ସାହିତ୍ୟରେ ବିଭାଜନର କଥା କେତେକଙ୍କୁ ହୁଏତ ଏକ ବିରୋଧାଭାସ ଭଳି ମନେ ହୋଇପାରେ। ସାହିତ୍ୟରେ ବିଭାଜନ ପୁଣି କ’ଣ? ଏହା ତ ବରଂ ସମସ୍ତ ସଂକୀର୍ଣ୍ଣତା ଓ ଗୋଷ୍ଠୀର ଉର୍ଦ୍ଧ୍ୱରେ। ତେଣୁ କୁହାଯାଏ ଯେ ସ+ହିତ ଅର୍ଥାତ୍ ସହଭାବ ଓ ହିତକାମନା ହିଁ ହେଉଛି ସାହିତ୍ୟ। ସାହିତ୍ୟ ବିଭେଦ ସୃଷ୍ଟି କରେନାହିଁ, ବରଂ ଯୋଡ଼େ। କିନ୍ତୁ କେତେକ କାଳଖଣ୍ଡରେ ଦେଖାଯାଇଛି ଯେ ସାହିତ୍ୟର ଶୁଦ୍ଧ ଓ ଶାନ୍ତ ପରିବେଶ ମଧ୍ୟରେ ବିଭିନ୍ନ ଉତ୍କଟ ମତବାଦ ବା ‘ଇଜମ୍’ମାନେ ମୁଣ୍ଡ ଟେକି ଏହାକୁ ଭାଗ ଭାଗ କରିଦେଇଛନ୍ତି।
ପ୍ରକୃତରେ, ‘ଇଜମ୍’ କହିଲେ ଆମେ କ’ଣ ବୁଝୁ? ସବୁବେଳେ ଯେ ଏହା ଏକ ନକାରାତ୍ମକ ରୂପରେ ଆସିଥାଏ ତାହା ନୁହେଁ; ବରଂ ଏହା ଜରିଆରେ ଅନେକ ଉନ୍ନତ ଭାବଧାରାର ଉନ୍ମେଷ ଘଟି ସାହିତ୍ୟକୁ ଋଦ୍ଧିମନ୍ତ ମଧ୍ୟ କରିଛି। ପାଶ୍ଚାତ୍ୟ ସାହିତ୍ୟର ବିଭିନ୍ନ ଯୁଗରେ ଖିଆଲବାଦ (ରୋମାଣ୍ଟିସିଜମ୍), ବାସ୍ତବବାଦ (ରିଅଲିଜମ୍), ଅସ୍ତିତ୍ୱବାଦ (ଏକ୍ସିଷ୍ଟେନ୍ସିଆଲିଜିମ୍) ଓ ମାନବବାଦ (ହ୍ୟୁମାନିଜମ୍ ) ଭଳି ନିଆରା ଭାବଧାରାମାନ ଜନ୍ମ ନେଇ ସମକାଳୀନ ସାହିତ୍ୟକୁ ବିଭିନ୍ନ ଉପାଦେୟ ମୋଡ଼ ଦେଇଛନ୍ତି। ସେହିଭଳି ଆମ ଓଡ଼ିଶାରେ ମଧ୍ୟ ଭକ୍ତିବାଦ, ଆଧୁନିକତାବାଦ, ଅନାମବାଦ, ରାଷ୍ଟ୍ରବାଦ ଓ ଏହିଭଳି ଆଉ କେତେକ ବାଦ ବିଭିନ୍ନ ସମୟରେ ପ୍ରତିଭାତ ହୋଇଛି। ଏହି ଧରଣର ‘ଇଜମ୍’କୁ ସାହିତ୍ୟର ଏକ ସକାରାତ୍ମକ ରୂପ ବୋଲି କୁହାଯାଇପାରେ।
କିନ୍ତୁ ଏହାର ବିପରୀତ, ଆହୁରି କେତେକ ମତବାଦ କେବେକେବେ ସାହିତ୍ୟର ଅବାଧ ଯାତ୍ରାକୁ କଣ୍ଟକିତ ମଧ୍ୟ କରିଛି। ବିଶେଷତଃ ଆମ ଓଡ଼ିଆ ସାହିତ୍ୟରେ ନାରୀବାଦ, ବାମବାଦ (ସାମ୍ୟବାଦ) ଓ ଦଳିତବାଦ ଭଳି କେତେକ ଧାରା ବାସ୍ତବରେ କିଭଳି ଭୂମିକା ତୁଲାଇଛି ତାହା ବିଚାର କରାଯାଇପାରେ। ଅବଶ୍ୟ ଏହା ସ୍ୱୀକାର କରିବାକୁ ହେବ ଯେ ଏକ ପୁରୁଷପ୍ରଧାନ ସମାଜରେ ନାରୀସମାଜଟି ଅବିଚାରିତ ବାଛବିଚାରର ଶିକାର ହେଉଥିବାର ପ୍ରତିକ୍ରିୟାରେ ନାରୀବାଦ ବା ‘ଫେମିନିଜମ୍’ର ସୃଷ୍ଟି। ସେହିଭଳି ଆମର ଶ୍ରେଣୀବିଭକ୍ତ ବ୍ୟବସ୍ଥାରେ ସର୍ବହରା ବା ଖଟିଖିଆଙ୍କର ନିର୍ମମ ଶୋଷଣର ପ୍ରତିବାଦରେ ଗଢ଼ିଉଠିଛି ବାମବାଦ, ଏବଂ ଜାତି ବିଭାଜନର କୁପରିଣାମ ଭୋଗୁଥିବା ଆମ ସମାଜର କେତୋଟି ନିର୍ଦ୍ଦିଷ୍ଟ ବର୍ଗର ମଣିଷମାନଙ୍କର ସ୍ୱର ଭାବରେ ଉଭା ହୋଇଛି ଦଳିତ ସାହିତ୍ୟ। ଏହି ବାଦଗୁଡ଼ିକ ମୂଳତଃ ସମାନତା, ନ୍ୟାୟ ଓ ସୁରକ୍ଷାର ବାର୍ତ୍ତା ବହନ କରୁଥିଲେ ହେଁ ଏଗୁଡ଼ିକ ସ୍ଥଳ ବିଶେଷରେ ଆମ ସମାଜରେ ବିଭାଜନର ପ୍ରକ୍ରିୟାକୁ ମଧ୍ୟ ଯେ ବଳ ଯୋଗାଉଛନ୍ତି, ଏହାକୁ ଅସ୍ୱୀକାର କରାଯାଇ ନପାରେ।
ଏଭଳି ମତବାଦଗୁଡ଼ିକ ଦ୍ୱାରା ପ୍ରଭାବିତ ଆମର ସାହିତ୍ୟ କେତେକାଂଶରେ ସର୍ବହରା ଓ ସଂପନ୍ନ ଶ୍ରେଣୀ, ନାରୀ ଓ ପୁରୁଷ, ତଥା ଦଳିତ ଓ ଆଗୁଆ ଜାତିଙ୍କ ମଧ୍ୟରେ ଅବିଶ୍ୱାସ ବାତାବରଣକୁ ଇନ୍ଧନ ଯୋଗାଇ ସେମାନଙ୍କ ମଧ୍ୟରେ ଦୂରତା ବୃଦ୍ଧିର କାରଣ ହୋଇପାରେ।
ତେବେ କୌଣସି ନା କୌଣସି ଏକ ବାଦ ବା ମତବାଦ ପ୍ରତି ଢଳିବା ତ ଏକ ସ୍ୱାଭାବିକ ମାନବୀୟ ପ୍ରକୃତି; ଏବଂ ଆମ କବି ଓ ଲେଖକମାନେ ଏଥିର ବ୍ୟତିକ୍ରମ ବା ହେବେ କାହିଁକି? କିନ୍ତୁ କଥା ହେଲା, ସବୁବେଳେ ଓ ସବୁଠାରେ ନିଜକୁ ଏଭଳି କୌଣସି ମତବାଦ ମଧ୍ୟରେ ବାନ୍ଧି ରଖୁଥିବା ଆମର ସାରସ୍ୱତ ସ୍ରଷ୍ଟାଗଣ ହୁଏତ ପରିଶେଷରେ ମତାନ୍ଧ ଭାବରେ ପରିଗଣିତ ହୋଇପାରନ୍ତି। ଅବଶ୍ୟ ଆମ ସାହିତ୍ୟରେ ଏଭଳି କବି ଓ ଲେଖକ ମଧ୍ୟ ବିରଳ ନୁହନ୍ତି ଯେଉଁମାନେ ବିଭିନ୍ନ ବାଦମାନଙ୍କର ବନ୍ଧନରୁ ନିଜକୁ ମୁକ୍ତ ରଖି ଅବାଧ ଓ ସ୍ୱାଧୀନ ସାହିତ୍ୟ ସୃଷ୍ଟି କରିବାରେ ବ୍ରତୀ ଅଛନ୍ତି। ଏହା ଏକ ଆଶ୍ୱାସନାର କଥା।
ନିହାର ଶତପଥୀ
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଏପ୍ରିଲ ୨୦୨୪ ସଂଖ୍ୟାରେ ପ୍ରକାଶିତ।)
ସାହିତ୍ୟରେ ବର୍ତ୍ତମାନ ଏତେ ବାଦ ହୋଇଗଲାଣି ଯେ, ଗୋଟିଏ ଲେଖା ଅନ୍ୟୁନ ୩-୪ ଟି ବାଦ ଅନ୍ତର୍ଗତ !!