ଆମେ ଭାବୁଛୁ ଏ ଯେଉଁ ଗଣନା ବିଭ୍ରାଟରୁ “ଜଙ୍ଗଲ ରାଜ୍” ଶବ୍ଦଟି ଆମ ମଣିଷମାନଙ୍କ ରାଜନୈତିକ ଚିନ୍ତାଧାରା ମଧ୍ୟକୁ ଆସିନାହିଁ ତ?
ସ୍ୱାମୀ ଅଭୟାନନ୍ଦ ରିସର୍ଚ୍ଚ ଫାଉଣ୍ଡେସନର ଅରିଜିନାଲ ରିସର୍ଚ୍ଚ ପେପର ଯେଉଁ ଦିନ ଲିକ୍ ହୋଇଗଲା, ବି ବି ସି, ଅଲ୍ ଜଜିରା, ୱାଶିଂଟନ୍ ପୋଷ୍ଟ ସମସ୍ତେ ବୋବାଳି ଛାଡ଼ିଲେ, ଦେଖହୋ ସେ ଦେଶରେ କ’ଣ ନ ହେଲା? ତାଙ୍କୁ ଦେଖି ଆମ ଦେଶୀ ମେଡିଆ ଡେଇଁବା ଆରମ୍ଭ କରିଦିଅନ୍ତେ ବିରୋଧୀ ତ ନାଚିଲେ। ରାଷ୍ଟ୍ର ସୁରକ୍ଷା ଉପରେ ଘୋର ବିପତ୍ତି। ସରକାର ଇସ୍ତଫା ଦିଅ।
ପାର୍ଲାମେଣ୍ଟ ବାରମ୍ବାର ମୁଲତବୀ ରଖାଗଲା। କାମ କାର୍ଯ୍ୟ ବନ୍ଦ। କଥା କ’ଣ? ବଣରେ ପଶୁ ପକ୍ଷୀ କୀଟ ପୋକ ଜୋକଙ୍କର ଜାତିଗତ ଗଣନା ଅନୁଧ୍ୟାନ କରୁଥିଲା ଅଭୟାନନ୍ଦ ରିସର୍ଚ୍ଚ ଫାଉଣ୍ଡେସନ। ପ୍ରଚାର ହୋଇଗଲା ଶଳା ମାରି ନେଲା ଛ ଶହ କୋଟି ଟଙ୍କାର ପ୍ରୋଜେକ୍ଟ। ଟେଲିଭିଜନ ଚାନେଲ୍, ସୋସିଆଲ ମେଡିଆ ଚାନେଲ୍ କାହାକୁ ନିଦ ନାହିଁ। ପ୍ରଚାର ବିଦେଶୀ ମାଟିରୁ ଆସି ପହଞ୍ଚିଛି ଯେତେବେଳେ ବିଶ୍ୱାସ ନ କରି ରହି ହେଉ ନ ଥାଏ, କ’ଣ ଗୋଟାଏ ଥିବ ନା!
ଏ ବିଷୟରେ ସଫେଇ ଦେବାକୁ ଯାଇ, ଅଭୟ ଦାଶର କହିବା କଥା, ଥରେ ଜଙ୍ଗଲ ସଂସଦରେ କଥା ଉଠିଥିଲା ଆରକ୍ଷଣକୁ ନେଇ। ସେ ରାଜ୍ୟରେ ଭାରତର ଆମ୍ବେଦକର ମଡେଲ ସଂବିଧାନ ସହ ମଣ୍ଡଳ କମିସନ ଓ କରୁଣାନିଧି କମିସନ ରିପୋର୍ଟକୁ ନେଇ ସମସ୍ତ ପଶୁପକ୍ଷୀ କୀଟ ପତଙ୍ଗଙ୍କର ଜାତିଆଣ ଗଣନା କରାଯାଉ। ଏହି ଆନ୍ଦୋଳନକୁ ଉସକାଉ ଥାଆନ୍ତି ଗଧ ଓ ଗଧିଆ ପ୍ରଜାତିର ନାଗରିକମାନେ। ଏହା ଜଙ୍ଗଲ ଜନ୍ତୁ ଓ ଗୃହପାଳିତ ପଶୁ ସଂଗଠନର ମିଳିତ ସାମ୍ମୁଖ୍ୟର ଅଭିଯାନ। ତାଙ୍କର କହିବା କଥା ଜଙ୍ଗଲରେ ସିଂହଙ୍କର ରାଜତନ୍ତ୍ରକୁ ଭାଙ୍ଗି ସେଠାରେ ପୃଥିବୀର ଗଣତନ୍ତ୍ର ମଡେଲରେ ପଶୁତନ୍ତ୍ର ସ୍ଥାପନ କରିବା। ସିଂହଙ୍କର ଏକଚ୍ଛତ୍ରବାଦକୁ ବନ୍ଦ କରିବା। ଛୋଟ ବଡ଼, ଆକାର, ଶକ୍ତି, କଳା ଧଳା ରଙ୍ଗ ଚଳଣି ବିଦ୍ୟା ବୁଦ୍ଧି ନିର୍ବିଶେଷରେ ଗଣନା କରାଯାଇ ସଂଖ୍ୟା ଅନୁସାରେ ଶାସନରେ ଭାଗ ଦିଆଯିବ।
ପଶୁ ପାର୍ଲାମେଣ୍ଟ
ମଣିଷଙ୍କ ପାର୍ଲାମେଣ୍ଟ ମଡେଲରେ ପଶୁ ପାର୍ଲାମେଣ୍ଟ ଗଠନ କରାଯିବ। ପାର୍ଲାମେଣ୍ଟ ସୌଧ ପାଇଁ ଟେଣ୍ଡର ଦିଆଯାଇଥିଲେ ବି, କେହି ପ୍ରାର୍ଥୀପତ୍ର ଦାଖଲ କରୁନାହାନ୍ତି। କାରଣ କ’ଣ? ଏଲ୍ ଆଣ୍ଡ୍ ଟି, ଟି ଆଣ୍ଡ୍ ସି, ସି ଆଣ୍ଡ୍ ପି ଏହିପରି ବିଶ୍ୱର ବଡ଼ ବଡ଼ ବିଲ୍ଡର କମ୍ପାନୀମାନଙ୍କୁ ପଚାରି ବୁଝିବାରୁ ଯାହା ଜଣାଗଲା ସମସ୍ତଙ୍କର ସେହି ଗୋଟିଏ ମତ। କିପରି ସମ୍ଭବ ହେବ? ବସିବା ବ୍ୟବସ୍ଥା ହାତୀ, ଗଣ୍ଡା, ବାଘ, ହରିଣ, ଛେଳି, ବିଲୁଆ, ଚଢ଼େଇ, ପୋକ ସରୀସୃପ ସମସ୍ତଙ୍କ ଷ୍ଟାଇଲ୍ ଅଲଗା। ବସିବା, ଠିଆ ହେବା, ଗଛରେ ଚଢ଼ିବା, ଝୁଲିବା, ପହଁରିବା ଆଦି ପାଇଁ ଜାଗା ବା ସ୍ପେସ୍ ଦରକାର। ପାର୍ଲାମେଣ୍ଟ କ୍ୟାଣ୍ଟିନ୍ରେ ସରକାରୀ ଖର୍ଚ୍ଚରେ ଖାଦ୍ୟ ଯୋଗାଣ, ବିଭିନ୍ନ ପ୍ରସାଧନ କକ୍ଷ ୱାସ୍ ରୁମ ଡିଜାଇନ୍ କାଠିକର ପାଠ। କିଏ କରିବ ଏଗୁଡ଼ା? ସେଥିପାଇଁ କେହି ଏ କାମ କରିବାକୁ ଚାହୁଁ ନ ଥିବା ଜଣାଯାଏ। ଜଙ୍ଗଲରେ ରାଜନୀତି ପ୍ରଖର ହେବାରେ ଲାଗିଥାଏ, କେତେକ ସ୍ୱାର୍ଥାନ୍ୱେଷୀ ପ୍ରାଣୀ ସମୂହଙ୍କର ଏକା ଜିଦ୍ ସିଂହର ସାମ୍ରାଜ୍ୟ ଧୂଳିସାତ୍ କରି ଆମ୍ୱେଦକରିଆ ଗଣତନ୍ତ୍ର ପ୍ରତିଷ୍ଠା ହେବ। ସବୁ ପଛରେ ଏଇ ମଣିଷ ଆଜ୍ଞା। ସମସ୍ତ ପ୍ରାଣୀଙ୍କ ବିଭାଜନ କରାଇ ଗଣତନ୍ତ୍ର ନାଁ’ରେ ବେପାର କରିବା। ବିଭାଜନ ଓ ଶାସନ।
ଏଠିକାର କଳା ଧଳା, ଛୁଆଁ ଅଛୁଆଁ ଢାଞ୍ଚାରେ ଏସ୍ ସି, ଏସ୍ ଟି, ଓବିସି ଢଙ୍ଗରେ ସେଠି ତଳଆଡୁ, ମାନେ ଦୁର୍ବଳ ବର୍ଗ, ଉଇକର ସେକ୍ସନଙ୍କ ନାମକରଣ କରିଦେଲେ ତେଲୁଣି ପୋକ; ଗଉଡୁଣୀ ପୋକ। ବେଙ୍ଗମାନଙ୍କର ନାମ ହେଲା ବ୍ରାହ୍ମଣୀ ବେଙ୍ଗ, ଟୁଲି ବେଙ୍ଗ, କାଠ ବେଙ୍ଗ ଆଦି। ଏ ବ୍ରାହ୍ମଣୀ ବେଙ୍ଗ ନାଁଟା ଜଙ୍ଗଲର କମ୍ୟୁନିଷ୍ଟ ନକ୍ସଲପନ୍ଥୀଙ୍କ ହଜମ ହେଲାନାହି଼ଁ। ସେମାନଙ୍କୁ ଏକ୍ସପୋର୍ଟ୍ କରି ଖାଇଗଲେ। ଗଉଡୁଣୀ, ତେଲୁଣୀ ପୋକଙ୍କୁ ଏସ୍ ସି, ଓବିସି ରେ ପକାଇ ଦେବାରୁ, କାଠ ଜନ୍ଦା, ଧୂଳିଆ ଜନ୍ଦା, ପିମ୍ପୁଡିମାନଙ୍କ ମଧ୍ୟରେ ମନୋମାଳିନ୍ୟ ହେଲା। ହେଟା, ବିଲୁଆ, ଶାଗୁଣା ସ୍କାଭେଞ୍ଜର ଷ୍ଟାଟସ୍ ପାଇ ଏସ୍ ସି, ମୟୂର, ସାପ, ନେଉଳ ଆଦି ଓବିସି ଏହିପରି ଲିଷ୍ଟ ହେବାରୁ ଅସନ୍ତୋଷ ବ୍ୟାପିଲା।
ନୂଆ ପ୍ରଜାତି
ସିଂହ, ବାଘଙ୍କ ମଧ୍ୟରେ ବିବାହ ପ୍ରଥା ଆରମ୍ଭ ହେବାରୁ ଗୋଟାଏ ନୂଆ ପ୍ରଜାତି ସୃଷ୍ଟି ହେଲେ ଟାଇଗନ୍। ଏମାନେ ଟାଇଗର ଓ ଲାୟନର ବଂଶଧର। ଜେବ୍ରା ଓ ଡଙ୍କିଙ୍କ ଔରସରୁ ଜନ୍ମନେଲେ ଜଙ୍କି ଓ ଡେବ୍ରା। ଓଟ ଓ ସିପ୍ର କ୍ରସ୍ ବ୍ରିଡିଂରୁ ଜନ୍ମ ନେଲେ ଆଲ୍ପକା। ପରବର୍ତ୍ତୀ ସମୟରେ ଆନିମଲ୍ କ୍ଲୋନିଂ ହେଲା। ସବୁ ବିଭ୍ରାଟ ମୂଳରେ ଏଇ ମଣିଷ। ବଣରେ ସ୍ୱଚ୍ଛନ୍ଦରେ ବୁଲୁଥିବା ପଶୁମାନଙ୍କୁ ନାନା ବିଭାଜନ କରି ଏପରି ଗଣ୍ଡଗୋଳ ସୃଷ୍ଟି କରିଦେଲେ ଯେ, ସେମାନେ ପରସ୍ପର ବିରୋଧୀ ହୋଇ ସରିଗଲେ। ଏମାନେ ତାଙ୍କୁ ନିଶା ଦେଇ, ବିଷ ଖୁଆଇ, ତୀର, ବନ୍ଧୁକ ଦ୍ୱାରା ହତ୍ୟା କରି ତାଙ୍କ ବଂଶ ନିପାତ କଲେ।
ଜାତିଗତ ପଶୁ ଗଣନା ଅବଶ୍ୟ ସେଇଠି ରହିଲା। କାରଣ ଜଙ୍ଗଲରେ ଜାତୀୟ ଗଣନା ପ୍ରକାଶ ହେବା ପୂର୍ବରୁ ଗୋଟାଏ ଷ୍ଟେ ଅର୍ଡର୍ ଆସିଗଲା। ଡ଼େମୋକ୍ରାସି ଆଜ୍ଞା! ଏମିତି ହେବା ସ୍ୱାଭାବିକ। ବୁଝିବା ବେଳକୁ ଜଣାଗଲା ଓଡ଼ିଶାର କେଉଁ ଏକ ଘାସପଡ଼ିଆରୁ ଆସିଛି ଏପରି ଆରୋପ। ଅନ୍ୟାୟର ପ୍ରତିବାଦ କରିବାକୁ ହେବ। କି ଅନ୍ୟାୟ? କାହା ପ୍ରତି ଅନ୍ୟାୟ? ଏକ ବିଶିଷ୍ଟ ବର୍ଗ ଯାହାଙ୍କୁ ନେଇ ଓଡ଼ିଆ ଗର୍ବରେ ପ୍ରତି ବର୍ଷ ଡ଼ଙ୍ଗା ଭସାଏ ଆକାମା ଭୈ କହି। ସାଧବ! ସେଇ ସାଧବକୁ ଭୁଲିଗଲେ? ଜଙ୍ଗଲ ରାଜ୍ୟରେ ଏ ପ୍ରଶ୍ନ ଉଠାଇଛି ଗୁଲୁ ଗୁଲିଆ ନାଲି ନାଲି ସାଧବବୋହୂ ପୋକଟି। ଠିକ୍ କଥା, ସାଧବପୋକକୁ ତାର ହକ ମିଳିବା କଥା। କଥାଟା ଗ୍ରହଣୀୟ ହୋଇଛି ଜଙ୍ଗଲ ରାଜ୍ୟର ସର୍ବୋଚ୍ଚ ପଞ୍ଚାୟତରେ। ସେଥିପାଇଁ ରିପୋର୍ଟ ପ୍ରକାଶ ଅଟକି ଯାଇଛି।
ଯାହା ଏଇ ମଣିଷକୃତ ଅବ୍ୟବସ୍ଥା ମିସ୍ମ୍ୟାନେଜମେଣ୍ଟ୍, କହନ୍ତି ସ୍ୱାମୀ ଅଭୟାନନ୍ଦ ଫାଉଣ୍ଡେସନ। ତା’ପରେ କେତେ ଶତକ ବିତି ଯାଇଥିଲେ ମଧ୍ୟ ଏ ଜାତିଗତ ଗଣନାରେ କେହି ହାତ ମାରି ନ ଥିବା ଜଣାଯାଏ। ଆମେ ଭାବୁଛୁ ଏ ଯେଉଁ ଗଣନା ବିଭ୍ରାଟରୁ “ଜଙ୍ଗଲ ରାଜ୍” ଶବ୍ଦଟି ଆମ ମଣିଷମାନଙ୍କ ରାଜନୈତିକ ଚିନ୍ତାଧାରା ମଧ୍ୟକୁ ଆସିନାହିଁ ତ? ଏଥିପାଇଁ ଗଭୀର ଅଧ୍ୟୟନର ଆବଶ୍ୟକତା ଅନୁଭୂତ ହୁଏ, କହନ୍ତି ଅଭୟ ଦାଶ, ଓରଫ ସ୍ୱାମୀ ଅଭୟାନନ୍ଦ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଅକ୍ଟୋବର, ୨୦୨୪ ସଂଖ୍ୟାରେ ପ୍ରକାଶିତ। )
କଥା ଭିତରେ କଥାଟିଏ.ଖୁବ୍ ସୁନ୍ଦର ଭାବରେ ଉପସ୍ଥାପିତ. ଆଶଙ୍କା ମନ୍ଦ ନୁହେଁ.
ଅଭୟାନନ୍ଦ ଆଉ ଗୋଟିଏ କଥା ଭୁଲିଗଲେ। ପକ୍ଷୀଜାତି ଗଣନା ବେଳେ କୋଇଲି, କଜ୍ବଳପାତି ସମେତ ସବୁ ପକ୍ଷୀଙ୍କୁ ବ୍ରାହ୍ମଣ ଘୋଷିତ କରାଗଲା ବେଳେ କେବଳ କାଉକୁ ଏସ୍.ଟି ଘୋଷିତ କରାଯିବାର କଥା ହେଲା। କାଉ କି ଡରିବା ପକ୍ଷୀ। ତାର ତ ମଣିଷ ମାନଙ୍କ ଭିତରେ ସବୁଠୁ ଅଧିକ ଚଳାଚଳ। ବେଦ ନଜାଣିଲେ କଣ ହେଲା, କା କା ରଡ଼ି ସମସ୍ତଙ୍କୁ ଉଠାଇବ, ପୁଣି ଶ୍ରାଦ୍ଧ ଇତ୍ୟାଦିରେ ସେ ମୁଖ୍ୟ ଭୋକ୍ତା। ସେ କାହିଁକି ଏସ୍ ଟି ହବ ହୋ?
ସେ ଯାଇ କଥାଟା ପକାଇଦେଲା ମଣିଷ ପାର୍ଲ୍ୟାମେଣ୍ଟରେ। ବାସ୍ ଏଠାରୁ ଗୁପ୍ତ ସମ୍ବାଦ ପ୍ରେଷଣ କରାଗଲା ଆଉ ଜଙ୍ଗଲ ରାଜ୍ୟରେ ଷ୍ଟେ ଅର୍ଡର ଲାଗିଲା।