ଦିଆସିଲି

ବିଚ୍ଛିନ୍ନାଞ୍ଚଳର ଷଢ଼େଇକଳିଆ ଭାଷାରେ ରଚିତ ଏକ କ୍ଷୁଦ୍ର ଗଳ୍ପ।

ଆରତୀ ସାହୁ

ଗୀତା ମାଆରେ, ଯା ମାଆ ଚାଣ୍ଡେ, ଚାଣ୍ଡେ (ଶୀଘ୍ର), ସଇବା ଖୁଡ଼ୀ ଘରୁ ଡଙ୍କେଇ ନିଆଁ ନେଇ ଆସ୍‌ବୁ।
ମାଆର ସେହି ଡାକଟା ପାଇଁ ଜଗିଥାଏ ଗୀତା। ଫୁଲ ପକାଉଥିବା ରୁମାଲ୍‌ଟାକୁ ସେଇଠି ଫିଙ୍ଗ୍‌ଡ଼ି ଦେଇ ଧାଇଁ ଯାଏ ଲୁହାଡଙ୍କାଟା ଧରି।
ସଇବା ଖୁଡ଼ୀଙ୍କ ଚୁଲି ଜଳେଇ ରଖିବାର କୌଣସି ଆବଶ୍ୟକତା ନ ଥାଏ। ତାଙ୍କର ଦିଆସିଲି ଅଛି। ବଡ଼ ପାକା ଘର। ପାକା ଉଁଚାକୁ ଚଢ଼ିବା ପାଇଁ ସିମେଣ୍ଟ ଶିଡ଼ି ବି ଅଛି। ପାକା ଉଁଚାରୁ ଗାଁଟା ସାରା ଦେଖିହୁଏ, ବନ୍ଧ୍ ଆଡ଼ିରୁ ନେଇକରି ଯେ ନଦୀଧାର୍ ଯାଏଁ। ଗୀତା ଘରେ କିନ୍ତୁ ଚୁଲିରେ ଦିକ୍ ଦିକ୍ ନିଆଁ ଜଳେଇ ରଖିଥାନ୍ତି ହରମିଶା (ସବୁବେଳେ)। ନେହିଲେ ଏମିତି ନିଆଁ ମାଗି ଆଣିବାକୁ ପଡ଼େ। ସକାଳୁ କୁହୁଳୁଥିବା କାଠ୍‌ଗଣ୍ଡିକୁ ଚୁଲିରୁ ବାହାର କରି ମାଆ ଗୋବ୍‌ର ନୁଣ୍ଡା ଦିଏ। ଚୁଲି ମୁଣ୍ଡ ସଫା ସୁତ୍‌ରା କରେ। ତା’ ବାଦ୍ ସେହି କୁହୁଳୁଥିବା କାଠ୍‌ଗଣ୍ଡି ସାଙ୍ଗ୍‌ରେ ଆଉ ଦୁଇଖଣ୍ଡ୍ କାଠ ଚୁଲିରେ ଭରି ଫୁଙ୍କ୍‌ନଳିରେ ଫୁଙ୍କି ଫୁଙ୍କି ଆଞ୍ଚ କରେ। ମେଘ ବର୍ଷା କାଳ୍‌ରେ ନେସମିଆଁ (ଓଦାଳିଆ) କାଠ ହେଲେ ଚୁଲି ଧରେଇବା ବେଡ଼େ ବିର୍କତିଆ (ବିରକ୍ତିକର)। ମାଆ ଫୁଙ୍କି ଫୁଙ୍କି ହେଁସରି ଯାଏ। ଧୁଙ୍ଗିଆରେ ଆଖି ନାକ ନାଲ୍ ପଡ଼ିଯାଏ, ତଥାପି ସେଇ ପାଖର୍ ଖୁନ୍ଦ୍‌ଲିରେ (ରୁଖାରେ) ଧଖାହେଇଥିବା କିରାସିନ୍ ଶିଶି ଆଡ୍‌କୁ ହାତ ଯାଏ ନାଇଁ। ଗୀତା ଭାବେ, କିରାସିନ୍ ରଞ୍ଚେ (ମୁନ୍ଦେ) ଛିଞ୍ଚିଦେଲେ ତ ହାଉ ହାଉ ହେଇ ଜଳ୍‌ତା ଏଇନେ ଚୁଲି। ସେଟା ନାଇଁକରି …. ଶଃ ! ଛୁ-ଛା (ପୁଚି) ଆଉ ରୁମାଲ୍ ସିଲେଇରେ ଡୁବିଥିବା ଗୀତା କଁଠେ ଜାଣ୍‌ବ ଘର୍‌କରାର କଷ୍ଟ ଆଉ ମଜବୁରୀ (ଅକଳ)।
ସଇବା ଖୁଡ଼ୀଙ୍କ ଫର୍ଚା ପାକାଘର। ଭୂଇଁ ଚିକ୍କଣ୍ ଥାଣ୍ଡା ଆଉ ସାଫା। ଖର୍କିଦେଲେ ନା ସାଫା ସୁତ୍‌ରା। ମାଆ ରକମ୍ ଆଉ କଦ୍‌ବଦ୍ ହେଇ ତିନ୍ ମାସ୍‌କୁ ଥରେ ମାଟି ଗୋବ୍‌ର ନିପ୍‌ବା ଦର୍କାର୍ ନାହିଁ। ବଡ଼୍ ଘର ତାଙ୍କର, ଧନ ଦଉଲତ ଅଖାଳମାଳ। ତାଙ୍କର ଦିଆସିଲି ଥାଏ। ସେଇପାଇଁ ତାଙ୍କର କାଠ ଚୁଲି ସବୁବେଳେ ଦିକ୍ ଦିକ୍ ଜଳିବା ନିହାତି ଆବଶ୍ୟକ ନ ଥାଏ।
ତେଣୁ ଯେତେବେଳେ ନିଆଁ ମାଗିଲେ ମିଳେ। ଚୁଲିରେ ନିଆଁ ନାଇଁଥିଲେ ବି ତାଙ୍କର ଚାକ୍‌ରାଣୀମାନେ ଶଟ୍ କରି ଦିଆସିଲି ଦ୍ୱାରା କାଠଖଣ୍ଡେ ଜଳେଇ ଦେଇ ଦିଅନ୍ତି। ଗୀତା ଉଣ୍ଡି ବସିଥାଏ ତାଙ୍କ ଘରକୁ ଯିବାକୁ। ମାଆ କହିଲା ମାତ୍ରେ ଧାଇଁଯାଏ। ସଇବା ଖୁଡ଼ୀ ତାକୁ ସୁଖ ପାଆନ୍ତି। ବସିବାକୁ କହି ବାଖୁଣୀ (ଗପ) ଯୋଡ଼ନ୍ତି। କେତେକଥା ପଚାରନ୍ତି।


ମାଆ ଗୋ, ପାନ୍ ଖଣ୍ଡେ ଦେ ନା, କହି ପଛ ଆଡ଼ର୍ କୁଠରୀରୁ ବାହାରି ଆସନ୍ତି ଧୋବ୍ ଖର୍ଖରିଆ ଧୂତି ପିନ୍ଧି ଶଶାଙ୍କ ଭାଇ। ଖୁଡ଼ୀ ଯାଆନ୍ ପାନ୍‌ଖୁଙ୍ଗି ଆଣତେ। ଶଶାଙ୍କ ଭାଇ ତାକୁ ଦେଖୁ ଥାଆନ୍ କି ନାହିଁ ଜଣାନାହିଁ, କିନ୍ତୁ ଗୀତା ମୁଣ୍ଡ ଉଠେଇ ଚାହିଁପାରେ ନାହିଁ। ତାଙ୍କ ଚାହାଣିର ତୀବ୍ର ଶରସବୁ ଭିତର ଯାଇଁ ଗଳି ଯାଉଥାଏ ଯେମିତି।
ସେଦିନ ସେମିତି ତାଙ୍କ ଗଳିବାଟରେ ଦେଖା ହେଇ ଯାଇଥିଲା। ସେ ବାଟ ଛେଁକଲା (ଓଗାଳିଲା) ରକମ୍ କିଛି ସମୟ ଠିଆ ହେଇଗଲେ। ଟିକେ ପରେ ବାଟ ଛାଡ଼ିଦେଇ କହିଥିଲେ, ଯା, ନିଆଁ ନେବୁ ପରା।
କେବଳ ସେତିକି ତା’ର ସ୍ୱପ୍ନ ଦେଖିବା ପାଇଁ ଯଥେଷ୍ଟ ଥିଲା। ବେଳେବେଳେ ସ୍ୱପ୍ନ ଦେଖୁଥିଲା, ଶଶାଙ୍କ ଭାଇଙ୍କ ମୁଣ୍ଡରେ ନୋଳ ମୁକୁଟ। ଆଉ ନାଲ୍ ଟକ୍‌ଟକିଆ ପାଟରେ ସେ। ପୁଣି ଦେଖୁଥିଲା, ତାଙ୍କର ଫର୍ଚ୍ଚା ରାନ୍ଧାଘର। ଦିଆସିଲିଟା ମାରି ପାରୁନି ସେ, ଶଶାଙ୍କ ଭାଇ ତାଙ୍କ ହାତ ବେଢ଼େଇ ଆଣୁଛନ୍ତି ପଛପଟୁ ଆଉ ତାକୁ ଦିଆସିଲି ମାରିବା ଶିଖାଉଛନ୍ତି। ତାଙ୍କ ନାକର ଗରମ୍ ଗରମ୍ ବାମ୍ଫ ବାଜୁଛି ତାର୍ ଗାଲ୍‌ରେ। ନିଦ ଭାଙ୍ଗି ଯାଏ ତା’ର ଗୋଟାଦେହ ଝାଳ ସର୍ସରିଆ ହେଇ।
ସ୍ୱପ୍ନ କେବେ ଫଳେ କି ନାଇଁ ସିଏ ଜାଣି ନ ଥିଲା। କିନ୍ତୁ ବହୁତ ଦିନ ପର୍ଯ୍ୟନ୍ତ ମାଆ ଆଉ ତାକୁ ନିଆଁ ଆଣିବାକୁ ପଠାଇଲା ନାଇଁ। ଯେମିତି ହେଲେ ନିଆଁ ଟିକେ ସିକ୍ ସିକ୍ ହେଉଥାଏ ଚୁଲିରେ। ନିଭିବାକୁ ଦିଏ ନାଇଁ ଜମା। ଗୀତା ଉହୁର୍ ଡୁହୁର୍ ହୁଏ କିନ୍ତୁ ମାଆ ନିର୍ବିକାର୍ ହେଇ ଚୁଲି ଫୁଙ୍କୁଥାଏ ଆଉ ଲୁହ ଝାଳ ହେଇ ହେଁସ୍‌ରୁଥାଏ। ନାଇଁ ଜଳ୍‌ଲେ ନା ବେଡ଼େ ବେମନ୍‌ରେ (ଅନିଚ୍ଛାରେ) ଖୁନ୍ଦ୍‌ଲି (ରୁଖା) ରୁ କିରାସିନି ଶିଶିଟା ବି ନେଇ ଆସେ।
ବର୍ଷା ଦିନିଆ ସକାଳଟାଏ। ଚୁଲି ନିର୍ଜୀବ ଥଣ୍ଡା। କେମିତି ନିଭ୍‌ଲା, କିଏ ନିଭେଇଲା? ରାତିସାରା ମାଆ କୁଚାକାଠ ପକାଇଛି ଚୁଲିରେ। ଗୀତା ଜାଣ୍‌ଚତ୍‌ରୀ ଗାଲୁଇ (ଠକ) ରକମ୍ ରହିଥିଲା।
ମାଆ ଗୋ , ଯିବି କି ଖୁଡ଼ୀ ଘର୍କୁ? ଡଙ୍କେଇ ନିଆଁ ଆଣତେ।
ଖବର୍ଦାର୍‌, ଭାତ ତୁଣ ରାନ୍ଧା ନାଇଁ ହେଉ ପଛେ, ତାଙ୍କର୍ ଘରର୍ ନାମ୍ ତୁଣ୍ଡ୍‌ରେ ଧର୍ବ ନାଇଁ କେହି। ନେହିଲେ ଉଲୁକ୍‌ପାତ୍ ହେଇଯିବ।
ଛାତି ଧଡ଼୍‌ଧଡ଼୍ ହେଇଗଲା ଗୀତାର୍‌, ବାପାଙ୍କ ଚିର୍କାଳିବା ଶୁଣି। ରାଗିଗଲା ପରେ ବାପା ଦମେ ଗାଜନ୍ (ଗର୍ଜନ୍ତି)। ଖେସ୍‌ଡ ଼(ଅପମାନିତ) ହେଇ ରହିଗଲା ସିଏ।
ଦିନେ ବାପା ଆସି ମାଆ ହାତ୍‌ମୁଠାରେ ଧରେଇଦେଲେ ସାନ୍ ଚାର୍କୁଣିଆଁ କାଠପଟାର ଡବା ଗୁଟିଏ। ଗୀତା ମାଆ ଭେକ୍‌ଲ (ଭେଳେକା)। କି ଟା ଏଇଟା।
ବାପା କହିଲେ ମେଜିକ୍ ବାକ୍ସ। ତା’ ଭିତରେ ଥିବା କାଠିକୁ ଘଷିଲେ ନିଆଁ ବାହାରିବ କାଳେ। ଗୀତା ତ ଚିହ୍ନିଥିଲା, କିନ୍ତୁ ମାଆ ଜାଣିପାରୁ ନ ଥିଲା। ବାପା ଡବା ଭିତରୁ ଗୁଟିଏ କାଠି ବାହାରକରି ବାକ୍ସ ଧାରରେ ଥିବା କାଳିଆ ପଟିରେ ଘଷିଦେଲେ। ଫର୍ର କିନା ଜଳି ଉଠିଲା କାଠିଟା। ମାଆ ଦୁଇପାଦ ପଛେଇଗଲା। ଷୋଳ ବରଷୀ ଗୀତା ଖୁସିରେ ନାଚି ଉଠିଲା। ଦିଆସିଲି….
ସଇବା ଖୁଡ଼ୀ ଘରକୁ ଯିବାର ତା’ର ଛୁଆବେଳୁ ଏଇଟା ମଧ୍ୟ ଏକ ମୁଖ୍ୟ ଆକର୍ଷଣ। ଦିଆସିଲି ଡବା ମାଗି ଆଣିବା। ଦିଆସିଲି ଡବାରେ ସେ ନାଲି ଗୁଲୁଗୁଲୁ ସାଧବ ବୋହୂମାନଙ୍କୁ ଭରି ଆଣୁଥିଲା। ମାଆ ଆଉ ବାପା ଆଖିରୁ ନୁଚେଇ କରି।
କି ସୁନ୍ଦର୍ ପତଳା କାଠପଟା ତିଆରି ଘୋଡ଼ା ଛାପ ଥିବା ଏଡ଼େ ଟିକେ ଡବା। ତାର୍ ଭିତ୍‌ରେ ସମାନ ଲମ୍ବର ଷାଠିଏ କାଠିରେ ମୁଣ୍ଡରେ ଟୋପି ପିନ୍ଧିଲା ପରି ଫସ୍‌ଫରସ୍ ଲଗା ଯାଇଥାଏ। ସମାନ ହେଇ ଗୋଟେ ପଟିଆ ସଜା ହେଇ ରଖା ଯାଇଥାନ୍ତି। ତାକୁ ଜଳେଇବାର କାଇଦା ମାଆକୁ ବହୁତ ଦିନ ଯାଇଁ ଆସି ନ ଥିଲା। ଯେତେବେଳେ ଦରକାର୍ ଗୀତା ନି ଜଳାଉଥିଲା ଦିଆସିଲି। କିନ୍ତୁ ମନ ଉଷତ୍ (ଖୁସି) ନ ଥିଲା।
ନିଆଁ ଆଣିବାକୁ ଯିବା ବନ୍ଦ୍ ହେଲା। ସଇବା ଖୁଡ଼ୀଘର ବାଟ ତା’ ପାଇଁ ବନ୍ଦ୍ ହେଲା। କିପେଇଁ, ସିଏ ଜାଣି ପାରିଲା ନାହିଁ। ଏଡ଼େ ମହରଗିଆ ଦିଆସିଲି ତାଙ୍କ ଘରକୁ କିପେଇଁ ଆସିଲା, ଜାଣି ପାରିଲା ନାହିଁ।
ମନେ ପଡ଼ୁଥିଲା ଗଳିବାଟ। ଗଳିବାଟରେ ଶଶାଙ୍କ ଭାଇ। ଆଉ ଦିନେ ବି ସେମ୍‌ତି ଶଶାଙ୍କ ଭାଇଙ୍କୁ ହାବ୍‌ଡ଼ିଗଲା। ଶଟ୍‌କିନା ହାତଟାକୁ ମୁଠେଇ ଧରି ତନ୍ଦ୍‌ରାରେ (ତରତରରେ) ସେ କହିଥିଲେ, ଗୀତା, ମୋର୍ ବାହାଘର ଠିକ୍ ହେଇଗଲା। ଝାଳେଇ ଯାଇଥିଲା ସିଏ। କାହାର୍ ଖଁକାରିବାର୍ ଶୁଣି ହାତଟାକୁ ଗୁଚେଇ ଆଣି ଚାଲି ଆସିଥିଲା। ରାନ୍ଧାଘରେ ଦିଆସିଲି କାଠି ସବୁ ବିଞ୍ଚି ଦେଇଥିଲା ରାଗରେ। ଫେର୍ ତାକୁ ଖୋଳରେ ପୂରେଇଥିଲା ନିଜେ ନିଜେ।
ନୂଆ ବୋହୂ ଦେଖ୍‌ତେ ଯାଇଥିଲା ମାଆ ସାଙ୍ଗେ ସଇବା ଖୁଡ଼ୀ ଘରକୁ। ନିଜ୍‌କୁ ତଉଲୁଥିଲା ତାଙ୍କ ସହିତ ଆଉ ଉଲୁସୁଥିଲା ନିଜ ରୂପରେ ନିଜେ ମୁଗ୍ଧ ହେଇ। ସେଇଦିନ କିଏ ଗୋଟାଏ କହିବାର ଶୁଣିଥିଲା, ଗୀତାଠୁ ବେଶି ସୁନ୍ଦର୍ ବୋହୂ କଁଠେ ଆଣି ପାରଲେ ଯେ ? ଆଉ ଜଣେ ଉତ୍ତର ଦେଉଥିଲା, ବଡ଼ ଘର ବଡ଼ ଗୁମର କଥା। ଶଶାର୍ ମା ତ କେତେ ପୁଅ ଛଳିଆ ବାହାରିଥିଲା କିନ୍ତୁ ଭାଗ୍ୟ! ବୁଢ଼ା ମଙ୍ଗଲେ ନାଇଁ।
ଆଉ ଗୁଟେ ଦିନ ଏମ୍‌‌ତି ବି ଆସିଲା ଯେ ଗୀତା ମଧ୍ୟ ନିଜର ବାଡ଼ି, ଘର, ଢେଙ୍କିଶାଳକୁ ପଛକରି ଚାଲି ଆସିଥିଲା ଆଉ ଗୋଟେ ପରିବାରକୁ ଆପଣେଇ। ଦିଆସିଲି ସାଙ୍ଗରେ ସାଥି ହେଇଥିଲେ ତିନ୍‌ଝିଙ୍କିଆ କାଠ୍‌ଚୁଲି ପରେ କୁଇଲା ଚୁଲି, ତାପରେ ଫିତା ଷ୍ଟୋଭ୍‌, ତାପରେ ପାମ୍ପ୍ ଦିଆ ଷ୍ଟୋଭ୍ ପରେ ପରେ ଗ୍ୟାସ୍ ଚୁହ୍ଲା। ଆଉ ବର୍ତ୍ତମାନ ତ ମାଇକ୍ରୋ ଓଭନ୍‌, ଇଣ୍ଡକ୍‌ସନ୍‌, ଏୟର୍ ଫ୍ରାୟର୍ ଆହୁରି କେତେ ରୂପ ବଦଳେଇଲାଣି ନିଆଁ।
ଦିଆସିଲିର ଦିନକାଳ ସରି ଯାଇଥିଲା। ସେ ସୀମିତ ହେଇ ରହି ଯାଇଥିଲା ଦେବ୍‌ତାଘରେ। ହେଇ ସେଦିନ ଲାଇଟର୍ଟାକୁ କଚାଡ଼ି ଦେଇଥିଲା ରାଗରେ ବୋହୂ ସୁଜାତା, ଜଳ୍‌ତେ ନାଇଁ ବୋଲି। ପୁଅ ଫଟାକ୍ କିନା ଯାଇ ଅଟୋମେଟିକ୍ ଗ୍ଲାସ ଟପ୍ ଗ୍ୟାସ ଚୁହ୍ଲା ନେଇ ଆସିଲା। ଦିଆସିଲି ତ ଦିଆସିଲି, ଲାଇଟର୍ ମଧ୍ୟ ଦରକାର ନାହିଁ ଆଉ।
ଗୀତା ଦେବ୍‌ତା ଘରେ ବସି ଗଣୁଥିଲା କାଗଜ ତିଆରି ନୂଆ ମ୍ୟାଚ ବକ୍ସ ଭିତରେ ଜମାରୁ ତିରିଶି କାଠି ଅଛି। ସେଥିରୁ ଦରଭଙ୍ଗା କେତ୍‌ଟା, କେତ୍‌ଟା କାଠିରେ ଫେର୍ ଭଲ୍‌କରି ଫସ୍‌ଫରସ୍ ବି ଲାଗିନାଇଁ ଯେ ଜଳ୍‌ବ କି ନାଇଁ ଜଳ୍‌ବ ଜଣାନାଇଁ।
(ଲେଖିକା ବିଚ୍ଛିନ୍ନାଞ୍ଚଳ ଷଢ଼େଇକଳାର କେତେକ ସ୍ଥାନୀୟ ଶବ୍ଦ ଏହି ଗଳ୍ପରେ ପ୍ରୟୋଗ କରିଛନ୍ତି। ଲେଖାଟି ‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁନ୍, ୨୦୨୪ ସଂଖ୍ୟାରେ ପ୍ରକାଶିତ। )

2 thoughts on “ଦିଆସିଲି

  1. Very good. She is opening a new aroma of Odia language to us. The subtelty of the story is also very touching.

  2. ଧନ୍ୟବାଦ ଆରତୀ ସାହୁ ।ଅତି ଚମତ୍କାର ଗ୍ରାମ୍ୟ ଜୀବନ ବର୍ଣ୍ଣନା। ଆଞ୍ଚଳିକ ଶବ୍ଦାବଳୀ ପରିବେଷଣ କରି ମନର ଭାଷାକୁ ଫୁଟାଇ ପାରିଛନ୍ତି।ଲେଖି ଚାଲନ୍ତୁ ।
    ବିଚ୍ଛିନ୍ନାଞ୍ଚଳରେ ମାତୃ ଭାଷାକୁ ବଞ୍ଚେଇ ରଖନ୍ତୁ।ସହଯୋଗର ହାତ ଉନ୍ମୁକ୍ତ ରହିବ ।
    ଈଶ୍ୱର ମଙ୍ଗଳ କରନ୍ତୁ ।

Leave a Reply

Your email address will not be published. Required fields are marked *