ମଧୁସୁଦନଙ୍କ ଅନୁରୋଧରେ ରାଧାନାଥଙ୍କ ଏହି କବିତା ରଚିତ ହୋଇଥିବା ଜନଶ୍ରୁତି ମାତ୍ର । କିଏ କେଉଁଠି ଲେଖି ରଖିଛି ନା ସାକ୍ଷୀ ରଖିଛି?
ଭୈରବୀ ରାଗରେ ଗାନ କରାଯିବା ପାଇଁ ରଚିତ “ସର୍ବେଷାଂ ନୋ ଜନନୀ ଭାରତ ଧରଣୀ କଳ୍ପ ଲତେୟମ୍” ସମଗ୍ର ଭାରତ ଲାଗି ଏକ ଅନୁପମ ସୃଷ୍ଟି। ଏହାର ରଚୟିତା କବିବର ରାଧାନାଥ ରାୟ। ଏ ଗୀତିକାଟିର ସୃଷ୍ଟିଭୂମି ଓଡ଼ିଶା। ଭାଷା ସଂସ୍କୃତ। ପଟ୍ଟଭୂମି, ପରାଧୀନ ଭାରତ ମାଟିରେ ପଡ଼ୋଶୀ ପ୍ରଦେଶଙ୍କ ଦ୍ୱାରା ଶାସିତ, ନିର୍ଯାତିତ, ପରିଚୟ-ଖଣ୍ଡିତ ଉତ୍କଳଭୂମି। ସମୟ ୧୯୦୩ ସେପ୍ଟେମ୍ବର ପରବର୍ତ୍ତୀ କୌଣସି ଏକ ତାରିଖ।
ସମସ୍ତଙ୍କ ପାଇଁ ଆପଣା ଦେଶ ବଡ଼। ମାଟି ପ୍ରତିଟି ଦେଶ ପାଇଁ ପବିତ୍ର। ମାତ୍ର ବିସ୍ତାରିତ ଭୂମିକୁ କ୍ଷୁଦ୍ର କ୍ଷେତ୍ରରେ ବିଭାଜିତ କରି ଯେତେବେଳେ କୌଣସି ଏକ ଅଂଶ, ଅନ୍ୟ ଅଂଶ ଉପରେ ପ୍ରଭୁତ୍ୱ ଜାହିର କରେ ସେତେବେଳେ ଘଟଣାକ୍ରମରେ ପ୍ରଜା ପାଲଟି ଯାଇଥିବା ଜାତି ପ୍ରତିବାଦ କରି ଉଠେ। ପରିଚୟ ଦାବି କରେ। ନିଜକୁ ସଙ୍ଗଠିତ କରି ରଖିବା ଲାଗି ତତ୍ପର ହୋଇଉଠେ। ହେଲେ ଆପଣାକୁ ଦେଶଭକ୍ତିରୁ ଦୂରେଇ ଦିଏନା। ସେଇ ମାତୃବନ୍ଦନା ଭିତରେ ସେ ନିଜର ଅସ୍ତିତ୍ୱ / ଅସ୍ମିତା ଜାହିର କରେ।
ସ୍ୱତନ୍ତ୍ର ଭାଷା ନୟ
୧୯୦୩ ବେଳକୁ ସେଇଭଳି ଏକ ବାତାବରଣ ସୃଷ୍ଟି ହୋଇଥିଲା ଉତ୍କଳରେ। “ଉତ୍କଳସ୍ୟ ସମୋ ଦେଶୋ ନାସ୍ତି ନାସ୍ତି ମହୀତଳେ” ବଦଳିଯାଇ ତା’ର ମୌଳିକ ଭାଷାକୁ ସୁଦ୍ଧା ଅପାଙ୍କ୍ତେୟ ବୋଲି ଘୋଷଣା କରିଦିଆଯାଇଥିଲା – “ଓଡ଼ିଆ ଏକ୍ଟା ସ୍ୱତନ୍ତ୍ର ଭାଷା ନୟ।”
୧୮୬୬ ନଅଙ୍କ ଦୁର୍ଭିକ୍ଷ ଭାଙ୍ଗି ଦେଇଥିଲା ଏ ମାଟିର ମେରୁଦଣ୍ଡ, ଏକ ତୃତୀୟାଂଶ ମଣିଷ ବୁଭୁକ୍ଷାର ଆଁ ଭିତରେ ଦିବଂଗତ ହୋଇଯାଇଥିଲେ। ଆଗରୁ ଭୂମି-ମାଲିକାନା ଯାଇଥିଲା, ଶାସନ ଯାଇଥିଲା, ମାତ୍ର ଭାଷା ଟିକକ ଥିଲା। ସେତକ ବି ହରଣଚାଳ ହେବାକୁ ବସିଥିଲା। ଗୋଟାଏ ମାନସିକ ବିଦ୍ରୋହ ଆରମ୍ଭ ହୋଇଥିଲା ୧୮୭୦ରୁ। ଫକୀର ମୋହନ, ରାଧାନାଥ, ମଧୁସୂଦନ, ଗଙ୍ଗାଧର ଆଦି କଲମ ଧରି ବାହାରି ଆସିଥିଲେ ବାହାରକୁ। ୧୮୮୧ରେ ମଧୁସୂଦନ ଦାସ ଓଡ଼ିଶା ଫେରିଲେ। କଟକକୁ କଲେ କର୍ମଭୂମି। ଗୌରୀଶଙ୍କର ଉତ୍କଳ ଦୀପିକା ଓଡ଼ିଆ ମୁହଁଖୋଲି ସାରିଥିଲା ୧୮୬୬ରୁ। ୧୮୮୨ରୁ ଉତ୍କଳ ସଭା ଗଠିତ ହୋଇ ଆରମ୍ଭ କରିଦେଇଥିଲା ଓଡ଼ିଶା ଜାଗରଣ। ୧୯୦୨ର ଗଞ୍ଜାମ ସମ୍ମିଳନୀ ଦେଖାଇ ସାରିଥିଲା ବାଟ। ଅତଏବ ପ୍ରଥମ ବିଲାତ ଫେରନ୍ତା ମଧୁସୂଦନ ଦାସଙ୍କୁ ୧୮୯୭ରୁ “ଉତ୍କଳ ଗୌରବ” ବନେଇ ସାରିଥିବା ଉତ୍କଳ ଦୀପିକା ତାଙ୍କ ମନ-ବିଚାରରେ ନୂଆ ଅଭିବ୍ୟକ୍ତିର ଗୋଟେ ସୁଯୋଗ ତିଆରି କରିଥିଲା।
ମଧୁସୂଦନ ଦାସ ବାଟ ପାଇଯାଇଥିଲେ। ଉତ୍କଳ ମାଟିର ଶ୍ରେଷ୍ଠୀମାନଙ୍କୁ ଧରି ସେ ଆରମ୍ଭ କଲେ “ଉତ୍କଳ ସମ୍ମିଳନୀ”। ବିଖଣ୍ଡିତ ମାଟି-ମାଆର ଏକତ୍ରୀକରଣ ସାଙ୍ଗକୁ ତା’ର ଶୈଳ୍ପିକ ବିକାଶ ତଥା ମଥୋନ୍ନତ ପରିଚୟ ସୃଷ୍ଟି ହିଁ ତାଙ୍କର ଚରମ ଲକ୍ଷ୍ୟ ଥିଲା। ସେତିକିବେଳେ ତାଙ୍କର ମନକୁ ଆସିଥିଲା ଭାରତ ମାତାଙ୍କ ବନ୍ଦନା କରି ଏକ ଅନୁପମ ସଂଗୀତ ସର୍ଜନା କରାଇବା। ସାରା ଉତ୍କଳରେ କବିବରଙ୍କ ଛଡ଼ା ଆଉ କିଏ ଥିଲା ଯୋଗ୍ୟ ସ୍ରଷ୍ଟା? ଅତଏବ ସମବୟସ୍କ, ସୁହୃଦ୍ ରାଧାନାଥଙ୍କୁ ସେ ଅନୁରୋଧ କରିଥିଲେ ଗୋଟିଏ “ଭାରତ ବନ୍ଦନା” ରଚନା କରିବା ଲାଗି। ତା’ର ଫଳଶ୍ରୁତି ହେଉଛି ଏ ଗୀତିକା “ଭାରତ-ଗୀତିକା”।
ଉତ୍କଳ-ପ୍ରାଣ, ଉତ୍କଳ ଗୌରବ ମଧୁସୂଦନ ଉତ୍କଳ ସମ୍ମିଳନୀ ପାଇଁ “ଭାରତ ବନ୍ଦନା” ଲାଗି କାହିଁକି ଅନୁରୋଧ କରିଥିବେ? ଭାରତୀୟ ଜାତୀୟ କଂଗ୍ରେସ ମଞ୍ଚରେ ବନ୍ଧୁ ସୁରେନ୍ଦ୍ରନାଥ ବାନାର୍ଜୀ ଥାଇ ମଧ୍ୟ ଏପଟେ ବଙ୍ଗଳା ପ୍ରଦେଶ, ସେପଟେ ମାଡ୍ରାସ୍ ପ୍ରେସିଡେନ୍ସି, ଉତ୍କଳର ସଙ୍ଗଠନ ଓ ପରିଚୟକୁ ଅଣଦେଖା କରିବା କାରଣରୁ ସେ ସର୍ବଭାରତୀୟ କଂଗ୍ରେସରୁ ଓହରି ଯାଇଥିଲେ। ପୁଣି ଭାରତମାତା ଲାଗି ଏ ବନ୍ଦନା କ’ଣ ପାଇଁ?
ମଧୁସୂଦନଙ୍କ ଅନୁରୋଧ
ମଧୁସୂଦନ ଥିଲେ ଜାତୀୟବାଦୀ। ମାତ୍ର ସର୍ବଭାରତୀୟ ସ୍ତରରେ ଥିବା ନେତୃମଣ୍ଡଳୀର ଉତ୍କଳ ପ୍ରତି ହେୟ ଭାବ ତାଙ୍କୁ ଯନ୍ତ୍ରଣା ଜର୍ଜରିତ କରିଥିଲା। ଭାରତୀୟ ସଙ୍ଗଠନଟିକୁ ସିନା ସେ ଛାଡ଼ି ଦେଇଥିଲେ, ଭାରତମାଆକୁ ଛାଡ଼ିବେ କେମିତି? ଅତଏବ ତାଙ୍କରି ଅନୁରୋଧରେ ରଚିତ ହୋଇଥିଲା ରାଧାନାଥଙ୍କ ଏ ଭାରତ ଗୀତିକା।
ଏବେ ପ୍ରଶ୍ନ ଉଠିପାରେ, ରାଧାନାଥଙ୍କୁ ମଧୁସୂଦନ ଦାସ ଅନୁରୋଧ କରିଥିଲେ ବୋଲି ପ୍ରମାଣ କ’ଣ? ରାଧାନାଥ ପ୍ରଥମେ ବଙ୍ଗଳାରେ ଓ ପରେ ତତ୍କାଳୀନ ସ୍କୁଲ୍ ଇନ୍ସପେକ୍ଟର ଭୂଦେବ ମୁଖୋପାଧ୍ୟାୟଙ୍କ ପ୍ରେରଣାରେ ଓଡ଼ିଆ ଭାଷାରେ ଅଗଣିତ ସୃଷ୍ଟି ପରଷି ଦେଇ ଓଡ଼ିଆ ଭାଷାର ମୁଖ ଉଜ୍ଜ୍ୱଳ କଲେ। ହେଲେ ଆଉ ସଂସ୍କୃତ କାବ୍ୟ/କବିତା କାଇଁ? ସେ କାହିଁକି ଏଇ ଗୋଟିକ ଲେଖିଲେ? ପୁଣି ଏତେ ସୁନ୍ଦର ଗୀତିକାଟିକୁ ରବୀନ୍ଦ୍ରନାଥଙ୍କ “ଜନଗଣମନ” ବା ବଙ୍କିମ ଚନ୍ଦ୍ରଙ୍କ “ବନ୍ଦେ ମାତରମ୍” ଭଳି ରାଷ୍ଟ୍ରସ୍ତରୀୟ ମାନ୍ୟତା ମିଳିଲା ନାହିଁ କାହିଁକି?
ରାଧାନାଥ ଥିଲେ ପିତୃଭକ୍ତ। ପାଞ୍ଚବର୍ଷ ବୟସରୁ ମାଆ ତାରିଣୀ ଦେବୀଙ୍କୁ ହରାଇଥିବା ରାଧାନାଥ ପିତା ସୁନ୍ଦର ନାରାୟଣଙ୍କ ଦ୍ୱାରା ଅତ୍ୟନ୍ତ ପ୍ରଭାବିତ ଥିଲେ। ସୁନ୍ଦର ନାରାୟଣ ନିଜେ ପାର୍ସୀ, ଓଡ଼ିଆ, ବଙ୍ଗଳା, ହିନ୍ଦୀ ଓ ସଂସ୍କୃତ ଭାଷାନୁଶୀଳନରେ ଥିଲେ ସୁପଣ୍ଡିତ। ରାଧାନାଥ ଚାକିରି ଜୀବନ ଆରମ୍ଭ କରିଥିଲେ ସୁଦ୍ଧା ପିତାଙ୍କ ଆଦେଶରେ ସଂସ୍କୃତ ଚତୁଷ୍ପାଠିରେ ସଂସ୍କୃତ ଶିକ୍ଷା କରିଥିଲେ। ଫଳତଃ ପଚିଶବର୍ଷ ବୟସ ବେଳକୁ ପୁରୀ ଜିଲ୍ଲା ସ୍କୁଲର ଦ୍ୱିତୀୟ ଶିକ୍ଷକ ଥାଇ ସଂସ୍କୃତ ମେଘଦୂତର ଓଡ଼ିଆ ଅନୁବାଦ ସାଙ୍ଗକୁ କବିତାବଳୀର ଦ୍ୱିତୀୟ ଭାଗ ରଚନା କରିଥିଲେ।
ରାଧାନାଥ ଜନ୍ମ ହୋଇଥିଲେ ୧୮୪୮ରେ। ସେତେବେଳେ ଅବସର ପାଇଁ ବୟସ ଥିଲା ୫୫ ବର୍ଷ। ୧୮୯୯ରେ ବର୍ଦ୍ଧମାନକୁ ବଦଳି ହୋଇଯାଇଥିବା କବି ଠିକ୍ ୧୯୦୩ ସେପ୍ଟେମ୍ବରରେ ପେନ୍ସନ୍ ଗ୍ରହଣ କରି କଟକରେ ଆସି ଉପନୀତ ହେଲେ। ଭଗ୍ନ ସ୍ୱାସ୍ଥ୍ୟ, ଭଗ୍ନ ମନ, ବନ୍ଧୁ ମଧୁସୂଦନ ସେତେବେଳକୁ ଉତ୍କଳର ପ୍ରମୁଖ ଅଭିଭାବକ। ତାଙ୍କରି ଅନୁରୋଧରେ ରାଧାନାଥଙ୍କ “ଭାରତ-ଗୀତିକା” ରଚିତ ହୋଇଥିବା ଜନଶ୍ରୁତି ମାତ୍ର। କିଏ କେଉଁଠି ଲେଖି ରଖିଛି ନା ସାକ୍ଷୀ ରଖିଛି?
ଉତ୍କଳ ସମ୍ମିଳନୀ ପାଇଁ ରଚିତ
ଓଡ଼ିଶାର ସୁଯୋଗ୍ୟ ସାହିତ୍ୟିକ ଡ. ପ୍ରସନ୍ନ କୁମାର ମିଶ୍ର, “ଗ୍ରନ୍ଥ ମନ୍ଦିର”, କଟକଙ୍କ ପାଇଁ ରାଧାନାଥ ଗ୍ରନ୍ଥାବଳୀର ଅଗ୍ରଲେଖ ଲେଖିବାବେଳେ ଉଲ୍ଲେଖ କରିଛନ୍ତି ଯେ “ଉତ୍କଳ ସମ୍ମିଳନୀରେ ଗୀତ ହେବା ଲାଗି ଏହି ଗୀତିକା ରଚିତ ହୋଇଥିଲା।” ତାହା ସମ୍ମିଳନୀର କେଉଁ ଅଧିବେଶନ ପାଇଁ, କେବେ ଓ କାହା ପ୍ରେରଣାରେ ଲେଖା ହୋଇଥିବା କଥା ସେ ଲେଖିନାହାନ୍ତି। ଏତିକି ଯୋଡ଼ିଛନ୍ତି ଯେ – “୧୯୦୮ ଏପ୍ରିଲ ମାସରେ ପୁରୀ ନଗରୀରେ ଉତ୍କଳ ସମ୍ମିଳନୀର ଅଧିବେଶନ ବେଳେ ନିମ୍ନଲିଖିତ ପଂକ୍ତିଚୟ ସେଥିରେ ଯୁକ୍ତ ହୋଇଥିଲା। ଏହି ଅଧିବେଶନର ପୂର୍ବ ଦିବସ କବିବର ସ୍ୱର୍ଗାରୋହଣ କରିଥିଲେ।”
ଏହାର ଅର୍ଥ “ଭାରତ-ଗୀତିକା” ୧୯୦୮ର ଅନେକ ଆଗରୁ ରଚିତ ହୋଇଥିଲା ଓ ପରେ ୧୯୦୮ରେ ଉତ୍କଳକୁ ଓ ଏହାର ପରିଚୟକୁ ଅଧିକ ସାନ୍ଦ୍ର କରି ସେଥିରେ ଆଉ ତିନିଗୋଟି ପଦ ଯୋଡ଼ା ଯାଇଥିଲା। ପ୍ରଥମ ସାତପଦରେ ଭାରତ ମାତାଙ୍କ ବନ୍ଦନା। ମାତ୍ର ପରେ ଉତ୍କଳ ପାଇଁ କାହିଁକି ବିଶେଷ କିଛି ନାହିଁ ବୋଲି କଥା ଉଠିଥିବ। ତେଣୁ ଏ ତିନିପଦର ସଂଯୋଜନ। ସମୁଦାୟ ଦଶ ପଦ।
ଯୋଡ଼ାଯାଇଥିବା ସେ ତିନି ପଦ ହେଲା –
ଗର୍ଜିତ ଫେନିନଳୀଳନିରବଧି –
ସିକତାସ୍ତୂପ ବିଚିତ୍ରେ,
ଇନ୍ଦ୍ରଦ୍ୟୁମ୍ନାନଙ୍ଗଭୀମନୃପ –
ଶାଶ୍ୱତ-କୀର୍ତ୍ତିପବିତ୍ରେ ।୧ା
ଚୈତନ୍ୟାଦିକ-ଭକ୍ତବୃନ୍ଦପଦ –
ରଜସା ଚିରପରିପୂତେ
ପଦ୍ମନାଭକୃତସ୍ରବୁତୟା
ତୀର୍ଥାନାଂ ତୀର୍ଥୀଭୂତେ।୨ା
ନୀଳାଚଳନଗରେ ପରିଗୀତଂ
ଭାରତଭକ୍ତିପରାଣାଂ,
ଭାରତ ବନ୍ଦନମିଦମସ୍ମାନଂ
ମଦମାବହତୁ ନରାଣାଂ।୩ା
ଲେଖକ ଅନୁରୋଧବଶରେ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପାଇଁ ଲେଖେ। ମଧୁସୂଦନଙ୍କ ଅନୁରୋଧ ଥିଲା ଭାରତ-ଗୀତିକା ଲେଖିବା ପାଇଁ। ତେଣୁ ସେ ସେଇ ଗୋଟିକ ଲେଖିଥିଲେ। ମାତ୍ର ତାଙ୍କର ସ୍ୱାଭାବିକ ଅଭିବ୍ୟକ୍ତିର କଳନାଦିନୀ ପ୍ରବାହ ଛୁଟିଥିଲା ଓଡ଼ିଆ ଭାଷାରେ। ତା’ର ହିସାବ ନାହିଁ।
ରାଷ୍ଟ୍ରସ୍ତରୀୟ ମାନ୍ୟତା
ଶେଷ କଥାଟି ରାଷ୍ଟ୍ରସ୍ତରୀୟ ମାନ୍ୟତା। ରାଷ୍ଟ୍ର-ଗୀତି ହେବା ପାଇଁ ସେଇ ଗୀତକୁ ବଛାଯାଏ ଯାହା ସହଜ, ସରଳ ଓ ସର୍ବଜନବୋଧ୍ୟ ହୋଇଥିବ। ଦ୍ୱିତୀୟତଃ ତା’ର ଅବଧି ମିନିଟିଏ ଭିତରେ ସରିପାରୁଥିବ। ତୃତୀୟତଃ ରାଷ୍ଟ୍ରର ସାମୂହିକ ଭାବନାକୁ ତାହା ପ୍ରତିଫଳିତ କରୁଥିବ।
“ସର୍ବେଷାଂ ନୋ ଜନନୀ” ସଂସ୍କୃତ ଗୀତିକାଟି ଅନନ୍ୟ, ଅନୁପମ ପୁଣି ଚମତ୍କାର। ଏଥିରେ ସନ୍ଦେହ ନାହିଁ। ମାତ୍ର ଏହାକୁ ଆମେ ସହଜ, ସରଳ, ସର୍ବଜନବୋଧ ବୋଲି କହିପାରିବା ନାହିଁ। ଏ ଗୀତିକାଟି ଦିନେ ଉତ୍କଳକୁ ଯୋଡ଼ି ଦେଇଥିଲା ମହାଭାରତୀୟ ଭାବରାଜ୍ୟରେ। ରାଧାନାଥ ଚତୁର୍ଥ ପଦରେ ଲେଖିଥିଲେ –
ଉତ୍କଳଗୌଡାନ୍ଧ୍ରିୟାଃ ସଂସଦି
ମେ ବୟମତ୍ର ସମେତାଃ,
ଏତେ ଚାପରଜନପଦଜା ନନୁ
ଭାରତ-ବିହିତ-ନିକେତାଃ।
କି ସୁନ୍ଦର ଅଭିବ୍ୟକ୍ତି! ଆଜି ବି ଏ “ଗୀତିକା”ର ସ୍ୱର ଝଙ୍କାର ପ୍ରତିଟି ଓଡ଼ିଆ ପ୍ରାଣରେ ଅମୃତ ସଞ୍ଚାରଣ କରେ। କବିବରଙ୍କର ଜୟ ହେଉ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଅଗଷ୍ଟ, ୨୦୨୪ ସଂଖ୍ୟାରେ ପ୍ରକାଶିତ।)
ଦାଶ୍ ବେନହୁର ସାର୍ଙ୍କୁ କୋଟିଏ ନମସ୍କାର, ଗୋଟେ ରବିବାର ସକାଳକୁ ଏକବାରେ ଅଲଗା ପ୍ରକାରେ ଆରମ୍ଭ କରିବାପାଇଁ ସୁଯୋଗ ଦେଇଥିବାରୁ।
ଏଇ ଗୀତକୁ ମୁଁ ସ୍କୁଲରେ ପଢ଼ିଲା ବେଳେ ଶୁଣିଥିଲି। କଟକର କୌଣସି ସଙ୍ଗୀତ ବିଦ୍ୟାଳୟର ପିଲାମାନେ ଏହାକୁ ଆମ ଚଣ୍ଡିଖୋଲସ୍ଥିତ ସ୍କୁଲର ଆଶ୍ରମ ହଷ୍ଟେଲର କାର୍ଯ୍ୟକ୍ରମରେ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ। ସୁରତାଳ ସହ ଦେଶପ୍ରେମର ଉର୍ଜାପ୍ରବାହ ଶିହରଣ ଆଣି ଦେଇଥିଲା। ଆଉ ଅଧିକ ମିସିଂ ଲିଙ୍କ ଜନ୍ମ ନେବା ପୂର୍ବରୁ ବେନହୂର ସାରଙ୍କ ଏହି ଲେଖା ଗୀତଟିର ସମ୍ବନ୍ଧିତ ଐତିହାସିକ ପରିସ୍ଥିତିକୁ ନଜୀରବଦ୍ଧ କଲା।
ଏହି ଗୀତଟି ଷଢ଼େଇକଳାର ଗୋପବନ୍ଧୁ ପାଠାଗାର ପ୍ରାଙ୍ଗଣରେ ସବୁବର୍ଷ ଉତ୍କଳମଣିଙ୍କ ଜନ୍ମଦିବସ ଦିନ ଅନୁଷ୍ଠିତ ହେଉଥିବା ବାର୍ଷିକୋତ୍ସବ ସମୟରେ ଗାନ କରାଯାଏ। ସେଇ ତିନି ଚାରିବର୍ଷ ବୟସରୁ ଶୁଣି ଶୁଣି ଆମର କଣ୍ଠସ୍ଥ। ଏହାକୁ ଗାଇଲେ ବା ଶୁଣିଲେ ହୃଦୟର କେଉଁ ଏକ ଅଜଣା ତନ୍ତ୍ରିରେ ଆଘାତ ହୁଏ, ଆଃ, ଆମେ ବିଚ୍ଛିନ୍ନାଞ୍ଚଳୀ , ଆଃ ଆମ ଉତ୍କଳ ମାଟି ।
ବହୁତ ସୁନ୍ଦର ସୂଚନାତ୍ମକ ଆଲେଖ୍ୟ।