ଦେବୀ

ନୀରବରେ ବାଟ ଚାଲୁ ଚାଲୁ କାଶତଣ୍ଡୀ ସମ୍ଭାର ଦେଖି ଅଶୋକ ଭାବୁଥିଲେ, ସ୍ତ୍ରୀଟା ପ୍ରକୃତରେ ତାଙ୍କର ଦେବୀ ଥିଲା।

ସୁନନ୍ଦା ମହାନ୍ତି

ରାସ୍ତାରେ ଚାଲୁ ଚାଲୁ ସାଥିରେ କେତେ ବାଟୋଇ ଥାଆନ୍ତି ସତ, ହେଲେ ଜୀବନସାଥୀଙ୍କ କଥା ଅଲଗା। ଦିନେ ପାଖରେ କେହି ନଥିବେ, ଥିବେ କିନ୍ତୁ ଦୁଇ ପ୍ରେମପକ୍ଷୀ ସ୍ୱାମୀ ଓ ସ୍ତ୍ରୀ। ସେତେବେଳେ କଥାଟିଏ ଥିଲା, ପୁଅ ଯୋଗ୍ୟର ହେଲେ ଧନ କାହିଁ ପାଇଁ ସଞ୍ଚିବି.. ପୁଅ ଅଯୋଗ୍ୟ ହେଲେ ଧନ କାହିଁ ପାଇଁ ସଞ୍ଚିବି? ଏବେ କିନ୍ତୁ ପ୍ରତି ହୃଦୟରୁ ଶୁଭୁଛି, ପୁଅ ପାଠୁଆ ହେଲେ ଘର କାହିଁ କରିବି? ପୁଅ ଅପାଠୁଆ ହେଲେ ଘର କାହିଁକି ତୋଳିବି? ତଥାପି ପୁଅ ଝିଅ ବା ସନ୍ତାନ ସନ୍ତତି ପାଖରେ ରହନ୍ତୁ ବା ନ ରହନ୍ତୁ ଶୁକ ଶାରୀ ପରି ଥାଆନ୍ତି ଦୁଇପ୍ରାଣୀ; ଯାହାକୁ ଆମେ କହୁ ଦମ୍ପତ୍ତି।
ସେମିତି ଅରୁଣା ଓ ଅଶୋକ ଦୁହେଁ ସ୍ୱାମୀ ସ୍ତ୍ରୀ। ଦିନ ଆସେ ପିତା-ମାତା, ବନ୍ଧୁ-ବାନ୍ଧବ, ସଖା-ସହୋଦର, ପୁତ୍ର-କନ୍ୟା ଦୂରେଇ ଯାଆନ୍ତି, କିନ୍ତୁ ପରସ୍ପରର ବନ୍ଧୁ ହୋଇ ପତି ପତ୍ନୀ ଥାଆନ୍ତି ଜଣେ ଜଣଙ୍କ ପାଇଁ।
ଅରୁଣାଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ; ଘରେ ଘରେ ସେ ଦେଖନ୍ତି ବୁଢାଟିମାନ ବୁଢୀଟିକୁ ଛାଡି ଆଗ ବାଟ କାଟନ୍ତି ସ୍ୱର୍ଗକୁ। କାହିଁକି? ଏ ପ୍ରଶ୍ନର ଅଶୋକ ଦେଇଥିଲେ ଚମତ୍କାର ଉତ୍ତର। ମହିଳାମାନେ ମହିୟସୀ। ସେମାନେ ସବୁ ସହି ଓ ବୁଝି ପ୍ରତିଟି ଅନୁକୂଳ ଓ ପ୍ରତିକୂଳ ପରିସ୍ଥିତିରେ ପୁତ୍ର, ପୁତ୍ରବଧୂ, କନ୍ୟା, ଜାମାତା ଓ ପୌତ୍ର ପୌତ୍ରାଦିଙ୍କ ସହିତ ଖାପଖୁଆଇ ଚାଲିପାରନ୍ତି, ଯାହା ପୁରୁଷଙ୍କ କ୍ଷେତ୍ରରେ ସମ୍ଭବ ନୁହେଁ। ସହଜେ ସ୍ୱାମୀମାନେ ବଡ଼ ଥାଆନ୍ତି ନା ବୟସରେ !

ଏ କଥାରେ କିନ୍ତୁ ସହମତି ନଥାଏ ଅରୁଣାଙ୍କର; କାରଣ ଅନୁଭବରୁ ସେ ଦେଖିଛନ୍ତି ବର୍ଷେ, ଦିବର୍ଷ ବା ବେଶି ବଡ଼ ହେଲେ ଦଶବର୍ଷ ବଡ଼ ଥିବା ସ୍ୱାମୀ ଆଗ ସ୍ବର୍ଗାରୋହଣ କଲାପରେ ତାଙ୍କ ସ୍ତ୍ରୀ ତ କୋଡିଏ କି ପଚିଶ ବା ତଦୁର୍ଦ୍ଧ୍ବ କାଳ ବଞ୍ଚିରହୁଛନ୍ତି। ଏହି ସବୁ ଦୁର୍ଭାବନା ଏଡ଼େଇବାକୁ ସେ ଛାତ ଉପରକୁ ଯାଇ ନୀରବରେ ବସିଯାଆନ୍ତି। ଅନାଗତ ଭବିଷ୍ୟତରେ ଏକୁଟିଆ ନୀରବ ରାସ୍ତାକୁ କିପରି ଏକାନ୍ତରେ କାଟିବେ, ଭାବି ବ୍ୟସ୍ତ ହୋଇପଡନ୍ତି। ପୁଣି ମନକୁ ଆସେ, ସ୍ତ୍ରୀମାନେ ପତିବ୍ରତା; ଧର୍ମ ନିଭେଇବାକୁ ଯାଇ ଆଗ ସ୍ୱାମୀଙ୍କୁ ଖାଇବାକୁ ବାଢ଼ନ୍ତି। ସେଇଟା ଅଶୁଭତ୍ବ ପ୍ରଦାନ କରେକି? ଅବଶ୍ୟ ଆଗ କାଉ କୁକୁରଙ୍କୁ ଦେଇ ତା ପରେ ସ୍ୱାମୀଙ୍କୁ ପରଷା ଯାଏ। ତଥାପି ଏଭଳି ମାନସିକତାର ଫଳ ନକାରାତ୍ମକ ହୁଏକି? ଏମିତି ସବୁ ପ୍ରଶ୍ନ ମନକୁ ଉଦବେଳିତ କରୁଥିବା ବେଳେ କାଉଟି ଉଡିଆସି ରଖିଥିବା ଜଳରେ ଥଣ୍ଟ ବୁଡେଇ ପାଣି ପିଉଥାଏ। ଅନ୍ୟ ଚଢେଇମାନେ କେହି ଅରୁଣାଙ୍କ ଉପସ୍ଥିତିକୁ ଅଣଦେଖା କରି ପାଣି ପିଉନଥିବା ବେଳେ କାଉଟି ନିର୍ଭୟରେ ପାଣି ପିଇ ଉଡିଯାଏ, ଚାଉଳ ମଧ୍ୟ ଖାଏ‌‌। କିନ୍ତୁ ଅନ୍ୟ ଚଢେଇମାନେ ତାଙ୍କ ଉପସ୍ଥିତିରେ ଆସନ୍ତି ନାହିଁ ଭରଷି କରି। ଆଉ ହଳଦୀବସନ୍ତ ବା ଶୁଆ ପକ୍ଷୀଙ୍କୁ ଦେଖିବାକୁ ଭଲ ପାଉଥିବା ଅରୁଣା ଭାବନ୍ତି ସେମାନଙ୍କୁ ସିନା ମଣିଷ ଭଲପାଏ, ଦେଖିବାକୁ ବା ତାଙ୍କୁ ଦେଖିଲେ ଶୁଭହୁଏ ବୋଲି ଭାବିବସେ; କିନ୍ତୁ ସେମାନେ କାଉ ପରି ନୁହଁ‌।

କାଉକୁ ଆଗ ଭାତ ବାଢ଼ିଦେଉଥିବା ଅରୁଣା ସେଦିନ ଦେଖିଲେ ପ୍ରତିଦିନ ଆସି ପାଣି ପିଇ ଚାଉଳ ଖାଇ ଆକାଶକୁ ଉଡି ଯାଉଥିବା ପକ୍ଷୀଟା ସେଦିନ ତାଙ୍କ ଆଖି ସାମ୍ନାରେ ଦୁଇ ବିଜୁଳି ତାର ଯାଇଥିବା ଗଛ ଉପରେ ବସିପଡ଼ି ଛିଟିକି ପଡିଥିଲା ଅଦୂରକୁ। ଛାତିଟା କରତି ହୋଇଗଲା ଅରୁଣାଙ୍କର। କେତେ କାଉ ଆସି କାକା କହି ଉଡ଼ିଲେ ଘେରେ, ପୁଣି ଫେରିଗଲେ। କିନ୍ତୁ ତା’ପରଠୁ ଅରୁଣା ପୁରାପୁରି ଚୁପ୍ ହୋଇଗଲେ; ତା’ଙ୍କୁ ଜ୍ବର ମାଡ଼ିବସିଲା।
କାଉ କଥା ଶୁଣି ସ୍ୱାମୀ କହୁଥିଲେ, ଏଇଟା ଗୋଟେ କୋଉ ବିରାଟ ଦୁଃଖର କଥା ଯେ ! ପ୍ରତିଦିନ ରାସ୍ତା ଘାଟରେ କୁକୁର ମରିବା ପରି ବିଜୁଳି ତାର ଉପରେ ବସି ପକ୍ଷୀ ମରୁଛନ୍ତି‌। ଏଥିରେ ଏତେ ବ୍ୟସ୍ତ ହେବାର କଣ ଅଛି? ଅରୁଣା କହୁଥିଲେ, ଅଛି; କଣ ଅଛି ଟିକେ ଶୁଣ ! ଅରୁଣା ଚୁପି ଚୁପି କହୁଥିଲେ, ମଣିଷ ସବୁ ଭାରି ସ୍ୱାର୍ଥପର ତ, ଏଇ ମୋ ପରି ସ୍ତ୍ରୀ ଲୋକମାନେ ଗ୍ରହରିଷ୍ଟ କାଟି ଆଗ ରନ୍ଧାଖାଦ୍ୟ ଓ ବାସିରୁଟି କାଉ କୁକୁରଙ୍କୁ ଦେବା ଫଳରେ ତାଙ୍କର ଅକାଳ ମୃତ୍ୟୁ ହେଉଛି। ସ୍ୱାମୀ ଯେତେ ବୁଝାଇବାକୁ ଚେଷ୍ଟା କରୁଥିଲେ ଯେ, ଆରେ ନାହିଁ ଭଗବାନ ତାଙ୍କୁ ଯେତେ ଅଧିକ ବର୍ଷ ଆୟୁଷ ଯାଚିଲେ ମଧ୍ୟ କୁକୁର ତା ଆୟୁଷ କୋଡିଏ ବଦଳରେ ଦଶ ରଖି ଦଶ ଫେରାଇ ଦେଇଥିଲା ଓ ପକ୍ଷୀ ପାଞ୍ଚ ରଖି ଦଶ ଫେରାଇ ଦେଇଥିଲା। ଅରୁଣା କହୁଥିଲେ ଆଉ ସେମାନେ ଫେରେଇ ଦେଇଥିବା ସେଇ କୋଡିଏ ବର୍ଷକୁ ଅଧିକା ଆୟୁଷ ମାଗିନେଇ ମଣିଷ ଦେଖୁଛି ତାଙ୍କ ମୃତ୍ୟୁ, ଆଉ ହେଉଛି ଛଟପଟ।
ଅରୁଣାଙ୍କୁ ପାଇ ଅଶୋକ ଭୁଲିଯାଇଥିଲେ ସିଗାରେଟ ପିଇବାକୁ, ଡେରିରେ ଘରକୁ ଫେରିବାକୁ, ସାଙ୍ଗସାଥିଙ୍କ ସଙ୍ଗେ ମିଳାମିଶା ନକରିବାକୁ ତଥା ଦେଖିଚାହିଁ ଭଲ ସାଙ୍ଗ କରିବାକୁ, ଋଣ ଆଣିବାକୁ ବା ଋଣ ଦେବାକୁ, କାହାକୁ ଅଯଥା ଉପଦେଶ ଦେବାକୁ ବା କେହି ନ ମାଗିଲେ ଅଯାଚିତ ସାହାଯ୍ୟ ସହଯୋଗ ଦେବାକୁ। ଏସବୁ ବନ୍ଦ କରିଥିଲେ ଅରୁଣାଙ୍କ କଥାରେ। ସୁସ୍ଥ ନିରାମୟ ରହିବାକୁ ଯାହା କହୁଥିଲେ ଅରୁଣା, ସେସବୁ ମାନିନେଇ ଅଶୋକ ଆଜି ସୁସ୍ଥ ଥିବା ବେଳେ ଅରୁଣା ସେଇ ପଡିଲେ ଯେ ଆଉ ଉଠିଲେନି। ଚାଲିଗଲେ ଅଶୋକଙ୍କୁ ଏକା କରି। ନୀରବରେ ବାଟ ଚାଲୁ ଚାଲୁ କାଶତଣ୍ଡୀ ସମ୍ଭାର ଦେଖି ଅଶୋକ ଭାବୁଥିଲେ, ସ୍ତ୍ରୀଟା ପ୍ରକୃତରେ ତାଙ୍କର ଦେବୀ ଥିଲା।

2 thoughts on “ଦେବୀ

  1. ପତି,,ପତ୍ନୀ ଓ ସମୟକୁ ନେଇ ଚିତ୍ତାକର୍ଷକ ଗପଟିଏ।

Leave a Reply

Your email address will not be published. Required fields are marked *