ବରିଷ୍ଠ କବି ଶୈଳଜ ରବିଙ୍କ ସହ ଏକ ସାରସ୍ୱତ ଆଳାପ

ଝିଅ କୋଠା ଉପରୁ ପାଟିକଲା, “ବାପା, ତମେ ସାହିତ୍ୟ ଏକାଡେମୀ ଆୱାର୍ଡ ପାଇଛ।” ମୋ’ର ଭିତରୁ ଆସିଲା, “ନେଏ ନା।”

ଶୈଳଜ ରବି ଓଡ଼ିଆ ସାରସ୍ୱତ ଜଗତର ଜଣେ ବରିଷ୍ଠ ସାଧକ ଭାବରେ ସୁପରିଚିତ। ୧୯୪୨ ମସିହାରେ ଜନ୍ମିତ ଏହି ବିଶିଷ୍ଟ ପ୍ରତିଭାଧର ଜଣେ ଅଗ୍ରଣୀ ସର୍ବୋଦୟ ସଙ୍ଗଠକ ମଧ୍ୟ। ୨୦୦୨ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ ସୁଦ୍ଧା ସେ ତାହା ଗ୍ରହଣ କରିନଥିଲେ। ଏହି ଅନନ୍ୟ ଭାବଧାରାର କବିଙ୍କ ସହ ବାର୍ତ୍ତାଳାପ କରିଥିଲେ ‘ସାହିତ୍ୟ ଚର୍ଚ୍ଚା‘ର ସମ୍ପାଦକ ନିହାର ଶତପଥୀ

ସାହିତ୍ୟ ଚର୍ଚ୍ଚା: ବ୍ୟକ୍ତିଗତ ଜୀବନରେ ତ ଆପଣ ଜଣେ ଆଦର୍ଶବାଦୀ। ତେବେ ଆପଣ ନିଜର କଲମ-ନାମକୁ ‘ଶୈଳଜ ରବି’ ବୋଲି ବାଛିବା ପଛରେ ଏମିତି କିଛି ଆଦର୍ଶଗତ କାରଣ ଥିଲା କି?
ଶୈଳଜ ରବି: ଆଗ କାଳରେ ଲେଖା ତଳେ ଠିକଣା ଦିଆ ହେଉ ନ ଥିଲା। ମୁଁ କିଛି କାଳ ନବକୃଷ୍ଣ ଚୌଧୁରୀଙ୍କ ଜୀବନୀ ଲେଖିବି ବୋଲି ଚମ୍ପତିମୁଣ୍ଡା ଯାଇ ତାଙ୍କ ସହିତ ରହୁଥିଲି। ମୁଁ ଥରେ ଘରକୁ ଆସିଛି, ସେତିକିବେଳେ ‘ସମାଜ’ରେ ବାହାରିଲା ରବୀନ୍ଦ୍ରନାଥ ସାହୁ ନାମକ ଜନୈକ ଲେଖକଙ୍କର ଲେଖା, ଯେଉଁଥିରେ ସେ ନେହେରୁଙ୍କୁ ମାତ୍ରାଧିକ ଭାବରେ ପ୍ରଶଂସା କରି ତାଙ୍କୁ ଗାନ୍ଧିଜୀଙ୍କଠାରୁ ମଧ୍ୟ ଉଚ୍ଚ ଆସନ ଦେଇଥିଲେ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ଅସଲ ନାମଟି ମଧ୍ୟ ସେଇଆ ନୁହେଁ କି?
ଶୈଳଜ ରବି: ହଁ, ମୋ’ର ନାଁ ମଧ୍ୟ ରବୀନ୍ଦ୍ରନାଥ ସାହୁ। ତା’ପରେ ମୁଁ ଯେତେବେଳେ ଘରୁ ଚମ୍ପତିମୁଣ୍ଡା ଗଲି, ମୋତେ ଦେଖି ନବକୃଷ୍ଣ ଚୌଧୁରୀ, “ଆରେ, ନେହେରୁ ଚାମଚା ଆସିଲା ରେ!” ବୋଲି କହିଲେ। ମୋ’ର ବନ୍ଧୁ ମନୋରଞ୍ଜନ ମହାନ୍ତି ମଧ୍ୟ କହିଲେ, “ରବି, ତୁମେ ଏମିତି ପିଲାଳିଆ ଲେଖା କ’ଣ ଲେଖିଚ?” ମୁଁ ଦେଖିଲି ଯେ ଏ ନାଁ’ଟି ପାଇଁ ମୁଁ ବହୁତ ଭ୍ରାନ୍ତିର ଶିକାର ହେବି।
ସାହିତ୍ୟ ଚର୍ଚ୍ଚା: ତେଣୁ କଲମ-ନାମଟିଏ ଆଦରି ନେଲେ?
ଶୈଳଜ ରବି: ମୋ’ର ମାଆଙ୍କ ନାମ ଶୈଳ। ଆଗେ ତ ମୁନି-ଋଷିମାନେ ନିଜ ମାଆଙ୍କ ନାମରେ ପରିଚିତ ଥିଲେ। ତେଣୁ ମୁଁ ନିଜ ନାମଟି କରିଦେଲି ଶୈଳଜ ରବି।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କୁ ରବୀନ୍ଦ୍ରନାଥ ସାହୁ ବୋଲି କହିଲେ ବୋଧହୁଏ ଓଡ଼ିଶାର ବହୁତ ଲୋକ ଜାଣିପାରନ୍ତିନି।
ଶୈଳଜ ରବି: ମୋ’ର ତ ଦୁଇଆଡ଼େ ଗୋଡ଼ ନା ! ସର୍ବୋଦୟ ଆନ୍ଦୋଳନ ସହିତ ମଧ୍ୟ ଜଡ଼ିତ ଅଛି। ଏଣୁ ସାହିତ୍ୟ ଜଗତରେ ‘ଶୈଳଜ’, ଏବଂ ସାହିତ୍ୟ ବାହାରେ ‘ରବି’।
ସାହିତ୍ୟ ଚର୍ଚ୍ଚା: ଆପଣ ୨୦୦୨ ମସିହାରେ ନିଜର ପ୍ରଥମ କବିତା ସଂକଳନ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ଼; କିନ୍ତୁ ତାହାକୁ ପ୍ରତ୍ୟାଖ୍ୟାନ କରିଦେଲେ। ଏମିତି କାହିଁକି?
ଶୈଳଜ ରବି: ସତକଥା ଯଦି କହୁଛି, କେହି ବିଶ୍ୱାସ କରୁନାହାନ୍ତି। ମୁଁ ପୁରସ୍କାର ନ ନେବା କଥାଟାକୁ ରୋମାଣ୍ଟିସାଇଜ୍ କରି ଅନେକ କଥା ବାହାରିଛି। ଦେଖନ୍ତୁ, ମୋ’ର ଗୋଟିଏ ଇନର୍ ଫିଲିଂ ହଠାତ୍ ଚାଲିଆସେ।
ସାହିତ୍ୟ ଚର୍ଚ୍ଚା: ତେବେ ପୁରସ୍କାରଟି ପାଇଥିବା କଥା ଜାଣିବା ପରେ ଆପଣଙ୍କ ମନରେ ପ୍ରଥମ ପ୍ରତିକ୍ରିୟା କ’ଣ ହୋଇଥିଲା?
ଶୈଳଜ ରବି: ମୁଁ ସେଦିନ ଇଭିନିଂ ୱାକ୍ କରି ଆସୁଛି, ମୋ ଝିଅ କୋଠା ଉପରୁ ପାଟିକଲା, “ବାପା, ତମେ ସାହିତ୍ୟ ଏକାଡେମୀ ଆୱାର୍ଡ ପାଇଛ।” ମୋ’ର ଭିତରୁ ଆସିଲା, “ନେଏ ନା।” କାହିଁକି ଆସିଲା, ମୁଁ ସତ କହୁଛି, ଏ ପର୍ଯ୍ୟନ୍ତ ଜାଣିନାହିଁ।
ସାହିତ୍ୟ ଚର୍ଚ୍ଚା: ଯାହା ଲାଗୁଛି, ଏହା ପଛରେ କୌଣସି ସୁଚିନ୍ତିତ କାରଣ ନ ଥିଲା। କିନ୍ତୁ ଆପଣ ନିଜର ସେହି କ୍ଷଣିକ ଉଚ୍ଛ୍ୱାସର ନିଷ୍ପତ୍ତି ଉପରେ ଦୃଢ଼ ଭାବରେ କାଏମ୍ ରହିଲେ!
ଶୈଳଜ ରବି: କିଛି ସୁଚିନ୍ତିତ କାରଣ ନ ଥିଲା। ତେବେ ମୋର ‘ଇନର୍ ଭଏସ୍‌’ ଉପରେ ମୋର ପ୍ରଗାଢ଼ ବିଶ୍ୱାସ। ତା’ପରେ ଖବରକାଗଜରେ ବାହାରିଲା, “ଯେହେତୁ ମୁଖ୍ୟମନ୍ତ୍ରୀ ଓଡ଼ିଆ ଜାଣନ୍ତି ନାହିଁ, ତେଣୁ ତାଙ୍କ ହାତରୁ ଶୈଳଜ ରବି ପୁରସ୍କାର ନେଲେ ନାହିଁ।” ଏମିତି କିଛି କାରଣ ପ୍ରକୃତରେ ନ ଥିଲା।

ସାହିତ୍ୟ ଚର୍ଚ୍ଚା: କିନ୍ତୁ ଏବେ ଗୋଟିଏ ଟ୍ରେଣ୍ଡ ଚାଲିଛି; ଯେଉଁମାନେ କେନ୍ଦ୍ର ଅବା ରାଜ୍ୟ ସାହିତ୍ୟ ଏକାଡେମୀ ଅବା ପଦ୍ମଶ୍ରୀ ସମ୍ମାନ ପାଉଛନ୍ତି, ସେମାନେ ଯଦି ତାହାକୁ ପ୍ରତ୍ୟାଖ୍ୟାନ କରିଦିଅନ୍ତି, ତେବେ ସେହି ପ୍ରତ୍ୟାଖ୍ୟାନର ଗରିମାଟିକୁ ପୁରସ୍କାରଠାରୁ ଅଧିକ ଉଚ୍ଚ ସ୍ଥାନ ଦିଆଯାଉଛି। ଅର୍ଥାତ୍‌, ପ୍ରାପକଙ୍କଠାରୁ ପ୍ରତ୍ୟାଖ୍ୟାନକର୍ତ୍ତାଙ୍କ ଓଜନ ଅଧିକ !
ଶୈଳଜ ରବି: ଏ ବିଷୟରେ ଗୋଟିଏ କଥା ଶୁଣନ୍ତୁ। ଦୀପ୍ତିରଂଜନ ପଟ୍ଟନାୟକଙ୍କୁ ଆପଣ ଜାଣିଛନ୍ତି? ଯିଏ ବି.ଏଚ୍‌.ୟୁରେ ଇଂରାଜୀ ବିଭାଗର ପ୍ରଫେସର ଅଛନ୍ତି? ତା’ଙ୍କର ଅନେକ ବହି ଦେଶ ଓ ବିଦେଶରେ ପ୍ରକାଶିତ ହୋଇଛି।
ସାହିତ୍ୟ ଚର୍ଚ୍ଚା: ହଁ, ଜାଣିଛୁ।
ଶୈଳଜ ରବି: ସେ ମୋ ଲେଖାର ଜଣେ ପ୍ରଶଂସକ। ସେ ଥରେ ଛିଡ଼ା ହୋଇଥିଲେ ବାଣୀବିହାରରେ, ଗୋଟିଏ ଗଛ ମୂଳେ। ଅନ୍ୟ ଅଧ୍ୟାପକମାନେ ମଧ୍ୟ ସେଠାରେ ଥିଲେ, ଏବଂ ସେମାନଙ୍କ ମଧ୍ୟରେ କିଛି ଗୋଟାଏ ଆଲୋଚନା ଚାଲିଥିଲା। ମୁଁ ସେ ବାଟେ ଯାଉଥିଲି।
ସାହିତ୍ୟ ଚର୍ଚ୍ଚା: ଆପଣ ଗଲେ କି ସେମାନଙ୍କ ପାଖକୁ?
ଶୈଳଜ ରବି: ସେ ମୋତେ ବଡ଼ ପାଟିରେ ଡ଼ାକିଲେ, “ରବି ଭାଇ, ରବି ଭାଇ!” ମୁଁ ସେଠାକୁ ଯିବାରୁ ଅନ୍ୟମାନଙ୍କୁ ଲକ୍ଷ୍ୟ କରି କହିଲା, “ହେଇ, ଦେଖ; ଇଏ ପୁରସ୍କାର ନେଲେନାହିଁ।” ସେଠାରେ ଥିବା ଅନ୍ୟମାନେ ହସିଉଠିଲେ। ମୁଁ କହିଲି, “ଦେଖ, ମୋ ପଛରେ କୋଡ଼ିଏ କି ତିରିଶ ଅଛନ୍ତି ଯେଉଁମାନେ ଏ ପୁରସ୍କାର ପାଇଛନ୍ତି। ଆଗକୁ ବି ପଚିଶ କି ପଚାଶ ପାଇବେ। ମୁଁ ଯଦି ପୁରସ୍କାରଟି ନେଇଥା’ନ୍ତି ତେବେ ଆଜି ଏଇଠି ଛିଡ଼ା ହୋଇ ମୋ ବିଷୟରେ ଆଲୋଚନା କରିଥାଆନ୍ତ କି?”
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ବ୍ୟକ୍ତିତ୍ୱର ଦୁଇଟି ଦିଗ ଅଛି; କବି ଦିଗ ଓ କର୍ମୀ ଦିଗ। ଆପଣ ନିଜକୁ ସର୍ବୋଦୟ ଆନ୍ଦୋଳନର କର୍ମୀ ବୋଲି ଭାବନ୍ତି, ନା ନେତା?
ଶୈଳଜ ରବି: ଆମର ନେତା ତ କେହି ବି ନୁହନ୍ତି, ଆମେ ନିଜକୁ ସେବକ ବୋଲି କହୁ। ଏପରିକି ଗୋପବନ୍ଧୁ ଚୌଧୁରୀଙ୍କ ନାମ ସହିତ ସର୍ବୋଦୟ କର୍ମୀ ବୋଲି ଲେଖାଯାଏ, ସର୍ବୋଦୟ ନେତା ବୋଲି ଲେଖାଯାଏ ନାହିଁ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ବ୍ୟକ୍ତିତ୍ୱର ଏହି ଯେ ଦୁଇଟି ଦିଗ, କବି ଓ କର୍ମୀ, ଏ ଦୁଇଟି ଭିତରେ ବିରୋଧାଭାସ ଅଛି ନା ସମନ୍ୱୟ?
ଶୈଳଜ ରବି: ମୁଁ ଜଣେ କର୍ମୀ ଭାବରେ ପରିଚିତ ହେବାକୁ ଅଧିକ ଗର୍ବ ଅନୁଭବ କରେ। ପ୍ରଥମେ ସଚ୍ଚି ରାଉତରାୟ ଲେଖିଥିଲେ, “ମୁଁ ଜଣେ କର୍ମୀ-କବି”। ଗତ ଶତାବ୍ଦୀର ୩୦ ଦଶକରେ ପୃଥିବୀ ବିଖ୍ୟାତ ବହୁ କବି ଓ କଳାକାର କର୍ମୀ-କବି ଥିଲେ।
ସାହିତ୍ୟ ଚର୍ଚ୍ଚା: ତେବେ ଜଣେ କର୍ମୀ-କବିଙ୍କୁ ନିଜର କବିଜୀବନର ଆଦର୍ଶ ସହିତ ବେଳେ ବେଳେ ସାଲିସ କରିବାକୁ ପଡ଼େ କି?
ଶୈଳଜ ରବି: ଏମିତି ସାଲିସ କରିବାଟା ବେଳେ ବେଳେ ସମସ୍ୟା ଜର୍ଜରିତ ହୋଇପଡ଼ିଥାଏ। ମଝିରେ ଉତ୍କଳମଣି ଗୋପବନ୍ଧୁ ଲେଖିବା ବନ୍ଦ କରିଦେଲେ। ଏହାର କାରଣ ଭାବରେ ସେ ନିଜେ କହିଲେ,”କବିତା ଦେବୀ ମୋ ଉପରେ ସନ୍ତୁଷ୍ଟ ହେଉନାହାନ୍ତି।” କର୍ମୀର ନୈତିକତା ଓ କବିର ସ୍ୱାଧୀନତା ଭିତରେ ସବୁବେଳେ ସମନ୍ୱୟ ସ୍ଥାପନ ସମ୍ଭବ ହୁଏ ନାହିଁ।
ସାହିତ୍ୟ ଚର୍ଚ୍ଚା: ୨୦୧୫ ମସିହାରେ ପ୍ରକାଶିତ ଆପଣଙ୍କର ‘ଦାରୁ’ ଶୀର୍ଷକ ସଂକଳନରେ ଠାଏଁ ଅଛି, “ମୁଁ ଗୋଟାଏ ଅତୃପ୍ତ ଏଷଣା/ ନଚିକେତା ପରି/ ଖୋଜି ବାହାରିଛି/ ମୋ’ର ପରିଚୟ/ ମହାପ୍ରାଜ୍ଞ ମୋର ଠିକଣା।” ଏହି ଆତ୍ମସ୍ଥ ଭାବ ଆପଣଙ୍କ କବି-ଚେତନାର ଗୋଟିଏ ଅଂଶ କି?
ଶୈଳଜ ରବି: ଜଣେ କବି ଯେତେବେଳେ ସମାଜ ପାଇଁ ବି କାମ କରୁଥାଏ, ସେ ନିଜର ପରିଚୟକୁ ଖୋଜିବାର ପ୍ରକ୍ରିୟା ଭିତରେ ଥାଏ। ପ୍ରତି ମୁହୂର୍ତ୍ତରେ ସେ ନିଜକୁ ଓ ନିଜର ସ୍ୱପ୍ନକୁ କଷଟି ପଥରରେ ରଖୁଥାଏ।
ସାହିତ୍ୟ ଚର୍ଚ୍ଚା: ଆଚ୍ଛା, ଶ୍ରୀଜଗନ୍ନାଥଙ୍କୁ ନେଇ ଆପଣଙ୍କ ଅବଧାରଣାଟି କ’ଣ? ଏହି ସନ୍ଦର୍ଭରେ ଅନ୍ୟ ଏକ କବିତାରେ ଆପଣଙ୍କ ସ୍ୱର ହୋଇଉଠିଛି ବ୍ୟଙ୍ଗାତ୍ମକ। ଆପଣ ପଚାରିଛନ୍ତି, “ଇଏ କେଉଁ ପୁରୀ/ ମହୋଦଧି ପୁରୀ/ ଅବା ମହୋଦୟ ପୁରୀ?”
ଶୈଳଜ ରବି: ‘ମହୋଦୟ ପୁରୀ’ କ’ଣ ଜାଣିଛନ୍ତି ତ! ବର୍ତ୍ତମାନ କୁବେର ସଂସ୍କୃତି ଚାଲିଛି। ସେଇଟା ଦେଖାଇବା ପାଇଁ ମୁଁ କହିଛି, ମହୋଦୟ ପୁରୀ। କୁବେରପୁରୀର ଅନ୍ୟନାମ ମହୋଦୟପୁରୀ।
ସାହିତ୍ୟ ଚର୍ଚ୍ଚା: ଦେଶରେ ଜରୁରୀ କାଳୀନ ପରିସ୍ଥିତି ଜାରୀ ହୋଇଥିବା ସମୟରେ ଆପଣ ଛଅ ମାସ କାରାବରଣ କରିଥିଲେ, ସର୍ବୋଦୟ ଆନ୍ଦୋଳନ ସହିତ ଯୋଡ଼ିହୋଇ। ଏହି ଆଦର୍ଶର ସଂସ୍ପର୍ଶରେ ଆପଣ କେମିତି ଆସିଲେ?
ଶୈଳଜ ରବି: କଲେଜରେ ପଢ଼ିବା ଦିନରୁ ମୁଁ ଏଥିପ୍ରତି ଆକର୍ଷିତ ହୋଇଥିଲି। ଦେଶ ସ୍ୱାଧୀନ ହେବା ପରେ ଗାନ୍ଧିଜୀ କହିଲେ ଯେ ମୁଁ କ୍ଷମତାକୁ ଯିବି ନାହିଁ। ସେ ଭାବୁଥିଲେ ଯେ ବ୍ୟବସ୍ଥାରେ ପରିବର୍ତ୍ତନ ନ ହେଲେ, ଏଠି ଯିଏ ବି ଆସିବ ସେ ବିଶେଷ କିଛି କରିପାରିବ ନାହିଁ। ମୋ’ର ଧାରଣା ହେଲା ଯେ ଯେଉଁମାନେ ସାମାଜିକ କାର୍ଯ୍ୟକୁ ବେଶି ଗୁରୁତ୍ୱ ଦେଉଥିବେ, କ୍ଷମତା ରାଜନୀତିରେ ନ ଥିବେ, ମୁଁ ତାଙ୍କ ସହିତ ରହିବି। ଦେଖିଲି ଯେ ଗୋପବନ୍ଧୁ ଚୌଧୁରୀ, ଆଚାର୍ଯ୍ୟ ହରିହର ପ୍ରଭୃତି ସେହି ମାର୍ଗରେ ନିଜକୁ ପରିଚାଳିତ କରୁଥିଲେ।

ସାହିତ୍ୟ ଚର୍ଚ୍ଚା: ଆପଣ ଜଣେ ସୁଦକ୍ଷ ସମ୍ପାଦକ ମଧ୍ୟ।
ଶୈଳଜ ରବି: ହଁ, ଚାରି ପାଞ୍ଚୋଟି ପତ୍ରିକାର ସମ୍ପାଦନା କରିବାର ଅବସର ମିଳିଛି।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ଦ୍ୱାରା ସମ୍ପାଦିତ ଗୋଟିଏ ପତ୍ରିକା ଆମେ ଦେଖିଛୁ – ‘ଐକତାନ’। ଏଥିରେ ଗୋଟିଏ ଅଭିନବ ପ୍ରୟୋଗ ହୋଇଛି। ଏଥିରେ ଓଡ଼ିଶାର ଆଞ୍ଚଳିକ ଉପଭାଷାଗୁଡ଼ିକରେ ଲେଖା ହୋଇଥିବା ରଚନାମାନ ସ୍ଥାନ ପାଇଛି। ସବୁଠାରୁ ଆକର୍ଷଣୀୟ ହୋଇଛି, ଏଥିରେ ମନୋଜ ଦାସଙ୍କ ଗୋଟିଏ ଗଳ୍ପକୁ ‘ଓଡ଼ିଆରୁ ଓଡ଼ିଆକୁ’ ଭାଷାନ୍ତରିତ କରାଯାଇଛି। ଅର୍ଥାତ୍ ତାହାକୁ ଭୋଗରାଇ ଅଞ୍ଚଳର ସ୍ଥାନୀୟ ଭାଷାରେ ଅନୁବାଦ କରାଯାଇଛି।
ଶୈଳଜ ରବି: ମାନକ ଓଡ଼ିଆରୁ ତାଙ୍କ ନିଜ ଅଞ୍ଚଳର ଭାଷାକୁ ଏହା ଅନୁଦିତ ହୋଇଛି। ଏ ପତ୍ରିକାଟିରେ ଓଡ଼ିଶାର ବିଭିନ୍ନ ଆଞ୍ଚଳିକ ଓଡ଼ିଆ ଏବଂ ଆଦିବାସୀ ଭାଷାର ସାହିତ୍ୟ ପରିବେଷଣ କରି ଆମେ ଏହି ସନ୍ଦେଶ ତେବାକୁ ଚାହୁଁଛୁ ଯେ ଆମର ବିଭିନ୍ନତାକୁ ଉପଭୋଗ କରିବା; ବିଚ୍ଛିନ୍ନତାପାଇଁ ବ୍ୟବହାର କରିବାନାହିଁ।
ସାହିତ୍ୟ ଚର୍ଚ୍ଚା: ଆପଣ ଇଂରାଜୀ ଭାଷାରେ ‘ପ୍ୟାରେଣ୍ଟସ୍ ଏଣ୍ଡ ପେଡ଼ାଗୋଗସ୍‌’ ନାମରେ ଗୋଟିଏ ପ୍ରସିଦ୍ଧ ପତ୍ରିକାର ମଧ୍ୟ ସମ୍ପାଦନା କରୁଥିଲେ। ଏହାର ଆଭିମୁଖ୍ୟ କ’ଣ ଥିଲା?
ଶୈଳଜ ରବି: କିଶୋର ବୟସର ପୁତ୍ର-କନ୍ୟାମାନଙ୍କୁ ଆଦର୍ଶ ଅଭିଭାବକତ୍ୱ ପ୍ରଦାନ କରିବାରେ ପିତାମାତାମାନଙ୍କ ଭୂମିକାର କଥା ଓ ସେ ଦିଗରେ ଦିଗ୍‌ଦର୍ଶନ ଏଥିରେ ପ୍ରସିଦ୍ଧ ଶିକ୍ଷାବିତମାନେ ରଖୁଥିଲେ।
ସାହିତ୍ୟ ଚର୍ଚ୍ଚା: ଅନେକେ ଜାଣନ୍ତି ନାହିଁ ଯେ ଆପଣ ଜଣେ ପ୍ରସିଦ୍ଧ କବି ହେବା ବ୍ୟତୀତ ସକ୍ରିୟ ଚିତ୍ରଶିଳ୍ପୀ ମଧ୍ୟ ଥିଲେ। ଆପଣ ସେତେବେଳର ଅନେକ ବହିର ପ୍ରଚ୍ଛଦପଟ ଚିତ୍ର ଆଙ୍କିଛନ୍ତି।
ଶୈଳଜ ରବି: ମୁଁ ବାଣୀବିହାରରେ ପଢ଼ୁଥିବା ବେଳେ ପାଠଛାଡ଼ି ସର୍ବୋଦୟ ଆନ୍ଦୋଳନରେ ଯୋଗଦେଲି। ଘରେ ଅସନ୍ତୁଷ୍ଟ ହେଲେ, ନିଜ ପକେଟମନି ଉଠାଇବା ପାଇଁ ପ୍ରଚ୍ଛଦପଟ ଆଙ୍କିଲି। ଥରେ କଟକର ଜଗନ୍ନାଥ ରଥ ପ୍ରକାଶନ ସଂସ୍ଥା ସ୍ୱତ୍ୱାଧିକାରୀ ଜଗନ୍ନାଥ ରଥଙ୍କୁ ଭେଟିଲି।
ସାହିତ୍ୟ ଚର୍ଚ୍ଚା: ସେ ଆପଣଙ୍କୁ କିଛି ଚିତ୍ର ଆଙ୍କିବାର ଦାୟିତ୍ୱ ଦେଲେ କି?
ଶୈଳଜ ରବି: ସେ କହିଲେ, ଜଣେ କବି ଅଛନ୍ତି; ତାଙ୍କ ନାମ ସଚ୍ଚି ରାଉତରାୟ; ଶୁଣିଛ? ତାଙ୍କର ଗୋଟିଏ ବହି ଛପାହେବାକୁ ଅଛି, ‘ଭାନୁମତୀର ଦେଶ’ ବୋଲି। ତୁମେ କରିବ? ମୁଁ ପ୍ରଚ୍ଛଦ ଚିତ୍ରଟିଏ କରି ତାଙ୍କୁ ଦେଖାଇଲି, ତାଙ୍କ ମନକୁ ପାଇଲା। କିନ୍ତୁ ସେ କହିଲେ, “ଦେଖ, ମୋ ମନକୁ ପାଇଲେ ହେବନାହିଁ, ତାଙ୍କ ମନକୁ ପାଇବା ଦରକାର।”
ସାହିତ୍ୟ ଚର୍ଚ୍ଚା: ତେବେ ସଚ୍ଚି ରାଉତରାୟଙ୍କ ମତ କ’ଣ ଥିଲା, ସେହି ଚିତ୍ର ବିଷୟରେ?
ଶୈଳଜ ରବି: ମୁଁ ସେହି ଚିତ୍ରଟି ନେଇ ତାଙ୍କ ପାଖକୁ ଗଲି। ଗୋଡ଼ହାତ ଥରୁଥାଏ ସେତେବେଳେ। ସଚ୍ଚି ରାଉତରାୟଙ୍କ ଭଳି ତୁଙ୍ଗ ସାହିତ୍ୟିକଙ୍କ ଆଗରେ ଠିଆ ହେବାକୁ ଡର ଲାଗୁଥାଏ। ମୁଁ ତାଙ୍କ ଘରକୁ ଯିବାରୁ ସେ କବାଟ ଖୋଲିଲେ। ସେ ମୋତେ ପ୍ରଥମ ଥର ପାଇଁ ଦେଖୁଥିଲେ। ମୋତେ ଦେଖି ରୁକ୍ଷ ଗଳାରେ ପଚାରିଲେ, “କୁଆଡ଼େ … କ’ଣ?” ମୁଁ ସମ୍ଭ୍ରମର ସହିତ କହିଲି, “ମୋତେ ଆପଣଙ୍କ ପବ୍ଲିସର୍ ପଠାଇଥିଲେ; ଏଇ ଦେଖନ୍ତୁ।” ସେ ଚିତ୍ରଟିକୁ ଦେଖିବା ପରେ ମୋତେ ଉପରୁ ତଳ ଅନେଇଲେ; ବୋଧହୁଏ ଭାବିଥିବେ, କିଏ ଏହି ଅପାଂକ୍ତେୟ ଯୁବକ, ଯିଏ ଚିତ୍ରଟି ଆଣିଛି? କିନ୍ତୁ ତାପରେ ମୋତେ ବସିବା ପାଇଁ କହି ଚାହା ମଗେଇଲେ। ସେଥିରୁ ମୁଁ ଜାଣିଲି ଯେ ମୋ’ର ଚିତ୍ରଟି ଓ.କେ ହୋଇଗଲା। ସେ ମୋତେ ପଚାରିଲେ, “କୋଉଠୁ ଶିଖିଥିଲ?” ମୁଁ ତ ସଚ୍ଚି ରାଉତରାୟଙ୍କ କବିତାର ଗୋଟିଏ ବଡ଼ ଫ୍ୟାନ୍ ଥିଲି; ତେଣୁ ଅପେକ୍ଷା କରିଥିଲି ଏହି ପ୍ରଶ୍ନକୁ। ମୁଁ ଉତ୍ତର ଦେଲି, “ଆପଣଙ୍କଠୁଁ।” ସେ ଚମକି ଯାଇ ପୁଣି ପଚାରିଲେ, “କାହାଠୁ?”
ସାହିତ୍ୟ ଚର୍ଚ୍ଚା: ଆପଣ ସେହି କଥା ଦୋହରାଇ ଥିବେ।
ଶୈଳଜ ରବି: ହଁ, ସେ ମୋ କଥା ଶୁଣି ବଡ଼ ପାଟିରେ କହିଲେ, “ଇଡିଅଟ୍‌! ମୋ’ଠୁ ଶିଖିଲ, ମାନେ?” ମୁଁ କହିଲି, “ଆଜ୍ଞା ସଚ୍ଚିଦାନନ୍ଦ ରାଉତରାୟଙ୍କ ଭଳିଆ ଚିତ୍ରଭାଷାରେ ଆଉ କିଏ କଥା କହିପାରେ ଓଡ଼ିଶାରେ?” ସେ ପଚାରିଲେ, “ତୁମେ ମୋ’ର ପଢ଼ିଛ କିଛି?’ ମୁଁ କହିଲି, “ଆପଣଙ୍କର ଗୋଟିଏ ବହି ଆପଣ ପାଇବା ପୂର୍ବରୁ ମୁଁ ପାଇଥିଲି।” ମୋର ସାଙ୍ଗର ପ୍ରେସ୍‌ରେ ସଚ୍ଚିବାବୁଙ୍କ ‘ସ୍ୱଗତ’ ସଂକଳନ ଛପା ହେଉଥିଲା। ସଚ୍ଚିବାକୁ ପ୍ରଥମ କପି ପାଇବା ପୂର୍ବରୁ ମୋତେ ପ୍ରଥମ କପିଟି ଦେବା ପାଇଁ ମୁଁ ସେ ସାଙ୍ଗକୁ ଅନୁରୋଧ କରିଥିଲି।
ସାହିତ୍ୟ ଚର୍ଚ୍ଚା: ଶେଷକୁ, ଆମର କବିତାର ଧାରା ଏବେ ଯେଉଁ ଦିଗକୁ ଯାଉଛି, ସେ ବିଷୟରେ ଆପଣଙ୍କର ମତ କ’ଣ?
ଶୈଳଜ ରବି: ଦେଖନ୍ତୁ, ଅତୀତରେ ଭଲ ଥିଲା, ଏବେ ସବୁ ଖରାପ ହୋଇଗଲା – ଏ କଥା ଯେଉଁମାନେ ଭାବନ୍ତି, ମୁଁ ସେଥିରେ ବିଶ୍ୱାସ କରେନାହିଁ। ଅତୀତରେ ବି ଖୁବ୍ ମୁଷ୍ଟିମେୟ କବି ଭଲ କବିତା ଲେଖୁଥିଲେ, ଏବଂ ବର୍ତ୍ତମାନ ମଧ୍ୟ ମୁଷ୍ଟିମେୟ ଲୋକ ହିଁ ଭଲ କବିତା ଲେଖୁଛନ୍ତି।
ସାହିତ୍ୟ ଚର୍ଚ୍ଚା: ଆଜିର ଏହି ଉପଯୋଗୀ ଆଲୋଚନା ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ସେପ୍ଟେମ୍ବର, ୨୦୨୪ ସଂଖ୍ୟାରେ ପ୍ରକାଶିତ। )

6 thoughts on “ବରିଷ୍ଠ କବି ଶୈଳଜ ରବିଙ୍କ ସହ ଏକ ସାରସ୍ୱତ ଆଳାପ

  1. ପ୍ରଣାମ ଜଣାଉଛି ଶୈଳଜ ରବି ସାର୍ ଓ ସାହିତ୍ୟ ଚର୍ଚ୍ଚାର ସମ୍ପାଦକ ନିହାର ଶତପଥୀ ସାର୍‌ଙ୍କୁ। ଶୈଳଜ ରବିଙ୍କ ଲେଖା ସହ ଯେତିକି ପରିଚିତ ଥିଲି ଏ ସାକ୍ଷାତକାରରେ ଅନେକ ଅପରିଚିତ କଥା ଓ ସାହିତ୍ୟର ଅନାଲୋଚିତ କଥା, ବ୍ୟକ୍ତିଗତ କଥା ଜାଣି ଖୁବ୍ ଖୁସି ଲାଗିଲା। ବହୁତ ସୁନ୍ଦର ବାର୍ତ୍ତାଳାପ। ଲାଗିଲା, ପାଖରେ ବସି କଥା ହେଉଛୁ। ସାହିତ୍ୟ ଚର୍ଚ୍ଚାକୁ ହୃଦୟରୁ ଧନ୍ୟବାଦ।

  2. ଆଲୋଚନା ଏକ ବ୍ୟତିକ୍ରମ ଅନ୍ୟ ଠାରୁ ଅନେକ ଦୂରର। ଭଲ ଲାଗିଲା ନୁହେଁ,ଲାଗିଲା ଅଧିକ l

  3. ସୁନ୍ଦର ସାକ୍ଷାତକାର. ସାର ଙ୍କୁ ନମସ୍କାର

  4. ଜୀବନପ୍ରବାହର କୌଣସି ଏକ ମୋଡ଼ରେ କବିଙ୍କ ସଂସ୍ପର୍ଶରେ ଆସିଥିଲି। ଥରେ ହାଲୁକା ଭାବରେ ପଚାରି ଦେଇଥିଲି, “ଆଉ ଆପଣଙ୍କର ନୂଆ ଲେଖା କାଇଁ ଦେଖୁନି ତ!” ସେ କହିଥିଲେ, “ଏବେ ଲେଖୁନି, ଆଖି ତିଆରି କରୁଛି।” ଗୋଟିଏ ହାଲୁକା ପ୍ରଶ୍ନର ଏଭଳି ଏକ ଓଜନିଆ ଉତ୍ତର ପାଇ ଖାଲି ଚ଼କିତ ହୋଇନଥିଲି, ବରଂ ଏହି ଉକ୍ତିଟି ମୋର ବୌଦ୍ଧିକତାକୁ ଚ଼ହଲେଇ ଦେଇଥିଲା। ଭୁଲି ନହେଲା ଭଳି ତାଙ୍କର ଏହି ଛୋଟିଆ ସୂତ୍ରଟି ସେବେଠାରୁ ମୋର ଚ଼ିନ୍ତାଜଗତରେ ଏକ ଗୁଣସୂତ୍ର ରୂପେ ରହିଆସିଛି।

  5. ଭେଟାଭେଟି ଆଳାପ ହୋଇଥିବାରୁ ସାକ୍ଷାତକାର ଭଲ ଲାଗିଲା।

  6. Bahuta Bhala Laagilaa.
    Kichhi Kaaranaru Bimarsa Tthili. Ebe Bhala Laaguchhi.
    Dhanyabaada Aapananku.
    Ubhayanku Mora Sraddhaapurna Namaskaara.

Leave a Reply

Your email address will not be published. Required fields are marked *