ଓଡିଆ ଭାଷାର କମ୍ପ୍ୟୁଟରୀକରଣ ନିମିତ୍ତ ମାତ୍ରାଗୁଡିକ ଆଉ ପ୍ରତିବନ୍ଧକ ନୁହେଁ ।
ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନର ୧୦ ବର୍ଷ ପୂରଣ ହୋଇଛି। ଷଷ୍ଠ ଭାରତୀୟ ଭାଷା ଏବଂ ପ୍ରଥମ ପ୍ରାଦେଶିକ ଆର୍ଯ୍ୟଭାଷା ଭାବେ ଶାସ୍ତ୍ରୀୟ ମାନ୍ୟତା ପାଇବା ନିମିତ୍ତ ଓଡିଆ ଭାଷା ଗୌରବ ପ୍ରାପ୍ତ ହୋଇଛି। ଏହା କେବଳ ଆମ ଓଡ଼ିଆ ଭାଷାର ସ୍ୱୀକୃତି ନୁହେଁ ବରଂ ପ୍ରାଚୀନତାର ପ୍ରମାଣ। ନିକଟରେ (୩-୫ ଫେବୃଆରୀ ୨୦୨୩) ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ମହାଆଡ଼ମ୍ବରରେ ପରିସମାପ୍ତି ହୋଇଛି। ଏହି ବିରାଟ ସମ୍ମିଳନୀରେ ଶ୍ରୀଜଗନ୍ନାଥ ଚେତନା, ଓଡ଼ିଆ ଭାଷାର ଉତ୍ପତ୍ତି ଏବଂ ବିକାଶ, ପ୍ରାଚୀନ ଏବଂ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟ, ଓଡ଼ିଆ! ଭାରତର ଶାସ୍ତ୍ରୀୟ ଭାଷା, ଓଡ଼ିଶା-ଆଧୁନିକ ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ, ଓଡ଼ିଆ ଭାଷା ଏବଂ ମହିଳା ସଶକ୍ତୀକରଣ, ଓଡ଼ିଶାର ପ୍ରତ୍ନତତ୍ତ୍ୱ, ଆଧୁନିକ ଓଡ଼ିଆ ସାହିତ୍ୟ, ଓଡ଼ିଶାର ନୌବାଣିଜ୍ୟ ଐତିହ୍ୟ, ଓଡ଼ିଶାର ଲୋକ ସଂସ୍କୃତି, ଓଡ଼ିଆ ବ୍ୟାକରଣ ଏବଂ ଭାଷା ବିଜ୍ଞାନ, ଓଡ଼ିଶାର ଭାଷା ବିବିଧତା, ୨୦୩୬ରେ ଓଡ଼ିଶା: ନବ ଦିଗନ୍ତର ସମ୍ଭାବନା ସୂଚନା ଓ ପ୍ରଯୁକ୍ତିବିଦ୍ୟା ଯୁଗରେ ଓଡ଼ିଆ ଭାଷା : ଆହ୍ୱାନ ଏବଂ ଭବିଷ୍ୟତ, ସଂସ୍କୃତି ଏବଂ ଐତିହ୍ୟ : ରାଜ୍ୟର ସୂକ୍ଷ୍ମଶକ୍ତି, ଅନୁବାଦ : ଓଡ଼ିଆରୁ ଏବଂ ଓଡ଼ିଆକୁ ପ୍ରଭୃତି ବିଷୟରେ ପ୍ରବନ୍ଧ ପାଠ ସହ ସାରଗର୍ଭକ ଆଲୋଚନା କରାଯାଇଥିଲା। କାରଣ ଗୋଟିଏ ଜାତି ତା’ର ଭାଷା, ସାହିତ୍ୟକୁ ନେଇ ବଞ୍ଚିରହେ।
ଆଜି ଆମେ ଏକବିଂଶ ଶତାବ୍ଦୀର ତୃତୀୟ ଦଶକରେ ପାଦ ଦେଲେଣି। ଯୁଗ ବଦଳିବା ସହିତ ମଣିଷର ରୁଚି ମଧ୍ୟ ବଦଳିଛି। ପ୍ରତ୍ୟେକ ସ୍ତରରେ କମ୍ପ୍ୟୁଟରର ବ୍ୟବହାର କରାଯାଉଛି। ସାମାଜିକ ଗଣମାଧ୍ୟମରେ ଆମ ଭାଷଣ ସମ୍ପର୍କରେ ପ୍ରତିଦିନ ନାନା ଲେଖା ସହିତ ବହୁ ପ୍ରସ୍ତାବ, ବହୁମତ ମଧ୍ୟ ପ୍ରକାଶ ପାଉଛି। ଆଜିର ଯୁଗ ହେଉଛି କମ୍ପ୍ୟୁଟର ଓ ଡିଜିଟାଇଜେସନ୍ର ଯୁଗ। ବିଶ୍ୱର ଅନ୍ୟ ଭାଷାଭଳି ଓଡ଼ିଆ ଭାଷାକୁ ଲୋକପ୍ରିୟ କରିବା, ଓଡ଼ିଆ କୀ-ବୋର୍ଡର ମାନକୀକରଣ, କମ୍ପ୍ୟୁଟର ମାଧ୍ୟମରେ ଅନୁବାଦ ଏବଂ ସେଥିନିମିତ୍ତ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ (ଏଆଇ- ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ), ଓସିଆରର ପ୍ରୟୋଗ, ଓଡ଼ିଆ ଫଣ୍ଟ (ଲିପି)ର ଉନ୍ନତୀକରଣ, ଯୁକ୍ତବର୍ଣ୍ଣ ଲେଖିବାର ସମସ୍ୟା ଇତ୍ୟାଦି ସମ୍ପର୍କରେ ଲେଖାମାନ ପ୍ରକାଶିତ। ପ୍ରତ୍ୟେକ ସମସ୍ୟାର ସମାଧାନ ନିମିତ୍ତ ଉପାୟ ମଧ୍ୟ ରହିଛି। ସେଥିନିମିତ୍ତ ଅଧିକ ଗବେଷଣାର ପ୍ରୟୋଜନ।
ଯୁକ୍ତାକ୍ଷର ସମସ୍ୟା
ବର୍ତ୍ତମାନ ଆମ ଭାଷାରେ ଯୁକ୍ତାକ୍ଷରକୁ ନେଇ ନାନା ମତ ପ୍ରକାଶ ପାଉଛି। କମ୍ପ୍ୟୁଟର ପ୍ରୟୋଗ ନିମିତ୍ତ ଯୁକ୍ତାକ୍ଷରକୁ ସରଳ କରିଦିଆଯାଉଛି। ଏପରିି ଉଦ୍ୟମ ଠିକ୍ ନୁହେଁ। କମ୍ପ୍ୟୁଟରକୁ ଆଖି ଆଗରେ ରଖି ଭାଷାକୁ ସରଳ କରା ନ ଯାଉ, ବରଂ ଆମ ଭାଷାର ସ୍ୱାତନ୍ତ୍ର୍ୟକୁ ବଜାୟ ରଖି କମ୍ପ୍ୟୁଟର ସଫ୍ଟୱେରର ପ୍ରସ୍ତୁତ କରାଯାଇପାରିବ। ଏ ଦିଗରେ ଅନେକ କାମ ପ୍ରସ୍ତୁତ ହୋଇସାରିଛି। ଭାଷାର କମ୍ପ୍ୟୁଟରୀକରଣ ନିମିତ୍ତ ମାତ୍ରାଗୁଡିକ ଆଉ ପ୍ରତିବନ୍ଧକ ନୁହେଁ। ତେଣୁ ଆମ ପିଲାମାନଙ୍କୁ କମ୍ପ୍ୟୁଟରରେ ଓଡ଼ିଆର ବ୍ୟବହାର ସମ୍ପର୍କରେ ଶିକ୍ଷାଦାନ କରିବାକୁ ହେବ। ଏବେ ଯେଉଁ ସଫ୍ଟୱେର ବ୍ୟବହାର ହେଉଛି ସେଗୁଡିକ ହେଲା ଶ୍ରୀଲିପି, ଆକୃତି, ୟୁନିକୋଡ୍ ପ୍ରଭୃତି। ଏହି ଓଡ଼ିଆ ଫଣ୍ଟ (ଲିପି)କୁ ବିଭିନ୍ନ ଭାବରେ ନାମିତ କରାଯାଇଛି। ଯଥା:- ଜଗନ୍ନାଥ, ସୁପର୍ଣ୍ଣା, ନୀଳାଚଳ, ସବିତା, ସୁଭଦ୍ରା, ବନିତା, ସମଲେଶ୍ୱରୀ, ସୌରୀ, ସର୍ବାଦି, ଉତ୍କଳ, ସ୍ୱାତି, ଅର୍ଚ୍ଚନା, ଧରମା, ସୁନୀଲ, ଓଡ଼ିଶୀ, ପ୍ରଭାକର, ବରୁଣ, ଜୟ, ବିଭାବସୁ, ବିଶୁ, ନୀରଜ, କୋଣାର୍କ, ବାସୁଦେବ, କପିଳ, ରୁଦ୍ର, ଅଶୋକ ପ୍ରଭୃତି। କିନ୍ତୁ ଏସବୁ ୟୁନିକୋଡ୍ ନୁହେଁ। ଏହି ୟୁନିକୋଡ୍ ଲିଖନର ବ୍ୟବହାର ସମଗ୍ର ବିଶ୍ୱରେ ବ୍ୟବହୃତ। ତଥାପି ଓଡ଼ିଆ ଫଣ୍ଟ ବ୍ୟବହାରରେ କେତେକ ସମସ୍ୟା ପରିଲକ୍ଷିତ ହୁଏ। ଯଥା- ଅକ୍ଷର ଠିକ୍ ହିସାବରେ ଦେଖାନଯିବା, ସମସ୍ତ (ପୁରୁଣା) କମ୍ପ୍ୟୁଟରରେ ୟୁନିକୋଡ୍ ବ୍ୟବହାର ହୋଇ ନ ପାରିବା, ଫଣ୍ଟଗୁଡିକ ଉଚ୍ଚମାନର ନ ହେବା, ଏହାକୁ ପ୍ରସ୍ତୁତ କରିଥିବା କମ୍ପାନୀମାନେ ଆଇଏସ୍ଆଇ ମାର୍କ ନ ଦେବା, ଠିକ୍ ଭାବରେ ପରୀକ୍ଷିତ ହୋଇ ନ ଥିବା ପ୍ରଭୃତି।
ପିଡିଏଫ ଫର୍ମାଟରେ କୌଣସି ଦଲିଲକୁ ୱାର୍ଡ ଫାଇଲରେ ପ୍ରେରଣ କଲେ ତାହା କୋଡ଼ିଙ୍ଗ ହୋଇଯିବାର ସମ୍ଭାବନା ଥାଏ। ଏପରିକି ଦେଖାଯାଇଛି, ଯେ ଗୁଗୁଲ ଲିପି ମାଧ୍ୟମରେ ଆଇଫୋନ୍ରେ ଟାଇପ୍ କରିବା ବେଳେ ଯୁକ୍ତାକ୍ଷର ଯଥା- ଙ୍କ, ଙ୍ଖ, ଙ୍ଗ, ଙ୍ଘ, ଞ୍ଚ, ଞ୍ଛା, ଞ ପ୍ରଭୃତି ଲେଖିହୁଏ ନାହିଁ। ଏଗୁଡ଼ିକ ଅନୁସ୍ୱାର ପ୍ରୟୋଗ କରି ଲେଖିବା ସମ୍ଭବ ହୁଏ। କାରଣ ଏହି କୀବୋର୍ଡରେ ଙ,ଞ ନାହିଁ। କିନ୍ତୁ ଆଣ୍ଡ୍ରଏଡ୍ ଫୋନ୍ ଯେଉଁମାନେ ବ୍ୟବହାର କରନ୍ତି ସେମାନେ ‘ଅଂକ’କୁ ‘ଅଙ୍କ’ ବୋଲି ଲେଖିପାରନ୍ତି। ସେଥିନିମିତ୍ତ ସମସ୍ତ ମୋବାଇଲରେ ସବୁ ଅକ୍ଷରକୁ ଲେଖିପାରିବା ଭଳି ଫଣ୍ଟ ବା ଲିପି ପ୍ରସ୍ତୁତ ହେବା ଜରୁରି। ଏ ସମ୍ପର୍କରେ ଓଡ଼ିଶା ସରକାରଙ୍କ ତରଫରୁ ଓକାକ୍ (ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର) ଦ୍ୱାରା ଫଣ୍ଟ ପ୍ରସ୍ତୁତ ହେଉଥିବା ସୂଚନା ମିଳେ। ଏଆଇ ବ୍ୟବହାର କରି ଏହା ହୋଇପାରିବ। ଆମେ ଟାଇପ୍ କଲାବେଳେ ଅକ୍ଷରର ଆକୃତି ଉପରେ ଧ୍ୟାନ ଦେଇଥାଉ। ଯେତେବେଳେ ଆମେ ୧୨ ପଏଣ୍ଟର ଅକ୍ଷର କହୁ, ତାହା ହେଉଛି ଗୋଟିଏ ଇଞ୍ଚର ୬ ଭାଗରୁ ଏକ ଭାଗ। ତେଣୁ ଏକ ପଏଣ୍ଟ ହେଉଛି ଏକ ଇଞ୍ଚର ୭୨ଭାଗରୁ ଏକ ଭାଗ। ତେଣୁ କମ୍ପ୍ୟୁଟର ବିଜ୍ଞାନୀମାନେ ଏହି ପଏଣ୍ଟକୁ ଧ୍ୟାନ ଦେଇ ଫଣ୍ଟ ପ୍ରସ୍ତୁତ କରିଥାଆନ୍ତି। ଏଆଇ ବ୍ୟବହାର ଦ୍ୱାରା ଜେନେରିଟିକ୍ ଫଣ୍ଟ ପ୍ରସ୍ତୁତ ହୋଇପାରିବ। ଏ ଦିଗରେ ଅନେକ ବିଶାରଦ ଉଦ୍ୟମ କରୁଛନ୍ତି।
ଯାନ୍ତ୍ରିକ ଅନୁବାଦ
ଆଧୁନିକ ଯୁଗରେ ବିଜ୍ଞାନର ଅଗ୍ରଗତି ସହ ତାଳଦେଇ କମ୍ପ୍ୟୁଟର ମାଧ୍ୟମରେ ଯାନ୍ତ୍ରିକ ଅନୁବାଦ ସମ୍ଭବ ହୋଇପାରିଛି। ଭାରତକୁ ଭାଷା ମଧ୍ୟରୁ ଇଂରାଜୀକୁ ହିନ୍ଦୀ ଭାଷାର ଯାନ୍ତ୍ରିକ ଅନୁବାଦରେ ଯେଉଁ ପରିମାଣରେ ସଠିକତା ଦେଖାଯାଏ, ସେପରି ଓଡ଼ିଆ ଭାଷାରେ ସମପରିମାଣର ସଫଳତା ମିଳିନାହିଁ। ଏହି ଯାନ୍ତ୍ରିକ ଅନୁବାଦ ପ୍ରକ୍ରିୟା ବିକାଶର ପରିସର ହେଉଛି – (କ) ମୂଳ ଉତ୍ସରୁ ଅନ୍ୟ ଭାଷାକୁ ଅନୁବାଦ, (ଖ) ଶବ୍ଦ ବିଜ୍ଞାନ ମାଧ୍ୟମରେ ବିଶ୍ଳେଷଣ (ଗ) ଶବ୍ଦର ପ୍ରକାରଭେଦ ଅନୁସାରେ ଚିହ୍ନଟୀକରଣ (ଘ) ଶବ୍ଦର ବ୍ୟାଖ୍ୟାକରଣ (ଙ) ଶବ୍ଦର ଉତ୍ପତ୍ତୀକରଣ (ଚ) ଶବ୍ଦର ଶୁଦ୍ଧୀକରଣ ଓ ବିଶ୍ଳେଷଣ।
ଏହାର ତିନିଗୋଟି କ୍ଷେତ୍ର ରହିଛି। ଯଥା (୧) ନିୟମ ଅନୁଯାୟୀ ଯାନ୍ତ୍ରିକ ଉପକରଣ ମାଧ୍ୟମରେ ଅନୁବାଦ (୨) ବିଶ୍ଳେଷଣ ଓ ପରିସଂଖ୍ୟାନ ମାଧ୍ୟମରେ ଅନୁବାଦ (୩) ପୂର୍ବରୁ ଅନୁବାଦ କରାଯାଇଥିବା ଉଦାହରଣ ମାଧ୍ୟମରେ ଅନୁବାଦ। ଏଥି ନିମିତ୍ତ ବୈଷୟିକ ଗବେଷଣା ଓ ବିକାଶ ସହ ଭାଷାର ଗବେଷଣା ଓ ସମ୍ବଳ ବୃଦ୍ଧି ଅପରିହାର୍ଯ୍ୟ। ଅନୁବାଦ ନିମିତ୍ତ ଉଭୟ ଭାଷାର ବ୍ୟାକରଣ ଓ ଭାଷାତତ୍ତ୍ୱକୁ ତୁଳନା କରି ବିଭିନ୍ନ ସୂତ୍ର ନିରୂପଣ କରାଯାଏ।
ଭାରତ ଏକ ବହୁଭାଷୀୟ ରାଷ୍ଟ୍ର। ଏଠାକାର ଲୋକମାନେ ବିଭିନ୍ନ ଭାଷା ତଥା ଆଞ୍ଚଳିକ ଭାଷା ମାଧ୍ୟମରେ ଭାବର ଆଦାନ ପ୍ରଦାନ କରିଥାନ୍ତି। ସାହିତ୍ୟ, ବିଜ୍ଞାନ, ବାଣିଜ୍ୟ, ସାମ୍ବାଦିକତା ଭଳି ବିଭିନ୍ନ କ୍ଷେତ୍ରରେ ଯାନ୍ତ୍ରିକ ଅନୁବାଦର ଆବଶ୍ୟକତା ଅନୁଭବ କରାଯାଏ। ଗତ ବର୍ଷ ଡିସେମ୍ବର ୧୮ ତାରିଖରେ ନୂଆଦିଲ୍ଲୀରେ ‘ଭାଷାନ୍ତର-୨୦୨୩’ ଶୀର୍ଷକ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ତାହାର ବିଷୟ ଥିଲା – ‘ମଲ୍ଟିଲାଙ୍ଗୁଏଜ୍ ଇଣ୍ଟରନେଟ କନେକ୍ଟିଂ ପିପୁଲ ଆଣ୍ଡ ଟ୍ରାନ୍ସଫର୍ମିଂ ଲାଇଭ୍ସ’ (ବହୁଭାଷୀ ଇଣ୍ଟରନେଟ୍ ଲୋକଙ୍କୁ ସୁଯୋଗ ଓ ଜୀବନକୁ ପରିବର୍ତ୍ତନ)। ଏହି ସମ୍ମଳିନୀରେ ଗୁଗୁଲ, ମେଟା, ମାଇକ୍ରୋସଫ୍ଟ, ଟି.ଡି.ଆଇ.ଏଲ୍, ଭାଷିନୀ, ଅନୁବାଦିନୀ (ଏଫଆଇସିସିଆଇ) ଫିକି, ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ପ୍ରଭୃତି ଯୋଗ ଦେଇଥିଲେ। ବିଶେଷ କରି ଅନୁବାଦ ହିଁ ଥିଲା ଏହାର ମୁଖ୍ୟ ଆଲୋଚନା। କିନ୍ତୁ ଏହି ଅନୁବାଦ ପ୍ରକ୍ରିୟାରେ ଆମେ ଅନ୍ତତଃ ୮୦ ଭାଗରୁ ଊର୍ଦ୍ଧ୍ୱ ସଫଳ ହୋଇପାରିଛେ। ତେବେ ଏଆଇ ଏବଂ ମେସିନ୍ ଲର୍ଣ୍ଣିଂ ପ୍ରକ୍ରିୟା ଦ୍ୱାରା ଯେପରି ବିଶ୍ୱର ଅନ୍ୟଭାଷାଗୁଡିକୁ ନିର୍ଭୁଲ ଅନୁବାଦ କରିବା ପାଇଁ ସକ୍ଷମ ହୋଇପାରିଛନ୍ତି, ଆମକୁ ସେହିପରି ଓଡ଼ିଆ ଭାଷା ନିମିତ୍ତ ଅଧିକ ଗବେଷଣା କରିବାର ଆବଶ୍ୟକତା ରହିଛି।
ଡିଜିଟାଇଜେସନ୍
ଡିଜିଟାଇଜେସନ୍ ଏକ ବସ୍ତୁର ରୂପାନ୍ତରକୁ ବୁଝାଏ, ଯେପରି ମୁଦ୍ରିତ ପାଠ୍ୟ, ପାଣ୍ଡୁଲିପି, ପ୍ରତିଛବି, କିମ୍ବା ଧ୍ୱନି, ଚଳଚ୍ଚିତ୍ର, ଭିଡିଓ ରେକର୍ଡିଂ ପ୍ରଭୃତି ଗୋଟିଏ ରୂପରୁ ଅନୁରୂପରେ ପରିଣତ ହେବା। ଏହି ପ୍ରକ୍ରିୟା ହେଉଛି ମୂଳତଃ ଏକ ଭୌତିକ ବସ୍ତୁର “ଇଲେକ୍ଟ୍ରୋନିକ୍ ଫଟୋଗ୍ରାଫି” ପ୍ରସ୍ତୁତ କରିବା। ଏହାକୁ ସ୍କାନର୍ କିମ୍ବା ଡିଜିଟାଲ କ୍ୟାମେରା ବ୍ୟବହାର କରି ଏବଂ ଡିଜିଟାଲ ଫର୍ମାଟ୍ରେ ରୂପାନ୍ତରିତ କରି କମ୍ପ୍ୟୁଟରରେ ପ୍ରବେଶ କରାଯାଇପାରିବ। ଓଡ଼ିଆ ମୁଦ୍ରିତ ପାଠ୍ୟକୁ ଓସିଆର (ଓସିଆର୍ – ଅପ୍ଟିକାଲ କ୍ୟାରେକ୍ଟର ରେକଗ୍ନାଇଜେସନ) ମାଧ୍ୟମରେ ଡିଜିଟାଲ ପାଠ୍ୟରେ ପରିଣତ କରାଯାଇପାରିବ। ଏହି ଓସିଆର ବା ଅପ୍ଟିକାଲ ଅକ୍ଷର ଚିହ୍ନିବା ଯନ୍ତ୍ର ଦ୍ୱାରା ମୁଦ୍ରିତ ଦଲିଲଗୁଡିକୁ ଇଲେକ୍ଟ୍ରୋନିକ ଫର୍ମାଟରେ ବା ଡିଜିଟାଲ ତଥ୍ୟରେ ପରିଣତ କରାଯାଏ। ବହୁତ କମ୍ ଓସିଆର ଓଡ଼ିଆ ପାଇଁ ଉପଲବ୍ଧ। ଭାରତୀୟ ଭାଷା ବଙ୍ଗଳା, ମାଲାୟଲମ୍, କନ୍ନଡ଼, ଓଡ଼ିଆ, ତାମିଲ ଏବଂ ତେଲୁଗୁ ପାଇଁ ଓସିଆର ଅଛି ବୋଲି କେତେକ ଦାବି କଲେ ମଧ୍ୟ ଓଡ଼ିଆ ଭାଷା ନିମନ୍ତେ ଯାହା ରହିଛି, ସେଥିରେ ଠିକ୍ ଭାବରେ ଭାଷା ଚିହ୍ନଟ କରିବା ବହୁତ କମ୍। ଓସିଆର ବିକାଶ କ୍ଷେତ୍ରରେ ଓଡ଼ିଆ ଭାଷା ନିମନ୍ତେ ଆମେ ପଛୁଆ ରହିଛେ। ଅନ୍ୟ ଏକ ସମସ୍ୟା ହେଉଛି ଭଲ ଅତ୍ୟାଧୁନିକ ସ୍କାନରର ଉପଲବ୍ଧତା ଏବଂ ସେଗୁଡିକୁ ବ୍ୟବହାର କରିବାକୁ ପାରଦର୍ଶିତା। କେବଳ ଇମେଜ୍ ଫର୍ମରେ ବହି ସ୍କାନିଂ ଏବଂ ତାହାକୁ କମ୍ପ୍ୟୁଟରରେ ପ୍ରବେଶ କରିବା ବିଶେଷ ସାହାଯ୍ୟ ନ କରିପାରେ। ଏହା ଦ୍ୱାରା ସଂରକ୍ଷଣ କରିବାରେ ଅଧିକ ମେମୋରୀ ସ୍ଥାନର ଅଭାବ ପରିଲକ୍ଷିତ ହେବ। ଏଥି ନିମିତ୍ତ ଓସିଆର ଏକ ଉତ୍ତମ ପ୍ରଯୁକ୍ତି ବିଦ୍ୟା ଅଟେ। ଏହା ହିଁ ଉପଭୋକ୍ତାମାନଙ୍କ ପାଇଁ ଉତ୍ସାହଜନକ ହୋଇପାରେ।
ପ୍ରୟୋଗାତ୍ମକ ବିନ୍ଦୁ
ପରିଶେଷରେ ଓଡ଼ିଆ ଭଷାର ବିକାଶ ନିମନ୍ତେ କମ୍ପ୍ୟୁଟର ପ୍ରୟୋଗ ସମ୍ପର୍କରେ ନିମ୍ନରେ ଅନ୍ୟ କେତେକ ବିନ୍ଦୁ ପ୍ରଦତ୍ତ ହେଲା।
(୧) ୟୁନିକୋଡ୍ରେ ଓଡ଼ିଆ ଭାଷାର ପାଠ୍ୟ (କର୍ପସ୍ ଭାବରେ) ବିକାଶ – ଯଥା ଖବରକାଗଜ, ପତ୍ରିକା, ୱେବସାଇଟ୍, ବହି ଇତ୍ୟାଦି ପରବର୍ତ୍ତୀ ପ୍ରକ୍ରିୟାକରଣ ପାଇଁ ଏକ ଆଧାର ସୃଷ୍ଟି କରିବା।
(୨) ଓଡ଼ିଆ ଭାଷା ପାଇଁ ଏକ ଭଲଗୁଣର ଓସିଆରର ବିକାଶ। ଏହା ଅନ୍ୟାନ୍ୟ ଉପଯୋଗିତା ବ୍ୟତୀତ ପୂର୍ବରୁ ଥିବା ପାଠ୍ୟଗୁଡ଼ିକୁ ପୁନରୁଦ୍ଧାର ନିମିତ୍ତ ଉପଯୋଗୀ ହେବ। ତ୍ରୁଟି ଖୁବ୍ କମ୍ କରିବାକୁ ହେବ। ଏଥି ନିମିତ୍ତ ଡିପ୍ ଲର୍ଣ୍ଣିଂ (ଗଭୀର ଶିକ୍ଷା) ଆଲଗୋରିଦମ୍ ବ୍ୟବହାର ପାଇଁ ପ୍ରୟାସ କରାଯିବ।
(୩) କର୍ପସ୍ ଓ ଅନ୍ୟାନ୍ୟ ବିଦ୍ୟମାନ ସାମଗ୍ରୀ ଉପରେ ଆଧାରିତ ସମସାମୟିକ ଓଡ଼ିଆ ଭାଷାର ଏକ ଇ-ଅଭିଧାନ (ପରେ ହାର୍ଡ କପି) ପ୍ରସ୍ତୁତ ହେବ। ଏଥିରେ ଶବ୍ଦକୋଷ ପ୍ରଣୟନ ବିଦ୍ୟା (ଟେକ୍ସିକୋଗ୍ରାଫି)ର ନୀତିଗୁଡ଼ିକ ଅନୁସରଣ କରାଯିବ। ଏହା ଅନେକ ପ୍ରୟୋଗ ପାଇଁ ଏକ ଆଧାର ସୃଷ୍ଟି କରିବା ପାଇଁ ଏକ ଶବ୍ଦକୋଷ ସୃଷ୍ଟି କରିିବ। ଏହା ବହୁଭାଷୀ ଅନୁବାଦ ପାଇଁ ଅତ୍ୟନ୍ତ ଉପଯୋଗୀ ମଧ୍ୟ ହେବ।
(୫) ଓଡ଼ିଆ ଭାଷାରେ ଜ୍ଞାନ-ବିଷୟବସ୍ତୁକୁ ବହୁଗୁଣିତ କରିବା ଏବଂ ଓଡ଼ିଆ ଭାଷା ବ୍ୟବହାରରେ ବିସ୍ତାର କରିବା ପାଇଁ ଏନ୍.ଏଲ୍.ପି (ନ୍ୟଚୁରାଲ୍ ଲାଙ୍ଗୁଏଜ୍ ପ୍ରୋସେସିଂ) ପ୍ରୟୋଗ ଯାନ୍ତ୍ରିକ ଅନୁବାଦ ପରି ବିକଶିତ ହେବ।
(୬) ବକ୍ତବ୍ୟ ପ୍ରକ୍ରିୟାକରଣ ନିମିତ୍ତ ଓଡ଼ିଆ ଭାଷା ବକ୍ତବ୍ୟ କର୍ପସ୍ ପ୍ରକ୍ରିୟାକରଣ ହେବ। ଏହାର ଲକ୍ଷ୍ୟ ହେଉଛି, ବକ୍ତବ୍ୟ ପ୍ରଯୁକ୍ତି ପ୍ରୟୋଗ ପାଇଁ ଅତିରିକ୍ତ ଉତ୍ସଗୁଡିକର ବିକାଶ ଯଥା : ଉଚ୍ଚାରଣ ଅଭିଧାନ।
(୭) ଓଡ଼ିଆ ଭାଷାର ବହୁମୁଖୀ ବ୍ୟବହାର ନିମିତ୍ତ ବିଭିନ୍ନ ଭାଷା ମଡେଲଗୁଡିକର ବିକାଶ।
(୮) ଓଡ଼ିଆ ଭାଷାରେ ବକ୍ତବ୍ୟ ସ୍ୱୀକୃତି ପାଇଁ ସ୍ୱୟଂଚାଳିତ ବକ୍ତ୍ୟତା (ଏଏସ୍ଆର୍) ବିକାଶ।
(୯) ଓଡ଼ିଆ ଭାଷା ପାଇଁ ଏକ ଭଲ ଗୁଣବତ୍ତା ଟେକ୍ସଟ ଟୁ ସ୍ପିଚ୍ (ଟିଟିଏସ୍) ସିଷ୍ଟମର ବିକାଶ କରିବା।
(୧୦) ଏଆଇ ପ୍ରୋଜେକ୍ଟ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ପ୍ରକଳ୍ପ ସହ ବ୍ୟବସାୟ ଦୃଷ୍ଟିରୁ ବିଶ୍ୱ ଦରବାରରେ ତାହା ଉପଲବ୍ଧ ହେବା।
ଏଗୁଡ଼ିକ ହେଉଛି କେବଳ ମୌଳିକ ଲକ୍ଷ୍ୟ। ଏହାର ଉପଯୋଗିତା ସାମାଜିକ ଏବଂ ବ୍ୟାବସାୟିକ ମୂଲ୍ୟବୋଧକୁ ବହୁଳ କରିପାରିବ। ଫଳରେ ଓଡ଼ିଆ ଭାଷାର ବିକାଶ ସମ୍ଭବ ହେବ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଏପ୍ରିଲ, ୨୦୨୪ ସଂଖ୍ୟାରେ ପ୍ରକାଶିତ।)
ଓଡିଆ ଭାଷା ଏବେ ବହୁ କ୍ଷେତ୍ରରେ ଅଗ୍ରଣୀ ହେଲାଣି। ଡିଜିଟାଇଜେସନରେ ମଧ୍ୟ ଢେର ଆଗରେ ଓଡିଆ ଭାଷା। ଯେଉଁ କିଛି ତ୍ରୁଟିବିଚ୍ୟୁତି ରହୁଛି, ଅଳ୍ପ କିଛି ବର୍ଷ ମଧ୍ୟରେ ସମାଧାନ ହୋଇଯିବ ବୋଲି ଆଶା।