ଷଷ୍ଠାଷ୍ଟମ*

ଆଜିର ସାହିତ୍ୟିକ ନିଜକୁ ଭାଷା-ଧର୍ମରାଜ ବୋଲାଇ ସାହିତ୍ୟ-ପାଞ୍ଚାଳୀକୁ ବନ୍ଧକ ରଖେ।

ପ୍ରଶାନ୍ତ ଭୂୟାଁ

“ତୃଣରୁ ବିନମ୍ର ବୋଲାଅ; ବୃକ୍ଷ ତହୁଁ ସହିଷ୍ଣୁ ହୁଅ।”
ସ୍ୱର୍ଗତ କବି ମାଧବ ପଟ୍ଟନାୟକଙ୍କ ବିରଚିତ ଓ ପ୍ରାଚୀନ ତାଳପତ୍ର ପୋଥିରୁ ସମ୍ପାଦିତ ପୁସ୍ତକ ‘ବୈଷ୍ଣବ ଲୀଳାମୃତ’ ପଢ଼ିଲା ବେଳେ ଏଇ ପଦଟି ଛୁଇଁଥିଲା ଓ ପଢ଼ିଥିଲି ବାରମ୍ବାର। କେତେ ସହଜ ଓ ସରଳ ଭାବରେ ଏଇ ଅମୂଲ୍ୟ ଜୀବନ ଦର୍ଶନ ଲେଖା ହୋଇଛି।
ତୃଣାଦପି ସୁନୀଚେନ ତରୋରିବ ସହିଷ୍ଣୁନା ;
ଅମାନିନା ମାନଦେନ କୀର୍ତ୍ତନୀୟ ସଦା ହରିଃ।

ଶ୍ରୀଚୈତନ୍ୟ ଚରିତାମୃତ; ଆଦିଲୀଳାର ୧୭ ଅଧ୍ୟାୟର ୩୧ ପଦରେ ଲେଖା ଅଛି ଏଇ କଥା। ପ୍ରତ୍ୟେକ ସାହିତ୍ୟ ସାଧକ ଓ ସେବକଙ୍କ ପାଇଁ ଏହା ଏକ ଅଭିଳାପ। ସାହିତ୍ୟ ତ୍ରିଭୁଜର ଶୀର୍ଷ ଓ କେନ୍ଦ୍ରବିନ୍ଦୁରେ ଥିବା ପ୍ରତ୍ୟେକ ସୁଧୀଙ୍କ ପାଇଁ ଏହିପରି ଅନେକ ଅବବୋଧର କଥା ଅଛି ଯାହା ସାହିତ୍ୟର କ୍ଷେତ୍ରପୂଜା ନିମନ୍ତେ ତ୍ରିଧୂପ-ପଞ୍ଚାବକାଶ ପ୍ରାୟେକ।
ସାହିତ୍ୟ ସଂସାରର ଷଷ୍ଠାଷ୍ଟମ କଥା ଆଜିକାଲିର ନୁହଁ, ବରଂଚ କେଉଁ ଆଦିଯୁଗରୁ ଚାଲି ଆସିଛି। ଅନ୍ୟୋଽନ୍ୟ – ଷଷ୍ଠାଷ୍ଟମ ଯୋଗ ଦୁଇଟି ରାଶି ବା ଗ୍ରହ ପରସ୍ପର ଯଥାକ୍ରମେ ଷଷ୍ଠ ଓ ଅଷ୍ଟମ ଘରେ ଥିବାର ଅବସ୍ଥା। ଏହି ଗ୍ରହଦଶାଜନିତ ମନ୍ଦଯୋଗରେ ମନୁଷ୍ୟକୁ ନାନା ଆପଦ ଘଟିଥାଏ। ଏଇ ଷଷ୍ଠାଷ୍ଟମ; କେତେବେଳେ ଲେଖକ ଓ ପାଠକ ତ କେତେବେଳେ ଏହା ସାହିତ୍ୟ ଓ ସମାଲୋଚକଙ୍କ ଚୈତନ୍ୟଗତ ମତ ପାର୍ଥକ୍ୟ ହେତୁ ସମ୍ଭବ ହେଉଛି ସାହିତ୍ୟ ଜଗତରେ। କେଉଁଠି ଓଡ଼ିଆ ବର୍ଣ୍ଣମାଳାରେ ଅକ୍ଷର ସଂଖ୍ୟା ନେଇ ସଂଶୟ! କିଏ ଖଣ୍ଡଖୀରିକୁ ଖଣ୍ଡଗିରି କରିଦେଲାଣି ତ କିଏ ଯଜ୍ଞପୁରକୁ ଯାଜପୁର; କିଏ ସାରଳାକୁ ସାରୋଳା ଭାବେ ଉପସ୍ଥାପନା କଲାଣି ତ କିଏ କାନ୍ତକବିଙ୍କୁ କଣ୍ଠକବି। ଭାଷା ଓ ସାହିତ୍ୟର ଏହି ଷଷ୍ଠାଷ୍ଟମ ଅବସ୍ଥାରେ ସାହିତ୍ୟ ଓ ପାଠକଙ୍କ ଦୁର୍ଦ୍ଦଶାର ନେଡ଼ିଗୁଡ଼ କହୁଣୀକୁ ବୋହିଲାଣି। ଏଣୁ ସାହିତ୍ୟର ପ୍ରତ୍ୟେକ ବିଭାଗ ଓ ସ୍ତର ଅବକୀର୍ଣ୍ଣ ସ୍ଥିତିରେ। ଏଣୁତ ବିରଳ ସୁସାହିତ୍ୟ ଓ ପ୍ରକୃତ ରସଗ୍ରାହୀ ଆମ ଭାଷାର। ଏଣୁ ଲେଖକ, ପାଠକ, ପ୍ରକାଶକ ଓ ସମାଲୋଚକ ସଭିଙ୍କୁ ସାହିତ୍ୟର ପରମାୟୁ ବଢ଼ାଇବାକୁ ହେଲେ ଭାଷା ଓ ବୋଧର ମହାଦଶା, ଅନ୍ତର୍ଦ୍ଦଶା, ପ୍ରତ୍ୟନ୍ତରଦଶା ସବୁକୁ ସମଝିବାକୁ ହେବ, ସୁଧୀବୃନ୍ଦ।
ଅତୀତରେ ରାଜାରାଜୁଡ଼ାଙ୍କ ପୃଷ୍ଠପୋଷକରେ ପ୍ରଶସ୍ତି ପାଇ ଆସିଥିବା ସାହିତ୍ୟ ଆମ ପାଇଁ ସାଇତି ରଖିଛି ସର୍ଜନା ସମଗ୍ରର ଗନ୍ତାଘର। ହେଲେ, ସାହିତ୍ୟ ପରିବାରର ଅଧିକାଂଶ ଉତ୍ସାହିତ ନିଜର ଅଣ୍ଟିମୁଣିରେ ଆପଣା ସ୍ୱାର୍ଥର ଧନ ସବୁ ହାତେଇବା ପାଇଁ। ନୈଷ୍ଠିକ ସାହିତ୍ୟପ୍ରେମୀମାନେ ଏଇ ରାଜନୀତି ଗଳିକନ୍ଦିର ଅବଡ଼ଙ୍ଗରେ ବିକି ହେବାରେ ଲାଗିଛନ୍ତି। ଷଷ୍ଠାଷ୍ଟମର ଏଇ ଅବଡ଼ଙ୍ଗରେ କିଣାବିକା ସରେନି ସାହିତ୍ୟିକର; ସେ କିଣେ, ଆହୁରି କିଣେ, ଅଧିକ କିଣେ, ନିଜର ସାମର୍ଥ୍ୟକୁ ହଜେଇ କିଣେ। କେବେକେବେ ବିକି ହୋଇଯାଏ ଏଇ କିଣାବିକାରେ। ନିଜକୁ ବନ୍ଧକ ରଖେ; ଭାଇ-ବନ୍ଧୁ-କୁଟୁମ୍ବକୁ ବନ୍ଧକ ରଖେ। ନିଜକୁ ଭାଷା ଧର୍ମରାଜ ବୋଲାଇ ସାହିତ୍ୟ ପାଞ୍ଚାଳୀକୁ ବନ୍ଧକ ରଖେ। ଅବଡଙ୍ଗରେ ରୋଳ ଉଠେ; ସାହିତ୍ୟ ପଣ୍ୟଦ୍ରବ୍ୟ ହୋଇଯାଏ। ସାହିତ୍ୟ ବିକିବା ଲୋକ ପୁରସ୍କାର/ ଫଳକ ବାନ୍ଧିନିଏ ନିଜ ଲାଳସାର ପୁଟୁଳିରେ। ଉପାଧି ଓ ସମ୍ମାନ କିଣିବା ଲୋକ ନିଜକୁ ସମର୍ପି ଦିଏ ଦୁଃଖ, ଯନ୍ତ୍ରଣା, ଈର୍ଷା, ହିଂସାର ମହାଜନ କତିରେ। କାହାକୁ ବିଳାସର ରିହାତି ମିଳେ; କାହାକୁ ବ୍ୟସନର ସୁଖବୋଧ ହୁଏ। ଏଇ ରିହାତି ଆଉ ସୁଖବୋଧ ଭିତରେ ସର୍ଜନା ଢୁଙ୍କୁରାଏ।
ଷଷ୍ଠାଷ୍ଟମ ପ୍ରସଙ୍ଗକୁ ବୁଝି ସାହିତ୍ୟ ସଂସାରରେ ଅମୃତଯୋଗ ଆଣିବାକୁ ହେଲେ ଆମକୁ ‘ସସେମିରା’ ଉପାଖ୍ୟାନର ଜ୍ଞାନ ଥିବା ମଧ୍ୟ ଆବଶ୍ୟକ। ଏଣୁ ବୁଝନ୍ତୁ ଏବେ କାଳିଦାସ, ଭୋଜରାଜା, ରାଣୀ ଭାନୁମତୀ, ଓ ମହାମନ୍ତ୍ରୀଙ୍କ କଥା। ପଢ଼ନ୍ତୁ। ସବୁ କଥା ଆମେ କିଆଁ ବଖାଣିବୁ। ସହିତ ତଥା ସ-ହିତର କଥା ହିଁ ସାହିତ୍ୟର କଥା। ସ୍ୱାଧ୍ୟାୟକୁ ବଳବତ୍ତର କରି ରଖନ୍ତୁ ସଭିଏଁ।

-ପ୍ରଭୂ

* ଷଷ୍ଠାଷ୍ଟମ – ଜ୍ୟୋତିଷ ଗଣନା କ୍ରମେ ଷଷ୍ଠ ଓ ଅଷ୍ଟମ ସ୍ଥାନରେ ସ୍ଥିତିଜନିତ ଅଶୁଭ ଯୋଗ।

(‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ମାର୍ଚ୍ଚ, ୨୦୨୪ ସଂଖ୍ୟାରେ ପ୍ରକାଶିତ ନିୟମିତ ସ୍ତମ୍ଭ । )

2 thoughts on “ଷଷ୍ଠାଷ୍ଟମ*

  1. ପ୍ରତି ମାସ ଶ୍ରୀ ପ୍ରଶାନ୍ତ ଭୂୟାଁ ଶେଷ ପୃଷ୍ଠାରେ ଗୋଟିଏ ଗୋଟିଏ ନୂଆ ଶବ୍ଦକୁ ନେଇ ବିସ୍ତୃତ ବ୍ୟାଖ୍ୟା କରିଥାନ୍ତି। ଷଷ୍ଠ ଏବଂ ଅଷ୍ଟମ ଶବ୍ଦକୁ ମିଶାଇ ଷଷ୍ଠାଷ୍ଟମ ଶବ୍ଦର ବିସ୍ତୃତ ବ୍ୟାଖ୍ୟା କରିଛନ୍ତି। ଏହି ନୂତନ ଶବ୍ଦ ସମ୍ପର୍କରେ ବହୁତ ତଥ୍ୟ ମିଳିଲା।

  2. ଭାଷା ବିନ୍ୟାସ, ପୂରାଣରୁ ବେଦ, କବିତାରୁ ଗଳ୍ପ , ନୀତିକଥାରୁ ସାମ୍ପ୍ରତିକ ଚର୍ଚ୍ଚା ଆଦି ପ୍ରସଙ୍ଗକୁ ସରଳ ଓ ସାବଲୀଳ ତଥା ନିଜସ୍ୱ ଉପସ୍ଥାପନ ମାଧ୍ୟମରେ କେବଳ କେବଳ ପ୍ରଶାନ୍ତ ବାବୁହିଁ ଉପସ୍ଥାପନ କରିଥାନ୍ତି ତାଙ୍କ ‘ଶେଷ ପୃଷ୍ଠା’ରେ। ସବୁଠାରୁ ବଡ଼କଥା ହେଉଛି ଶ୍ରୀ ଭୁୟା୍ଁ ତାଙ୍କର ସ୍ତମ୍ଭରେ ସର୍ବଦା ଏକ ନୂତନ ବା ପ୍ରାୟତଃ ବ୍ୟବହାର ହେଉ ନଥିବା ଏକ ଯୁଗ୍ମ ଶବ୍ଦର ବ୍ୟବହାର କରି ସେହି ଶବ୍ଦର ଅର୍ଥ ମଧ୍ୟ ବୁଝାଇଥାନ୍ତି ପାଠକମାନଙ୍କ ପାଇଁ। ଚମତ୍କାର ଉପସ୍ଥାପନା।

Leave a Reply

Your email address will not be published. Required fields are marked *