ଚନ୍ଦ୍ରର କେତେ ରୂପ? ଲେଖକ ଓ କଳାକାରମାନେ ତ ଆମର ପ୍ରିୟ ଜହ୍ନମାମୁଙ୍କୁ ବାସ୍ତବତାରୁ ନେଇ କଳ୍ପନା ପର୍ଯ୍ୟନ୍ତ ବିଭିନ୍ନ ପୁଟ ଦେଇ ବିବିଧ ରଙ୍ଗରେ ରଙ୍ଗିଦିଅନ୍ତି। କିନ୍ତୁ ଏହି ଦାୟିତ୍ୱଟି ଯେତେବେଳେ ବହନ କରନ୍ତି ଆମ ସମୟର ଜଣେ ବିଶିଷ୍ଟ ବିଜ୍ଞାନ ଲେଖକ, ତାହାର ପରିଣାମ ଯାହା ହୁଏ ଏହାହିଁ ହେଉଛି ଆଜି ଆମ ସାମନାରେ ଉପସ୍ଥିତ ବହି ‘ଚନ୍ଦ୍ରଚୋରି’। ଚନ୍ଦ୍ରର କେତେ ଯେ ଭଳିକି ଭଳି ରୂପ ଲେଖକ ପ୍ରତ୍ୟକ୍ଷ କରିଛନ୍ତି, ଏହାର କେତୋଟି ଅଧ୍ୟାୟର ଶିରୋନାମା ପ୍ରତି ଦୃଷ୍ଟି ପକାଇଲେ ଆମେ ତାହାର ଆଭାସ ପାଇପାରୁ; ଯଥା, ‘କବି-କଳ୍ପନାରେ ଚନ୍ଦ୍ରମୁଖ’, ‘ଆମ ସାହିତ୍ୟ ଓ ଚନ୍ଦ୍ର’, ‘ପୁନରପି ଜନମଂ ପୁନରପି ମରଣଂ’ ଓ ‘ଚନ୍ଦ୍ର, ସୂର୍ଯ୍ୟ ଓ ସତ୍ୟଜିତ ରାୟ’।
ଆଲୋଚ୍ୟ ପୁସ୍ତକଟିରେ ଲେଖକ ଚନ୍ଦ୍ର ଉପଗ୍ରହଟିର ଉପସ୍ଥାପନା ଏକ ନିରୁତା ବୈଜ୍ଞାନିକ ଦୃଷ୍ଟିକୋଣ ମାତ୍ରରୁ କରିନାହାନ୍ତି, ତାଙ୍କର ଲେଖକୀୟ ଧାରାରେ ଏକ ବିଜ୍ଞାନ ସୁଲଭ ତାର୍କିକତା ମଧ୍ୟ ସ୍ପଷ୍ଟ ଦିଶିଯାଏ। ଏହି ପ୍ରେକ୍ଷାପଟରେ ନିଜର ଭୂମିକା ଉଲ୍ଲେଖ କରିବାକୁ ଯାଇ ଲେଖକ କହିଛନ୍ତି, “ଏହି ପୁସ୍ତକ ସମ୍ପର୍କରେ ମୋ ମତ ହେଉଛି ଯେ, ବୁଦ୍ଧଦେବଙ୍କ ଭାବନା ଅନୁରୂପ ଯେଉଁ ତିନୋଟି ଜିନିଷକୁ ବହୁ ସମୟ ଧରି ଲୁଚାଇ ହେବ ନାହିଁ, ତାହା ହେଉଛି: ସୂର୍ଯ୍ୟ, ଚନ୍ଦ୍ର ଓ ସତ୍ୟ। ଏମିତି ଏକ ନିରୂପଣ, ଦାର୍ଶନିକ କନଫୁସିଅସ୍ ମଧ୍ୟ ଘୋଷଣା କରିଥିବା ଜଣାଯାଏ। ଏହି ଭାବନା ଓ କଳ୍ପନା ଦ୍ୱାରା ଅନୁପ୍ରାଣିତ ହୋଇ ମୁଁ ବହିଟି ରଚନା କରିଛି।”
ବହିଟିକୁ ପ୍ରଥମେ ହାତରେ ଧରିଲେ ଯେଉଁ ପ୍ରଶ୍ନଟି ପାଠକ ମନରେ ଉଙ୍କି ମାରେ, ତାହା ହେଲା, ଏ ‘ଚନ୍ଦ୍ରଚୋରି’ ପୁଣି କ’ଣ? କେହି କରିପାରେ କି ଚନ୍ଦ୍ରର ଚୋରି? ଏହାର ଉତ୍ତର ରଖିଛନ୍ତି ଲେଖକ ନିଜେ: “ଯେତେବେଳେ ବହିର ନାମକରଣ ବିଷୟ ମୋ ମନକୁ ଆଚ୍ଛନ୍ନ କଲା, ମୋ’ର ମନେପଡ଼ିଲା ସୁପ୍ରସିଦ୍ଧ ସାହିତ୍ୟିକ ଜେ.ପି. ଦାସଙ୍କ ଗୋଟିଏ ଆଲେଖ୍ୟ, ଯେଉଁଥିରେ ‘ଚନ୍ଦ୍ରଚୋରୀ’ ଶବ୍ଦଟି ଥିଲା। ଏହି ନାମଟି ମୁଁ ଚୋରି କରିଛି। ଆଶା, ସେ ମୋ ଦୋଷ ଧରିବେ ନାହିଁ।” ଏହି ଚନ୍ଦ୍ରଚୋରି ପ୍ରସଙ୍ଗ ବିଶଦ ଭାବରେ ଆଲୋଚିତ ହୋଇଛି ପୁସ୍ତକଟିର ପ୍ରଥମ ଅଧ୍ୟାୟଟିରେ। ଓଡ଼ିଶାର ଜଣେ ଗଙ୍ଗବଂଶୀୟ ଗଜପତିଙ୍କ ଅଧୀନରେ ବାହିନୀପତି ନାମକ ଜଣେ ପଣ୍ଡିତ ଥିଲେ। ସେ ଭୁଲ୍ବଶତଃ ଥରେ ଗୋଟିଏ ପୂର୍ଣ୍ଣମୀ ତିଥିକୁ ଅମାବାସ୍ୟା ବୋଲି କହିଦେଲେ। ମାତ୍ର ଏହା କହିଦେବା ପରେ ସେ ବଡ଼ ଅଡ଼ୁଆରେ ପଡ଼ିଲେ, କାରଣ ଏହା ଫଳରେ ଜନମାନସରେ ତାଙ୍କର ବିଶ୍ୱସନୀୟତାରେ ଆଞ୍ଚ ଆସିବାର ସମ୍ଭାବନା ଥିଲା। ତେଣୁ ନିଜର ସେହି ଭୁଲ୍ କଥାଟିକୁ ଠିକ୍ ବୋଲି ପ୍ରମାଣିତ କରିବା ପାଇଁ ସେ ନିଜର ତାନ୍ତ୍ରିକ ଶକ୍ତି ବଳରେ ସେହିଦିନ ଚନ୍ଦ୍ରକୁ ଲୁଚାଇଦେଇଥିଲେ। ଏହା ହିଁ ଚନ୍ଦ୍ରଚୋରି।
ବହିଟିରେ ପାଠକମାନେ ପାଇବେ ଚନ୍ଦ୍ରର ବିଭିନ୍ନ ଦିଗ ସମ୍ପର୍କରେ ଏକ ୩୬୦ ଡିଗ୍ରୀର ଉପସ୍ଥାପନା। ଲେଖକଙ୍କର ସାବଲୀଳ ବର୍ଣ୍ଣନା ଶୈଳୀ ବହିଟିକୁ କରିଛି ଅତ୍ୟନ୍ତ ସୁଖପାଠ୍ୟ। ତେବେ ସ୍ଥଳ ବିଶେଷରେ ନିଜର କଥନକୁ ପ୍ରତିପାଦିତ କରିବାପାଇଁ ଲେଖକ କେତେଜଣ ବିଦେଶୀ ଚିନ୍ତକଙ୍କର ସୁଦୀର୍ଘ ଉକ୍ତିଗୁଡ଼ିକ ଇଂରାଜୀ ଭାଷାରେ ହିଁ ଉଦ୍ଧୃତ କରିଛନ୍ତି। ଆମ ମତରେ ଏଗୁଡ଼ିକୁ ଓଡ଼ିଆ ଭାଷାରେ ଅନୁବାଦ କରି ଉପସ୍ଥାପିତ କରିବା ଅଧିକ ସମୀଚୀନ ହୋଇଥାଆନ୍ତା।
ବହିଟି ପାଠକମାନଙ୍କ ମଧ୍ୟରେ ଆଦୃତ ହେବାର ସମସ୍ତ ଲକ୍ଷଣ ରଖେ।
-ନିହାର ଶତପଥୀ
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ନଭେମ୍ବର ୨୦୨୪ ସଂଖ୍ୟାରେ ପ୍ରକାଶିତ।)
ସୁନ୍ଦର ପଦକ୍ଷେପ। ଅଭିନନ୍ଦନ।