ସାତଶହ ପଚାଶ କୋଟି ଲୋକଙ୍କ ଅବର୍ତ୍ତମାନ ପରେ ବଞ୍ଚି ରହିଲା କେବଳ ବଦ୍ରି ପ୍ରସାଦ, ଏବଂ ଆଉ ଜଣେ ମଣିଷ ମଧ୍ୟ।
ବଦ୍ରି ପ୍ରସାଦ ଚାହୁଁଥିଲା ପୃଥିବୀର ସବୁ ଲୋକ ମରିଯାଆନ୍ତୁ। ଫଳରେ ସେ ଏକୁଟିଆ ଏଠି ରହିବ ଓ ପୃଥିବୀକୁ ଭୋଗ କରିବ।
ଈଶ୍ୱର ବଦ୍ରି ପ୍ରସାଦର କଥା ଶୁଣିଲେ ଓ ତାହାହିଁ କଲେ। ସାତଶହ ପଚାଶ କୋଟି ଲୋକଙ୍କ ଅବର୍ତ୍ତମାନ ପରେ ବଞ୍ଚି ରହିଲା କେବଳ ବଦ୍ରି ପ୍ରସାଦ; ଏବଂ ଆଉ ଜଣେ ମଣିଷ। ଏବେ ସେ ଏକାକୀ ଏ ପୃଥିବୀକୁ ଭୋଗ କରିବ, କେବଳ ସେହି ଶେଷ ଲୋକଟି ଯାହା ଥିଲା ଶେଷ କଣ୍ଟା।
ନୂତନ ପୃଥିବୀକୁ ଭୋଗ କରିବାପାଇଁ ପ୍ରସ୍ତୁତ ହେଉଥିବା ବଦ୍ରି ପ୍ରସାଦକୁ ଶୁଭେଚ୍ଛା ଜଣାଇବା ଉଦ୍ଦେଶ୍ୟରେ ଈଶ୍ୱର ମର୍ତ୍ତ୍ୟକୁ ଓହ୍ଲାଇ ଆସିଲେ। ତାଙ୍କୁ ଦେଖି ସେ ଚକିତ ହୋଇଗଲା।
ବଦ୍ରି ପ୍ରସାଦ ବ୍ୟତୀତ ମର୍ତ୍ତ୍ୟରେ ଜୀବିତ ରହିଯାଇଥିବା ମାତ୍ର ଆଉ ଜଣେ ଲୋକକୁ ଈଶ୍ୱର ଡକାଇ ତା’ ଆଗରେ ଠିଆ କରାଇଲେ ଓ ବଦ୍ରି ପ୍ରସାଦ ହାତରେ ଗୋଟେ ଗୁଳିଭରା ପିସ୍ତଲ୍ ଧରାଇ କହିଲେ, ତୁମ ଛଡ଼ା ଏଇ ଗୋଟିଏ ଲୋକ ବଞ୍ଚିଛି। ତୁମେ ଏହାକୁ ଗୁଳି କରି ମାରିଦିଅ ଓ ପୃଥିବୀକୁ ଆନନ୍ଦରେ ଭୋଗ କର। ଏହି ଲୋକଟି ହିଁ ତୁମର ଶେଷ ଶତ୍ରୁ। ତିନି ପୁରୁଷ ଧରି ଏହାଙ୍କ ପରିବାର ସହିତ ତୁମର ଶତ୍ରୁତା ଲାଗି ରହିଛି। ସେ ତୁମର ଅନେକ କ୍ଷତି କରିଛନ୍ତି। ତାଙ୍କଦ୍ୱାରା ତୁମେ ଅନେକ ଯାତନା ପାଇଛ। ଅନେକ କଷ୍ଟ ସହିଛ। ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇଛ। ଏବେ ତୁମେ ତାଙ୍କୁ ହତ୍ୟା କର। ହଁ, କୋଟି କୋଟି ଲୋକଙ୍କ ସହିତ ଏହାଙ୍କୁ ମଧ୍ୟ ମୁଁ ନିଶେଷ କରିଦେଇ ପାରିଥାନ୍ତି। କିନ୍ତୁ ବଞ୍ଚାଇ ରଖିଛି ତୁମପାଇଁ। ତୁମେ ନିଜ ହାତରେ ପ୍ରତିଶୋଧ ନେଇ ଏହାଙ୍କୁ ଶେଷ କରିଦେଲେ ଆତ୍ମତୃପ୍ତି ଲାଭ କରିବ। ସମଗ୍ର ଜୀବନର କ୍ରୋଧ ପ୍ରଶମନ ହେବ। କିନ୍ତୁ ଏହାଙ୍କୁ ହତ୍ୟା କରିବା ପୂର୍ବରୁ ମାତ୍ର ଗୋଟିଏ ମିନିଟ ପାଇଁ ନିଜ ବିଷୟରେ ଚିନ୍ତା କର। ଚିନ୍ତା କର କେମିତି ଆସନ୍ତା କାଲିର ପୃଥିବୀକୁ ଭୋଗ କରିବ।
ବଦ୍ରି ପ୍ରସାଦର ମୁହଁ ଉଜ୍ଜ୍ବଳ ଦିଶିଲା। ବିଶାଳ ପୃଥିବୀ। ଅସୀମିତ ସମ୍ପତ୍ତି। ପ୍ରାଚୁର୍ଯ୍ୟ ଓ ସୁଖରେ ସମୃଦ୍ଧ ଏକ ବିଶାଳ ଗ୍ରହ ଏବେ କେବଳ ତା’ର, ବଦ୍ରି ପ୍ରସାଦର। ପୃଥିବୀରେ ଘରଦ୍ୱାର ସେମିତି ଠିଆ ହୋଇଛି, ଧନ ସମ୍ପତ୍ତି ଯେମିତି ଥିଲା ସେମିତି ଅଛି। କିନ୍ତୁ ବଦ୍ରି ପ୍ରସାଦର ପ୍ରତିଦ୍ୱନ୍ଦ୍ବୀ କେହି ନାହିଁ। ଗୋଟିଏ ବି ମଣିଷ ନାହିଁ। ଧରିତ୍ରୀ ସମ୍ପୂର୍ଣ୍ଣ ଜନଶୂନ୍ୟ। ଏକାକୀ ମାଲିକ ସେ। ସେ ବାସ କରିବ ଆମେରିକାର ରାଷ୍ଟ୍ରପତି ଭବନ, ହ୍ୱାଇଟ୍ ହାଉସ୍ ରେ। ସର୍ବଶ୍ରେଷ୍ଠ ପୋଷାକ ପରିଧାନ କରି ଭବନ ଦ୍ୱାରରେ ପାଦ ଦେବା ମାତ୍ରେ ଆଗରେ ଠିଆ ହୋଇଥିବ ବିଶ୍ୱର ସବୁଠାରୁ ମୂଲ୍ୟବାନ୍ କାର୍। ସେଥିରେ ବସି, ଯିବ ଏରୋଡ୍ରମ୍କୁ। ଉଡ଼ାଜାହାଜରେ ବସି ଉଡ଼ିଯିବ ସ୍ୱିଜରଲ୍ୟାଣ୍ଡ୍। ଭ୍ରମଣ ଶେଷ କରି ସଂଧ୍ୟାରେ ଫେରିବ ପ୍ୟାରିସ୍। ପୃଥିବୀ ପ୍ରସିଦ୍ଧ ଲିସେନ୍ସି ହୋଟେଲ୍ ଓ ରେଷ୍ତୋରାଁରେ ରାତ୍ରି ଭୋଜନ କରି …।
କିନ୍ତୁ ମୋର ଏହି ପ୍ରାଚୁର୍ଯ୍ୟଭରା ଜୀବନକୁ ଦେଖିବ କିଏ? କାହା ଆଗରେ ମୋର ଏ ସୁଖ, ସ୍ୱାର୍ଥ, ସମୃଦ୍ଧି ଓ ଅହଂକାର ପ୍ରଦର୍ଶନ କରିବି? ଜନଶୂନ୍ୟ ପୃଥିବୀ ମୋ’ର କ’ଣ ହେବ ! ନା, ମଣିଷ ବିନା ମଣିଷ ଜୀବନ ସତରେ କେତେ ଅର୍ଥହୀନ। ବଦ୍ରି ପ୍ରସାଦ ହାତରୁ ପିସ୍ତଲ୍ ଖସି ପଡ଼ିଲା। ଦୌଡ଼ିଗଲା ଚରମ ଶତ୍ରୁ ଭଳି ଦେଖା ଯାଉଥିବା ଏକମାତ୍ର ପ୍ରିୟ ମଣିଷଟିକୁ ଆଲିଙ୍ଗନ କରିବାପାଇଁ।
ବାଃ, ଛୋଟିଆ ଗଳ୍ପଟି ମାଧ୍ୟମରେ ଲେଖକ ବଡ଼ ସନ୍ଦେଶଟିଏ ଦେଇଛନ୍ତି।
ବଦ୍ରି ପ୍ରସାଦ ଭଳି ଯଦି ସମସ୍ତେ ବଦଳି ଯାଆନ୍ତେ ତା ହେଲେ ପୃଥିବୀଟା କେଡେ ସୁନ୍ଦର ହୋଇ ଯାଆନ୍ତା।
ଗପଟି ପଢ଼ି ଚମତ୍କୃତ ହେଇଥିଲି। ଆଜି ମଧ୍ୟ ହେଲି
ସୁନ୍ଦର ଗପ । ହାଏ ! ଏହା ଯଦି ସମ୍ଭବ ହୁଅନ୍ତା , ଏହି ଧରା ସୁନା ପାଲଟି ଯାଆନ୍ତା । ନା ଯୁଦ୍ଧ ହୁଅନ୍ତା , ଧର୍ମ ନାମରେ ହାଣକାଟ ହୁଅନ୍ତା