ବାରକଥା

ଏକ ନିଆରା ପାଠକୀୟ ଅନୁଭୂତିର ପ୍ରତିଶ୍ରୁତି ବହନ କରେ ଏହି ପୁସ୍ତକରେ ସୂଚୀବଦ୍ଧ ହୋଇଥିବା ପ୍ରଥମ ଗଳ୍ପ, ‘ସ୍ୱର୍ଗସୁଖ’। ତେବେ ଏହି ପ୍ରତିଶ୍ରୁତି ପରବର୍ତ୍ତୀ ଗଳ୍ପଗୁଡ଼ିକରେ କେତେ ଦୂର ସାର୍ଥକ ହୋଇଛି ତାହା ଦେଖିବାର କଥା।
‘ଜନ ହିତରେ ଜାରି’ ଶୀର୍ଷକ ପୁସ୍ତକଟିର ସଂକ୍ଷିପ୍ତ ମୁଖବନ୍ଧରେ ଲେଖିକା ଚୁମ୍ବକରେ ସୂଚାଇଦେଇଛନ୍ତି ଏଥିରେ ସଂକଳିତ ଗଳ୍ପଗୁଡ଼ିକର ଅନ୍ତଃସ୍ୱର, ଯାହା ବ୍ୟଙ୍ଗ, ଶ୍ଳେଷ ଓ ବକ୍ରୋକ୍ତିର ଏକ କକଟେଲ୍ ବୋଲି କୁହାଯାଇପାରେ। ସିଗାରେଟ୍ ଖୋଳ ଉପରେ ଲିଖିତ ବୈଧାନିକ ସତର୍କତାର ଅନୁକରଣରେ ଲେଖିକା ଆରମ୍ଭରୁ ହିଁ ସତର୍କ କରାଇଦେଇଛନ୍ତି, “ବହି ଭିତରେ ଯେତେବେଳେ ନିଶାଖୋରମାନଙ୍କୁ ଭେଟିବେ, ମନେରଖିବେ: ମଦ୍ୟପାନ ଓ ଧୂମ୍ରପାନ ସ୍ୱାସ୍ଥ୍ୟ ପକ୍ଷରେ କ୍ଷତିକାରକ।” ସେ ଆଉ ମଧ୍ୟ ଲେଖିଛନ୍ତି, “ଗଳ୍ପଗୁଡ଼ିକ ପଢ଼ି ଯଦି କେହି ପାଠକ ଆନନ୍ଦିତ, ଦୁଃଖିତ, ବିସ୍ମିତ, ବିରକ୍ତ, ବିବ୍ରତ, ଉତ୍ତ୍ୟକ୍ତ, କ୍ରୋଧିତ, ଉଲ୍ଲସିତ, ପୁଲକିତ, କିଂକର୍ତ୍ତବ୍ୟବିମୂଢ଼ ଅବା ଆତ୍ମହରା ହେଲେ – ସେଥିପାଇଁ ଏହି ଲେଖିକା ଆଦୌ ଦାୟୀ ନୁହେଁ।” ଅର୍ଥାତ୍ ଏହି ସଂକଳନ ଯେ ଏହି ସମସ୍ତ ରକମର ଭାବାବେଶ ଜାଗ୍ରତ କରିବାକୁ ସକ୍ଷମ, ଏଥିପ୍ରତି ଲେଖିକା ସଚେତନ ଅଛନ୍ତି।
ଅବଶ୍ୟ ଆମେ କିଛିମାତ୍ରାରେ ‘ଦୁଃଖିତ’ ଓ ‘ଉତ୍ତ୍ୟକ୍ତ’ ହୋଇପାରୁ ବହିଟିର କେତେକ ସ୍ଥଳରେ ମୁଦ୍ରଣ-ଅଯୋଗ୍ୟ ଶବ୍ଦମାନଙ୍କର ଅବାଧ ଅନୁପ୍ରବେଶ ଦେଖି; ଯେମିତି, “ସବୁ [….]ଗୁଡ଼ା ଏକାବେଳେ ମରିଗଲେ କି ବେ?” (ପୃଷ୍ଠା – ୮୫) ଏବଂ “କୁଆଡ଼େ ଗଲେ ସେ [….]ଦଳ?” (ପୃଷ୍ଠା -୮୬)। ଜଣେ ସ୍ପଷ୍ଟ ଆତ୍ମପ୍ରତ୍ୟୟ ସଂପନ୍ନ ଲେଖକ ବା ଲେଖିକା ହିଁ ଏହା ସମ୍ଭବ କରିପାରନ୍ତି।
ପ୍ରଥମ ଗଳ୍ପ ‘ସ୍ୱର୍ଗସୁଖ’ ନିଃସନ୍ଦେହରେ ଏକ ଅନନ୍ୟ ଥିମ୍‌ର ସୂଚକ। ଏଥିରେ ରଚନାଟିର ଛତ୍ରେଛତ୍ରେ ଗଳ୍ପ ବିନ୍ୟାସର ଅନୁପମ କଳା ସହିତ ଯେଉଁ କଥାଟି ପାଠକକୁ ବାନ୍ଧି ରଖେ ତାହା ହେଲା ଏହାର ବ୍ୟଙ୍ଗ ରସାଣିତ ବର୍ଣ୍ଣନା ଶୈଳୀ। ତେବେ ପୂର୍ବରୁ ଆମେ ଯାହା ଲେଖିଛୁ, ପ୍ରଥମ ଗଳ୍ପର ଏହି ସମୁନ୍ନତ ପ୍ରତିଶ୍ରୁତି ହୁଏତ ପୁସ୍ତକଟିରେ ସଂକଳିତ ଅନ୍ୟ କେତେକ ଗଳ୍ପରେ ସମଭାବରେ ପ୍ରତିଫଳିତ ହୋଇନାହିଁ। କେତୋଟି ରଚନା ତ ଗଳ୍ପ ପର୍ଯ୍ୟାୟବାଚୀ ହିଁ ନୁହେଁ, ଯେମିତି ‘ଚୁଗୁଲିବାଦୀ ମେନିଫେଷ୍ଟୋ’କୁ ଏକ ରମ୍ୟରଚନା ବୋଲି ବର୍ଗୀକୃତ କଲେ ଅତ୍ୟୁକ୍ତି ହେବନାହିଁ। ସେହିପରି ମଧ୍ୟ ପାଇଲୁ ଏକ ମିନିଗଳ୍ପ ‘ଭୁବନେଶ୍ୱର’ ଯାହାକୁ ଏକ ଗଳ୍ପ ପରିବର୍ତ୍ତେ ଏକ ଗଦ୍ୟ-କବିତା ବୋଲି କହିବା ଅଧିକ ଯଥାର୍ଥ ହେବ। ଏଥିରେ ଅବଶ୍ୟ ଅଛି ପାଠକର ମନକୁ ଛୁଇଁଯିବା ଭଳି ମହାର୍ଘ ଧାଡ଼ିଟିଏ: “ଭୁବନେଶ୍ୱର ନିର୍ବାକ୍ ଜଣେ ଆଶାହରା ନାରୀ।”
ଲେଖିକା ଏହି ସଂକଳନଟିର ନାମକରଣ ‘ବାରକଥା’ ବୋଲି କରି ଏହା ଯେ ବାରମଜା ବା ଚେନାଚୁର ଭଳି ବାର ଜାତି ଦ୍ରବ୍ୟର ଏକ ମିଶ୍ରଣ, ଏହା ସ୍ୱୀକାର କରିଛନ୍ତି। କାରଣ ଏଥିରେ ଭଳିକି ଭଳି ବିପରୀତମୁଖୀ ରଚନାର ଏକ ମିଶ୍ରଣ ପରିବେଷିତ ହୋଇଛି। ଗୋଟିଏ ଗଳ୍ପ ୬୩ ପୃଷ୍ଠାର ବିଶାଳ ବପୁ ଧାରଣ କରିଥିବା ବେଳେ, ଅନ୍ୟଟି ଗୋଟିଏ ପୃଷ୍ଠାରୁ ବି କମ୍ ସ୍ଥାନ ଅଧିକାର କରିଛି। ଅବଶ୍ୟ ପୁସ୍ତକଟିରେ ସଂକଳିତ ସବୁଯାକ ରଚନା ଯେ ସୁଖପାଠ୍ୟ ଏଥିରେ ସନ୍ଦେହ ନାହିଁ; ଏବଂ ଅନ୍ତତଃ ଏ ଦୃଷ୍ଟିରୁ ଏହା ପାଠକମାନଙ୍କୁ ନିରାଶ କରିବନାହିଁ ବୋଲି ଆମେ ମନେକରୁ।

ନିହାର ଶତପଥୀ

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁଲାଇ, ୨୦୨୪ ସଂଖ୍ୟାରେ ପ୍ରକାଶିତ।)

One thought on “ବାରକଥା

  1. ସୁପ୍ରିୟା ପ୍ରଶାନ୍ତଙ୍କ ‘ବାରକଥା’ ପୁସ୍ତକର ନିରପେକ୍ଷ ସମୀକ୍ଷାଟି ପଢ଼ିଲି। ବହି ସମ୍ପର୍କରେ ଅନେକ ତଥ୍ୟ ଜାଣିବାକୁ ପାଇଲି।

Leave a Reply

Your email address will not be published. Required fields are marked *