କଡ଼ାକଡ଼ି ଧର୍ମମାସ ପରେ ଆସିଛି ଏଇ ଛାଡ଼ଖାଇ। ଯେତେ ଧର୍ମ ସେତେ ପାପ। ନହେଲେ ବିଧାତାଙ୍କର ସନ୍ତୁଳନ ବିଗିଡ଼ି ଯିବ ନାଇଁ?
ବୁଢ଼ୀର ମନ ବଡ଼ ଦୁଃଖ। ବୁଢ଼ା ତିନିମାସ ହେଲା ଦିହରେ ପଡ଼ିଛି। ଓଷଦ କଷା କଥା ତେଣିକି ଥାଉ, ଏ ମାସଟା ଯାକ ଅଧାପେଟିଆ ହେଇ ଉଠିଛନ୍ତି ଗେରସ୍ତ ଭାରିଜା। ଏସନ କଣ ହେଇଛି କେଜାଣି, ଗାଁ ଲୋକେ ମାସସାରା ଆଇଁଷ ଖାଇଲେନି। ତାଙ୍କର କୋଉ ବିଲ ଅଛି ନା ବାଡ଼ି ଅଛି। ବୁଢ଼ା ମୁଲ ଲାଗି ଆଣିଲେ ଚୁଲି ନାଗୁଥିଲା। ବୁଢ଼ା କୋତରାନଗା ହେଲା ପରଠୁ ସେତକ ବନ୍ଦ ହେଲା। ଥାଇ ଥାଇ ବାଡ଼ି ପଛରେ ସାଆନ୍ତଘର ଗୋଟେ ଟୁବି ଗଡ଼ିଆ।ତାଙ୍କର ଏଠାରେ କେହି ନାହାନ୍ତି। ତେଣୁ ବୁଢ଼ା ବୁଢ଼ୀ ସେଟାକୁ ବ୍ୟବହାର କରନ୍ତି ଓ କେବେ କେବେ ମାଛ ଦିଟା ବି ଧରି ତିଅଣ କରନ୍ତି ।
କିନ୍ତୁ ବୁଢ଼ାର ବାଧକିରେ ଯାହା ଛଞ୍ଚା ବିଞ୍ଚା ପଇସା, ଚାଉଳ ସବୁ ବି ସରିଲା। ଦିଦିନ ଖାଡ଼ା ଉପାସ ପରେ ଶେଷକୁ ବୁଢ଼ା ଦଶଜାଗାରେ ବସି ଉଠି ଆସି ସେଇ ଟୁବି ଗଡ଼ିଆରୁ ଖଇଞ୍ଚି କି ବଜା ପକେଇ ମାଛ ମାରିଲା। କୋଉ ମାଛଚାଷ ହେଇଛି ଯେ ବଡ଼ ବଡ଼ ରୋହି ଭାକୁର ଥିବେ ଗାଡ଼ିଆରେ? ଏଇ ଚେଙ୍ଗ, ଗଡ଼ିଶା, ପିତ୍ତାଳିରୁ ଖେଜାଏ ଲେଖେ ମିଳିଲେ ବୁଢ଼ୀ ତାକୁ ବିକି ପଇସା ଆଣୁଥିଲା, ବୁଢ଼ା ତ ଯାଇ ପାରିବ ନାଇଁ। ସେମିତି ଚାଲୁଥିଲା ତ ଚାଲୁଥିଲା, ବୋଇଲେ ଏକରକମ ଭଲ ଚାଲୁଥିଲା।
କିନ୍ତୁ କି କାଳ ସମୟ ଆଇଲା ଯେ, ମାସେଯାକ ଏକେବାରେ ଗାଁ ଲୋକଗୁଡ଼ା ଧାର୍ମିକ ପାଲଟିଗଲେ। କିଛି ଦିନ ତ ଚାଲିଗଲା ପଖାଳ ପାଣି, ପେଜ ତୋରାଣି ପିଇ। କିନ୍ତୁ ଘୁମ, ହାଣ୍ଡି ସବୁ ଖାଲି ହେଲାପରେ ବୁଢ଼ୀର ଫାକାନାସ୍ତି ବୁଡ଼ିଗଲା। ବୁଢ଼ାର ଦିହ ଆହୁରି ଖରାପ ଆଡ଼କୁ ଗତି କରୁଛି। ପେଟ ବଥାରେ ଭୂଇଁ ଦରାଣ୍ଡୁଛି। ଏମିତି ପେଟବଥାରେ , ଏତେ ଓଷଦକଷା କରି, ତିକିଚ୍ଛା କରି ବି ଏଇମିତି ଭୂଇଁ ଦରାଣ୍ଡି ଦରାଣ୍ଡି ଭେଣ୍ଡିଆ ପୁଅଟା ମରି ଶୋଇଲା। ସେ ଯଦି ଥାଆନ୍ତା…. ବୁଢ଼ୀ ତତଲା ନିଃଶ୍ବାସ ଛାଡ଼େ। କିଛି ନହେଲେ ବଟିକାଟେ ଦରକାର। ଏତେ ଅଭାବ କଷ୍ଟ ଯାଇଛି କିନ୍ତୁ ବୁଢ଼ୀ ସେଇ ରୂପାମୁଦିଟିକୁ ଜୀବଧନ କରି ରଖିଥିଲା। ବୁଢ଼ା ଯାହାକୁ ମୁହଁ ଚୁହାଁ ଦେଇଥିଲା। ଆଉ ପାରିଲା ନାହିଁ ବେଳେ ସେଟାକୁ ଯାଇ ବିକିଦେଲା ଓ କିଣି ଆଣିଥିଲା କିଛି ବଟିକା ଆଉ ଚାଉଳ। ସେ କଥାକୁ ପନ୍ଦର କୋଡ଼ିଏ ଦିନ ହେଲାଣି। ସେସବୁ କେବେଠୁ ସରିଲାଣି।
ଏଇ କାର୍ତ୍ତିକ ମାସଟା ବି କେଡ଼େ ଲମ୍ବା। ଦିନଗୁଡ଼ା ଲମ୍ବି ଚାଲିଛନ୍ତି, ତହୁଁ ବଳି ରାତି। ଓଷଦ କାଟାଣ ଗଲାପରେ ପୁଣି କୁନ୍ଥେଇଲା ବୁଢ଼ା। ବୁଢ଼ୀ କାନ୍ଦି କାନ୍ଦି ବୋବାଳି ଛାଡ଼ିଲା। ମାଛ ଧରି ଦୁଆର ଦୁଆର ବୁଲିଲା। ସମସ୍ତେ ମୁହଁ ବୁଲେଇଦେଲେ। ଏଃ , କାର୍ତ୍ତିକ ମାସଟା। ଯାଃ ଯାଃ , ମାଛ ଲୋଡ଼ା ନାହିଁ। ବୁଢ଼ୀ ପୋଷେ ଚାଉଳ ପାଇଁ ମାଗଣ କଲା। ଦିନ ଯାଏ ସମସ୍ତଙ୍କର। ଏମାନଙ୍କର ବି ଗଲା।
ଆଜି ଛାଡଖାଇ। ବୁଢ଼ୀ ବିକ୍ରି ହେଇ ନଥିବା ମାଛକୁ ଶୁଖେଇ ଦେଇଥିଲା। ଭୋର୍ରୁ ଗାଧେଇ ପାଧେଇ ବୁଢ଼ୀ ସେ ଶୁଖୁଆ ତକ ଧରି ଚାଲିଲା ହାଟକୁ। ବାଟରେ ଗ୍ରାମଦେବତୀଙ୍କ ବେଢ଼ାକୁ ପରିକ୍ରମା କରି ଢପ ଢପ କରି ମୁଣ୍ଡିଆ ମାଇଲା। କିଛି ନହେଲେ ଏଇ ଶୁଖୁଆତକ ବିକ୍ରି ହେଇଗଲେ ଚାଲିଯିବ କିଛିଦିନ କିଛି ନହେଲେ ଦୁଇଶ ଟଙ୍କାର ଶୁଖୁଆ। ଗଲାବେଳେ ବଟିକା ଦୁଇଟା ଧରି ଯିବ।
ହାଟରେ ନାହିଁ ନଥିବା ଭିଡ଼। ଲୋକମାନେ ଦାନ୍ତକାଠି ଚୋବେଇ ଚୋବେଇ ଆଇଁଷ ନେବାକୁ ହାଜର। ସୁରୁଜ ମାହାପ୍ରୁ ମୁହଁ ଦେଖେଇ ନାହାଁନ୍ତି ଅଥଚ ହାଟଭର୍ତ୍ତି ଲୋକ। ଗରାଖ, ବିକାଳିଙ୍କ ପାଟି ତୁଣ୍ଡରେ ଘୋ ଘୋ କମ୍ପୁଛି ହାଟ। ଛାଡ଼ଖାଇ ଉପଲକ୍ଷେ ସୁସଜ୍ଜିତ ଛାମୁଡ଼ିଆ ମାନଙ୍କ ତଳେ ଟଙ୍ଗା ହେଇଛନ୍ତି ଅସଂଖ୍ୟ ମୁଣ୍ଡକଟା ସାନ ବଡ଼ ଛେଳି। ନିରୀହ ମୁଣ୍ଡଟିମାନ ସଜା ହେଇଛନ୍ତି ଦୋକାନ ଆଗରେ। ଗରାଖ ପ୍ରମାଣ ମାଗୁଛନ୍ତି ବେଳେ ସଜ କଟା ମୁଣ୍ଡର ଆଖିକୁ ଦେଖାଉଛନ୍ତି କଂସେଇ। ଆଇଁଷିଆ ଗନ୍ଧରେ ନାକ ଫାଟି ପଡ଼ୁଛି।
ବଡ଼ ବଡ଼ ରୋହି, ଭାକୁର, ବାଳିଆ, ଇଲିସି, ମାଗୁର ଗଦା ଗଦା। ମାଛ ଗାଡ଼ି ଖାଲି ହେଉଛି, ପୁଣି ଆସୁଛି ବୋଝେଇ ହେଇ। ତହିଁରୁ ଅଧିକ କୁକୁଡ଼ା ବଜାର। କକ୍ କକ୍ ହେଇ ଦୁଇ ଆଙ୍ଗୁଠି ମଝିରେ ଛଟ୍ ଛଟ୍ ହେଇ ମୋକ୍ଷ ପାଉଛନ୍ତି କୁକୁଡ଼ା ଭାଡ଼ି ଭାଡ଼ି । କଡ଼ାକଡ଼ି ଧର୍ମମାସ ପରେ ଆସିଛି ଏଇ ଛାଡ଼ଖାଇ।
ଯେତେ ଧର୍ମ ସେତେ ପାପ। ନହେଲେ ବିଧାତାଙ୍କର ସନ୍ତୁଳନ ବିଗିଡ଼ି ଯିବ ନାଇଁ?
ବୁଢ଼ୀକୁ ବସିବାକୁ ଯାଗା ନାହିଁ। ସମସ୍ତେ ତଡ଼ୁଛନ୍ତି ତାକୁ। ବଡ଼ ବେପାରୀ ବି ସାନ ବେପାରୀଙ୍କୁ ଭୟ କରେ। ବେଳେବେଳେ ନୋଟ ଅପେକ୍ଷା ରେଜଗାରିର ବେଶି ଚାହିଦା।
ଲ୍ୟାକତ ଦୟାକରି ତାକୁ ବସେଇଲା ହାତେ ଖଣ୍ଡେ ଜାଗା ଦେଇ। ହେଲେ ବଡ଼ ବଡ଼ ବାଛୁରୀ ପରି ପଚିଶି କିଲିଆ ଖାସି ଆଗରେ ବୁଢ଼ୀର ଶୁଖୁଆର କି ପାସଙ୍ଗ? କେହି ଆଡ଼ ଆଖିରେ ଚାହୁଁ ନଥାନ୍ତି। ଏକରେ କୋତରି ବୁଢ଼ୀ, ଦୁଇରେ ଖୋତରା ଶୁଖୁଆ। ଚାହୁଁ ଚାହୁଁ ହାଟ ଖାଲି। ବୁଢ଼ୀ ବିକଳ ହେଇ ନେହୁରା ହେଉଥାଏ ଯିବା ଆସିବା ବାଲାଙ୍କୁ।
ନିଅ ବାବୁ, କୋଡ଼ିଏ ଟଙ୍କାରେ ସବୁ ଦେଇଦେବି, ନହେଲେ ଦଶଟଙ୍କା ଦିଅ। ନହେଲା ନାହିଁ ପାଞ୍ଚଟଙ୍କା। ମୁଁ ବୁଢ଼ା ପାଇଁ ଓଷଦ ଘିନିବି ବାବୁ। ଏ ବାବୁ, ଏ ବାପା, ଏ ପୁଅ……
କିନ୍ତୁ ହାଟ ସିନା ଖାଲି ହେଇଗଲା, ବୁଢ଼ିର ଟୋକେଇରେ ଭର୍ତ୍ତି ହେଇଥିଲା ଶୁଖୁଆ।
ଦୟା ଆସିଗଲା ଲ୍ୟାକତକୁ ।
ଦେ ମାଉସୀ, ସେ ଶୁଖୁଆତକ। ନେଏ ଏଇ କୋଡି଼ଏ ଟଙ୍କା।
ଓଷଦ ଓ ଚାଉଳ ନେଇ ବୁଢ଼ୀ ଡଗ ଡଗ ଚାଲି ଯାଉଥିଲା ଘରକୁ, ତାଟି ପାଖରେ ଖୁଣ୍ଟକୁ ଆଉଜି ବସିଥିଲା ବୁଢ଼ା ପଥର ପରି ଶାନ୍ତ ହେଇ। ଜଣା ପଡ଼ୁଥିଲା ତାର ପେଟ ଆଉ କେବେ ବି ବଥେଇବ ନାଇଁ।
ସୁନ୍ଦର ଲେଖାଟିଏ।ମଣିଷ ପ୍ରକୃତିର ଏକ ନିଛକ ଉଦାହରଣ।ସତରେ ଯେତିକି ପୁଣ୍ୟ ସେତିକି ପାପ।ଦୁଃଖୀ ବୁଢ଼ା ଆଉ ବୁଢ଼ୀର କାହାଣୀ।ଛାଡଖାଇ ପାଳନର ବିକୃତି।କେତେ ନିରୀହ ପ୍ରାଣୀର ବିକଳ ଚିତ୍କାର।ମଣିଷର ପଥର ପଣିଆ।ଜୀବନ ଯୁଦ୍ଧରେ ହାରି ଯାଉଥିବା ମଣିଷର ଦୁଃଖର କାହାଣୀ।ସତରେ ଏକ ସୁନ୍ଦର କାହାଣୀରେ ଏକ ସଚେତନା।ମଣିଷ ମଣିଷ ହେଉ।
ଧନ୍ୟବାଦ ଭାଇ