ଆଜିକାଲି ସବୁ ସାହିତ୍ୟ ସଭାରେ କବି ଲେଖକମାନେ ମୁଣ୍ଡବାଡ଼େଇ ହେଉଛନ୍ତି, କେହି ପଢୁନାହାନ୍ତି ତାଙ୍କ ଲେଖା।
ସ୍ୱାମୀ ଅଭୟାନନ୍ଦ ରିସର୍ଚ୍ଚ ଫାଉଣ୍ଡେସନରେ ସରଗରମି ଏମିତି ବଢ଼ିଯାଇଛି ଯେ ନ କହ! କଥା କ’ଣ କି, ଗୋଟାଏ ବିଜନେସ୍ ଷ୍ଟ୍ରାଟେଜି, ଯେମିତି ମୁଣ୍ଡ ଭିତରେ ପଶି ଘାଣ୍ଟିପକାଉଛି! ଅଭୟ ଦାଶ ଏଇ କେତେଦିନ ହେଲା ଖାଇବା ପିଇବା ଛାଡ଼ିଦେଇଛି। ଶୟନେ ସ୍ୱପନେ ଜାଗରଣେ, ସେଇ ଗୋଟିଏ ଚିନ୍ତା ଖାଇ ଯାଉଛି। “ଚିନ୍ତା ଖାଏ ଗଣ୍ଡି, ଲୁଣ ଖାଏ ହାଣ୍ଡି!” ଆଜିକାଲିକା ପିଲାଏ, ଏ କଥା ବୁଝି ପାରିବେ ନାହିଁ। ସେମାନେ ନା ସେ ଲୁଣ ଦେଖିଲେ, ନା ହାଣ୍ଡି! କେତେ ପ୍ରକାର କମ୍ପାନୀ ଲୁଣ, ପୁଡ଼ିଆରେ ବାନ୍ଧି ବିକୁଛନ୍ତି। ସେ ପୁଣି ଟାଟା, ଅଦାଣି, ଅମ୍ବାଣି ଏଇ କାଟର କମ୍ପାନୀ। ଆମ କଟକର ଫଗୁଖୁଣ୍ଟିଆ କି ପୁରୀର ପାତ୍ର କମ୍ପାନୀ ନୁହେଁ। ସେ କାଇଦାଟା ଏମାନେ ବ୍ରିଟିଶ୍ ସରକାରଠାରୁ ପାଇଯାଇଛନ୍ତି ବୋଧହୁଏ? ବ୍ରିଟିଶ୍ କମ୍ପାନୀ କରିବାରୁ ସିନା ଗାନ୍ଧୀ ମହାତ୍ମା ଲବଣ ସତ୍ୟାଗ୍ରହ ଆରମ୍ଭ କରିଦେଲେ? ସେ ଲୁଣ କ’ଣ ଏମିତି ଥିଲା? ସିଧା ସମୁଦ୍ରର ଉପଜ ଥିଲା ଏ ଲୁଣ। କେତେ ଗରିବର ପଖାଳକଂସାର ସାଥୀ ଥିଲା ଏ ଲୁଣ।
ଲୁଣ ପ୍ରକରଣ
ଆମେ ପିଲାଦିନେ ଦେଖିଛୁ ଲୁଣବୋଝେଇ ନାଆ ଆସି ଆମ ବଡ଼ନଈରେ ଲାଗେ, ଏଇ ଶୀତଦିନେ। ଖବରପାଇ ଆମର ଚାକର କୋଠିଆମାନେ, ଟୋକେଇ ବେତା ନେଇ ନଈ କୂଳରୁ ବୋହିଆଣନ୍ତି। ଦୁଇ ଟଙ୍କାରେ ବେତାଏ ଲୁଣ। ସେ ଲୁଣର ଦାନା ଥିଲା ଛୋଟ ଛୋଟ ମିଶ୍ରିଖଣ୍ଡ ଭଳି। ଗୋଡ଼ାଲୁଣ କହୁଥିଲେ ତା’ର ଆକାରକୁ ଦେଖି। ଗୁଡାଏ ସଫା ଲୁଣ ଓ ଗୁଡାଏ ମାଟିଆ ଲୁଣ ଥିଲା। ଏତେ ରିଫାଇନ୍ ନ ଥିଲା ସେ ଲୁଣ। ସେଥିରେ ପ୍ରାକୃତିକ ସୋଡ଼ିୟମ କ୍ଲୋରାଇଡ. ଆୟୋଡିନ୍, ଫସଫରସ୍ ପର୍ଯ୍ୟାପ୍ତ ମାତ୍ରାରେ ଉପଲବ୍ଧ ଥାଏ। ବର୍ତ୍ତମାନର ରିଫାଇନ୍ ଲୁଣରେ ଆୟୋଡିନ୍ ମିଶାଯାଉଛି। ସେ ଲୁଣ ଯଦି କାନ୍ଥର ସଂସ୍ପର୍ଶରେ ଆସିଲା ମାନେ ସେ କାନ୍ଥ ଗଲା। ସେଥିପାଇଁ ସେ ଲୁଣକୁ ମାଟିହାଣ୍ଡି ବା ମାଟି ବଣାରେ ରଖି, ତା ମୁହଁକୁ ତେଲୁଣି ବା ବଡ଼ ସରାରେ ଘୋଡ଼ାଇ ମାଟିରେ ଲିପି ଦୁଆର ଅଗଣାରେ ରଖାଯାଉଥିଲା। ଆବଶ୍ୟକତା ଅନୁସାରେ ଲୁଣକୁ ଲୁଣକାଠୁଆରେ ରଖାଯାଉଥିଲା। ସେ ଲୁଣହାଣ୍ଡିର ଅକାଳ ମୃତ୍ୟୁ ହେଉଥିଲା ଜାଣନ୍ତୁ। ସେଥିଲାଗି କହନ୍ତି ଲୁଣ ଖାଏ ହାଣ୍ଡି। ଆଜିର ଆପାର୍ଟମେଣ୍ଟ ଲିଭିଂରେ ହାଣ୍ଡି, ଲୁଣକାଠୁଆର ସ୍ଥାନ କାହିଁ? ମ୍ୟୁଜିଅମ୍ରେ ଦେଖିପାରିବେ। ଅଜୟ ମିଶ୍ରଙ୍କ ମିଶ୍ରଶାଳ ହେଉ କି ବଡ଼କୁଳର ଓଡିଆର୍ଟ ମ୍ୟୁଜିଅମ୍।
ଅଭୟ ଦାଶ ଏବେ ଟିକିଏ ରିକଭର କଲାପରି ଜଣାଯାଏ। ତା’ ମୁଣ୍ଡକୁ ବିଜନେସ୍ ଆଇଡ଼ିଆ ଆସିଯିବାରୁ, ଭାବୁଛି କ’ଣ ଗୋଟାଏ କରିପକେଇବ! ବହୁଦିନ ତଳର କଥା, ସେତେବେଳେ ଛ’ଅଣା ଦି’ ପଇସାରେ ବହୁତ ଜିନିଷ ମିଳୁଥିଲା। କମ୍ପିଟେସନ ଏତେ ଷ୍ଟ୍ରଙ୍ଗ୍ ହେଲା ଯେ ଆଉ ଗୋଟାଏ କିଛି ଫ୍ରି’ରେ ମିଳିବା ଆରମ୍ଭ ହେଲା। ସମ୍ବଲପୁର ବସଷ୍ଟାଣ୍ଡରେ ବୁଲାଦୋକାନୀ ଜଣେ, ଗୋଟାଏ ପାଉଁରୁଟି ସାଙ୍ଗରେ ଗୋଟାଏ ପାନିଆ ଫ୍ରି’ରେ ଦେବା ଆମେ ଦେଖିଛୁ। ସେଇ ଯେଉଁ ଲୁଣ କଥା କହୁଥିଲେ, ସେ କମ୍ପାନୀ ଲୁଣ ସାଙ୍ଗରେ ଗୋଟାଏ ଡବା ଫ୍ରି’ରେ ମିଳିଲା ଯେ ଲୁଣହାଣ୍ଡି ଲୁଣକାଠୁଆ ଆମ ଘରମାନଙ୍କରୁ ବିଦାୟ ନେଲେ। ଖାଇବା ଟେବୁଲ ଉପରକୁ ଚଢ଼ିଲା ମୁଣ୍ଡ କଣା ଡବା, ଲୁଣର ଷ୍ଟାଟସ୍ ବଢି ଯାଇ ହେଲା ଟେବୁଲ୍ ସଲ୍ଟ୍। ସେ ପୁରୁଣାକାଳିଆ ଲୁଣ ଗାଈଗୋରୁଙ୍କ ପାଇଁ ଉଦ୍ଦିଷ୍ଟ ହେଲା।
ତା’ର ଅନେକ ବର୍ଷ ପରେ ଆସିଲା ‘ବାଏ ୱାନ୍ ଗେଟ୍ ୱାନ୍ ଫ୍ରି’ ସ୍କିମ୍। ସେ ଫ୍ରି ସ୍କିମ୍ ବ୍ୟାଧି ବଢ଼ିବାରୁ କିଛି ରେଡିମେଡ୍ ପୋଷାକ କମ୍ପାନୀ ଆଉ ଦୁଇପାଦ ଆଗକୁଯାଇ ଲେଖିଗଲେ ‘ବାଏ ଥ୍ରି ଗେଟ୍ ଫୋର୍ ଫ୍ରି’। ଭାବନ୍ତୁନି ସତରେ ଚାରିଟା ଫ୍ରି? ସବୁ ପଇସା ତୁମରି ମୁଣ୍ଡରେ। ଅଭୟ ଦାଶ ଭାବୁଥାଏ ଟିକିଏ ବେଶି ହୋଇଗଲା; ଏମିତି କିଏ ଫ୍ରି’ରେ ଦିଏ? କମ୍ପାନୀ ଚାଲିବଟି?
ବହି ପଢ଼ନ୍ତି କିଏ?
ଆଜିକାଲି ସବୁ ସାହିତ୍ୟ ସଭାରେ କବି ଲେଖକମାନେ ମୁଣ୍ଡବାଡ଼େଇ ହେଉଛନ୍ତି, କେହି ପଢୁନାହାନ୍ତି ତାଙ୍କ ଲେଖା। କେହି କିଣୁନାହାନ୍ତି ତାଙ୍କ ବହି। ଆମ ଅଭୟାନନ୍ଦ ରିସର୍ଚ୍ଚ କହେ ଆମ କେସ୍ ଷ୍ଟଡି ଅନୁସାରେ ଆପଣ ଯଦି କାହାକୁ ସୌଜନ୍ୟମୂଳକ କପିଖଣ୍ଡେ ଦେଲେ, ଜାଣନ୍ତୁ ପାଣିରେ ପଡିଲା। ସେ ବହି ଖଣ୍ଡିକ ତାଙ୍କ ଘରର ସମସ୍ତ ଧୂଳି ଭିତରେ ନିଜକୁ ବୁଡ଼ାଇ, ଖବରକାଗଜମାନଙ୍କ ସାଙ୍ଗରେ ହଜିଯିବ କବାଡ଼ି ବଜାରରେ। ଯିଏ ଟଙ୍କା ପଚାଶ କି ଶହେ ଦେଇଥିବ ନିହାତି ଦୁଇପୃଷ୍ଠା ପଢ଼ିବ। ନ ହେଲେ ବହିଛପା ସାଙ୍ଗକୁ ଚାହା ଜଳଖିଆ, “କୀର୍ତ୍ତନୀଆଙ୍କ ଆଡୁ ବାଳଭୋଗ” ସମାନ।
ଏଇ ରିସର୍ଚ୍ଚରୁ ସଂଗ୍ରହ କରିଥିବା ଅନୁଭବକୁ ନେଇ ଅଭୟ ଦାଶ ଏଥର ନିଜର ନୂଆବହିର ମୂଲ୍ୟ ରଖିଛି ଶହେ ଟଙ୍କାରେ ବହି ସାଙ୍ଗକୁ ଗୋଟାଏ ପାନିଆଁ ଫ୍ରି। ଚାହା ଜଳଖିଆ ସରିଗଲା ପରେ ସେ ବହିଟେବୁଲ ଆଡ଼କୁ କାହାରି ଦୃଷ୍ଟି ଗଲାନାହିଁ। କେତେକ ପ୍ରାପ୍ତବୟସ୍କ ଅର୍ଦ୍ଧଲଣ୍ଡିତ ମୁଣ୍ଡରେ ହାତବୁଲାଇ ଭାବନ୍ତି, ପାନିଆଁ? ଅଭୟ ଦାଶ ଭାବୁଥାଏ ଆଉ କ’ଣ, ମାରୁତି କାର୍ ଦେଇଥାଆନ୍ତା? ମନେ ମନେ ମୁଣ୍ଡବାଡେଇ ହେଉଥାଏ, ଆଉ ହେବନି! ବହୁତ ହେଲାଣି ଏ ପରୀକ୍ଷଣ। ଜାଣନ୍ତୁ ସ୍ୱାମୀ ଅଭୟାନନ୍ଦର ରିସର୍ଚ୍ଚ କ୍ରାସଲ୍ୟାଣ୍ଡ କରିଗଲା। ବେଶି ଫ୍ରି, ସେଇ ଟଙ୍କିକିଆ ଚାଉଳ ସ୍କିମ ଭଳିଆ ହୋଇଯିବ ଭାବୁଥାଏ ଅଭୟ ଦାଶ। ଆଉ ଗୋଟାଏ ଷ୍ଟ୍ରାଟେଜିକୁ ଯାଇ ଦେଖିବା?
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଏପ୍ରିଲ, ୨୦୨୪ ସଂଖ୍ୟାରେ ପ୍ରକାଶିତ।)
ବାସ୍ତବ ଚିତ୍ରଣ ପୂର୍ବକ ଆପଣଙ୍କ ପ୍ରସଙ୍ଗ ବେଶ୍ ହୃଦୟସ୍ପର୍ଶୀ ଆଜିକାଲି ଏମିତି ଘଟୁଛି। ପାଠକ ସଂଖ୍ୟା ପ୍ରାୟ ନାହାନ୍ତି କହିଲେ ଚଳେ। ସୁନ୍ଦର ଉପସ୍ଥାପନା।