ପଶ୍ଚାଦ୍ୱଂଶ*

ବିଜ୍ଞାନ ଏବେ ସାହିତ୍ୟକୁ ନିଜ ଅକ୍ତିଆରକୁ ଆଣିବାର ସାମର୍ଥ୍ୟ ରଖିଛି ଏବଂ କୃତ୍ରିମ ପ୍ରଜ୍ଞାବୋଧର ସହାୟତାରେ ସେହି ପ୍ରୟାସ ଜାରୀ ରଖିଛି।

ପ୍ରଶାନ୍ତ ଭୂୟାଁ

“ଅକାର ଉକାର ମକାରେ, ଶବଦ ଉଚାରି ହଁ କରେ।”
ଭାଗବତରେ ଏଇ ଭାବେ ଲେଖା ଅଛି। ସାହିତ୍ୟ ହଁ କରି ଆଗେଇ ନିଏ ପ୍ରାଣପିଣ୍ଡ ମୋର। ତୁଳସୀପତ୍ରିଆ କବି ହେବାରେ ମୋର କୌଣସି ଅଭିପ୍ରାୟ ନାହିଁ; ହେଲେ ମୋ ଭାଷା ଓ ସାହିତ୍ୟକୁ ଭଲପାଏ। ଏଣୁ ତ ଚେତାଏ ସମଧର୍ମାଙ୍କୁ ଆହୁରି କିଛି କରିଯିବାକୁ। ସାହିତ୍ୟ; ଶ୍ରୁତିରୁ ଚଲାପଥ ଆରମ୍ଭ କରି ଆଜି ଆଣ୍ଡ୍ରଏଡ ପରଦାରେ ନିଜକୁ ଜୀବନ୍ତ କରିପାରିଛି।
ଯୁଗସ୍ରଷ୍ଟାମାନଙ୍କର ରଚନାରେ ପରିପୂର୍ଣ୍ଣ ଆମ ସାହିତ୍ୟ ସଂସାର। ପଶ୍ଚାଦ୍ୱଂଶଙ୍କ ପାଇଁ ଏହା ହିଁ ମହାମନୀଷୀଙ୍କ ଦାନ, ଆମ ଭାଷା ଓ ସାହିତ୍ୟର ସମୃଦ୍ଧି ଓ ପ୍ରଶସ୍ତି ପାଇଁ। ଅନେକ ଜ୍ଞାନୀ ଓ ଗୁଣୀଙ୍କର ସଂଶୟ ହୁଏ ଯେ ଆମର ଏହି ଭାବୀ ବଂଶଧର ଆମ ସାହିତ୍ୟର ଜଗହୁଳାକୁ ମୁଠେଇ ଧରି ପାରିଛନ୍ତି ତ! ଏହି ଜଗହୁଳାକୁ ଧରି ଦମ୍ଭର ସହ ଧାଇଁ ପାରୁଛନ୍ତି ତ!
ଆଧୁନିକ ବିଶ୍ୱସାହିତ୍ୟର ସାହିତ୍ୟ ସମ୍ଭାରକୁ ଏବେ ଇଲେକ୍ଟ୍ରୋନିକ୍ ଲିଟେରେଚର୍ ବା ଏଲିଟ୍ ବୋଲି କୁହାଯାଉଛି। ଏହି ଡିଜିଟାଲ୍ ଲିଟେରେଚର୍ ଏବେ ଆଣ୍ଡ୍ରଏଡ୍‌, ଇବୁକ୍ ପ୍ରଭୃତି ମାଧ୍ୟମରେ ହାତପାଆନ୍ତାରେ ଉପଲବ୍ଧ। ଏଲିଟ୍ ସାହିତ୍ୟ ଏବେ ଶବ୍ଦ, ଧ୍ୱନି, ଚିତ୍ର, ପ୍ରଭୃତିରେ ଜୀବନ୍ତ ଓ ମନଲୋଭା ହେବାରେ ଲାଗିଛି। ଏଲୋ (ଇଲୋକ୍ଟ୍ରୋନିକ୍ ଲିଟେରେଚର୍ ଅର୍ଗାନାଇଜେସନ୍‌) ସଂସ୍ଥା ଏହି ନୂଆଯୁଗର ସାହିତ୍ୟକୁ ଅତି ଗଭୀର ଭାବରେ ଅନୁଧ୍ୟାନ କରି ଚାଲିଛି।
୧୯୫୨ ମସିହାରେ କମ୍ପ୍ୟୁଟର୍ ବିଶେଷଜ୍ଞ ଆଲାନ୍ ଟ୍ୟୁରିଙ୍ଗଙ୍କ ଜଣେ ବନ୍ଧୁ ଖ୍ରୀଷ୍ଟୋଫର୍ ଷ୍ଟ୍ରାଚେରୀ ଲଭ୍ ଲେଟର୍ କବିତାକୁ ଡିଜିଟାଲ୍ ରୂପ ଦେଇ ଏହି ଆଧୁନିକ ଶୈଳୀର ପ୍ରାରମ୍ଭ କରିଥିଲେ। ଇଣ୍ଟର୍‌ନେଟ୍‌, ସ୍ମାର୍ଟଫୋନ୍ ଓ କମ୍ପ୍ୟୁଟରରେ ସାହିତ୍ୟ ଶ୍ରବଣ, ସ୍ପର୍ଶ ଓ ଅବବୋଧର ଆଦାନପ୍ରଦାନରେ ମନୋରଞ୍ଜନର ମାଧ୍ୟମ ହେବାରେ ଲାଗିଛି। ୨୦୧୩ ମସିହାରେ ଆକ୍ମୋର୍ ଦୋ ସାନ୍ତୋସ୍ ଏବଂ ଚିକ୍ ମାରିନୋ ତଥା ସାଥୀଗଣଙ୍କ ଲିବେରାଦାଜ୍ ଶୈଳୀ ମଧ୍ୟ ଏକ ଜନପ୍ରିୟ ମାଧ୍ୟମ। ସାହିତ୍ୟର ଏହି ସନ୍ଧିକ୍ଷଣରେ ଆଉ ଏକ ଅଧ୍ୟାୟ ଯୋଡ଼ି ହେବ ସାହିତ୍ୟ ସହ। ପଶ୍ଚିମ ଦେଶର ଉଦ୍ଭାବନ ସାମର୍ଥ୍ୟ ତଥା କମ୍ପ୍ୟୁଟର ଓ ଭିଡ଼ିଓ ଗେମ୍ ବିଶେଷଜ୍ଞଙ୍କ ପ୍ରୟାସର ଅଭିଯାନରେ ସାହିତ୍ୟର ଏକ ରୋମାଞ୍ଚକର ଏବଂ ଆଧୁନିକ ଶୈଳୀ ଦେଖିବାକୁ ଜାଗତିଆର ରୁହନ୍ତୁ।
ସାହିତ୍ୟର କଥା ଓ କାହାଣୀ, ଚିତ୍ରନାଟ୍ୟର ରୂପ ନେଇ ଆଧୁନିକତାର ବଡ଼ଦାଣ୍ଡରେ ଅତି ଉଦ୍ଦାମ ଚିତ୍ତରେ ଆଗେଇ ଚାଲିଛି। ଟର୍‌ମିନେଟର୍‌, ମାଟ୍ରିକ୍ସ, ଇନ୍‌ସେପ୍‌ସନ୍‌, ଡ୍ୟୁନ୍‌, ପ୍ରଭୃତି ଚଳଚ୍ଚିତ୍ର ଏହାର ଏକ ଜ୍ୱଳନ୍ତ ପ୍ରମାଣ। ପୂର୍ବଦେଶର ସାହିତ୍ୟ ଓ ଜନଜୀବନ ଏହାକୁ ତାଳ ଦେଇ ଚାଲିବାର ପ୍ରୟାସ ଜାରୀ ରଖିଛନ୍ତି।
ସୁଧୀବୃନ୍ଦ, ବିଜ୍ଞାନ ଭାଷା ଓ ସାହିତ୍ୟକୁ ସହଯୋଗର କାନ୍ଧ ଦେଇ ତାଳପତ୍ରରୁ; ଲେଖନୀ, କାଗଜ, ଟାଇପ୍‌ରାଇଟର୍, ଓ ଛାପାଖାନା ଦେଇ ସ୍ମାର୍ଟଫୋନ୍‌ର ପରଦା ପର୍ଯ୍ୟନ୍ତ ନେଇ ଆସିଛି। ହେଲେ ବିଜ୍ଞାନ ଏବେ ସାହିତ୍ୟକୁ ନିଜ ଅକ୍ତିଆରକୁ ଆଣିବାର ସାମର୍ଥ୍ୟ ରଖିଛି ଏବଂ କୃତ୍ରିମ ପ୍ରଜ୍ଞାବୋଧର ସହାୟତାରେ ସେହି ପ୍ରୟାସ ଜାରୀ ରଖିଛି। ସାହିତ୍ୟ ସଂସାରର ଅତୀତ ଘାଟପଥରରେ ବର୍ତ୍ତମାନର ସଂଶୟ ସହ ବିଶ୍ୱାସର ଭବିଷ୍ୟତକୁ ପ୍ରତୀକ୍ଷା କରିଛନ୍ତି ଏବେ ପାଠକକୁଳ; ସାହିତ୍ୟ ସହ ଓତଃପ୍ରୋତ ଭାବେ ଜଡ଼ିତ ସମସ୍ତଙ୍କ ସହ। ଆଜି ଏହି ପ୍ରସଙ୍ଗ ଲେଖିବାର ଉଦ୍ଦେଶ୍ୟ ହେଉଛି ଯେ ଆମର ପଶ୍ଚାଦ୍ୱଂଶ ପ୍ରାଜ୍ଞମାନୀଗଣ ଏଥିପାଇଁ ପ୍ରସ୍ତୁତ ଅଛନ୍ତି ତ!

-ପ୍ରଭୂ

* ପଶ୍ଚାଦ୍ୱଂଶ– ଭାବୀ ବଂଶଧରଗଣ

( ‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଅକ୍ଟୋବର, ୨୦୨୪ ସଂଖ୍ୟାରେ ପ୍ରକାଶିତ ନିୟମିତ ସ୍ତମ୍ଭ। )

3 thoughts on “ପଶ୍ଚାଦ୍ୱଂଶ*

  1. ଖୁବ ସୁନ୍ଦର ଭାବରେ ବର୍ଣ୍ଣିତ ବିଜ୍ଞାନ ଓ ସାହିତ୍ୟର ସମନ୍ଵୟ ଭାବ।କିନ୍ତୁ ଭୟ ଲାଗେ କାଳର ଗତିରେ ଆମ ଭାଷା ସାହିତ୍ୟ ଉତ୍ତୀର୍ଣ୍ଣ ହେବାକୁ ଯାଉଛି ନା ବିଦିର୍ନ ହେବାକୁ ଯାଉଛି ଭାବିଲା ବେଳକୁ।କାରଣ ଆଜିକାଲି ଇଂରାଜୀ ଭାଷାର ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପ୍ରବଳ ପ୍ରଚାର ଓ ପ୍ରସାର ହୋଇ ଚାଲିଛି।ଏପରିକି ସରକାର ମଧ୍ୟ ଆଦର୍ଶ ବିଦ୍ୟାଳୟ ନାଁରେ ଇଂରେଜୀ ଭାଷାର ପ୍ରସାର କରୁଛନ୍ତି।ସେଥିପାଇଁ ମନରେ ଆଶଙ୍କା ଉପୁଜିବା ସ୍ଵାଭାବିକ।

  2. ବିଦୀର୍ଣ୍ଣ ପଢିବାକୁ ଅନୁରୋଧ ବିଦୀର୍ନ ନୁହେଁ।

  3. ସାହିତ୍ଯ ନିତ୍ଯ, ସହିତ ଥିଲା,ଅଛି ଏବଂ ଆଗକୁ ରହିବ ମଧ୍ଯ । ବର୍ତ୍ତମାନରୁ ବିଜ୍ଞାନ ରୂପ ବଦଳାଇ ପଶ୍ଚାଦଂଶକୁ ଯିବ , ଅର୍ଥାତ ବର୍ତ୍ତମାନକୁ ନିଶ୍ଚିତ ଅନୁସରଣ କରିବ ।
    କିନ୍ତୁ ସାହିତ୍ଯ ସର୍ବଦା ମଣିଷର ହୃଦୟ, ସତ୍ତା,ଭାବ ଓ ଆବେଗ ସହିତ ଓତଃପ୍ରୋତ ଜଡିତ ହୋଇ ରହିଛି ଏବଂ ରହିଥିବ । ବିଜ୍ଞାନ ସାହିତ୍ଯର କେବଳ ବାହ୍ଯ କିଛି ଅଂଶକୁ ସ୍ପର୍ଶ କରିବ ସିନା ଏହାକୁ ପୂରା କବଳିତ କରିବାକୁ ସମର୍ଥ କେବେ ବି ହୋଇ ପାରିବ ନାହିଁ ବୋଲି ମୋର ବିଶ୍ବାସ ।

Leave a Reply

Your email address will not be published. Required fields are marked *