ପଲିଟିକ୍ସର ଏପଟ ସେପଟ

ଆଜି ପଲିଟିସିଆନ୍ ଖରାପ? ଅସ୍ପୃଶ୍ୟ? ଆପଣମାନେ ସମ୍ପୂର୍ଣ୍ଣ ନିର୍ମଳ? ଏ ପ୍ରହସନ କାହିଁକି?

ଡାକ୍ତର ଅଭୟ ଦାଶ

ସ୍ବାମୀ ଅଭୟାନନ୍ଦ ରିସର୍ଚ୍ଚ ଫାଉଣ୍ଡେସନ ପାଖରେ ଏତେ ପ୍ରୋଜେକ୍ଟ ଆସି ପହଞ୍ଚିବ ବୋଲି ଏ ଅଭୟ ଦାଶ କଣ କେବେ ଭାବିଥିଲା? ଏଠି, ମାନେ ଆମ ଓଡ଼ିଶାରେ ଏମିତି ହୁଏ। ଦିନ ସାରା ମୁଣ୍ଡ ପିଟୁଥିବେ କେହି ଗୋଟାଏ ଦେଖା ଦେବେନାହିଁ, ପେଡ଼ି ପୁଟୁଳା ବନ୍ଦ କଲା ବେଳକୁ ଗଣ୍ଡା କେତେ ଏମିତି ଆସିବେ ଯେ ନକହ, ଛାଡ଼ିଦେବେ ନାହିଁ। ଶୁନ୍ୟରେ ଆପଣାପଣ ଯେ ନଛୋଡ଼ବନ୍ଧା। ପଲିଟିକ୍ସ ସାର୍! ସବୁ ପଲିଟିକ୍ସ! ଏଇ କଥା ଭାବୁଥାଏ ସ୍ବାମୀ ଅଭୟାନନ୍ଦ।

ଆଜିକାଲି ସୋସିଆଲ ମେଡିଆ ଯେତେ ଚଳନଶୀଳ ହୋଇଛି, ଗୋଟାଏ ମୋବାଇଲ ଫୋନ୍‌ରେ ଖୁନ୍ଦି ହୋଇଯାଇଛନ୍ତି କେତେ ପ୍ରକାରେ ହ୍ବାଟ୍ସଆପ୍ ଗ୍ରୁପ୍। କଣ କରୁଛନ୍ତି ସେମାନେ? ମଣିଷର ସେଇ ପୁରୁଣା ଅଭ୍ୟାସ, ୟା କଥା ତା ଆଗରେ, ତା କଥା ୟା ଆଗରେ; ଯାହାକୁ ଇଂରେଜିରେ ଗସିପ୍ କହି ପାରନ୍ତି। ମାନେ, ଗପସପର ଆଉ ଗୋଟାଏ ରୂପ। ଗୁଜବ, ଚୁଗୁଲି ଆଦିର ଇଂରେଜି ରୁପାନ୍ତର। ଆପଣଙ୍କୁ ଯଦି କିଏ କେଉଁଠୁ କଣ ପଠାଇଦେଲା, ଆପଣ ଭାବାବେଶରେ ସେଇଟା ଆଗକୁ ପଠାଇଦେଲେ; ମନେ ମନେ ଭାରି ଗୋଟାଏ ବଡ଼ କାମ କରିଦେଲେ ଭାବି ମନେ ମନେ ଖୁସି ହେବାକୁ ଯାଉଥିବା ଅବସରରେ ଆଉ ଦୁଇଟା ମେସେଜ୍ ଆସିଯିବ, ଏଇଟା ଫେକ୍, ମାନେ ଡୁପ୍ଲିକେଟ୍ ମାଲ୍। ଜଣେ ପଚାରିବ, ଏଇଟା କେଉଁଠୁ ପାଇଲେ?
ଆଉ ଜଣେ ସିନିୟର ବାହାରି ପଡ଼ି କହିବେ, “ଏଗୁଡ଼ା ପଲିଟିକ୍ସ। ଆମ ଗ୍ରୁପ୍ ହେଲା ଶୁଦ୍ଧ ଶାକାହାରୀ! ଏଠାରେ ପଲିଟିକ୍ସ ମନା। ଏହା ସମ୍ପୂର୍ଣ୍ଣ ରୁପେ ରାଜନୀତି ବର୍ଜିତ କ୍ଷେତ୍ର।” ସେଇଠି ଆପଣଙ୍କ ମନ ଯାହା ହୁଏ! ଖାଲି ରବେଇ ଖବେଇ ହେଉଥିବେ, ସବୁ ହିପୋକ୍ରାସି, ସବୁ ଛଳନା! ରାଜନୀତି? ପଲିଟିକ୍ସ! ଆରେ କେଉଁଠି ପଲିଟିକ୍ସ ନାହିଁ? କାଲିଯାଏ ତ ତାଙ୍କ ପଛରେ ଗୋଡ଼ାଉଥିଲ। ମୋର ଏଇ ଭୁବନେଶ୍ୱରରେ ଦିନ ଯାଉ। କୋରାପୁଟ, ମାଲକାନଗିରି ପଠାନ୍ତୁନାହିଁ ସାର୍! ସେଠା ପାଣିରେ ମୋ ଡ଼ାଇବେଟିସ୍ ବଢ଼ିଯିବ ସାର୍! ମୋ ପୁଅକୁ ଏମ୍ ବି ଏ ରେ ଆଡମିସନ୍ ଦେଇ ଦିଅନ୍ତୁ ସାର୍ ମ୍ୟାନେଜମେଣ୍ଟ କୋଟାରେ। ଆଉ ମୋ ପ୍ରମୋସନ କଥାଟା ସାର୍। ଆଉ ଆଜି ପଲିଟିକ୍ସ ଖରାପ? ପଲିଟିସିଆନ୍ ମାରା? ଆମେ ଜାଣିଛୁ ସାର୍ ଆପଣ ଯେତେବେଳେ ବଡ ଅଫିସର ଥିଲେ, ଏତେ ଜ୍ଞାନ ତ ଆପଣଙ୍କଠାରେ ନଥିଲା?

ଆପଣ ସେତେବେଳେ ଜଜ୍ ଥାଇ କେଡ଼େ ସଚ୍ଚୋଟ ନଥିଲେ? ରିଟାୟାର କଲା ପରେ ରାଜ୍ୟସଭା, ଗଭର୍ଣର ପୋଷ୍ଟ୍ ପାଇଁ କେତେ ଥର ତାଙ୍କ ଦ୍ବାରସ୍ଥ ନ ହୋଇଛନ୍ତି? ଆଜି ସିଏ ଖରାପ ହୋଇଗଲେ? ଆପଣମାନଙ୍କ ଭିତରୁ କେତେଜଣ ରାଜ୍ୟସଭାକୁ ନ ଯାଇଛନ୍ତି? ସବୁ ତାଙ୍କରି ଦୟାରୁ ସମ୍ଭବ ହୋଇଥିବା କଣ ଆମେ ଜାଣିନୁ? ଆଉ ବେଶି କହନ୍ତୁନି ସାର୍। ଆପଣ ଆଉ ସିଏ, ପରା ଗୋଟିଏ ପଇସାର ଦୁଇପାଖ। ଆଜି ପଲିଟିସିଆନ୍ ଖରାପ? ଅସ୍ପୃଶ୍ୟ? ଆପଣମାନେ ସମ୍ପୂର୍ଣ୍ଣ ନିର୍ମଳ? ଏ ପ୍ରହସନ କାହିଁକି ସାର୍? କହନ୍ତୁନା ସାର୍! ଏ ହ୍ବାଟ୍ସଆପ୍‌ରେ କିଏ କଣ ଦୁଇଧାଡ଼ି ଲେଖିଦେଲା ଯେ, ଆପଣଙ୍କର ଏତେ ରାଗ? ନହେଲା ନାଇଁ, ସାର୍ ଆପଣ ରଖନ୍ତୁ ଆପଣମାନଙ୍କ ହ୍ବାଟ୍ସଆପ୍ ଗ୍ରୁପ୍। ଆମର ଅନେକ ଅଛନ୍ତି। ପଲିଟିକ୍ସ! ହଁ ଆମେ ପଲିଟିକ୍ସ କରୁଛୁ। ଖୁସିରେ ଥାଆନ୍ତୁ ସାର୍ କେବେ ଦେଖାହେଲେ ପଚାରିବି କେମିତି ଅଛନ୍ତି? କଣ ଭୁଲ୍ ହୋଇଯାଇଛି? ସବୁ ପଲିଟିକ୍ସ ସାର୍। ଏମିତି କେବେଠାରୁ ଚାଲିଆସିଛି ନା ଆଜି ନୂଆ?

2 thoughts on “ପଲିଟିକ୍ସର ଏପଟ ସେପଟ

Leave a Reply

Your email address will not be published. Required fields are marked *