ଆଳୁ ବି କନ୍ଦାଏ?

ଅସୁନ୍ଦର ଆଳୁ ସମସ୍ତଙ୍କ ସହିତ ବଡ଼ ସୁନ୍ଦର ସାଲିସ୍ କରେ।

ଆରତୀ ସାହୁ

ସମସ୍ତଙ୍କର ବଦ୍ଧମୂଳ ଧାରଣା, ପିଆଜ ସମସ୍ତଙ୍କୁ କନ୍ଦେଇ ପାରେ। ତାର ପା ରାଗୁଆ ରସ। ତାକୁ କାଟିଲେ, ଖାଇଲେ, ଆଉ କିଣିଲେ ବି ଲୁହ ବାହାରିବ। ଦୁଇ ଚାରି ବର୍ଷରେ ଥରେ ଅଧେ ସେ ନିଜର ଦର ତେଜାଇ ରକ୍ତର ଲୁହ ଢାଳିବାକୁ ବାଧ୍ୟ କରିବ ନିଶ୍ଚିତ, ଧନୀ ଗରିବ ସମସ୍ତଙ୍କୁ।
ବହୁ ଆଗରୁ ସାହି ନାଟକମଣ୍ଡଳୀମାନଙ୍କରେ କୃତ୍ରିମ ଲୁହ ବାହାର କରିବା ପାଇଁ ଏହି ପିଆଜ ବ୍ୟବହୃତ ହେଉଥିଲା। ଗ୍ଲିସରିନ୍ କିଣିବାକୁ ସମ୍ବଳ କାହିଁ? ଫୋକଟିଆ ନାଟକ, କିଏ ଖୁସି ହେଇ ଟଙ୍କାଟିଏ ଅବା କ୍ଵଚିତ ବଡ଼ଲୋକ ଜଣେ ଅଧେ ଏଗାର ଟଙ୍କାର ମାଳାଟିଏ ଗଳେଇ ଦିଅନ୍ତି ସଗର୍ବେ। ସେତିକିରେ କୋଉ ଅଣ୍ଟିବ ଯେ? ପିଆଜ ରସ ଭଲ। ଶସ୍ତା ସୁନ୍ଦର ମଜଭୁତ।
କିନ୍ତୁ ଆଳୁ ବି କନ୍ଦାଏ ବୋଲି, କେହି କଳ୍ପନା ବି କରି ନଥିବେ।

ଏକଦା ଆଳୁ ସବୁଠାରୁ ଶସ୍ତା ପରିବା ଥିଲା।
ଶାଗରେ ମିଶେଇ
ମୁଗରେ ମିଶେଇ
ଯହିଁ ନ ମିଶେଇ
ନୁଖରା ଦିଶେଇ
ଅସୁନ୍ଦର ଆଳୁ ସମସ୍ତଙ୍କ ସହିତ ବଡ଼ ସୁନ୍ଦର ସାଲିସ୍ କରେ। ତାର ମୋଟେ ଗର୍ବ ନାହିଁ। ଥରେ ଚାଷ ହେଲେ ବର୍ଷ ସାରା ସତେଜ ରୁହେ। ବିଲରୁ ଆଣି ସେମିତି ଗଡ଼େଇ ଦିଅନ୍ତି। ତାପରେ ବର୍ଷସାରା ଖାଉଥା:
ଆଳୁ କୋବି
ଆଳୁ ପୋଟଳ
ଆଳୁ ଭେଣ୍ଡି
ଆଳୁ ବାଇଗଣ
ଆଳୁ କଲରା
ଆଳୁ ଝୁଡ଼ଙ୍ଗ
ମାଂସ ସହିତ ଆଳୁ
ମାଛ ସହିତ ଆଳୁ
କେତେ ଆଉ ଲେଖିବି, ହାତ ବିନ୍ଧିଲାଣି। ଆଳୁ ଉପାଖ୍ୟାନ କଣ ସରିବା ଜିନିଷ କି ହେ?
ଦରିଦ୍ରମାନଙ୍କର କାଠଚୁଲି ପାଉଁଶ ଭିତରେ ବି ଆଠ ଦଶଟା ଆଳୁ ନିହାତି ସେକି ହେଉଥିବେ।
ଗରିବ ବିହାରୀର ପେଜ ପେଜୁଆ ମାଁଡ଼୍ ଭାତ୍, ଆଉ ପାଣିଆ ଆଳୁ ଚୋଖା। ରାଜଭୋଗ ସିଏ।
ବଜାର ଯିବାକୁ ଲୋକ ନାହାନ୍ତି, ଥିଲେ ବି ଅଳସେଇ ଯାଉନାହାନ୍ତି; କିଛି କଥା ନାହିଁ, ଆଳୁ ଅଛି ପା !
ଆଳୁ ଦମ୍
ଆଳୁ ପୋସ୍ତ
ଆଳୁ ଚଡ଼ଚଡ଼ି
ଆଳୁ ସୋରିଷ ବଡ଼ି
ଆଳୁ ଭଜା
ଆଳୁ କଷା
ଆଳୁ ପୋଡ଼ା
ଆଳୁ ସିଝା
ଟଙ୍କ ପଖାଳ ସହିତ ଆଳୁ ପୋଡ଼ା, ରସୁଣ କୋଲାଏ, ସଜ ବାଡ଼ି ଧାନୁଆ ଲଙ୍କା ଖଣ୍ଡେ ଦଳି ଟୋପାଟାଏ ସୋରିଷ ତେଲ ଦେଇ ପାଗ କରିଦେଲେ ତା ବାସନାରେ ବିଶ୍ଵାମିତ୍ର ମେନକାକୁ ଛାଡ଼ି ଚାଲି ଆସିବେ ଟି! ଦୁର୍ବାସାଙ୍କ କ୍ରୋଧ ବି କାଫୁର ହେଇଯିବ ୟୁଁ ୟୁଁ !
ଆଉ ଜଗନ୍ନାଥେ ବି ଷାଠିଏ ପଉଟି ଛାଡ଼ି ପଳେଇ ଆସିବେ କି କଣ, ଅବଶ୍ୟ ଏହା ପରୀକ୍ଷିତ ନୁହେଁ। ତାଙ୍କ ବଡ଼ ଦେଉଳରେ ତ ଆଳୁର ପ୍ରବେଶ ନାହିଁ; ମୁଁ ମନରୁ ଲେଖୁଛି! ତଥାପି ମୋତେ ଯାହା ପ୍ରିୟ ମୋ ଠାକୁରଙ୍କୁ ବି ତ ପ୍ରିୟ ହବା କଥା ନା !
ଓକେ,
ବର୍ତ୍ତମାନ, ବର୍ତ୍ତମାନକୁ ଧଉଡି଼ ଆସ।
ଆଳୁ କିଲୋ ଏବେ ପଚାଶେ। ଅଭାବି ଦୁନିଆ। ବଡ଼ କୁନ୍ଥୁ କୁନ୍ଥୁ ହେଇ କିଲେ ଆଳୁ ଆଣିଥିଲା ଶମ୍ଭୁ ନନା ଆଜକୁ ପନ୍ଦରଦିନ ହେଲା। ପରିବା ଡାଲାଟିକୁ ସବୁଦିନ ସକାଳୁ ଦର୍ଶନ ପୂର୍ବକ ଗଣନା କରେ। କେତୋଟି ଆଳୁ ସରିଲାଣି।
– ହଇହୋ , ଭେଣ୍ଡିଟା ବିନା ଆଳୁରେ ଭାଜ। ଭଲ ନାଗୁଛି।
– କଲରା ଗୋଟା ଭଜା କରିଦିଅ। ଆଳୁ ଦରକାର ହେବନାହିଁ।
– ଆଜି ସଜନା ଶାଗ ଖରଡ଼ିଦିଅ। ପଖାଳ ସାଙ୍ଗକୁ ଭଲ। ଦିହକୁ ବି ହିତକର। ଏଇ ବରଷାଦିନିଆ ଥଣ୍ଡାକୁ ବି ଓଷଦ।
ସଜନା ଶାଗ ପାଣି ପାଣିଆ କରି ତିନି ଚାରିଟା କଞ୍ଚାଲଙ୍କା ଫୁଟେଇ ଖରଡ଼ି ଦେଲେ ଶର୍ଦ୍ଦି କୁଆଡେ କୁଆଡେ ନୁଚିବ।
ଆଳୁମାନେ ସେମିତି ଡାଲାରେ ଶୋଇ ଆରାମ ଫରମେଇ ମିଟି ମିଟି ଅନଉଥାନ୍ତି। ଶମ୍ଭୁ ନନା ଯାଇ ଟିକେ ଆଉଁସି ଦିଏ।
“ଶୋଇଥା କି? ଏଇ ଶୀତ ଆଇଲାଣି ଯେ। ଶସ୍ତା ହେବ ଆଳୁ।”
ଝିଅ ଆଇଛି ଶାଶୁଘରୁ। ରକ୍ଷା ! ଜୋଇଁଟା ଆସିନାହଁ। ନହେଲେ ଆଳୁ ଖର୍ଚ୍ଚ। ଜୋଇଁର ପୁଣି ଆଳୁ ପ୍ରିୟ।
ଅଭାବି ଦୁନିଆରେ ସମସ୍ତଙ୍କର ଆଳୁ ପ୍ରିୟ। ଗଲାଥର ଆଇଥିଲା ଯେ ଚାରିଦିନରେ ଦଶକିଲୋ ଆଳୁ ଖର୍ଚ୍ଚ ହେଇଗଲା। ହଁ ଶସ୍ତା ଥିଲା ଯେ।
ଝିଅ ବୁଝେ ବାପାର ଦୁଃଖ। ଯାହା ଅପସନ୍ଦ ତା ବି ଖାଏ।
ଝିଅ ସୋମବାର ଓଷା କରେ।
ଆଜି ମଙ୍ଗଳବାର। ପାଟିଟା ଅରୁଚା ହେଇଥିବ। ପୁଣି ମୁଣ୍ଡ ଧୋଇ ଗାଧେଇ ଥଣ୍ଡାଟା ବି ଜୋର୍ ଧରିଛି ତାକୁ।
ତା ମାଆ କରିଛି ମସୁରଡାଲି ପକେଇ ସଜନା ଶାଗ ଆଉ କଲରାଭଜା।
ଝିଅ ଆସି ହାଣ୍ଡି କଡ଼େଇ ଦେଖିସାରି ଦି’ଥର ଆଳୁଡାଲାରେ ହାତ ମାରି ଗଲାଣି। ଓପାସ ବାସି। ପଖାଳ ସାଙ୍ଗରେ ଆଳୁଭଜା ଭଲ ଲାଗେ ତାକୁ।
ପୁଣି ଆସିଲା ଝିଅ। ଆଳୁ ଡାଲା ପାଖରେ ଦଣ୍ଡେ ବସି ଭାବି ଭାବି ପଚାରିଲା,
“ବାପା, ଗୋଟେ ଆଳୁ ଭାଜିବି?”
କ୍ଲାଇମେକ୍ସ!!!
ଶମ୍ଭୁ ନନାର ଇମୋସନଟା କୋଉ ମୋଡ଼ରେ ଥିବ? ଚିନ୍ତା କରନ୍ତୁ ଥରେ।
ତେବେ ନିଷ୍କର୍ଷ ଏଇଆ ଯେ,
ଆଳୁ ବି କନ୍ଦାଏ।

5 thoughts on “ଆଳୁ ବି କନ୍ଦାଏ?

  1. ସେଇ କଥା ଆମେ ଭାଳୁ।
    ଡାକ୍ତର କହୁଛି
    ଡାଇବେଟିସ୍ ହେ
    ଛାଡ଼ି ଦେବା କି ଏ ଆଳୁ?

  2. ଧନ୍ୟ ଆଳୁ ଉପାଖ୍ୟାନ । ପ୍ରେରିତ ହୋଇ ଦୁଇଧାଡ଼ି ଲେଖିଦେଲି ।

    ଝୋଳରେ ଖେଳନ୍ତି ଆଳୁ ଆଉ ଅଣ୍ଡା ଯେପରି ଯାଆଁଳା ଭାଇ
    ଶିକ୍ଷକ ଦିଅନ୍ତୁ ଅଣ୍ଡା ଅବା ଆଳୁ
    ଅନ୍ତର ଗୋ ପଡ଼େ ନାହିଁ

    ରାନ୍ଧୁଣି ପାଇଁ ଗୋ ବିନ୍ଧାଣି ଗଢ଼ିଛି
    ଅପୂର୍ବ ଏ ଦୁଇ ଫଳ
    କେ ମାଗେ ଡଜ଼ନ କେ କହେ ଓଜନ
    କରି ଦିଅ ଦୁଇ କିଲୋ

    ଭାଉଜ ରାନ୍ଧିଲେ ଅଣ୍ଡା ଆଳୁ ଆଜି
    ଅଧିକ ଦେଇ ବେସର
    ଆଳୁ ଫିଟିଯାଇ ଝୋଳେ ମିଶିଗଲା
    ତା ସଙ୍ଗେ ଅଣ୍ଡା କେସର

    ଭାଉଜ ଘରଣୀ ଖୋଲିଲେ ଢ଼ାଙ୍କୁଣୀ
    ଆଳୁକୁ ପାଇଲେ ନାହିଁ
    ଶୂନ୍ୟଗର୍ଭା ଅଣ୍ଡା କି ରବର ବଲ
    ଫାଟିକି ରହିଛି ଚାହିଁ

    ଧଣ୍ଡା ଛୁଇଁ ଆଜି କହିଲେ ଭାଉଜ
    ଅଣ୍ଡା ସେ ରାନ୍ଧିବେ ନାହିଁ ।
    ଭାଇ ଆଣି ଦେଲେ ଚାରି ଗଣ୍ଡା ଅଣ୍ଡା
    ରବିବାର ଛାଡ଼ଖାଇ ।

  3. ପ୍ଲାଷ୍ଟିକ ଚାଉଳ ସହିତେ ଭାଇ ହେ
    ଖାଇବା ପ୍ଲାଷ୍ଟିକ ଅଣ୍ଡା।
    ଆଳୁକୁ ପ୍ଲାଷ୍ଟିକ କରିଦେଲେ ବଳେ
    ହୋଇବ କି ଆଳୁ ମାନ୍ଦା।

  4. ନ ଥାଇ ପଛକେ ମାଛ କି ମାଂସ
    ଆଳୁ ଯୋଡ଼େ ଥିଲେ ମୋଡୁ ଥା ନିଶ
    ଦେଲେ ଟିକେ ତାକୁ ଭାଜି,
    ପିଲା ଠାରୁ ବୁଢ଼ା ସଭିଏଁ ଚାହିଁବେ
    ଖାଇବାକୁ ହେବେ ରାଜି।

  5. ରାଜନୀତି ମଧ୍ୟେ ପେଶି ହେଉଛି ମୋ ଆଳୁ।
    ଚାଷୀକୁଳ କିଆଁ ଶୋଇ ପଡ଼ିଛନ୍ତି
    ଦୋଷୀ ହେଉଛି ମୋ ଆଳୁ।

Leave a Reply

Your email address will not be published. Required fields are marked *