ଓଡ଼ିଆ ପୋଥି ସମ୍ପାଦନା – ଏକ ବିବେଚନା

ଆମ ଭାଷାରେ ଶୁଦ୍ଧ ଅଶୁଦ୍ଧ ବିଚାରରେ କିଏ ଶୁଦ୍ଧ, କିଏ ଅଶୁଦ୍ଧ?

ଡ. ଦେବୀପ୍ରସନ୍ନ ପଟ୍ଟନାୟକ

ଓଡ଼ିଆରେ ମୌଖିକ ସାହିତ୍ୟ ଓ କାଗଜରେ ଛପା ସାହିତ୍ୟ ମଧ୍ୟରେ ପୋଥି ସମ୍ପାଦନା ହେଉଛି ସେତୁ। ମୁଁ ଓଡ଼ିଆ ପୋଥି ସମ୍ପାଦନା ପ୍ରତ୍ୟକ୍ଷ ଭାବରେ କରିନାହିଁ, କିନ୍ତୁ ପରାମର୍ଶଦାତା ଭାବରେ କାମ କରିଛି।
ଓଡ଼ିଆ ସାହିତ୍ୟରେ ଶୁଦ୍ଧପାଠ ଓ ଶୁଦ୍ଧ ସଂସ୍କରଣର ଆଦ୍ୟ ପ୍ରବର୍ତ୍ତକ ପ୍ରଫେସର ଆର୍ତ୍ତବଲ୍ଲଭ ମହାନ୍ତି ଏବଂ ପ୍ରାମାଣିକ ସଂସ୍କରଣର ଶେଷ ପ୍ରବର୍ତ୍ତକ ଅଧ୍ୟାପକ କୃଷ୍ଣଚରଣ ସାହୁଙ୍କ ସହ ଘନିଷ୍ଠତା ମୋତେ ପୋଥିପାଠ ପ୍ରତି ଆକର୍ଷିତ କରିଥିଲା। ମୁଁ ଲେଖିଥିବା ‘ପୁଷ୍ପିକା’ ଶୀର୍ଷକ ପ୍ରବନ୍ଧ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବୋଲି ମୁଁ ମନେକରେ। ଏହାକୁ ଇଂରାଜୀରେ ଅନୁବାଦ କରି ଶ୍ରୀ ଅଜିତ ନାୟକ ଗୋଟିଏ ଆନ୍ତର୍ଜାତିକ ପ୍ରକାଶନରେ ସ୍ଥାନିତ କରିଛନ୍ତି।
ଆର୍ତ୍ତବାବୁଙ୍କ ସମ୍ପାଦନା
ଆର୍ତ୍ତବାବୁଙ୍କ ସମ୍ପାଦନା ବିଷୟରେ ଗୋଟିଏ ଅନୁଭବର କଥା କହୁଛି। ପଚାଶ ଦଶକରେ ଆଦ୍ୟ ପାଦର କଥା। ମୁଁ ଶାନ୍ତିନିକେତନରେ ଅଧ୍ୟାପକ କାର୍ଯ୍ୟରେ ଯୋଗ ଦେଇଥାଏ। ଛୁଟିରେ କଟକ ଆସିଥିଲା ବେଳେ ଚାଲିଚାଲି ଘରକୁ ଫେରୁଛି। ହଠାତ୍ ବାଟରେ ଆର୍ତ୍ତବାବୁଙ୍କ ସହ ଦେଖା। ମୋତେ କହିଲେ, ଓଡ଼ିଶାର ସମସ୍ତେ ସାରଳା ମହାଭାରତ ସମ୍ପାଦନା ଦେଖିବାକୁ ଆସିଛନ୍ତି, ଏକମାତ୍ର ତୁମକୁ ଛାଡ଼ି। ମୁଁ କହିଲି, ସାର୍‌, ମୁଁ ଶାନ୍ତିନିକେତନରୁ ଦିନେ ଦି’ଦିନ ଛୁଟିରେ ଆସିଲେ ଗାଁ କଟକ ହେଇ ସମୟ ଚାଲିଯାଏ। ଆପଣ ବ୍ୟସ୍ତ ଲୋକ। ଆପଣଙ୍କ ସମୟ ଜାଣି ଯିବାକୁ ବେଳ ପାଇନାହିଁ। ବର୍ତ୍ତମାନ ଯଦି ଆପଣଙ୍କର ଖାଲି ସମୟ ଅଛି ମୁଁ ଆସିବି। ସେତେବେଳକୁ ଆମେ ତାଙ୍କ ଘର ପାଖରେ ପହଞ୍ଚିଯାଇଥିଲୁ। ମୁଁ ତାଙ୍କ ସାଙ୍ଗରେ ଗଲି। ସେ ଘଣ୍ଟାଏ ଖଣ୍ଡେ ମତେ ତାଙ୍କର ପୋଥିସବୁ ଦେଖେଇଲେ ଓ ସମ୍ପାଦନା ବିଷୟରେ କହିଲେ। ଶେଷରେ ମୁଁ ପଚାରିଲି, ଆପଣ ଏପରି ଗୋଟିଏ କଥା କହନ୍ତୁ ଯାହା ମନେ ରଖିବା ଭଳି ହେବ। ସିଏ କହିଲେ, ଏ ପର୍ଯ୍ୟନ୍ତ କେହି ହେଲେ କୌରବଙ୍କ ଶହେଭାଇଙ୍କ ନାଁ ଦେଇନାହାନ୍ତି, ମୁଁ ଦେଇଛି। ମୁଁ ପଚାରିଲି, ତେବେ ଆପଣ କୋଉ ପୋଥିରୁ ଏଇସବୁ ନାଁ ପାଇଲେ ? ସିଏ କହିଲେ, କୌଣସି ଗୋଟିଏ ପୋଥିରେ ନାହିଁ। ମୁଁ ବହୁପୋଥି ଘାଣ୍ଟି ଘାଣ୍ଟି ଗୁଡ଼ିଏ ନାଁ ସଂଗ୍ରହ କଲି। ଶହେ ପୂରିଯିବାରୁ ଆଉ ଖୋଜିବା ବନ୍ଦ କରିଦେଲି। ମୁଁ କହିଲି, ଇଏ କଅଣ ସମ୍ପାଦନା? ସିଏ ଟିକିଏ ହସିଦେଲେ।

ଏଇ ଶୁଦ୍ଧ ଅଶୁଦ୍ଧ ସଚେତନତା ପୋଥିଲେଖା ଆରମ୍ଭରୁ ଅଛି। ଗୋଟିଏ ପୋଥିର ପୁଷ୍ପିକାରେ ଅଛି, “ଶୁଧ୍ୟ ଅଶୁଧ୍ୟ ପୁରୋଇ ଗାଇବ। ଲେଖନକାରର ଦୋଷ ନ ଧରିବ।” ଅନ୍ୟ ଗୋଟିଏ ପୁଷ୍ପିକାରେ ଅଛି,
“ଭୀମସ୍ୟାପି ରଣେ ଭଙ୍ଗ ମୁନୀରପି ମତିଭ୍ରମ,
ଯଦି ଶୁଦ୍ଧମଶୁଦ୍ଧବା ମମଦୋଷ ନ ବିଦ୍ୟତେ।”
ଶୁଦ୍ଧ ଅଶୁଦ୍ଧ ବିବାଦ
ଏଇ ଶୁଦ୍ଧ ଅଶୁଦ୍ଧ ବିବାଦରେ କିଏ ବନାନ ଅଶୁଦ୍ଧି କଥା କହିଲା ବେଳେ କିଏ ଶୁଦ୍ଧବିନ୍ୟାସ, ବାକ୍ୟ ରୀତି ଓ ଅର୍ଥ ବିଭ୍ରାଟ କଥା କହିଲେଣି। ଅକ୍ଷର ଏପଟ ସେପଟ ହୋଇଗଲେ ଅର୍ଥ ବଦଳିଯିବାର ଉଦାହରଣ ପାଇଁ ବୈଷ୍ଣବ ମହାନ୍ତିଙ୍କର ‘ଲେଖି ନ ଜାଣି ଅକ୍ଷର ଦୋଷ’ ବହି ଦେଖନ୍ତୁ। ଶୁଦ୍ଧ ପାଠ ବିଷୟରେ ପ୍ରଫେସର କୃଷ୍ଣଚରଣ ସାହୁ ରଚନା ସମ୍ଭାର-୫ ବିବିଧ ପ୍ରବନ୍ଧ-୧ ‘ପ୍ରାମାଣିକ ସାରଳା ମହାଭାରତ’ ପ୍ରବନ୍ଧ ଦେଖନ୍ତୁ।
ଭାରତୀୟ ଭାଷାମାନଙ୍କର ଶବ୍ଦଭଣ୍ଡାରକୁ ତତ୍ସମ, ତଦ୍ଭବ, ଦେଶଜ, ବୈଦେଶିକ ଭେଦରେ ବୈୟାକରଣମାନେ ବିଭାଗ କରିଛନ୍ତି। ଏଇଠି ଭୁଲିଗଲେ ଚଳିବ ନାହିଁ ଯେ ଛ’ଟି ଭାଷା ପରିବାର, ଭାରତୀୟ ଆର୍ଯ୍ୟ, ଦ୍ରାବିଡ଼, ଆଷ୍ଟ୍ରୋ-ଏସିଆଟିକ, ତିବ୍‌ବତୀ-ଚୀନ, ନାହାଲି, ଆଣ୍ଡାମାନ-ନିକୋବରୀର ସମନ୍ୱୟରେ ଭାରତୀୟ ଭାଷାମାନଙ୍କର ଶବ୍ଦଭଣ୍ଡାର ସମୃଦ୍ଧ। ଓଡ଼ିଆ ଭାଷାରେ ମଧ୍ୟ ଏହି ଭାଷାମାନଙ୍କର ଶବ୍ଦ ଅଳ୍ପେ ବହୁତେ ଅଛି। ତେଣୁ ଶୁଦ୍ଧ ଅଶୁଦ୍ଧ ବିଚାରରେ କିଏ ଶୁଦ୍ଧ, କିଏ ଅଶୁଦ୍ଧ?
ଭାଷା ତ ଦୂରର କଥା, ରାମାୟଣ ବା ମହାଭାରତ ପରି ଗୋଟିଏ ଗୋଟିଏ ଗ୍ରନ୍ଥର ଶବ୍ଦ ସଂକଳନ ଓ ବିଶ୍ଳେଷଣ କରିବା ଦୁରୂହ ବ୍ୟାପାର। ପ୍ରଥମତଃ ପୋଥିର ସଂଖ୍ୟା। ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଲେଖା ହୋଇଥିବା ଗ୍ରନ୍ଥରେ କେବଳ ସ୍ଥାନୀୟ ଶବ୍ଦର ପ୍ରୟୋଗ ନୁହେଁ, ସ୍ଥାନୀୟ କିମ୍ବଦନ୍ତୀ ଯୋଗ ଦ୍ୱାରା କଳେବର ବୃଦ୍ଧି ଶୁଦ୍ଧ ଅଶୁଦ୍ଧ ବିଷୟରେ ବହୁ ସମସ୍ୟା ସୃଷ୍ଟି କରେ।
ଅସମ୍ଭବ ବ୍ୟାପାର
ଗୋଟିଏ ଭାଷାର ଅଭିଧାନ କରିବା ଏକ ଅସମ୍ଭବ ବ୍ୟାପାର ପରି ମନେହୁଏ। ପୁନାରେ ସଂସ୍କୃତ ମହାଭାରତ ସମ୍ପାଦନାରେ ୩୯ ବର୍ଷ ବିତିଗଲା। ପୁନା ଡେକାନ କଲେଜରେ ସଂସ୍କୃତ ‘ଡିକ୍ସନାରୀ ପ୍ରୋଜେକ୍ଟ’ ପଚାଶ ବର୍ଷ ପରେ ଏବେ ବି ଅସମ୍ପୂର୍ଣ୍ଣ। ଗବେଷକମାନଙ୍କର ଅହଂକାର ଯୁଦ୍ଧର ଏହା ପରିଣତି। ୧୯୭୦ ଦଶକରେ ‘ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ’ ଅଧ୍ୟକ୍ଷ ପ୍ରଫେସର ସିଏନ୍‌ଆର୍ ରାଓଙ୍କ ସହାୟତାରେ ଆମେ ଭାରତରେ ପ୍ରଥମ ‘କମ୍ପ୍ୟୁଟେସନାଲ ଲିଙ୍ଗୁଇଷ୍ଟିକ୍‌ସ କୋର୍ସ’ ଦେଇଥିଲୁ। କିନ୍ତୁ କେତେକ ଆଇଆଇଟି, ଏମ୍‌ଆଇଟି ଛଡା କୌଣସି ବିଶ୍ୱବିଦ୍ୟାଳୟରେ ଏହା ଚେର ଧରିଲା ନାହିଁ।
ସେହି ସମୟରେ ଟିଡ଼ିଆଇଏଲ୍‌ର ପ୍ରତିଷ୍ଠା ସାଙ୍ଗେ ସାଙ୍ଗେ ଭାରତ ବର୍ଷରେ କର୍ପୋରା ପ୍ରୋଜେକ୍ଟ ଆରମ୍ଭ କରେଇଥିଲି। ଓଡ଼ିଶାରେ କୌଣସି ଆଗ୍ରହ ନ ଥିଲା। ତେଣୁ ଓଡିଶା, ବଙ୍ଗଳା ଓ ଆସାମ ପାଇଁ ଭୁବନେଶ୍ୱରରେ ଆଞ୍ଚଳିକ ଅଫିସ ଖୋଲି, ଟିଡ଼ିଆଇଏଲ କେନ୍ଦ୍ରୀୟ କମିଟିରୁ ଇସ୍ତଫା ଦେଇ କର୍ପୋରା ପ୍ରସ୍ତୁତି ଆରମ୍ଭ କରେଇଲି। ସେହି ପ୍ରୋଜେକ୍ଟରୁ ଉତୁରିଥିବା ଡକ୍ଟର ନୀଳାଦ୍ରି ଶେଖର ଦାସ ‘ଇଣ୍ଡିଆନ୍ ଷ୍ଟାଟିଷ୍ଟିକାଲ୍ ଇନ୍‌ଷ୍ଟିଚ୍ୟୁଟ୍‌’ରେ ଥିବା ଏକମାତ୍ର ‘କପର୍ସ ଲିଙ୍ଗୁଇଷ୍ଟିକ୍‌ସ୍‌’ ବିଭାଗର ଅଧ୍ୟକ୍ଷ। ପ୍ରତି ଭାରତୀୟ ଭାଷାରେ ୩୦ଲକ୍ଷ ଶବ୍ଦର ଭଣ୍ଡାର ବା କର୍ପସ୍ ତିଆରି କରିବା ଲକ୍ଷ୍ୟ ରଖାଯାଇଥିଲା। ମୁଁ ଛାଡ଼ିଗଲା ପରେ ପ୍ରୋଜେକ୍ଟ ବନ୍ଦ ହୋଇଗଲା। ପ୍ରୋଜେକ୍ଟ ବନ୍ଦ ହୋଇଗଲା ପରେ ସମସ୍ତ ତଥ୍ୟ (ଡାଟା) ସିଆଇଆଇଏଲ୍‌କୁ ଯିବା କଥା। କିନ୍ତୁ ଓଡ଼ିଆ ଡାଟା ହଜିଗଲା। ସୃଜନିକାର ଅଧ୍ୟକ୍ଷ ନିଖିଳ ମୋହନ ପଟ୍ଟନାୟକଙ୍କ କେତେବର୍ଷ ଖୋଜାଖୋଜି ପରେ ଫ୍ରାନ୍ସର ଗୋଟିଏ ଲାବୋରେଟୋରିରୁ ୮ଲକ୍ଷ ଶବ୍ଦ ପାଇଲେ। ତାକୁ ପରିଚ୍ଛନ୍ନ କରି ବ୍ୟବହାର ଉପଯୋଗୀ ୨ଲକ୍ଷ ଶବ୍ଦ ବାହାର କଲେ। କିନ୍ତୁ ଆଜି ଯାଏ ତାହା ବ୍ୟବହାର କରିବା ଲୋକ ବାହାରିଲେ ନାହିଁ।
ଉତ୍କଳ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ବିଭାଗରେ ଏ ବିଷୟରେ କାମ କରିବାକୁ ଚେଷ୍ଟା କଲାବେଳେ ଦେଖାଗଲା ଯେ ନାଚୁରାଲ ଲାଙ୍ଗୁଏଜ ପ୍ରୋସେସିଙ୍ଗ (ଏନ ଏଲ ପି) ବିଷୟରେ ଜ୍ଞାନ ଥିବା କିମ୍ବା ଆଗ୍ରହ ଥିବା ଅଧ୍ୟାପକଙ୍କ ଅଭାବ। ଭାରତରେ ଭାଷା ବିଜ୍ଞାନର ଦୁର୍ଦ୍ଦଶା ଦେଖିଲେ କାନ୍ଦ ମାଡ଼େ। ଓଡ଼ିଶାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ସଂସ୍କୃତି ବିଶ୍ୱବିଦ୍ୟାଳୟର ଭାଷା ବିଜ୍ଞାନ ବିଭାଗ ବିଲୁପ୍ତି ପଥରେ। ଏବେ ଉଭୟ ସ୍ଥାନରେ ଅଣଓଡ଼ିଆ ଭାଷାବିଜ୍ଞାନ ଛାତ୍ରଙ୍କୁ ଅଧ୍ୟାପକ ନିଯୁକ୍ତ କରାଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟରେ ନୀଳାଦ୍ରି ଭୂଷଣ ଦାସଙ୍କୁ ଡାକି ଗୋଟିଏ ଟ୍ରେନିଙ୍ଗ ପ୍ରୋଗ୍ରାମ କରାଯାଇଥିଲା। ଦୁଇଟି ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯାଇଥିଲା। କିନ୍ତୁ ସେ କୁଆଡ଼େ ଗଲା ମୁଁ ଜାଣେ ନାହିଁ। ନୀଲାଦ୍ରିଙ୍କୁ ଡାକି ‘ସୋଆ’ରେ ଗୋଟିଏ କାର୍ଯ୍ୟକ୍ରମ କରାଯାଇଥିଲା। କିନ୍ତୁ ତାହାର ପରିଣତି ବିଷୟରେ ମୋର ଧାରଣା ନାହିଁ।
ଏବେ କମ୍ପ୍ୟୁଟର ପ୍ରୟୋଗ କ୍ଷେତ୍ରରେ ବହୁତ କାମ ହେଉଛି। କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ପ୍ରୟୋଗ ଫଳରେ ଅଳ୍ପ ସମୟ ମଧ୍ୟରେ ବହୁ ତଥ୍ୟର ସଂକଳନ, ବିଶ୍ଳେଷଣ ଓ ସମ୍ପାଦନା କରିବା ସମ୍ଭବ ହୋଇପାରୁଛି। ବର୍ତ୍ତମାନ ସାରଳା ମହାଭାରତ ପରି ଗ୍ରନ୍ଥର ଶବ୍ଦଭଣ୍ଡାର (କର୍ପସ) ପ୍ରସ୍ତୁତ କରିବା ସ୍ୱପ୍ନ ସାର୍ଥକ ହେଲା ପରି ଦିଶୁଛି। ସେହିପରି ଗୋଟିଏ ଯୁଗର ଗ୍ରନ୍ଥମାନଙ୍କର କର୍ପସ ପ୍ରସ୍ତୁତ କରିବା ସମ୍ଭବ ହେଲା ପରି ଲାଗୁଛି। ଏହା କେବଳ ଭାଷାର ଐତିହାସିକ ବିକାଶ ଓ ବିବର୍ତ୍ତନ ନୁହେଁ, ସାହିତ୍ୟ ସମାଲୋଚନାରେ ମଧ୍ୟ ସହାୟକ ହେବ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ନଭେମ୍ବର, ୨୦୨୪ ସଂଖ୍ୟାରେ ପ୍ରକାଶିତ। )

One thought on “ଓଡ଼ିଆ ପୋଥି ସମ୍ପାଦନା – ଏକ ବିବେଚନା

  1. ଅତି ସୁନ୍ଦର ପଦକ୍ଷେପ। ଓଡିଆ ଭାଷାର ସମୃଦ୍ଧ ଐତିହ୍ୟର ଯତକିଞ୍ଚିତ ଉଦ୍ଧାର ନିଶ୍ଚିତ ବିବେକାନନ୍ଦ କାର୍ଯ୍ଯ।
    ଅଧୁନା ଲୋକ ଭାଷାରେ ବଞ୍ଚିରହିଥିବା ଶବ୍ଦକୋଷ ଦେଖି ନଥିବା ଶବ୍ଦଗୁଡିକର ଉଦ୍ଧାର ଆହୁରି ଅଧିକ ବ୍ୟବହାରିକ ସିଦ୍ଧି ମନେହୁଏ।

Leave a Reply

Your email address will not be published. Required fields are marked *