ବାହାଘରର କ୍ରମବିକାଶ

କନ୍ୟା ଖୋଜୁଥାଏ ସୁନ୍ଦରିଆ ବର, ମା’ଖୋଜୁଥାଏ ଧନ !

ଡା. ଅଭୟ ଦାଶ

‘ବାହାଘର’ ଗୋଟାଏ ବହୁ ଚର୍ଚ୍ଚିତ ଶବ୍ଦ। ଆମ ସମାଜ, ଆମ ସମାଜ କଣ, ପୁରା ମଣିଷ ସମାଜରେ ବହୁକାଳୁ ପ୍ରଚଳିତ ପରମ୍ପରା କହନ୍ତୁ, କି ଯାହା କହନ୍ତୁ, ଚାଲିଆସିଛି। କାଳକ୍ରମେ ପରିବାରର ଯୋଗଦାନରୁ ଆଗକୁ ଯାଇ, ସାମାଜିକ-ନ୍ୟାୟ ବାଟ ଦେଇ ପହଞ୍ଚିଯାଇଛି ଆଇନ୍ ପାଖରେ। ଯଥା ହିନ୍ଦୁ ବିବାହ ଆଇନ୍, ଅନ୍ୟ ବିବାହ ଆଇନ୍‌ସବୁ ଆଇନ୍ ବହି ରେ ଲିପିବଦ୍ଧ। ସେଇ ଆଇନ ବହି ପଢ଼ି ଘର ବସାଇବା – ଘର ଭାଙ୍ଗିବା ଓକିଲ ମାନଙ୍କର ଆବିର୍ଭାବ ହୋଇଛି।
ସମୟ ଥିଲା, ସେତେବେଳେ ବରପକ୍ଷ କନ୍ୟାପକ୍ଷ ଗୋଟାଏ ମସିଣାରେ ବସି ନିଷ୍ପତ୍ତି ନେଉଥିଲେ, କାହା ପୁଅକୁ କାହା ଝିଅ ବାହାଘର ହେବ। ଯଦି ଦର ନ ପଟିଲା ବାହାଘର ଅଧାରେ ଛାଡ଼ି, ବେଦୀ ଉପରୁ ବର ବାହୁଡ଼ିଯିବା ମଧ୍ୟ ଦେଖା ଯାଇଛି ଅନେକ କ୍ଷେତ୍ରରେ। ସେ ବାହାଘରର ଯୋଗସୂତ୍ର ଥାଏ ଘଟକ ହାତରେ; ସେହି ଘଟକ, ଅର୍ଥାତ୍ ପ୍ରାୟ ବାରିକ, ନାହାକ, ପୁରୋହିତ ଆଦି ଏହି ମଧ୍ୟସ୍ଥ କାର୍ଯ୍ୟ ନିର୍ବାହ କରୁଥିଲେ, ଯାହା ଆଜି ମ୍ୟାରେଜ୍ ବ୍ୟୁରୋ ହୋଇ ଏକ ନୂତନ ରୂପରେ ଦେଖାଦେଇଛି। ଏଗୁଡ଼ିକ ନୂତନ ଜ୍ଞାନ କୌଶଳ ସହ ମିଶି ଏକ ବୈଷୟିକ ସଂସ୍ଥା ରୂପେ ନିଜର ପରିଚୟ ଜାହିର କରିଛି। ଏଥିରେ ସେ ଅଠରଶ ବାଆଷଠି ମଡ଼େଲ୍ ବାପ ମା ଘଟକ ମାମୁଁ ଘର କୁଳ ସଂସ୍କାର ଆଦି ନେପଥ୍ୟକୁ ଚାଲି ଯାଇଛି। ଏ କମ୍ପ୍ୟୁଟର ଘଟକ ସଂସ୍ଥାର ପ୍ରଚାର ଏତେ ପ୍ରବଳ ଯେ, ଯେକେହି କନ୍ୟାପିତା ଏହି ପ୍ରଚାରର ଶିକାର ହୋଇ ଧୋକା ଖାଇବା କିଛି ବିଚିତ୍ର ନୁହେଁ। ଏପରି ଅନେକ ଉଦାହରଣ ସ୍ବାମୀ ଅଭୟାନନ୍ଦର ନଜରକୁ ଆସିଛି। କ୍ବାଲିଟିର କିଛି ଗ୍ୟାରେଣ୍ଟି ନାହିଁ। ଶୁଣିବେ ପୁଅ ଦୁବାଇରେ ଇଂଜିନିୟର। ଝିଅ ବାହାଘର ପରେ ଜଣାଯାଏ ପୁଅ ଦୁବାଇରେ କେଉଁ ଠିକାଦାର ପାଖରେ ପ୍ଲମ୍ବର, ଫିଟର, କି କାର୍‌ ୱାସର୍‌। କନ୍ୟାପକ୍ଷର ମୁଣ୍ଡ ଗରମ ହୋଇଗଲାବେଳକୁ ଭାଙ୍ଗୁଣିଆ ଓକିଲମାନଙ୍କର ହଠାତ୍ ଆବିର୍ଭାବ ହୁଏ। ତା’ପରେ ଯାହା ହୁଏ ଆପଣ ଜାଣନ୍ତି। ସେତେବେଳକୁ କେତେ ଟଙ୍କା ବୁଡ଼ିଥାଏ କହିବା କଷ୍ଟକର। ମାନସିକ ଦୁଶ୍ଚିନ୍ତା ଅଲଗା।


ଆଉ ସେ ସମୟ ନାହିଁ, ଯେତେବେଳେ ବାହାଘରରେ ପରିବାରର ଯୋଗଦାନ ଥିଲା। ସେତେବେଳେ ଅଜ୍ଞାତ କୁଳଶୀଳଙ୍କୁ ମନୋନୟନ ପରିଧିର ବାହାରେ ରଖାଯାଉଥିଲା। ବିବାହକୁ ଏକ ଅନୁଷ୍ଠାନ କୁହାଯାଉଥିଲା। ସେ ଅନୁଷ୍ଠାନର ସାମାଜିକ ସ୍ବୀକୃତି ପାଇଲାପରେ ବିବାହ ଗ୍ରହଣୀୟ ହେଉଥିଲା। ଲୋକମାନେ ନିଜର ଶକ୍ତିର ବାହାରକୁ ଯାଇ ଅଧିକରୁ ଅଧିକ ଧନ ବ୍ୟୟ କରୁଥିଲେ। ଘର ଜମି ବନ୍ଧା ପକାଇ ବାହାଘର କରାଯାଉଥିବା ଆମେ ଦେଖିଛୁ। ସେ ବିବାହର ମାନସିକତା ଯାହା ସ୍ବାମୀ ଅଭୟାନନ୍ଦ ନିଜ ଭାଷାରେ ଅନୁବାଦ କରିଛି; ତାହା ହେଲା,
“କନ୍ୟା ଖୋଜୁଥାଏ ସୁନ୍ଦରିଆ ବର,
ମା ‘ଖୋଜୁଥାଏ ଧନ !
ବାପ ଚାହିଁ ଥାଏ ଭଲ ପିଲାଟିଏ
ଉତ୍ତମ ବୁଦ୍ଧି, ବିଦ୍ବାନ ।”
ଉଚ୍ଚ କୂଳରେ ସେ ଜନ୍ମ ହୋଇଥିବ, ସମ୍ପର୍କୀୟମାନେ ପଚରା ଉଚରା ହୁଅନ୍ତି । ଅନ୍ୟ ଯେତେ ନିମନ୍ତ୍ରିତ ବଡ଼ ହୋଟେଲ୍‌ର ଭୋଜନ ଚାହାନ୍ତି।
ଆଜିକାଲି ସମୟକୁ ଦେଖିଲେ, ସେ ତୃତୀୟ ଧାଡ଼ିର କିଛି ଆବଶ୍ୟକତା ବା ରିଲିଭାନ୍‌ସ୍ ନାହିଁ। ସେ କୁଳ ସେ ସମ୍ପର୍କ କି କାମର? ସମ୍ପର୍କୀୟମାନେ ଛିଦ୍ରାନ୍ବେଷୀର ଭୂମିକା ଗ୍ରହଣ କରି ଅଶାନ୍ତିର ମଞ୍ଜି ପୋତିଦିଅନ୍ତି ସିନା କିଛି ଭଲ କାମରେ ଆସନ୍ତିନାହିଁ। ବିବାହ ଏକ ଅନୁଷ୍ଠାନ ବା ଇନଷ୍ଟିଚ୍ୟୁସନ ଭୁଷୁଡ଼ିବାରେ ଲାଗିଛି, କହିପାରନ୍ତି। ପୂର୍ବରୁ ଶୁଣାଯାଉଥିବା, “ପୁତ୍ରାର୍ଥେ କ୍ରୀୟତେ ଭାର୍ଯ୍ୟାଃ” କଥା ପୁରୁଣା ଅକାମୀ ହୋଇଯାଇଛି। ବିବାହ କେତେ ବିବର୍ତ୍ତନ ଦେଇ ଗତିକରି ରଖେଇ ଭାରିଜା ବା ‘ଲିଭ୍ ଇନ୍ ରିଲେସନସିପ୍’ ଦେଇ ସମଲୈଙ୍ଗିକ ବିବାହ ରେ ପାଦ ଦେବାକୁ ଅଗ୍ରସର ହେଲାଣି।
ରାଜା ମହାରାଜାମାନଙ୍କ ସମୟରେ ବିବାହୋପଯୋଗୀ କନ୍ୟାର ସ୍ୱୟଂବର ବ୍ୟବସ୍ଥା ଥିବା ଆମେ ଇତିହାସ, ପୁରାଣ ପୋଥିରେ ପଢ଼ିଛୁ। ସେଥିରେ ଲୁଚାଛପା ପ୍ରେମ ସହ ବଳ ପ୍ରୟୋଗର ନଜିର ଦେଖିବାକୁ ମିଳେ। ସେ ଋକ୍ମିଣୀ ସ୍ୱୟମ୍ବର ହେଉ କି ପୃଥ୍ବୀରାଜ ସଂଯୁକ୍ତା କଥା, ସବୁ ଘଟିଯାଇଛି ଏ ସମାଜ ଆଗରେ ! କିଏ କେଉଁ ରାଜକୁମାରୀକୁ ଉଠାଇନେଲା, କେଉଁ ବାପ ଜୋଇଁ ପଛରେ ଗୋଡ଼ାଇ ଯୁଦ୍ଧ କଲା, କେତେ ମାର ହାଣ ,କହନା ସେ କଥା !
ବାହାଘର ମାନେ ଖର୍ଚ୍ଚର ଗୋଟାଏ ଯୋଜନା ତିଆରି ହୋଇଯାଏ। ବ୍ୟାଣ୍ଡ୍ ,ବାଜା ,ବାଣ,ବରଯାତ୍ରୀ, ବିଦେଶୀ ମଦ,ବିଦେଶୀ ନାଚ; ସବୁଥିରେ ତ ଖର୍ଚ୍ଚ ଅଛି ନା? ଆମ ଦେଖନ୍ତାରେ ଜଣେ ମୁଖ୍ୟମନ୍ତ୍ରୀଙ୍କ ଝିଅ ବାହାଘରରେ ସେହି ରାଜ୍ୟ ରାଜଧାନୀର ମୋଟର ଗାଡ଼ି ଡିଲରସିପ୍ ଭଣ୍ଡାରରୁ ନୂଆ ଗାଡ଼ିମାନ ଉଠାଇ ନିଆଯାଇ ବରଯାତ୍ରୀଙ୍କ ସେବାରେ ଲଗାଯାଇଥିଲା। ବ୍ୟବସାୟୀମାନଙ୍କର ପାଟି ଫିଟାଇବାର ସାହସ ନଥିଲା। କାନ୍ଦୁଣି ମାନ୍ଦୁଣି ହୋଇ ଗଣତନ୍ତ୍ରର ଦାଉ ସମ୍ଭାଳି ରହିଲେ। ଆମ ରାଜ୍ୟରେ ଜଣେ ମୁଖ୍ୟମନ୍ତ୍ରୀ ନିଜ ଝିଅ ବାହାଘରକୁ ସାରା ରାଜ୍ୟବାସୀଙ୍କୁ ଖବରକାଗଜ ଇସ୍ତାହାର ଜରିଆରେ ନିମନ୍ତ୍ରଣ ଜଣାଇଥିଲେ। କିଏ ଗଲେ, କଣ ଖାଇଲେ, କଣ ଦେଲେ ଆମକୁ ଜଣାନାହିଁ। ସେଇ ମୁଖ୍ୟମନ୍ତ୍ରୀ ନିଜର ସମସ୍ତ ସମ୍ପତ୍ତି ଗୋଟିଏ ଟଙ୍କାରେ ବିକିଦେବେ କହି ଖବରକାଗଜରେ ବିଜ୍ଞାପନ ଦେଇଥିବା ଆମର ମନେଅଛି। କେତେ ଲୋକ ମନିଅର୍ଡର ପଠାଇଥିଲେ ଶୁଣିଛୁ। କେତେ ଟଙ୍କା ମିଳିଲା ଆମେ କହିପାରିବୁନି।
ଆଜିର ତାଜା ବାହାଘର ହେଲା, ଭାରତର ଜଣେ ସର୍ବବୃହତ୍ ଶିଳ୍ପପତିଙ୍କ ପୁଅ ବାହାଘର ଖବର, ଯାହାଙ୍କ ନାମ ତୁଣ୍ଡରେ ନ ନେଲେ ବିରୋଧୀଙ୍କ ଖାଦ୍ୟହଜମ ହୁଏନି। ଯିଏ ନିଜକୁ ଗରିବର ତ୍ରାଣକର୍ତ୍ତା, ସମାଜବାଦୀ ଆଦି ଉପାଧିରେ ଭୁଷିତ କରନ୍ତି, ସେମାନେ ବେଶ ବଦଳାଇ ସେହି ଭୋଜିରେ ଯୋଗଦେଇ ନିଜକୁ ଗୌରବ ମଣ୍ଡିତ କରିବା ଆମେ ଟେଲିଭିଜନ ପର୍ଦ୍ଦାରେ ଦେଖିଛୁ। ଆଉ ଦଳେ ବୁଦ୍ଧିଜୀବି ଅଛନ୍ତି ତାଙ୍କୁ ସବୁ ଅଡ଼ୁଆ। ଆରେ, ସେ ତୁମକୁ ଡାକିବ ବୋଲି କଣ ଲେଖାହୋଇଛି? ତୁମେ କାହିଁ ବାଡେଇ ପିଟି ହେଉଛ? ନିଜ ଭିତରେ ଯୁକ୍ତିତର୍କ କରି ମୁଣ୍ଡ ଖରାପ କରୁଛ? ପିଲାଙ୍କ ବାହାଘରରେ ଲୋକେ ଆୟ ବର୍ହିଭୁତ ଖର୍ଚ୍ଚ କରନ୍ତି। ଆମ ଭଳିଆ, ମାନେ ଏଇ ଅଭୟ ଦାଶ ଭଳିଆ ଲୋକେ ପ୍ରୋଭିଡ଼େଣ୍ଟ୍ ଫଣ୍ଡ୍‌ରୁ ଲୋନ୍ କରନ୍ତି । ଏଠୁ ସେଠୁ ହାତ ଉଧାରି କରି କାମ ଚଳାନ୍ତି। ତାର ଅଛି ସିଏ ଖର୍ଚ୍ଚ କଲା, କେତେ ଲୋକ ପୋଷାହେଲେ। କ’ଣ ନା ଧନର ନଗ୍ନ ପ୍ରଦର୍ଶନ ! ବସ ହେ, କିଏ ଶୁଣୁଛି ତୁମ ପ୍ରବଚନ? ନିଜ କାମରେ ମନ ଦିଅ, କହନ୍ତି ସ୍ବାମୀ ଅଭୟାନନ୍ଦ।

2 thoughts on “ବାହାଘରର କ୍ରମବିକାଶ

  1. ସାମ୍ପ୍ରତିକ ସମୟକୁ ନେଇ ଲେଖାଟି ବେଶ୍‌ ଉପଯୋଗୀ ହୋଇପାରିଛି। ଅନ୍ୟପକ୍ଷରେ ବାହାଘର ବା ବିଭାଘର ଏକ ସାମାଜିକ ବ୍ୟବସ୍ଥା ହୋଇଥିବାରୁ ଏଥିରେ କିଏ କେତେ ଖର୍ଚ୍ଚ କଲା ବା କରିବ ତାହାର କିଛି ନିର୍ଦ୍ଧାରିତ ସୁତ୍ର ନଥାଏ, ଯେପରି ଆମ ରାଜ୍ୟର ଜଣେ ବରିଷ୍ଠ ସାମ୍ବାଦିକ ତଥା ରାଜ୍ୟ ସୂଚନା ଆୟୋଗର ଜଣେ ସଦସ୍ୟଙ୍କ ପୁଅ ବାହାଘର ଭୋଜି ଆସନ୍ତା୨୧ ତାରିଖ, ରବିବାର ହେବାକୁ ଯାଉଛି। ଆମ ସୂଚନା ମୁତାବକ ଏହି ଭୋଜିର ମୋଟ ଖର୍ଚ୍ଚ କୁଆଡ଼େ କୋଟିଏ ଟଙ୍କା ହୋଇପାରେ ବୋଲି କିଛି ବଗୁଲିଆ କହୁଛନ୍ତି। ଏହି ଭୋଜି କଟକର ବାରବାଟୀ କ୍ଲବ୍‌ରେ ହେବାକୁ ଯାଉଥିବାରୁ ଏ ନେଇ ସବିଶେଷ ଖବର ଅବଶ୍ୟ ଆମ ପାଖରେ ନାହିଁ। କିନ୍ତୁ ମୋ ମତରେ ଲେଖକ ଯାହା ଲେଖିଛନ୍ତି ସମୟ ଓ ଆବଶ୍ୟକତା ମୁତାବକ ବାହାଘର ବ୍ୟବସ୍ଥା ଅନେକ ମାତ୍ରାରେ ପରିବର୍ତ୍ତିତ ହୋଇଛି ଏବଂ ହେବାକୁ ଯାଉଛି ମଧ୍ୟ। ତେଣୁ ଏକ ଚର୍ଚ୍ଚିତ ବାହାଘରକୁ ନେଇ ଆଲୋଚନା ଓ ସମାଲୋଚନା ହେବା କିଛି ବଡ଼କଥା ନୁହେଁ।

  2. ଯାହାର ଯେତେ ଧନ ସେ ସେତେ ଖର୍ଚ କଲା, ଏଥିରେ ଅସୁବିଧା କେଉଁଠି। ତେବେ ମୋର ଫୋନ୍ ରିଚାର୍ଜ ଯାହା ମହଙ୍ଗା ହେଇଗଲା। ଆଉ ଆଜିକାଲିର ବାହାଘର, ଯାହାକୁ ଯିଏ ରସିଲା

Leave a Reply

Your email address will not be published. Required fields are marked *