ଦର

ଗଳ୍ପଟି ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ପ୍ରଚଳିତ ଥିବା ‘ଧଡ଼ିଚା’ ନାମକ ଅସ୍ଥାୟୀ ବିବାହ ପ୍ରଥା ଉପରେ ଆଧାରିତ। 

ଡ. ଅନୀଲ କୁମାର ପାଢୀ

ପାର୍ବଣ ପରି ସଜାହୋଇଛି ଗାଁ। ଆମ୍ବପତ୍ର, ପତାକା ଆଉ ଫଳକ ରଶିଦେହରେ ଝୁଲୁଛି। ଆନ୍ଦୋଳିତ ହେଉଛି। ଯେମିତି ସମସ୍ତେ ଅପେକ୍ଷାରତ ଆସନ୍ତାକାଲି ପାଇଁ। ଗାଁ ଶେଷ ବିରାଟ ପଡ଼ିଆ ଦେହରେ ଶୋଭାପାଉଛି ତମ୍ବୁ। ବଡ଼ ବଡ଼ ତମ୍ବୁମାନଙ୍କରେ ସଜାସରିଲାଣି ନାଲିହଳଦିଆ ଚେୟାର। ଛୋଟଛୋଟ ତମ୍ବୁମାନଙ୍କରେ ଦୂରରୁ ଆସିଥିବା ଅତିଥିମାନେ ରହିଗଲେଣି। ଆଉ କେଉଁଠି ଅସ୍ଥାୟୀ ଦପ୍ତର ଖୋଲାସରିଛି।
ସ୍ଥାପନା ହୋଇସାରିଛି ବିବାହ ମଣ୍ଡପ। ମଣ୍ଡପ ଉପରେ ରଖାଯାଇସାରିଛି ପୂଜା ସାମଗ୍ରୀ।
ଗାଁକୁ ଗାଁ, କେତେକେତେ ଗାଁ।
ଏଇଠି, ଏହି ସରକାରୀ ପଡ଼ିଆରେ ମାସିକିଆ ଗୋରୁହାଟ ଅନୁଷ୍ଠିତ ହୁଏ। ଗାଈଗୋରୁ, ଛେଳିମେଣ୍ଢା ବିକ୍ରି ହୁଅନ୍ତି। ଆଖପାଖ ଅଞ୍ଚଳର ଲୋକେ ଆସନ୍ତି, ବେପାର କରନ୍ତି। ପୁଣି ଫେରିଯାଆନ୍ତି।
ପଡ଼ିଆର ଧାରେଧାରେ ଉଠା ଦୋକାନ ବସୁ ବସୁ ଏବେ କେତୋଟି ସ୍ଥାୟୀ ଦୋକାନ ବସିଗଲାଣି।
କୋଏଲ୍ ଫେରିଆସିଲାଣି ଗାଁକୁ ପ୍ରାୟ ମାସେ ଆଗରୁ।
ଏବେ, ତା’ର ବୟସ ଷୋହଳ।
ଗଲା ଥର ଗଲାବେଳେ ତାକୁ ପନ୍ଦର ହୋଇଥିଲା। ବର୍ଷକୁ ପାଞ୍ଚ ହଜାର ଲେଖାଏଁରେ ଦର ଛିଣ୍ଡିଥିଲା ପଞ୍ଚସ୍ତରି ହଜାରରେ।

ଏଥର ହୁଏତ ପୁରୁଣା ହିସାବ ଅନୁସାରେ ଅଶୀ ହଜାର ହୋଇ ନ ପାରେ। ସେକେଣ୍ଡ ହ୍ୟାଣ୍ଡ ଜିନିଷ ଯେତେ ନୂଆ ଥିଲେ ବି ସେକେଣ୍ଡହ୍ୟାଣ୍ଡ ଦରରେ ଯାଏ। ତା’ ପରିବାର ଅନୁମାନ କରିଛି ଯେ ଏଥରର ଦର ଚାଳିଶ ଉପରେ ଯିବ।
କୋଏଲ୍ ତା ବାପାମା’ଙ୍କ ପରି ଚେହେରାର ନୁହେଁ। ଗୋରୀ, ତନୁପାତଳୀ। ଗଲା ବର୍ଷ ତୁଳନାରେ ଏଥର ସେ ଆହୁରି ସୁନ୍ଦରୀ ଦିଶୁଚି। ଗାଲରେ ମାଉଁସ ଲାଗିଛି, ନୁଖୁରାବାଳ ଫରଫର ହୋଇ ଉଡୁଛି। ଓଠ ବି ନାଲିମାରେ ଚହଟୁଛି। ଯେମିତି ଏଇ ଗୋଟାଏ ବର୍ଷ ଭିତରେ କୋଏଲର ନବକଳେବର ହୋଇଯାଇଛି।
ତା’ ଦର ବଢ଼ିବା ଦରକାର।
ତା’ ବାପାକୁ ତା’ର ସମ୍ପର୍କୀୟ ଦାଦା ଜଣେ କହିଲେ, ତମେ ଖାଲି ବିକଳ ହେଉଚ। ଦର ହାଙ୍କିକି କହିଲେ ତମର ଅସୁବିଧା କଅଣ! ଆମ ଝିଅ ପେଟରେ କଣ୍ ଛୁଆ ଅଛି ନା ସେ ଭଙ୍ଗେଇଛି। ଭାଇ! ଝିଅ ହେଉଛି ବହିଲା ନଈ। ତା’ ଦିହରେ ମଇଳା ରହେନାହିଁ। ଯାହା ଯାଇଛି ତା’ ଧୋଇହୋଇଯାଇଛି। ଏ ଗାଁରେ କୋଏଲ୍ ପରି ଝିଅ ଅଛି!
ବାପର ଆଖି ଆଶାରେ ଦପ୍ ଦପ୍ କରିବା ସହିତ ନିରାଶାରେ ନିଷ୍ପ୍ରଭ ହୋଇଉଠୁଛି। ତା’ ମୁଣ୍ଡ ଉପରେ ମହାଜନର କରଜ, ବ୍ୟାଙ୍କର ଋଣ। ଏଇ କୋଏଲ୍ ତ ଏକମାତ୍ର ରୋଜଗାରର ପନ୍ଥା। ଉଚ୍ଚା ଦର ହାଙ୍କିଲେ ସମସ୍ତେ ଯଦି ମୁହଁ ମୋଡ଼ିଦେବେ!
ଛୋଟ ଖିଡ଼ିକି ଦେଇ କୋଏଲ୍ ସେୟା ଦେଖୁଛି ଯାହା ବିଗତ ଷୋହଳବର୍ଷ ସାରା ସେ ଦେଖିଆସିଛି। ଧୀରେ ଧୀରେ ଗାଁ ରାସ୍ତାରେ ଲୋକବାକଙ୍କ ଭିଡ଼ ଜମୁଛି। ଘରେ ଘରେ ବଢୁଛି ଝିଅଝିଆରୀଙ୍କ ସଂଖ୍ୟା। ମା’ମାନେ ଝିଅଙ୍କୁ, ସ୍ୱାମୀମାନେ ସ୍ତ୍ରୀଙ୍କୁ ସଜେଇବାରେ ଲାଗିଛନ୍ତି। ସେମାନଙ୍କୁ ମନପସନ୍ଦର ଖାଇବା ପରଷି ଦିଆଯାଉଛି। କାହା ପାଦରେ ଲଗା ସରିଲାଣି ଅଳତା ତ କାହା ନଖରେ ନେଲ୍ ପଲିଶ୍‌। କାହାର ନୁଖୁରା କେଶକୁ ଶାମ୍ପୁରେ ଧୋଇ ଫରଫର୍ କରିଦିଆଗଲାଣି। ଜନଜାତି ସମ୍ପ୍ରଦାୟର ଝିଅବୋହୂମାନେ କାହିଁକି ସମ୍ପ୍ରଦାୟ ପରି ନ ହୋଇ ସୁନ୍ଦରୀ ହୁଅନ୍ତି! କୋଏଲ୍ ଏବେ ଏବେ ଜାଣୁଛି ହଠାତ୍ କାହିଁକି ତା’ ମା’ ପ୍ରାୟ ଗୋଟାଏ ବର୍ଷ ଗାୟବ୍ ହୋଇଯାଇଥିଲା! ସେ ଛୋଟ ଥିଲା। ମା’କୁ ଝୁରିଥିଲା। ବାପା କହିଥିଲା ମା’ ରୋଗ ପାଇଁ ଡାକ୍ତରଖାନା ଯାଇଛି।
ମା’ ଫେରିଥିଲା ବର୍ଷେ ପରେ। ଗୋଟାଏ କୁନି ପିଲା ସହିତ। ଗୁଲୁଗାଲିଆ ପିଲାଟେ। କୁନିଭାଇଟେ।
ଗାଁରେ ଗାଈ ବା ପେଣ୍ଠିର ଅଣ୍ଡିରା ବାଛୁରି ହେଲେ ତାକୁ ଏମିତି ଗାଁ ଦାଣ୍ଡରେ ଛାଡ଼ିଦିଆ ଯାଉଥିଲା। ଗାଁରେ ଘୂରିଘୂରି ବାଛୁରିଟି ମରିଯାଉଥିଲା।
କୋଏଲ୍ କୁନିଭାଇଟି ସହିତ ଖେଳୁଥିଲା। ତାକୁ ଗେହ୍ଲା କରୁଥିଲା।
ହଠାତ୍ ଦିନେ କୁନିଭାଇଟା ମରିଗଲା।
ମା’ ଆଉ ସେଇଠୁ କେବେ ଗାଏବ୍ ହୋଇନି। ଏବଂ ଘରକୁ ଫେରିଆସିଛି ସୀମାହୀନ ଗରିବୀ। ଗଲାବର୍ଷ ପଞ୍ଚସ୍ତରି ହଜାରରେ ବାପ ଘର ମରାମତି କରିଛି। ଚଳିଛି। ବାପ ମୁଣ୍ଡରେ ହାତମାରି ବିଳାପ କରେ, ହାୟ! କୋଏଲ୍ ପରି ଆଉ ଦୁଇଚାରିଟା ଝିଅ ନ ଥାନ୍ତେ!
କାନ ପାରୁଛି କୋଏଲ୍‌। ସେପଟେ, ଦୁଇଚାରିଟା ଘର ଛାଡ଼ି ଗୋଟାଏ ଘରୁ କାନ୍ଦବୋବାଳି ଶୁଭୁଛି। ତାଙ୍କ ଝିଅ ତ ଫେରିଥିଲା କୋଏଲ୍ ପରେ ପରେ। ଝିଅଟାକୁ ନଅବର୍ଷ ହୋଇସାରିଥିଲା। ଗଲାଥର ଆଠବର୍ଷରେ ପ୍ରାୟ ଲକ୍ଷେଟଙ୍କାରେ ଯାଇଥିଲା ସିଏ। ଜଣେ ପ୍ରୌଢ଼ଙ୍କ ସହିତ। ଏଥର ଫେରିଲାବେଳକୁ ତା’ ଦେହ ଖରାପ ଥିଲା। ସେ ଚାଲିଗଲା କି! ଚାଲିଗଲେ ସେ ପରିବାର କରିବ କ’ଣ!
ଆଠରୁ ପନ୍ଦର ସବୁଠୁ ଅଧିକ ଦର।
ଷୋହଳରୁ ତିରିଶ ତା’ ତଳକୁ।
ତା’ ତଳକୁ ତିରିଶ ସେପାରି ଝିଅ ଆଉ ବିବାହିତ ନାରୀମାନେ।
ଏ ଯେଉଁ କାନ୍ଦ, ସେ ଝିଅର ବିୟୋଗ ପାଇଁ ନୁହେଁ। ଆଉ ଚବିଶଘଣ୍ଟା ବଞ୍ଚିଥିଲେ ଚୁକ୍ତି ସରିଥାଆନ୍ତା ଆଉ ମିଛମିଛ ବାହାଘର। ହାତକୁ ରୋକଡ଼ା ଆସିଲା ପରେ ଯାହା ହୋଇଥାଆନ୍ତା! ସୁନା ଅଣ୍ଡାଦିଆ କୁକୁଡ଼ାଟା ଚାଲିଗଲା! ନଅବର୍ଷରୁ ଚାଳିଶବର୍ଷ ଯାଏ, ଏକତିରିଶ ବର୍ଷର ରୋଜଗାର ମାଟିରେ ମିଶେଇଦେଇ ଗଲା।
ଗଲାବର୍ଷ କୋଏଲ୍ ତମ୍ବୁମାନଙ୍କ ଆଗରେ ଅନ୍ୟ ଝିଅବୋହୂମାନଙ୍କ ସହିତ ଚାଲିଥିଲା। ତମ୍ବୁ ଭିତରେ ବସିଥିବା ପୁରୁଷମାନେ ସେମାନଙ୍କୁ ନିରେଖି ଚାହୁଁଥିଲେ। କିଏ ଆସୁଥିଲା, ଜଣକୁ ବାଛୁଥିଲା, ଲେଖାପଢ଼ା ହେଉଥିଲା, ମିଛ ବାହାଘର ଆଉ କନ୍ୟାବିଦାର ଆୟୋଜନ କରାଯାଉଥିଲା।
ଚୁକ୍ତି ସାତ ଦିନରୁ ଆରମ୍ଭ ହୋଇ ବର୍ଷେ କି ଦୁଇବର୍ଷ ଯାଏ ଯାଉଥିଲା।
ଆଉ ଅଧିକ ବର୍ଷ ଚାହିଁଲେ ଚୁକ୍ତିର ନବୀନକରଣ ଆଉ ନୂଆ ଦେଣନେଣ।
ଯଦି ପିଲାଟିଏ ହୋଇଯାଏ ପିଲାର ଭରଣପୋଷଣ ପୁରୁଷର। ଯଦି ସନ୍ତାନ ଜନ୍ମ ସମୟରେ ଅବା ଅନ୍ୟ ଅନ୍ୟାନ୍ୟ କାରଣରୁ କନ୍ୟାର ମୃତ୍ୟୁ ହେଉଥିଲା କିଛି କ୍ଷତିପୂରଣ ବାବଦରେ ସମସ୍ୟାର ସମାଧାନ ହେଉଥିଲା।
କୋଏଲ୍ ଗଲାଥର ଘରୁ ଆସିଲାବେଳେ ମନଦୁଃଖ କରି ନ ଥିଲା। ତା’ର ନଅଦଶ ବର୍ଷ ବୟସରୁ ଦର ଛିଣ୍ଡିବା କଥା, ହେଲେ, ଶାରୀରିକ ଭାବରେ ଯଥୋଚିତ ବୃଦ୍ଧି ନ ହେବା କାରଣରୁ ସେ ପନ୍ଦରବର୍ଷ ଯାଏ ରହିପାରିଲା। ନିଜର ଶାରୀରିକ ବୃଦ୍ଧି ପାଇଁ କେତେ ଯେ ଚେରମୂଳି ନ ଖାଇଛି ସେ!
ତମ୍ବୁ ଭିତରୁ ଜଣେ ମଧ୍ୟବୟସ୍କ ତାକୁ ବାଛିଥିଲେ। ତା’ପରେ ଆଉ ଜଣେ। ପୁଣି ଆଉ ଜଣେ।
ଦର ପନ୍ଦର ହଜାରରୁ ଆରମ୍ଭ ହୋଇ ଛିଡ଼ିଥିଲା ପଞ୍ଚସ୍ତରି ହଜାରରେ। ତଥାପି ବାପା ଖୁସି ନ ଥିଲା ସେତେବେଳେ। କହୁଥିଲା ଦେଢଲକ୍ଷ ଟଙ୍କାର ମାଲ୍ ଅଧାଟଙ୍କାରେ ଚାଲିଗଲା!
ବାପ କନ୍ୟାଦାନ କରିଥିଲା। ବାପର କାନ୍ଧ ଉପରେ ମୁଣ୍ଡରଖି ସେ ମିଛିମିଛିକା କାନ୍ଦିଥିଲା ଏବଂ ଗୋଟାଏ ବର୍ଷିଆ ଚୁକ୍ତିରେ ଚାଲିଯାଇଥିଲା ଗାଁ ଛାଡ଼ି। ପୁରୁଷର ପତ୍ନୀ ମୃତ। କୋଏଲ୍ ଠାରୁ ବଡ଼ ପୁଅ। ଷାଠିଏ ବର୍ଷର ଶ୍ୱଶୁର।
ପଞ୍ଚସ୍ତରି ହଜାରର ସଂସାର।
ସାଙ୍ଗକୁ ଘର, ଖାଇବା, ପିନ୍ଧିବା, ଶାମ୍ପୁ, ନେଲ୍ ପଲିଶ୍‌, ଅଳଙ୍କାର। ଅତ୍ୟାଚାର। ସତୀ ହୋଇ ରହିବାର ଅଙ୍ଗୀକାର।
ଫେରିଆସିଲା ବେଳେ ସେ ଓହ୍ଲେଇ ଦେଇଆସିଥିଲା ତା ରକ୍ତାକ୍ତ ପ୍ରଥମ ରତି, ଅଳଙ୍କାର ଆଉ ବର୍ଷଟିଏର ମୋହ।
ଏଥର ଆଉ ବର୍ଷେ ପାଇଁ!
ଗାଁ ମଝିରେ ବାପାଏ, ଭାଇଏ କଥା ଲାଗିଛନ୍ତି। ଦରଦାମକୁ ନେଇ। ଆଶା ଓ ନିରାଶାକୁ ନେଇ। କାଲି ବଜାରକୁ ଯିବାର ଥିବା ଗୃହପାଳିତାମାନେ ଆଜି ବାହାରେ ବୁଲିପାରିବେ ନାହିଁ। ଗରାଖମାନେ ବାରମ୍ବାର ରେକି କରିବାକୁ ଗାଁ ଦାଣ୍ଡରେ ପଇଁତରା ମାରୁଛନ୍ତି। ଦଲାଲମାନେ ଧୀରେ ଧୀରେ ସକ୍ରିୟ ହେଲେଣି। ଚୁକ୍ତିରେ ସେମାନେ ସାକ୍ଷୀ ରହିବେ, ଭଲ ପଇସାରେ ମାଲ୍ ବିକ୍ରି କରେଇଦେବେ। ମାତ୍ର ପାଞ୍ଚ ପରସେଣ୍ଟ ତାଙ୍କର। ଉଭୟ ପକ୍ଷରୁ।
ଆଗରୁ ଶୁଭୁଥିବା କାନ୍ଦବୋବାଳି ଥମି ଗଲାଣି। ହେଇ ତ କେହିଜଣେ ବାପା ସହିତ ଗପୁଛି! ଦଲାଲ୍ କି! ଘର ଭିତରୁ କାନେଇଲା କୋଏଲ୍‌।
କିଛି ଅସୁବିଧା ହେବନି। ତମ ଝିଅ ବର୍ଷେ ସେଠି ରହିକି ଆସିଛି। ଗଲା ଥର ପୁଅ ନେଇଥିଲା, ଏଥର ବାପ! ଦଲାଲ୍ କହୁଥିଲା।
ହଁ ଯେ! ହେଲେ,….! ବାପ ଅଟକୁଥିଲା।
ଏଥର ପାଞ୍ଚ ଲକ୍ଷେ! ବୁଝିଲ କେବଳ ସେ ଷାଠିଏ ବର୍ଷର ବୁଢା ବୋଲି। ନ ହେଲେ ସେକେଣ୍ଡ ହ୍ୟାଣ୍ଡ ମାଲ୍ ପନ୍ଦର ହଜାରରେ ଯିବା ବି ମୁସ୍କିଲ୍‌। କହିଲା ଦଲାଲ୍‌। ଆଉ ତା’ପରେ ସେମାନଙ୍କ ଭିତରେ ଆଲୋଚନା ଜାରି ରହିଲା କମିଶନି ଆଉ ଆସନ୍ତାକାଲିର ଯୋଜନାକୁ ନେଇ।
କୋଠରି ଭିତରେ ଗୋଟିଏ ସଂଶୟ ଥିଲା କୋଏଲ୍ ଭିତରେ, ତାହା ପୁଣି ସମ୍ପର୍କକୁ ନେଇ। ଗଲା ଥର ଯିଏ ସ୍ୱାମୀ ଥିଲା ସେ ଏଥର ପାଇଁ ପୁଅ ଆଉ ଯିଏ ଶ୍ୱଶୁର ଥିଲା ସେ ସ୍ୱାମୀ।
ସେହି ଅଠର ବର୍ଷର ଟୋକାଟା ଯିଏ ତା’ ବାପାର ଅଗୋଚରରେ ତାକୁ ବଳାତ୍କାର କରୁଥିଲା ସେ ଏଥର ସମ୍ପର୍କରେ କ’ଣ ହେବ!
ବଳାତ୍କାରୀମାନଙ୍କର କିଛି ନାମ କି ସମ୍ପର୍କ ନ ଥାଏ। ସେମାନେ ସବୁକାଳ ବଳାତ୍କାରୀ!!!

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଅକ୍ଟୋବର, ୨୦୨୪ ସଂଖ୍ୟାରେ ପ୍ରକାଶିତ।)

5 thoughts on “ଦର

  1. ଏ ଗପଟି ବୋଧହୁଏ ମୋ ଦୃଷ୍ଟିରେ ଏ ସଂଖ୍ୟାର ଶ୍ରେଷ୍ଠଗପ। ଗୋଟିଏ ଖରାପ ପରମ୍ପରାକୁ ସୁଧାରିବା ପାଇଁ ସତଲେଖକର କମ ପ୍ରଚେଷ୍ଟା ନଥାଏ।ତଥ୍ୟ ଓ ନିଖୁଣ କଥାକୈନ୍ଦ୍ରିକତାର ସମନ୍ବୟ କମ ଆୟସସାଧ୍ୟ ନୁହେଁ। ସମସ୍ତଙ୍କୁ ଅନୁରୋଧ। ଅନ୍ତତଃ ଥରଟିଏ ଆଖି ବୁଲାଇ ନେବେ।
    ସାହିତ୍ୟଚର୍ଚ୍ଚାର ସାଧୁ ଉଦ୍ୟମକୁ ପ୍ରଣିପାତ।

  2. ଏମିତି ଏକ ସାମାଜିକ ପ୍ରଥା ଏବେ ଭାରତର ସଭ୍ଯ ସମାଜରେ ଅଛି, ଗଳ୍ପଟି ପଢି ଜାଣିହେଲା। ଇଂରେଜ ଶାସନ କାଳରେ ସତୀଦାହ ପ୍ରଥାକୁ ଆଇନତଃ ନିଷେଧ କରାଯାଇ ଥିଲା , ଆମେ ନାରୀ ସଶକ୍ତିକରଣ କରୁଛୁ ବୋଲି ଡିଣ୍ଡିମ ବାଡାଉଛନ୍ତି । ଏପରି ମୂଲଚାଲ, ଦରଦାମ ଏବଂ ମେଣ୍ଢାଛେଳି ପରି ଜୀବନ ଜୀଉଥିବା ମଣିଷ ମାନଙ୍କ ଉପସଭ୍ଯତାର ସଭ୍ଯତାର ଆଲୋକ କେବେ ପଡି ପାରିବ ନାହିଁ, ଭାବି ଦୁଃଖ ଲାଗେ ।

  3. ଏହିଭଳି ବିଭିନ୍ନ କୁପ୍ରଥା ବିଭିନ୍ନ ଅଞ୍ଚଳରେ ରହିଛି। ଗଳ୍ପାୟନ ଚମତ୍କାର। ନମସ୍କାର ଭାଇ 🙏

  4. ସୁନ୍ଦର ପୃଷ୍ଠଭୂମି ଉପରେ ରଚିତ ଏକ ବଳିଷ୍ଠ ଗପ ।

Leave a Reply

Your email address will not be published. Required fields are marked *