ବ୍ୟଙ୍ଗଟା ଟିକିଏ ପାକଳ ବୟସର ରଚନା, ତାହା କୁତୁକୁତୁ କଲେ ବି ଶେଷରେ ଚିନ୍ତା କରିବା ପାଇଁ ବାଧ୍ୟ କରେ।
ଓଡ଼ିଶାର ବ୍ୟଙ୍ଗ ଓ ଅନୁବାଦ-ସାହିତ୍ୟ ଜଗତରେ ରାଧୁ ମିଶ୍ର ହେଉଛନ୍ତି ଜଣେ ସୁପରିଚିତ ବ୍ୟକ୍ତିତ୍ୱ। ବାସ୍ତରୀ ବର୍ଷ ବୟସ୍କ ଏହି ବର୍ଷୀୟାନ ପ୍ରତିଭାଧରଙ୍କର ଏ ଯାବତ୍ ପ୍ରାୟ ୨୦ଟି ପୁସ୍ତକ ପ୍ରକାଶିତ। ସେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ର ରାଜଭାଷା ବିଭାଗରେ ବହୁ ବର୍ଷ ଧରି ଜଣେ ବରିଷ୍ଠ ପ୍ରବନ୍ଧକ ଭାବରେ କାର୍ଯ୍ୟ କରିବା ପରେ ସେବାନିବୃତ୍ତ ହୋଇଛନ୍ତି। ଓଡ଼ିଆ ସାହିତ୍ୟକୁ ତାଙ୍କର ସାମଗ୍ରିକ ଅବଦାନ ପାଇଁ ୨୦୨୨ ମସିହାରେ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନ ଓ ଓଡ଼ିଆ ସାହିତ୍ୟର ହିନ୍ଦୀ ଅନୁବାଦ ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ୨୦୨୧ ରେ ସୌହାର୍ଦ୍ଦ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା। ତାଙ୍କ ସହିତ ବାର୍ତ୍ତାଳାପ କରିଥିଲେ ‘ସାହିତ୍ୟ ଚର୍ଚ୍ଚା‘ର ସମ୍ପାଦକ ନିହାର ଶତପଥୀ।
ସାହିତ୍ୟ ଚର୍ଚ୍ଚା: ଆପଣ ପାଠକ ମହଲରେ ‘ରାଧୁ ମିଶ୍ର’ ଭାବରେ ପରିଚିତ। ତେବେ ‘ରାଧାକୃଷ୍ଣ ମିଶ୍ର’ରୁ ‘ରାଧୁ ମିଶ୍ର’ ହେଲେ କେବେ ଓ କାହିଁକି?
ରାଧୁ ମିଶ୍ର: ସ୍କୁଲ୍ରେ ପଢ଼ିଲା ବେଳେ ଯେତେବେଳେ କବିତା ଗୋଟିଏ ଗୋଟିଏ ଲେଖୁଥିଲି, ସେତେବେଳେ ଆଉ ଜଣେ ସାମ୍ବାଦିଜ ଯିଏକି ସମ୍ବଲପୁରରୁ ପତ୍ରିକାଟିଏ ପ୍ରକାଶ କରୁଥିଲେ, କହିଲେ, “ଆରେ ବାଃ, ଭଲ କବିତା ଲେଖୁଛ ତ ! ଦିଅ ଛାପିବା।” ମୁଁ କିନ୍ତୁ ଚିରକାଳ ସଙ୍କୁଚିତ ଲୋକ। ଭାବିଲି ଯେ, ନାଇଁ, ନିଜ ନାଁରେ ଦେବିନି; ଚୁପ୍ କରି ରାଧୁ ମିଶ୍ର ନାଁରେ ଦେଇଦେବି। ସେତେବେଳେ ମୁଁ ଜାଣିନଥିଲି ଯେ ଏଇ ରାଧୁ ମିଶ୍ରଟା ଏମିତି ମୋ’ର ପରିଚୟ ହୋଇ ଚିରଦିନ ପାଇଁ ରହିଯିବ।
ସାହିତ୍ୟ ଚର୍ଚ୍ଚା: ଓଡ଼ିଶାକୁ ସାଧାରଣତଃ ଏକ କାନ୍ଦୁରା ରାଜ୍ୟ ଭାବରେ ଧରି ନିଆଯାଏ। ସାହିତ୍ୟ କହନ୍ତୁ, ସଂଗୀତ ଅବା ନାଟକ – ଆମର ସବୁଥିରେ କରୁଣ ରସକୁ ପ୍ରାଧାନ୍ୟ ଦିଆଯାଏ। ଏମିତି ପରିବେଶ ଭିତରେ ଆପଣ ହାସ୍ୟରସର ଭକ୍ତ ହୋଇଗଲେ କେମିତି?
ରାଧୁ ମିଶ୍ର: କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ମତରେ, ଯାହାଙ୍କୁ ଉପରୁ କରୁଣାର ବିନ୍ଦୁଟିଏ ମିଳିଛି, ହାସ୍ୟ ସେହିମାନେ ହିଁ ଲେଖିପାରନ୍ତି। ହେଲେ ଓଡ଼ିଶାଟା କାନ୍ଦୁରା ରାଜ୍ୟ ବୋଲି ମୋତେ ଲାଗେ ନାହିଁ; ଯଦିଓ ଆମ ସାହିତ୍ୟର ଅଧିକାଂଶ ଲେଖକ ସିରିଅସ୍ ବା ଗମ୍ଭୀର ଚିନ୍ତାଧାରା ଆଡ଼କୁ ଯାଇଛନ୍ତି।
ସାହିତ୍ୟ ଚର୍ଚ୍ଚା: ବ୍ୟଙ୍ଗ ଓ ହାସ୍ୟ ଭିତରେ କିଛି ନିର୍ଦ୍ଦିଷ୍ଟ ଫରକ ଅଛି କି?
ରାଧୁ ମିଶ୍ର: ତରୁଣଟିଏ ଅବା ୨୦ କି ୨୨ ବର୍ଷର ଯୁବକଟିଏ, ଯିଏ ଜୀବନ ଦେଖିନାହିଁ, ସେ ଯଦି ବ୍ୟଙ୍ଗ ଲେଖିବ, ପ୍ରକୃତ ବ୍ୟଙ୍ଗ ସେଥିରୁ ଉକୁଟିବ ନାହିଁ। ବ୍ୟଙ୍ଗ ଓ ହାସ୍ୟ ଭିତରେ ବହୁତ ଫରକ ଅଛି। ସାଧାରଣତଃ ବ୍ୟଙ୍ଗଟା ଟିକିଏ ପାକଳ ବୟସର ରଚନା, ତାହା କୁତୁକୁତୁ କଲେ ବି ଶେଷରେ ଚିନ୍ତା କରିବା ପାଇଁ ବାଧ୍ୟ କରେ।
ସାହିତ୍ୟ ଚର୍ଚ୍ଚା: ଏମିତି ମଧ୍ୟ ଦେଖାଯାଇଛି ଯେ ଅଧିକାଂଶ ହାସ୍ୟରସିକ ସେମାନଙ୍କ ରଚନାରେ ଯେଉଁ ଚମତ୍କାର ହାସ୍ୟରସ ପରିବେଷଣ କରନ୍ତି ଏବଂ ପାଠକମାନଙ୍କ ମନରେ ସେମାନଙ୍କର ଯେଉଁ ଛବି ଥାଏ, ବାସ୍ତବ ଜୀବନରେ ସେମାନେ କିନ୍ତୁ ସେମିତି ମିଜାଜ୍ର ହୋଇନଥାନ୍ତି। କିନ୍ତୁ ଆମେ ଶୁଣିଛୁ, ଆପଣ ଏହାର ବ୍ୟତିକ୍ରମ; ଅର୍ଥାତ୍ ନିଜ ରଚନାରେ ଯେମିତି, ବାସ୍ତବ ଜୀବନରେ ବି ସେମିତି, ସଦା ହସ ହସ ଓ ରସିକିଆ।
ରାଧୁ ମିଶ୍ର: ହେଇଥିବ ଆଜ୍ଞା, ପିଲାବେଳୁ ମୁଁ ଯେଉଁ ପରିବେଶରେ ବଢିଛି ସେଥିରେ ମୋ ବ୍ୟକ୍ତିତ୍ୱ ଗଢ଼ା। ବାପା ହାସ୍ୟବିନୋଦପୂର୍ଣ୍ଣ ଥିଲେ। ସେ ବିଭିନ୍ନ ମଜାଳିଆ ଓ କଉତୁକିଆ କଥା କହୁଥାଆନ୍ତି। ଘରେ ଅନ୍ୟମାନେ ବି ଥିଲେ ସେହିଭଳି; ଏଣୁ ସେହି ସୁବିଧାଟା ମୋତେ ମିଳିଗଲା।
ସାହିତ୍ୟ ଚର୍ଚ୍ଚା: ଆପଣ ବାପାଙ୍କ କଥା କହିଲେ; ଆପଣ ଗୋଟିଏ ସାହିତ୍ୟିକ ପରିବେଶରେ ବଢ଼ିଛନ୍ତି। ଶୁଣିଛୁ ସେ ଜଣେ ଲୋକପ୍ରିୟ ପ୍ରଧାନ ଶିକ୍ଷକ ଥିଲେ ଏବଂ କେତେକ ସୁଖ୍ୟାତ ପୁସ୍ତକ ମଧ୍ୟ ରଚନା କରିଛନ୍ତି। ଆପଣଙ୍କ ମାଆଙ୍କ ଦ୍ୱାରା ଲିଖିତ ଆତ୍ମଜୀବନୀ ତ ବହୁଚର୍ଚ୍ଚିତ। ଆପଣଙ୍କର ମାମୁଁ ନରସିଂହ ପ୍ରସାଦ ଗୁରୁ ମଧ୍ୟ ଜଣେ ପ୍ରଥିତଯଶା ସାହିତ୍ୟିକ।
ରାଧୁ ମିଶ୍ର: ଦୁଇବର୍ଷ ତଳେ ସେ ପଦ୍ମ ସମ୍ମାନ ପାଇଛନ୍ତି।
ସାହିତ୍ୟ ଚର୍ଚ୍ଚା: ହଁ, ଏଭଳି ଏକ ସାହିତ୍ୟ ଭାବାପନ୍ନ ପରିବାରରେ ବଢ଼ିବା, ଆପଣଙ୍କ ଲେଖକୀୟ ପ୍ରତିଭାର ବିକାଶ ପାଇଁ ଅନୁକୂଳ ଭୂମିକା ନେଇଥିଲା କି?
ରାଧୁ ମିଶ୍ର: ନିଶ୍ଚିତ ଭାବରେ। ଆପଣଙ୍କୁ ଗୋଟିଏ କଥା କହେ; ୧୯୬୬ ମସିହାରେ ଶାସ୍ତ୍ରୀଜୀଙ୍କର ଯେତେବେଳେ ମୃତ୍ୟୁ ହୋଇଥିଲା, ସେତେବେଳେ ତାହା ରେଡିଓରୁ ଶୁଣିବା ପରେ ବାପାଙ୍କ ପାଖକୁ ଆସି ଯେତେବେଳେ ମୁଁ ସେ ଖବରଟା ଶୁଣାଇ ତାଙ୍କୁ ଚମକାଇ ଦେଲି, ସେ ତୁରନ୍ତ ଦୁଇହାତରେ ମୁଣ୍ଡକୁ ଧରି ବସିପଡିଲେ ଓ “ମାରିପକେଇଲେରେ ଶଳେ” ବୋଲି କହି ଯେତେବେଳେ ଭୋ’ ଭୋ’ ହୋଇ କାନ୍ଦିଲେ, ମୋତେ ଲାଗିଲା ଯେମିତି ଶାସ୍ତ୍ରୀଜୀଙ୍କୁ ମୁଁ ହିଁ ମାରି ପକେଇଛି। ସେହିଦିନ ରାତିରେ ଏହି ମନୋଦଶାକୁ ନେଇ ମୋ’ର ପ୍ରଥମ କବିତା ଗଜୁରିଲା। ରାତିରେ ଶେଜରୁ ଉଠି ଲଣ୍ଠନ ଜଳାଇ ଲେଖିଲି ଗୋଟେ କବିତା, ‘ମାରିପକାଇଲେରେ ଶଳେ!’
ସାହିତ୍ୟ ଚର୍ଚ୍ଚା: ବାପାଙ୍କୁ ସେହି କବିତାଟି ଦେଖାଇ ଥିଲେ କି?
ରାଧୁ ମିଶ୍ର: ହଁ, ଦେଖାଇଲି; ମୋ ଭିତରେ କବିତାର ଭ୍ରୂଣ ସଂଚାର ହୋଇଛି ବୋଲି ଜାଣି ସେ ବହୁତ ଖୁସି ହେଲେ ଆଉ ‘କବି ରାଧାକୃଷ୍ଣ ମିଶ୍ର’କୁ ଛାଡି ବାକି ସବୁ ସଂଶୋଧନ କରିଦେଲେ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ଅନେକ ବ୍ୟଙ୍ଗରଚନା ଓ ବହି ପାଠକୀୟ ଆଦୃତି ପାଇଛି। ସେଥିମଧ୍ୟରୁ ଗୋଟିଏ ବହି, ‘ବଢ଼ିଲା ଝିଅଙ୍କ ବାପାମାନେ’ ବହୁ ଚର୍ଚ୍ଚିତ। ଏହି ବହିକୁ ନେଇ ଆମର ଗୋଟିଏ ସନ୍ଦେହ ହୁଏ; ଏହାକୁ କେଉଁ ବର୍ଗରେ ଥୋଇବା? ଗଳ୍ପ, ଉପନ୍ୟାସ, ନା ରମ୍ୟରଚନା?
ରାଧୁ ମିଶ୍ର: ଜାଣିନି ଆଜ୍ଞା! ମିକ୍ସ୍ଡ୍ ଭେଜିଟେବଲ୍ ବୋଲି ଯାହାକୁ କହନ୍ତି, ଏଇଟା ସେଇ ରକମର। ସେଥିରେ ଗପ, ରମ୍ୟରଚନା, ନାଟକ ସବୁ ଅଛି।
ସାହିତ୍ୟ ଚର୍ଚ୍ଚା: ଏ ବହି ପଛର କାହାଣୀ କ’ଣ?
ରାଧୁ ମିଶ୍ର: ଗୋଟିଏ ସମୟରେ ବନ୍ଧୁମାନେ ବାରମ୍ବାର କହିବାରେ ଲାଗିଲେ, ତୁମେ କାହିଁକି ଲେଖୁନ? ଏଣୁ ମୁଁ ବହିଟିଏ ଲେଖିବା ମାନସରେ ତେର କି ଚଉଦଟି ବିଭିନ୍ନ ଶିରୋନାମାକୁ ନେଇ ଗୋଟିଏ ତାଲିକା ବନାଇଲି; ‘ବଢ଼ିଲା ଝିଅଙ୍କ ବାପାମାନେ’, ‘ଶାଳୀ ଦାୟଗ୍ରସ୍ତ କନ୍ୟାମାନେ’, ‘ବନ୍ୟାଜୀବୀ ମଣିଷମାନେ’ ଓ ‘ଦଙ୍ଗାଜୀବୀ ମଣିଷମାନେ’ ଇତ୍ୟାଦି। ହେଲେ ପ୍ରଥମ ରଚନାରେ ଏମିତି ଡୁବିଲି ଯେ ସେଇଟା ଲମ୍ବି ଚାଲିଲା।
ସାହିତ୍ୟ ଚର୍ଚ୍ଚା: ଏମିତି ଲେଖୁ ଲେଖୁ ତାହା ଗୋଟିଏ ବହି ହୋଇଗଲା କି?
ରାଧୁ ମିଶ୍ର: ଲେଖା ଚାଲିବା ଭିତରେ ତାହା କେନ୍ଦୁଝରର ‘ଶାଳନ୍ଦୀ’ ନାମକ ପତ୍ରିକାରେ ବାହାରୁଥାଏ। ତାର ଅନେକ ପରେ ‘ରବିବାର ସମ୍ବାଦ’ରେ ପୁଣି ଥରେ ଧାରାବାହିକ ବାହାରି ତାପରେ ବହି ଆକାରରେ ପ୍ରକାଶ ପାଇଲା। ବହି ରୂପରେ ତାର ତୃତୀୟ ସଂସ୍କରଣ କେବେଠୁ ବଜାରରେ ନାଇଁ।
ସାହିତ୍ୟ ଚର୍ଚ୍ଚା: ସମ୍ବାଦପତ୍ରରେ ସ୍ତମ୍ଭ ଲେଖିବାର ଅନୁଭୂତି ମଧ୍ୟ ଆପଣଙ୍କର ରହିଛି।
ରାଧୁ ମିଶ୍ର: ହଁ , ଅନେକ ବର୍ଷ ତଳେ ସମ୍ବାଦରେ “ତେରଛା କଲମ” ସ୍ତମ୍ଭରେ ଲେଖୁଥିଲି। ପରେ ‘ସମାଜ’ରେ ମଧ୍ୟ ଲେଖିଲି। ସ୍ତମ୍ଭର ନାଁ ଥିଲା “କପି ତୁ କାହୁଁ ଅଇଲୁରେ”।
ସାହିତ୍ୟ ଚର୍ଚ୍ଚା: ଗୋଟିଏ ନିୟମିତ ସ୍ତମ୍ଭ ଲେଖିବା ଜଣେ ଲେଖକ ପାଇଁ ଅଧିକ ଚ୍ୟାଲେଂଜିଂ ହୋଇଥାଏ କି?
ରାଧୁ ମିଶ୍ର: ବ୍ୟଙ୍ଗ ସ୍ତମ୍ଭ ଲେଖିବା ବେଳେ ସମସାମୟିକ ବା ସାମ୍ପ୍ରତିକ ସମୟର ସ୍ଥିତିକୁ ନେଇ ଲେଖିବାକୁ ପଡ଼େ। କିନ୍ତୁ ଏହା ମଧ୍ୟ ଦେଖିବାକୁ ପଡ଼େ ଯେ ତାହାର ଆବେଦନଟି ଯେମିତି ସାର୍ବକାଳୀକ ହୋଇଥିବ।
ସାହିତ୍ୟ ଚର୍ଚ୍ଚା: ଆପଣ କେବଳ ଜଣେ ବ୍ୟଙ୍ଗ ରଚନାକାର ହିଁ ନୁହନ୍ତି, ଓଡ଼ିଶାର ବ୍ୟଙ୍ଗ ସାହିତ୍ୟିକମାନଙ୍କୁ ସଂଗଠିତ ଓ ସ୍ୱୀକୃତ କରାଇବାରେ ମଧ୍ୟ ଅତୀତରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି। ଅନୁଗୁଳରେ ଆପଣ ଆୟୋଜନ କରିଥିବା ରାଜ୍ୟସ୍ତରୀୟ “ମହାକୁମ୍ଭ ହାସ୍ୟମେଳା”ର ଅନବଦ୍ୟତାର ସାକ୍ଷୀ ଅଛନ୍ତି ସାରା ଓଡିଶାର ବ୍ୟଙ୍ଗକାର। କିନ୍ତୁ ଏବେ ମଧ୍ୟ ଅନେକେ ମନେ ରଖିଛନ୍ତି ଯେ ୧୯୮୫ ମସିହାରେ ସ୍ୱନାମଧନ୍ୟ ବ୍ୟଙ୍ଗକାର ଫତୁରାନନ୍ଦଙ୍କୁ ଆପଣ ରାଉରକେଲାକୁ ନିମନ୍ତ୍ରଣ କରି ମାସାଧିକ କାଳ ସମ୍ବର୍ଦ୍ଧନା ଦେଇଥିଲେ। ଏହା କରିବା ପାଇଁ ପ୍ରେରଣା କେଉଁଠୁ ପାଇଲେ?
ରାଧୁ ମିଶ୍ର: ମୁଁ ୧୯୭୧ ମସିହାରୁ କଟକ ଗଲେ ଫତୁରାନନ୍ଦଙ୍କ ସାଙ୍ଗରେ ଡଗର ପ୍ରେସରେ ରହେ। ଥରେ ପହଞ୍ଚି ଦେଖିଲି ଯେ ସେ ଜଣଙ୍କୁ ପାଖରେ ବସାଇ ନିଜ ଲେଖାର ଶ୍ରୁତଲିଖନ ଡାକୁଛନ୍ତି। ପଚାରିଲି, କ’ଣ ଚାଲିଛି! ସେ ଉତ୍ତର ଦେଲେ, “ମୋତେ ଜଣେ କହିଲେ, ଓଡ଼ିଶା ସାହିତ୍ୟ ଏକାଡେମୀରେ ପୁରସ୍କାର ପାଇଁ ଆପଣଙ୍କ କଥା ଉଠିଥିଲା; ଆପଣ ଶୀଘ୍ର ଗୋଟିଏ ଭଲ ବହି ଲେଖିଦିଅନ୍ତୁ ତ ! ତେଣୁ ବହୁ ଆଗରୁ ‘ଡଗର’ରେ ଯେଉଁ ‘ସାହି ମହାଭାରତ’ ବାହାରୁଥିଲା ତାହାକୁ ଏବେ ପୂରା କରୁଛି।”
ସାହିତ୍ୟ ଚର୍ଚ୍ଚା: ଆଚ୍ଛା, ଏଥିରେ ଆପଣଙ୍କର ପ୍ରତିକ୍ରିୟା କଣ ଥିଲା?
ରାଧୁ ମିଶ୍ର: ମୁଁ ତାଙ୍କୁ କହିଲି, “ଫତୁରାନନ୍ଦ ଏବେ କେନ୍ଦ୍ର ସାହିତ୍ୟ ଏକାଡେମୀ, ରାଜ୍ୟ ସାହିତ୍ୟ ଏକାଡେମୀ – ଏସବୁରୁ ବହୁତ ଉର୍ଦ୍ଧ୍ୱକୁ ଚାଲିଗଲେଣି; ଏକଥା ଆପଣ ଜାଣୁନାହାନ୍ତି କାହିଁକି? ଦଶ ହଜାର ଟଙ୍କା ପାଇଁ ଆପଣ ଏସବୁ କରୁଛନ୍ତି?” ସେତେବେଳେ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାରର ମୂଲ୍ୟ ଦଶ ହଜାର ଟଙ୍କା ଥାଏ। ମୁଁ ତା’ଙ୍କୁ କହିଲି ଯେ, ଆପଣ ରାଉରକେଲା ଆସନ୍ତୁ, ଆପଣଙ୍କ ପାଠକମାନେ ଦଶ ହଜାର ଏକ ଟଙ୍କାର ପୁରସ୍କାର ଦେବେ।
ସାହିତ୍ୟ ଚର୍ଚ୍ଚା: ତା’ପରେ କ’ଣ ଆପଣ ତାଙ୍କୁ ରାଉରକେଲାକୁ ଡାକି ସମ୍ବର୍ଦ୍ଧିତ କଲେ?
ରାଧୁ ମିଶ୍ର: ତା ପରବର୍ଷ ଆମେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଲୁ। ଏହା ସେ ଆସିବା ପୂର୍ବରୁ ମାସେ କାଳ ଚାଲିଥିଲା। ସହର ସାରା ତାଙ୍କ ଆଗମନର ହୋର୍ଡିଂ ଓ ବ୍ୟାନର୍ ଭର୍ତ୍ତି, “ସାବଧାନ ଫତୁରାନନ୍ଦ ଆସୁଛନ୍ତି।” ପ୍ରତି ସ୍କୁଲ ଓ କଲେଜରେ ତାଙ୍କ ସାହିତ୍ୟକୁ ନେଇ ଆଲୋଚନାସଭା ହେଲା। ତାଙ୍କର ନାଟକ ‘କଲିକତି ଚେଙ୍କ’ ଓ ‘ନାକଟା ଚିତ୍ରକର’କୁ ନାଟ୍ୟରୂପ ଦେଇ ମଞ୍ଚରେ ଅଭିନୀତ କରାଗଲା। ତାଙ୍କର ବହି ସମସ୍ତ ଲାଇବ୍ରେରୀ ଓ କଲେଜରେ ରଖିବାର ବ୍ୟବସ୍ଥା ହେଲା। ‘ଫତୁରାନନ୍ଦ ଅଭିନନ୍ଦନ ଗ୍ରନ୍ଥ’ ବୋଲି ବହିଟିଏ ମଧ୍ୟ ସଂକଳିତ ହେଲା। ତା’ଙ୍କୁ ପାଠକଙ୍କ ଠାରୁ ସଂଗୃହିତ ଅର୍ଥରେ ଦଶ ହଜାର ଏକ ଟଙ୍କାରେ ପୁରସ୍କୃତ ମଧ୍ୟ କରାଗଲା। ଏସବୁ ଦେଖି ତ ସେ ସମ୍ପୂର୍ଣ୍ଣ ଅଭିଭୂତ ହୋଇଗଲେ। ସେ ବର୍ଷ ପୂଜା ସଂଖ୍ୟା ‘ଇସ୍ତାହାର’ର ସମ୍ପାଦକୀୟରେ ତାର ବିବରଣୀ ସହ ମନ୍ତବ୍ୟ ଥିଲା, “ଏଭଳି ସମ୍ବର୍ଦ୍ଧନା ଆଜିଯାଏ ଓଡ଼ିଶାର ଅନ୍ୟ କୌଣସି ପ୍ରତିଭାଙ୍କ ଭାଗ୍ୟରେ ଜୁଟିନାହିଁ।”
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ଦ୍ୱାରା ସମ୍ପାଦିତ ‘ହରିବୋଲ’ ପତ୍ରିକା ଓଡ଼ିଆ ବ୍ୟଙ୍ଗସାହିତ୍ୟ ଜଗତରେ ଏକ ଅଭୁଲା ଛାପ ଛାଡ଼ିପାରିଥିଲା। ଆପଣ ଦୁଇଟି ପର୍ଯ୍ୟାୟରେ ଦୀର୍ଘ ନଅ ବର୍ଷ କାଳ ଏହାକୁ ପ୍ରକାଶ କରାଇବା ଏକ ସହଜ କାର୍ଯ୍ୟ ନୁହଁ। କେମିତି ପାରିଲେ?
ରାଧୁ ମିଶ୍ର: ସେତେବେଳେ ଅନେକ ବିଶିଷ୍ଟ ବ୍ୟକ୍ତି ପତ୍ରିକାଟିକୁ ବଂଚାଇ ରଖିବା ପାଇଁ ଆମକୁ ସହଯୋଗର ହାତ ବଢ଼ାଇଥିଲେ। ସେମାନଙ୍କ ମଧ୍ୟରେ ସାହିତ୍ୟିକ ଚଉଧୁରୀ ହେମକାନ୍ତ ମିଶ୍ର, ରାଜ୍ୟର ତତ୍କାଳୀନ ମୁଖ୍ୟ ସଚିବ ଅଜିତ ତ୍ରିପାଠୀ, କବି ଶୈଳଜ ରବି, ପ୍ରଫେସର ଖଗେଶ୍ୱର ମହାପାତ୍ର, ଚନ୍ଦ୍ରଶେଖର ରଥ, ସିନେ ଅଭିନେତା ଶରତ ପୂଜାରୀ, ପ୍ରଫୁଲ୍ଲ ତ୍ରିପାଠୀ, ବ୍ରଜନାଥ ରଥ ଏପରିକି ମନୋଜ ଦାସ ପର୍ଯ୍ୟନ୍ତ ଅନେକ ଶୁଭେଚ୍ଛୁ ଆମ ପତ୍ରିକାର ବାର୍ଷିକ ଗ୍ରାହକ ହେବା ସହିତ ଅନ୍ୟ ଅନେକ ଗ୍ରାହକଙ୍କୁ ମଧ୍ୟ ଯୋଡ଼ି ଦେଇଥିଲେ।
ସାହିତ୍ୟ ଚର୍ଚ୍ଚା: ଆପଣ ଜଣେ ମୌଳିକ ପ୍ରତିଭା ସମ୍ପନ୍ନ ବ୍ୟଙ୍ଗକାର ହେବା ବ୍ୟତୀତ ଜଣେ ସୁଦକ୍ଷ ଅନୁବାଦକ ମଧ୍ୟ। ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଜଣେ ହିନ୍ଦୀ ଅଧିକାରୀ ହେବାର ଦାୟିତ୍ୱ ଏହି ଦିଗରେ ଆପଣଙ୍କର ସହାୟକ ହୋଇପାରିଥିଲା କି?
ରାଧୁ ମିଶ୍ର: ବୃତ୍ତିଗତ ଭାବରେ ହିନ୍ଦୀର ପ୍ରଚାର, ପ୍ରସାରର କାର୍ଯ୍ୟ ତ ଅଲଗା ଧରଣର ଥିଲା। ମୋ’ର ସାହିତ୍ୟିକ ଅନୁବାଦ କାର୍ଯ୍ୟ ସହିତ ତା’ର ବିଶେଷ ସମ୍ପର୍କ ନ ଥିଲା। ଯଦିଓ ତା ଜରିଆରେ ମୁଁ ଅନୁବାଦ କଳା ସହିତ ପରିଚିତ ହୋଇଥିଲି।
ସାହିତ୍ୟ ଚର୍ଚ୍ଚା: ଆମେ ଶୁଣିଛୁ ଯେ ୧୯୭୬ ମସିହାରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିବା ବେଳେ ଆପଣ ଆନ୍ଦୋଳନରେ ସାମିଲ୍ ହୋଇ ଜେଲ୍ ବରଣ କରିଥିଲେ। ବଲାଙ୍ଗିର ବସଷ୍ଟାଣ୍ଡରେ ଗୋଟିଏ ରିକ୍ସା ଉପରେ ଠିଆ ହୋଇ ବିପ୍ଳବାତ୍ମକ କବିତାଟିଏ ଗାଇବା ପାଇଁ ଆପଣଙ୍କୁ ଗିରଫ କରାଯାଇଥିଲା।
ରାଧୁ ମିଶ୍ର: ହଁ, ଛଅମାସ ପରେ ମୁଁ ତଳକୋର୍ଟରୁ ଖଲାସ ହେଲା ପରେ ମୋର ସେଇ କବିତାର ବିପ୍ଲବାତ୍ମକ ଧାଡ଼ି ଥିଲା,
“ଚାମଚା ହେବ କି କଏଦୀ ହେବ,
ଫଇସଲା କର ଏଇ ବେଳରେ।“
ତା ପାଇଁ ମୁଁ ହାଇକୋର୍ଟ ନିର୍ଦ୍ଦେଶରେ ପୁଣି ଥରେ ଯେ ଗିରଫ ହୋଇଥିଲି, ଇମେର୍ଜେନ୍ସି ସରି କେନ୍ଦ୍ରରେ ନୂଆ ସରକାର ଆସିଲା ପରେ ଯାଇ ଖଲାସ ହୋଇଥିଲି। ସେତେବେଳେ ଏମ.ଏ. ଶେଷ ପରୀକ୍ଷା ଦେଇ ଫେରିଥାଏ। ଆମେ କେତେ ଜଣ ସାଙ୍ଗ ନିଜ ନିଜ ବେକରେ ଫୁଲମାଳ ପକାଇ ବଲାଙ୍ଗୀର ସାରା ବୁଲି ସତ୍ୟାଗ୍ରହ କରିଥିଲୁ ଓ ଅସଲ ଭିଡ଼ ଜାଗାରେ ଭାଷଣ ଦେଇ, କବିତା ଗାଇ ଗିରଫ ହେଇଥିଲୁ।
ସାହିତ୍ୟ ଚର୍ଚ୍ଚା: ବର୍ତ୍ତମାନ କେଉଁ ନୂଆ ରଚନାରେ ମନୋନିବେଶ କରିଛନ୍ତି?
ରାଧୁ ମିଶ୍ର: ଏବେ କେତୋଟି ବହିର ଅନୁବାଦ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିଛି। ତା’ସହିତ ‘ତ୍ରିଶୁଳିଆ ବ୍ୟଙ୍ଗ’ ନାମରେ ମୋର ତିନୋଟି ପ୍ରକାଶିତ ବ୍ୟଙ୍ଗ ପୁସ୍ତକ ଏକତ୍ର ପ୍ରକାଶ ପାଇବାର ଅଛି। ତାକୁ ପ୍ରସ୍ତୁତ କରୁଛି।
ସାହିତ୍ୟ ଚର୍ଚ୍ଚା: ଆଜିର ଏହି ମନୋଜ୍ଞ ବାର୍ତ୍ତାଳାପଟି ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଅଗଷ୍ଟ, ୨୦୨୪ ସଂଖ୍ୟାରେ ପ୍ରକାଶିତ।)
ଆମେ ସେତିକି ଭାଗ୍ୟବାନ ଯେ ଆମେ ରାଧୁ ମିଶ୍ରଙ୍କ ସହ ବାର୍ତ୍ତାଳାପ କରିବାର ଓ ମିଳାମିଶାର ସୁଯୋଗ ପାଇଛୁ।
ଫତୁରାନନ୍ଦଙ୍କ ପାଇଁ ରାଧୁ ଭାଇନା ଯେଉଁ ପଦକ୍ଷେପ ନେଇଥିଲେ ପ୍ରକୃତରେ ତାହା କେବଳ ଓଡ଼ିଶାର ନୁହେଁ ସମଗ୍ର ଭାରତୀୟ ସାହିତ୍ୟରେ ମଧ୍ଯ ଦେଖା ଯାଇନାହିଁ।
ତାଙ୍କ ଅନୁବାଦ ସହ ମୁଁ ପରିଚିତ। ତାଙ୍କ ଅନୁବାଦର ଆବେଦନ ସ୍ପର୍ଶ କରେ ଓ ମୌଳିକ ଭଳି ଲାଗେ ।
ଏଭଳି ଏକ ବ୍ୟକ୍ତିତ୍ଵର ସାକ୍ଷାତକାର ପ୍ରକାଶ କରି ସାହିତ୍ଯ ଚର୍ଚ୍ଚା ପତ୍ରିକା ମହତ କାର୍ଯ୍ୟଟିଏ କରିଛନ୍ତି।
ରାଧୁ ସାରଙ୍କୁ ନମସ୍କାର । ସଦା ହସ ହସ ମଜାଳିଆ ଲୋକ ମିଳିବା କଷ୍ଟକର । ପଢି ଖୁସି ଲାଗିଲା ।