ଉପନପାଳି*

ଭାଷା ପାଇଁ ବିଭିନ୍ନ ପ୍ରକଳ୍ପ ଓ ସାହିତ୍ୟ ପାଇଁ ଅଲଗା ବୋଧଜ୍ଞାନ ନେଇ ସମଗ୍ର ଜନଜୀବନ ପାଇଁ ଲେଖିବାକୁ ହେବ।

ପ୍ରଶାନ୍ତ ଭୂୟାଁ

ଆମ୍ଭ ଭାଷା ହିଁ ଆମ୍ଭର ପରିଚୟ। ଆଜି ଆମ ଭାଷାର ପ୍ରାଣପିଣ୍ଡ ଓଡ଼ିଶାରେ ଯେତେବେଳେ ଭାଷା ଓ ସାହିତ୍ୟ ପାଇଁ ଅଧିକାଂଶ ଭାଷାବିଶାରଦ ଓ ସାହିତ୍ୟିକଙ୍କ ଉପନପାଳି ଅନୁଧ୍ୟାନ କରେ ସେତେବେଳେ ରଙ୍କ ତିନି ଜନମ କଥା ଜାଣିବା ନ୍ୟାୟରେ ଆପଣା ମନକୁ ତାବୁଡ଼ାଏ।
ଶାରଦୀୟ ଋତୁର ଉପସ୍ଥିତିରେ ଲେଖକ, ପ୍ରକାଶକ ଓ ପାଠକଗୋଷ୍ଠୀଙ୍କ ଅବିନାଭାବ ଦେଖିଲେ ଢଗଟିଏ ମନେ ପଡ଼େ; “ଘୋଡ଼ାଚଢ଼ା ଠଉଁ ସମ୍ପତ୍ତି ନାହିଁ, ଘରପୋଡ଼ି ଠଉଁ ବିପତ୍ତି ନାହିଁ।” ପୁସ୍ତକ, ମୁଖପତ୍ର, ପତ୍ରିକା ପ୍ରଭୃତିର ଗହଳିଚହଳିକୁ ଓଡ଼ିଆ ଭାଷାର ଘୋଡ଼ାଚଢ଼ା ବୋଧିବି ଅବା ଘରପୋଡ଼ି ବୋଲିବି; ଏହା ଭାବି କିଂକର୍ତ୍ତବ୍ୟବିମୂଢ଼ ହୁଏ।
ପ୍ରାୟାଧିକ ଲେଖକ ନିଜ ବୋଧର ରଚନାକୁ ପାଠକରଞ୍ଜନ ସାହିତ୍ୟ ନାଁରେ ପ୍ରକାଶିତ କରି ବିଭିନ୍ନ ସଞ୍ଚାର ମାଧ୍ୟମରେ ତାହାର ପ୍ରଚାର ଓ ପ୍ରସାର କରି ପାଠକଙ୍କୁ ପଢ଼ିବାକୁ ଏକ ପ୍ରକାର ବାଧ୍ୟ କରିଥାନ୍ତି। ଏହି ପାର୍ବଣ ଋତୁରେ ପାଞ୍ଚ ଦଶ ପତ୍ରପତ୍ରିକାରେ ନିଜର ଆଲେଖ୍ୟର ପ୍ରକାଶନକୁ ନିଜର ପାରିବାରପଣିଆ ବୋଧରେ ଉନ୍ମାର୍ଗଗାମୀ ହେବାରେ ପଶ୍ଚାତ୍‌ପଦ ହୁଅନ୍ତି ନାହିଁ।
ଅଧୁନାତନ ସାହିତ୍ୟ ସଂସାରର ଅବସ୍ଥା ଦେଖିଲେ ମନେ ପଡ଼େ ଭାଷାକୋଷରେ ପଢ଼ିଥିବା ସଂସ୍କୃତ ଶ୍ଲୋକାର୍ଥଟିଏ।
ହଂସାଃ ପଦ୍ମବନାଶୟା ମଧୁଲିହଃ ସୌରଭ୍ୟଲାଭାଶୟା ପାନ୍ଥା ସ୍ୱାଦୁଫଳାଶୟା ବଳିଭୁଜଃ ଗୃଧାଶ୍ଚ ମାଂସଶୟା ଦୂରଦୁନ୍ନତ ପୁଷ୍ପରାଗନିକରୈଃ ନିଃସାର ମେଥ୍ୟୋନ୍ନତୈଃ ରେ ରେ ଶାଳ୍ମଳିପାଦପ! ପ୍ରତିଦିନଂ କେ ନତ୍ୱୟା ବଞ୍ଚିତାଃ।
ନିର୍ଗୁଣ ରଙ୍ଗ ଟହଟହ ସୌନ୍ଦର୍ଯ୍ୟଜଡ଼ିତ ଓ ସ୍ୱଳ୍ପକାଳ ସୁଶୋଭିତ ରହୁଥିବା ଶିମିଳି ଫୁଲର ନିଃସାର, ମିଥ୍ୟା ଓ ଉନ୍ନତ ପୁଷ୍ପରାଗ ଦେଖି ହଂସ, ସୌରଭ ଲାଭ ଆଶାରେ ଭ୍ରମର, ସ୍ୱାଦୁଫଳ ଆଶାରେ ପଥିକ, ମାଂସଖଣ୍ଡ ଆଶାରେ କାକ ଓ ଗୃଧ୍ର ସମଗ୍ର ସଦାକାଳେ ଯେପରି ନିରାଶ ହୁଅନ୍ତି; ସେହିପରି କିଛି ବଡ଼ ନାମୀ ଲେଖକଙ୍କ ରଚନା ଦେଖି ପ୍ରକାଶକ, ଆତ୍ମପ୍ରଚେଷ୍ଟାରେ ପୁରସ୍କାର ପାଇଥିବା ଲେଖକଙ୍କ ବହି କିଣି ପାଠକ ଓ ବହିମେଳା ଓ ପ୍ରଦର୍ଶନୀର ଜାକଜମକରେ ଚିତ୍ରବିଚିତ୍ର ପ୍ରଚ୍ଛଦର ମାୟାବର୍ତ୍ତ ହୋଇ ବହି କିଣୁଥିବା ଗରାଖ ମଧ୍ୟ ସେହି ପରି ହତାଶାବୋଧ ପ୍ରାପ୍ତି ହୁଅନ୍ତି।
କେବଳ ଓଡ଼ିଆରେ ଗଳ୍ପ, କବିତା, ପ୍ରବନ୍ଧ, ଉପନ୍ୟାସ ପ୍ରଭୃତି ଲେଖି, ଛପେଇ, ପଢ଼ି ଭାଷା ଓ ସାହିତ୍ୟକୁ ସମୃଦ୍ଧି ରାସ୍ତାରେ ନେଇ ବିଶ୍ୱସାହିତ୍ୟ ମଞ୍ଚରେ ପହଞ୍ଚାଇ ପାରିବା ନାହିଁ। ଆମକୁ ଉପେନ୍ଦ୍ର ଭଞ୍ଜ, ମଧୁବାବୁ, ଗୋବିନ୍ଦ ରଥ, ଷାଠିୟା ଭାଗୀରଥି, ପ୍ରଭୃତିଙ୍କ କର୍ମଶୈଳୀରେ ଉଦ୍‌ବୁଦ୍ଧ ହେବାକୁ ହେବ। ଭାଷା ପାଇଁ ବିଭିନ୍ନ ପ୍ରକଳ୍ପ ଓ ସାହିତ୍ୟ ପାଇଁ ଅଲଗା ବୋଧଜ୍ଞାନ ନେଇ ସମଗ୍ର ଜନଜୀବନ ପାଇଁ ଲେଖିବାକୁ ହେବ। ନୂତନ ଶବ୍ଦ ସୃଷ୍ଟି, ଭାଷାର ମାନ ନିର୍ଦ୍ଧାରଣ, ନିର୍ଭୁଲ ଭାଷାକୋଷ ମୁଦ୍ରଣ, ପ୍ରାଥମିକ ଶିକ୍ଷା ସ୍ତରରୁ ଶୁଦ୍ଧ ବ୍ୟାକରଣ ଶିକ୍ଷା, ଲିପି ସଂସ୍କାର ଜାରି ରହିବାକୁ ହେବ। ଭାଷାକୁ ଶିକ୍ଷା, ପ୍ରଶାସନ ଓ ଗଣମାଧ୍ୟମରେ ଏକ ଆଦର୍ଶ ମାନଦଣ୍ଡ ରୂପେ ସ୍ଥାପନ କରି ନିତିଦିନିଆ ଜୀବନରେ ଭାଷା ଓ ସାହିତ୍ୟକୁ ସମସ୍ତଙ୍କ ଦୁଇ ହାତରେ ଧରାଇ ସେମାନଙ୍କୁ ପ୍ରଜ୍ଞାମାର୍ଗରେ ଅଗ୍ରସର ହେବାକୁ ପ୍ରେରଣା ଦେବାକୁ ହେବ।

-ପ୍ରଭୂ

* ଉପନପାଳି – ଗ୍ରାମଦେବତାଙ୍କୁ ପୂଜାସାମଗ୍ରୀ ଦେବା ନିମନ୍ତେ ଶାରଦୀୟ ଓ ବାସନ୍ତୀପୂଜାରେ ନିର୍ଦ୍ଦିଷ୍ଟ ଦିନରେ ନିର୍ଦ୍ଦିଷ୍ଟ ଗୃହସ୍ଥର ପଡ଼ିବା ପାଳି।

( ‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ନଭେମ୍ବର, ୨୦୨୪ ସଂଖ୍ୟାରେ ପ୍ରକାଶିତ ନିୟମିତ ସ୍ତମ୍ଭ। )

2 thoughts on “ଉପନପାଳି*

  1. 🌹ଚମତ୍କାର ବ୍ୟଙ୍ଗର ଗଦ୍ୟ ଚିନ୍ତନଟିଏ… ଭାବ ଉଦ୍ରେକକାରୀ

  2. ଉପନପାଳି କେବଳ ଏକ ଗଦ୍ୟ ନୁହେଁ ବରଂ ଏକ ଗବେଷଣା ସହିତ ବ୍ୟଙ୍ଗ ଛଳରେ ଅନେକ କିଛି ଭାବିବାକୁ ଦେଇଛନ୍ତି ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତି ପାଇଁ।

Leave a Reply

Your email address will not be published. Required fields are marked *