ପରମାରାଧ୍ୟ ଶ୍ରୀଜଗନ୍ନାଥଙ୍କ ସହିତ ଭକ୍ତଜନଙ୍କର ସମ୍ବନ୍ଧ ଏତେ ରହସ୍ୟମୟ ଯେ ତାହାକୁ ପରିଭାଷିତ କରିବା କାଠିକର ପାଠ। ପରମ ଭକ୍ତି ଓ ସମର୍ପଣ ଭାବଠାରୁ ନେଇ ଏହା ଲମ୍ବି ଯାଇଥାଏ ଅଭିମାନ ଓ କ୍ରୋଧ ପର୍ଯ୍ୟନ୍ତ ମଧ୍ୟ। ତାହାଙ୍କର ସମସ୍ତ ଶରଣାଗତ ଯେମିତି ଏକ ମୁକ୍ତ ଲାଇସେନ୍ସ୍ଧାରୀ; ସେମାନେ ଯେମିତି ଚାହିଁବେ ସେହି ରୂପରେ ତାଙ୍କୁ ସ୍ମରଣ କରିପାରିବେ, ଯେମିତି ଇଚ୍ଛା ସେମିତି ତାଙ୍କ ସହିତ ବ୍ୟବହାର କରିପାରିବେ ଏବଂ ଯେଉଁ ସ୍ତରର ଭାଷା ହେଉନା କାହିଁକି ତାଙ୍କ ପ୍ରତି ପ୍ରୟୋଗ କରିପାରିବେ। ଦାରୁଭୂତ ମୁରାରି ସବୁ ନୀରବରେ ଗ୍ରହଣ କରିନିଅନ୍ତି। ଯେପରି ମନେହୁଏ, ସେ କେବଳ ସର୍ବବ୍ୟାପୀ ଓ ସର୍ବଶକ୍ତିମାନ ହିଁ ନୁହନ୍ତି, ସର୍ବଂସହ ମଧ୍ୟ।
କିଛିଦିନ ତଳେ ଛତିଶଗଡ଼ର ମାନ୍ୟବର ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଗୋଟିଏ ସମ୍ବାଦପତ୍ରରେ ପ୍ରବନ୍ଧଟିଏ ଲେଖି ଶ୍ରୀଜଗନ୍ନାଥଙ୍କ ପ୍ରତି ଓଡ଼ିଆଙ୍କର ସମ୍ବୋଧନ ଓ ବ୍ୟବହାର ଶାଳୀନତାର ସୀମା ଟପିବା ଉଚିତ ନୁହେଁ ବୋଲି ମତବ୍ୟକ୍ତ କରିଥିଲେ। ଏହି ପ୍ରସଙ୍ଗରେ ବିଚାର କଲେ, ଶ୍ରୀମନ୍ଦିରର ଦାରୁବିଗ୍ରହ ଆମ ଓଡ଼ିଆଙ୍କର ପାଇଁ ଆରାଧ୍ୟ ଦେବତା ମାତ୍ର ନୁହନ୍ତି, ସେ ଆମର ସଖା ଓ ସହୋଦର ମଧ୍ୟ। ଏଣୁ ଆମେ ବଡ଼ ଅନାୟାସରେ ତାଙ୍କୁ ‘ଆପଣ’ରୁ ‘ତୁମେ’ ଓ ପୁଣି ‘ତୁମେ’ରୁ ‘ତୁ’କୁ ମଧ୍ୟ ଓହ୍ଲାଇ ଆଣୁ। ନିଜର ମାନ, ଅଭିମାନ ଓ ଏପରିକି ଗାଳିଗୁଲଜ ମଧ୍ୟ ଅବିଚାରିତ ଭାବରେ ଢ଼ାଳିଦେଉ ତାଙ୍କ ଉପରେ।
ଗୋଟିଏ ଦୃଷ୍ଟିରୁ ଦେଖିଲେ, ଏଥିରେ ବିସଙ୍ଗତି ବୋଲି କିଛି ନାହିଁ। ଭକ୍ତ ଓ ଭଗବାନ ଯେତେବେଳେ ଏକାକାର ହୋଇଯାଆନ୍ତି ସେତେବେଳେ ସେମାନଙ୍କ ମଧ୍ୟରେ ଭାବ ବିନିମୟର ପ୍ରକାର ଭେଦ କୌଣସି ବନ୍ଧନ ମାନିନଥାଏ।
ରୀତିଯୁଗୀୟ କବି କବିସୂର୍ଯ୍ୟ ବଳଦେବ ରଥ ନିଜର ‘ସର୍ପ ଜଣାଣ’ କବିତାରେ ଶ୍ରୀଜଗନ୍ନାଥଙ୍କୁ ଗୋଟିଏ କାଳସର୍ପ ସହିତ ତୁଳନା କରିଛନ୍ତି। ଗଣକବି ବୈଷ୍ଣବ ପାଣି ତାଙ୍କୁ ‘ଭାତବିକା ଜଗନ୍ନାଥ’ ବୋଲି ସମ୍ବୋଧନ କରିଛନ୍ତି। ସେହିପରି କବି ଦୀନକୃଷ୍ଣ ମଧ୍ୟ ‘କୃପାସିନ୍ଧୁ ବଦନ’ କବିତାରେ ତାଙ୍କୁ ‘ଭୃତ୍ୟ’ ଓ ‘ଭିକାରି’ ବୋଲି ଅଭିହିତ କରିବାକୁ ପଛାଇ ନାହାନ୍ତି। କିନ୍ତୁ ଲକ୍ଷ୍ୟ କରିବାର କଥା ଯେ ଏ ସମସ୍ତ ରଚନାରେ କବି ଓ ବଡ଼ଦିଅଁଙ୍କ ମଧ୍ୟରେ ମଧୁର ସମ୍ପର୍କ ଅତୁଟ ରହିଛି ଏବଂ ଏଥିରେ କବିଙ୍କର ଭାବକୁ ଆବିଳତା ମୋଟେ ହିଁ ସ୍ପର୍ଶ କରିପାରିନାହିଁ। ସେ ଉପେନ୍ଦ୍ର ଭଞ୍ଜ ହୁଅନ୍ତୁ, ଅବା ଦୀନକୃଷ୍ଣ, କିମ୍ବା ସାଲବେଗ – ପ୍ରଭୁ ଜଗନ୍ନାଥଙ୍କ ଶ୍ରୀଚରଣରେ ନିଜର ଅଭିମାନ ଭରା ଅଳି-ଅର୍ଦ୍ଦଳି ବାଢ଼ିବା ବେଳେ ସେମାନେ କେବେହେଲେ ତାଙ୍କୁ ‘ତୁ’ ବୋଲି ସମ୍ବୋଧନ କରିନାହାନ୍ତି।
ଏହାର ବିପରୀତ, ଏବର କେତେକ ଆଧୁନିକ ଭଜନରେ ଜଗନ୍ନାଥଙ୍କ ପ୍ରତି ଯେଭଳି ଶବ୍ଦର ପ୍ରୟୋଗ ହେଉଛି, ତାହା ଶୁଣି ବିବ୍ରତ ହେବାକୁ ହୁଏ। ଯେମିତି, “ଠାକୁର ନମ୍ବର ୱାନ୍”, “ତୋର ବଡ଼ ପଣକୁ ଧିକ୍,” “ତୋତେ ଗଢ଼ିଛି କେଉଁ ବିନ୍ଧାଣି” ଓ “କଳିଯୁଗ କଳା ମାଷ୍ଟର”, ଆଦି।
ଅବଶ୍ୟ ଏହା ସ୍ୱୀକାର କରିବାକୁ ପଡ଼ିବ ଯେ ଯିଏ ଆମର ନିକଟତର ତାହାଙ୍କୁ ଆମେ ‘ତୁ’ କହୁ; ଟିକିଏ ଦୂରରେ ଥିଲେ ‘ତୁମେ’ ବୋଲି ସମ୍ବୋଧନ କରୁ। କିନ୍ତୁ ଯେଉଁଠାରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ହିଁ ନାହିଁ ସେଠାରେ ‘ତୁ’ ବୋଲି କୁହାଯିବା କେତେଦୂର ଯଥାର୍ଥ? ଏଣୁ ଶ୍ରୀପତିତପାବନଙ୍କ ପ୍ରତି କେତେଜଣଙ୍କର ମନ ଭିତରେ ଥିବା ଅଭିମାନ ଯେପରି ଅବମାନନାର ସ୍ତରକୁ ଖସି ନଯାଏ ସେଥିପ୍ରତି ଦୃଷ୍ଟି ଦିଆଯିବା ବାଞ୍ଛନୀୟ।
ନିହାର ଶତପଥୀ
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁଲାଇ, ୨୦୨୪ ସଂଖ୍ୟାରେ ପ୍ରକାଶିତ। )
ସମ୍ମାନନୀୟେଷୁ,
“ଭକ୍ତି ନା ଅବମାନନା” ଆଲେଖ୍ୟଟି ପଢିଲି। ମୋ ଏକାନ୍ତ ବ୍ୟକ୍ତିଗତ ମତରେ ମହାପ୍ରଭୁଙ୍କୁ ତୁ ବା ତୁମେ କହିବାରେ ଅସୁବିଧା ନାହିଁ । ସଂସ୍କୃତରେ ବି କୁହା ଯାଇଛି “ତ୍ଵମେବ ମାତାଶ୍ଚପିତା ତ୍ଵମେଵ..।” ଜଗନ୍ନାଥ ଭାବର ଠାକୁର। ତାଙ୍କୁ ଭଗବାନ ମଣିଲେ ସେ ଭଗବାନ, ନିଜ ଆତ୍ମୀୟ ଭାଇ, ବନ୍ଧୁ, ସଖା, ପୁତ୍ର ଯେମିତି ଭାବନାର ସହ ସମ୍ବୋଧନ କରାଯିବ ସେ ସେପରି। ସେପରି ଭାବନାର ସ୍ରଷ୍ଟା ବି ସେଇ ଭାବର ଠାକୁର। କେହି କେହି କାଳିଆ ଡାକନ୍ତି, ତ କେହି କାଳିଆ ସାଆନ୍ତ ବୋଲି ଡାକନ୍ତି। ଯଦି ଆମେ ତୁ ଅଥବା ତୁମେ ବଦଳରେ ଆପଣ କହିବା ସେଥିରେ କିଛି ଅଶୁଦ୍ଧ ହେବାର ନହିଁ। ତାହା ସମ୍ବୋଧନକର୍ତ୍ତାଙ୍କ ଏକାନ୍ତ ନିଜସ୍ଵ ଭାବନାର କଥା। ଯିଏ ଜଗନ୍ନାଥ ମହାପ୍ରଭୁଙ୍କୁ ନିଜର ଅତି ଆପଣାର ମନେ କରିବେ, ସେ ଆପଣ କହିଲେ ଟିକେ ଔପଚାରିକ ଲାଗିପାରେ, କିନ୍ତୁ ତୁ ବା ତୁମେ କହିଲେ ବେଶି ଆପଣାର ଭାବ ଅନୁଭବ ହେବ। ଆଲେଖ୍ୟକାରଙ୍କ ଭକ୍ତି, ଜ୍ଞାନ ନିକଟରେ ମୁଁ ଅତ୍ୟନ୍ତ ଅଧମ। ଅତଃ ଅତିଶୟୋକ୍ତି କରିଥିଲେ କ୍ଷମାପ୍ରାର୍ଥୀ।
ଜୟ ଜଗନ୍ନାଥ।
ଆଗରୁ ଲେଖିଛି, ଏବେ ମଧ୍ୟ ଲେଖୁଛି, ‘ସାହିତ୍ୟ ଚର୍ଚ୍ଚା’ର ସମ୍ପାଦକୀୟ ସର୍ବଦା ନିଆରା। କିନ୍ତୁ ଏଥର ସମ୍ପାଦକୀୟରେ ପୂର୍ବ ଭଳି କିଛି ନିଆରା ଶବ୍ଦ ଦେଖିବାକୁ ମିଳିଲା ନାହିଁ। ଏବେ ଆସିବା ସମ୍ପାଦକୀୟର ପ୍ରସଙ୍ଗକୁ। ବର୍ତ୍ତମାନ ସମୟରେ ବା କିଛିବର୍ଷ ମଧ୍ୟରେ ବେପାର ନାମରେ ଓଡ଼ିଆଙ୍କ ଠାକୁର – ଶ୍ରୀଜଗନ୍ନାଥଙ୍କୁ ନେଇ ଚାଲିଥିବା ନାନା ପ୍ରକାରର ଅସଭ୍ୟତା, ଅଶାଳୀନତା ଓ ସର୍ବୋପରି ଇଚ୍ଛା ମୁତାବକ ଶବ୍ଦ ବା ପଦର ବ୍ୟବହାର ନିଶ୍ଚିତଭାବେ ଜଣେ ଶ୍ରୀଜଗନ୍ନାଥଙ୍କ ଭକ୍ତକୁ କଷ୍ଟ ଦେବ, ଏଥିରେ ଦ୍ୱିମତ ନାହିଁ। ମୋତେ ଲାଗୁଛି ସବୁକଥାରେ ନିଆରା ଥିବା ଶ୍ରୀଜଗନ୍ନାଥଙ୍କୁ ନେଇ ଚାଲିଥିବା ଏହି ପ୍ରକାରର ଅସଭ୍ୟ କାରବାର ମଧ୍ୟ ନିଆରା ପର୍ଯ୍ୟାୟବାଚୀ। ଆଶା ରଖୁଛି ଓଡ଼ିଆ ଅସ୍ମିତା ଓ ଜଗନ୍ନାଥଙ୍କ ପ୍ରସଙ୍ଗକୁ ନେଇ ରାଜ୍ୟରେ ଶାସନଭାର ସମ୍ଭାଳିଥିବା ମୋହନ ମାଝୀଙ୍କ ନେତୃତ୍ୱାଧିନ ସରକାର ଏବଂ ଆଇନମନ୍ତ୍ରୀ ଶ୍ରୀ ହରିଚନ୍ଦନ ଏ ସମ୍ପର୍କରେ ଯଥୋଚିତ ପଦକ୍ଷେପ ନେବେ। ଅପେକ୍ଷା ରହିଲା ସମୟ ଓ ଭାବବିନୋଦିଆଙ୍କ ଭାବକୁ।