ବହିର ଦୁନିଆ ସହିତ ଜଡ଼ିତ ହୋଇ ଆମେ କାହିଁକି ଯେ ଏତେ ଈର୍ଷା, ଏତେ ଅସୂୟାର ଶରବ୍ୟ ହେଉ!
କବି ଗିରିଜାକୁମାର ବଳୀୟାରସିଂହଙ୍କ ଜନ୍ମ ୯ ଡିସେମ୍ବର ୧୯୫୪ ମସିହାରେ। ଜଣେ ଶବ୍ଦଭେଦୀ କାବ୍ୟପୁରୁଷ ଭାବରେ ସେ ଓଡ଼ିଶାର ସାରସ୍ୱତ ଜଗତରେ ସୁପରିଚିତ। ‘ଭାରତବର୍ଷ’ କାବ୍ୟକୃତି ପାଇଁ ୨୦୦୬ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ସେ । ଏହା ଛଡ଼ା ୧୯୭୬ରୁ ୨୦୨୪ ମସିହା ଯାଏଁ ପ୍ରାୟ ଅର୍ଦ୍ଧ ଶତାବ୍ଦୀର ଅବଧି ମଧ୍ୟରେ ସେ ଆମକୁ ଦେଇସାରିଛନ୍ତି ୧୫ଟି କାବ୍ୟକୃତି। ଓଡ଼ିଆ ସନେଟ୍ ସାହିତ୍ୟରେ ସେ ଏକ ଅଭିନବ ଧାରାପ୍ରବାହର ପ୍ରବର୍ତ୍ତକ। ତା’ଙ୍କ ସହିତ ବାର୍ତ୍ତାଳାପ କରିଛନ୍ତି ‘ସାହିତ୍ୟଚର୍ଚ୍ଚା’ର ସମ୍ପାଦକ ନିହାର ଶତପଥୀ।
ସାହିତ୍ୟଚର୍ଚ୍ଚା: ଶୁଣିଛୁ, ଯେ ଆପଣ ବେଶି କଥା କହନ୍ତି ନାହିଁ ଏବଂ ଚୁପ୍ଚାପ୍ ରହିବାକୁ ଭଲ ପାଆନ୍ତି; ଏପରିକି ସଭା-ସମିତିକୁ ଯିବାକୁ ମଧ୍ୟ ପସନ୍ଦ କରନ୍ତି ନାହିଁ।
ଗିରିଜାକୁମାର ବଳୀୟାରସିଂହ: (ହସି) ଏ ନିଜ ଅକ୍ଷରେ ନିତି ଘୂରୁଥିବା ପୃଥିବୀରେ ବା ଆମ ଚାରିପଟର ଚଉହଦୀରେ ଯେତେସବୁ ପରିବର୍ତ୍ତନ ଓ ଘଟଣାମାନ ଘଟିଚାଲିଛି, ସେ ସବୁଯାକ ଶୁଣିବାକୁ କେତେଜଣ ବା ରାଜି?
ସାହିତ୍ୟଚର୍ଚ୍ଚା: ତା’ର ଅର୍ଥ ସମସ୍ତେ କେବଳ କହିବାକୁ ଚାହାନ୍ତି; ଶୁଣିବାକୁ କେହି ପ୍ରସ୍ତୁତ ନୁହନ୍ତି!
ଗିରିଜାକୁମାର ବଳୀୟାରସିଂହ: ଆପଣ ନିଜେ ମଧ୍ୟ ଲକ୍ଷ୍ୟ କରନ୍ତୁ, ସକାଳୁ ରାତି ଯାଏଁ ଯେତିକି ବି ଚରିତ୍ର ଗୋଟିଏ ଦିନରେ ଆପଣ ଭେଟିଛନ୍ତି, ଆପଣ ଯାହା ଯାହା କହିଛନ୍ତି ସେମାନେ ସତରେ ଆନ୍ତରିକତାର ସହିତ ଶୁଣିଥିବେ କି ଆମୂଳଚୂଳ? ଏଇଟା ଏ କାର୍ଯ୍ୟବ୍ୟସ୍ତ ସମୟର ଗୋଟିଏ ଚାପ।
ସାହିତ୍ୟଚର୍ଚ୍ଚା: ତେଣୁ ବୋଧହୁଏ ଆପଣ ନିଜର ଶବ୍ଦର ଅପଚୟ ହେବାଟା ଚାହାନ୍ତି ନାହିଁ; ଯେଉଁଥି ପାଇଁ ନିରବ ରହନ୍ତି!
ଗିରିଜାକୁମାର ବଳୀୟାରସିଂହ: ମୋଟେ ଚାହିଁବିନି; ଯଦି ଜଣେ ଶୁଣିବାର ସେପରି ଆନ୍ତରିକ ଅବକାଶ ବା ଅନୁକୂଳ ଅବସ୍ଥା ନାହିଁ, ମୁଁ କାହିଁକି ଗୁଡ଼ିଏ ବକର ବକର ହେବି, କହିଲେ! ନିରବ ରହି ନିଜ ସହିତ କଥାବାର୍ତ୍ତା କରେ, ନିଜକୁ ଶୁଣେ।
ସାହିତ୍ୟଚର୍ଚ୍ଚା: ହଁ ଯେ, ଏବେ କିନ୍ତୁ ଆମକୁ ଟିକିଏ ଶୁଣିବେ ବୋଲି ଆଶା ରଖିଛୁ। ଆପଣ ଜଣେ ଭଲ ଶ୍ରୋତା ହୋଇଥିବେ, ନିଶ୍ଚୟ।
ଗିରିଜାକୁମାର ବଳୀୟାରସିଂହ: ନା, ନା, ମୁଁ ଏକମତ ନୁହେଁ। ମୁଁ ଭଲ ଶ୍ରୋତା ଏଇଥିପାଇଁ ନୁହେଁ ଯେ ବହୁ ଜଣ ପ୍ରଥମ ବାକ୍ୟରେ ଯାହା କହନ୍ତି, ତୃତୀୟ ବାକ୍ୟରେ ତାହାର ପୁନରାବୃତ୍ତି ହିଁ କରନ୍ତି। ପୁଣି ପଞ୍ଚମ ବା ସପ୍ତମ ବାକ୍ୟରେ ମଧ୍ୟ ତାହାକୁ ଦୋହରା’ନ୍ତି। ଏଭଳି ଦୋହରା ହେଉଥିବା ବାକ୍ୟକୁ କେତେଥର ବା ଶୁଣିବି?
ସାହିତ୍ୟଚର୍ଚ୍ଚା: ଆମ ସାହିତ୍ୟରେ ଏବେ ସେଇଆ ହିଁ ଚାଲିନାହିଁ କି? ଅର୍ଥାତ୍ ପୁନରାବୃତ୍ତି ଓ ପୁନର୍ଲିଖନ!
ଗିରିଜାକୁମାର ବଳୀୟାରସିଂହ: ସାହିତ୍ୟରେ ନକ୍ଷତ୍ରମାନଙ୍କର ଯୁଗ ସଂଭବତଃ ଶେଷ ହୋଇଛି। ପାଠକସମାଜକୁ ସମ୍ମୋହିତ କରିଆସୁଥିବା ବିରଳ ଲେଖକମାନେ କେବେ ଥିଲେ; ମନେହୁଏ ସେମାନେ ବି ଧୀରେ ଧୀରେ ଅନ୍ତର୍ହିତ ହେଲେଣି ନକ୍ଷତ୍ରମାନଙ୍କ ସହିତ। ବର୍ତ୍ତମାନ ସାହିତ୍ୟର ଆକାଶ ପ୍ରାୟ ନକ୍ଷତ୍ରଶୂନ୍ୟ। ମୋ’ର କହିବାର କଥା, ଆଜିକାଲି ଲେଖକ ତ ମିଳିବା ବିରଳ, ମାତ୍ର ମାଳ ମାଳ ପୁନର୍ଲେଖକ, ଅର୍ଥାତ୍ ରି-ରାଇଟର୍ ହିଁ ଦିଶୁଛନ୍ତି ସବୁଠି, ଯୋଉ ଦିଗକୁ ବି ଅନାନ୍ତୁ ଆପଣ!
ସାହିତ୍ୟଚର୍ଚ୍ଚା: କେବଳ କବି ଓ ଲେଖକ ଭାବରେ ନୁହେଁ, ସାମ୍ବାଦିକତା ଓ ପ୍ରକାଶନ କ୍ଷେତ୍ରରେ ମଧ୍ୟ ଆପଣ ଓଡ଼ିଶାର ସାରସ୍ୱତ ଦୁନିଆକୁ ଯେମିତି ପରଖିଛନ୍ତି, ସେମିତି ଅବସର ଖୁବ୍ କମ୍ ଜଣଙ୍କୁ ମିଳେ।
ଗିରିଜାକୁମାର ବଳୀୟାରସିଂହ: ମୋ ପାଇଁ ଏ ଦୁନିଆ କେବେ ସମତଳ ନ ଥିଲା, ଆଜି ବି ନୁହେଁ। ବିଭିନ୍ନ ସ୍ଥଳରେ ମୁଁ ନିଜକୁ ଯାହା ଖାପ ଖୁଆଇବା କଥା କରିଛି; କିନ୍ତୁ ଯେତେଦୂର କମ୍ ସାଲିସ୍ କରାଯାଇପାରେ, ସେତିକି ମାତ୍ର କରି। ପ୍ରଥମେ ଗୋଟିଏ ଘରୋଇ କଲେଜରେ ଅଧ୍ୟାପକ ଥିଲି। ତା’ପରେ ଗୋଟିକ ପରେ ଗୋଟିଏ, ତିନୋଟି ଖବରକାଗଜର ସମ୍ପାଦନା ବିଭାଗ ସହିତ ଜଡ଼ିତ ହେଲି; ସାମ୍ବାଦିକତା ପ୍ରତି ଥିବା ଗୋଟିଏ ଆଗ୍ରହ ଯୋଗୁଁ।
ସାହିତ୍ୟଚର୍ଚ୍ଚା: ତା’ପରେ ଜଣେ ପୁସ୍ତକ ପ୍ରକାଶକ ହେବାର ଆକାଂକ୍ଷା କେମିତି ଆପଣଙ୍କ ମନକୁ ଆସିଲା?
ଗିରିଜାକୁମାର ବଳୀୟାରସିଂହ: ପ୍ରଥମରୁ କହିଦିଏ ଯେ ଏହା ‘ଆକାଂକ୍ଷା’ ନଥିଲା କଦାପି। ଅତୀତରେ ଏକାଧିକ କବି ବା ଲେଖକ ମଧ୍ୟ ପ୍ରକାଶନ କ୍ଷେତ୍ରରେ ପାଦ ଦେଇଛନ୍ତି – ହେଲେ କେବେ କ’ଣ କାଁ ଭାଁ ବହି କେଇଟି ପ୍ରକାଶ କରିଥିବାରୁ ଏମାନଙ୍କୁ ପ୍ରକାଶକ ବୋଲି କହିବେ କି କେହି? ମୋ ପାଇଁ ଏହି କାରଣରୁ ‘ପ୍ରକାଶକ’ର ମାର୍କା ବା ମୋହର ମରା ନହେଉ ମୋର ପରିଚିତି ଉପରେ। କାହିଁକି ନା, ପ୍ରକାଶନକ୍ଷେତ୍ରରେ ଜଣେ ନିର୍ଦ୍ଦେଶକର ଦାୟିତ୍ୱ ନେବା ପରେ ବିବାଦରେ ପଡ଼ିଲି, ଯେଉଁଟା ବାଧିଲା ବହୁତ। ମୋତେ ଶତ୍ରୁମାନେ ଜୀବନରେ ଜିତି ପାରିନାହାନ୍ତି; କିନ୍ତୁ ମୋତେ ହରାଇଛନ୍ତି ମୋ’ର ବନ୍ଧୁମାନେ; ଏ କଥା କହିଲେ ମୁଁ ଅପ୍ରିୟ ହେବି।
ସାହିତ୍ୟଚର୍ଚ୍ଚା: କଥାଟି କ’ଣ?
ଗିରିଜାକୁମାର ବଳୀୟାରସିଂହ: ଧରନ୍ତୁ, ମୋ ଦ୍ୱାରା ପସନ୍ଦ କିଛି ପାଣ୍ଡୁଲିପି ଯଦି ବହିରୂପ ନେଇ ଦୈବାତ୍ କୌଣସି ପୁରସ୍କାର ପାଇଗଲା, ସେ ରାଜ୍ୟ ଏକାଡେମୀ ହେଉ, ବା କେନ୍ଦ୍ର ଆକାଦେମୀ ଅବା ଶାରଳା, ସେଇଟା କ’ଣ ମୋ’ର ଭୁଲ୍, ନା ଅପରାଧ ନା ଦୋଷ?
ସାହିତ୍ୟଚର୍ଚ୍ଚା: କେଉଁ ବହି ପାଇଥିଲା ପୁରସ୍କାର?
ଗିରିଜାକୁମାର ବଳୀୟାରସିଂହ: ଅନେକ ବହି। ପୁରସ୍କାରପ୍ରାପ୍ତ ମାତ୍ର ତିନୋଟି ବହି ପଛର ଘଟଣା କହିପାରେ। ଶୁଣିବେ?
ସାହିତ୍ୟଚର୍ଚ୍ଚା: କହନ୍ତୁ।
ଗିରିଜାକୁମାର ବଳୀୟାରସିଂହ: ଗୋଟିଏ ସଂସ୍ଥାର ଗୋଦାମରେ ୭ ବର୍ଷ ପଡ଼ିରହିବା ପରେ ନମସ୍ୟ ମନମୋହନ ଚୌଧୁରୀ ତାଙ୍କ ଆତ୍ମଚରିତ ‘କସ୍ତୂରୀମୃଗ ସମ’ ଫେରାଇଆଣି ନିଜ ପାଖରେ ରଖିଥିଲେ। ଦିନେ ହସିହସି ଏଇ କଥା କହୁକହୁ ତାଂକ ହସ ଭିତରର ଦୁଃଖଟି ହିଁ ଦିଶିଯାଇଥିଲା ମୋତେ। ମୁଁ କହିଲି, ଦିଅନ୍ତୁ, ଛାପାହେବ। ସେ ଆଶ୍ଚର୍ଯ୍ୟ ହେଇ ପଚାରିଲେ, ଏତେ ମୋଟା ବହି, ଖର୍ଚ୍ଚ ହେବ ତ ଗୁଡ଼ାଏ? ‘ଦିଅନ୍ତୁ’ କହି ପାଣ୍ଡୁଲିପି ନେଇ ଆସିଲି, ତା’ପରେ ପ୍ରକାଶ ପାଇଲା ବହିଟି। ଦିନେ ସେ ବହି ହଠାତ୍ ପାଇଲା ପୁରସ୍କାର – ଶାରଳା।
ସାହିତ୍ୟଚର୍ଚ୍ଚା: ତା’ପରେ?
ଗିରିଜାକୁମାର ବଳୀୟାରସିଂହ: ମନମୋହନବାବୁଙ୍କ ଦେହାନ୍ତ ପରେ କେତେଜଣ ବନ୍ଧୁ ତାଙ୍କ ଘରେ ପହଂଚି ନିଜ ତରଫରୁ ସେ ବହିଟିର ନୂଆ ସଂସ୍କରଣ ପ୍ରକାଶ କରିବାକୁ ପ୍ରସ୍ତାବ ଦେଲେ। ତାଙ୍କ ଘରୁ ମୋ ପାଖକୁ ଫୋନ୍ରେ ଖବର ଆସିଲା ଯେ ଆଉ ସେ ବହି ଛାପିବେନି ଆପଣ, ଅନ୍ୟ ସଂସ୍ଥା ପ୍ରକାଶ କରିବେ। ସେତେବେଳକୁ ମନମୋହନବାବୁ ନଥିବାରୁ ମୋତେ ଦୁଃଖର ସହିତ ସମ୍ମତ ହେବାକୁ ପଡ଼ିଥିଲା।
ସାହିତ୍ୟଚର୍ଚ୍ଚା: ଆଉ ଦୁଇଟି ବହି ପଛର ଘଟଣା କ’ଣ?
ଗିରିଜାକୁମାର ବଳୀୟାରସିଂହ: କେବଳ ବହି ପଛର ଘଟଣା କହିବି – ନାମ ପ୍ରକାଶ ନକରି। ବହିଟି ଜଣେ ଅନୁଜପ୍ରତିମ ଗାଳ୍ପିକଙ୍କର। ସେ ନିଜେ ଆସି ପ୍ରକାଶ କରିବାକୁ ଅନୁରୋଧ କରିଥିଲେ। ପ୍ରକାଶ ପାଇଲା, ଆଉ ପାଇଲା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ବି। ତା’ପରେ ଖୋଦ୍ ଗାଳ୍ପିକ ଫୋନ୍ କରି କହିଲେ – ଭାଇ, ଏଥର ସେ ବହି ମୁଁ ନିଜେ ଛାପିବି, ଆଉ ପୂର୍ବ ପ୍ରକାଶନ ସଂସ୍ଥାର ନାମରେ ସେ ବହି ଛାପା ହେଉ ବୋଲି ଚାହୁନି, ଦୁଃଖ କରିବେନି। ଆଉ ଗୋଟିଏ ବହି ହେଲା ଓଡ଼ିଶା ବାହାରେ ରହୁଥିବା ଜଣେ ଲେଖିକାଙ୍କ ଉପନ୍ୟାସ। ସେ ବହିଟି ମଧ୍ୟ ପାଇଲା ସାହିତ୍ୟ ଆକାଦେମୀ ପୁରସ୍କାର, ଆଜିଠୁ ପ୍ରାୟ ୧୪ ବର୍ଷ ତଳେ। ମାତ୍ର ପୁରସ୍କାର ଘୋଷିତ ହେବାର ଗୋଟିଏ ସପ୍ତାହ ନପୂରୁଣୁ ମୋତେ କିନ୍ତୁ ମିଳିତ ବିବାଦର ସାମ୍ନା କରିବାକୁ ପଡ଼ିଲା, ମିଡିଆରେ! ଏପରିକି ବହିର ଲେଖିକା, ପୁରସ୍କାରଦାତା ସାହିତ୍ୟ ଆକାଦେମୀ ଓ ସେତେବେଳର ଆବାହକଙ୍କ ନାଆଁରେ ପ୍ରତିବାଦୀ ପକ୍ଷ ତରଫରୁ କଚେରୀରେ ମାମଲା ଦାୟର୍ କରାଗଲା।
ସାହିତ୍ୟଚର୍ଚ୍ଚା: ଏଭଳି ବିବାଦସବୁ ତ ଆପଣଙ୍କୁ ବିବ୍ରତ କରିଥିବ?
ଗିରିଜାକୁମାର ବଳୀୟାରସିଂହ: ବହିର ଦୁନିଆ ସହିତ ଜଡ଼ିତ ହୋଇ ଆମେ କାହିଁକି ଯେ ଏତେ ଈର୍ଷା, ଏତେ ଅସୂୟାର ଶରବ୍ୟ ହେଉ! ପ୍ରକାଶନ କ୍ଷେତ୍ରକୁ ଆସିବା ପରେ ନିଜର ସର୍ଜନକୁ ପଛକୁ ରଖିଦେଇ ଆଗ ସଯତ୍ନ ଧ୍ୟାନ ଦେଇଛି ଅନ୍ୟମାନଙ୍କ ବହି ବାହାର କରିବାରେ। ହେଲେ ଏପରି ଏକାଧିକବାର ଅଘଟଣରେ ବା ବିବାଦୀୟ ପରିସ୍ଥିତିରେ ପଡ଼ି ମାନସିକ ଶାନ୍ତି ବ୍ୟାହତ ହୋଇଛି। ବିଭୂତି ପଟ୍ଟନାୟକ ଏକଦା କ୍ଷୋଭପ୍ରକାଶ କରି ମୋତେ ଚିଠି ଲେଖିଥିବା ମନେଅଛି, “ତମେ ପ୍ରକାଶନ କ୍ଷେତ୍ରକୁ ଆସି ଓଡ଼ିଆ ସାହିତ୍ୟର ଘୋର କ୍ଷତି କଲ, ଗିରିଜା! ତମ ନିଜର ବହି କୁଆଡ଼େ ଗଲା?’
ସାହିତ୍ୟଚର୍ଚ୍ଚା: ତେବେ ଆପଣ ପ୍ରକାଶନକ୍ଷେତ୍ରକୁ ଆସିଥିଲେ କେଉଁଥିପାଇଁ?
ଗିରିଜାକୁମାର ବଳୀୟାରସିଂହ: ସେ ଅନେକ ବର୍ଷ ଆଗର କଥା। ଆପଣ କଥାକାର ଶ୍ୟାମାପ୍ରସାଦ ଚୌଧୁରୀଙ୍କର ନାଁ ଶୁଣିଥିବେ।
ସାହିତ୍ୟଚର୍ଚ୍ଚା: ହଁ, ସେ ଆମ ପତ୍ରିକାର ଜଣେ ଶୁଭାକାଂକ୍ଷୀ; ତାଙ୍କର ଗୋଟିଏ ସାକ୍ଷାତକାର ମଧ୍ୟ ପ୍ରକାଶ କରିସାରିଛୁ ଆମେ।
ଗିରିଜାକୁମାର ବଳୀୟାରସିଂହ: ଶ୍ୟାମାପ୍ରସାଦଙ୍କୁ ପଚାରିବେ; ଆମେ ରେଭେନ୍ସାରେ ପଢ଼ୁଥିବା ବେଳର କଥା। ସେ ପଢୁଥିଲେ ମୋ’ର ଯୋଡ଼ିଏ ବର୍ଷ ତଳ ବ୍ୟାଚରେ। ସେତେବେଳୁ ସେ ଗଳ୍ପ ଲେଖୁଥିଲେ ସୁଦ୍ଧା ମୋ ସନେଟ୍କୁ ପଢ଼ିବାକୁ ପାଗଳ ଥିଲେ ଏକପ୍ରକାର। ଅନ୍ତରରେ ମୋତେ ଦେଇଥାନ୍ତି ବଡ଼ଭାଇର ଆସନ। ସେ ମୋତେ ଦିନେ ହଠାତ୍ କଲେଜ ଛକରୁ ସାଇକେଲ୍ରେ ବସାଇ ମୁହାଁଇ ନେଇଗଲେ ବିନୋଦ ବିହାରୀ ବହିବଜାର। ସାଇକେଲ୍ ରହିଲା ବେଶ୍ ମସ୍ତବଡ଼ ଗୋଟାଏ ପ୍ରକାଶନ ସଂସ୍ଥା ସାମନାରେ।
ସାହିତ୍ୟଚର୍ଚ୍ଚା: କାହିଁକି ଯାଇଥିଲେ?
ଗିରିଜାକୁମାର ବଳୀୟାରସିଂହ: ଶ୍ୟାମାପ୍ରସାଦଙ୍କର ତ ମୋ’ର ଯେକୌଣସି ଲେଖା ପ୍ରତି ପରମ ଶ୍ରଦ୍ଧା ଓ ବିଶ୍ୱାସ। କିଛି ଦିନ ତଳେ ତାଙ୍କୁ ପଢ଼ିବାକୁ ଦେଇଥିଲି ମୋର କେତୋଟି କବିତା ଆଉ ସନେଟ୍ର ପାଣ୍ଡୁଲିପି – ‘କ୍ରୌଂଚମିଥୁନ’। ସେଇଟିକୁ ସେ ତାଙ୍କ କାନ୍ଧରୁ ଓହଳା ଗୋଟାଏ ଝୁଲାବ୍ୟାଗ୍ ଭିତରେ ରଖି ସେଦିନ ହଠାତ୍ ଆଣି ମୋତେ ହାଜର୍ କରାଇଥିଲେ ବାଲୁବଜାର ଗଳିରେ।
ସାହିତ୍ୟଚର୍ଚ୍ଚା: କାହାଙ୍କୁ ଭେଟିଲେ ସେଠି?
ଗିରିଜାକୁମାର ବଳୀୟାରସିଂହ: ସେଇଠି ବସିଥିଲେ ଗ୍ରନ୍ଥମନ୍ଦିରର ମାଲିକ ଅଭିରାମ ମହାପାତ୍ର; ବେଶ୍ ଉନ୍ନତ ରୁଚି ଓ ରଙ୍ଗର ଉଜାଲା ମଣିଷ – ଭଦ୍ର ଓ ଜ୍ଞାନୀ। ଶ୍ୟାମାପ୍ରସାଦ ତା’ଙ୍କ ସହିତ ମୋ’ର ପରିଚୟ କରାଇଦେଲେ। କହିଲେ, “ଇଏ ହେଉଛନ୍ତି ଆମମାନଙ୍କର ପ୍ରିୟକବି ଗିରିଜା ବଳୀୟାରସିଂହ – ଉଚ୍ଚକୋଟୀର କବିତା ଲେଖନ୍ତି। ତାଙ୍କର ଗୋଟିଏ କବିତାବହି ଛାପିବା ଉଦ୍ଦେଶ୍ୟରେ ଏଠାକୁ ଆସିଛୁ।” ସେ କିନ୍ତୁ ଆତଙ୍କିତ ହୋଇ ପ୍ରତିକ୍ରିୟା ଦେଲେ, “କ’ଣ କହୁଛନ୍ତି? କବିତା?” ତାଙ୍କର କାଚଲଗା ବହିଥାକରେ ସଜାହୋଇଥିବା କିଛି କବିତାବହି ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଦେଖାଇଲେ। ସେ କହିଲେ, “ଆଜ୍ଞା ଦେଖୁଛନ୍ତି ଏସବୁ! ଅନେକ ଦିନୁ ଅବିକ୍ରୀ ଅବସ୍ଥା ଭୋଗୁଛନ୍ତି ଏସବୁ ମୂଲ୍ୟବାନ କବିତାବହି। ଏ ସମସ୍ତେ ତ ଆଗଧାଡ଼ିର କବି, କିନ୍ତୁ କବିତାର ଭାଗ୍ୟ କେମିତି ପଛଧାଡ଼ିରେ ପଡ଼ିଛି ଦେଖନ୍ତୁ, ଗୋଟିଏ ବି ଗରାଖ ଜୁଟିନାହାନ୍ତି ଏଇ କିଛି ମାସ! ଆଉ, ତା’ପରେ ବି ଆପଣ କହୁଛନ୍ତି, କବିତା!” ଶ୍ୟାମାପ୍ରସାଦ ତଥାପି ଅନୁରୋଧ କଲେ, “ନ ଛାପିବେ ଯଦି କିଛି କଥା ନାହିଁ; ଆପଣ ଅନ୍ତତଃ ଏହାର କିଛି ଧାଡ଼ି ପଢ଼ନ୍ତୁ।” ସେ ଉତ୍ତର ଦେଲେ, “ନାହିଁ ଆଜ୍ଞା, କ୍ଷମା କରିବେ।”
ସାହିତ୍ୟଚର୍ଚ୍ଚା: ତେବେ କବିତାବହି ପ୍ରକାଶ କରିବାପାଇଁ ପ୍ରକାଶକମାନଙ୍କର ଏତେ ବିତୃଷ୍ଣା ଥିଲା ସେତେବେଳେ?
ଗିରିଜାକୁମାର ବଳୀୟାରସିଂହ: କବିତାବହିକୁ ନେଇ ସେତେବେଳେ ବିନୋଦ ବିହାରୀ ବହିବଜାରର ସମସ୍ତ ପ୍ରକାଶକଙ୍କ ଭିତରେ ଘୋର କୁଣ୍ଠା। ଆଜି ବି ପ୍ରକାଶକମାନଙ୍କର ଏହି ଭୟ ଅତୁଟ।
ସାହିତ୍ୟଚର୍ଚ୍ଚା: ସେଦିନ ତେବେ କ’ଣ ହେଲା?
ଗିରିଜାକୁମାର ବଳୀୟାରସିଂହ: ମୁଁ ଶ୍ୟାମାପ୍ରସାଦଙ୍କର ହାତ ଧରି ସେଠୁ ବସିବା ଜାଗାରୁ ଉଠାଇଦେଲି। କହିଲି, “ଆରେ ଭାଇ, ଉଠ! ଯିବା ଏଠୁ।” ହଁ, ସେଇଠି ସେଦିନ ସତରେ ପଣ କଲି ଯେ ଭବିଷ୍ୟତରେ ମୋ’ର ଖଣ୍ଡିଏ ବି ବହି କୌଣସି ପ୍ରକାଶକଙ୍କୁ ଦେବିନାହିଁ ମୁଁ, ନିଜେ ହିଁ ପ୍ରକାଶ କରିବି।
ସାହିତ୍ୟଚର୍ଚ୍ଚା: ଏଥିପାଇଁ ବୋଧହୁଏ ଆପଣ ଆରମ୍ଭ କଲେ ନିଜସ୍ୱ ପ୍ରକାଶନ ଅନୁଷ୍ଠାନ।
ଗିରିଜାକୁମାର ବଳୀୟାରସିଂହ: ନା ସେତେବେଳେ ନୁହଁ, ସେତେବେଳେ କେବଳ ପଣ କରିଥିଲି। ଏହା କିନ୍ତୁ କାର୍ଯ୍ୟକାରୀ ହେଲା ଅନେକ ବର୍ଷ ପରେ। ଏ ନିର୍ଦ୍ଦିଷ୍ଟ ଘଟଣାର ପ୍ରାୟ ୨୦ବର୍ଷ ପରେ, ଅର୍ଥାତ୍ ୧୯୯୫ ମସିହାରେ ରୋଚକ ଘଟଣାଟିଏ ଘଟିଥିଲା। ସେତେବେଳେ ‘ପ୍ରଜାତନ୍ତ୍ର’ରେ ମୋ’ର ଧାରାବାହିକ ଲେଖା ‘ମୁଁ ଫୁଲନ୍ କହୁଛି’ ପ୍ରକାଶିତ ହୋଇ ଭାରି ଲୋକପ୍ରିୟ ହୋଇଉଠିଥାଏ। ମୋତେ ଭର୍ତ୍ତୃହରି ବାବୁ ଥରେ କହିଲେ, “ଏଇଟା ବହି ଆକାରରେ ପ୍ରକାଶ ପାଇବା ଉଚିତ। ଏ ବାବଦରେ ଅଭିରାମ ବାବୁ କଥା ହେବାକୁ ଚାହୁଁଛନ୍ତି।” ତାହାଙ୍କ ସହିତ ଫୋନ୍ରେ କଥା ହେଲି ଏବଂ ପ୍ରଜାତନ୍ତ୍ରରେ ବାହାରୁଥିବା ସେହି ‘ମୁଁ ଫୁଲନ୍ କହୁଛି’ ପ୍ରକାଶ କରିବାକୁ ସେ ଆଗ୍ରହ ପ୍ରକାଶ କଲେ।
ସାହିତ୍ୟଚର୍ଚ୍ଚା: ବହିଟି ତେବେ ତା’ଙ୍କ ଦ୍ୱାରା ପ୍ରକାଶିତ ହେଲା!
ଗିରିଜାକୁମାର ବଳୀୟାରସିଂହ: ନା, ପୂର୍ବ କଥା ତ ସ୍ମରଣରେ ଥିଲା; ଏଣୁ ସେଇଟି ପ୍ରକାଶ କରିବା ସକାଶେ ମୁଁ ଅଭିରାମ ବାବୁଙ୍କୁ ସମ୍ମତି ଦେଲିନାହିଁ।
ସାହିତ୍ୟଚର୍ଚ୍ଚା: ତେବେ ନିଜେ ଏଇ ପ୍ରକାଶନକ୍ଷେତ୍ରକୁ ଆସିଲେ କେମିତି?
ଗିରିଜାକୁମାର ବଳୀୟାରସିଂହ: ଅଧେ ହେଉଛି ଗୋଟାଏ ଜିଦ୍, ଆଉ ଆର ଅଧକ ଗୋଟେ ଝୁଙ୍କ୍। ଏଇ ଯୋଡ଼ିକଯାକ ମିଶି ହିଁ ପଣ ଆଉ ପସନ୍ଦର ଏକ ପରିଣାମ କେବଳ ଏ ପ୍ରକାଶନ। ଥରେ ନମସ୍ୟ କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ସହିତ ଗୋଟିଏ ନିରୋଳା ସନ୍ଧ୍ୟାରେ ବସି କଥାବାର୍ତ୍ତା ହେଉଥାଏ। କାହିଁକି କେଜାଣି ହଠାତ୍ ସେ କହିଉଠିଲେ, “ଗିରିଜା, ଡୁ ୟୁ ୱାଣ୍ଟ ଟୁ ବି ଏ ପବ୍ଲିଶର୍? ଯଦି ହୁଅ, ତେବେ ମୋ’ର ବହି ଛପାଇଲେ ମୁଁ ତୁମଠାରୁ କୌଣସି ରୟାଲିଟୀ ନେବିନାହିଁ।”
ସାହିତ୍ୟଚର୍ଚ୍ଚା: ତାଙ୍କର କେଉଁ ବହିଟି ସେ ଛାପିବାକୁ ଦେଇଥିଲେ?
ଗିରିଜାକୁମାର ବଳୀୟାରସିଂହ: ‘ଶେଷସ୍ତମ୍ଭ’। କବି ଭାନୁଜୀ ରାଓ ମଧ୍ୟ ତାଙ୍କର ବହି ଛାପିବାକୁ ଦେଇଥିଲେ ପ୍ରକାଶନ ପାଇଁ। ତାଙ୍କର ‘ଚନ୍ଦନବନରେ ଏକା’ ଛାପା ହୋଇ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲା, ଯଦିବା ଏହାର ଅନେକ ବର୍ଷ ଆଗରୁ ସାହିତ୍ୟ ଆକାଦେମୀ ତାଙ୍କୁ ପୁରସ୍କୃତ କରିସାରିଥିଲେ ତାଙ୍କ ଦ୍ୱିତୀୟ କବିତାବହି ‘ନଈ ଆରପାରି’ ପାଇଁ।
ସାହିତ୍ୟଚର୍ଚ୍ଚା: ଗୋଟିଏ କଥା ମନକୁ ଆସୁଛି; ଆପଣଙ୍କ ଭଳି ଓଡ଼ିଶାର ଆହୁରି କେତେଜଣ ବିଶିଷ୍ଟ ଲେଖକ ମଧ୍ୟ ପୁସ୍ତକ ପ୍ରକାଶକର ଭୂମିକାକୁ ଓହ୍ଲାଇଥିଲେ। ସେମାନେ ଏ କ୍ଷେତ୍ରରେ କି ପରିଣତିର ସାମନା କରିଥିବେ?
ଗିରିଜାକୁମାର ବଳୀୟାରସିଂହ: ତିନିଜଣ ତୁଙ୍ଗଲେଖକଙ୍କ କଥା କହୁଛି; ତା’ଙ୍କୁ ଆପଣ କେବେ ପ୍ରକାଶକ କହିବାକୁ ଇଚ୍ଛା କରିବେ କି, ଯଦିଚ ସେମାନେ ପ୍ରକାଶକ ହେବାର କଚାରାସ୍ତାକୁ ଓହ୍ଲାଇଥିଲେ?
ସାହିତ୍ୟଚର୍ଚ୍ଚା: କିଏ ସେମାନେ?
ଗିରିଜାକୁମାର ବଳୀୟାରସିଂହ: ଜଣେ ତ ହେଉଛନ୍ତି ମହାକବି ସଚ୍ଚି ରାଉତରାୟ। ତାଙ୍କ ପ୍ରକାଶନର ନାଁ ତ ଆପଣ ଜାଣିଥିବେ, ଦିଗନ୍ତ ପ୍ରକାଶିନୀ। ଆଉଜଣେ କାଳଜୟୀ ଲେଖକ ସୁରେନ୍ଦ୍ର ମହାନ୍ତି; ଯାହାଙ୍କର ପ୍ରକାଶନ ସଂସ୍ଥାର ନାମ ଥିଲା ତାଙ୍କ ନିଜ ଘରର ନାଁ ଅନୁସାରେ – ଶିବାନୀ। ତୃତୀୟଜଣକ ଓଡ଼ିଶାର ସର୍ବଜନବିଦିତ ଚାରଣକବି ରବି ସିଂ, ଯେତେବେଳେ ଗୋଟିଏ ସମୟ ଆସିଲା ନାନା ସମକାଳୀନ ଲେଖକଙ୍କ ଚାପରେ ପଡ଼ି ପ୍ରକାଶକମାନେ ତାଙ୍କ ବହି ଛାପିବାକୁ କୁଣ୍ଠିତ ହେଲେ, ସେତେବେଳେ ସେ ସ୍ୱୟଂ ନିଜର ନାମ ଲେଖକ-ପ୍ରକାଶକ ଭାବରେ ବ୍ୟବହାର କରିଥିଲେ।
ସାହିତ୍ୟଚର୍ଚ୍ଚା: ଆପଣଙ୍କ ମତରେ ଏହି ତିନିଜଣଯାକ ସଫଳ ପ୍ରକାଶକ ଥିଲେ କି?
ଗିରିଜାକୁମାର ବଳୀୟାରସିଂହ: ଦେଖନ୍ତୁ, ଯଦି ଆର୍ଥିକ ମୂଲ୍ୟାଙ୍କନ କରାଯାଏ, ତା’ହେଲେ ‘ଅସଫଳ’ ବୋଲି କୁହାଯାଇପାରେ। ବଡ଼ ବିଡ଼ମ୍ବନା ହେଲା, ଏହି ତିନି ଜଣଙ୍କର ପ୍ରକାଶନ-ବ୍ୟବସ୍ଥା ଚରମ ଆର୍ଥିକ ବିପର୍ଯ୍ୟୟର ଶିକାର ହୋଇଥିଲା।
ସାହିତ୍ୟଚର୍ଚ୍ଚା: ୨୦୦୩ ମସିହାରେ ପ୍ରକାଶିତ ଆପଣଙ୍କ ‘ଭାରତବର୍ଷ’ କବିତା ସଂକଳନର ପ୍ରସଙ୍ଗକୁ ଆସିବା। ଏହା ପାଇଁ ଆପଣ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଥିଲେ। ଏଇଟି ଭାରତବର୍ଷର ଆତ୍ମା ଓ ଐତିହ୍ୟର ଏକ ନିଆରା ଉପସ୍ଥାପନ। ଏହି ଦେଶଜନିତ ଭାବନା କେମିତି ଏକ ଥିମ୍ ଭାବରେ ଆପଣଙ୍କୁ ଆକ୍ରାନ୍ତ କଲା?
ଗିରିଜାକୁମାର ବଳୀୟାରସିଂହ: କଥା ହେଉଛି – ଭାରତବର୍ଷରୁ ମହାଭାରତବର୍ଷ ଆଡ଼ିକି ଗୋଟିଏ ଆତ୍ମିକ ମାନସିକ ଯାତ୍ରା ଆରମ୍ଭ କରିଥିଲି ମୁଁ ; ପରିକଳ୍ପନା କଲି ‘ବିଶ୍ୱମାନୁଷାଃ’ର ଭିତ୍ତିଭୂମି ଏକ ମହାଭାରତବର୍ଷ। ଅନ୍ତିମପାଦରେ ଅନୁଭବ କଲି ଯେ ଭାରତବର୍ଷ କହିଲେ ମୋ ପାଇଁ କୌଣସି ରାଷ୍ଟ୍ରୀୟ ସୀମା ବା ସତ୍ତାର ରେଖାଙ୍କନକୁ ବୁଝାଏ ନାହିଁ। ମୁଁ ସେଇ ଭାରତବର୍ଷକୁ ଆଖି ମୁଦି ସୁଦ୍ଧା ଦେଖିବାକୁ ଚାହେ – ଯେଉଁ ଭାରତବର୍ଷକୁ ମାନଚିତ୍ରରୁ ମୁକ୍ତି ମିଳେ ଏକ ମହାଭାରତବର୍ଷ ହେବାକୁ।
ସାହିତ୍ୟଚର୍ଚ୍ଚା: ଏହି ପରିକଳ୍ପିତ ଭାରତବର୍ଷର ବିଭିନ୍ନ ଦିଗ ତ ଆପଣ ଦର୍ଶାଇଛନ୍ତି ପ୍ରତି ପୃଷ୍ଠାରେ।
ଗିରିଜାକୁମାର ବଳୀୟାରସିଂହ: ୧୦୮ ସନେଟର ସମନ୍ୱୟ ଏ ‘ଭାରତବର୍ଷ’ ସଂକଳନ। ପ୍ରାୟ ପ୍ରତ୍ୟେକ ସନେଟ୍ର ଆରମ୍ଭରେ ଆଉ ଶେଷରେ ଲକ୍ଷ୍ୟ କରିବେ ଯେ ବୋଧ ଓ ବୋଧି ଏକବିନ୍ଦୁରେ କେନ୍ଦ୍ରୀଭୂତ ହୋଇଉଠିଛନ୍ତି, ଶବ୍ଦକୁ ନୈଶବ୍ଦରେ ପରିଣତ କରି।
ସାହିତ୍ୟଚର୍ଚ୍ଚା: ସେଇ କଥା, ଆପଣଙ୍କର କବିଭାବନା ଅପେକ୍ଷା, ଜଣେ ଶବ୍ଦଶିଳ୍ପୀ ଭାବରେ ଏକ ପରିଚୟ ଅଧିକ ଭାବରେ ଉକୁଟିଆସେ ଏହି ‘ଭାରତବର୍ଷ’ ସଂକଳନରେ। ବିଶେଷତଃ ଏଥିରେ ଆଦ୍ୟଶବ୍ଦମେଳ ବା ଆଲିଟରେସନ୍କୁ ନେଇ ଆପଣ ଯେଉଁ ଚମତ୍କାରିତା ଦେଖାଇଛନ୍ତି, ତାହା ଅନ୍ୟତ୍ର ବିରଳ। ଏହା ଆପଣଙ୍କ ରଚନାକୁ ସ୍ୱତଃସ୍ଫୂର୍ତ୍ତ ଭାବରେ ଆସିଛି, ନା ଆପଣ ଉଦ୍ଦେଶ୍ୟମୂଳକ ଭାବରେ ଏହା ପ୍ରୟୋଗ କରିଛନ୍ତି?
ଗିରିଜାକୁମାର ବଳୀୟାରସିଂହ: ଏଇଟି ମୋ ସମ୍ପର୍କରେ ଗୋଟିଏ ଗୁଜବ। ଯଦି ସ୍ୱତଃସ୍ଫୂର୍ତ୍ତ ନ ହୋଇଥା’ନ୍ତା, ମୁଁ କ’ଣ ସେହି ଆରମ୍ଭରୁ ଆଜିଯାଏଁ ଏହି ଏକା ଧାରାକୁ ବଜାୟ ରଖିପାରିଥାଆନ୍ତି! ଯଦି ଚେଷ୍ଟାକୃତ ହୋଇଥାଆନ୍ତା ତେବେ ତ ମୋ’ର ଖଣ୍ଡିଏ କି ଦୁଇଖଣ୍ଡି ମାତ୍ର ବହିରେ ଆପଣ ଏହାକୁ ପାଇଥାଆନ୍ତେ। ସମସ୍ତରେ ନୁହେଁ।
ସାହିତ୍ୟଚର୍ଚ୍ଚା: ଏହି ସଂକଳନର ଗୋଟିଏ ଧାଡ଼ି ମନେଅଛି, “କନ୍ୟା କୁମାରିକା କୂଳେ କୁଳବର୍ଗ କୁଳାଂକୁରକାମୀ।’ ଅର୍ଥାତ୍ ସବୁ ଶବ୍ଦର ଆଦ୍ୟରେ ‘କ’ ବର୍ଣ୍ଣ ଅଛି। ଏହା ପାଇଁ କ’ଣ ଆପଣ କିଛି ସମୟ କୃତ୍ରିମ ଭାବରେ ଚିନ୍ତା କରିନାହାନ୍ତି! ଏହା ସ୍ୱତଃସ୍ଫୂର୍ତ୍ତ?
ଗିରିଜାକୁମାର ବଳୀୟାରସିଂହ: ଏହା ମୋ ପାଇଁ ସହଜ; କାହିଁକି ନା ଶବ୍ଦ ଓ ମୋ ଭିତରେ ପରସ୍ପର ପ୍ରତି ଭଲ ପାଇବା ଏକତରଫା ନୁହେଁ। ମଗ୍ନଚୈତନ୍ୟର ମହାସମୁଦ୍ରମନ୍ଥନରୁ ଜାତ ଶବ୍ଦମାନେ ତ କେବେକେବେ ମୋ’ର ପ୍ରିୟଶାବକ ଭଳି ପ୍ରତେ ହୁଅନ୍ତି। ମନେହୁଏ, ଯେପରି ସେମାନେ ସେପଟୁ ମୋତେ ସ୍ନେହ କରନ୍ତି, ଏପଟୁ ମୋ’ର ବାତ୍ସଲ୍ୟ ଚାହାନ୍ତି ବି।
ସାହିତ୍ୟଚର୍ଚ୍ଚା: ଆପଣଙ୍କ ରଚନା-ସମଗ୍ରରେ ଆମେ ଲକ୍ଷ୍ୟ କରିଛୁ ଯେ ଆପଣ ବେଶି ମାତ୍ରାରେ ସନେଟ୍ର ଫର୍ମାଟ୍ ବ୍ୟବହାର କରିଛନ୍ତି। ସନେଟ୍କୁ କାହିଁକି ଆପଣ ଭାବପ୍ରକାଶର ଏକ ଉପଯୁକ୍ତ ମାଧ୍ୟମ ବୋଲି ଭାବନ୍ତି?
ଗିରିଜାକୁମାର ବଳୀୟାରସିଂହ: ଏହାର କାରଣ, ମୁଁ ନ୍ୟାରେଟିଭ୍ ନୁହଁ, ସଜେଷ୍ଟିଭ୍। ତାଳମେଳ ନଥାଇ ଏଣୁତେଣୁ ଗୁଡ଼ାଏ ବଖାଣିଯିବାକୁ ଚାହେ ନାହିଁ। ଅନେକ କଥା କହିବାକୁ ଚାହେ ଅଳ୍ପକରେ, ଚୁମ୍ବକରେ। ସନେଟ୍ ହେଉଛି ମୋ ପକ୍ଷରେ ଏକପ୍ରକାର ବାକ୍ସଂଯମ।
ସାହିତ୍ୟଚର୍ଚ୍ଚା: ଶେଷରେ ଜାଣିବାକୁ ଚାହିଁବୁ, ଓଡ଼ିଆ କବିତାର ଭବିଷ୍ୟତକୁ ନେଇ ଆପଣଙ୍କର ଆଶା ଅଥବା ଆଶଙ୍କା କିଛି ଅଛି କି?
ଗିରିଜାକୁମାର ବଳୀୟାରସିଂହ: ଓଡ଼ିଆ କବିତାର ଭବିଷ୍ୟତ୍, ଏହାର ଐତିହ୍ୟବନ୍ତ ଅତୀତର ବର୍ଣ୍ଣ ଭଳି,ନିଶ୍ଚିତ ଭାବରେ ଉଜ୍ଜ୍ୱଳ। କିନ୍ତୁ ଆପଣ ତ ଜଣେ ସମ୍ପାଦକ; ଆପଣଙ୍କ ପତ୍ରିକାରେ ଗପ ବାହାରେ, ପ୍ରବନ୍ଧ ବାହାରେ, ପରିଚର୍ଚ୍ଚା ବାହାରେ, ସାକ୍ଷାତକାର ବାହାରେ ଓ କବିତା ବି ବାହାରେ। ଅଥଚ ଯଦି ପାଠକମାନଙ୍କୁ ଗୋପନରେ ପଚାରନ୍ତି ଯେ ପତ୍ରିକାର କେଉଁ ବିଭାଗଟି ସେମାନେ ଆଦୌ ପଢ଼ନ୍ତି ନାହିଁ, ବା କମ୍ ପଢ଼ନ୍ତି, ତେବେ ଗୋଟିଏ ମାତ୍ର ଉତ୍ତର ହିଁ ଗୁଡ଼ିଏ ମୁହଁରୁ ଆସିବ – କବିତା! ଅନ୍ୟ କୌଣସି ବିଭାଗ ଉପରେ ଆପଣ ଏ ପ୍ରକାର ବାରଣାତ୍ମକ ବା ମାରଣାତ୍ମକ ମନ୍ତବ୍ୟ ପାଇବେ କି?
ସାହିତ୍ୟଚର୍ଚ୍ଚା: ତେବେ ତ ଉଦ୍ବେଗର କାରଣ ଅଛି।
ଗିରିଜାକୁମାର ବଳୀୟାରସିଂହ: ତା’ସତ୍ତ୍ୱେ ଆଜି ଯଦି ସାହିତ୍ୟର ଅଧରାତିସବୁକୁ କିଏ ତାରକିତ କରିଚାଲୁଥାଏ ଏଯାବତ୍ – ତାହା ଗଳ୍ପ ନୁହେଁ, ଉପନ୍ୟାସ ନୁହେଁ, ନାଟକ ନୁହେଁ କି ନିବନ୍ଧ ନୁହେଁ; ତାହା ହେଉଛି କବିତା, କବିତା, ଆଉ କବିତା। ଅଦମ୍ୟ ଏହାର ପ୍ରାଣଶକ୍ତି।
ସାହିତ୍ୟଚର୍ଚ୍ଚା: ଆଜିର ଏହି ଉପଯୋଗୀ ଆଲୋଚନାଟି ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ନଭେମ୍ବର, ୨୦୨୪ ସଂଖ୍ୟାରେ ପ୍ରକାଶିତ। )
An excellent interview. Girija Baliarsingh is a genius poet.
As an interview , this is one of the best.
Response to some questions do not appear conversational.
ସ୍ୱଚ୍ଛ ପ୍ରତିଫଳନ …
ନମସ୍କାର ଓ ଧନ୍ୟବାଦ, ନିହାର ଭାଇ ଓ ଗିରିଜା ଭାଇ!
କବି ଓ ପ୍ରକାଶକ ଗିରିଜା ବାବୁ ଖୁବ୍ ନିରାଟ ସତକଥା କହିଛନ୍ତି ଓ ତାହା ପ୍ରଣିଧାନ ଯୋଗ୍ୟ। ସେଥିପାଇଁ ତାଙ୍କୁ ଓ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।