ତରଞ୍ଜନ ଦାସଙ୍କଠାରୁ ସେ ପାଇଥିବା ପ୍ରେରଣା ବିଷୟରେ ଲେଖକ ବିସ୍ତୃତ ଭାବରେ ଉଲ୍ଲେଖ କରିଛନ୍ତି ନିଜର ‘ଆଦ୍ୟକଥନ’ରେ। ଯେମିତି ମନେହୁଏ, ସ୍ୱର୍ଗତ ଦାସ ବାରମ୍ବାର ତାଗିଦ୍ କରିନଥିଲେ ଲେଖକଙ୍କ କଲମରୁ ଏହି ଆତ୍ମକଥନଟି ହୁଏତ ସାର୍ଥକ ରୂପ ନେଇପାରିନଥା’ନ୍ତା।
ପୁସ୍ତକଟି ଥରେ ପଢ଼ିବା ଆରମ୍ଭ କଲେ ନିଜର ଜୀବନସ୍ମୃତିର ଉପସ୍ଥାପନା କ୍ରମରେ ଲେଖକଙ୍କ ଏକାତ୍ମ ଅନ୍ତରଙ୍ଗତାର ସ୍ୱର ଆମକୁ ଗଭୀର ଭାବରେ ସ୍ପର୍ଶ କରେ; ଯେମିତି,
“କନ୍ଥା ଉପରେ ନିଶ୍ଚିନ୍ତରେ ଶୋଇଥିବା ପୁଅର କ’ଣ ଯାଏ ଆସେ? ସେ କ’ଣ ଜାଣିପାରୁଛି ଯେ ଯୋଉ ମାଆର ଅନ୍ତ ଫାଡ଼ି ସେ ବାହାରକୁ ଆସିଲା, ତା’ର କୋଳ ଛାଡ଼ି ଆଉ ଗୋଟିଏ ମା’ର କୋଳମଣ୍ଡନ କରିବାକୁ ପଡ଼ିବ, ଗୋଟିଏ ମାଆର କ୍ଷୀର ଶୋଷି ଆଉ ଗୋଟିଏ ମାଆର ଆଶା, ଭରସା, ଓ ଜୀବନ ଶଂଖାଳି ତା’କୁ ହେବାକୁ ପଡ଼ିବ। ସ୍ୱାମୀ ଥାଇ ନ ଥିବାର ଆଶା ଓ ଆଶଙ୍କାପୂର୍ଣ୍ଣ ଗୋଟିଏ ମାଆର ଜୀବନ ଲାଗି ସାନ୍ତ୍ୱନାର ଗଣ୍ଠିଧନ ସେ ପାଲଟିବ, ଏସବୁ ଗହନ କଥା କ’ଣ ସେ ବୁଝି ପାରୁଥିଲା?”
ଏହି ସ୍ତରର ମାର୍ମକ ଭାବ ଓ ଅନୁରୂପ ଭାଷାବିନ୍ୟାସ ପ୍ରାରମ୍ଭିକ ଅଧ୍ୟାୟଗୁଡ଼ିକରେ ଅଧିକ ମାତ୍ରାରେ ଦେଖିବାକୁ ମିଳେ। ମାତ୍ର ପୁସ୍ତକଟିର ପରବର୍ତ୍ତୀ ଅଂଶରେ, ଯେଉଁଥିରେ ଲେଖକଙ୍କ ଉତ୍ତର-ଜୀବନର ଘଟଣାବଳୀ ଉପସ୍ଥାପିତ, ଏହି ସ୍ୱର କିଂଚିତ୍ ଔପଚାରିକ ମୋଡ଼ ନେଇ ଯନ୍ତ୍ରବତ୍ ଗଡ଼ି ଚାଲିଥିବା ଲକ୍ଷ୍ୟ କରିହୁଏ। ‘ଆଦ୍ୟକଥନ’ରେ ଲେଖକଙ୍କ ସ୍ୱୀକାରୋକ୍ତିରୁ ଯାହା ଅନୁମାନ ହୁଏ, ପ୍ରଥମ କେତୋଟି ଅଧ୍ୟାୟକୁ ନିଜର ରଚନାଗତ ଉତ୍କର୍ଷର ଏକ ନମୁନା ଭାବରେ ଅଗ୍ରଜ ଚିତ୍ତ ଭାଇଙ୍କୁ ଦେଖାଇବାର ଅଭିପ୍ରାୟ ନେଇ ରଚନା କରିଥିବାରୁ ଲେଖକ ଏହି ପ୍ରାରମ୍ଭିକ ଭାଗରେ ଅତି ସତର୍କତାର ସହିତ କଲମ ଚାଳନା କରିଛନ୍ତି।
୫୧୨ ପୃଷ୍ଠା ବିଶିଷ୍ଟ ଏହି ପୁସ୍ତକଟି ୧୬୮ ଗୋଟି ଅଧ୍ୟାୟରେ ବିଭକ୍ତ। ନିଜ ସୁଦୀର୍ଘ ଜୀବନର ବୃତ୍ତିଗତ, ବ୍ୟକ୍ତିଗତ ଓ ସାମାଜିକ ଘଟଣାଗୁଡ଼ିକ ଲେଖକ ଏତେ ତନ୍ନ ତନ୍ନ କରି ବର୍ଣ୍ଣନା କରିଛନ୍ତି ଯେ ମନେହୁଏ, ଏଥିରୁ କେତେକ ଅନାବଶ୍ୟକ ଅଂଶ ବାଦ ଦେଇ ପୁସ୍ତକଟିକୁ ହୁଏତ ଟିକିଏ ସଂକ୍ଷିପ୍ତ କରାଯାଇ ପାରିଥା’ନ୍ତା।
ପ୍ରକାଶିତ ପୁସ୍ତକଟି ‘ପ୍ରଥମ ଉଚ୍ଛ୍ୱାସ’ (ଅର୍ଥାତ୍ ପ୍ରଥମ ଭାଗ)ର ଉପ-ଶିରୋନାମା ବହନ କରେ। ଆଗକୁ ଦ୍ୱିତୀୟ ଓ ତୃତୀୟ ଉଚ୍ଛ୍ୱାସ ମଧ୍ୟ ପ୍ରକାଶ ଅପେକ୍ଷାରେ ଅଛି ବୋଲି ଏହାର ମଲାଟ ପଛରେ ସୂଚନା ଦିଆଯାଇଛି। ସେଗୁଡ଼ିକ ମଧ୍ୟ ପଢ଼ିବାକୁ ଆମର ଅପେକ୍ଷା ରହିଲା।
ନିହାର ଶତପଥୀ
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଫେବୃୟାରୀ, ୨୦୨୪ ସଂଖ୍ୟାରେ ପ୍ରକାଶିତ । )
‘ସାହିତ୍ୟ ଚର୍ଚ୍ଚା’ର ପୁସ୍ତକ ସମୀକ୍ଷା ଅତି ନିଆରା। ପ୍ରଥମ କଥା, ଏହା ସଂକ୍ଷିପ୍ତ। ଆଉ ମଧ୍ୟ ମୁଁ ଦେଖିଛି, ଅନ୍ୟ ସମୀକ୍ଷାମାନଙ୍କ ଭଳି ଏଥିରେ କୌଣସି ବହିର ମାତ୍ରାଧିକ ବାହାବା ନଥାଏ। ବରଂ ବହିର କିଛି ଦୁର୍ବଳ ଦିଗ ଥିଲେ ତାହା ମଧ୍ୟ ଦର୍ଶାଇ ଦିଆଯାଇଥାଏ।