ଡାହୁକବୋଲି ତର୍କବିତର୍କର ପ୍ରସଙ୍ଗ ହୋଇ ସଦାକାଳେ ରହି ଆସିଛି।
ପୁରୀର ଡାହୁକବୋଲି ପ୍ରସଙ୍ଗରେ ଆଲୋଚନା ଚାଲିଥିଲା ଓଡ଼ିଆ ଭାଷା ସାହିତ୍ୟର ଜ୍ଞାନୀ ଗୁଣୀଙ୍କ ସହ। କିଏ ଉତ୍କ୍ଷିପ୍ତ, କିଏ ଉତ୍ସାହୀ; କିଏ ନୀରବ, କିଏ ଆଗ୍ରହୀ। ଓଡ଼ିଶାରେ ଏବେ ଅସ୍ମିତା ଶବ୍ଦ ଆଉ ବଉଁଶମରା ଡାହୁକ ପ୍ରସଙ୍ଗର କୋଳାହଳ। ଏଣୁ ସାହିତ୍ୟ ଅଧିକାଂଶ ଆତ୍ମଘୋଷିତ ଜ୍ଞାନୀଙ୍କ ପାଇଁ କାକତୀର୍ଥ ଏବେ।
ଡାହୁକବୋଲି ତର୍କବିତର୍କର ପ୍ରସଙ୍ଗ ହୋଇ ସଦାକାଳେ ରହି ଆସିଛି। ଶ୍ଲୀଳ-ଅଶ୍ଲୀଳର ପରିଧିରେ ଏହା ସଦା ଅଗ୍ନିପରୀକ୍ଷାରେ ଜର୍ଜରିତ। ବୋଲି ପ୍ରସଙ୍ଗରେ ଶହ ଶହ ପୃଷ୍ଠାର ତତ୍ତ୍ୱ ଓ ତଥ୍ୟ ପଢ଼ିଲିଣି ଏବେ ଯାଏଁ। ଆହୁରି ହଜାରେ ପୃଷ୍ଠା ପଢ଼ିବାକୁ ଅଛି। ବୁଝୁଛି, ଆମ ସାହିତ୍ୟର ଗଭୀରତା। ଜାଣୁଛି ଆମର ପାଠକ, ଲେଖକ, ସମୀକ୍ଷକଗୋଷ୍ଠୀ କଣ ହରାଇ ବସିଛନ୍ତି। ଯୁଗବାର୍ତ୍ତା ସହ ଭବିଷ୍ୟତ ଆଡ଼େ ଧାଇଁବା ଆଳରେ ପୁରାତନ ରତ୍ନଗର୍ଭା ଓଡ଼ିଆ ସାହିତ୍ୟର ସମାଧି ପ୍ରସ୍ତୁତିରେ ସର୍ବେ ବ୍ୟସ୍ତ ଏବେ। ରାଷ୍ଟ୍ରସାହିତ୍ୟ, ବିଶ୍ୱସାହିତ୍ୟର ଅନୁବାଦ ଓ ପଠନରେ ଉତ୍ଫୁଲ୍ଲ ଲେଖକ ଓ ପାଠକଗୋଷ୍ଠୀ ଆମ ଓଡ଼ିଆ ସାହିତ୍ୟର ପ୍ରଚାର ଓ ପ୍ରସାର ପାଇଁ ଅନ୍ଧ-ମୂକ-ବଧିର ହୋଇ ବସିଛନ୍ତି।
ଆସନ୍ତୁ କହିବି ଏହି ‘ବୋଲି’ କଥା। କଥାରେ ଅଛି, “ଏକ ରାଇଜର ଗାଳି, ଅନ୍ୟ ରାଇଜର ବୋଲି।” ଭିନ୍ନ ଭିନ୍ନ ଦେଶରେ ପ୍ରଚଳିତ ଭାଷାର ପ୍ରାଦେଶିକ ରୂପ ଓ ବୋଧକ ବଚନମାନଙ୍କୁ ‘ବୋଲି’ କୁହାଯାଏ। ବ୍ରଜନାଥ ବଡ଼ଜେନା ଲେଖିଛନ୍ତି,
“ଏହି ଘେନି କୃତାର୍ଥ ହେବି ବୋଲି, ଦେଶ ଭାଷାରେ ବୋଇଲି ଏ ବୋଲି।”
ବୋଲି, ଓଡ଼ିଆ କାବ୍ୟସାହିତ୍ୟର ଆଉ ଏକ ସୁସମୃଦ୍ଧ ଓ ସୁସ୍ପଷ୍ଟ ପଦଚିହ୍ନ। ଭଜନ, ଜଣାଣ, ଚଉତିଶା, ଚଉପଦୀ, ପୋଇ, ପଦିଆ, ପ୍ରବନ୍ଧ, ମନାସ, ପ୍ରଭୃତି ପରି ଏହାର ଲୋକାଚାରରେ ବ୍ୟବହାର ଯୁଗପ୍ରସାରୀ। ବିଭିନ୍ନ ପାଣ୍ଡୁଲିପି, ପୁସ୍ତିକା, ତାଳପତ୍ର ପୋଥିରେ ଏହି ବୋଲି ଏବେ ମଧ୍ୟ ନିଜର ଉପସ୍ଥିତି ବଜାୟ ରଖିଛନ୍ତି। ହେଲେ ଆମ ଓଡ଼ିଆ ସାହିତ୍ୟିକଙ୍କ ପରଦେଶୀ ଶବ୍ଦେନ୍ଦ୍ରିୟ ଏହାକୁ ବୋଧ କରି ପାରୁନାହାନ୍ତି। ସଞ୍ଚାର ମାଧ୍ୟମର ସମ୍ପ୍ରୟୋଗ ଘାଣ୍ଟି ଦେଖିଲେ ମିଳିବ ନିମ୍ନୋକ୍ତ କିଛି ବୋଲି। ସେଗୁଡ଼ିକ ହେଲା, ବଜାରବୋଲି, ଚାଟଶାଳୀ ବୋଲି, ବିଶିକେଶନ ବୋଲି, ରାଧାବିରହ ବୋଲି, ପୁରୀ ବୋଲି, ବ୍ୟାଘ୍ରବୋଲି, ରସସାଗର ବୋଲି, ଅଠରନଳା ବୋଲି, କର୍କଟବୋଲି, ଦିବ୍ୟଦେହ ବୋଲି ପ୍ରଭୃତି ଶହେରୁ ଅଧିକ ପ୍ରକାର ବୋଲି ଅଛି। ଲେଖି ବସିଲେ ପୃଷ୍ଠା ସରି ସରି ଯିବ। ଏହି ବୋଲି ହିଁ ଲୋକମୁଖର କଥାକୁ ଆହୁରି ରସାଳ କରିଦିଏ। ଆହୁରି ଅନ୍ତରଙ୍ଗ ଲାଗେ ଆମ ଭାଷା। ଆହୁରି ଶୁଣିବାକୁ ଇଚ୍ଛା ହୁଏ। ପ୍ରହରାଜଙ୍କ ଭାଷାକୋଷରେ ଲେଖା ଅଛି ଯେ, ତନ୍ତି, କୁମ୍ଭାର, କମାର, ବଢ଼େଇ, ଗଉଡ଼, ତେଲି, ପାଟରା, ତୁଳାଭିଣା ଆଦିଙ୍କର ବ୍ୟବହୃତ ଭିନ୍ନ ଭିନ୍ନ ବୋଲି ଏବେ ବି ଗାଁ ଗହଳିରେ ପ୍ରଚଳିତ। ବୃତ୍ତି ସବୁ ଧୀରେଧୀରେ ହଜୁଛି ଦୁନିଆର ଅବଡ଼ଙ୍ଗରେ। ଆଉ ସେଇ ସ୍ରୋତରେ ଭାସି ଯାଉଛି ବୋଲିର ପତର। ଅଞ୍ଚଳ ଭେଦରେ, ଜାତି ଭେଦରେ, ବୃତ୍ତି ଭେଦରେ ବୋଲି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।
ଏଣୁ, ଅଧାତୁମନ୍ତ ଲେଖକ ଓ ପାଠକଙ୍କୁ ଅନୁରୋଧ କରିବି ଯେ, ସାହିତ୍ୟର ଶାରୀରିକ ଶୃଙ୍ଗାର ନ କରି ସାହିତ୍ୟର ଆତ୍ମାକୁ ବୁଝିବାକୁ ଚେଷ୍ଟା କରନ୍ତୁ। ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାବକୁ ବିଶ୍ୱସାହିତ୍ୟର ପାଠକଙ୍କ ନିମନ୍ତେ ପ୍ରଚାର ଓ ପ୍ରସାର କରନ୍ତୁ।
– ପ୍ରଭୂ
*ଅଧାତୁମନ୍ତ- ପଞ୍ଚଭୂତ ସମ୍ବନ୍ଧ ଶୂନ୍ୟ
(‘ସାହିତ୍ୟ ଚର୍ଚ୍ଚା ’ପତ୍ରିକାର ଜୁଲାଇ,୨୦୨୪ ସଂଖ୍ୟାରେ ପ୍ରକାଶିତ ନିୟମିତ ସ୍ତମ୍ଭ । )
ଏକ ନୂଆ ଶବ୍ଦର ବ୍ୟାଖ୍ୟା ପାଇଲି। କୃତଜ୍ଞତା।
ଖୁବ୍ ଭଲ ଲଗିଲା ଲେଖନୀ
ଶୈଳୀ ଓ ବିଷୟ ବସ୍ତୁ ।ମନରେ
ଅଲୋଡନ ସୃଷ୍ଟି କଲା ନୂତନ ଶବ୍ଦ।
ଧନ୍ୟବାଦ ଆପଣଙ୍କୁ, ।