ଏହା ଏକ ପ୍ରୟୋଗାତ୍ମକ ଗଳ୍ପ। ସମ୍ପୂର୍ଣ୍ଣ ଗପଟି ଏକ ମିଶ୍ରବାକ୍ୟ ବା ଏକ ଦୀର୍ଘ ପରିଚ୍ଛେଦ। ଏହାର ମଝିରେ କୌଣସି ପୂର୍ଣ୍ଣଛେଦ ନାହିଁ।
ସେ ଲୋକଟି, ଯାହାକୁ ସମସ୍ତେ କେ ଡାକନ୍ତି, ଯିଏ ନିଜକୁ ଇଂରାଜୀ ଅକ୍ଷର କେ ଭାବରେ ପରିଚିତ କରିବାକୁ ଚାହିଁଥିଲା, ଯାହାର ପ୍ରକୃତ ନାମ କେବେ ଦିନେ କୁମାର ଥିଲା, ଯାହା ଆଜି ଆଉ ନାହିଁ, କାରଣ ଆଉ କେହି ତା’କୁ ଏ ନାଆଁରେ ଜାଣନ୍ତି ନାହିଁ, ଏପରିକି ତା’ ସାଙ୍ଗମାନେ ମଧ୍ୟ ନୁହେଁ, କାରଣ ସେମାନେ ସମସ୍ତେ ତା’କୁ କେ ଡାକିବାରେ ଏଭଳି ଅଭ୍ୟସ୍ତ ହୋଇଯାଇଛନ୍ତି ଯେ, ତା’ର ଯେ ଗୋଟେ ନାଁ ରହିଛି ବା ଥିଲା ଏ ସମ୍ପର୍କରେ ସେମାନେ ସବୁ କିଛି ଭୁଲି ସାରିଛନ୍ତି, ଏପରିକି ନିଜେ ସେ ମଧ୍ୟ ଭୁଲି ସାରିଛି ନିଜର ପ୍ରକୃତ ନାଆଁ, ନିଜର ନାଆଁକୁ ଭୁଲି ସାରିଥିବା କେ ଅର୍ଥାତ ସେ କେବେ ବି ଭାବି ନ ଥିଲା, ସେ ଦିନେ ଏଭଳି ଏକ ପରିସ୍ଥିତିର ମୁକାବିଲା କରିବ, ଯାହା ବିଷୟରେ ନା ସେ କାହାରିକୁ କହିପାରିବ ଅବା କେହି ତା’ର ଏଭଳି କଥାକୁ ବିଶ୍ୱାସ କରିବେ ଯେ ସେ ଏଭଳି ଏକ ସମସ୍ୟାରେ ପଡ଼ିଛି, ଯାହା ବିଷୟରେ ପୃଥିବୀରେ କେହି କେବେ ଆଗରୁ ଶୁଣି ନାହାନ୍ତି ବା ଜାଣି ନାହାନ୍ତି, ତେବେ ଏଭଳି ରୋଗ ପୃଥିବୀରେ ଥାଉ ବା ନ ଥାଉ,
ସେଥିରେ କେହି ଆକ୍ରାନ୍ତ ହୋଇ ଥାଆନ୍ତୁ ବା ନ ଥାନ୍ତୁ, ଏଭଳି ରୋଗର ଉପଚାର ପାଇଁ ଔଷଧର ଆବିଷ୍କାର ହୋଇଥାଉ ଅବା ନ ଥାଉ, ସେଭଳି ଏକ ମାରାତ୍ମକ ରୋଗ ଯେ ତା’କୁ ଆକ୍ରାନ୍ତ କରି ସାରିଛି, ଆଉ ତାହା ହିଁ ତା’କୁ ତିଳ ତିଳ କରି ଦଗ୍ଧ କରିଚାଲିଛି, ଯାହା କବଳରୁ ସେ ମୁକୁଳିବାକୁ ଚାହିଁ ଡାକ୍ତରଙ୍କ ପାଖକୁ ଯିବାକୁ ଇଚ୍ଛା କରି ପୁଣି ଯାଇପାରୁନି, କାରଣ ସେ ଯଦି ବି ଡାକ୍ତରଙ୍କ ପାଖକୁ ଯାଏ ଆଉ ଡାକ୍ତର ତାକୁ ତା’ ରୋଗ ବିଷୟରେ ପଚାରନ୍ତି, ତେବେ ସେ କ’ଣ କହିବ ଏବଂ କିଭଳି ତାଙ୍କୁ ବୁଝାଇବ ଯେ ସେ ଯେଉଁ ରୋଗରେ ଆକ୍ରାନ୍ତ ହୋଇଛି ବୋଲି ଭାବୁଛି, ସତରେ ଏହା ଏକ ରୋଗ ବା ଏହା ଏକ ମାନସିକ ସ୍ଥିତି, ଆଉ ଯଦି ଏହା ରୋଗ ନୁହେଁ ତେବେ ଏହା କ’ଣ, ଆଉ ଏଥିରୁ ମୁକୁଳିବା ପାଇଁ କ’ଣ ସବୁ କରାଯିବ, ଆଉ ଯଦି ସେ ଡାକ୍ତରଙ୍କ ପାଖକୁ ଯାଏ, ଡାକ୍ତର ତା’ କଥା ଶୁଣି ହସିଉଠନ୍ତି ଏବଂ ତାକୁ ପାଗଳ ବୋଲି ଧରିନେଇ ଚିଲ୍ଲାଇ ଉଠନ୍ତି, ପାଖରେ ଥିବା ନର୍ସ ଓ ଅନ୍ୟ ରୋଗୀଙ୍କୁ ଦେଖାଇ କହନ୍ତି – ଦେଖ, ଏ ବାବୁଙ୍କୁ ଦେଖ, ୟାଙ୍କ ନାଁ କୁଆଡ଼େ କେ, ଆଉ ସେ କହୁଛନ୍ତି ଯେ ସେ ତାଙ୍କ ଛାଇକୁ କେଉଁଠି ହଜାଇ ଦେଇଛନ୍ତି, ଆଉ ମୋ ପାଖକୁ ଆସିଛନ୍ତି ଚିକିତ୍ସା ପାଇଁ ଓ ଠୋ ଠୋ କରି ହସି ଉଠନ୍ତି ତେବେ, ତେବେ ତା’ ଅବସ୍ଥା କ’ଣ ହେବ, ଏଭଳି ପରିସ୍ଥିତି ହେବ ଯେ ସେ ତା’କୁ ଆଉ ମୁକାବିଲା କରିପାରିବନି ଓ ଯାହା ବିଷୟରେ ଭାବି ଭାବି ସେ ଲାଜରେ ମରିଯିବ ଏବଂ ଏକଥା ରାଷ୍ଟ୍ର ହେଲା ପରେ ତା’ ଅବସ୍ଥା ଯେ କ’ଣ ହେବ, ଏମିତି ଭାବି ସେ ଡାକ୍ତରଙ୍କ ପାଖକୁ ନ ଯିବାକୁ ମନସ୍ଥ କରି ଭାବୁଛି ଯେ ଏବେ ସେ ତା’ ଜୀବନର ଦିନ ବାରଟାରେ ଅଛି, କାରଣ ସେ କେବେ ଦିନେ ସ୍କୁଲରେ ପଢିଥିଲା ଯେ ଦିନ ବାରଟାରେ ସୂର୍ଯ୍ୟ ଆମ ମୁଣ୍ଡ ଉପରେ ଥାଆନ୍ତି ଏବଂ ଏହି କାରଣରୁ ଆମେ ଆମର ଛାଇ ଦେଖିପାରୁନା, ଯେମିତିକି ସେ ଆଜି ନିଜର ଛାଇକୁ ଦେଖିପାରୁନି, ଦେଖିପାରୁନିର ଅର୍ଥ ସେ ତା’ ଛାଇକୁ କେଉଁଠି ହଜାଇ ଦେଇଛି ବା ତା’ ଛାଇ ତା’କୁ ଛାଡ଼ି ଚାଲିଯାଇଛି, କାରଣ କି ଦିନ କି ରାତି ଆଜିକାଲି ସେ କେବେ ବି ନିଜର ଛାଇକୁ ଆଉ ପାଉନି ଓ ନିଜ ଛାଇକୁ ଦେଖିବା ପାଇଁ ସେ ଏଇ କେଇଦିନ କ’ଣ କ’ଣ ସବୁ ନ କରିଛି, ଦିନର ଭିନ୍ନ ଭିନ୍ନ ସମୟରେ ବାହାରେ ଯାଇ ଠିଆ ହୋଇ ରହୁଛି, ଏମିତିରେ ସେ ଏ ସହରକୁ ଆସିବା ପରଠାରୁ ବାହାରେ ଠିଆ ହୋଇ ରହି ଏମିତି ସୂର୍ଯ୍ୟଙ୍କୁ ନିରୀକ୍ଷଣ କରିବାକୁ ଭୁଲିସାରିଥିଲା, ତେବେ କେବଳ ସୂର୍ଯ୍ୟଙ୍କୁ ନିରୀକ୍ଷଣ ନୁହେଁ, ସେ ଏ ସହରର ଯାନ୍ତ୍ରିକ ପରିବେଶ ଭିତରେ ପ୍ରକୃତିଠାରୁ ଏତେ ଦୂରକୁ ଚାଲି ଯାଇଥିଲା ଯେ ପ୍ରକୃତି ବୋଲି କିଛି ଅଛି ବୋଲି ତା’ର ଆଉ ଧାରଣା ହିଁ ନ ଥିଲା, କିନ୍ତୁ ନିଜ ଛାଇକୁ ଖୋଜିବା ଭିତରେ ସେ ଏବେ ମୁକ୍ତ ଆକାଶ ତଳେ ଠିଆ ହେଉଛି, କେତେବେଳେ ସୂର୍ଯ୍ୟଙ୍କ ଆଗରେ ଠିଆ ହେଉଛି ତ କେବେ ସୂର୍ଯ୍ୟ ତା’ ପଛରେ ରହିଥାନ୍ତି, ନିଜ ଦେହରେ ସୂର୍ଯ୍ୟଙ୍କ ରଶ୍ମି ପଡ଼ିବା ପରେ କିଭଳି ତା’ର ଛାଇ କେଉଁଠି ପଡୁଛି, କେଉଁ ଆକୃତି ଧାରଣ କରୁଛି, ସେ ତା’କୁ ଅନୁଧ୍ୟାନ କରୁଥିଲେ ବି, କାହିଁ କେବେ କେଉଁଠି ତା’ ଛାଇ ପଡୁଥିବାର ସେ ଦେଖିନି, ଆଉ ନିଜର ଛାଇକୁ ଦେଖୁନି ବୋଲି ଏବେ ତା’ ମୁଣ୍ଡରେ ତା’ ଭିନ୍ନ ଆଉ କିଛି ଜୁଟୁନି, କେବଳ ଛାଇ, ଛାଇ, ଛାଇ, ଯେଉଁ ଛାଇ ବ୍ୟତୀତ ଆଜି ତା’ର ସ୍ଥିତି ରହିଛି, ହେଲେ ତା’ର ସ୍ଥିତି ରହିଥିଲେ ବି, ସେ ଜୀବିତ ରହିଥିଲେ ବି ତା’ ଉପରେ ଆଲୋକ ରଶ୍ମିର ପ୍ରତିଫଳନ କୌଣସି ଆକୃତି ସୃଷ୍ଟି ନ କରିବା ତା’କୁ ଅତି ମାତ୍ରାରେ ବ୍ୟତିବ୍ୟସ୍ତ ଓ ବିବ୍ରତ କରିପକାଇଛି, ସେ ସବୁବେଳେ ଏଇ ଚିନ୍ତାରେ ବୁଡ଼ି ରହୁଛି, ଆଗକୁ ତା’ ସହ କ’ଣ ସବୁ ଘଟିବ, ଆଉ ସେସବୁ ସମସ୍ୟାକୁ ସେ କିଭଳି ମୁକାବିଲା କରିବ, ଏସବୁ ଚିନ୍ତା ଭିତରେ ସେ ଭାବୁଛି ଯେ ତା’ ଛାଇ ତା’ ପାଖକୁ ପୁଣି କେବେ ଫେରିବ ବା ସେ ଆଉ କେବେ ଫେରିବ ନାହିଁ, ଏମିତି ବିଭିନ୍ନ ଚିନ୍ତା ତା’ ମସ୍ତିଷ୍କକୁ ଆକ୍ରାନ୍ତ କରୁଥିବା ବେଳେ ସେ ଚିନ୍ତା କରୁଛି, ଏ ସମସ୍ୟାଟିକୁ ସେ ପ୍ରଥମେ କେବେ ଠାବ କଲା ଓ କାହିଁକି ତା’ର ଧ୍ୟାନ ସେ ଆଡ଼କୁ ଗଲା, ଯେଉଁ ଦିଗ ପ୍ରତି ସେ କେବେ ବି ଚିନ୍ତା କରି ନ ଥିଲା, ଏମିତିରେ ତା’ର ମନେପଡୁଛି ଯେ ଦିନେ ସନ୍ଧ୍ୟାରେ ତା’ର ଜଣେ ପରିଚିତଙ୍କ ଘରେ ପହଞ୍ଚି ତାଙ୍କୁ ତାଙ୍କ ବୈଠକ ଖାନାରେ ସେ ଅପେକ୍ଷା କରୁଛି, ଆଉ ଏଇ ସମୟରେ ତାଙ୍କର କୁନି ଝିଅ ସହ ଖେଳୁ ଖେଳୁ ସେ ନିକଟରେ ଥିବା ଟେବୁଲ ଲ୍ୟାମ୍ପର ବଲବକୁ ଅନ୍ କରି, ତା’ ଆଗରେ ନିଜ ହାତକୁ ତୋଳିଧରି, କାନ୍ଥରେ ଚଢ଼େଇ ଉଡୁଥିବାର ଦୃଶ୍ୟ ସୃଷ୍ଟି କରି, ଝିଅଟିକୁ ଖୁସି କରିବାକୁ ଚାହୁଁଛି, ହେଲେ ବଲବର ଆଲୋକ ସଠିକ ଭାବରେ ତା’ ହାତ ଉପରେ ପଡୁଥିଲେ ମଧ୍ୟ କାନ୍ଥରେ ତା’ର ପ୍ରତିଛବି ବା ଛାଇ ଉକୁଟି ଉଠୁନି, ଏହା ପରେ ଅନେକ ସମୟ ଧରି ଛାଇ ସୃଷ୍ଟି କରିବାକୁ ପ୍ରୟାସ କରୁଛି, ହେଲେ ସଫଳ ହେଉନି, ସେପଟେ ଝିଅର ହାତ ଧରି ସେ ଅନୁରୂପ ଭାବେ ଛାଇ ସୃଷ୍ଟି କରିବାକୁ ଚାହୁଁଛି, ଆଉ କାନ୍ଥରେ ଝିଅ ହାତର ଛାଇ ପ୍ରତିଫଳିତ ହେଉଛି, ଯାହାକୁ ଦେଖି ସେ ଚକିତ ହୋଇ ଯାଉଛି ଓ ସେଠାରୁ ହଠାତ୍ ଉଠି ଚାଲିଯାଉଛି, ରାସ୍ତା ସାରା ସେ କେବଳ ସେଇ ଗୋଟିଏ କଥା ହିଁ ଭାବୁଛି, ଆଉ ଏହା ପରଠାରୁ ଏଇ ଭାବନା ତା’ର ଆଉ ପିଛା ଛାଡୁନି, ସେ ଏଭଳି ଭାବନା, ଏଭଳି ଆଶଙ୍କାକୁ ନେଇ କେମିତି ବଞ୍ଚିବ, ଏଇ ଚିନ୍ତାରେ ଅସ୍ଥିର ରହୁଥିବା ବେଳେ ଦିନେ ସେ ପୋଖରୀ କୂଳରେ ଯାଇ ବସୁଛି ଓ ନିଜ ବ୍ୟସ୍ତତା କଥା ଭାବିବାକୁ ଲାଗୁଛି, ଏଇ ସମୟରେ ପାଖରେ ଥିବା ଗୋଟେ ଗଛ ଉପରେ ତା’ର ନଜର ପଡୁଛି, ସେ ସେଇ ଗଛର ଛାଇ ପୋଖରୀ ପାଣିରେ ପଡୁଥିବାର ଦେଖୁଛି ଓ କିଛି ସମୟ ପାଇଁ ନିଜ ଦୁଃଖକୁ ଭୁଲି ସାମାନ୍ୟ ଖୁସି ହୋଇଯାଉଛି, ଠିକ ଏଇ ସମୟରେ ସେଠାରେ ଜଣେ ତରୁଣୀ ଆସି ପହଞ୍ଚିଛି ଓ ସେ ସିଧା ସିଧା କେ ଆଡକୁ ଚାହିଁ କହୁଛି, କେ – ଆଶ୍ଚର୍ଯ୍ୟ ହୁଅନି, ଏ ଜୀବନ ଅନେକ ଆଶ୍ଚର୍ଯ୍ୟ ଓ ରହସ୍ୟରେ ଭରା, ତା’କୁ ନେଇ ବିଚଳିତ ବା ଅସ୍ଥିର ହୁଅନାହିଁ, ସେ ସମ୍ପର୍କରେ ବେଶି କିଛି ଭାବ ନାହିଁ, କେବଳ ଏତିକି ଜାଣ ଯେ ମୁଁ ତୁମକୁ ଜାଣିଛି, ତମେ ମୋତେ ଜାଣିନାହଁ, ତେବେ ସେଥିରେ କିଛି ଯାଏ ଆସେ ନାହିଁ, ମୁଁ ଜାଣିଛି ଯେ ଏଇ କେତେଦିନ ହେବ ତମେ ତମ ଛାଇକୁ ହଜାଇ ଦେଇଛ, ଆଉ ସେଥିପାଇଁ ବିଚଳିତ ରହୁଛ ଓ ସବୁବେଳେ ତୁମ ପାଖରେ ଯେ ଛାଇ ନାହିଁ ଏଇ କଥାକୁ ଭାଳି ଭାଳି ଦୁଃଖରେ ଭାଙ୍ଗି ପଡୁଛ, ଶୁଣ ମୋ କଥା, ତୁମେ ତୁମ ଭାବନାକୁ ଟିକେ ପରିବର୍ତ୍ତନ କର, ତୁମେ ପୋଖରୀ କୂଳକୁ ଯାଅ, ପୋଖରୀର ପାଣିରେ ନିଜର ପ୍ରତିବିମ୍ବ ଦେଖ, ତା’ପରେ ଭାବ ଯେ ତୁମ ପାଖରେ କ’ଣ ସବୁ ଅଛି ଓ କ’ଣ ସବୁ ନାହିଁ, ଏଭଳି ଭାବିଲା ପରେ ତୁମେ ଜାଣି ପାରିବ ଯେ ତୁମ ପାଖରେ ଛାଇ ନ ଥିଲେ ମଧ୍ୟ ଅନେକ କିଛି ରହିଛି, ଏତିକି କହି ଝିଅଟି ହଠାତ ଚାଲି ଯାଉଛି, ଝିଅଟିର ଚାଲିଯାଉଥିବା ବାଟକୁ ଚାହିଁ ରହି କେ ଭାବୁଛି ଯେ ତା’ ସହ ଏସବୁ କ’ଣ ଘଟିଯାଉଛି, ଏମିତି ଭାବନା ଭିତରେ ଥାଇ ସେ ପୋଖରୀ କୂଳକୁ ଯାଇ ପାଣିରେ ନିଜର ଚେହେରା ଦେଖୁଛି, ନିଜ ଚେହେରା ଦେଖି ହସୁଛି, ଅନେକ ସମୟ ନିଜକୁ ଦେଖି ସାରିବା ପରେ ସେ ନିଜ ଭିତରେ ଏକ ପରିବର୍ତ୍ତନ ଅନୁଭବ କରୁଛି ଓ ସେ ଖୁସି ମନରେ ଫେରିବାକୁ ଲାଗୁଛି, ସେ ଫେରିବା ସମୟରେ ଆକାଶରେ ସୂର୍ଯ୍ୟ ଚକମକ କରୁଛି, ସେଇ ସୁନେଲି ସୂର୍ଯ୍ୟ କିରଣରେ ତା’ ଛାଇ ପୋଖରୀ ପାଣିରେ ଯାଇ ପଡୁଛି, ତେବେ ଏକମୁହାଁ ହୋଇ ଫେରିଯାଉଥିବା କେ ସେଆଡ଼କୁ ଧ୍ୟାନ ଦେଉନାହିଁ, ସେ ଫେରି ଯାଉଛି, ଫେରିଯାଉଛି ଖୁସି ମନରେ, ଅବଶ୍ୟ ଖୁବ ଶୀଘ୍ର ସେ ଜାଣିପାରିବ ଯେ ତା’ ଛାଇ ପୁଣି ତା’ ପାଖକୁ ଫେରି ଆସିଛି, ସବୁଦିନ ପାଇଁ।
(ଗଳ୍ପର ଗଢ଼ଣ ଏବଂ କଥନଶୈଳୀରେ ଅନେକ ପ୍ରୟୋଗ କରାଯାଇପାରେ। ଏ ଗଳ୍ପଟି ମଧ୍ୟ ସେଇ ଧରଣର ଏକ ପ୍ରୟୋଗାତ୍ମକ ଗଳ୍ପ। ସମ୍ପୂର୍ଣ୍ଣ ଗପଟି ଏକ ମିଶ୍ରବାକ୍ୟ ବା ଏକ ଦୀର୍ଘ ପରିଚ୍ଛେଦ। ଗୋଟିଏ ପୂର୍ଣ୍ଣଚ୍ଛେଦ ଭିତରେ ଗାଳ୍ପିକ କହିଛନ୍ତି ନିଜ ଛାଇକୁ ହଜେଇ ଦେଇଥିବା ଲୋକର କାହାଣୀ। ପାଶ୍ଚାତ୍ୟ ସାହିତ୍ୟରେ ରବର୍ଟ ବୋଲେନୋ, ନୋବେଲ ପୁରସ୍କାର ବିଜେତା ଜୋଜେ ସାରାମାଗୋ, ପ୍ରମୁଖ ଲେଖକଙ୍କ ଲେଖାରେ ଏଭଳି ପ୍ରୟୋଗ ଦେଖିବାକୁ ମିଳେ। ଜୋଜେ ସାରାମାଗୋଙ୍କ ଲେଖାର ଇଂରାଜୀ ସଂସ୍କରଣରେ ଆବଶ୍ୟକୀୟ ସ୍ଥାନରେ କ୍ୟାପିଟାଲ୍ ଲେଟର ବ୍ୟବହାର ହୋଇଥିବା ଭଳି ଏ ଗଳ୍ପର ଆବଶ୍ୟକତାକୁ ଦୃଷ୍ଟିରେ ରଖି କେତେକ ଅକ୍ଷରକୁ ବୋଲ୍ଡ କରିଦିଆଯାଇଛି। ଓଡ଼ିଆ ସାହିତ୍ୟରେ ଏହା ଏକ ସମ୍ପୂର୍ଣ୍ଣ ଅଭିନବ ପ୍ରୟୋଗ। ଗଳ୍ପଟି ‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ନଭେମ୍ବର, ୨୦୨୪ ସଂଖ୍ୟାରେ ପ୍ରକାଶିତ ହୋଇଛି।
-ସମ୍ପାଦକ )
ଜାକିର ଖାନ ସାର ନମସ୍କାର ନେବେ। ବିରାମ ଚିହ୍ନ ତକ ନଦେଲେ ବି, ଆବଶ୍ୟକ ସ୍ଥଳରେ କଣ ପାଠକର ମନ ଭିତରେ ଚିହ୍ନ ତକ ସ୍ୱତଃ ପଡ଼ୁଛି।
ଗଳ୍ପଟି ସୁପାଠ୍ୟ ହେଇଛି। ଧନ୍ୟବାଦ।
Namaskar. Dhanyabad Bhai
“କଣ” ଟା କାଟି ପଢ଼ିବାକୁ ଅନୁରୋଧ
ଚମତ୍କାର ଗଳ୍ପଟି ସୁନ୍ଦର ପଠନ ଯାଗ୍ୟ ଓ ଅନ୍ୟ ଏକ ଭିନ୍ନ ଶୈଳୀରେ ଉପସ୍ଥାପିତ ହେଲେ ମଧ୍ୟ ପାଠକ ମନ ଭିତରେ ଆଙ୍କି ହୋଇ ଯାଉଛି ଯାହା ଯେଉଁଠି ରହିବାର କଥା।ଏହି ଗଳ୍ପଟି ପାଠକ ମନରେ ଏକ ଅନ୍ୟ ଅନୁଭୂତିର ଛାପ ଛାଡ଼ି ଦେଉଛି।ସୁନ୍ଦର ଭାବପୂର୍ଣ୍ଣ ଗଳ୍ପଟିଏ ଜାକିର ବାବୁଙ୍କର ଅନ୍ୟ ପରୀକ୍ଷା ମୂଳକ ଗପାପରି।
Dhanyabad Sir. Pranam
ସୁନ୍ଦର ଅଭିନବ ପ୍ରୟାସ।
Thanks a lot dear
ଅବିରାମ (ସବୁବେଳେ) ଭାବୁଥିବା ଲୋକଟି ବିଷୟରେ ପ୍ରସ୍ତୁତ ଗଳ୍ପ ମଧ୍ୟ ଅବିରାମ (ବିରାମ ରହିତ) ହୋଇଥିବା ଯଥାର୍ଥ।
ରବର୍ଟ ଲୁଇ ଷ୍ଟିଭେନ୍ହନ୍ ଙ୍କ My Shadow କବିତା ମନେପଡେ।
Thanks a lot dear Sir. Pranam