ଭୁବନେଶ୍ୱରିଆଙ୍କର ପ୍ରଶ୍ନ ପଚାରିବା ପଛରେ ଯେଉଁ ମାନସିକତା ପରିଲକ୍ଷିତ ହୁଏ, ତାହାର ମୂଳ ଉଦ୍ଦେଶ୍ୟରେ ଲୁଚିରହିଥାଏ ନିଜର ବଡ଼ପଣିଆ ପ୍ରକାଶ କରିବା।
ଅଭୟ ଦାଶ, ଓରଫ ସ୍ବାମୀ ଅଭୟାନନ୍ଦ ଏବେ ଅଳ୍ପ କିଛି ଦିନ ହେଲା ଭୁବନେଶ୍ୱର ଆସିଛି ତ ! ବେଶି କେହି ଚିହ୍ନା ହୋଇନାହାନ୍ତି। ଏଠାରେ ଚିହ୍ନା ପରିଚୟ ହେବାର ଗୋଟିଏ ଧରାବନ୍ଧା ନିୟମ ଅଛି ବୋଧହୁଏ। ସ୍ବାମୀ ଅଭୟାନନ୍ଦ ବହୁତ ସ୍ଥାନରେ ସେହି ଗୋଟିଏ ପ୍ରକାର ପ୍ରଶ୍ନର ସମ୍ମୁଖୀନ ହୋଇଥିବାରୁ ଏମିତି ଭାବୁଛି। ସମ୍ପୂର୍ଣ ଅଜଣା ପରିବେଶରେ ଲୋକଙ୍କଠାରୁ ପ୍ରଥମ ପ୍ରଶ୍ନଟି ଆସେ, ଆପଣଙ୍କ ପିଲାମାନେ କଣ କରୁଛନ୍ତି? ପ୍ରଥମଟି ଡାକ୍ତର, ଦ୍ବିତୀୟଟି ପ୍ରଫେସର୍। ସେ ଦୁଇଟି ଅଣ୍ଡିରା କି ମାଈ ଜାଣିବା ଦରକାର? ମଣିଷଙ୍କର କ’ଣ ଏମିତି କ୍ଲାସିଫିକେସନ୍ ବା ବିଭାଜନ ଅଛି କି? ଅଛି ଆଜ୍ଞା, ଆମ ବରହମ୍ପୁରରେ ଏ ପ୍ରକାର ବିଭାଜନ ବିଦ୍ୟମାନ। ସେଠି ଆମେ ଶୁଣୁ ଅଣ୍ଡିରା-ପିଲା, ମାଈ-ପିଲା ଶବ୍ଦର ବହୁଳ ବ୍ୟବହାର। ଭୁବନେଶ୍ବରିଆମାନେ ଗୋଟିଏ ପ୍ରଶ୍ନରେ ଦୁଇଟି ବାଣ ଛାଡ଼ିଦିଅନ୍ତି। ଉତ୍ତର ଆପଣଙ୍କ ପାଖରେ। ସେଇଥିରେ ବାଛି ଥୋଇଦେବା ଦାୟିତ୍ୱ ଆପଣଙ୍କର।
ଯଦି ଈପ୍ସିତ ସଂଖ୍ୟା ବାବୁଙ୍କ ଆଶାରୁ ଅଧିକ ଜଣାପଡ଼େ, ସାଙ୍ଗେ ସାଙ୍ଗେ ବିସ୍ଫାରିତ ନୟନରେ ଚାହିଁ ରହିଥିବ ଦୁଇଟି ଆଖି। ତା’ସହିତ ଶୁଣିବେ, ଆଛା! ଏଣୁ ସହି ସମ୍ଭାଳି ଉତ୍ତର ଦେବା ଉଚିତ। ଯଦି ଆପଣଙ୍କ ଉତ୍ତର ହୁଏ “ଦୁଇଟି ଝିଅ” ତେବେ ପ୍ରସ୍ତୁତ ଥାଆନ୍ତୁ ଶୁଣିବାକୁ, “ଆଉ ପୁଅ? ପୁଅ ନାହିଁ?” ଆରେ, ଥିଲେ କହି ନ ଥାନ୍ତି? ଏତିକି ଭାବି ଚୁପ୍ ରହିବା ସମୟରେ ମନରେ ଯାହା ବିତିଛି, ତାହା ଅଭୟ ଦାଶ ଜାଣେ। କହିବ କାହାକୁ? ସେତିକି ବେଳକୁ ଗୋଟିଏ ସମବେଦନାର ସ୍ୱର ଶୁଭେ, ଆହା ! ଚୁ… ଚୁ ! ଅଭୟ ଦାଶ ବହଳିଆ ମୁହଁରେ କହେ, ଷଠୀ ତ ଦେଇନାହିଁ ଆଜ୍ଞା କଣ କରିବା?
ଦ୍ବିତୀୟ ପ୍ରଶ୍ନ, ଆପଣ ତ ପେନ୍ସନ୍ ପାଉଥିବେ? କେତେ? ଏ ସବୁ ପଚରା ଉଚରା ପରେ, ଏଇଟା ଆପଣଙ୍କ ନିଜ ଘର , ନା ଭଡ଼ା ଘର? ତା’ପରେ ଘରର ସାଇଜ୍, ସୁପର୍ ଏରିଆ, କାର୍ପେଟ୍ ଏରିଆ, ପ୍ଲଟ୍ ସାଇଜ୍, କେତେରେ କିଣିଲେ? ଆପଣ ଭାବିବେ, କେଉଁଠିକି ଆସିଲି ରେ?
ଏଇ ତ ବାର୍ତ୍ତାଳାପ। ତା’ପରେ ଶୁଣିବାକୁ ପ୍ରସ୍ତୁତ ଥାଆନ୍ତୁ; ତାଙ୍କର ଆରମ୍ଭ ହେବ, ମୋ ପୁଅ ଝିଅ ଜଣେ ଆମେରିକା ଜଣେ କାନାଡା, ପୁଅର ଏତେ ଡଲାର୍, ବୋହୂ ଏତେ ଡଲାର, ଝିଅ ଜୋଇଁ କେତେ ଡଲାର ହିସାବ ପରେ ନାତି ନାତୁଣୀଙ୍କ ଭିଡିଓ ଭିଡ଼ି ଓଟାରି କରି ଦେଖାଇବେ। ଦୁଇଦୁଇଟା ମୋବାଇଲ ଧରି ବୁଲିବା ଏମାନଙ୍କ ଷ୍ଟାଇଲ୍। ଏମିତି ଆମେରିକାର ପାଣିପାଗ ଶୁଣେଇବେ ଯେ, ସେତେବେଳକୁ ଆପଣ ମୁଣ୍ଡରେ ହାତ ବାଡ଼ୋଉଥିବେ।
ଏ ପ୍ରକାରେ ମାନବୀୟ ବ୍ୟବହାର ବା ହ୍ୟୁମ୍ୟାନ୍ ବିହେଭିୟର୍ ଉପରେ ଅଧିକ ରିସର୍ଚ୍ ଆବଶ୍ୟକ ମନେ କରି ଅଭୟାନନ୍ଦ ଫାଉଣ୍ଡେସନ ପୂରା ଦମ୍ରେ ଲାଗିପଡ଼ିଛି। ଏକା ବସି ଭାବୁଥାଏ, ଏଠି ଲୋକମାନେ ଏପରି ପ୍ରଶ୍ନ ପଚାରିବା ପଛରେ ମାନସିକତା କଣ? ଆଉ ପଞ୍ଝାଏ ଅଛନ୍ତି, ତାଙ୍କୁ କିଛି ପଚାରିବା ଦରକାର ନାହିଁ। ସେମାନେ ଟାଇଟ୍ ହୋଇ ଟିକିଏ ଦୂରରେ ବସି ଅତୀତକୁ ରୋମନ୍ଥନ କରନ୍ତି। କଥା କଥାକେ, “ହ୍ବେନ୍ ଆଇ ୱାଜ୍ କଲେକ୍ଟର୍” ବାକ୍ୟର ପୁନରାବୃତ୍ତି କରୁଥିବା ଦେଖାଯାଏ। ଆଶା ରଖିଥିବେ, ତା’ଙ୍କୁ ସମସ୍ତେ ଚାହାନ୍ତୁ! ତା’ଙ୍କୁ ଅମୁକ ବାବୁ ବୋଲି କହିବା ସେମାନେ ପସନ୍ଦ କରନ୍ତିନାହିଁ। ସେମାନଙ୍କୁ ଅମୁକ ସାର୍ ନାମ ସୁଟ୍ କରେ। ସେମାନେ ଖଲବଲ ହୁଅନ୍ତି, କିଏ ତାଙ୍କୁ ଚିହ୍ନନ୍ତା, ପଚାରନ୍ତା, ସାର୍ ଖାଇଲେଣି କି ନାହିଁ? ପାନରେ ଗୁଣ୍ଡି ନା ସାଧା? ଖିରି ଟିକିଏ ଆଣିବି କି? ମାନେ ଗୋଟାଏ ପତିଆରା ଗୋଟାଏ ଇମ୍ପୋର୍ଟାନ୍ସ୍ ଖୋଜି ହୁଅନ୍ତି ଏମାନେ। ଭାବନ୍ତି, ଗୋଟାଏ ଅଲଗା ଡିଜାଇନ୍ର ପ୍ରଡକ୍ଟ ସେମାନେ।
ବହୁତ ମାନସ ମନ୍ଥନ ପରେ ସ୍ବାମୀ ଅଭୟାନନ୍ଦ ଏହି ସିଦ୍ଧାନ୍ତରେ ପହଞ୍ଚିଲା ଯେ ଭୁବନେଶ୍ୱରିଆଙ୍କର ପ୍ରଶ୍ନ ପଚାରିବା ପଛରେ ଯେଉଁ ମାନସିକତା ପରିଲକ୍ଷିତ ହୁଏ, ତାହାର ମୂଳ ଉଦ୍ଦେଶ୍ୟରେ ଲୁଚିରହିଥାଏ ନିଜର ବଡ଼ପଣିଆ ପ୍ରକାଶ କରିବାର ଭାବଧାରା। ସେ ଆପଣଙ୍କୁ ସମ୍ମାନ ବା ଅଧିକ ଓଜନ ନ ଦେଇ ନିଜର ଓଜନକୁ ପ୍ରତିପାଦିତ କରିବାରେ ମନୋନିବେଶ କରନ୍ତି। ଏହା ଏକ ଭିନ୍ନ ପ୍ରକାର ମାନସିକତା ବୋଲି କହିପାରନ୍ତି, ଯାହା ଓଡିଶାର ଭୁବନେଶ୍ୱର ବ୍ୟତୀତ ଅନ୍ୟ କେଉଁଠାରେ ବିରଳ ହୋଇପାରେ? ଏଥିପାଇଁ ଅଧିକ ଅଧ୍ୟୟନ ଆବଶ୍ୟକ। ଏଠିକା ରିସର୍ଚ ପୂରା ହୋଇଗଲେ ରାଉରକେଲା ଆଡ଼େ ଦୃଷ୍ଟି ପକାଇବାକୁ ସ୍ଥିର କରିଛି ଅଭୟାନନ୍ଦ ରିସର୍ଚ ଫାଉଣ୍ଡେସନ୍ । ଆପଣ ଟିକିଏ ନିଘା ରଖିଥିବେ ସିଆଡ଼େ। ଆଜିକାଲି ତ ଭୁବନେଶ୍ୱର-ରାଉରକେଲା ଡାଇରେକ୍ଟ୍ ଫ୍ଲାଇଟ୍ ହୋଇ ଗଲାଣି!
ଆମେ ଭୁବନେଶ୍ଵରିଆ ପ୍ରସଙ୍ଗ ବାସ୍ତବଧର୍ମୀ। ଖୁବ୍ ପ୍ରଭାବଶାଳୀ ମନେ ହେଲା। ଆଖି ତଳକୁ ତଳ ପହଁରି ପହଁରି ଗଲା ଯେମିତି। ଉପସ୍ଥାପନା ଶୈଳୀ ଚମତ୍କାର ମଧ୍ୟ।