ଟିକିଲି ଯେତେ ସୁନ୍ଦରୀ, ରୂପବତୀ ହେଉନା କାହିଁକି ଅଠା ଥିବା ପର୍ଯ୍ୟନ୍ତ ସେ ମଥାରେ।
ସିନ୍ଦୂର ଓ ଟିକିଲି
ସୁନ୍ଦର, ରଙ୍ଗ ବେରଙ୍ଗ, ଭଳି ଭଳି ଡିଜାଇନ୍ର ନିଜ ରୂପକୁ ନେଇ ଟିକିଲିର ଭାରି ଅହଂକାର। ସିନ୍ଦୂରକୁ ସେ ପାଦ ତଳର ଧୂଳି ବୋଲି ଭାବେ। ହେଲେ ସିନ୍ଦୂର ଦିହକୁ ଟାଣେନି। ସେ ଜାଣେ, ଟିକିଲି ଯେତେ ସୁନ୍ଦରୀ, ରୂପବତୀ ହେଉନା କାହିଁକି ଅଠା ଥିବା ପର୍ଯ୍ୟନ୍ତ ସେ ମଥାରେ। ଅଠା ସରିଗଲେ କେଉଁ ଅଳିଆ ଗଦା କି ନାଳ ନର୍ଦ୍ଦମାରେ।
ମଉକା
ସେଦିନ ରାଧୁ ଓ ତା’ ପୁଅ ରାଜୁ ହାତରେ କୁକୁଡ଼ା ଧରି ଘରକୁ ଫେରୁଥିବା ଦେଖି ଶମ୍ଭୁ ପଚାରିଲା – ଆରେ ତୁ ପରା ବାର୍ଡ ଫ୍ଲୁ ଭୟରେ ଚିକେନ ଖାଇବା ଛାଡି ଦେଇଛୁ …ଆଉ ଆଜି କ’ଣ ବାପ ପୁଅ ହାତରେ ଚାରି ଚାରି ପଟ କୁକୁଡ଼ା ….!!!
-ଆରେ ଭାଇ ,କୁକୁଡ଼ା କେହି କିଣିଲେନି ବୋଲି ଚରଣ ପରା ତା’ଦୋକାନର ସବୁ କୁକୁଡ଼ା ମାଗଣାରେ ବାଣ୍ଟିଦେଉଛି। ଏମିତି ମଉକା କିଏ ଛାଡେ। ହେଃ… ହେଃ… ହେଃ…
ଚିତ୍ର ପ୍ରତିମା
ଫେସ୍ବୁକ୍ ରେ ନିଜ ନୂଆ ଫଟୋ ଅପ୍ଲୋଡ୍ କରୁ କରୁ ଲାଇକ୍ ଓ କମେଣ୍ଟ୍ ର ଲାଇନ୍ ଲମ୍ବିଗଲା।
ସୁନ୍ଦର…ଅତି ସୁନ୍ଦର… ବହୁତ ସୁନ୍ଦର ….ସୁନ୍ଦର ହିଁ ସୁନ୍ଦର ….ଏମିତି ଆଶାତୀତ ଅନେକ ଅନେକ ଚମତ୍କାର ଶବ୍ଦ।
ଆଇନା ସାମ୍ନାରେ ଠିଆହୋଇ ନୀରିକ୍ଷଣ କରୁଥିଲି ନିଜକୁ। ସତରେ ଆଜି ପୋଷ୍ଟ୍ କରିଥିବା ଫଟୋରେ କ’ଣ ବାସ୍ତବରେ ମୁଁ…?ନା କେଶ, ମୁଖ,ଆଖି, ଓଠରେ ରଙ୍ଗ ମଡେଇ…. ଅତ୍ୟାଧୁନିକ କ୍ୟାମେରାରେ ବୟସର ଚିହ୍ନ ଲୁଚେଇ ଠିଆ ହୋଇଥିବା ଏକ ଅବାସ୍ତବ ଚିତ୍ର ପ୍ରତିମା।
ନିଜ ଉତ୍ତରରେ ନିଜେ ଲଜ୍ଜିତ ହେବା ଛଡ଼ା ଉପାୟ ନଥିଲା ମୋ ପାଖରେ।
ଖୋଳପା
କଇଁଛକୁ ଭାରି ଅଡ଼ୁଆ ଲାଗୁଥିଲା ଏ ଖୋଳପା। ନା ସେ ପକ୍ଷୀ ଭଳି ଉଡ଼ିପାରୁଥିଲା ନା ଠେକୁଆ ଭଳି ଧାଇଁ ପାରୁଥିଲା। ନିଜ ଓଜନ ସହିତ ଏ ଅତିରିକ୍ତ ବୋଝକୁ ଧରି ଘୁଷୁରି ଘୁଷୁରି ଚାଲିଲା ବେଳେ ସେ ଈଶ୍ୱରଙ୍କୁ ବିନୀତ ପ୍ରାର୍ଥନା କରୁଥାଏ ଶୀଘ୍ର ଏ ଜଟିଳ ସମସ୍ୟାର ସରଳ ସମାଧାନଟେ କରିଦେବାକୁ।
ଦିନେ ସତକୁ ସତ, ସକାଳୁ କଇଁଛ ଆବିଷ୍କାର କଲା ତା’ ଖୋଳପାଟି ନାହିଁ। ସେ ଭାରି ଖୁସିଟେ ହେଇ ବହେ ନାଚିଗଲା। କିନ୍ତୁ ଯେତେବେଳେ ଦେଖିଲା ତା’ ଛଡ଼ା ବାକି ସମସ୍ତଙ୍କର ଦେହରେ ଗୋଟେ ଗୋଟେ ଖୋଳପା ତା’ ଖୁସି ଅନ୍ତର୍ଦ୍ଧାନ ହୋଇଗଲା କ୍ଷଣକେ।
ମାଆ ଓ ଶାଶୁ
ଚିନୁର ସାଙ୍ଗ ଆନି ପ୍ରଥମ ଥର ପାଇଁ ଆସିଥାଏ ତା ଶାଶୁ ଘରକୁ। ଗପୁଗପୁ ତିଅଣ ପୋଡିଗଲା। ପୋଡାଗନ୍ଧ ପାଇ ଶାଶୁ ଆକଟ କରି ଶୁଣାଇ ଦିଅନ୍ତି ଦି’ପଦ। ଆନି କୁ ଜମା ଭଲଲାଗେନି ଏସବୁ।
– ଚିନୁ ତୋ ଶାଶୁ ତ ପୁରା କଡକ ଚା’। କେମିତି ଶୁଣୁଚୁ ଲୋ?
– ପିଲାଦିନେ ଯେମିତି ମାଆର ଶୁଣୁଥିଲି।
– ଆରେ ମାଆର କଥା ତ ନରମ, ମଧୁର ରସଗୋଲା, ଛେନାପୋଡ଼।
– ହଁ ଯେ ,ଶାଶୁଙ୍କ ଗାଳି ବି କଲରା ଭଜା, ମାଣ୍ଡିଆ ଜାଉ। ଅରୁଚିକର, କିନ୍ତୁ ହିତକର। ଶୁଣିଲେ ମଙ୍ଗଳ।
ଭାତ
ମାଆ ଚୁଲିରେ ଭାତ ଗାଳୁଥିଲା ଝିଙ୍କା ଉପରେ ହାଣ୍ଡିକୁ ଅଣେଇ। ପେଜ ସବୁ ଝରି ଯାଉଥିଲେ ଉଷ୍ମ ପ୍ରସ୍ରବଣ ସାଜି ତଳକୁ ତଳକୁ। ହାଣ୍ଡିରେ ଏବେ କେବଳ ଭାତ। ଧୋବ ଫରଫର ନରମ ଭାତ।
ଭାତର ମହ ମହ ବାସ୍ନାରେ ଦୁଇଦିନରୁ ଉପାସିଆ ମୋ ଶୁଖିଲା ପେଟଟା ଜୋରରେ କଁ କଁ ଡାକିଲା। ଦଉଡି ଯାଇ ବସିପଇଲି ହାଣ୍ଡିଶାଳେ।
– ମାଆ, ଭାତ ଦେ! ଭାରି ଭୋକ।
ମାଆ ଅନେଇଲା ମୋ କଅଁଳ ମୁହଁକୁ। ଆଖି ଲୁହ ଲୁହ କରି କହିଲା ରହ, ପାତଲଘଣ୍ଟାଟେ ପୋଡିଦିଏ ଯେ ଚିକିଟି ଖାଇବୁ। ମୁଁ କିନ୍ତୁ ଆଉ ସହି ପାରୁ ନଥିଲି ଭୋକ। ମୋ ମନ ଜାଣି ମାଆ ମୋ ମୁଣ୍ଡକୁ ଆଉଁସି ଭାତ ବାଢିବାକୁ ଯାଉଛି ହଠାତ୍ ଧୂମକେତୁ ଭଳି ଧାଇଁ ଆଇଲା ବା’।
କୋଉଠି ଲୁଚେଇ ରଖିଛୁ ଚାଉଳ? ଭଲ ଦଶା ଅଛି ଯଦି ବାହାର କର।
ମାଆର ବାସନ ମଜା ବେତନତକ ନେଇସାରିଲା ପରେ ବା’ ର ଆଖି ପଡ଼େ ଏଇ ମାଗଣା ଚାଉଳ ଉପରେ।
ଯାହାକୁ ଦେଇ ମୁନିଆଁ ଘରୁ ଆଣେ ମଦ ପାଉଚ। ମଦ ପେଟେ ପିଇଦେଲେ ଆଉ ଚିନ୍ତା ଦକ କିଛି ନାହିଁ ତା’ର।
…ଆଲୋ କହୁନୁ …. ରହ ଶାଳୀ ତୋ ଗୁମାନ ଭାଙ୍ଗୁଛି … କହି ଭାତ ହାଣ୍ଡିଟାକୁ ସବୁ ବଳ ଲଗେଇ ଫୋପାଡି ଦେଲା ବା’। ମୁଁ ମୋ ଭୋକିଲା ପେଟକୁ ସାଉଁଳି ଦେଖୁଥିଲି ଦୁଆର ଯାକ ମଲ୍ଲିଫୁଲ ଭଳି ବିଞ୍ଚି ହୋଇଥିବା ଭାତକୁ।
ମେରିଆ ଓ ଲାଞ୍ଜିଆ
ଖଳାରେ ବେଙ୍ଗଳା ଚାଲିଥିଲା। ମେରି ଖୁଣ୍ଟ ଚାରିପଟେ ବୁଲୁଥିଲେ ବଳଦ। ଲାଞ୍ଜିଆ ବଳଦ ଭାବୁଥିଲା, ‘ଏ ମେରିଆ ଭାଇଟା ସତରେ ଭାରି ଭାଗ୍ୟବାନ। ସେଇ ଖୁଣ୍ଟ ଚାରିପଟେ ପିମ୍ପୁଡ଼ି ଭଳି ଚାଲୁଛି। ତଥାପି ଖାଉନ୍ଦ ତାକୁ କିଛି କରୁନି। ଅଥଚ ମୁଁ ଏତେ ବଡ଼ ପରିଧିରେ ଦୌଡୁଛି। ସାଥିରେ ଏମାନଙ୍କୁ ବି ଟାଣୁଛି। ଓଲଟି ମୋ ଲାଞ୍ଜ ଘିଞ୍ଚି ପିଠିରେ ପାଞ୍ଚଣ ପକେଇ ଚାଲିଛି। ଓଃ, ଏ ଲାଞ୍ଜିଆ ହେବାଟା ସତରେ ଭାରି କଷ୍ଟ।’
କିଛି ଦିନ ପରେ ଲାଞ୍ଜିଆ ଯୋଚା ହେଲା ମେରିଆ ଯାଗାରେ। ପାଦ ଟିଏ ଉଠେଇଲା ବେଳକୁ ଆଖିରେ ତା’ର ଲୁହ ଆସି ଯାଉଥିଲା। ତଣ୍ଟି ଚିପି ହୋଇ ଯିବା ପରି ଲାଗୁଥିଲା। ଅନ୍ୟମାନେ ବୁଲିବା ସହିତ ଖାଇବାର ମଜା ନେଇ ଚାଲିଥିଲେ। ସେ କିନ୍ତୁ ମୁଣ୍ଡ ତଳକୁ କରି ପାରୁନଥିଲା। ଏଥର ସେ ବୁଝି ପାରୁଥିଲା ମେରିଆ ହେବାର ଦୁଃଖ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁନ, ୨୦୨୪ ସଂଖ୍ୟାରେ ପ୍ରକାଶିତ।)
I could not grasp the theme of last mini story .Rest are superbly gripping ..
ଲେଖିକାଙ୍କ ପ୍ରତ୍ୟେକ ଗପରେ ରହିଛି ଗୋଟିଏ ଗୋଟିଏ ବର୍ତ୍ତା। ସାମ୍ପ୍ରତିକ ସମୟରେ ଆମେ ସମସ୍ତେ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରସଙ୍ଗ ବା ସମସ୍ୟାର ଗୁଢ଼ କଥା ରହିଛି ଛୋଟ ଛୋଟ କଥା ମାଧ୍ୟମରେ ଯାହାକୁ ଲେଖିକା ନାମକରଣ କରିଛନ୍ତି ଆଞ୍ଜୁଳାଏ ମିନି ଗପ ନାମରେ। ଯେପରି ହାତରେ ଆଞ୍ଜୁଳାଏ ପାଣି ହେଉ ବା ଅନ୍ୟ କିଛି ସାମଗ୍ରୀ ଆଣିବା ସମୟରେ ଧିରେ ଧିରେ କିଛି କିଛି ଖସିଯାଏ ଏବଂ ଗୋଟିଏ ସମୟରେ ହାତ ପୂରା ଖାଲି ହୋଇଯାଏ ସେହିଭଳି ହେଉଛି ଏହି ମିନିଗପଗୁଡ଼ିକ। ଗପରେ ଲେଖାଯାଇଥିବା ପ୍ରତୀକାତ୍ମକ ପ୍ରସଙ୍ଗ ଆମେ ସମସ୍ତେ ଊଣା ଅଧିକେ ଜାଣିଛୁ, ଦେଖିଛୁ ଓ ଦେଖୁଛୁ ମଧ୍ୟ, ଏହା ସତ୍ତ୍ୱେ ସବୁ ଜାଣି ଅଜଣା ଭଳି ହେଉଛୁ ଅନେକ ସମୟରେ। ଏହାଦ୍ୱାରା ଆମେ କେବଳ ନିଜକୁ ନିଜେ ଠକୁଛୁ।
ଆଉଥରେ ଲେଖିକାଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।