ସେଇଦିନଠୁ ମୋ ସାହିତ୍ୟ ସାଧନା – ଏକଲା ଚଲୋରେ! କେହି କହିପାରିବେନି କାହାକୁ ଥରକ ପାଇଁ ଅନୁରୋଧ କରିଛି ମୋ ଗପ, କବିତା ପ୍ରକାଶ କରିବା ପାଇଁ।
କେଡ଼େ ବୋକି ମୁଁ ଥିଲି ସତେ; ତାଙ୍କୁ ପୁଣି ବତଉଥିଲି ସମୁଦ୍ର କୂଳକୁ ରାସ୍ତା!
୧୯୭୬ ମସିହାରୁ ୧୯୮୪ ମସିହା ମୋ ସାହିତ୍ୟ ସାଧନାର ଏକ ବିଶେଷ ସମୟ। ଗୁଡ଼ାଏ କବିତା, ଗପ ଛପୁଥିଲା – ଧରିତ୍ରୀ, ସ୍ଵରାଜ୍ୟ, ପ୍ରଜାତନ୍ତ୍ର ଭଳି ଦୈନିକ ଖବରକାଗଜରେ ଏବଂ ଅନ୍ୟାନ୍ୟ ଅନେକ ପତ୍ରପତ୍ରିକାରେ। ହାତଗଣତି ଝିଅ ସେତେବେଳେ ଲେଖାଲେଖିରେ ଥିଲେ। ତେଣୁ ଖୁବ୍ ଶୀଘ୍ର ଏକ ପରିଚୟ ତିଆରି କରିପାରିଥିଲି। ଅନେକ ଚିଠି ଆସୁଥିଲା ପ୍ରତିଦିନ। ଶୈଳବାଳା ପଲାଇ ନାଁ’ରେ ଲେଖୁଥିଲି। ଡାକବାଲା ଏତେ ଅଭ୍ୟସ୍ତ ହେଇଯାଇଥିଲା ଯେ କେବଳ ମୋ ନାଁ ତଳେ ପୁରୀ ଲେଖିଦେଲେ ବି ଚିଠି ପହଞ୍ଚି ଯାଉଥିଲା।
ଭୂରି ଭୂରି ପ୍ରଶଂସା
ଚିଠିଟିଏ ପହଞ୍ଚିଲା। ଖୁବ୍ ସୁନ୍ଦର ଅକ୍ଷର। ମୋ କବିତାର ଭୂରି ଭୂରି ପ୍ରଶଂସା ଏବଂ ତା’ ସହିତ ଲେଖାଥିଲା ଯେ, “ତମ ଗାଁ ନଈ କୂଳରେ ବୁଲିବାକୁ ଥରେ ଖୁବ୍ ଇଚ୍ଛା। ମତେ ବାଟ ବତେଇ ଦବ ନା!?”
ମୁଁ ସେତେବେଳେ ପୁରୀ ଏସ୍.ସି.ଏସ୍. କଲେଜର ତୃତୀୟ ବର୍ଷ ଅର୍ଥାତ୍ ବି.ଏ. ଫାଷ୍ଟ ଇୟର୍ ଛାତ୍ରୀ। ବୋଧହୁଏ ୧୯୭୮ ମସିହାର ଶେଷ ଭାଗ। ସେ ଚିଠିର ଉତ୍ତର ଦେଇ ନ ଥାଏ ମୁଁ। ଏମିତିରେ ବି ମୁଁ ପ୍ରଥମରୁ ଇ ଚିଠି ଲେଖିବା, ଫୋନ୍ କରିବାରେ ଖୁବ୍ ମାନ୍ଦା। ଏବେ ବି ସେୟା। ତେବେ ମୁଁ ଭାବି ହେଉଛି ଏ ଲୋକ ଏମିତି କାହିଁକି ଲେଖିଲେ। ସତରେ କ’ଣ ସେ ବାଟ ଜାଣି ନାହାନ୍ତି ! ସେତେବେଳକୁ ସମ୍ପୃକ୍ତ ଚିଠି ଲେଖକ ଜଣେ ଜଣାଶୁଣା କବି ଓ ଗାଳ୍ପିକ। ତାଙ୍କର ପ୍ରାୟ ଗଳ୍ପରେ “କୁନି” ବୋଲି ଚରିତ୍ରଟିଏ ନିଶ୍ଚୟ ଥାଏ। ଏମିତି ଭାବୁଛି – ହଠାତ୍ ସେ ଆସି ଆମ ଘରେ ହାଜର। କଟକ ସହର ମଣିଷ ସେ। ହେ ପ୍ରଭୁ!
ଘରେ ତାଙ୍କୁ ଠିକ୍ ଆତିଥ୍ୟ ଦିଆଗଲା। ନିଜେ ମୁଁ ଖୁବ୍ ଭଲଭାବେ ଜାଣି ନ ଥିଲେ ବି ଯେତିକି ଜାଣିଥିଲି ସମୁଦ୍ର କୂଳକୁ ରାସ୍ତା ବତେଇଦେଲି। ସେ କିନ୍ତୁ ନଛୋଡ଼ବନ୍ଦା – ତୁମେ ଚାଲ।
ମତେ କୁଆଡ଼େ ଯିବାକୁ ଭଲ ଲାଗେନି। ସେଥିରେ ପୁଣି ଗୋଟେ ଧାରଣା ଥିଲା ଯେ ଏକୁଟିଆ ପୁଅ ଝିଅ ସମୁଦ୍ର କୂଳରେ ବୁଲିବା ନିହାତି ଖରାପ କଥା। ସେଦିନ ପୁଣି “ଶନିବାର ସାହିତ୍ୟ ସନ୍ଧ୍ୟା”ର ଆସର ଆମରି ଘରେ ହେବାର ଥାଏ। ଏଇସବୁ କାରଣ ଦେଖାଇ ଯେତେ କହିଲେ ବି କବି ଜଣକ ଅଡ଼ି ବସି ଥାଆନ୍ତି ଆମ ଗଦି ନ ଥିବା ଭଙ୍ଗା କାଠ ସୋଫାରେ। ଶେଷକୁ ମୁଁ, ମୋ ସାନ ଭଉଣୀ ଓ ଟୁନିକି – ଆମ ଘରକାମର ସାହାଯ୍ୟକାରୀ ଝିଅ, ସାଙ୍ଗ ହୋଇ ବାହାରିଲୁ। ବଡ଼ଶଙ୍ଖରେ ଆମ ସହ ଯୋଗ ଦେଲା ସାନ ଭଉଣୀ ସାଙ୍ଗ ଡଲି।
ଗୁଣ୍ଡିଚା ଘର ଆଡ଼କୁ ମୁହଁ କରି ବଡ଼ଶଙ୍ଖ ଉପରେ ଠିଆ ହେଲେ ଡାହାଣ ପଟକୁ ଷ୍ଟେସନ ଆଡକୁ ଯେଉଁ ରାସ୍ତା ପଡ଼ିଛି ଏବେ ତାକୁ ରେଡ୍କ୍ରସ ରୋଡ୍ କହୁଛନ୍ତି। ସେତେବେଳେ ତାକୁ ଡ୍ରଗ୍ ହାଉସ୍ ରୋଡ୍ କୁହାଯାଉଥିଲା। କାରଣ ସେଠାରେ ସେଇ ଏକମାତ୍ର ଭରସାଯୋଗ୍ୟ ବଡ଼ ଔଷଧ ଦୋକାନ ଥିଲା। କେହି କେହି ସେ ରାସ୍ତାକୁ କବରଖାନା ରାସ୍ତା କହୁଥିଲେ, କାରଣ ସେଇପଟେ କବରଖାନାଟିଏ ଥିଲା।
ନାଇଁ, ଆପଣ ଯାଆନ୍ତୁ
ଆମେ ସେଇ ରାସ୍ତାରେ ଯାଉଛୁ। ମୁଁ କୁନ୍ଥୁକୁନ୍ଥୁ ହେଇ ଯାଉଥାଏ। ତାଙ୍କୁ ବାରବାର ରାସ୍ତା ବତଉଥାଏ। ସେ ବି କହି ଚାଲିଥାନ୍ତି “ଚାଲ… ଚାଲ…!” ଠିକ୍ ଟେଲିଫୋନ ଏକ୍ସଚେଞ୍ଜ ପାଖରେ (ଏବେ ବି ସେ ଏକ୍ସଚେଞ୍ଜ ସେଇଠି ଅଛି) ମୁଁ ଅଟକି ଗଲି ,”ନାଇଁ ନାଇଁ ଆପଣ ଯାଆନ୍ତୁ। ରାସ୍ତା ତ ବତେଇ ଦେଲି। ମୋର ସେଠି କବି ବନ୍ଧୁମାନେ ଆସିଯିବେ…!” କଥା ସରିନି। ଭଉଣୀ, ଭଉଣୀ ସାଙ୍ଗ, ଟୁନିକି ସମସ୍ତେ ଡିଆଁ ମାରିଲୁ ବଡ଼ଶଙ୍ଖ ଆଡ଼କୁ।
କବିତାରେ କବିତାରେ ପରିଚୟ। ଅଥଚ ସେ କେତେ ମତୁଆଲା ଥିଲେ ଗୋଟେ ୧୭/୧୮ ବର୍ଷ ବୟସର ଅଚିହ୍ନା ଝିଅ ସହ ସମୁଦ୍ର କୂଳରେ ବୁଲିବା ପାଇଁ ! ପରବର୍ତ୍ତୀ ସମୟରେ ଜାଣିଲି, କଟକ ଜିଲ୍ଲାର ସେ କବି ବନ୍ଧୁ ତାଙ୍କ “କୁନି’ ନାମକ ଚରିତ୍ରଟି ସହ ଆମ ଗାଁ ନଈ କୂଳରେ ଢେର୍ ଜହ୍ନ ରାତି ବିତେଇ ଥିଲେ !
ମାନସ ବୋଲି ପିଲାଟିଏ
ଏଇ କଥା କହିଲା ବେଳେ ଆଉ ଗୋଟିଏ ଦୁଇଟି ଘଟଣା ମନେ ପଡୁଛି। ଛ’ସ୍ତରି ମସିହାର ଶେଷ ଭାଗ। ଡିସେମ୍ବରର ଏକ ଶୀତ ସକାଳ। ଖରା ପଡ଼ି ସାରିଥିଲା। ସମୟ ସାତଟା ଉପରେ। ମୁଁ ଶୋଇଥାଏ। ବୋଉ ଡାକିଲା , “ଝିଅ, ମାନସ ବୋଲି କିଏ ପିଲାଟେ ଡାକୁଛି।” ମୁଁ ଧଡ଼ପଡ଼ ହେଇ ଉଠିଲି। ମାନସ ଆମ ଘରକୁ କାହିଁକି ଆସିଛି! ଆମ ସ୍କୁଲର ଆମେ ଦୁଇଟି ମାତ୍ର ପିଲା ଏସ୍.ସି.ଏସ୍. କଲେଜର କଳା ବିଭାଗର ପ୍ରଥମ ବର୍ଷର ଛାତ୍ର ଥିଲୁ। ସେ କ’ଣ ପାଇଁ ଆସିଛି। ମୁଁ ଆମ ଅଙ୍କି ପାଖକୁ ଗଲି।
“ସାତଟା ବାଜିଲାଣି ଶୋଇଛ! ଏଇ ନିଅ କାର୍ଡ। ଆଜି କବିତା ଆସର ଅଛି ସାନ ହିନ୍ଦୀ ସ୍କୁଲରେ। ଆସିବ। କବିତାଟେ ନେଇ।” ସେ ଚାଲିଗଲା। ମୁଁ ଭାବି ହେଲି, ଇଏ କେମିତି ଜାଣିଲା ମୁଁ ଲେଖୁଛି ବୋଲି। ଓ … ପ୍ରକାଶିତ କବିତାଟି ଦେଖିଥିବ ପରା ! କହିବା ବାହୁଲ୍ୟ, ଏହି ମାନସ ରଞ୍ଜନ ହିଁ ପରବର୍ତ୍ତୀ ସମୟରେ ମୋ’ର ଜୀବନ-ସଙ୍ଗୀ ହେଲେ।
ସେଦିନ ମୁଁ ସାନ ହିନ୍ଦୀ ସ୍କୁଲର କବିତା ଆସରରେ ଯୋଗ ଦେଲି। “ଶାନ୍ତି ପ୍ରତୀକ୍ଷାରେ” ନାଁର କବିତାଟି ପଢ଼ିଲି। ମୋ ପଢ଼ିବା ଶୈଳୀକୁ ସମସ୍ତେ ପ୍ରଶଂସା କଲେ।
ସମସ୍ତଙ୍କ ଭିତରେ ଥିଲେ ଜଣେ ଶିକ୍ଷକ। ସେ ମୋ ପାଖକୁ ଆସିଲେ। କହିଲେ, “ଝିଅ, ତମେ ଭଲ ଲେଖିଛ। ଭଲ ବି ପଢିଲ। ହେଲେ ଆଉ ଟିକେ ସଂଶୋଧନ ଦରକାର। ପଢ଼ିବା ଶୈଳୀ ମଧ୍ୟ ଆଉ ଟିକେ ଜାଣିବା ଦରକାର। ତମେ ଆମ ଘରକୁ ଆସ। ମୁଁ କିଛି ବାଟ ବତେଇବି। ତୁମ ଲେଖା ବିଭିନ୍ନ ଜାଗାକୁ ପଠାଇବାର ବନ୍ଦୋବସ୍ତ କରିବା।”
ମୁଁ ଶୁଣିଲି। ଘରକୁ ଫେରିଲି। ଭୁଲିଗଲି। କିଛି ଦିନ ପରେ ଚିଠିଟିଏ ପହଞ୍ଚିଲା। ଉପରୋକ୍ତ ସାର୍ଙ୍କର। ଲେଖିଥିଲେ ସେଇକଥା ଓ ଠିକଣା ଦେଇଥିଲେ। ମୁଁ ବୋଉକୁ ଚିଠିଟି ପଢ଼ି ଶୁଣାଇଲି। ତାଙ୍କ ଘର ବଡ଼ ମନ୍ଦିର ପଟ ଗଳିରେ -ମଣିକର୍ଣ୍ଣିକା ସାହି ବୋଧେ। ବୋଉ ଓ ମୁଁ ରିକ୍ସାରେ ଗଲୁ। ଘର ପଚାରି ଭିତରକୁ ଗଲି। ଭିତର ବାରଣ୍ଡାରେ ସ୍ତ୍ରୀ ଲୋକ ଜଣେ ପିଲାଙ୍କୁ ପଖାଳ ଖୁଆଉଥିଲେ। ମୁଁ ସାର୍ଙ୍କ ନାଁ କହି ପଚାରିଲି। ସେ ଉପରକୁ ଯିବାକୁ କହିଲେ। ବୋଉକୁ ତାଙ୍କ ଭାଉଜ ଚଉକିଟିଏ ବସିବାକୁ ଦେଲେ।
ଆବିଳତାର ଗନ୍ଧ
ମୁଁ ସାର୍ଙ୍କୁ ଦେଖାକଲି। କିଛି ବି ବିଶେଷ ବାର୍ତ୍ତା ସେ ଲେଖା ସମ୍ବନ୍ଧରେ କହିଲେ ନାହିଁ। ଖାଲି ପଚାରିଲେ, କ’ଣ କ’ଣ ଲେଖିଛ, କୋଉ କ୍ଲାସ୍ରେ ପଢୁଛ ଇତ୍ୟାଦି। ଏଇ ମାତ୍ର କେତେ ପଦ କଥା ଭିତରେ; ଆମେ ଯେମିତି ଛୋଟ ପିଲାଙ୍କୁ ଗୋଟେ ହାତରେ ଦୁଇ ପଟ ଗାଲରେ ଆଙ୍ଗୁଠି ରଖି ଗେଲରେ ଚିପିଦିଏ, ଠିକ୍ ସେମିତି ସେ ଗୋଟେ ହାତରେ ମୋର ଦୁଇ ପଟ ଗାଲକୁ ଚିପି ଦେଲେ। ଯଥେଷ୍ଟ ବୟସ୍କ ଥିଲେ ସେ। ତାଙ୍କ ହାତରେ ପିତୃତ୍ୱର ସ୍ନେହିଳ ସ୍ପର୍ଶ ରହିବା କଥା। ମତେ କିନ୍ତୁ କେମିତି ଗୋଟେ ଲାଗିଲା। ସେମିତି କରିବାର ସେଭଳି କୌଣସି ବାର୍ତ୍ତାଳାପ ବା ପରିବେଶ ସେଠାରେ ସୃଷ୍ଟି ହୋଇ ନ ଥିଲା। ଏତିକି ମାତ୍ର ଆଚରଣ। ଅଥଚ ଗୋଟେ ଆବିଳତାର ଗନ୍ଧ ମୋ ନାକରେ ବାଜିଲା। “ସାର୍ ବୋଉ ତଳେ ଅପେକ୍ଷା କରିଛି। ଆପଣ ପରେ ସଜେସନ୍ ଦେବେ,” କହି ମୁଁ ପଳେଇ ଆସିଲି।
ରାସ୍ତା ସାରା ରିକ୍ସାରେ ମୁଁ ଗୁମସୁମ୍। ବୋଉ ପଚାରିଲା, “ତୋ କବିତା ବିଷିଅରେ ସେ କଁ କହିଲେ?”
…”ବାଜେ ମାଷ୍ଟ୍ରଟେ। କିଛି ଜାଣିନି। ଭାରି ବତେଇଲା ବାଲା…!”
ବୋଉ କହିଲା, “ଥାଉ। ଯେତିକି ପାରିବୁ, ସେତିକି ନେଖିବୁ। ଛାପିବୁ। କାହାକୁ କିଛି କହିବା ଦରକାର ନାଇଁ।”
ଏକଲା ଚଲୋରେ
ସେଇଦିନଠୁ ମୋ ସାହିତ୍ୟ ସାଧନା – ଏକଲା ଚଲୋରେ! କେହି କହିପାରିବେନି କାହାକୁ ଥରକ ପାଇଁ ଅନୁରୋଧ କରିଛି ବୋଲି ମୋ ଗପ କବିତାର ପ୍ରକାଶ ପାଇଁ। ଲେଖିଛି। ସମ୍ପାଦକଙ୍କ ପାଖକୁ ପଠେଇଛି। ଛପି ଚାଲିଛି।
ସେ ଶିକ୍ଷକ ଜଣକ ମତେ ଆଉ କେବେ ଦେଖା ଦେଇନାହାନ୍ତି କି ଚିଠି ଲେଖି ପରାମର୍ଶ ଦେବାକୁ ଡାକି ନାହାନ୍ତି। ପୁରୀ ସହରର ସମସ୍ତେ ତାଙ୍କର ଏ ଗୁଣ ଜାଣନ୍ତି। ବର୍ତ୍ତମାନ ସେ ଦିବଂଗତ।
ଆଜି ଯେତେବେଳେ ବହୁତ କମ୍ ଦିନ ଲେଖିଥିବା କଞ୍ଚା ହାତର ସ୍ୱାକ୍ଷର କୌଣସି ପ୍ରତିଷ୍ଠିତ ପତ୍ରିକାରେ ଦେଖେ, ମୋର ସେଇ ଖୁଣ୍ଟିଆ ସାରଙ୍କ କଥା ମନେପଡ଼େ। ଭାବେ, ୟା’ର ନେପଥ୍ୟରେ କୌଣସି ଖୁଣ୍ଟିଆ ସାର୍ ନାହାନ୍ତି ତ! ଏଇଭଳି ଶହଶହ ଚରିତ୍ର ସମାଜରେ ଆତଯାତ ହେଉଛନ୍ତି। ବୟସ ବଢ଼ିବା ସହ ଏମାନଙ୍କୁ ମୁଁ ଠିକ୍ ଚିହ୍ନି ପାରୁଛି।
ଅବଶ୍ୟ ସମସ୍ତେ ସେଇ କବି ବନ୍ଧୁ ବା ଖୁଣ୍ଟିଆ ସାର୍ ନୁହନ୍ତି। ଏଇ ସାହିତ୍ୟ ସାଧନା ମତେ ଅନେକ ବଳିଷ୍ଠ ବ୍ୟକ୍ତିତ୍ୱଙ୍କ ସହ ପରିଚିତ କରାଇଛି ଏବଂ ସେମାନଙ୍କ ସହ ପରିଚୟ ମତେ ଯଥେଷ୍ଟ ପ୍ରେରିତ କରିଛି।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ସେପ୍ଟେମ୍ବର, ୨୦୨୪ ସଂଖ୍ୟାରେ ପ୍ରକାଶିତ। )
ବହୁତ ସୁନ୍ଦର ସର୍ଜନାନୁଭୂତି!
ଧନ୍ୟବାଦ !
ସୁନ୍ଦର ଅନୁଭବ। ପ୍ରଣାମ ମହାଶୟା
ଧନ୍ୟବାଦ ! ଅନେକ ଶୁଭେଚ୍ଛା।