ଅନାମ କବିମାନେ ବିଦ୍ରୋହୀ ଥିଲେ।
ଅନାମ ଏକ କାବ୍ୟ ଆନ୍ଦୋଳନ। ବିଂଶ ଶତକର ସପ୍ତମ ଦଶକର ଶେଷ ଓ ଅଷ୍ଟମ ଦଶକର ଆରମ୍ଭରେ ଭାରତର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଯୁବଗୋଷ୍ଠୀମାନେ ପ୍ରଚଳିତ ପରମ୍ପରା ବିରୋଧରେ ପ୍ରତିବାଦର ସ୍ୱର ଉତ୍ତୋଳନ କରିଥିଲେ ଏବଂ ସେଇ ପନ୍ଥା ଅନୁସରଣ କରି ଓଡ଼ିଶାର ପୁରୀ ସହରରେ ଶ୍ରୀଜଗନ୍ନାଥ ପରମ୍ପରାରେ ବିଶ୍ୱାସ କରୁଥିବା ସ୍ତାବକ-ପଣିଆର ବିରୋଧରେ ନିଜ ନାମକୁ ଗୋପନରେ ରଖି କବିମାନେ ପ୍ରତିବାଦମୂଳକ କବିତା ରଚନା କରିଥିଲେ। ଅନାମ ଗୋଷ୍ଠୀ ସ୍ୱରଚିତ କାବ୍ୟକବିତାରେ “ନିଃସଙ୍ଗତା, ବିଚ୍ଛିନ୍ନତାବୋଧ, ବ୍ୟକ୍ତିକୈନ୍ଦ୍ରିକ ଅହଂରୁ ଉଦ୍ଭୁତ ଏକ ସ୍ୱୟଂସୃଷ୍ଟ ମାନସିକ ବ୍ୟାଧି” ପ୍ରତିଫଳିତ କରିଛନ୍ତି। ଏଇ କବିମାନେ ନୂତନ ଧରଣର ବ୍ୟଙ୍ଗ କବିତା ରଚନା କରି ଅନାଚାର ଓ ଭ୍ରଷ୍ଟାଚାରର ପ୍ରତିବାଦ କରିଚନ୍ତି। ଅନାମ କବିମାନଙ୍କର କାବ୍ୟକୌଶଳ ସମ୍ପର୍କରେ ଆଲୋଚନା କରିବା ହେଉଚି ଏଇ ପ୍ରବନ୍ଧର ମୁଖ୍ୟ ଉଦ୍ଦେଶ୍ୟ।
ଯାହାର ନାମ ନାଇଁ
ଅନାମ କହିଲେ ଆମେ ଏକଥା ବୁଝୁ ଯେ ଯାହାର ନାମ ନାଇଁ, ଏବଂ ଅପରପକ୍ଷରେ ଯେ ‘ନାମ’କୁ ଲୁଚେଇ ରଖେ ସେ ମଧ୍ୟ ଅନାମ। ଏଠି ଆମେ ଅନାମ ସାହିତ୍ୟିକମାନଙ୍କ ବିଷୟରେ ଆଲୋଚନା କରିବା ସମୁଚିତ। ଏଇ ସାହିତ୍ୟିକମାନେ ରଚନା କରିଥିବା କବିତା ବିଷୟରେ ଆଲୋଚନା କରିବା. ଯେଉଁମାନେ କି ନିଜ ନିଜର ନାମକୁ ଗୋପନରେ ରଖି ସାମାଜିକ ପ୍ରତିବାଦର ସ୍ୱର ଉତ୍ତୋଳନ କରିଥିଲେ। ଅନାମ କାବ୍ୟ ଆନ୍ଦୋଳନର ତପସ୍ୟାସ୍ଥଳ ଥିଲା ‘ପୁରୀ’।
ଏହି ଦଳର ସକ୍ରିୟ କବି ଥିଲେ କୁମାର ମହାନ୍ତି ଓରଫ କୃଷ୍ଣଚନ୍ଦ୍ର ମହାନ୍ତି। ସେ ଲକ୍ଷ୍ନୌରେ ଇଂରାଜୀ ଅନର୍ସ ପଢ଼ିଲାବେଳେ, ଗୁରୁ ଫିରାକ ଗୋରଖପୁରୀଙ୍କ କ୍ରାନ୍ତି ଦର୍ଶନରେ ପ୍ରଭାବିତ ହୋଇ ନୂଆ କବିତା ଲେଖିବା ପାଇଁ ଉତ୍ସାହିତ ହୋଇଥିଲେ। ସେ ସେନାରୁ ଅବସର ନେଇ ପୁରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକ ଥିଲାବେଳେ ପାଞ୍ଚଜଣ ସହଧର୍ମୀଙ୍କ ସହ ୧୯୬୯ ମସିହା ଶ୍ରୀପଞ୍ଚମୀ ଦିନ, ସ୍ୱର୍ଗଦ୍ୱାରରେ ଘୋଷଣା କରନ୍ତି ଅନାମ ଆନ୍ଦୋଳନର ବାର୍ତ୍ତା। ଅନାମ କବି ଗୋଷ୍ଠୀଙ୍କ କାବ୍ୟ ଆନ୍ଦୋଳନର ଆଭିମୁଖ୍ୟ ସମ୍ପର୍କରେ ଲକ୍ଷ୍ମୀଧର ଦାସ କହିଛନ୍ତି “ପ୍ରଥମ ଅନାମ ପତ୍ରିକା ମାଧ୍ୟମରେ ପୁରୀର ଅପସଂସ୍କୃତି ଉପରେ ତୀବ୍ର ଆକ୍ରମଣ, ଅପସଂସ୍କୃତି ପ୍ରସାର କରୁଥିବା ବ୍ୟକ୍ତି ଓ ଅନୁଷ୍ଠାନ ବିରୋଧରେ ଏଇ ଗୋଷ୍ଠୀର ସଦସ୍ୟଗଣ ପ୍ରବଳ ପ୍ରତିବାଦ ସଭା ମାଧ୍ୟମରେ କରିଥିଲେ। ପ୍ରତିବାଦ ସଭାର ଅତିଥି ମଧୁ ମହାନ୍ତି। ଅନାମ ବିଚାରରେ ସେ ଦାର୍ଶନିକ ଓ ଦିଗଦ୍ରଷ୍ଟା ଏବଂ ଗୋକୁଳି ମହାନ୍ତି ଥିଲେ ପ୍ରଶିକ୍ଷକ ଏବଂ ସର୍ବୋପରି କୁମାର ମହାନ୍ତି ବାହିନୀର ସେନାପତି ରୂପେ ଆନ୍ଦୋଳନକୁ ଆଗେଇ ନେଇଛନ୍ତି।” (୨୦୧୭:୮୬)। ଏଇ ଅନାମ ଗୋଷ୍ଠୀର ଆଉ ଜଣେ ପରିଚିତ କବି ହେଉଛନ୍ତି ମନୁ ଦାଶ। ଏଇ ଆଲୋଚନାଟି ବିଶେଷତଃ କବି କୁମାର ମହାନ୍ତିଙ୍କ ‘ଅନାମ ବାୟାର ଗୀତ’ (୨୦୨୦), ‘ଅନାମ ଛନ୍ଦ’ (୨୦୨୦) ଏବଂ ମନୁ ଦାଶଙ୍କ ଦ୍ୱାରା ରଚିତ ‘ଅନାମ ଅଣଚାଶ’ (୨୦୨୦) କବିତା ସଂକଳନଗୁଡିକୁ ଆଧାରକରି ରଚିତ। ଅନାମ କବିମାନେ ବିଦ୍ରୋହୀ ଥିଲେ। କୁସଂସ୍କାର, ଭ୍ରଷ୍ଟାଚାର, ସାମାଜିକ ଅସମାନତା ଓ ପ୍ରତିଭା ପୂଜା ବିରୋଧରେ ପ୍ରଚାରପ୍ରସାର କରିବା ଯଦିଓ ଏଇ କବିମାନଙ୍କର କବିତା ଲେଖିବାର ମୁଖ୍ୟ ଲକ୍ଷ୍ୟ ଥିଲା, ସେମାନେ ସଂଗୀତର ମୂର୍ଚ୍ଛନାରେ ଶବ୍ଦ ସଜାଡ଼ି ନିଜ ନିଜର ଅଭିବ୍ୟକ୍ତିକୁ ଶାଣିତ କରିପାରିଛନ୍ତି। ସମାଲୋଚକ ଶ୍ରୀ ଚିତ୍ତରଞ୍ଜନ ଦାସ ଦେଇଥିବା ଅନାମ କବିଙ୍କ କାବ୍ୟବିଭା ସମ୍ପର୍କରେ ମନ୍ତବ୍ୟଟି ପ୍ରୟୋଜନ। କବି ଦୃଷ୍ଟିରେ ଅନାମ ବାୟାର ଗୀତ ନାମକ ଏଇ ସଂକଳନରେ ସାମ୍ପ୍ରତିକ ସଂସାରର ବିରାଟ ବିଡମ୍ବନାଗୁଡ଼ିକର ଆଭାସ ନେଇ ସିଏ ଆହୁରି କେତେ କିମ୍ବା ନିତାନ୍ତ ସିଧା ସିଧା ବି କହି ପକାଇଚନ୍ତି :
ଯେ ହୋଇଲା ଝୁଣ୍ଟିଆଳ ଗୋଡ଼ାଣିଆ/
ସେ ହେଲା ସୁଜନ/
ସେ ଚାଲିଲା ସୁଅ ପରି/
ଅଝଟିଆ ଅମାନିଆ/
ସେ ହେଲା ଏ ନାମର ସମାଜେ
ଅନାମ ଦୁର୍ଜନ।
“ଅନାମମାନେ ଭାଙ୍ଗିବେ, ଅର୍ଥାତ୍ ପ୍ରତିବାଦ କରିବେ। ପ୍ରତିମାଗୁଡ଼ାଙ୍କୁ ଭାଙ୍ଗିବାପାଇଁ କୁମାର ମହାନ୍ତି କେତେ ନିଷ୍ଠାପର ଭାବରେ ଉଦ୍ବୋଧନ ଦେଇଚନ୍ତି। ଯୁଗେଯୁଗେ ଭାଙ୍ଗିଥିବା ଏବଂ ପ୍ରତିବାଦ କରିଥିବା କୃଷ୍ଣ, ବୁଦ୍ଧ ଏବଂ ଯିଶୁଙ୍କର ଧାଡ଼ିରେ ଆପଣାକୁ ମଧ୍ୟ ପରିଜନ ଭଳି ସାମିଲ କରି ସିଏ ଆପଣାର କବିତା ଧାଡ଼ିଗୁଡ଼ିକରେ ପଶ୍ଚାତରେ ରହିଥିବା ସତ୍ୟଗୁଡ଼ିକୁ ହିଁ ବଖାଣି ଆଣିଛନ୍ତି। ସେହି ସତ୍ୟଟିକୁ ଆଧାର ତଥା ପ୍ରେରଣାରେ ପରିଣତ କରି ଗୋଟିଏ ଅନ୍ୟ ସମ୍ପର୍କର ସମ୍ଭାବନା ଯେ ଏହି ପୃଥିବୀରେ ସର୍ବବିଧ ଅସଲ ପ୍ରତିବାଦକୁ ବ୍ୟକ୍ତ କରି ଆସିଛି, କବି ତାହାରି କଥା କହିଛନ୍ତି।” (ଦାସ ୨୦୨୦ : ୬୯-୭୦)। କବି କୁମାର ମହାନ୍ତି ‘ଅନାମ କାବ୍ୟ ଆନ୍ଦୋଳନ’ର ପୁରୋଧା। ତାଙ୍କ ସହକର୍ମୀ ମନୁ ଦାଶ କହନ୍ତି, “୧୯୭୪ ମସିହାର ଶେଷ ଭାଗରୁ କୁମାର ଭାଇଙ୍କ ବିୟୋଗ (୧୯୯୬) ପର୍ଯ୍ୟନ୍ତ ମୁଁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ତାଙ୍କ ସହିତ ଥିଲି।” ‘ଅନାମ କାବ୍ୟ ଆନ୍ଦୋଳନ’ର ସେ କେବଳ ପ୍ରତିଷ୍ଠାତା ନ ଥିଲେ, ବରଂ ଥିଲେ ସବୁଠୁ ମୁଖର ଓ ଶିଖର ବ୍ୟକ୍ତିତ୍ୱ।’ (କିଛି କହିବାର ଅଛି ୨୦୨୦)। କବି ମହାନ୍ତିଙ୍କ ‘ଅନାମ ବାୟାର ଗୀତ’ ଏକ କବିତା ସଂକଳନ। ଏଇ ସଂକଳନ ‘ଅନାମ ଅଣାକାର’, ‘କଳ୍କୀ’, ‘ଅନାମର କାବ୍ୟ’ ଏବଂ ‘ଅନାମ ଓ ଅନ୍ୟାନ୍ୟ କବିତା’ ଉପବିଭାଗଗୁଡ଼ିକୁ ନେଇ ପ୍ରକାଶିତ।
ସମାଜ ସଂସ୍କାରକ
କବି ସମାଜ ସଂସ୍କାରକ। ସମାଜରେ ପ୍ରଚଳିତ ଅଣଆଦର୍ଶ ପରମ୍ପରାକୁ ପ୍ରତିହତ କରିବା ପାଇଁ ସେ ଇନ୍ଧନ ଯୋଗାଇଥାନ୍ତି, ବାଟ ଦେଖାଇଥାନ୍ତି ଅଥବା ବିଦ୍ରୋହ କରି କୁସଂସ୍କାର ଦମନ କରିବାର ଅଭିଳାଷ ପରିପୂର୍ତ୍ତ କରିବା ପାଇଁ ଜାହିର ଜୁଲମ କରିପାରନ୍ତି। ଏଇ ପୃଷ୍ଠଭୂମିରେ କବି କୁମାର ମହାନ୍ତି କବିଙ୍କ ‘କଳ୍କୀ’ ଉଦ୍ଘୋଷଣା କରେ :
ଜନ୍ମ ଯଦି ବଞ୍ଚିବାର ପାଇଁ
ବଞ୍ଚିବାର ଅର୍ଥ କି ଖାଲି
ନଇଁ ନଇଁ ସଲାମ କରିବା
ଦୁଇ ମୁଠା ଅନ୍ନ ପାଇଁ
ଦୁଇ ହାତ ବସ୍ତ୍ର ପାଇଁ
ଜୀବନଟା ଗୋଲାମୀ
ମଣିଷର ଆତ୍ମାକୁ ବି ଗୋଲାମ୍ କରିବା?
(କଳ୍କୀ: ପ୍ରଥମ ଅଧ୍ୟାୟ ୨୦୨୦ : ୨୫)
କବି କୁମାର ମହାନ୍ତିଙ୍କ କବିତାର ବିଷୟଗୁଡ଼ିକ ଅତ୍ୟନ୍ତ ସ୍ୱତନ୍ତ୍ର ଓ ସାମାଜିକ ସମସ୍ୟା ପ୍ରତିଫଳନର ମୂଳମନ୍ତ୍ର। ସବୁ କବିତାର ସ୍ୱରରେ ରହିଛି ପ୍ରତିବାଦର ସ୍ୱାକ୍ଷର। ସାଙ୍ଗୀତିକତା ଅନାମ କବିମାନଙ୍କର ଆଉ ଏକ କୌଶଳ। ଏଇ କୌଶଳ ଅବଲମ୍ବନ କରି କବିମାନେ ମୁକ୍ତ କଣ୍ଠରେ କବିତା ଆବୃତ୍ତି କରୁଥିଲେ। କବି କୁମାର ମହାନ୍ତିଙ୍କର ‘ଅନାମ ଛନ୍ଦ’ ଓ ମନୁ ଦାଶଙ୍କର ‘ଅନାମ ଅଣଚାଷ’ ଏଇ ଧରଣର କବିତା ସଂକଳନ। ବାକ୍ ରୀତି ସହିତ କାବ୍ୟ ରୀତି ସମନ୍ୱୟ କରି କବି କୁମାର ମହାନ୍ତି ଲେଖିଛନ୍ତି :
କାଳିଆ ଭଅଁର କାଳିଆ କାଉ
କାଉ ଖୋଜିଲାନି ଫୁଲର ମହୁ
ମହୁ ଖୋଜିଲାନି ମହୁମାଛି କି
ଯାହା ସଞ୍ଚଚରୁ ତା’ ମାଟି ଘଟି କି
ମାଟିରେ ଜୀବନ କାଇଁ
ବାବୁଧନ
ପାଣି ମାରିଗଲା ଝାଇଁ।
(ଅନାମ ଛନ୍ଦ-୩)
ଏଇ ଧରଣର କବିତାଗୁଡିକରେ ସମାନ ଧ୍ୱନି ଉଚ୍ଚାରଣ ପରସ୍ପର ପାଖାପାଖି ଖଞ୍ଜି ଯତିପାତ ପକାଇ ବିଦ୍ରୋହ ସ୍ୱରରେ କବିତା ଗାନ କରିବା ଥିଲା ଅନାମ କବିମାନଙ୍କର କବିତା ଲିଖନ କୌଶଳ। କାଳିଆ, କାଉ, ମହୁ, ଝାଇଁ ଝାଇଁ ଓ ଖୋଜିଲାନି ଇତ୍ୟାଦି ଶବ୍ଦଗୁଡ଼ିକର ବ୍ୟବହାର କବିତାକୁ ସଙ୍ଗୀତଧର୍ମୀ କରାଇଛି।
ଅନାମ ଅଣଚାଶ
ଏଇ ପ୍ରସଙ୍ଗରେ ମନୁ ଦାଶଙ୍କ ‘ଅନାମ ଅଣଚାଶ’ରେ ସଂକଳନ କରାଯାଇଥିବା କବିତାଗଡ଼ିକ ବ୍ୟବସ୍ଥା ପ୍ରତି ସାମାଜିକ ପ୍ରତିବାଦ, ଜଗନ୍ନାଥ ଚେତନା ପ୍ରତି ପୁନଃ ଆସ୍ଥା ଓ ସମର୍ପଣ, ନିଜ ମାଟିର ଚେର ଅନ୍ୱଷଣ, ଗାଉଁଲି, ଲୋକ ସହ କବିତାର ସମ୍ପର୍କ ପ୍ରତିଷ୍ଠା, ପାଶ୍ଚାତ୍ୟ ସଭ୍ୟତାର ଅନୁକରଣ ପ୍ରତି ଅନାସ୍ଥା, ତଥାକଥିତ ଆଧୁନିକ କବିମାନଙ୍କ ଭିତରେ ଆତ୍ମଚିନ୍ତନ ଓ ମାନସମନ୍ଥନ, କବିତାରେ ସାଙ୍ଗୀତିକତା ଓ ମୁକ୍ତଛନ୍ଦ ପ୍ରତି ବିଶ୍ୱାସରେ ପୁନଃ ପ୍ରତିଷ୍ଠା ଆଦି ‘ଅନାମ କାବ୍ୟ ଆନ୍ଦୋଳନ’କୁ କରିଥିଲା ମୁଖର।’ ‘ଅନାମ ଅଣଚାଶ’ କବିତା ସଂକଳନଟି ପରିମାଣ ଓ ଆକାର ଦୃଷ୍ଟିରୁ ପତଳା ମନେ ହେଇପାରେ, ମାତ୍ର ଏଇ କବିତାରେ ମାଟି ଓ ସଂସ୍କୃତି ପ୍ରତି ଥିବା ସମୟବୋଧର ରକ୍ତକଣିକା ଧମନୀରେ ପ୍ରବାହିତ ହେଉଥିବା ବିଷୟ ପାଠକମାନେ ଠଉରେଇ ପାରିବେ। କବି କୁମାର ମହାନ୍ତି ପ୍ରତିବାଦର ସ୍ୱର ଉତ୍ତୋଳନ କଲାବେଳେ କବି ମନୁ ଦାଶ ତାଙ୍କ ପରିହାସ ଛଳରେ ସାମାଜିକ ପ୍ରତିବାଦ ଓ ପରିବର୍ତ୍ତନ ସ୍ୱାକ୍ଷରକୁ ପ୍ରସ୍ତାବିତ କରିବାପାଇଁ ଚେଷ୍ଟା କରିଛନ୍ତି। କବି ମନୁ ଦାଶ ଖାଣ୍ଟି ‘ପୁରୀଆ’ (ପୁରୀର ଅଧିବାସୀ)। ପୁରୀ ‘ବୋଲି’ କବିତାରେ ସୁଶୋଭିତ। ଦ୍ୱୈତ ଶବ୍ଦ ବ୍ୟବହାର ଏଇସବୁ କବିତାର ବିଶେଷତ୍ୱ : ଯେମିତିକି ହାଉଯାଉ, ପଶୁପଶୁ, ଉବୁଟୁବୁ, କୋଳାକୋଳି, କଲବଲ, ଧନ୍ୟଧନ୍ୟ, ଚୁପଚାପ୍, ବୁଲିବୁଲି ଓ ଧାଇଁଧାଇଁ ଇତ୍ୟାଦି। ପୁରୀ ‘ବୋଲି’ ହିସାବରେ ‘ଘାଇଲା’, ହରଣଚାଲ, ସବାଖିଆ, ଟାଙ୍ଗରା, ଖଟୁଲି, ପଙ୍ଗତ, ଦଣ୍ଡବତ, ଭକୁଆ, କଦର୍ଥଳିଆ, ଭଡ଼ଙ୍ଗିଆ, କାବେଡ଼ା, ଅଣଠର, ବାଇନ, କୋକୁଆ, ମଲମ ଓ ପେଞ୍ଚ ଇତ୍ୟାଦି ଶବ୍ଦ ବେଶ୍ ତାଙ୍କ କବିତାରେ ବ୍ୟବହୃତ ହୋଇଛି। ଯାହା ଫଳରେ ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରୁ ସମଗ୍ର ଦେଶରେ ଘଟୁଥିବା ସାମାଜିକ ଚେତନାର ଅବକ୍ଷୟ ପ୍ରତିଫଳିତ ହୋଇପାରିଛି।
ଅନାମ କବିତା ଓ କବି ସାମ୍ପ୍ରତିକ ପରିପ୍ରେକ୍ଷୀରେ ସ୍ୱତନ୍ତ୍ର ସ୍ୱାକ୍ଷର ଏବଂ କବିତାରେ ପ୍ରତିଫଳିତ ବିଦ୍ରୋହର ବାର୍ତ୍ତା ନିକାଶରେ ଯୁଗ ଯନ୍ତ୍ରଣାର ପ୍ରତିଧ୍ୱନି। ଏଇ କବିମାନଙ୍କ କବିତାରେ ସାମାଜିକ ଆନ୍ଦୋଳନର ବାର୍ତ୍ତା ବହନ କରିଥିବାରୁ ‘ଅନାମ’ କେବଳ ମାତ୍ର ଏକ ନିରୋଳା କାବ୍ୟ ଆନ୍ଦୋଳନ।
ସହାୟକ ଗ୍ରନ୍ଥସୂଚୀ
(୧) ଦାସ, ଲକ୍ଷ୍ମୀଧର। ୨୦୧୮। ଅନାମ ଗୋଷ୍ଠୀ ଓ ସାହିତ୍ୟ। (ସଂ) ସାହିତ୍ୟ ଶେଷ। ଭୁବନେଶ୍ୱର : ଆମ ଓଡ଼ିଶା।
(୨) ଦାଶ, ମନୁ। ୨୦୨୦। ଅନାମ ଅଣଚାଶ। ଭୁବନେଶ୍ୱର : ଧଉଳି ବୁକ୍ସ।
(୩) ମହାନ୍ତି, କୁମାର। ୨୦୨୦। ଅନାମ ବାୟାର ଗୀତ। ଭୁବନେଶ୍ୱର: ଧଉଳି ବୁକ୍ସ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମଇ, ୨୦୨୪ ସଂଖ୍ୟାରେ ପ୍ରକାଶିତ।)
ଅନାମ କାବ୍ଯ-ଆନ୍ଦୋଳନ ସମ୍ପର୍କରେ ଆଲୋଚନା କରିଥିବାରୁ ପ୍ରବନ୍ଧ ଲେଖକଙ୍କୁ ସାଧୁବାଦ ଜଣାଉଛି।
ଅନାମ ଦର୍ଶନ ସହିତ ମୁଁ ସଂପୂର୍ଣ୍ଣ ଏକମତ ନୁହେଁ। କିନ୍ତୁ ଏହି ଆଲୋଚନାର ତଥ୍ୟ ସଂପୂର୍ଣ୍ଣ ଭାବେ ଗ୍ରହଣୀୟ।
ଲେଖାଟି ପଢ଼ିଲି।ଭଲ ଲାଗିଲା। ଯେଉଁମାନେ ଅନାମ ଆନ୍ଦୋଳନ/ଅନାମ କାବ୍ୟ ସ୍ଵର ସମ୍ପର୍କରେ ଅଜ୍ଞ ବା ଅଳ୍ପ ଜାଣିଛନ୍ତି, ସେମାନଙ୍କ ପାଇଁ ଯଥେଷ୍ଟ ସୂଚନାତ୍ମକ ହୋଇଛି। ମାତ୍ର ମୋ ଭଳି କିଛି ଲୋକଙ୍କ ପାଇଁ ଆଉ କିଛି ନୂତନ ତଥା ଅନାମ ସମ୍ପର୍କିତ ବିଶେଷ ତଥ୍ୟ ଦେଇଥିଲେ ଭଲ ଲାଗିଥାନ୍ତା।କୁମାର ମହାନ୍ତିଙ୍କ ସହ ପୁରୀର ଆଉ କିଛି ବଳିଷ୍ଠ କବି ବ୍ୟକ୍ତିତ୍ଵ ଅନାମ ସହ ଥିଲେ।ସେମାନଙ୍କ ନାମ ଦିଆ ଯାଇଥିଲେ ଭଲ ହୋଇଥାନ୍ତା। ଖୁବ୍ ସୁନ୍ଦର ଅନାମ କବିତା ଅଛି ଯାହା ଉଦାହରଣ ଭାବେ ଦିଆ ଯାଇ ପାରିଥାନ୍ତା। ତେବେ ଲେଖକଙ୍କ ପ୍ରୟାସ ପାଇଁ ଅନ୍ତରରୁ ଧନ୍ୟବାଦ।
ଶୈଳବାଳା ମହାପାତ୍ର ।।
ନମସ୍କାର । ଉପସ୍ଥାପନା ସୁନ୍ଦର । ଆଶା କରୁଛି ଆଉ ଟିକିଏ ବିସ୍ତୃତ ଆଲୋଚନା ।