ଏଠି ଦିନଗୁଡ଼ା କେମିତି କଟେ ଜଣାନାହିଁ। ସମସ୍ତଙ୍କ ଦୁଆର ବନ୍ଦ, ସବୁ ସମୟରେ।
ଅଭୟ ଦାଶ; ଜନ୍ମ ସ୍ଥାନ ଜଗତସିଂପୁର ବାଇଶିମୌଜା ଅଞ୍ଚଳରେ। ଦେବୀ ଓ ବିଲୁଆଖାଇ ଘେରା ଦ୍ବୀପାଞ୍ଚଳ ଏ ବାଇଶିଖଣ୍ଡ ଗାଁ। ଗାଁ ରେ ବଢ଼ିଛି। ସ୍କୁଲ ପାଠ ସରିଗଲାପରେ କଲେଜ ପାଠ ପାଇଁ ସହର ଆସିଛି। ସହରରେ ପାଠସାରି ପେଟ ପୋଷିବାକୁ ସହରରୁ ସହର ଘୁରିବୁଲିଛି। ଶେଷରେ ସହରିଆ ସାଜି ସହରକୁ ଆପଣାର କରି ରହିଯାଇଛି। ଘରଭଡ଼ା କରି ରହୁଥିବା ଦିନ ମନେପଡେ। ତା’ପରେ ସରକାରୀ ନିବାସରେ ରହି ତା’କୁ ନିଜର କରିଛି। ଦାଣ୍ଡ ବାଡ଼ିଆଡ଼େ ଗଛ ଲଗାଇଛି, ସେମାନଙ୍କ ଯତ୍ନ ନେଇଛି। ସେଇ ଘର ତା’କୁ ଏକ ପରିଚୟ ଦେଇଛି।
ସମୟ କ୍ରମେ ସେବାନିବୃତି ସହ ସେ ଘର ହାତରୁ ଖସିଯାଇଛି। ଗାଁକୁ ଫେରିପାରୁନି; ଏ ସହରର ମୋହ ଛାଡ଼ିପାରୁନି।
ଏଇଠି ରହିବ ଯେ, କେଉଁଠି ରହିବ? ଯାଗା ଜମି ଅମୂଲ ମୂଲ। ଯାଗା କିଣି ଘର କରିବା କଣ ସହଜ କଥା? ଆଉ ବଳ ବୟସ କାଇଁ ଯେ ଘର କରିବ? ଗୋଡ଼ି, ବାଲି, ଇଟା, ଲୁହାଛଡ଼ ଯୋଗାଡ ମିସ୍ତ୍ରୀ ମଜୁରିଆଙ୍କ ସଙ୍ଗେ ଧକଚକ କଣ ସହଜ କାମ? ସେ ଯାହା ହେଉ, କେଉଁଠାରେ ତ ସାଲିସ୍ କରିବାକୁ ହେବ।
ଗୋଟାଏ ରାସ୍ତା ଦେଖାଗଲା, ହାଉସିଂ ସୋସାଇଟି। ଆପାର୍ଟମେଣ୍ଟ ନିବାସ। ଆପାର୍ଟମେଣ୍ଟ! ଏଠି ଦିନଗୁଡା କେମିତି କଟେ ଜଣାନାହିଁ। ସମସ୍ତଙ୍କ ଦୁଆର ବନ୍ଦ, ସବୁ ସମୟରେ।
ରାତି ପାହିଲେ ଯୁବଗୋଷ୍ଠୀଙ୍କ ଧାଁ ଦଉଡ ଆରମ୍ଭ ହୋଇଯାଏ ମଧ୍ୟରାତ୍ରି ପର୍ଯ୍ୟନ୍ତ। ଏଠି ପ୍ରାୟ ସମସ୍ତେ କମ୍ପ୍ୟୁଟରଧାରୀ କର୍ପୋରେଟିଆ। ଭଲ ଦରମା ପାଆନ୍ତି। ଘର ପିଛା ଦୁଇଜଣ। କେବେ କେଉଁଠି ଲଙ୍ଗଳା ପିଲାଟିଏ ଦେଖାଦିଏ। ଏଠିକାର ବଡ଼ ପର୍ବ ବା’ଡେ। କେକ୍ କଟା, ବେଲୁନ ଫଟା ପ୍ରାୟ ସମସ୍ତେ ପାଳନ୍ତି। ଅଫିସ ଯାଉଥିବା ବାବୁ ବାବୁଆଣିମାନଙ୍କର ପ୍ରିୟ ପୋଷାକ ଜିନ୍ ପ୍ୟାଣ୍ଟ ଓ ଟି ସାର୍ଟ୍। ପାଦରେ ଖେଳୁଆଡ ଯୋତା। ଅଫିସ ଛୁଟି ହେଲାପରେ ହାଫ୍ ପ୍ୟାଣ୍ଟ ଜଙ୍ଘିଆ, ଗେଞ୍ଜି, ସାଣ୍ଡାଲ୍, ଚପଲ ହେଲା ନିତି ଦିନର ପୋଷାକ। ହାତରେ ମୋବାଇଲ ଓ ଗାଡ଼ି ଚାବି ବାହାରକୁ ଦିଶିବା ଆବଶ୍ୟକ। ସେ ଗାଡ଼ି ଚାବିଟା ଖାଲି ଯେ ଗାଡ଼ି ବା ସ୍କୁଟର ଷ୍ଟାର୍ଟ୍ କରେ ତା ନୁହେଁ, ଏହା ଆପାର୍ଟମେଣ୍ଟର ଲିଫ୍ଟ୍ ବୋତାମକୁ କେଞ୍ଚି କେଞ୍ଚି ଦରମଲା କରିଦିଏ। ମୋବାଇଲ ମଝିରେ ମଝିରେ ତାଳଦେଇ କେତେ କଥା କହିଥାଏ। ଏ ଆପାର୍ଟମେଣ୍ଟ ଜୀବନ ଏକ ଅଦ୍ଭୁତ ସଂସାର ରଚନା କରିଥାଏ, ଯେଉଁଟା ଗାଁ ପରିସର ଠାରୁ ଛୋଟ ହେଲେବି ଏକ ମିଛ ବଡ଼ିମା ଦେଖାଇଥାଏ।
ଏଠି ଗାଈମାନଙ୍କର ସ୍ଥାନ ନଥାଏ। କୁକୁରମାନଙ୍କ ମର୍ଯ୍ୟାଦା ବହୁତ ଉଚ୍ଚରେ ମପାଯାଇଥାଏ। ଏଠା ଲୋକମାନେ ଅନ୍ୟକୁ ବହୁ ବ୍ୟସ୍ତବହୁଳ ଜୀବନର ଚିତ୍ର ପ୍ରଦାନ କରିଥାଆନ୍ତି। ଏଠି ଲିଫ୍ଟ୍ ଭିତରେ ଇଣ୍ଟରଭ୍ୟୁ ହୋଇଥାଏ, ହଠାତ୍ ଭେଟ ହୋଇଥିବା ଝାଡୁ ପୋଛା, ବାସନମଜା ପାଇଁ ଆବଶ୍ୟକ ସହାୟିକା ସହ। ଦରମା ଛୁଟୀ ଓ କାର୍ଯ୍ୟ ଶୈଳୀ ବିଷୟରେ ଚର୍ଚ୍ଚା ହୋଇ ମୌଖିକ ନିଯୁକ୍ତି ପ୍ରଦାନ କରାଯାଇଥାଏ। ଗୃହକର୍ମ ସହାୟିକାର ସାମର୍ଥ୍ୟକୁ ସହଜ କରାଇ ଦେବାକୁ ଯାଇ ନିଜର ଆତ୍ମପରିଚୟ ବା ବାଇଓଡ଼ାଟାକୁ ସରଳ କରିଦିଆଯାଏ, ଯଥା, ‘ଆମେ ଦୁଇଜଣ’, କି ‘ଆଉ ଗୋଟିଏ ପିଲା’ କହି। ସେତିକି ବେଳେ ସେହି ସହାୟିକା ବା ମେଡ୍ର ଆଖିରେ ପ୍ରଶ୍ନ ଆସେ, ‘ଆଉ କେହି ବୁଢ଼ା ବୁଢ଼ୀ?’ ସେ ପ୍ରଶ୍ନର ଉତ୍ତର ପୂର୍ବରୁ ଦିଆଯାଇଛି, କହିଥିବା ଲକ୍ଷ୍ୟକରେ ସ୍ବାମୀ ଅଭୟାନନ୍ଦ। ‘ନାଇଁ ଆଉ କେହି ନାହିଁ। ଏମିତି, କେତେବେଳେ କେମିତି।’ ସେ ‘କେତେବେଳେ କେମିତିମାନେ’ ସେଇ ଗାଁରେ ଖୁସିରେ ଥାଇ ନିଜ ରାସ୍ତା ବାଛିନିଅନ୍ତି।
ଏ ଆପାର୍ଟମେଣ୍ଟିଆମାନଙ୍କ ଦାଣ୍ଡ ବାଡ଼ି ଅଗଣା ହୋଇଥାଏ ଚାରିଫୁଟିଆ ବାଲ୍କୋନି। ଏଠି ଛାମୁଡ଼ିଆ କି ଚାନ୍ଦୁଆ ବନ୍ଧାଯାଏନାହିଁ। ଶୁଭ କାର୍ଯ୍ୟଟିଏ ହେଲେ ପର ଦୁଆରେ ହୋଟେଲ ବଜାରରେ ଚାନ୍ଦୁଆ ବନ୍ଧାଯାଏ। ନିଜ ଆପାର୍ଟମେଣ୍ଟରେ ତାଲା ଲାଗେ। ଗାଁ’ର ସେ ଖଞ୍ଜାଶାଳ, ଅହିଆ ଚୁଲି, ରନ୍ଧା ବଢା, ହାଣ୍ଡି ହଣ୍ଡା, ସବୁ ଛୋଟହୋଇ ବାହାରକୁ ଦିଶନ୍ତି ନାହିଁ। ହୋଟେଲ ଟେବୁଲରେ ଛୋଟ ଛୋଟ ବାସନ ରେ ସଜାହୋଇ ଚାହିଁ ରହନ୍ତି ଖାଦ୍ୟାନ୍ନ ସକଳ, ଖାଦକର ପ୍ଲେଟ୍ ଚାମୁଚ ଟିସୁପେପର ଆଡ଼କୁ। ସ୍ବାମୀ ଅଭୟାନନ୍ଦର ରିସର୍ଚ୍ଚିଆ ମୁଣ୍ଡ କହେ, ଏ ଆପାର୍ଟମେଣ୍ଟିଆଙ୍କ ହାବୁଡ଼ରେ ପଡ଼ିଲେ ଯେତେ ବଡ଼ ଜିନିଷ ବି ଛୋଟ ସଂକୀର୍ଣ ହୋଇଯାଏ। ବଟବୃକ୍ଷ ବି ହୋଇଯାଏ ବାମନ ବଂଶାଇ, ଛୋଟ ମାଟି କୁଣ୍ଡରେ ଆବଦ୍ଧ ହୋଇ। ଏଠି ଗାଁରେ ପୂଜାପାଉଥିବା ବୃନ୍ଦାବତୀ , ନିତି ଆତ୍ମହତ୍ୟା କରନ୍ତି।
ଏମାନଙ୍କ ସଂକୀର୍ଣ ମନ ନିକଟରେ ଦୁନିଆର ପରିସର ବି ଛୋଟ ହୋଇଯାଏ, ଯେମିତି ଏଇ ଜୀବନ ନେଇ ବଞ୍ଚିବାକୁ ହୁଏ ଅନେକଙ୍କୁ, କହେ ସ୍ବାମୀ ଅଭୟାନନ୍ଦ। ଏକାଏକା ବସି ଗାଉଥାଏ, ”ରେ ଆତ୍ମନ୍ ନିଦ୍ରା ପରିହର, ଫେଡ଼ି ଚିନ୍ତାର ଲୋଚନ କର କର ନିରୀକ୍ଷଣ ନୀରବେ ଜୀବନ ସ୍ରୋତ ଧାଇଁଛି କିପରି?“
Wonderful Dr. Abhay Dash
ଖୁବ ସୁନ୍ଦର ଆଲୋଚନା ଓ ପର୍ୟାଲୋଚନା ସହ ବ୍ୟଙ୍ଗର ଆଭାସ ମିଳେ ଅଭୟ ବାବୁଙ୍କ ଆପାର୍ଟମେଣ୍ଟର ଦିନଲିପିରେ।
ବହୁତ ସୁନ୍ଦର ଲେଖା। ଆଜିକାଲି ଯୁଗର ଆପାର୍ଟମେଣ୍ଟର ଜୀବନ ଚର୍ଯ୍ୟାର ନିଛକ ଅବତାରଣା।
ବହୁତ ସୁନ୍ଦର ଲେଖା। ଆଜିକାଲି ଯୁଗର ଆପାର୍ଟମେଣ୍ଟର ଜୀବନ ଚର୍ଯ୍ୟାର ନିଛକ ଅବତାରଣା।
ବଢିଆ
ବହୁତ ଭଲ ଲାଗିଲା। It is the accurate description of our life in present apartment world. We the retiree s lead a different life in this space. Very nicely described
ଏଇଟା କାହା ଅନୁଭୂତି? ଡା : ଅଭୟ ଦାଶଙ୍କର ନା ମୋର? ଅଧିକାଂଶ ମୋ ଅନୁଭୂତି ଭଳିଆ ଲାଗିଲା I ପାର୍ଥକ୍ୟ : ମୁଁ ଗାଁ ରେ ରହିନି କି ପାଠ ପଢିନି I ଚମତ୍କାର ବ୍ୟଙ୍ଗାତ୍ମକ ଉପସ୍ଥାପନା I
ଜଗନ୍ନାଥଙ୍କ ଆଶୀର୍ବାଦରୁ ବା ଡେ କୁ ବଡ଼ ପର୍ବ ସ୍ଥାନ ଦେଇ ପାରିନି I ଏବେ ସୁଦ୍ଧା ମାଣ ବସା ମହାଲକ୍ଷ୍ମୀ ପୂଜା, ସାବିତ୍ରୀ ବ୍ରତ, ସଂକ୍ରାନ୍ତି, ଅମାବାସ୍ୟା, ରେଖା ପଞ୍ଚମୀ ଏବଂ ସାମ୍ବ ଦଶମୀ ଆଦିର ପାଳନ କରି ଆସୁଛି I