ଅନେକ କୁହନ୍ତି ସେ ଲେଖକ ସୁରେନ୍ଦ୍ର ନୁହେଁ, ସିଏ କଥାସମ୍ରାଟ ଫକିରମୋହନଙ୍କର ଦାୟାଦ।
ଆଶ୍ଚର୍ଯ୍ୟ ହେଉଥିବେ ନା, କିଏ ଏହି ଲୋକାପୁଅ ସୁରିଆ! ଏଇଠୁ ହିଁ ମୋ ଗପ ଆରମ୍ଭ। କଥାଟିଏ କହୁଁ, କିସ କଥା, ବେଙ୍ଗୁଲି କଥା ନୁହେଁ! ସୁରିଆ କଥା। ମୋ ଗଳ୍ପର ନାୟକ। କୌଣସି କାଳ୍ପନିକ ନୁହେଁ! ମୋ ସହ ୪୩ ବର୍ଷ କଟେଇଥିବା ମଣିଷଟିର କଥା।
ଗ୍ରାମର ନାମ ପୁରୁଷୋତ୍ତମପୁର। କଟକ ଜିଲ୍ଲାର ଉତ୍ତର-ପୂର୍ବ ଦିଗରେ ମାତ୍ର ଦଶ କିଲୋମିଟର ଦୂରରେ। ଛୋଟ ଗାଁ ଟିଏ। ଇତିହାସ କି ଭୂଗୋଳରେ ନାଆଁ ନଥିଲା। ଏ ଗାଁର ନା ଥିଲା ଧନବଳ, ନା ଥିଲା ଜନବଳ। ନା ଥିଲା କିଛି। ବିଲ ଗହିରୀ ଭିତରେ ଆମ୍ବତୋଟା, ବାଉଁଶ ବଣ, କିଆ ଗୋହିରୀ ଘେରା ଛାୟା ନିବିଡ଼ ଗୋଟିଏ ଦ୍ଵୀପ ପରି ଦୂରରୁ ଦେଖାଯାଏ।
ଗାଆଁ ବରଗଛ ମୂଳେ ଗାଆଁ ମୂରବୀ ମାନେ କହନ୍ତି ଗର୍ବରେ, ରାଜା ପୁରୁଷୋତ୍ତମ ଦେବ ଗ୍ରାମଟି ସ୍ଥାପନ କରିଥିଲେ। ତେଣୁ ଗ୍ରାମଟିର ନାମ ପୁରୁଷୋତ୍ତମପୁର। ତା ପାଖ ଗାଆଁଟି ପାଟରାଣୀ ସତ୍ୟଭାମା ଦେବୀଙ୍କ ନାମରେ, ସତ୍ୟଭାମାପୁର।
ସତ୍ୟଭାମାପୁର ମାଟିରେ ଜନ୍ମ ନେଇଥିଲେ କୂଳବୃଦ୍ଧ ମଧୁସୁଦନ ଦାସ ଏବଂ ଔପନ୍ୟାସିକ ଗୋପାଳ ବଲ୍ଲଭ ଦାସ।
୧୯୨୨, ଜୁନ ୨୧, ଆଷାଢ଼ କୃଷ୍ଣପକ୍ଷ ଦଶମୀ ଗୁରୁବାର ଦିନ ଜନ୍ମ ନେଇଥିଲେ ମୋ ଗଳ୍ପର ନାୟକ ସୁରେନ୍ଦ୍ର।
ଏକୋଇଶିଆ ଦିନ ସତ୍ୟନାରାୟଣ ପୂଜା ପରେ ନାହାକ କୋଷ୍ଠି ଗଣନା କରି କହିଥିଲେ ଶ୍ରୀ ଶ୍ରୀ ଲୋକନାଥ ମହାନ୍ତିଙ୍କ ପତ୍ନୀ ସୁଶୀଳା ଦେବୀଙ୍କ ପ୍ରଥମ ଗର୍ଭରୁ ପ୍ରଥମ ପୁତ୍ର ସନ୍ତାନ ଜାତ। ଶ୍ରଦ୍ଧାନାମ- ସୁରେନ୍ଦ୍ର। ରାଶି- ମେଷ, ନକ୍ଷତ୍ର- ଅଶ୍ଵିନୀ।
’ପଥ ଓ ପୃଥିବୀ’ରେ ସୁରେନ୍ଦ୍ର ଲେଖିଛନ୍ତି ତାଙ୍କ ଜନ୍ମ ମହାନ୍ତି ସାହିର ତହସିଲଦାରଙ୍କ ଘରେ। ସେ ଜନ୍ମ ହେଲା ବେଳକୁ ତହସିଲଦାରର କ୍ଷମତା ବଳ, ଧନବଳ କର୍ପୂର ପରି ଉଡ଼ିଯାଇଥିଲା। କନାଟି ପଡ଼ିରହିଥିଲା ତହସିଲଦାର ଘରର ଆଭିଜାତ୍ୟର ସଂକେତ ରୂପେ। ପଥର ପାହାଚ, ଦାଣ୍ଡ ପିଣ୍ଡାଟି ଥିଲା ବେଶ୍ ଚଉଡ଼ା। ଏ ଦାଣ୍ଡପିଣ୍ଡା ଉପରେ ଚାଳ ଛପରରୁ ଝୁଲୁଥିଲା ସବାରି ଓ ଚିତ୍ରବିଚିତ୍ର ଜଗତର ପେଡ଼ି। ଖଞ୍ଜାର ବୋହୂମାନେ ବାହାବେଳେ ସେସବୁ ଜିନିଷ ଯୌତୁକ ଧରି ଆସୁଥିଲେ।
ସୁରେନ୍ଦ୍ରଙ୍କ ପୂର୍ବପୁରୁଷ ଥିଲେ ମରହଟ୍ଟା ଅମଳର। ତାଙ୍କ ପୂର୍ବପୁରୁଷ କେହି ସେଠି ତହସିଲଦାର ଥିଲେ। ପୁରୁଷୋତ୍ତମପୁର ଗାଁ ପାଖରେ ଲକ୍ଷ୍ମୀନାରାୟଣପୁର ଗାଁ। ସେ ଲକ୍ଷ୍ମୀନାରାୟଣପୁର ଗାଁର ମଠଟି ବେଶ୍ ବଡ ମଠ ଥିଲା ଏବଂ ମହନ୍ତ ମଧ୍ୟ ଲୋକଙ୍କ ବିଶ୍ଵାସଭାଜନ ଥିଲେ। ସେ ମଠର ଜମିବାଡ଼ି କଥା ବୁଝିବା ପାଇଁ ସୁରେନ୍ଦ୍ରଙ୍କ ବଂଶଧର ଜଣକୁ ତହସିଲଦାର ରୂପେ ନିଯୁକ୍ତି ଦେଇଥିଲେ ଏବଂ ସମସ୍ତ କ୍ଷମତା ମଧ୍ୟ ଦେଇଥିଲେ। ହଠାତ୍ ମହନ୍ତଙ୍କ ମୃତ୍ୟୁ ହୁଏ। ଚଞ୍ଚକତା କରି ତହସିଲଦାର ମଠର ସମସ୍ତ ଭୂ-ସମ୍ପତ୍ତି ନିଜ ନାମରେ କରେଇ ନେଇଥିଲେ।
ଅଭାବ ଅନାଟନ ସହିତ ସଂଗ୍ରାମ କରି ମହନ୍ତଙ୍କର ବିଧବା ପତ୍ନୀ ଆଖିର ଲୁହ ଅନ୍ତରର କୋହରେ ଅଭିସମ୍ପାତ ବର୍ଷଣ କରି ଶୂନ୍ୟରେ ଧୂଳି ଛାଟି କହିଥିଲେ – “ହେ ଧର୍ମ ! ତୁ ଥିଲେ ବୁଝିବୁ।”
ଅନେକ ଥର ସୁରେନ୍ଦ୍ର କହିଛନ୍ତି, ଯେଉଁଠି ମହନ୍ତଙ୍କର ବିଧବା ପତ୍ନୀ ଠିଆ ହୋଇ ଅଭିସମ୍ପାତ କରିଥିଲା, ସେଇଠି ଦୁଇଟି ଫଳନ୍ତି ଗଛ ଥିଲା। ବେଶ୍ ରସାଳ ଆମ୍ବଗଛ ଦୁଇଟି। ମାତ୍ର ମହନ୍ତଙ୍କର ବିଧବା ପତ୍ନୀଙ୍କର ଅଭିଶାପ ପରେ ସେ ଗଛରେ ନା କେବେ ବଉଳ ହେଇଛି, ନା କେବେ ଆମ୍ବ ଫଳିଛି, ନା କେବେ କୁଆ କୋଇଲି ବସିଛନ୍ତି। ସୁରେନ୍ଦ୍ର ଏ କାହାଣୀ ଶୁଣିଥିଲେ ତାଙ୍କ ଜେଜେମା ଓ ଜେଜେଙ୍କ ପାଖରୁ।
ଶୈଶବରୁ ସୁରେନ୍ଦ୍ରଙ୍କୁ ଭୟାଛନ୍ନ କରିରଖିଥିଲା ସେଇ ଅଭିଶାପ। ଅନେକଥର ସେ ନିରୀକ୍ଷଣ କରନ୍ତି ସେହି ଆମ୍ବଗଛ ଦୁଇଟିକୁ। ଆମ୍ବ ଦିନେ ଖୋଜନ୍ତି, କାଳେ ବଉଳ ଆସିବ। ଆମ୍ବ ଫଳିବ, ପକ୍ଷୀ ଆସି କିଚିରିମିଚିରି କରିବ। ନା, କିଛି ହୁଏନି। କାରଣ ଅଭିଶାପ ପାଇଛନ୍ତି ତହସିଲଦାର ବଂଶ। ସୁରେନ୍ଦ୍ରଙ୍କର ବିଶ୍ୱାସ, ପୂର୍ବ ପୁରୁଷଙ୍କର ପ୍ରାରବ୍ଧ, ଅପହରଣ ଜନିତ ଦୃଷ୍ଟିରୁ ପରିଣତି ତାଙ୍କ ପରିବାର ହିଁ ଭୋଗୁଛନ୍ତି।
୧୯୮୬ ମସିହା ଠାରୁ ତାଙ୍କ ଦିହ ଖରାପ ହେବା ପରେ ସେ ହାତ ଯୋଡ଼ି ଜଗନ୍ନାଥଙ୍କୁ ମାଗୁଣି କରନ୍ତି,- “ମଣିମା! ବହୁତ ହୋଇଗଲା ଆମ ବଂଶର ଅଭିଶାପ। ଅଭିଶାପ ମୋରିଠାରେ ଶେଷ କର ହେ।”
୧୯୯୦, ଡିସେମ୍ବର ୨୨ରେ ଓଡ଼ିଶାର ସମସ୍ତ ସମ୍ବାଦପତ୍ରରେ ମୃତ୍ୟୁ ସମ୍ବାଦ ଥିଲା। ଗତକାଲି ୧୯୯୦ ଡିସେମ୍ବର ୨୧ ରାତି ୧୨:୧୫ ମିନିଟରେ ଓଡ଼ିଶାର ପ୍ରଖ୍ୟାତ ଲେଖକ, ସମ୍ପାଦକ, ରାଜନୈତିକ ନେତା ସୁରେନ୍ଦ୍ର ମହାନ୍ତି ତୁଳସୀପୁର ବାସଭବନ ‘ଶିବାନୀ’ରେ ହୃଦଘାତରେ ଇହଲୀଳା ସମ୍ବରଣ କରିଛନ୍ତି।
ସତୀଚଉରାରେ ପଞ୍ଚଭୂତର ଶରୀର ମିଶିଗଲା ମାଟିରେ। ତା ସହିତ ତାଙ୍କର ଗୋଟିଏ ପରିଚୟ ଲିଭିଗଲା। ସେ ଥିଲେ ପୁରୁଷୋତ୍ତମପୁରର ଲୋକନାଥ ମହାନ୍ତି ଓ ସୁଶୀଳା ଦେବୀଙ୍କର ଜ୍ୟେଷ୍ଠ ସନ୍ତାନ। ୧୯୯୧ ମସିହାରେ ତାଙ୍କର ପ୍ରଥମ ଶ୍ରାଦ୍ଧ ଉତ୍ସବ ଦିନ ସତୀଚଉରାରେ ତାଙ୍କର ସମାଧି ଲୋକାର୍ପଣ ହୋଇଥିଲା। ସେ ସମାଧି ଟିକେ ଭିନ୍ନ ଥିଲା। ଏକ ଗୋଲାକାର ପିଣ୍ଡି ଉପରେ ଠିଆ ହୋଇଥିଲା ଗୋଟିଏ କଳା ମାର୍ବଲ। ସେଇଥିରେ ଲେଖା ହୋଇଥିଲା, ‘ଶେଷସ୍ତମ୍ଭ’। ତା ତଳକୁ ଥିଲା ସୁରେନ୍ଦ୍ର ମହାନ୍ତି, ଜନ୍ମ ୨୧/୦୬/୧୯୨୨। ମୃତ୍ୟୁ ୨୧/୦୧/୧୯୯୦। ଏଇଟା କହିବାର ମାନେ ହେଉଛି ମଣିଷଟା ମରିଗଲା। ସଶରୀରେ ଆଉ ଦେଖାଯିବନି। ନୂଆ ବହି ଲେଖିବନି କି ଆଉ ସଭାରେ ଭାଷଣ ଦେବନି। ମାତ୍ର ସ୍ମୃତିରେ ହିଁ ରହିଗଲା ସେଇ ସ୍ମୃତି। ସୁରେନ୍ଦ୍ର ମରିବାର ୩୪ ବର୍ଷ ପରେ ଓଡ଼ିଶାରେ କାହିଁକି ସାରା ପୃଥିବୀରେ ଯିଏ ସୁରେନ୍ଦ୍ରଙ୍କୁ ଭଲପାଏ ସେ ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ସୁରେନ୍ଦ୍ର ମହାନ୍ତିଙ୍କ ନାମ ଉଚ୍ଚାରଣ କରେ ବା ତାଙ୍କ ବହି ପଢେ।
ଭାଗବତ କହେ ଯିଏ ଜନ୍ମ ନିଏ ସେ ମରେ। ଏଥିରେ ଆଶ୍ଚର୍ଯ୍ୟ ହେବାର କଣ ଅଛି? ମଣିଷର କାମ ତାକୁ ଅମର କରେ। ତେଣୁ ଗୀତାର ଦ୍ଵିତୀୟ ଅଧ୍ୟାୟର ୧୮ତମ ଶ୍ଳୋକରେ ବର୍ଣ୍ଣିତ ଅଛି, ମଣିଷ ଜନ୍ମ ପୂର୍ବରୁ ଅଦୃଶ୍ୟ ଥାଏ, ମାତୃ ଗର୍ଭରେ ମଲାପରେ ପୁଣି ମିଶିଯାଏ ମାଟି ମା’ ସାଙ୍ଗରେ। ମାତ୍ର ତା କର୍ମ ତାକୁ ଅମର କରେ। ଚିରଞ୍ଜିବୀ କରେ।
୧୯୮୪ ମସିହାରେ ସୁରେନ୍ଦ୍ର ଦୈନିକ ଖବରକାଗଜ ସମ୍ବାଦର ପ୍ରଥମ ସମ୍ପାଦକ ଭାବରେ ଦାୟିତ୍ଵ ଗ୍ରହଣ କଲେ। ଏବଂ ସେଇ ସମ୍ବାଦର ସାହିତ୍ୟ ପୃଷ୍ଠାରେ ଲେଖା ହେଲା ‘ଶେଷସ୍ତମ୍ଭ’।
ସୁରେନ୍ଦ୍ରଙ୍କ ସାନପୁଅ କୀଟୁ ଡିସେମ୍ବର ୨୧ ତାରିଖ ୧୯୯୦ ମସିହାରେ ତାଙ୍କଠାରୁ ଶେଷ ଡିକ୍ଟେସନ୍ ନେଇଥିଲା ‘ଶେଷସ୍ତମ୍ଭ’ ପାଇଁ। ସୁରେନ୍ଦ୍ର ଗଦ୍ୟ ସାହିତ୍ୟ ପାଇଁ ପ୍ରାୟ ୪୨ଟି ପୁସ୍ତକ ରଚନା କରିଛନ୍ତି। ‘ଶେଷସ୍ତମ୍ଭ’ ଗୋଟିଏ ସ୍ତମ୍ଭ ଭାବରେ ବେଶ୍ ଜନାଦୃତ ଥିଲେ। ସାମ୍ବାଦିକତା, ପ୍ରତ୍ୟକ୍ଷ ରାଜନୀତି, ମଣିଷ ସମାଜର ତତ୍କାଳୀନ ପରିସ୍ଥିତି, ପରିବେଶ ସହ ସୁରେନ୍ଦ୍ରଙ୍କ ନିବିଡ଼ ଅନୁଭବ ଥିଲା। ଯାହାକି ଥିଲା ‘ଶେଷସ୍ତମ୍ଭ’ର ମୂଳଭିତ୍ତି।
କ୍ଷୁଦ୍ର ଅଖ୍ୟାତପଲ୍ଲୀ ଗୋବର ଲିପା ମାଟି ପିଣ୍ଡାର ଆବେଗମୟ ଅନୁଭବରୁ ପାର୍ଲିଆମେଣ୍ଟର ବୌଦ୍ଧିକ ବିଚାର ଚିନ୍ତନ ସବୁକିଛି ତାଙ୍କ ସାହିତ୍ୟରେ ହିଁ ମିଳେ। ଏହା କେବଳ ବୈଚିତ୍ର୍ୟ ବିମଣ୍ଡିତ ନୁହେଁ, ଏହା ବେଶ୍ ଚମତ୍କାରିତାରେ ପରିପୂର୍ଣ୍ଣ। କିଛି ନିର୍ଭୀକ ନିରପେକ୍ଷ ମତ। କିଛି ଶାଶ୍ଵତ ଚିରନ୍ତନ ବାଣୀ। କିଛି ପ୍ରଜ୍ଞା ଟିପ୍ପଣୀ ତ କିଛି ସରସ ସୁନ୍ଦର କାବ୍ୟିକ ଉଚ୍ଚାରଣ। କିଛି ନିଜସ୍ଵ ଜୀବନ ଦର୍ଶନ। ଅନେକ କୁହନ୍ତି ସେ ଲେଖକ ସୁରେନ୍ଦ୍ର ନୁହେଁ, ସିଏ କଥାସମ୍ରାଟ ଫକିରମୋହନଙ୍କର ଦାୟାଦ। ତେଣୁ ଲୋକମୁଖରେ ସେ କଥାସମ୍ରାଟ ସୁରେନ୍ଦ୍ର।
ନା, ମୋ ନାୟକ ସୁରେନ୍ଦ୍ର ମରିନାହିଁ। ମୋ ଗଛଟି ବି ମରିନି। ଆହୁରି ଅଛି ମୋ ନାୟକର କଥା। ଭଲ ଲାଗିଲେ ଜଣେଇବେ। ଲେଖିବି, ଲୋକାପୁଅ ସୁରିଆ କଥା।
(୨୧ ଜୁନ୍, ୨୦୨୪ ଦିନ ପାଳିତ ହେଉଥିବା କଥାସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କ ୧୦୨ତମ ଜନ୍ମ ଜୟନ୍ତୀ ଉପଲକ୍ଷେ।)
Loved the write up; seemed very close to heart.
Surendra Mohanty is a great son of Odisha. One of his famous books is Neelashaila, in which he has depicted the then Odisha’s culture, art and lifeline in a vivid manner.
Once he visited Bhadrak college in 1975-76 as a guest on a function. When the students used tape recorder for a welcome song he scolded them like anything. He said,”Our Utkal is full of art and artists. But in a college here you are presenting music by using a machine.” Everybody who attended that function must have realised his depth and belongingness to our culture.
Now a days in most auditoriums people are taking help of CD, tape, and pendrive. This is to be condemned. All the music programmes in Odisha must be presented with the active participation of musicians and singers.
ଭଲ ଲାଗୁଛି।ଲେଖନ୍ତୁ।
ଆଗକୁ ଲେଖନ୍ତୁ ନାନୀ। ତାଙ୍କ ବିଷୟରେ ସବୁକିଛି ଜାଣିବାକୁ ଚାହୁଁ ଆମେ।