ମୁଁ ବାଘ ପାଖରେ ପହଞ୍ଚିବାରୁ ସେ କହିଲା- ମୋତେ କାହିଁକି ମାରିଲ?
ମଣିଷଖିଆ ବାଘ ମାତିଥିଲା। ଜଙ୍ଗଲ ଭିତରୁ ବାହାରି ଆସି ବେଳେବେଳେ ମଣିଷଟିଏମାନ ଟାଣି ନେଉଥିଲା। ତେଣୁ ବାଘଟିକୁ ମାରିବା ପାଇଁ ସରକାରଙ୍କ ତରଫରୁ ମୋତେ ମୁତୟନ କରାଗଲା।
କିଛିଦିନ ଧରି ବାଘଟି ଉପରେ ନଜର ରଖିବା ପରେ ଦିନେ ତା’ର ପିଛା କରି ଜଙ୍ଗଲ ଭିତରେ ପଶିଲି। ଚତୁର ବାଘଟି ଲୁଚିଛପି ଜଙ୍ଗଲ ଭିତରକୁ ପଶିଗଲା ଓ ପାହାଡ଼ ଆରପଟକୁ ଯାଇ ବାଘମାନଙ୍କ ଦଳରେ ମିଶିଗଲା।
ବାଘମାନଙ୍କ ଦଳରୁ ମୁଁ ଆଉ ମଣିଷଖିଆ ବାଘଟିକୁ ଚିହ୍ନି ପାରିଲି ନାହିଁ। ସବୁ ବାଘଗୁଡ଼ିକ ଏକ ପ୍ରକାରର ଦେଖା ଯାଉଥିଲେ। ବିଫଳତାରେ ବିରକ୍ତ ହୋଇ ମୁଁ ଗୋଟେ ବାଘ ଉପରକୁ ଗୁଳି ଚଲାଇଦେଲି। ସେ ଆଘାତ ପାଇ ତଳେ ପଡ଼ିଯିବା ବେଳେ ଅନ୍ୟ ବାଘମାନେ ଭୟଭୀତ ହୋଇ ପଳାଇଗଲେ।
ମୁଁ ବାଘ ପାଖରେ ପହଞ୍ଚିବାରୁ ସେ କହିଲା- ମୋତେ କାହିଁକି ମାରିଲ?
କହିଲି- ତୁମେ ମଣିଷ ମାରୁଛ କାହିଁକି?
କହିଲା- ତୁମେ ମଣିଷମାନେ ଆମ ଜଙ୍ଗଲରୁ ଗଛ କାଟିପକାଉଛ କାହିଁକି?
କହିଲି- ଯିଏ ଗଛ କାଟୁଛି ତାକୁ ମାର। ଅଯଥାରେ ନିରୀହ ମଣିଷଗୁଡ଼ାକୁ ମାରୁଛ କାହିଁକି।
କହିଲା- ଯିଏ ମଣିଷ ମାରୁଛି, ସେ ବାଘ ମୁଁ ନୁହେଁ।
କହିଲି- ସବୁ ବାଘ ତ ଏକାପରି ଦେଖାଯାଉଛନ୍ତି। ତେଣୁ ତୁମକୁ ମଣିଷଖିଆ ଭାବି ମାରିଦେଲି।
ବାଘ କହିଲା- ତୁମ କଥା ଠିକ। ସବୁ ମଣିଷଗୁଡ଼ା ଏକା ପ୍ରକାରର ଦେଖାଯାଉଛନ୍ତି। ତେଣୁ ଗଛ କାଟୁଥିବା ମଣିଷକୁ ଆମେ ଚିହ୍ନିବୁ କେମିତି ?
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମଇ, ୨୦୨୪ ସଂଖ୍ୟାରେ ପ୍ରକାଶିତ।)
ମଣିଷକୁ ଚିହ୍ନିବା ବହୁ କଷ୍ଟ, ଯାହାକୁ ଗଳ୍ପ ମାଧ୍ୟମରେ ଦର୍ଶାଇବାକୁ ଚାହିଁଛନ୍ତି ଗାଳ୍ପିକ।