ହଳିଆ,ଗାଈଜଗୁଆଳିଆ, ଚକୁଳିଆ ଆଦି ଏମିତି କେବଳ ପାଦର ପ୍ରାନ୍ତମିଳନ କରେଇ ଯାଦୃଚ୍ଛିକ ଗାଉଥିଲେ ବୋଲି ଏମାନେ ଦାଣ୍ଡିଆ।
‘ଦାଣ୍ଡିଆ’ ପାଇଁ ଅନେକ ଭଲଲୋକ ଓଡ଼ିଶାରେ ଏବେ ଭାଣ୍ଡିଆ ହେଲେଣି। ଏ ‘ଦଶରା’ ପରବରେ ଆମ ଓଡ଼ିଆ ନାଚ କ’ଣ କିଛି କରି ହୁଅନ୍ତାନି! ଏନ୍ତି ନିଆଁଲଗା ସଂସ୍କୃତି ଆମକୁ ଆମ ପାଖରେ ଅଚିହ୍ନା କରିସାରିଲାଣି ମ। ଭାଗତ ହପ୍ତା ଗଲା। ଅଇଲା ହନୁମାନ ଚାଳିଶା। ଚାଲିଲା ହରହରବମ, ବୋଲବମ। କୋର୍ବା ଚୌଥ। ମେହେନ୍ଦି ରସମ। ହଳଦୀ ପାଣି। ମୁଦିଦିଆ ହେଲା ରିଙ୍ଗ ସେରିମନି।
ଘୋ ଘୋ ରାଣୀ। ପାଦେ ପାଦେ ପାଣି। ଆଣ୍ଠେ ଆଣ୍ଠେ ପାଣି। ପେଟେ ପେଟେ ପାଣି। ବେକେ ଵେକେ ପାଣି। ନାକେ ନାକେ ପାଣି। ମଥା ବୁଡି଼ଲା। କଥା ସଇଲା। ପ୍ରାଣ ଛାଡ଼ିଲା। ଯାଃ!
ଗୋଟିଏ ଦିନମଜୁରିଆ ଏବେ ତା’ର ସୀମିତ କମେଇରେ ପିଆଜ କିଲେ, ରସୁଣ ଶହେ, ହରଡ଼ ଡାଲି, ସୋରିଷ ତେଲ କିଣିବା କଷ୍ଟ। ଗୋଟିଗୋଟି କରି ପଇସା ସଞ୍ଚିଲେ ପୁଣି ପୁଅଝୁଅ ପଢ଼ିବେ, ଦେହଦୁଃଖ ପଥିପାଞ୍ଚଣ ସମାଳିବେ। ଏଇ ସମୟରେ ଭୋନସର ପ୍ରଦର୍ଶନୀ ପଡ଼ିଆରେ ଦାଣ୍ଡିଆ ଟିକଟ ମୁଣ୍ଡପିଛା ଦି’ଶହ। ସେଠି ଆଲୁଅ, ତମ୍ବୁ, ଗାଲିଚା ଓ ବାଡ଼ି ହଳେ ମିଳିବ ଅଧଘଣ୍ଟାଏ ପାଇଁ। ଭଡ଼େ ଛେଚିକୁଟି ମଜରା ଛଡ଼େଇ କଲେଇକରା ମୁହଁରୁ ଝାଳ ବୁହାଇ ଚୋପା ଛଡ଼େଇ ନଗରୀଆ ମଗରିଆ ହୋଇ ଫେରିଲେ ପଇସା ଉଠିଗଲା।
ଧନ୍ୟ କହିବ! ତୋର ଦେଖି ମୋର ଡେଇଁଲା ଡାହାଣଆଖି ପହଳିରେ; ପରଘରେ ପାଇଟି କରୁଥିବା ମଣିଷ ବି ସେଠିକୁ ଗଲେଣି। ପେଟ ପଛେ ଉପାସ ଥାଉ, ମହତ ଚକଚକ ରହିଥାଉ।
ହଉ।
ଆମର ସମଲପୁର, ବରଗଡ଼, ବଲାଙ୍ଗୀର, ସୁନ୍ଦରଗଡ଼ର ଯେଉଁ ମନମତାଣିଆ ଡାଲଖାଇ ନାଚ ଆପଣ କ’ଣ ଦେଖିନାହାନ୍ତି। ଢୋଲିଆ ତାଳରେ କମର ହଲେଇ ମହୁରିଆ ମହୁଲିଆ ହୋଇ ରଙ୍ଗ ନେସି ହେଇ ଝୁମିଲେ କେତେ ଦେଶୀ ନଲାଗିବ କହନି! କେନ୍ତି ଲହରେଇ ଯିବ ପର୍ବତ! କେମିତି ଛଳଛଳେଇ ଯିବ ଝରଣା!
ଜାଣିଛନ୍ତି ନା, ଏ ଡାଲଖାଇ ନାଚ ଉପରେ ବାହାରିଆ ମଣିଷ ଗବେଷଣା ବି କରୁଛନ୍ତି। ଆମେ ସଭ୍ୟତା ଆଳରେ ଆମକୁ ପୋଡ଼ିପୋତି ପର ଶଙ୍ଖୁଡ଼ି ଚାଟିବା କ’ଣ ଠିକ ହେଉଛି?
ଏଲାଗେ ଆପଣ ମୋତେ କହିବେ ମରହଟିଆ। କହନ୍ତୁ। ମୁଁ ତ ଆମ ଓଡ଼ିଆ ଗଉଡ଼ପିଲାଙ୍କ ଉଗାଳ ଶୁଣିଚି। ଲଉଡ଼ି ଖେଳ ଦେଖିଚି। ସେ ଖେଳର ତାଳ ଓ ସେ ଉଗାଳର ଐକତାନ କଉଁ ମାଗେନ୍ତା ପରମ୍ପରାଠୁ ନିରସା କହନ୍ତୁ ତ?
ଶୁଣନ୍ତୁ, ଆଜ୍ଞାମାନେ !
ଆମର ଗୋଟାଏ ଦାଣ୍ଡିବୃତ୍ତ ଅଛି। ଦୁଇପାଦରେ ଏକପଦ। ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା ଅନିର୍ଦ୍ଦିଷ୍ଟ। ‘ଅକ୍ଷର ଗଣିବ ହାତରେ, ତେବେ ସେ ଲେଖିବ ପତରେ’ ସୂତ୍ର ଏଠି ଲାଗୁ ହୁଏନା। ଏଣୁ ପୁରାଣପଣ୍ଡା ପଦ ପକାଇ ଶ୍ରୁତିମଧୁର କରିବାକୁ ଏହାକୁ ଗାଇଲା ବେଳେ ସ୍ବରପେଟିକାର ବାରମ୍ବାର ଅନିୟନ୍ତ୍ରିତ କମ୍ପନ ହେତୁ ଦମେ ଥକି ପଡ଼େ ଓ ଦଣ୍ଡେ ନିମିଷେ ବିଶ୍ରାମ ନିଏ ବୋଲି ଏଇ ବୃତ୍ତର ନାମ ଦାଣ୍ଡିବୃତ୍ତ। ଆଗେ ହଳିଆ, ଗାଈଜଗୁଆଳିଆ, ଚକୁଳିଆ ଆଦି ଏମିତି କେବଳ ପାଦର ପ୍ରାନ୍ତମିଳନ କରେଇ ଯାଦୃଚ୍ଛିକ ଗାଉଥିଲେ ବୋଲି ଏମାନେ ଦାଣ୍ଡିଆ। ଆମ ଗାଁ ଥାନପତି ଠାକୁରଙ୍କ ପାଖରେ ରଜକୁ ପାଲା ହୁଏ। ଥରେ ଗୋଟିଏ ପାଲାଗାୟକକୁ ମଦୁଆଟିଏ ତଳୁ ଜୋରରେ ଚିଲେଇଲା: ଯମକରେ ଯାଅ; ଏମିତି ଦାଣ୍ଡିଆ ମାରି ଭଣ୍ଡି ଦିଅନା।ଗାୟକ ଆଜ୍ଞା ଡରିହରି ଗୋଟାଝାଳ ଏ ରଡ଼ିରେ।
ଦଣ୍ଡରୁ ଦାଣ୍ଡିଆ – ଦଣ୍ଡ ଖେଳ (ବାଡ଼ି ଖେଳ)
ଲଗୁଡ଼ରୁ ଲଉଡ଼- ଲଉଡ଼ି ଖେଳ (ବାଡ଼ି ଖେଳ)
କଥା ସଇଲା।
ଲଉଡ଼ି ଖେଳ ଆମର। ଖୋଦ ଓଡ଼ିଆର। ଶିଖୁ ନାହାନ୍ତି। ମାଗଣା ଶିଖି ପାରିବେ। ଦୋଳକୁ ଖେଳି ପାରିବେ। ସେ ବି ରାସ ।
ଗୁଜୁରାଟି ଗରବା ଗୁଜୁରାତି ବାସ। ରାଜସ୍ଥାନୀ ରାଜଠାଣି ରାସ। ଲଉଡ଼ିଆ ଗରିବଗୁରୁବା। ଅଜ୍ଞାତ ବାସ। ଏନ୍ତି କେନ୍ତି କିହୋ?
ଉଠ ! ଧୂସୁରୁଧୂମା।
ଆମ ସଂସ୍କୃତିକୁ ଭୁଲିଯାଇ ଆମେ ଅନ୍ୟ ସଂସ୍କୃତିକୁ ପାଳିବା ପାଇଁ ବେଶ୍ ଆଗଭର। ହେ ଓଡ଼ିଆମାନେ ଦେଖିଛ କି, ସେମାନେ ଆମ ପର୍ବପର୍ବାଣୀ ପାଳିବାର!!
ବଡ଼ ଚିନ୍ତାର ବିଷୟ। ଭାରି ନିରାଶାବାଦୀ ମୁଁ ଏ ମାମଲାରେ। ବଡ଼ ସଂସ୍କୃତି ଯଦି ଲୋପ ପାଇବ ସବୁଠାରୁ ପ୍ରଥମ ଆମ ଓଡ଼ିଆ ସଂସ୍କୃତିକୁ ବିପଦ।