ପ୍ରଶସ୍ତି ନା ସମୀକ୍ଷା

ଦିନ ଥିଲା, ପୁସ୍ତକ ପଠନ ଆମର ପ୍ରଜ୍ଞା ଓ ଜ୍ଞାନର କ୍ଷୁଧା ନିବାରଣ ପାଇଁ ଏକ ପ୍ରମୁଖ ସ୍ରୋତ ଭାବରେ କାର୍ଯ୍ୟ କରୁଥିଲା। ଆଜିକାଲି କିନ୍ତୁ ଏହାର ଭୂମିକା ଦିନକୁ ଦିନ ଗୌଣ ହୋଇପଡ଼ିଲାଣି ଏବଂ ଇ-ବୁକ୍‌, ଅଡ଼ିଓ ବୁକ୍‌, ଅନଲାଇନ୍ ପ୍ଲାଟଫର୍ମ ଓ ସାମାଜିକ ଗଣମାଧ୍ୟମ ପରି ବିକଳ୍ପମାନ ପୁସ୍ତକର ସ୍ଥାନ ଅଧିକାର କରିନେବା ଭଳି ପରିସ୍ଥିତି ସୃଷ୍ଟି ହେଲାଣି। ଏଭଳି ଏକ ପରିବେଶରେ ‘ପୁସ୍ତକ ସମୀକ୍ଷା’ କ’ଣ ବା ପ୍ରାସଙ୍ଗିକତା ରଖେ? ପୂର୍ବେ ପୁସ୍ତକ ସମୀକ୍ଷା ଅନେକ ସମ୍ବାଦପତ୍ର ତଥା ପତ୍ରିକାର ଏକ ନିୟମିତ ବିଭାଗ ଭାବରେ ଦୃଷ୍ଟିରେ ପଡ଼ୁଥିଲା। ଆଜିକାଲି ଏହା କାଁ ଭାଁ ଦେଖିବାକୁ ମିଳୁଛି।
ଏଭଳି ଏକ ପରିସ୍ଥିତି ସତ୍ତ୍ୱେ ପୁସ୍ତକ ସମୀକ୍ଷା ଏବେ ବି ଯେ ଆମ ସାହିତ୍ୟର ଏକ ଗରିମାମୟ ଅଙ୍ଗ ଭାବରେ ତିଷ୍ଠିରହିଛି ଏହା ଅସ୍ୱୀକାର କରିହେବ ନାହିଁ। ତେବେ ଏହି ‘ପୁସ୍ତକ ସମୀକ୍ଷା’କୁ କେହି ଯେମିତି ‘ପୁସ୍ତକ ପରିଚୟ’ ବା ‘ସମାଲୋଚନା’ଠାରୁ ଅଭିନ୍ନ ବୋଲି ଭାବି ନ ବସନ୍ତି। ଏ ତିନୋଟି ପରସ୍ପରର ନିକଟତର ହେଲେହେଁ ଏଗୁଡ଼ିକର କାର୍ଯ୍ୟଧାରା କିନ୍ତୁ ପରସ୍ପରଠାରୁ ପୃଥକ୍। ‘ରିଭ୍ୟୁ’ ବା ସମୀକ୍ଷାର ସଂଜ୍ଞା ସୂଚାଇବାକୁ ଯାଇ ବ୍ରିଟାନିକା ଅଭିଧାନ କହେ ଯେ ଏହା କୌଣସି ବସ୍ତୁ ବା କାର୍ଯ୍ୟ ପ୍ରତି ଏକ ସତର୍କ ଦୃଷ୍ଟିପାତ କରି ତାହାର ଗୁଣାତ୍ମକତାକୁ ପରଖିବାର ଏକ ପ୍ରକ୍ରିୟା। ଏ ଦୃଷ୍ଟିରୁ ଯେତେବେଳେ ଗୋଟିଏ ବହିର ସମୀକ୍ଷା କରାଯାଏ ସେତେବେଳେ ଏହା ଆଶା କରାଯିବା ସ୍ୱାଭାବିକ ଯେ ଏହି ପରଖ ବା ବିବେଚନାର କ୍ରିୟାଟି ଯଥାଯଥ ନିଷ୍ଠାର ସହିତ ସମ୍ପନ୍ନ ହୋଇଥିବ।
କିନ୍ତୁ ବାସ୍ତବ କ୍ଷେତ୍ରରେ ଏହି ବିବେଚନା ନିରପେକ୍ଷ ଭାବରେ ସାଧିତ ହେଉଛି କି? ଜଣେ ଲେଖକ ବା ପ୍ରକାଶକ କୌଣସି ସମ୍ବାଦପତ୍ର ବା ପତ୍ରିକାରେ ପ୍ରକାଶିତ ନିଜ ପୁସ୍ତକର ସମୀକ୍ଷାରେ ‘ସମୀକ୍ଷା’ ନୁହେଁ ବରଂ ପ୍ରଶସ୍ତି ହିଁ ଖୋଜିଥାଆନ୍ତି ଏବଂ ସମୀକ୍ଷକମାନେ ମଧ୍ୟ ଏହାହିଁ ପରିବେଷଣ କରୁଥିବା ଦେଖାଯାଇଥାଏ। ଫଳରେ ଆଜିକାଲି ଅନେକ ‘ପୁସ୍ତକ ସମୀକ୍ଷା’ ବସ୍ତୁତଃ ‘ପୁସ୍ତକ ପ୍ରଶସ୍ତି’ରେ ପରିଣତ ହୋଇଛି।
ଆମେ ଭୁଲିଯିବା ଉଚିତ ନୁହେଁ ଯେ ଗୋଟିଏ ବିଚାରାଳୟରେ ଜଣେ ବିଚାରପତିଙ୍କର ଭୂମିକା ଯାହା, ସାହିତ୍ୟିକ ସନ୍ଦର୍ଭରେ ଜଣେ ପୁସ୍ତକ ସମୀକ୍ଷକର ଭୂମିକା ତାହାଠାରୁ କିଛି କମ୍ ନୁହେଁ। ତେଣୁ କୌଣସି ପୁସ୍ତକ ବିଷୟରେ ନିଜର ବିବେଚନା ରଖିବା ବେଳେ ଜଣେ ସମୀକ୍ଷକ ଉପଯୁକ୍ତ ନିରପେକ୍ଷତା ଅବଲମ୍ବନ କରିବା ଉଚିତ। ଗୋଟିଏ ନିକୃଷ୍ଟ ମାନର ବହିକୁ ପ୍ରିୟାପ୍ରୀତି ବା ପ୍ରଲୋଭନର ବଶବର୍ତ୍ତୀ ହୋଇ ସମୀକ୍ଷକମାନେ ଉଚ୍ଛ୍ୱସିତ ପ୍ରଶଂସା କରୁଥିବାର ଦୃଷ୍ଟାନ୍ତ ଆମ ସାହିତ୍ୟରେ ଏକ ସାଧାରଣ ଘଟଣା ହୋଇଗଲାଣି। ଏହା ଦ୍ୱାରା ପାଠକମାନେ ପୁସ୍ତକ ସମୀକ୍ଷା ପ୍ରତି ନିଜର ବିଶ୍ୱାସ ହିଁ ହରାଇ ବସୁଛନ୍ତିି।
ଯଦି ଦିନେ ସମସ୍ତ ପୁସ୍ତକ ସମୀକ୍ଷା ଦୃଢ଼ ଓ ନ୍ୟାୟସଂଗତ ହେବା ଆରମ୍ଭ କରନ୍ତି ତେବେ ହୁଏତ ଲେଖକ ବା ପ୍ରକାଶକମାନେ ନିଜ ବହିର ସମୀକ୍ଷା ଏଡ଼ାଇବାକୁ ଚେଷ୍ଟା କରିବେ। କିନ୍ତୁ ଏ ପ୍ରସଙ୍ଗରେ ଆମେରିକୀୟ ଲେଖିକା ଇ.ଏ.ବୁଚିଆନେରୀଙ୍କ ଗୋଟିଏ ଉକ୍ତି ମନେ ପଡ଼େ, ଯିଏ କହିଥିଲେ ଯେ ଗୋଟିଏ ବହି ବିଷୟରେ ନୀରବତା ଅବଲମ୍ବନ କରାଗଲେ ତାହା ବରଂ ଅଧିକ ଶୀଘ୍ର ମୃତ୍ୟୁବରଣ କରିଥାଏ, ଗୋଟିଏ ପ୍ରତିକୂଳ ସମୀକ୍ଷା ଦ୍ୱାରା ସେଇଟି ନିହତ ହେବା ଅପେକ୍ଷା।

ନିହାର ଶତପଥୀ

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁନ୍ , ୨୦୨୪ ସଂଖ୍ୟାରେ ପ୍ରକାଶିତ।)

2 thoughts on “ପ୍ରଶସ୍ତି ନା ସମୀକ୍ଷା

  1. ସମ୍ପାଦକଙ୍କ ଦ୍ୱାରା ଏକ ଚମତ୍କାର ଓ ସମୟୋପଯୋଗୀ ଲେଖା। ପ୍ରଥମ କଥା ହେଉଛି ପୁସ୍ତକ ସମୀକ୍ଷା କରିବା ପୂର୍ବରୁ ସମୀକ୍ଷକ ସମ୍ପୂର୍ଣ୍ଣ ପୁସ୍ତକକୁ ଭଲଭାବେ ପଢ଼ିବା ଆବଶ୍ୟକ। ଏହା ଆଜିର ଦିନରେ କେତେ ସମୀକ୍ଷକ କରୁଛନ୍ତି ତାହା ପ୍ରଶ୍ନବାଚୀ। ଦ୍ୱିତୀୟ କଥା ହେଉଛି ପୁସ୍ତକ ସମୀକ୍ଷା କରିବା ପାଇଁ କିଛି ନିର୍ଦ୍ଦିଷ୍ଟ ମାପଦଣ୍ଡ ଓ ମାନଦଣ୍ଡ ମଧ୍ୟ ରହିଛି। ଏହିସବୁକୁ ଗୋଟିଏ ପୁସ୍ତକ ପ୍ରାଧାନ୍ୟ ଦେଇଛି କି ନାହିଁ ତାହା ପ୍ରଥମେ ବିଚାର କରାଯିବା ପରେ ଆସିବ ସମୀକ୍ଷା କରିବାର କଥା। ଅନ୍ୟପକ୍ଷରେ କୌଣସି ସମୀକ୍ଷକ ଏକ ନିର୍ଦ୍ଦିଷ୍ଟ ପୁସ୍ତକ ସମ୍ପର୍କରେ ସମୀକ୍ଷା କରିବା ନିମନ୍ତେ ତାଙ୍କର ସେ ନେଇ ଆବଶ୍ୟକ ଜ୍ଞାନ ଓ ଗୁଣ ରହିଛିଛି କି ନାହିଁ। ଏହିସବୁ ହେଉଛି ପୁସ୍ତକ ସମୀକ୍ଷା ସମ୍ପର୍କରେ ପ୍ରସଙ୍ଗର ଭିନ୍ନ ଭିନ୍ନ ଦିଗ। କେବଳ ସୁଦୃଶ୍ୟ ବନ୍ଧେଇ, ରଙ୍ଗୀନ ପରିପାଟି ବା ଉନ୍ନତ ମାନର କାଗଜ ବ୍ୟବହାର କରିଦେଲେ ପୁସ୍ତକଟି ଭଲ ହୋଇଯାଏ ନାହିଁ। ଏହାର ଉଦାହରଣ ହେଉଛି ଅନେକ କ୍ଲାସିକ୍‌ ଶ୍ରେଣୀର ପୁସ୍ତକ ଯାହା ଅନେକ ବର୍ଷ ପରେ ମଧ୍ୟ ବେଷ୍ଟ ସେଲର ବା ଅଧିକ ବିକ୍ରୟ ହେଉଥିବା ପୁସ୍ତକଭାବେ ବିବେଚନା କରାଯାଇଥାଏ।

    ଉଦାହରଣ ସ୍ୱରୂପ ଓଡ଼ିଆ ସାହିତ୍ୟରେ ବହୁତ ବେଶୀ ଚର୍ଚ୍ଚିତ ହୋଇ ନଥିବା ଲେଖକ ବାରିଷ୍ଟର ଗୋବିନ୍ଦ ଡାସଙ୍କ ରଚିତ ଅମାବାସ୍ୟାର ଚନ୍ଦ୍ର ପୁସ୍ତକକୁ ନିଆଯାଇପାରେ। ବୋଧହୁଏ ବାରିଷ୍ଟର ଦାସ ତାଙ୍କ ଜୀବଦ୍ଦଶାରେ ଭାବି ନଥିବେ ଯେ ଏହି ପୁସ୍ତକଟି ତାଙ୍କର ଅବର୍ତ୍ତମାନରେ ମଧ୍ୟ ୬ଟି ୭ଟି ସଂସ୍କରଣ ହୋଇପାରିବ ବୋଲି।

Leave a Reply

Your email address will not be published. Required fields are marked *