‘ମିଶ୍ରଶାଳ’ର ସ୍ରଷ୍ଟା ଭାବରେ ଡ. ଅଜୟ କୁମାର ମିଶ୍ର ଓଡ଼ିଶାର ସର୍ବତ୍ର ସୁପରିଚିତ। ସେ ହେଉଛନ୍ତି ଆମ ସମୟର ଜଣେ ବିଶିଷ୍ଟ ଲେଖକ ଓ ଗବେଷକ ମଧ୍ୟ। ଆମ ସମାଜ ଓ ଲୋକଜୀବନରୁ କ୍ରମେ ହଜି ଯାଉଥିବା ପାରମ୍ପରିକ ଉପକରଣ ଗୁଡ଼ିକର ନମୁନା ତିଆରି କରି ଡ. ମିଶ୍ର କଟକ ସହରରେ ଥିବା ତାଙ୍କର ଯେଉଁ ବାସଭବନରେ ସେଗୁଡ଼ିକୁ ପ୍ରଦର୍ଶିତ କରିଛନ୍ତି ତାହା ‘ମିଶ୍ରଶାଳ’ର ଆଖ୍ୟା ପାଇଛି। ଏଥି ମଧ୍ୟରେ ଅଛି ଅଖିମୁଠି, ଅଣକ, ଆକାଶ ଦୀପ, କୂଅ ବିଲେଇ, କେନ୍ଦେରା, ତେଣ୍ଟା ଓ ଶ୍ରୁବ ଭଳି ଓଡ଼ିଶାର ଲୁପ୍ତପ୍ରାୟ ଅନେକ ନିତିଦିନିଆ ଲୋକ-ଉପକରଣ ତଥା ଆମ ସଂସ୍କୃତିକୁ ପ୍ରତିଫଳିତ କରୁଥିବା ବିଭିନ୍ନ ସାଧନ। ଏଗୁଡ଼ିକ କେବଳ ଯେ କ୍ରମେ ଆମ ରାଜ୍ୟର ଜନଜୀବନରୁ ଉଭାନ ହେବା ଆରମ୍ଭ ହୋଇଛନ୍ତି ତା’ ନୁହେଁ, ସେଗୁଡ଼ିକର ନାମ ମଧ୍ୟ ନୁଆ ପିଢ଼ିର ଓଡ଼ିଆଙ୍କର ଆଉ ସ୍ମରଣରେ ନାହିଁ। ଏହାକୁ ଏକ ସାଂସ୍କୃତିକ ସଂକଟ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।
ଏହି ବିଡ଼ମ୍ବନା ପ୍ରତି ସଜାଗ ରହି ଗଭୀର ନିଷ୍ଠାର ସହ ନିଜର କର୍ତ୍ତବ୍ୟ ନିର୍ବାହ କରିଛନ୍ତି ଡ. ମିଶ୍ର। କଠିନ ପରିଶ୍ରମ ଓ କଳାତ୍ମକତାର ସହିତ ସେ ଏହି ହଜିଯାଉଥିବା ଉପକରଣଗୁଡ଼ିକର କ୍ଷୁଦ୍ର ନମୁନାମାନ ତିଆରି କରି ସର୍ବସାଧାରଣଙ୍କ ସମକ୍ଷରେ ଏହାକୁ ପ୍ରଦର୍ଶିତ କରିପାରିଛନ୍ତି।
ତେବେ ଏହିଭଳି ଗଢ଼ାଯାଇଥିବା ଉପକରଣଗୁଡ଼ିକୁ ପୁସ୍ତକାକାରରେ ନଥିକୃତ କରି ତାହା ବିଷୟରେ ସମ୍ୟକ ସୂଚନା ଆମର ଭାବୀ ବଂଶଧରଙ୍କ ପାଇଁ ସଂରକ୍ଷିତ କରି ରଖିବାର ଆବଶ୍ୟକତା ବହୁ ଦିନରୁ ଅନୁଭୂତ ହୋଇଆସୁଥିଲା। ସେହି ଅଭାବକୁ ପୂରଣ କରିଛି ଏହି ଆଲୋଚ୍ୟ ପୁସ୍ତକ। ତେବେ ଆମ ମତରେ ‘ଲୁପ୍ତପ୍ରାୟ ଲୋକସଂସ୍କୃତି’ ଅପେକ୍ଷା ବହିଟିର ନାମ ବରଂ ‘ଓଡ଼ିଶାର ଲୁପ୍ତପ୍ରାୟ ଲୋକ-ଉପକରଣ’ ବୋଲି ରଖିବା ଅଧିକ ଶ୍ରେୟସ୍କର ହୋଇଥାଆନ୍ତା।
୨୫୬ ପୃଷ୍ଠା ବିଶିଷ୍ଟ ଏହି ବହି ଏକ ‘କଫି ଟେବୁଲ୍ ବୁକ୍’ର ଆକୃତିରେ ପ୍ରସ୍ତୁତ ଏବଂ ଏଥିରେ ଲେଖକଙ୍କ ସ୍ୱହସ୍ତ ପ୍ରସ୍ତୁତ ୨୦୦ରୁ ଅଧିକ ପାରମ୍ପରିକ ଉପକରଣଗୁଡିକର ରଂଗୀନ ଫଟୋଚିତ୍ର ମଧ୍ୟ ସ୍ଥାନିତ ହୋଇଛି। କେବଳ ସେତିକି ନୁହେଁ, ପ୍ରତ୍ୟେକଟି ଉପକରଣ ବିଷୟରେ ସୂଚନା ଦେବା ସହିତ ତାହାକୁ ନେଇ ମନଛୁଆଁ କବିତାମାନ ମଧ୍ୟ ରଚନା କରିଛନ୍ତି ଡ. ମିଶ୍ର। ଏହାର ଗୋଟିଏ ଦୃଷ୍ଟାନ୍ତ:
“ଗୋଲିଆ ପଥରେ ଗଢ଼ାଟି ଚକି
ଜଣେ ଥାଏ ଶୋଇ ଆନ ଘୂରିଘୂରି ନ ପଡ଼େ ଥକି।
ତଳପଟ ଚକି ମଝିରେ କଣା,
ତହିଁ ମାଣିଖୁଣ୍ଟ ଥାଏ ଭରଣା।”
(ଚକି ସମ୍ପର୍କରେ)
ଆଜି ଆମର ପିଲାମାନେ ଓଡ଼ିଆ ଘରର ପୁରାତନ ଚଳଣି ଓ ଲୋକସଂସ୍କୃତିଠାରୁ ବିଚ୍ଛିନ୍ନ ହୋଇଯାଉଥିବା ଉଦ୍ବେଗର ବିଷୟ। ସେହିମାନଙ୍କ ହାତରେ ଏହି ବହିଟି ପଡ଼ିଲେ ସେମାନେ ସାଧାରଣ ଜନଜୀବନରୁ ହଜିଯାଇଥିବା ବସ୍ତୁ ଓ ଉପକରଣଗୁଡ଼ିକୁ ନିଜର ସ୍ମୃତିରେ ସାଇତି ରଖିବାକୁ ସମର୍ଥ ହେବେ। ଆମ ରାଜ୍ୟରେ ଏ ଧରଣର ପୁସ୍ତକର ପ୍ରସ୍ତୁତି ସର୍ବପ୍ରଥମ। ଏଣୁ ଏହା ସମସ୍ତ ସଂସ୍କୃତିପ୍ରେମୀ ପାଠକମାନଙ୍କ ମଧ୍ୟରେ ଆଦୃତ ହେବ ବୋଲି ଆମର ଆଶା। ତେବେ ଏହି ‘କଫି ଟେବୁଲ୍ ବୁକ୍’ର ଏକ ସୁଲଭ ସଂସ୍କରଣ ମଧ୍ୟ ପ୍ରକାଶ ପାଇଲେ ସର୍ବସାଧାରଣଙ୍କ ମଧ୍ୟରେ ଏହାର ବ୍ୟାପକ ପ୍ରସାର ଆହୁରି ସୁଗମ ହୋଇପାରନ୍ତା।
ନିହାର ଶତପଥୀ
ଖୁବ୍ ସୁନ୍ଦର ପ୍ରଚେଷ୍ଟା। ଏହା ଆମ ପୁରୁଣା ଉପକରଣ ଗୁଡିକ ବିଷୟରେ ମନେପକାଇ ଦେବ। ଏମିତି ଏକ ସଂଗ୍ରହ ମୁଁ ଦେଖିଛି ବିଶିଷ୍ଟ ପ୍ରାବନ୍ଧିକ ବୈଷ୍ଣବ ଚରଣ ମହାନ୍ତିଙ୍କ ଘରେ।