ପୁସ୍ତକଙ୍କ ବିଳାପ

ଅଳକା ନନ୍ଦ

ମଂଚ ର ପର୍ଦା ଖୋଲିଲା। ପୁସ୍ତକ ମେଳାର ଦୃଶ୍ଯ। ପିପିଟି’ରେ ଦେଖାଯିବ ଯେ ଟେବୁଲମାନଙ୍କରେ ବହି ସବୁ ସଜାହେଇ ରଖା ହେଇଚି। ମଂଚ ଅନ୍ଧାର। ରାତିର ଦୃଶ୍ଯ। ଧୀରେଧୀରେ ଲାଇଟ ଜଳିଲା।ତଳେ କାବ୍ୟ, ଉପନ୍ୟାସ, କବିତା ସଙ୍କଳନ, ଏକାଙ୍କିକା, ନାଟକ, ଅମର ଚିତ୍ର କଥା, ଇଂଦ୍ରଜାଲ କମିକ୍ସ, ଖବରକାଗଜ ଇତ୍ୟାଦି ମୁଣ୍ଡରେ ହାତ ଦେଇ ବସିଛନ୍ତି।ଟେବୁଲ ଉପରେ ମହାକାବ୍ୟ ବିରାଜମାନ। ସେ ଟେବୁଲରୁ ତଳକୁ ଆସି ପେଟରେ ହାତ ବୁଲେଇ ବୁଲେଇ ଚାଲିବା।

କାବ୍ୟ – (ଚରିିତ୍ର ଉପରେ ସ୍ପଟ୍ ଲାଇଟ୍) କିଓ ଭାଇନା? ଥନ୍ତଲ ପେଟକୁ ଧରି କୁଆଡ଼େ ଧାଇଁଲ?
ମହାକାବ୍ୟ – କ’ଣ ଆଉ କରିବି?ଦେଖୁନ, ମତେ ଏଠି କିଏ କଣ ପଚାରୁଚି? ଆଠ ଦିନ ହେଲା ପଡ଼ି ରହିଚି। ଏ ଧୂଳିରୁ ମତେ ଶ୍ଵାସ ବାହାରି ପଡ଼ିଲାଣି। ଖୁସି ହଉଥିଲି ଯେ ଏତେ…. ବଡ଼ ମେଳା। ମତେ କିଏ ନା କିଏ ଟିକେ ଖୋଜିବ। ନୂଆ ନୂଆ ଘରକୁ ଯିବି….ଧେତ୍ ….କିଛି ହେଲାନି।..ବସି ବସି ଥକିଗଲିଣି।ଭାବିଲି ଯାଏ, ଘେରାଏ ବୁଲି ଆସେ ଟିକେ ଖୋଲା ପବନରେ।
କାବ୍ୟ – ମୋର ବି ସେଇ ଅବସ୍ଥା।କେହି ଆମକୁ ପଚାରୁ ନାହାନ୍ତି। ଉଠେଇ ମୁହଁ ବିଚିକିଟିଆ କରି ପୁଣି ରଖି ଦଉଛନ୍ତି। ଟିକେ ଭଲା ପଢ଼ନ୍ତେ, ଦେଖିଲନି! ସେ ଉପନ୍ୟାସ ଷ୍ଟଲ୍‌‌ରେ କେତେ ଭିଡ଼ ଥିଲା? … କେତେ ମଜା ତା’ର।
ଉପନ୍ୟାସ – ନାଇଁମ ଭାଇନା, ଏବେ ମୋ ଅବସ୍ଥା ବି କିଛି ଭଲ ନୁହଁ। ମତେ ଉଠେଇ ଆଗ ଏପଟ ସେପଟ କରି ଦେଖୁଛନ୍ତି ଲେଖକର ନାଁ, ତା ପରେ ବହି ପଛପଟର ରିଭିଉ ପଢ଼ୁଛନ୍ତି। ପ୍ରଥମ ଦୁଇ ପୃଷ୍ଠା ପଢ଼ି ମନକୁ ଗଲେ କିଣୁଛନ୍ତି। ନ ହେଲେ ନାଇଁ।
କାବ୍ୟ – (ହସି) ଲୋକେ ପାଞ୍ଚ ଶହ ଟଙ୍କାର ପିଜ୍ଜା କିଣି ଖାଇବେ ପଛେ, ହେଲେ ଦୁଇ ଶହ ଟଙ୍କାର ବହିଟେ କିଣିବେନି।
ଉପନ୍ୟାସ – ମୋ ‘ଠୁ ଭାଗ୍ୟବାନ ତ ନାଟକ ଓ ଏକାଙ୍କିକା।

ଏକାଙ୍କିକା – ସବୁ ମିଛ ଧାରଣା ଭାଇ। ମତେ ତ ଟିକେ ପଢ଼ି ରଖି ଦଉଛନ୍ତି। ଏତିକି ମୁଣ୍ଡରେ ପଶୁନି ଯେ ଶେଷ ଯାଏଁ ନ ପଢ଼ିଲେ କ୍ଲାଇମାକ୍ସ ଜାଣି ପାରିବେନି। ମୁଁ ଭାବୁଚି କବିତାର ସ୍ଥାନ ଆମ ଉପରେ। ମୋରି ଆଗରେ ଚାରି ପାଞ୍ଚଟା ବିକ୍ରୀ ହେଇ ଗଲା ପରା!
କବିତା – ଆରେ ନାଇଁ,……ଆମେ ସବୁ ଚଟି ବହି ତ?ଟିକେ ଶସ୍ତା ବି। ତେଣୁ ଆମକୁ କିଣନ୍ତି…. ନେଇ ଯାଇ ଘରେ ପକେଇ ଦିଅନ୍ତି। କିଏ କିଏ ହୁଏତ ପଢ଼ୁଥିବେ…..। ତେବେ କମ ଲୋକ……..ତା ପରେ ତ ଆମକୁ ତମେ ପାଇବ ବରା ପିଆଜି ଦୋକାନରେ, ଠୁଙ୍ଗା ରୂପରେ।ନହେଲେ ବରା ପିଆଜି ଥାଇ ଲୋକଙ୍କ ପାପୁଲି ଉପରେ। (ସମସ୍ତେ ହସିବା) ପତ୍ରିକାମାନେ ହେଲେ ସବୁଠୁ ଭାଗ୍ଯଶାଳୀ।
ପତ୍ରିକା – (ତାଳିଟେ ମାରି) ଠିକ଼ ଧରିଲ ଭାଇ। ଆମକୁ ଲୋକ କିଣନ୍ତି। କାରଣ ଆମେ ହେଲୁ ପତଳା ଓ ଶସ୍ତା। ତା ଛଡ଼ା ଆମ ଭିତରେ ଗପ, କବିତା, ନାଟକ, ପ୍ରବନ୍ଧ, ସମାଲୋଚନା, ସମୀକ୍ଷା, ବାର୍ତ୍ତାଳାପ, ଭବିଷ୍ୟତବାଣୀ ଇତ୍ୟାଦି ଅନେକ କଥା ପଢ଼ିବାକୁ ମିଳେ। ତେଣୁ ଆମର ଭାଉ ବଜାରରେ ଟିକେ ବେଶୀ। କିନ୍ତୁ (ମୁଣ୍ଡକୁ ହଲେଇ) ଶେଷରେ … ସେଇ କବାଡ଼ି ବାଲା। (ସମସ୍ତେ ହସିବା) ତେବେ କିଛି କିଛି ଅତି ଉଚ୍ଚକୋଟୀର ପତ୍ରିକାକୁ ଲୋକ ଖୋଜନ୍ତି। ଆଜିକାଲି ପତ୍ରିକାମାନଙ୍କର ସଂଖ୍ୟା ବହୁତ ବଢ଼ି ଗଲାଣି। କିନ୍ତୁ ଆମଠୁ କମିକ୍ ବହିମାନଙ୍କ ଭାଉ ବେଶୀ।
କମିିକ୍ସ (ଅମର ଚିତ୍ରକଥା) – କାଇଁ ଆଉ କହୁଚ ଆମ କଥା। ( ଦୁଃଖୀ ହେଇ) ସ୍କୁଲ ପିଲାମାନେ ଆମକୁ ଉଠାନ୍ତି, ଏକାଠି ଛ ସାତଟା। ଆମେ ଖୁସି ହେଇଯାଉ ଯେ ଏଇଲେ ଆମେ ତାଙ୍କ ଘରକୁ ଯିବୁ।
ଇନ୍ଦ୍ରଜାଲ କମିକ୍ସ – ହେଲେ ତାଙ୍କ ବାପାମାନେ ପିଲାଙ୍କ ହାତରୁ ନେଇ ଆମକୁ କଚି ଦିଅନ୍ତି ଟେବୁଲ ଉପରେ। ଆଉ ମା’ କହନ୍ତି “ଗୋଟେ ପଢ଼ିସାର। ତା ପରେ ଆଉ ଗୋଟେ କିଣାହବ, ଏଇଲେ ଦରକାର ନାହିଁ। ପିଲାଗୁଡିକ ମୁହଁ ଶୁଖେଇଦିଅନ୍ତି; ଆଉ ଆମର ଖୁସିସବୁ ବାରଣ୍ଡା ଦି କଡ଼ା ହେଇଯାଏ। ଖାଲି ଆମେ ନୁହେଁ, ଆମର ସବୁ ଜାତିଭାଇଙ୍କ ଏଇ ଅବସ୍ଥା।
ଟିନ୍‌ଟିନ୍ କମିକ୍ସ – (ହସି) ମତେ କିନ୍ତୁ ଏମିତି କିଛି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼େନି।
ଜହ୍ନମାମୁଁ – (କାନ୍ଦି) ତମେ ଯେତେକ ଇଂରାଜୀ କମିକ୍ସ, ସମସ୍ତଙ୍କର ଆମଠୁ ଭାଉ ବେଶୀ। ମୁଁ ଦେଖିଛି ନିଜ ଆଖିରେ (ଆଖି ପାଖକୁ ହାତ ନେଇ) କେତେ ମା’ମାନେ ପିଲାଙ୍କ ହାତରୁ ଓଡ଼ିଆ କମିକ୍ସ ଛଡ଼େଇ ନେଇ ଇଂରାଜୀ କମିକ୍ସ ଧରେଇ ଦିଅନ୍ତି।
ଖବରକାଗଜ – (କମିକ୍ସମାନଙ୍କ ପିଠି ଆଉଁସି) ବ୍ୟସ୍ତ ହୁଅନା। ପରେ ପୁଣି କିଣାହବ ବୋଲି କହିଲେ ନା?ଆଉ ଚିନ୍ତା କାଇଁକି?
ମହାକାବ୍ୟ – (ଖବରକାଗଜକୁ ଚାହିଁ) ତୋ’ର କ’ଣ ଚିନ୍ତା? ତୋ ଭାଉ ତ କାହିଁ ରେ କଣ…(ହାତ ଉପରକୁ କରି) ସବୁଠୁ ଉପରେ …
ଖବରକାଗଜ – (ହସି) ହଁ, ହଁ, ତା ନୁହେଁ ଆଉ କ’ଣ? ଖବରକାଗଜ ବିକାଳି ମତେ ଗୋଟେ ସୁତାରେ ବାନ୍ଧି ଯେତେବେଳେ ଉପରକୁ ଫୋପାଡ଼ି ଦିଏ …ମୁଁ ଯାଇ ବାଲକୋନିରେ ଧପ୍ କିନା ପଡ଼େ, ସେତେବେଳର ମୋ ଅବସ୍ଥା ଭାବିପାରୁଚ ତ ମଉସା? ଆଉ ବେଳେବେଳେ କୋଉ ଗଛ ଡାଳରେ ଅଟକି ଗଲି, କି ନାଳ ଭିିତରେ ପଡିଗଲି …ଓଃ …ସେ କି ଯନ୍ତ୍ରଣା … ସେ କଷ୍ଟ କେବଳ ମୁଁ ଜାଣେ। ଖାଲି କ’ଣ ସେତିକି? ତଳେ ତ ଫୋପାଡ଼ି ଦେଇ ପଳେଇବ ବିକାଳି। ତା’ପରେ? …ମତେ ଆଗ କିଏ ପଢ଼ିବ, ସେ ପାଇଁ ମତେ ଧରି ଘର ଲୋକଙ୍କ ଭିତରେ ଟଣାଟଣି।ସେମାନେ କଣ କେବେ ଭାବନ୍ତି ଯେ ମତେ କେତେ କଷ୍ଟ ହଉଥିବ?(ଦୁଃଖୀ ହେଇ) ତା’ଛଡ଼ା ତମମାନଙ୍କ ଠାରୁ ମୋର ଆୟୁଷ ଅଳ୍ପ। ମାନେ ମାସେ … ଅତି ବେଶିରେ ଦେଢ଼ …।ତାପରେ କବାଡ଼ିବାଲା କପାଳରେ, ଠୁଂଗାବାଲା ଘରେ ମୋ ଭବିଷ୍ୟତ। ବେଶିଦିନ ପାଇଁ ମତେ ଘରେ ରଖିବାକୁ କେହି ଚାହାଁନ୍ତିନି। ଉପନ୍ୟାସ ଭାଇ ଓ ବାକିମାନଙ୍କର କେତେ..ମଜା…
ଉପନ୍ୟାସ – (ଆଶ୍ଚର୍ଯ୍ୟ ହେଇ) ମୋର?ପୁଣି ମଜ୍ଜା?କୋଉ ଆଡ଼ୁ ହେ?
ଖବରକାଗଜ – (ଛିଗୁଲେଇ) ଆଉ ଫୁଲେଇ ହୁଅନି ମ … ତମକୁ ବହି ଥାକ ରୁ କାଢ଼ି ପୃଷ୍ଠାଗୁଡ଼ିକ ଓଲଟାଇ ପାଠକ ପାଠିକାମାନେ ଯେତେବେଳେ ସେ ବାସ୍ନା କୁ ଆଖିବୁଜି ଆଘ୍ରାଣ କରନ୍ତି … ତାଙ୍କର ସେଇ ଭାବପ୍ରବଣତାକୁ ମୁଁ କଣ ଦେଖିନି ଭାବିଚ? ନାନୀ, ଅପାମାନେ ତମକୁ ତାଙ୍କ ଗଦି, ତକିଆ ତଳେ ଲୁଚେଇ ଯେତେବେଳେ ପଢ଼ନ୍ତି? କୁହ…..କୁହ…… କୁତୁକୁତୁ ଲାଗେନି? ଆଉ ମତେ ଥରେ ପଢ଼ିଦେଲା ପରେ କିଏ ପଚାରେ? ତମକୁ ତ ମଝିରେ ମଝିରେ ଖୋଜନ୍ତି … ମତେ ତ .. ଥରେ ପଢ଼ି ଟେବୁଲ ତଳେ ଥୋଇଦେବେ। ତା ପରେ ମୋ କାମ କ’ଣ? ସିଧା କବାଡ଼ିବାଲା ଘରକୁ…
କାବ୍ୟ – (ହସି) ମୁଁ କହୁଚି ଆଉ କଣ କାମ। ଅଳତା ଲଗାଇଲା ବେଳେ ଟେବୁଲ ତଳୁ ଟାଣି ଆଣି ତା ଉପରେ ପାଦ ରଖି ଅଳତା ଲଗାଯାଏ।
ଅମର ଚିତ୍ରକଥା – (ହସିହସି)ଆଉ କହିବି? (ନାକରେ ହାତ ଦେଇ) ଘରେ ପୋଷା କୁକୁର,ବିଲେଇ ଙ୍କ ବିଷ୍…
ଖବରକାଗଜ – (ପାଟି ରେ ଆଙ୍ଗୁଠି ରଖି) ଚୁପ୍ ଚୁପ୍, ଦୟାକରି ଆଉ କିଛି କହନା। ମୁଁ ଏଇଲେ ବାନ୍ତି କରି ପକେଇବି।
ମହାକାବ୍ୟ – ହଉ ହଉ ହେଲା। ସେ ଚର୍ଚ୍ଚା ବନ୍ଦ କର। ମନ ଖୁସି ରଖ ଯେ ତମେ ଲୋକମାନଙ୍କ କାମରେ ଆସୁଚ। ଲୋକେ ତମକୁ ଖୋଜୁଛନ୍ତି। ମୋର ଚିନ୍ତା ହେଲା ଯେ ଆଜିର ଯୁବ ପିଢ଼ି ଆମକୁ ଖୋଜୁନାହାନ୍ତି କି ପଢ଼ିବାକୁ ଚାହୁନାହାନ୍ତି। ଫଳରେ ଆମ ଭିତରେ କେତେ ଇତିହାସ, ସଂସ୍କୃତି ଭରି ରହିଚି ସେ ସବୁ ସେମାନେ ଜାଣି ପାରୁନାହାନ୍ତି।
କାବ୍ୟ – ଖାଲି ସେତିକି ନୁହେଁ, ସେ ଉଚ୍ଚକୋଟୀର ଭାଷା, ଲେଖିବାର ଶୈଳୀ … ସବୁ ଲୁଚି ଯାଉଚି ନା …
ଉପନ୍ୟାସ – ଏ ସମୟର କଥା ଭାବିଲେ ସତରେ କାନ୍ଦ ମାଡ଼ୁଚି। ଆଲମାରୀ ଭିତରୁ ନ ବାହାରି, ଉଈମାନେ ଆମ ଉପରେ ଆକ୍ରମଣ କଲେଣି। ଓଃ, କି କଷ୍ଟ! ସମାନେ ପୃଷ୍ଠା ଗୁଡ଼ା ଖାଇଗଲା ବେଳକୁ … ଗଲା ସପ୍ତାହରେ ଗୁଡ଼େ ଉପନ୍ୟାସ ଫୋପଡ଼ା ହେଲା। (ତାଚ୍ଛଲ୍ୟ ଭାବେ) ଆଜିକାଲି ବହି କାଢ଼ି ପଢ଼ିବାକୁ ଯୁବପିଢିଙ୍କ ସମୟ କାହିଁ?
କାବ୍ୟ – ତା’ଛଡ଼ା ଆଜିକାଲି ତ ଇଣ୍ଟରନେଟ୍‌ରେ ବହି ମିଳିଯାଉଚି। ଆମକୁ ପଚାରେ କିଏ ହୋ …
ମହାକାବ୍ୟ – (ପେଟକୁ ଆଉଁସି ଆଉଁସି) ସବୁ ସତ। ହେଲେ କିଛି ଯୁବକମାନେ ଆମମାନଙ୍କର ପୁନରୁଦ୍ଧାର ପାଇଁ ଆଗେଇ ଆସିଲେଣି। ଆମର ଜୀବନ ରକ୍ଷା ପାଇଁ ନିଶ୍ଚିତ କିଛି ଉପାୟ ମିଳିଯିବ। ଆମ ଯୁବପିଢ଼ି କଣ କୋଉଥରେ ଉଣା କି? ହଉ ହଉ ପରେ ଏ ବିଷୟରେ ଗଭୀର ଭାବେ ଆଲୋଚନା କରିବା। ମୁଁ ଯାଇ ଟିକେ ବୁଲି ଆସେ।
ଇନ୍ଦ୍ରଜାଲ କମିକ୍ସ – ମଉସା, ଆଉ ବୁଲିବାକୁ ଯାଇ ପାରିବନି…..
ଏକାଂକିକା – ଆରେ ଆରେ ସଭା ଭାଙ୍ଗ, ସଭା ଭାଙ୍ଗ।
ନାଟକ – ବେଳ ଦେଖ … ସବୁ କବି ଲେଖକମାନେ ନିଜ ନିଜ ଷ୍ଟଲ୍‌ରେ ଠିଆ ହବାକୁ ଆସିଗଲେଣି। ଏଇଲେ ଲୋକ ଭିଡ଼ ହେଇଯିବ। ଚାଲ ଚାଲ, ଆମ ଯାଗାକୁ ଆମେ ପଳେଇ ଯିବା, ନ ହେଲେ ଖାଇବ କୁନ୍ଦା।
(ସମସ୍ତେ ଦଉଡ଼ି ନିଜ ନିଜ ଟେବୁଲ ପାଖକୁ ଗଲେ।
ପର୍ଦା ପତନ । )

Leave a Reply

Your email address will not be published. Required fields are marked *