ସେତେବେଳର ପ୍ରଫେସର ଜଣେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ କହିବା ଆମେ ଶୁଣିଛୁ, “ଏନି ବଡି ହୁ ଇଜ୍ ସମ୍ ବଡି ଇନ୍ ଓଡିଶା ଇଜ୍ ଏ ରେଭେନ୍ସାଭିଆନ୍ !”
ଏହି ଅଭୟ ଦାଶ, ଓରଫ ସ୍ବାମୀ ଅଭୟାନନ୍ଦ ଗୋଟାଏ ଅଜବ ଡିଜାଇନ୍ର ଲୋକ ବୋଲି ଆପଣ ଜାଣିସାରିବେଣି। ମାନେ, ଗୋଟାଏ ପ୍ରକାର। କାମ ନ ଥିଲେ କାମ ବାହାର କରିବା ଏହାର ଗୋଟାଏ ଖୋଇ। ରିସର୍ଚ୍ଚ ଯେ ଆଉ ନ କହ ! ସେଥିପାଇଁ କେତେ କହନ୍ତି, ଏଇଟାର ମୁଣ୍ଡ ଖରାପ।
କିଏ କହେ, ଶଳା ପାଗେଳା। ସେ ଯାହାହେଉ ସେଇ ଅଭୟ ଦାଶ ଦାଣ୍ଡ ପିଣ୍ଡାରେ ବସି ଯେତେ ପୁରୁଣା ପୋଥି, ବହି, ଖବରକାଗଜ ଘାଣ୍ଟି ପକାଉଥାଏ। ଏଇଟା ତା’ର ଅଭ୍ୟାସ। ଏଥର କିନ୍ତୁ କଥାଟା ଭିନ୍ନ। କଥାଟା ହେଲା, ସ୍କୁଲ କଲେଜ ୟୁନିଭର୍ସିଟି ସବୁ ଯାହା ବ୍ରିଟିଶ୍ ସରକାର କରିଥିଲେ ତା’ଙ୍କ ସରକାରୀ ଅଫିସର, ପ୍ରଶାସକ, ମଠାଧୀଶ, ସେଣ୍ଟ୍ମାନଙ୍କ ନାମରେ, ସେ ନାମ ସବୁ ସମସ୍ତେ ମୁଖସ୍ଥ କରି ପୁରା ନାମ କହୁଥିଲେ। ଯଥା ସେଣ୍ଟ୍ ସ୍ଟିଫେନ୍ସ୍, ଜେମ୍ସ୍ ଫର୍ଗୁସନ୍, ସେଣ୍ଟ୍ ପିଟର୍, ମିରାଣ୍ଡା ହାଉସ୍, ଲେଡ଼ି ଇରଉଇନ୍ କଲେଜ୍, ପ୍ରେସିଡେନ୍ସି କଲେଜ ଆଦି ଲୋକେ ପୁରା ନାମରେ ମନେ ରଖିଥିଲେ। ଆମ ଓଡିଶାରେ ସେ ପ୍ରକାରେ ଗୋଟିଏ କଲେଜ ନାଁ ହେଲା ‘ରାଭେନ୍ସ’ରୁ ଓଡିଆ ତୁଣ୍ଡରେ ରେଭେନ୍ସା। ଆମ କାଳେ ରେଭେନ୍ସା, ମାନେ ଆଖି ପାଇବ ନାହିଁ। ଇଷ୍ଟ ହଷ୍ଟେଲ୍, ଓଏଷ୍ଟ୍ ହଷ୍ଟେଲ୍, କନିକା ଲାଇବ୍ରେରୀ, ସବୁ ଗୋଟିଏ ଗୋଟିଏ ଐତିହ୍ୟ।
ସାହେବ ଗଲା ପରେ ଆମ ଓଡ଼ିଶାରେ ଖଲ୍ଲିକୋଟ କଲେଜର ନାମ ପାରଳା ମହାରାଜ ନିଜ ନାଁରେ ନଦେଇ ଏହି ନାମଟି ରଖିବାକୁ ପସନ୍ଦ କଲେ। ତା’ପରେ ଯେତେ ଓଡିଆ ବ୍ରାଣ୍ଡ୍ ବା ଓଡିଆ ନାମଧାରୀ କଲେଜ ଆସିଲେ, ଆମେ ଜାଣୁ ସେ ନାମକରଣରେ କ’ଣ ଗୋଟାଏ ପୁଷ୍କର ଦୋଷ ଲାଗିଲା ଯେ ଓଡ଼ିଆ ନାଁ’ଗୁଡା ଓଡ଼ିଆଙ୍କ ତୁଣ୍ଡକୁ ଅସୁଖ ଲାଗିଲା। ସେ ନାମକୁ ଛଚିନ୍ଦ୍ରା କାଟିଲାପରି ଇଂରେଜୀ ପୁଟ ଦେଇ ଏମିତି ଖଣ୍ଡିତ କଲେ ଯେ ତାହା ଏକ ନୂଆ ଇଂରେଜୀ ଶବ୍ଦ ତରଙ୍ଗ ସୃଷ୍ଟି କଲା। ଯଥା, ବକ୍ସି ଜଗବନ୍ଧୁ ବିଦ୍ୟାଧର ହେଲେ ବି.ଜେ.ବି, ଯାହା ଓଡ଼ିଆରେ ବ.ଜ.ବ ହୋଇଥାଆନ୍ତା। ସେହିପରି ଗଙ୍ଗାଧର ମେହେର ହେଲେ ଜି.ଏମ୍, ଓଡ଼ିଆରେ କହିଲେ, ଗ.ମେ। ଆମେ କହୁ ବ୍ୟାସକବି ଫକୀରମୋହନ, ସିଏ ହୋଇଗଲେ ଏଫ୍.ଏମ୍ , ଓଡ଼ିଆରେ ଫ.ମୋ, ଶ୍ରୀ ରାମଚନ୍ଦ୍ର ଭଞ୍ଜ ହେଲେ ଏସ୍.ସି.ବି। ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ହେଲେ ଏମ୍.କେ.ସି.ଜି। ଏହିପରି ନାମଗୁଡିକ ଝାଡ଼ି ପୋଛି ବାଛି ଓଡ଼ିଆ ନାମକୁ ଇଂରେଜୀ ଫର୍ମାଟ୍ରେ ପକାଇ ଛୋଟ ଛୋଟ ସ୍ଲାଇସ୍ କରି ଦେଖାଗଲା ଯେ ଲୋକଙ୍କ ତୁଣ୍ଡକୁ କୁର୍ କୁର୍ ଲାଗୁଛି, ଆଳୁ ଚିପ୍ସ୍ ଭଳିଆ।
ଏ ମଧ୍ୟରେ କଲେଜଗୁଡ଼ା ଅଟୋନୋମି ପାଇଗଲେ। କେହି କେହି ବିଶ୍ୱବିଦ୍ୟାଳୟ, ସ୍ୱୟଂଶାସିତ ବିଶ୍ୱବିଦ୍ୟାଳୟ ହୋଇଗଲେ। ସ୍ବାମୀ ଅଭୟାନନ୍ଦ ଭାବୁଥାଏ ଇଏ ଏଫ୍.ଏମ୍ ବିଶ୍ୱବିଦ୍ୟାଳୟ? ଏଫ୍.ଏମ୍ ସେଇ ଯିଏ ଲେଖିଥିଲେ ଡାକମୁନ୍ସି, ରେବତୀ, ରାଣ୍ଡିପୁଅ ଅନନ୍ତା, ପେଟେଣ୍ଟ୍ ମେଡ଼ିସିନ୍ ଆଦି ଗଳ୍ପ। ଆଜିର ଏ ଏଫ୍.ଏମ୍ ରେଡ଼ିଓ କଣ ତାଙ୍କରି ସୃଷ୍ଟି? ଏମାନଙ୍କୁ ଦେଖି କଟକରେ ଆସ୍ଥାନ ଜମେଇବାକୁ ଆସିଲେ ଜେ.କେ.ବି.କେ, ଜଗତସିଂପୁରରେ ଏସ୍.ଭି.ଏମ୍। ଏହା ଦେଖି ଅଭୟାନନ୍ଦ ରିସର୍ଚ୍ଚ ଟିମ୍ର ଗଭୀର ଅଧ୍ୟୟନ ଆଡ଼କୁ ମନ ବଳିଲା। ଏହା ଆଜିକାଲି ଓଡ଼ିଶାରେ ଆସିଥିବା ନୂଆ ଏପିଡେମିକ୍ ଅସ୍ମିତାର ପ୍ରକୋପର ପ୍ରଳାପ ନୁହେଁ ତ ?
ସେହି ଅସ୍ମିତା ବ୍ୟାଧି ଧୀରେ ଧୀରେ ଚିକିତ୍ସା ବହିର୍ଭୁତ ହେବାକୁ ଲାଗିଲା, ଯାହାକୁ ସରଳ ଚିକିତ୍ସାଶାସ୍ତ୍ରୀୟ ଭାଷାରେ କହିବା ମଲ୍ଟିଡ୍ରଗ୍ ରେଜିଷ୍ଟାଣ୍ଟ୍ ଅବସ୍ଥା। ସେତିକିବେଳକୁ ଜନ୍ମନିଏ ଏକ ରାଜନୈତିକ ଚିକିତ୍ସା ପଦ୍ଧତି, ”ବଦଲ୍ ଡ଼ାଲୋ”, ବଦଳାଇ ଦିଅ, ନାଁ ବଦଳାଇ ଦିଅ। ପିତାକୁ ମିଠା ନାଁ ଦେଲେ କଣ ସ୍ବାଦ ବଦଳିବ? ସେଇ “ଚାଲୁ ପୂର୍ବ ଅଙ୍ଗ ବୁଲାଇ ବକୀ, ତେବେ ସେ ମରାଳୀ ବୋଲାଇବ କି?”
ଶାସନ ବଦଳିଲା, ସରକାର ବଦଳିଲା, ନୂଆ ସରକାର ଆସିଲେ, ରାତି ପାହିନି ନିର୍ଦ୍ଦେଶ ଆସି ଗଦେଇ ହୋଇପଡିଛି, ଶାସନତନ୍ତ୍ର ଅଣନିଶ୍ବାସ – ‘ମୋ ବସ୍’ ନାଁ ହେବ ଆମ ବସ୍। ‘ମୋ ସ୍କୁଲ’ ହେବ ଆମ ସ୍କୁଲ! ଅଭୟ ଦାଶ ଭାବୁଥାଏ ସେ ଆମ ବସ୍ ହେଉ କି ତୁମ ବସ୍, ସେ ଭିତରେ କଣ ଥଣ୍ଡା ଲାଗିବ ନା ସେ କଣ୍ଡକ୍ଟର ଭଲରେ ପଦେ କଥା କହି, ଅଧିକ ସମ୍ବେଦନଶୀଳ ବ୍ୟବହାର ଦେଖାଇବ? କିଏ ବୁଝିବ? କିଏ ବୁଝାଇବ? ଆଗକୁ ପାଞ୍ଚବର୍ଷ ପରେ ଆଉ ଥରେ ଯେ ନ ବଦଳିବ, କିଏ କହିବ? ହଁ ଆଜ୍ଞା, ଏ ଅଭୟ ଦାଶର ମୁଣ୍ଡ ଖରାପ! କେଉଁ କଥାକୁ ନେଇ କୁଆଡ଼େ ପୁରାଇଲାଣି!
ସେଇ କଲେଜ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ନାଁ ଜେ.ଏନ୍.ୟୁ , ବି.ଏଚ୍.ୟୁ, ଏ.ଏମ୍.ୟୁ ହୋଇ ଏମିତି ଏକ ସ୍ଥିତିରେ ପହଞ୍ଚିଯାଇଛି ଯେ ଦେଶର ପ୍ରଥମ ଓଡ଼ିଆ ଶିକ୍ଷା ମନ୍ତ୍ରୀଙ୍କ ମୁଣ୍ଡକୁ ବିଛା କାମୁଡ଼ିଲା ରେଭେନ୍ସା କଲେଜ। ଏବେକାର ରେଭେନ୍ସା ବିଶ୍ୱବିଦ୍ୟାଳୟର ଗୋଟାଏ ନୂଆ ନାଁ ଦେବାକୁ ହେବ। କିଏ ଦେବ? କଣ ଦେବ? କି ନାମ ହେବ? ବିତର୍କର ବିଷୟ। ”ଗାଈ ମାରିଲେ ମଲି, ଗାଈକି ମାରିଲେ ମଲି!” ତର୍କର ସୀମା ନାହିଁ। ଇଏ କହିଲେ, ରେଭେନ୍ସା ନରହନ୍ତା, ସିଏ କହିଲେ ଯେ ସେ ଶିକ୍ଷାର ପୃଷ୍ଠପୋଷକ ଥିଲେ; ତାଙ୍କ ଯୋଗୁଁ ଆମେ ଇଂରେଜୀ ଶିଖିଲେ, ନିଜର ପରିଚୟ ପ୍ରସ୍ତୁତ କରି ଦୁନିଆରେ ପାଞ୍ଚ ଜଣରେ ଜଣେ ହେଲେ। ‘କେଉଁଠି ପଢ଼ିଛ?’ ପ୍ରଶ୍ନର ଉତ୍ତର ଦେଲାବେଳେ, ରେଭେନ୍ସା ନାଁ ଶୁଣି ପ୍ରଶ୍ନକର୍ତ୍ତା ଆମକୁ ତିନିଥର ଚାହିଁବା ଆମେ ଜାଣିଛୁ। ଆମର ଛାତି କୁଣ୍ଢେମୋଟ ହୋଇଯାଏ। ସେତେବେଳର ପ୍ରଫେସର ଜଣେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ କହିବା ଆମେ ଶୁଣିଛୁ, “ଏନି ବଡ଼ି ହୁ ଇଜ୍ ସମ୍ ବଡ଼ି ଇନ୍ ଓଡିଶା ଇଜ୍ ଏ ରେଭେନ୍ସାଭିଆନ୍!” ଅସ୍ମିତା ! ଯେମିତି ଉପେନ୍ଦ୍ର ଭଞ୍ଜ କହୁଥିଲେ, “କବିସୂର୍ଯ୍ୟ ଜୟଦେବ ଚରଣେ ଶରଣ, ଆଉ ସବୁ କବିଙ୍କର ମଥାରେ ଚରଣ।” ଅସ୍ମିତା। ସେଇ ଗୋଟିଏ ବେମାରୀର ଅନେକ ରୂପ, ମ୍ୟୁଟେସନ୍। ଏମାନେ ଖୋଜିବୁଲନ୍ତି ଗଣ୍ଡଗୋଳର ମଞ୍ଜିଟା କେଉଁଠି?
ଆମ ରିସର୍ଚ୍ଚିଆ ମୁଣ୍ଡ କହେ, ଏସବୁ ଆମ ସାଧାରଣ ଜନତାଙ୍କ ପାଇଁ ନିରର୍ଥକ। ଟିକିଏ ସିଆଡ଼କୁ ତ ମନ ଦିଅ। ଶିକ୍ଷାଦାନର ମାନ କିପରି ବଢ଼ିବ? ରେଭେନ୍ସା କଲେଜ ଛାତରୁ ପାଣି ଗଳିବା କେମିତି ରୋକିହେବ? ରିସର୍ଚ୍ଚ କାମ କେମିତି ଆଗକୁ ବଢ଼ିବ? ଲାବୋରେଟାରୀ ଓ ଲାଇବ୍ରେରୀର କେମିତି ଉନ୍ନତୀକରଣ ହେବ? ଏ ସବୁ ଆଗ କଥା ଆଗକୁ ଦେଖ। ବାକି ଆମ କଥା ଆମେ ବୁଝିବୁ ।
Very nicely drafted with good humor in between. Hope the Govt will give up the idea of name change after going through this write up. Kudo to the writer Dr Abhay Dash. Keep it up and keep contributing such heart touching articles.
Very Nice. Eye opening for some persons who are trying to mislead everybody in the name of something or other.
Very good analysis Mamu
Wonderful article hitting the crux with humour sprinked all over. Thought provoking. Congratulations Abhay sir.
ସୁନ୍ଦର ହୋଇଛି ଆଲେଖ୍ୟଟି।ଶ୍ଳେଷ ମାଧ୍ଯମରେ ଅସଲ କଥାଟି ଉପସ୍ଥାପନ କରାଯାଇଛି। ବେଶ୍ ସୁନ୍ଦର। ଲେଖକଙ୍କୁ ସାଧୁବାଦ।