ପ୍ରକୃତରେ ମୁଁ ବୁଢ଼ା ହୋଇଯାଇଛି ଏବଂ ମୋ ଆଖପାଖରେ ଜୀବନ ଚଳଚଞ୍ଚଳ ହୋଇ ଯୁବାବସ୍ଥା ହାସଲ କରିନେଇଛି।
ମୁଁ କୁସର୍କୀ ରେଳ ଷ୍ଟେସନରେ ପହଞ୍ଚିଗଲି। ସେଠାରୁ ଠିକ୍ ରାତି ନଅଟା ବେଳେ ସିମ୍ଫାଲା ପୋଲସ୍କି ଏକ୍ସପ୍ରେସ୍ ଟ୍ରେନ୍ ଛାଡ଼ିବାର ଥିଲା। ଟି.ଟି.କୁ ଟିକଟ ଦେଖାଇବା ପରେ ମୁଁ ଯାଇ ଟ୍ରେନ୍ ଭିତରେ ବସିଲି। ସେହି ଡବାରେ ପୂର୍ବରୁ ଜଣେ ବୟସ୍କ ବ୍ୟକ୍ତି, ଜଣେ ଯୁବକ ଓ ଜଣେ ଯୁବତୀ ବସିଥିଲେ। ଝିଅଟିର ନାମ ଥିଲା ନାସ୍ତ୍ୟା।
ଯେପରିକି ଯାତ୍ରା ସମୟରେ ପ୍ରାୟତଃ ହୋଇଥାଏ, ଖୁବ୍ ଶୀଘ୍ର ଆମେ ପରସ୍ପର ସହିତ କଥା ଆରମ୍ଭ କରିଦେଲୁ। ବୟସ୍କ ବ୍ୟକ୍ତିଜଣକ ଥିଲେ ଜୀବ ବିଜ୍ଞାନର ପ୍ରଫେସର, ଆଉ ଯୁବକ ଜଣକ ଥିଲେ ଭାଷା ବିଜ୍ଞାନୀ। ଟ୍ରେନଟି ଦ୍ରୁତ ଗତିରେ ଆଗେଇ ଚାଲିଥିଲା। ଝରକା ବାହାରଟା ଥିଲା ସମ୍ପୂର୍ଣ୍ଣ ଅନ୍ଧକାର। ପ୍ରଫେସର କହିଲେ, ଏହି ରାସ୍ତା ତାଙ୍କୁ ଭଲ ଭାବେ ଜଣାଅଛି।
ଯୁବକ ଜଣକ ମଧ୍ୟ କହିଲା ଯେ ସେ ଏହି ରାସ୍ତାରେ ବର୍ଷକୁ ଦୁଇ-ତିନିଥର ଯାଇଥାଏ।
ପ୍ରଫେସର କହିଲେ – ମୁଁ ସିମ୍ଫିରାପୋଲର ବାସିନ୍ଦା। ସେଠାରେ ଏବେ ବି ମୋର ବନ୍ଧୁବାନ୍ଧବମାନେ ରୁହନ୍ତି। ମୁଁ କେତେବେଳେ ଛୁଟି ବିତାଇବା ପାଇଁ ତ କେତେବେଳେ ଅନ୍ୟ କୌଣସି କାର୍ଯ୍ୟରେ ସେଠାକୁ ଯିବା ଆସିବା କରିଥାଏ।
ଟି.ଟି. ଆସିଲେ। ସେ ଆମ ବର୍ଥରେ ନିଜ ବିଛଣାପତ୍ର ରଖିଲେ, ଆଉ ଆମକୁ ଚା’ ପିଇବାକୁ ଦେଲେ। ଆମେ ନାସ୍ତ୍ୟାକୁ ମଧ୍ୟ ଚା’ ପିଇବାକୁ ଦେଲୁ। ଚା’ ପିଇସାରି ସେ ଶୋଇବା ପାଇଁ ଉପର ବର୍ଥକୁ ଚାଲିଥିଲା। ତା’ପରେ ମୁଁ ସିଗାରେଟ୍ ଟାଣିବା ପାଇଁ ଦୁଇ ରେଳଡବା ମଧ୍ୟସ୍ଥ ଗଳିକୁ ଚାଲିଗଲି। ଆଉ ଯେତେବେଳେ ମୁଁ ଫେରିଲି, ସେତେବେଳେ ସମସ୍ତେ ଶୋଇପଡ଼ିଥିଲେ। ମୁଁ ମଧ୍ୟ ନୀଳ ବତିଟିକୁ ଲିଭାଇ ଶୋଇଗଲି।
ମୁଁ ସକାଳୁ ଶୀଘ୍ର ଉଠିଲି। ତେବେ ମୁଁ ଉଠିବା ପୂର୍ବରୁ ନାସ୍ତ୍ୟା ଓ ପ୍ରଫେସର ଉଠିସାରିଥିଲେ। କୁପେ ବାହାରର ଝରକା ପାଖରେ ଛିଡ଼ା ହୋଇ ନାସ୍ତ୍ୟା ପ୍ରାକୃତିକ ଦୃଶ୍ୟ, ଟ୍ରେନ ଲାଇନ କଡ଼ରେ ଥିବା ଗ୍ରାମ, ଧୀରେ ଧୀରେ ପ୍ରବାହିତ ହେଉଥିବା ନଦୀ ତଥା ଚାଷ ଜମି ଉପରେ ବିସ୍ତୃତ ନୀଳ ଆକାଶକୁ ଦେଖିବାରେ ଲାଗିଥିଲା। ସିଗାରେଟ୍ ଟାଣିବା ବାହାନାରେ ପ୍ରଫେସର ମଧ୍ୟ ଝରକା ବାହାରକୁ ଚାହିଁ ରହିଥିଲେ।
ଆପଣ ଏତେ ଜଲ୍ଦି ଉଠିଗଲେ ଯେ? ମୁଁ ପ୍ରଫେସରଙ୍କୁ ପଚାରିଲି।
ଗୋଟିଏ ଜାଗା ଦେଖିବାର ଇଚ୍ଛା ହିଁ ମୋତେ ଏତେ ଶୀଘ୍ର ବିଛଣାରୁ ଉଠାଇଦେଲା- ସେ ଉତ୍ତର ଦେଲେ, ଆଉ କହିଲେ ରାତିରେ ଯେବେ ବି ମୁଁ ଏହି ରାସ୍ତା ଦେଇ ଯାଇଥାଏ, ଏହି ସ୍ଥାନଟି ଅତିକ୍ରମ କରିବା ବେଳେ ମୋ ନିଦ ଭାଙ୍ଗିଯାଏ। ତା’ପରେ ମୁଁ ଝରକା ବାଟେ ଏହି ଜାଗାଟିକୁ ଦେଖେ।
ଏଠାରେ ବୋଧେ କେବେ ଆପଣ ରହୁଥିଲେ। ଆପଣଙ୍କ ଘର ଏଠି ଥିଲା? ମୁଁ ପଚାରିଲି।
ନାହିଁ ନାହିଁ, ଏହି ସ୍ଥାନଟି ମୋ ପାଇଁ ଅପରିଚିତ। ମୁଁ ଏଠାକୁ କେବେ ବି ଆସିନାହିଁ। ତେବେ ଏହା ଏକ ଲମ୍ବା କାହାଣୀ, ଯେଉଁ କାହାଣୀ ଆରମ୍ଭ ହୋଇଥିଲା ବିପ୍ଲବ ପୂର୍ବରୁ। ଆଉ ସେତେବେଳେ ମୁଁ ଥିଲି ଛୋଟ ପିଲା। ମୁଁ ମୋ ବାପାଙ୍କ ସହିତ ସିମ୍ପିରାପୋଲରୁ ମସ୍କୋ ଯାଉଥିଲି। ଆଉ ଏହି ଝିଅ ନାସ୍ତ୍ୟା ଭଳି ଝରକା ବାଟେ ବାହାରର ଦୃଶ୍ୟ ଦେଖୁଥିଲି। ଦିନେ ଗଛଲତାଶୂନ୍ୟ ଟାଙ୍ଗରା ପଡ଼ିଆ ମଝିରେ ଗୋଟିଏ କୁଡ଼ିଆ ଘର ଦେଖିଲି। ଭାବିବାକୁ ଲାଗିଲି – କିଏ ଏଠି ଏହି ଏକମାତ୍ର ଘରେ ରହୁଥିବ? ଶୀତ ଦିନେ ଏଠାରେ ରହିବା କେତେ ଭୟାବହ? ଏକଥା ଭାବିଲା ବେଳକୁ ଦେହ ଶୀତେଇ ଉଠୁଥିଲା।
ଏହାପରେ ଯେତେଥର ବି ଆସିଛି, ଟ୍ରେନ୍ ଦ୍ରୁତଗତିରେ ସ୍ଥାନଟିକୁ ଅତିକ୍ରମ କରିବା ବେଳେ ପ୍ରତ୍ୟେକ ଥର ଏଠାରେ କିଛି ନା କିଛି ପରିବର୍ତ୍ତନ ଲକ୍ଷ୍ୟ କରିଛି।
ଦିନେ ମୁଁ ସେହି କୁଡ଼ିଆ ନିକଟରେ ଜଣେ ସ୍ତ୍ରୀ ଲୋକକୁ ଦେଖିଲି। ସେ ଚୁଲିରେ ନିଆଁ ଧରାଉଥିଲେ, ଆଉ ସେଇ ପାଖରେ ତାଙ୍କ ପିଲା ଶୋଇଥିଲା। ଆଉ କିଛି ଦିନ ପରେ ଦେଖିଲି ସେହି କୁଡ଼ିଆ ଆଖପାଖରେ ଆଉ କେତୋଟି କୁଡ଼ିଆ ଗଢ଼ି ଉଠିଛି। ପରବର୍ତ୍ତୀ ସମୟରେ ତାହା ଏକ ଛୋଟ ଗ୍ରାମର ରୂପ ନେଲା। ପିଲାମାନେ ଏଣେତେଣେ ବୁଲୁଥିବାର ଦେଖାବାଲା କେତେ ଜଣ ପିଲା ରେଳ ଲାଇନ୍ କଡ଼ରେ ଛିଡ଼ା ହୋଇ ଜୋର୍ରେ ପାଟି କରୁଥିଲେ – ‘ଆଜ୍ଞା କିଛି ଦିଅନ୍ତୁ। ଝରକା ବାଟେ ପାଉଁରୁଟି ଫିଙ୍ଗି ଦିଅନ୍ତୁ।’ ଆମେ ସେମାନଙ୍କ ପାଖକୁ ପାଉଁରୁଟି ଓ ଅନ୍ୟ ଖାଇବା ଜିନିଷ ପକାଉଥିଲୁ, ଯାହା ଧୂଳି ବାଲିରେ ପଡୁଥିଲା। ପିଲାମାନେ ତାକୁ ଗୋଟାଇ ଗାଁ ଆଡ଼କୁ ଧାଉଁଥିଲେ।
ବିପ୍ଳବ ଆରମ୍ଭ ହେବା ପରେ କିନ୍ତୁ ମୁଁ କିଛି ବର୍ଷ ଧରି ଇଆଡ଼େ ନ ଆସିବା ଯୋଗୁ ଗାଁକୁ ଦେଖିପାରି ନ ଥିଲି। ଆଉ ବହୁ ଦିନ ପରେ ଯେବେ ଦେଖିଲି, ମୋର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। ସେତେବେଳେ ଗ୍ରାମର ଚତୁର୍ପାଶ୍ୱର୍ରେ ସୂର୍ଯ୍ୟମୁଖୀର କ୍ଷେତ ଥିଲା। ନିଜ ଘର ପାଖରେ ଲାଲ ରଙ୍ଗର ସ୍କାର୍ଫ ପିନ୍ଧିଥିବା ଗୋଟେ ଝିଅକୁ ଦେଖିଲି। ପରେ ପ୍ରତ୍ୟେକ ଥର ମୁଁ ନୂଆ ନୂଆ ଜିନିଷ ଦେଖିଲି। ଅଙ୍ଗୁର ବଗିଚା, ନୂଆ ନୂଆ ସୁନ୍ଦର ସୁନ୍ଦର ଘର ଏବଂ ପ୍ରତ୍ୟେକ ଘର ସାମ୍ନାରେ ଲାଲ ଓ ହଳଦିଆ ରଙ୍ଗର ଫୁଲ। ଦିନେ ମୁଁ ସ୍କୁଲ ଯାଉଥିବା ପିଲାଙ୍କୁ ଦେଖିଲି। ସେମାନେ ବହି ବସ୍ତାନି ନେଇ ସ୍କୁଲକୁ ଧାଇଁ ଯାଉଥିଲେ। ତା’ପରେ ଘରେ ଘରେ ବିଜୁଳିବତି ଜଳି ଉଠିଲା, ଏହିଭଳି ଏକ ଉନ୍ନତ ଗାଁ ମୁଣ୍ଡ ଟେକିଥିଲା। ମୁଁ ବୁଢ଼ା ହେବାରେ ଲାଗିଥିଲି ଏବଂ ମୋ ଆଖପାଖରେ ଥିବା ଜୀବନ ଯୁବାବସ୍ଥାରେ ପହଞ୍ଚିଯାଇଥିଲା।
ଖୁବ୍ ଶୀଘ୍ର ଏହି ଗାଁ ଆସିଯିବ-
ଦୂରରୁ ହିଁ ଆମେ ବିଜୁଳିବତି, ବଗିଚାର ଫୁଲ ଓ ମକା କ୍ଷେତ ଦେଖିବାକୁ ପାଇଲୁ।
‘ଆପଣ ପ୍ରଥମେ ଯେଉଁ କୁଡ଼ିଆ ଦେଖିଥିଲେ, ତାହା କେଉଁଠି?’ ମୁଁ ପ୍ରଫେସରଙ୍କୁ ପଚାରିଲି।
‘ଏବେ ଦେଖାଯିବ, ହେଇ ସେଇଠି……’।
ସେହି ଘର ଚାରିପଟେ ଅନେକଗୁଡିଏ ଗଛଲତା ଫଳ ଫୁଲରେ ଭରି ରହିଥିଲା। ଓଭର୍କୋଟ୍ ପିନ୍ଧିଥିବା ଓ ମୁଣ୍ଡରେ ସ୍କାର୍ଫ ପକାଇଥିବା ଜଣେ ମହିଳାଙ୍କୁ ମୁଁ ସେହି ଘର ସାମ୍ନାରେ ଦେଖିଲି।
‘ହେଇ ଦେଖନ୍ତୁ ଗୋଟିଏ ପୋଖରୀ।’ ପ୍ରଫେସର ଉଚ୍ଚ ସ୍ୱରରେ କହିବା ସହିତ ସେଇ ଆଡ଼କୁ ଇସାରା କରି ଦେଖାଇଲେ। ଏଇ ପୋଖରୀଟା ଆଗରୁ ନ ଥିଲା। ସକାଳର ସୂର୍ଯ୍ୟକିରଣ ତା’ର ଜଳ ମଧ୍ୟରେ ପଡ଼ି ତାହା ଚକ୍ଚକ୍ କରୁଥିଲା। ପିଲାମାନେ ସେଥିରେ ଗାଧଉଥିଲେ। ତେବେ ଖୁବ୍ ଶୀଘ୍ର ସେହି ଦୃଶ୍ୟ ପଛରେ ରହିଗଲା।
ପ୍ରଫେସର କହିଲେ- ‘ପ୍ରକୃତରେ ମୁଁ ବୁଢ଼ା ହୋଇଯାଇଛି ଏବଂ ମୋ ଆଖପାଖରେ ଜୀବନ ଚଳଚଞ୍ଚଳ ହୋଇ ଯୁବାବସ୍ଥା ହାସଲ କରିନେଇଛି। ତେବେ ଗୋଟିଏ ଦିନ ମୁଁ ନିଶ୍ଚିତ ଭାବେ ଏହି ଗାଁକୁ ଯିବି। ପୁରୁଣା କୁଡ଼ିଆ ଥିବା ସେହି ଘରକୁ ମଧ୍ୟ ଯିବି ଏବଂ ସେହି ମହିଳାଙ୍କୁ କହିବି ଯେ ମୁଁ ତୁମକୁ ବହୁତ ଦିନ ଧରି ଜାଣିଛି, ମୁଁ ତୁମ ମାଆଙ୍କୁ ବି ଜାଣିଛି, ଆଉ ଏହି ଗ୍ରାମର ସମ୍ପୂର୍ଣ୍ଣ ଇତିହାସକୁ ବି ଜାଣିଛି।’
ସେ ଚୁପ୍ ହୋଇଗଲେ, କିନ୍ତୁ ମୋ’ର ମନ ହେଉଥିଲା କି ଆଗ ଷ୍ଟେସନରେ ଓହ୍ଲାଇ ମୁଁ ଏହି ଗାଁକୁ ଚାଲିଆସିବି। ସେଠାରେ ଥିବା ଗହମ କ୍ଷେତ, ଫଳଫୁଲ ଭରା ବଗିଚାରେ ବୁଲିବା ସହିତ ସେହି ପୁରୁଣା କୁଡ଼ିଆ ଘରେ ରହିବାର ଇଚ୍ଛା ମୋ ମନରେ ପୁନର୍ବାର ଜାଗ୍ରତ ହେବାରେ ଲାଗିଲା ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଏପ୍ରିଲ, ୨୦୨୪ ସଂଖ୍ୟାରେ ପ୍ରକାଶିତ।)
ବିଚିତ୍ର ଏଇ ସମ୍ପର୍କ !
କେତେବେଳେ,କାହା ସହ, କେଉଁ ବାଗରେ ଯୋଡ଼ି ହୁଏ ଜାଣି ହୁଏନି।