ମା’ଆସ୍ଛେନ୍ – ଏହା ଥିଲା କିଛି ବର୍ଷ ପୂର୍ବେ ପବିତ୍ର ଦୁର୍ଗାପୂଜାର ଅବ୍ୟବହିତ ପୂର୍ବରୁ କଲିକତାର ବିଶିଷ୍ଟ ଚିତ୍ରକର ସନାତନ ଦିଣ୍ଡାଙ୍କ ଦ୍ୱାରା ଅଙ୍କିତ ଗୋଟିଏ ଚିତ୍ରର ଶିରୋନାମା, ଯାହାକୁ ଓଡ଼ିଆରେ କହିଲେ ହେବ, ‘ମାଆ ଆସୁଛନ୍ତି’। ଏଥିରେ ହିଜାବ୍ ପିନ୍ଧିଥିବା ଜଣେ ମହିଳାଙ୍କ ଲଲାଟରେ ପ୍ରଦର୍ଶିତ ହୋଇଥିଲା ତୃତୀୟ ନୟନଟିଏ। ଏହାକୁ ଦେବୀ ଦୁର୍ଗାଙ୍କର ବିଧର୍ମୀକରଣ ପାଇଁ ଏକ ଉଦ୍ୟମ ବୋଲି ଅଭିଯୋଗ କରି ସେତେବେଳେ ପ୍ରବଳ ହଇଚଇ ସୃଷ୍ଟି ହେଲା। କେହି ହେଲେ ଚିତ୍ରକରଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିଲେ ଯେ ମାଆ ମହିଷମର୍ଦ୍ଦିନୀଙ୍କ ଧରାବତରଣକୁ ଅନ୍ୟ ଧର୍ମ ସହ ଯୋଡ଼ିବାର ତାଙ୍କର ତିଳେ ହେଁ ଉଦ୍ଦେଶ୍ୟ ନ ଥିଲା; ବରଂ ସେ ଦର୍ଶାଇବାକୁ ଚାହୁଁଥିଲେ ଯେ ଜଣେ ନାରୀ, ସେ ଯେଉଁ ଜାତି, ଧର୍ମ ବା ବର୍ଗର ହୋଇଥାଉ ନା କାହିଁକି, ଦେବୀ ଦୁର୍ଗାଙ୍କ ଭଳି ଏକ ତୃତୀୟ ନୟନର ଅଧିକାରୀ। କିନ୍ତୁ ଏ କଥା କେହି ବୁଝିବାକୁ ପ୍ରସ୍ତୁତ ନ ଥିଲେ; ଯାହା ଫଳରେ ଶିଳ୍ପୀଙ୍କୁ ପରିଶେଷରେ ଏହି ଚିତ୍ରଟି ଆଙ୍କିଥିବା ହେତୁ ସର୍ବସାଧାରଣରେ କ୍ଷମା ମାଗିବାକୁ ପଡ଼ିଲା।
ଶକ୍ତି ସ୍ୱରୂପିଣୀ ମାଆ ଦୁର୍ଗାଙ୍କର ବାର୍ଷିକ ପାର୍ବଣ ଅବସରରେ ଆଜି ତାହାଙ୍କର ଦେବୀସତ୍ତାର ଏହି ଦିଗ ବିଷୟରେ ଚିନ୍ତନ କରିବାର ଅବକାଶ ଆସିଛି। ‘ଦୁର୍ଗା ସପ୍ତଶତୀ’ର ଏକାଦଶ ଅଧ୍ୟାୟରେ କୁହାଯାଇଛି, ‘ଶରଣ୍ୟେ ତ୍ର୍ୟମ୍ବକେ ଗୌରୀ ନାରାୟଣୀ ନମୋସ୍ତୁତେ।’ ଏଥିରେ ମାଆଙ୍କର ‘ତ୍ର୍ୟମ୍ବକେ’ ଅର୍ଥାତ୍ ନେତ୍ରତ୍ରୟକୁ ସ୍ମରଣ କରାଯାଇଛି। ତାଙ୍କର ଏହି ତିନି ନେତ୍ର ତିନୋଟି ଦୈବୀ ଲକ୍ଷଣର ପରିଚାୟକ; ବାମ ନୟନ ଚନ୍ଦ୍ର ବା କାମନାର, ଦକ୍ଷିଣ ନୟନ ସୂର୍ଯ୍ୟ ବା କର୍ମର ଓ ଲଲାଟ ଭାଗରେ ଶୋଭା ପାଉଥିବା ତୃତୀୟ ନୟନ ଅଗ୍ନି ବା ଜ୍ଞାନର ପ୍ରତୀକ। ଆମ ଚଳିତ ସଂଖ୍ୟାର ପ୍ରଚ୍ଛଦପଟ ପାଇଁ ଶିଳ୍ପୀଗୁରୁ ବଳଦେବ ମହରଥା ଅଙ୍କନ କରିଥିବା ମାଆଙ୍କର ତୃତୀୟ ନେତ୍ର ତେଣୁ ଅଗ୍ନିଶିଖାର ଲୋହିତ ବର୍ଣ୍ଣ ଧାରଣ କରିଛି, ଏବଂ ଏହାକୁ ଜ୍ଞାନଦୀପ୍ତ କରିଛି ସେଥିରେ ପ୍ରଦର୍ଶିତ ହୋଇଥିବା କଲମ ଓ ବହି।
ଦେବୀଙ୍କର ତୃତୀୟ ନୟନ ଯଦି ଜ୍ଞାନର ସୂଚକ ହୋଇଥାଏ ତେବେ କେବଳ ଦେବତା ନୁହନ୍ତି, ସଂସାରର ପ୍ରତ୍ୟେକଟି ଜୀବସତ୍ତା ମଧ୍ୟ ଅଳ୍ପ ବହୁତେ ଏହି ଗୁଣର ଅଧିକାରୀ। ବାଇବେଲ୍ରେ କୁହାଯାଇଛି, “ଈଶ୍ୱର ନିଜର ଛବି ଅନୁସାରେ ହିଁ ମନୁଷ୍ୟକୁ ଗଢ଼ିଛନ୍ତି।’ (ଜେନେସିସ୍, ୧:୨୭) ଏଣୁ ଏହା ଧରିନେବା ଯଥାର୍ଥ ହେବ ଯେ ଦେବତାଙ୍କ ଭଳି ମଣିଷ ମଧ୍ୟ ସକଳ ଦୈବୀଗୁଣର ଅଧିକାରୀ। ଏ ଦୃଷ୍ଟିରୁ ଜଣେ ନଶ୍ୱର ଶରୀରଧାରୀ ମାନବୀଙ୍କଠାରେ ଏହି ତୃତୀୟ ନେତ୍ରର ଅବସ୍ଥିତିକୁ ସ୍ୱୀକାର କରିନେବାରେ ଅସୁବିଧା ବା କେଉଁଠି?
ଆମ ସାମ୍ପ୍ରତିକ ସାହିତ୍ୟରେ ବହୁ କବି ଓ ଲେଖକ ମନୁଷ୍ୟ ମଧ୍ୟରେ ଲୁକ୍କାୟିତ ଥିବା ଏହି ତୃତୀୟ ନୟନକୁ ନିଜ ସାରସ୍ୱତ ବିବେଚନାର ପରିସରକୁ ଆଣିଛନ୍ତି। ପ୍ରଖ୍ୟାତ କଥାଶିଳ୍ପୀ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ‘ତୃତୀୟ ନେତ୍ର’ ଗଳ୍ପରେ ପିନୁ ନାମକ ଶିଶୁ ଚରିତ୍ରଟିଏ ଠାଏଁ ନିଜର ବାପାଙ୍କୁ କହିଛି ଯେ, ତା’ର ଜଣେ ସାଙ୍ଗ ଦେବୁର ତିନିଟା ଆଖି। ତା’ର ବାପା ଏଥିରେ ବିସ୍ମିତ ହୁଅନ୍ତେ, ସେ ତାଙ୍କୁ ବୁଝାଇ କହିଛି, “ତିନିଟା ଆଖି ସତରେ ଅଛି ଦେବୁ ମୁଣ୍ଡରେ। ତୃତୀୟ ଆଖି ଅଛି ତା ମୁଣ୍ଡରେ, ଠିକ୍ ଏ ଜାଗାରେ’ – ନିଜର ଦୁଇ ଆଖିର ମଝି ସ୍ଥାନଟିକୁ ଟିପ ଛୁଇଁ ସେ ଦେଖାଇ ଦେଇଛି ନିଜ ବାପାଙ୍କୁ।
ଆସନ୍ତୁ, ଆଜି ପବିତ୍ର ପାର୍ବଣ ଅବସରରେ ଆମେ ଏହିଭଳି ନିଜ ଭିତରେ ଓ ସକଳ ମାନବସତ୍ତା ମଧ୍ୟରେ ଅନୁଭବ କରିବା ଏକ ତୃତୀୟ ନେତ୍ରର ଅସ୍ତିତ୍ୱକୁ।
ନିହାର ଶତପଥୀ
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଅକ୍ଟୋବେର, ୨୦୨୪ ସଂଖ୍ୟାରେ ପ୍ରକାଶିତ ସମ୍ପାଦକୀୟ। )
ସୁନ୍ଦର ଉପସ୍ଥାପନା ।