ଥାନାରୁ ଥିଏଟର

ମୁଁ ଯେପରି କହିବି, ସେହିପରି ଭାବରେ ସଂଳାପର ଆବୃତ୍ତି କରିବେ। ଆପଣଙ୍କ ଚେହେରା ଅନୁଯାୟୀ ଚମତ୍କାର ଚରିତ୍ର ଦିଆଯାଇଛି।

ସନ୍ତୋଷ କୁମାର ପଟ୍ଟନାୟକ

ପୁରୀ ଜିଲ୍ଲାରେ ପ୍ରୋବେସନର ସମୟର ପରିସମାପ୍ତି ପରେ ମୋର ସତ୍ୟବାଦୀ ଥାନାକୁ ସେକେଣ୍ଡ ଅଫିସର ଭାବେ ବଦଳି ହୋଇଥିଲା। ସେଇ ଥାନାର କାର୍ଯ୍ୟକାଳ ମୋ ପାଇଁ ଏକ ସୁଖଦ ଅନୁଭୂତି ଥିଲା। ସେହି ଅଞ୍ଚଳର ଲୋକମାନେ ବେଶ ଶିକ୍ଷିତ ଓ ସଚେତନ। ଗୁରୁତର ଅପରାଧ ପ୍ରାୟ ନ ଥିଲା। ସେଠି ପ୍ରାୟ ଦୁଇ ମାସ ପରେ ଗୋଟିଏ ବେତାର ବାର୍ତ୍ତା ପହଞ୍ଚିଥିଲା। ସେଥିରେ ଜରୁରୀ ସୂଚନା ଭାବରେ ଉଲ୍ଲେଖ ଥିଲା ଯେ କେବଳ ମତେ ପୁରୀ ରିଜର୍ଭ ଅଫିସରେ ପରଦିନ ଅପରାହ୍ଣ ତିନିଟା ସୁଦ୍ଧା ବିନା ବ୍ୟତିକ୍ରମରେ ହାଜର ହେବାକୁ ପଡିବ। ଏହି ବେତାର ବାର୍ତ୍ତାଟି କେବଳ ମୋ ପାଇଁ ଥିବାରୁ ମୁଁ ଟିକେ ଉଦ୍‌ବିଗ୍ନ ଥିଲି। କେବଳ ମତେ କାହିଁକି ଡକାଯାଇଛି, ତା’ର କାରଣ ଜାଣିବାକୁ ମୁଁ ଉତ୍ସୁକ ଥିଲି। ବିଭିନ୍ନ ସୂତ୍ରରୁ ଖବର ପାଇଥିଲି ଯେ, ପୁରୀ ଜିଲ୍ଲା ପୁଲିସ ତରଫରୁ ଗୋଟିଏ ନାଟକ ପୁରୀ ସହରରେ ଥିବା ଅନ୍ନପୂର୍ଣ୍ଣା ଥିଏଟରରେ ମଞ୍ଚସ୍ଥ ହେବାକୁ ଯାଉଛି। ସେଇ ନାଟକରେ ଅଭିନୟ କରିବା ପାଇଁ ବିଭିନ୍ନ ଚରିତ୍ରର ଶାରୀରିକ ମାନଦଣ୍ଡ ସହିତ ଖାପ ଖାଉଥିବା ଅଫିସର ଓ ଜୱାନମାନଙ୍କୁ ମନୋନୟନ ପାଇଁ ଏହି ବେତାର ବାର୍ତ୍ତା ସମଗ୍ର ଜିଲ୍ଲାକୁ ପ୍ରେରିତ ହୋଇଥିଲା।

ପତିତପାବନ
ନାଟକଟିର ନାମ ‘ପତିତପାବନ’ ରଖାଯାଇଥିଲା। ଏହା ଜାଣିବା ପରେ ମୁଁ ସାମାନ୍ୟ ଆଶ୍ୱସ୍ତ ହୋଇଥିଲି। ପରଦିନ ଯଥା ସମୟରେ ପୁରୀ ରିଜର୍ଭ ଅଫିସରେ ପହଞ୍ଚିଥିଲି। ଅନେକ ପୁଲିସ କର୍ମଚାରୀ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସି ଏକାଠି ହୋଇଥିଲେ। କିଛି ସମୟ ପରେ ରିଜର୍ଭ ଆର.ଆଇ. ମିଶ୍ର ସାର୍‌, ଡି.ଏସ୍‌.ପି ମହାପାତ୍ର ସାର୍ ଓ ତାଙ୍କ ସାଙ୍ଗରେ ଖୁବ୍ ଲମ୍ବା ପଞ୍ଜାବୀ ପିନ୍ଧିଥିବା ଜଣେ ଦୀର୍ଘକାୟ ଭଦ୍ରଲୋକ ପହଞ୍ଚିଥିଲେ। ଆମକୁ ସଙ୍ଗେ ସଙ୍ଗେ ରିଜର୍ଭ ପଡ଼ିଆରେ ଗୋଟିଏ ଧାଡ଼ିରେ ଠିଆ ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା, ଯାହାକୁ ପୁଲିସ ଭାଷାରେ ‘ଫଲ୍ ଇନ୍‌’ ବୋଲି କୁହାଯାଏ। କ୍ରମେ ଜାଣିବାକୁ ପାଇଥିଲି ଯେ, ସେ ଦୀର୍ଘକାୟ ଭଦ୍ରଲୋକ ଜଣକ ଏହି ନାଟକର ନିର୍ଦ୍ଦେଶକ ଓ ଲେଖକ ମଧ୍ୟ। ସେ ଲମ୍ବା ତାଲିକା ଥିବା ଗୋଟିଏ କାଗଜ ହାତରେ ଧରିଥିଲେ। ଆମେ ଠିଆ ହୋଇଥିବା ଧାଡ଼ିର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖକୁ ଯାଇ ଆପାଦମସ୍ତକ ନିରୀକ୍ଷଣ କରି ଯାହାକୁ ବାଛୁଥିଲେ ଅଲଗା ଠିଆ ହେବାକୁ ସଂକେତ ଦେଉଥିଲେ। ମୋ କ୍ଷେତ୍ରରେ ମଧ୍ୟ ତାହା ହୋଇଥିଲା। ଆମେ ଯେଉଁ କେତେଜଣ ନିର୍ଦ୍ଦେଶକଙ୍କ ଦ୍ୱାରା ମନୋନୀତ ହୋଇଥିଲୁ, ଜାଣୁଥିଲୁ ଯେ ଆମକୁ ନାଟକର କୌଣସି ନା କୌଣସି ଚରିତ୍ରରେ ଅଭିନୟ କରିବାକୁ ହେବ।
ମୁଁ ସେ ପର୍ଯ୍ୟନ୍ତ ହାଇସ୍କୁଲ, କଲେଜ କିମ୍ବା ବିଶ୍ୱବିଦ୍ୟାଳୟ ସ୍ତରରେ କୌଣସି ଅଭିନୟର ଅନୁଭୂତି ନ ଥିଲା। କେଜାଣି କାହିଁକି ମୋ ମନ ଭିତରେ ଏକ ଅଜଣା ଶଙ୍କା ଉଙ୍କିମାରୁଥିଲା।
ନିର୍ଦ୍ଦେଶକଙ୍କ ବିଷୟରେ ଶୁଣିଲି ଯେ, ଅଭିନୟ ଜଗତରେ ସେ ଜଣେ ବିଖ୍ୟାତ ଓ ଲବ୍ଧପ୍ରତିଷ୍ଠ ବ୍ୟକ୍ତିତ୍ୱ। ଅନ୍ନପୂର୍ଣ୍ଣା ଥିଏଟରର ଅନେକ ନାଟକର ସଫଳ ରୂପାୟନ ତଥା କେତୋଟି ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ ସେ ନିର୍ଦ୍ଦେଶନା ଦେଇଛନ୍ତି। ଆଇ.ଜି. ସାହେବ ଯେ କି ଏହି ନାଟକ ପ୍ରଯୋଜନାର ସର୍ବେସର୍ବା ଥିଲେ ତାଙ୍କ ସହିତ ନିର୍ଦ୍ଦେଶକ ମହାଶୟଙ୍କର ବ୍ୟକ୍ତିଗତ ବନ୍ଧୁତା ଥିଲା। ଏ ସମ୍ବନ୍ଧରେ ଆମକୁ ଆଗରୁ ସତର୍କ କରାଇ ଦିଆଯାଇଥିଲା। ରିଜର୍ଭ ପଡ଼ିଆରେ ଏହି କଳାକାର ମନୋନୟନ କାର୍ଯ୍ୟକ୍ରମର ପରିସମାପ୍ତି ପରେ ଆମକୁ ଜଣାଇ ଦିଆଯାଇଥିଲା ଯେ, ଏହି ନାଟକର ପ୍ରାଥମିକ କାର୍ଯ୍ୟକ୍ରମ ସରିଗଲା। ଆସନ୍ତାକାଲିଠାରୁ ସନ୍ଧ୍ୟା ସମୟରୁ ପ୍ରାୟ ଦଶଦିନ ପର୍ଯ୍ୟନ୍ତ ଏହାର ପୂର୍ବାଭ୍ୟାସ କରାଯିବ। ଆରମ୍ଭରୁ କାହାର କିଛି ସମସ୍ୟା ଥିଲେ ଜଣାଇଲେ ତାହା ଦୂର କରାଯିବ। ପୁରୀରୁ ସତ୍ୟବାଦୀ ଥାନାକୁ ଫେରିଲାବେଳେ ବିଭିନ୍ନ ପ୍ରକାରର ଚିନ୍ତା ମୋ ମନ ଭିତରେ ପଶୁଥିଲା। କେଉଁ ଚରିତ୍ର ମତେ ଅଭିନୟ କରିବାକୁ ମିଳିବ ଓ ସେଥିରେ ମୋର ଅଭିନୟ ଜଣେ ଅଭିଜ୍ଞ ନିର୍ଦ୍ଦେଶକଙ୍କୁ ସନ୍ତୁଷ୍ଟ କରିପାରିବି କି ନାହିଁ ଦ୍ୱନ୍ଦ୍ୱରେ ଥିଲି।
ମନେମନେ ସ୍ଥିର କଲି ଯେ, ଆସନ୍ତାକାଲି ପୁରୀ ରିଜର୍ଭ ଅଫିସରେ ଟିକେ ଆଗୁଆ ପହଞ୍ଚି ଏହି ନାଟକରୁ ଅବ୍ୟାହତି ପାଇବା ପାଇଁ ଚେଷ୍ଟା କରିବି। ପୁରୀ ଜିଲ୍ଲାରେ ଚାକିରି ଆରମ୍ଭରୁ ଆର.ଆଇ. ମିଶ୍ର ସାରଙ୍କ ସହିତ ଭଲ ସମ୍ପର୍କ ଥିଲା। ସେ ମତେ ସାନଭାଇ ପରି ସ୍ନେହ କରୁଥିଲେ। ପୁରୀ ରିଜର୍ଭ ଲାଇନରେ ତାଙ୍କ ଅଫିସ ରୁମ୍‌ରେ ପହଞ୍ଚିବା ପରେ ମତେ ଦେଖି ବେଶ୍ ଖୁସି ହୋଇଥିଲେ।
ମୁହଁରେ ବୋଳିନି ରଙ୍ଗ
ସେତେବେଳେ ଅଫିସ ରୁମ୍‌ରେ ଆଉ କେହି ନ ଥିଲେ। ନିବେଦନ କଲାପରି ତାଙ୍କୁ କହିଥିଲି, “ସାର୍‌, ଏ ପର୍ଯ୍ୟନ୍ତ ମୋ ଜୀବନରେ କେବେ ମଧ୍ୟ ମୁହଁରେ ରଙ୍ଗବୋଳି କୌଣସି ଛୋଟ ବା ବଡ଼ ନାଟକରେ ଅଭିନୟ କରିବାର ଅନୁଭୂତି ମୋର ନାହିଁ।” ନିର୍ଦ୍ଦେଶକ ମହାଶୟ ଅଫିସ ରୁମ୍‌କୁ ପ୍ରବେଶ କରିଥିଲେ। ମତେ ଦେଖାଇ ତାଙ୍କୁ ମିଶ୍ର ସାର୍ କହିଥିଲେ, “ଏ ହେଉଛନ୍ତି ସତ୍ୟବାଦୀ ଥାନାର ଉଦୀୟମାନ ଯୁବ ସେକେଣ୍ଡ ଅଫିସର ଯାହାଙ୍କୁ ଆପଣ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିବାକୁ ମନୋନୀତ କରିଛନ୍ତି। କିନ୍ତୁ ତାଙ୍କର କହିବା କଥା ହେଲା ସେ କେବେ ମଧ୍ୟ କୌଣସି ନାଟକରେ ଅଭିନୟ କରିନାହାନ୍ତି।” ନିର୍ଦ୍ଦେଶକ ମହାଶୟ ମତେ ଚାହିଁ ପଚାରିଥିଲେ କେବେ ମଧ୍ୟ କୌଣସି ନାଟକରେ ଅଭିନୟ କରିନାହାନ୍ତି? ମୁଁ ସାମାନ୍ୟ ଉତ୍ସାହିତ ହୋଇ ହଁ ମାରିଥିଲି। ମତେ ବିସ୍ମିତ କରି ସେ କହିଥିଲେ, “ତା’ହେଲେ ତ ଆପଣ ସୁନ୍ଦର ଅଭିନୟ କରିପାରିବେ। ମୁଁ ଯେପରି କହିବି, ସେହିପରି ଭାବରେ ସଂଳାପର ଆବୃତ୍ତି କରିବେ। ଆପଣଙ୍କ ଚେହେରା ଅନୁଯାୟୀ ଚମତ୍କାର ଚରିତ୍ର ଦିଆଯାଇଛି।” ମୁଁ ଆଉ କ’ଣ କହିବି ଭାବିବା ଆଗରୁ ମିଶ୍ର ସାର୍ କଲିଂ ବେଲ୍ ମାରିଥିଲେ, ଜଣେ କନେଷ୍ଟବଳ ଗୋଟିଏ ମଟର ସାଇକେଲର ଚାବି ଆଣି ତାଙ୍କୁ ଦେଇଥିଲେ। ମୋ ହାତକୁ ସେ ଚାବିଟା ବଢ଼ାଇ ଦେଇ କହିଥିଲେ ଆପଣଙ୍କୁ ଏହି ନାଟକ ମଞ୍ଚସ୍ଥ ହୋଇସାରିବା ପର୍ଯ୍ୟନ୍ତ ଅନ୍ୟ କୌଣସି ସରକାରୀ କାର୍ଯ୍ୟ ଦିଆଯିବ ନାହିଁ। ଏ ମଟର ସାଇକେଲ କେବଳ ଆପଣଙ୍କୁ ସତ୍ୟବାଦୀରୁ ପୁରୀ ଆସି ନାଟକରେ ପୂର୍ବାଭ୍ୟାସ କରିବା ଓ ରାତିରେ ଫେରିବା ପାଇଁ ଦିଆଗଲା। ଏସବୁ ବ୍ୟବସ୍ଥା ଆଇ.ଜି. ସାହେବଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶକ୍ରମେ କାର୍ଯ୍ୟକାରୀ ହେଉଛି। ମିଶ୍ର ସାରଙ୍କ କଥା ନ ସରୁଣୁ ନିର୍ଦ୍ଦେଶକ ମୋ ହାତକୁ ଥାକେ ଫଟୋକପି ହୋଇଥିବା କାଗଜ ବଢ଼ାଇ ଦେଇଥିଲେ ଓ କହିଥିଲେ “ଏଥିରେ ନାଟକର ପୃଷ୍ଠଭୂମି, ଆପଣ ଅଭିନୟ କରିବାକୁ ଥିବା ଚରିତ୍ରର ବିଶେଷତ୍ୱ ତଥା ସଂଳାପ କ୍ରମାନ୍ୱୟରେ ଅଛି। ସଂଳାପଗୁଡ଼ିକୁ ମନେ ରଖିବେ କାରଣ ମୁଁ ଚାହେଁ ନାହିଁ ଯେ ମଞ୍ଚର ପରଦା ପଛରେ କେହି ସ୍ମାରକ ରହୁ। ଆଇ.ଜି. ସାହେବଙ୍କ ନିର୍ଦ୍ଦେଶ ଏହି ନାଟକ ସ୍ୱୟଂସମ୍ପନ୍ନ ଓ ତ୍ରୁଟିଶୂନ୍ୟ ହେଉ।” ମୁଁ ତାଙ୍କର ଉପଦେଶ ନିରବରେ ଶୁଣୁଥିଲି। ମୋ ପାଖରେ ଆଉ କୌଣସି ଅବଲମ୍ବନ ନ ଥିଲା। ସଂଳାପକୁ ମୁଖସ୍ଥ କରିବା ଓ ନିର୍ଭୁଲ ଅଭିନୟ ପାଇଁ ଯଥାସମ୍ଭବ ଚେଷ୍ଟା କରିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇ ରହିଲି।
ନାଟକର ଷ୍ଟେଜ୍ ରିହର୍ସାଲ୍ ପ୍ରାୟ ତିନି ଦିନ ଅଛି, ମୋର ଜଣେ ସହକର୍ମୀ ତଥା ସେହି ନାଟକର ଜଣେ ଅଭିନେତା ନନ୍ଦବାବୁଙ୍କର ଫୋନ ପାଇଥିଲି। “ସାର ଆଜି ସଂଧ୍ୟାରେ ଲେଡି ଆର୍ଟିଷ୍ଟମାନେ ଆସି ପହଞ୍ଚିଛନ୍ତି। ସେମାନଙ୍କ ସାଙ୍ଗେ ମିଶି ଆଜିଠାରୁ ଆମର ରିହର୍ସାଲ୍ ଆରମ୍ଭ ହେବ।” ଯେହେତୁ ପୁରୀ ଜିଲ୍ଲା ପୁଲିସ ବିଭାଗରେ ନାରୀ ଅଭିନେତ୍ରୀ ମିଳିବା ଅସମ୍ଭବ ଥିଲା, ତେଣୁ ନିର୍ଦ୍ଦେଶକ ମହୋଦୟଙ୍କ ପ୍ରଚେଷ୍ଟାରେ କେତେଜଣ ଥିଏଟରର ଲେଡି ଆର୍ଟିଷ୍ଟଙ୍କୁ ଅଣାଯାଇଥିଲା। ମୁଁ ରିଜର୍ଭ ଅଫିସରେ ପହଞ୍ଚିଲା ବେଳକୁ ପୁଲିସ ବିଭାଗର ସମସ୍ତ ଅଭିନେତା ପହଞ୍ଚି ସାରିଥିଲେ। ବାହାରୁ ଆସିଥିବା ଅଭିନେତ୍ରୀମାନେ ମଧ୍ୟ ସେଠାରେ ଥିଲେ।
ସେମାନଙ୍କୁ ବସିବା ପାଇଁ ଏକ୍‌ଜିକ୍ୟୁଟିଭ ଚେୟାର ଦିଆଯାଇଥିଲା। ଊଣା ଅଧିକେ ପ୍ରାୟ ସମସ୍ତେ ଆକର୍ଷଣୀୟ ଲାଗୁଥିଲେ। ନିଜ ପାଇଁ ଲିଖିତ ସଂଳାପ କାଗଜକୁ ହାତରେ ଧରି ପରସ୍ପର ମଧ୍ୟରେ ମୃଦୁ ସ୍ୱରରେ କଥାବାର୍ତ୍ତା କରୁଥିଲେ। ତାଙ୍କ ସାମ୍ନାରେ ବସିଥିବା ଆମ ପରି ନୂତନ ଓ ଅନଭିଜ୍ଞ ଅଭିନେତାମାନଙ୍କୁ ଚାହିଁ କିଏ କେଉଁ ଚରିତ୍ରରେ ଅଭିନୟ କରୁୁଛି, ଜାଣିବାକୁ ବୋଧହୁଏ ଚେଷ୍ଟା କରୁଥିଲେ। ସେମାନଙ୍କ ମଝିରେ ବସିଥିବା ଜଣେ ଉଜ୍ୱଳ ଶ୍ୟାମଳବର୍ଣ୍ଣ ସୁଦର୍ଶନା ତରୁଣୀଙ୍କ ଦୃଷ୍ଟି ଆମ ସମସ୍ତଙ୍କୁ ଦେଖିବା ପରେ ମୋ ଉପରେ କେତେ ସେକେଣ୍ଡ ପାଇଁ ରହିଯାଇଥିଲା। ସେ ଶିକ୍ଷିତ ଓ ଭଦ୍ର ପରି ଜଣାପଡୁଥିଲେ। ମୋର ହୃଦ୍‌ବୋଧ ହେଉଥିବା ଏ ବୋଧେହୁଏ ସେଇ ଅଭିନେତ୍ରୀ ଯାହାଙ୍କ ସହିତ ମୋର ଗୋଟିଏ ଦୃଶ୍ୟର ପ୍ରେମ ଓ ସମ୍ବେଦନାପୂର୍ଣ୍ଣ ଉକ୍ତି ଓ ପ୍ରତ୍ୟୁକ୍ତିର ସଂଳାପ ଅଛି।

ମୋ ପାଇଁ ସଂଳାପ
ମୋ ପାଇଁ ଦୃଶ୍ୟର ପୃଷ୍ଠଭୂମି ଯାହା ଲେଖାଯାଇଥିଲା, ତାହା ହେଉଛି, ଶ୍ରୀକ୍ଷେତ୍ରର ବେଳାଭୂମିର ଏକ ନିର୍ଜନ ସ୍ଥାନରେ ଉତ୍କଳର ରାଜପୁତ୍ର ଭାଗୀରଥି କୁମାରଙ୍କ ସହିତ ଏକ ସୁନ୍ଦରୀ ଲଳନାର ଅଚାନକ ସାକ୍ଷାତ୍ ହୋଇଯାଇଥିଲା। ସେଇ ଦୃଶ୍ୟର ସଂଳାପ ମୋଟାମୋଟି ନିମ୍ନୋକ୍ତ ପ୍ରକାରେ ଥିଲା।
ଭାଗୀରଥି କୁମାର : ତୁମେ କିଏ ସୁନ୍ଦରୀ? ଦେବୀ ନା ମାନବୀ? ଏ ନିର୍ଜନ ବେଳାଭୂମିରେ ଏକାନ୍ତରେ କ’ଣ କରୁଛ? ମୁଁ ଉତ୍କଳ ଗଜପତିଙ୍କର ଦାୟାଦ ଭାଗୀରଥି କୁମାର।
ନାୟିକା : ମୁଁ ଆପଣଙ୍କୁ ଚିହ୍ନିପାରିଲି କୁମାର। ଆପଣଙ୍କ ଦର୍ଶନ ପାଇ, ତାହା ମୋର ଅଶେଷ ସୌଭାଗ୍ୟ ବୋଲି ମନେ କରୁଛି।
ଭାଗୀରଥି କୁମାର : ହେ ସୌନ୍ଦର୍ଯ୍ୟର ପ୍ରତିମା। ତୁମେ କେତେ ସୁନ୍ଦର ନିଜେ ଜାଣ ନାହିଁ। ଇନ୍ଦ୍ରଧନୁ ପରି ଭ୍ରୂଲତା ତଳେ ଥିବା ତୁମର ଚକ୍ଷୁରେ ମୁଁ ନୀଳ ସମୁଦ୍ରର ଅତଳ ଗଭୀରତା ଅନୁଭବ କରି ପାରୁଛି। ମନେହୁଏ ବିଧାତା ତୁମକୁ ଗଢ଼ିଲା ବେଳେ ସାମାନ୍ୟତମ ତ୍ରୁଟି କରିନାହାନ୍ତି। ପ୍ରଥମ ଦର୍ଶନରେ ତୁମେ ମୋର ହୃଦୟର ସିଂହାସନ ଅଧିକାର କରିସାରିଛ ଦେବୀ। ଦୟାକରି ନିଜର ପରିଚୟ ପ୍ରଦାନ କର।
ନାୟିକା : (ପଛକୁ ଘୁଞ୍ଚିଯାଇ) ମୁଁ ଦୁଃଖିତ କୁମାର। ମୁଁ ଏକ ଅଭିଶପ୍ତା ନାରୀ।
ଭାଗୀରଥି କୁମାର : ଅଭିଶପ୍ତା! ମତେ ଆଶ୍ଚର୍ଯ୍ୟ ଲାଗୁଛି ଯେ, ତୁମ ପରି ଅନିନ୍ଦ୍ୟ ସୁନ୍ଦରୀ ଅଭିଶାପ ଗ୍ରସ୍ତ କିପରି?
ନାୟିକା : ମୁଁ ଏକ ବିଧବା ନାରୀ କୁମାର! ମୋର ଦୁର୍ଭାଗ୍ୟ ଆପଣଙ୍କର ଅଯାଚିତ ପ୍ରେମ ଓ ପ୍ରୀତିର ପ୍ରତିଦାନ ଦେବାକୁ ମୁଁ ଅସମର୍ଥ।
ଭାଗୀରଥି କୁମାର : (ଆଗକୁ ଯାଇ ନାୟିକାର ହାତକୁ ଧରି) ତୁମକୁ ମୋ ସହିତ ଶ୍ରୀନଅର ଯିବାକୁ ହେବ ଦେବୀ। ଭବିଷ୍ୟତରେ ମୁଁ ତୁମକୁ ଉତ୍କଳର ପାଟରାଣୀଙ୍କ ଆସନ ଦେବାକୁ ଅଙ୍ଗୀକାର ବଦ୍ଧ।…..
ଏହା ପରେ ନାୟିକାଙ୍କୁ ଅଶ୍ୱପୃଷ୍ଠକୁ ଉଠାଇ ରାଜପୁତ୍ରଙ୍କର ପ୍ରସ୍ଥାନ, ଯାହା ମଞ୍ଚ ପରଦାରେ ଛାୟା ଆଲୋକ ଓ ଶବ୍ଦ ଦ୍ୱାରା ପ୍ରଦର୍ଶିତ ହେଉଥିଲା। ଅନ୍ନପୂର୍ଣ୍ଣା ପରି ଖ୍ୟାତିସମ୍ପନ୍ନ ରଙ୍ଗମଞ୍ଚରେ ଜଣେ ଅଭିଜ୍ଞ ଅଭିନେତ୍ରୀଙ୍କ ସମ୍ମୁଖରେ ଏହି ପ୍ରେମ ଓ ଅନୁରାଗପୂର୍ଣ୍ଣ ସଂଳାପର ବାରମ୍ବାର ଆବୃତ୍ତି କରି ମୋର ସ୍ନାୟୁଗୁଡ଼ିକ ଉତ୍ତେଜିତ ହେଲାପରି ମତେ ମନେ ହେଉଥିଲା।
ଦ୍ୱିତୀୟ ଦିନର ଅଭ୍ୟାସ
ମଞ୍ଚ ଉପରେ ଦ୍ୱିତୀୟ ଦିନର ଅଭ୍ୟାସ ମୋ ପାଇଁ ଏପରି ଏକ ବିପର୍ଯ୍ୟୟ ଆଣିବ, ମୁଁ ଭାବି ନ ଥିଲି। ମୋର ଅଭିନୟର ସମସ୍ତ ସଂଳାପ କଣ୍ଠସ୍ଥ ଥିଲା। ପ୍ରତିଟି ଶବ୍ଦର ସ୍ପଷ୍ଟ ଓ ନିର୍ଭୁଲ ଉଚ୍ଚାରଣ ପାଇଁ ମୁଁ ଯତ୍ନବାନ ଥିଲି। ଦ୍ୱିତୀୟ ଦିନର ଷ୍ଟେଜ ଅଭ୍ୟାସ ପରେ ନିର୍ଦ୍ଦେଶକ ମତେ ଗ୍ରୀନ୍‌ରୁମ୍‌କୁ ଡକାଇଥିଲେ। କହିଥିଲେ “ଆପଣଙ୍କ ସଂଳାପର ଆବୃତ୍ତି ନିରସ ଲାଗୁଛି। ଶବ୍ଦ ଉଚ୍ଚାରଣରେ ପ୍ରେମ, ଆବେଗ ଓ ଭାବପ୍ରବଣତା ଆଣନ୍ତୁ। ସଂଳାପରେ କେତେ ସୁନ୍ଦର ଶବ୍ଦ ସଂଯୋଜନା ହୋଇଛି, ଆପଣ ତାକୁ ସମ୍ବାଦ ପଢ଼ିଲା ପରି କହିଯାଉଛନ୍ତି।” ଯାହା ଭୟ କରୁଥିଲି ଘଟଣାକ୍ରମ ସେଇ ଦିଗକୁ ଗଲା ପରି ମତେ ଲାଗୁଥିଲା। ମନେ ମନେ ପ୍ରାର୍ଥନା କରୁଥିଲି ଏହା ଆଇ.ଜି. ସାହେବଙ୍କ ଦୃଷ୍ଟିକୁ ଯେପରି ନ ଆସୁ। ମୋର ସହକର୍ମୀ ଓ ଶୁଭାକାଂକ୍ଷୀ ନନ୍ଦବାବୁ ମୋ ପାଖରେ ଠିଆ ହୋଇ ସବୁ ଶୁଣୁଥିଲେ। ମୋ କାନରେ କହିଥିଲେ “ସାର୍ ଆଜି ରାତ୍ରିଭୋଜନ ପାଇଁ ନିର୍ଦ୍ଦେଶକଙ୍କୁ ଗୋଟିଏ ଭଲ ହୋଟେଲକୁ ଡାକିଦେବା। ସେଠି ମୁଁ ଆମିଷ ଓ ନିରାମିଷର ସମସ୍ତ ପ୍ରକାର ବ୍ୟଞ୍ଜନର ବ୍ୟବସ୍ଥା କରୁଛି। ଶେଷରେ ମିଷ୍ଟାନ୍ନ।” ସେ ବାହାରକୁ ଯାଇ କିଛି ସମୟ ପରେ ଆସି କହିଥିଲେ, “ଆଜ୍ଞା ସବୁ ବ୍ୟବସ୍ଥା ହୋଇଯାଇଛି।” ଆମେ ଦୁଇଜଣ ନିର୍ଦ୍ଦେଶକଙ୍କ ପାଖକୁ ଯାଇଥିଲୁ। ନନ୍ଦବାବୁ ତାଙ୍କୁ କହିଥିଲେ “ଆଜ୍ଞା କେତେ ସେ କ୍ୟାଣ୍ଟିନରେ ରୁଟି, ଡାଲମା, ଭଜା, ଖାଇବା? ଆଜି ଆମ ସାଙ୍ଗରେ ଆସନ୍ତୁ ହୋଟେଲରେ ଖାଇବା।” ପୁଲିସ ଜିପ୍‌ରେ ହୋଟେଲରେ ପହଞ୍ଚିବା ପରେ ଆମକୁ ସ୍ୱତନ୍ତ୍ର ଗୁରୁତ୍ୱ ଦେଇ ଯତ୍ନର ସହିତ ବ୍ୟଞ୍ଜନ ପରେ ବ୍ୟଞ୍ଜନ ପରଷା ଯାଇଥିଲା। ମୁଁ ଯାହା ଅନୁଭବ କରିଥିଲି, ନିର୍ଦ୍ଦେଶକ ମହାଶୟ ଟିକେ ଖାଦ୍ୟପ୍ରିୟ। ଭୋଜନ ମଝିରେ ନନ୍ଦବାବୁ ନାଟକ କଥା ପକାଇ ଶେଷରେ ମୋର ଅଭିନୟ ବିଷୟ ଆଲୋଚନା ମଧ୍ୟକୁ ଆଣିଥିଲେ।
ସହାନୁଭୂତିଶୀଳ ନିର୍ଦ୍ଦେଶକ
ସେତେବେଳେକୁ ନିର୍ଦ୍ଦେଶକ ମହାଶୟ ମୋ ପ୍ରତି ଟିକେ ସହାନୁଭୂତିଶୀଳ ହୋଇସାରିଥିଲେ। ମତେ ଦେଖାଇ ନନ୍ଦବାବୁଙ୍କୁ କହିଥିଲେ, “ଆପଣଙ୍କ ବନ୍ଧୁ ଅଭିନୟ ପୋଷାକରେ ପ୍ରକୃତ ରାଜକୁମାର ପରି ଦେଖାଯାଉଛନ୍ତି। ଠାଣି, ଚାଲି, ସବୁ କିଛି ରାଜକୀୟ; କେବଳ ସଂଳାପ ଆବୃତ୍ତିରେ ତାଙ୍କର ଟିକେ ଦ୍ୱନ୍ଦ୍ୱ ଓ ସଂକୋଚ ରହୁଚି।” ମତେ ଚାହିଁ ପଚାରିଲେ “ଆପଣଙ୍କ ଅସୁବିଧା କ’ଣ?” ମୁଁ ଭାବିଲି ସତ କହିବା ଉଚିତ ହେବ। ମୁଁ କହିଥିଲି “ଆଜ୍ଞା ନାୟିକାଙ୍କର ସଂଳାପର ନମ୍ର ଉଚ୍ଚାରଣ ଓ ଅଭିବ୍ୟକ୍ତି ଏତେ ଜୀବନ୍ତ ଲାଗୁଛି ଯେ ତାଙ୍କ ସହିତ ତାଳ ଦେଇ ସଂଳାପ କହିବା ମୋ ପାଇଁ କଷ୍ଟକର ହୋଇପଡ଼ୁଛି।” ସେ କହିଲେ “ସେଇଟା ତ ଅଭିନୟର କଳା, ସେ ଜଣେ ଦକ୍ଷ ଆର୍ଟିଷ୍ଟ୍‌। ଆପଣ ଗୋଟିଏ କାମ କରନ୍ତୁ ଯେତେବେଳେ ଆପଣଙ୍କର ସେ ଦୃଶ୍ୟ ଆସିବ, ସେ ନାୟିକାଙ୍କର ମୁହଁକୁ ନ ଚାହିଁ କେବଳ ସେଇ ଦିଗକୁ ଚାହିଁ ସଂଳାପର ଆବୃତ୍ତି କରନ୍ତୁ, ଭାବି ନିଅନ୍ତୁ ସେଇ ମୁହୂର୍ତ୍ତ ପାଇଁ ପ୍ରକୃତରେ ତା’ ପ୍ରେମରେ ପଡ଼ିଯାଇଛନ୍ତି। ଆପଣ ଅନ୍ନପୂର୍ଣ୍ଣା ଥିଏଟରରେ ଅଭିନୟର ସୁଯୋଗ ପାଇଛନ୍ତି, ଏହା ସାଧାରଣ କଥା ନୁହେଁ।” ଶେଷକୁ କହିଥିଲେ “ଆପଣ ସଂଗୀତା (ମୋର ସହ-ଅଭିନେତ୍ରୀ)ର ହାତକୁ ଦୃଶ୍ୟର ଶେଷ ଭାଗକୁ ଶକ୍ତ ଭାବରେ ଧରିବେ, ଆଜି ପରି ଏତେ ଧୀର ଭାବରେ ନୁହଁ। କାରଣ ସେ ଦୃଶ୍ୟରେ ଅଛି, ଆପଣ ତାଙ୍କୁ ଅଶ୍ୱପୃଷ୍ଠରେ ନେଇ ଚାଲିଯାଉଛନ୍ତି। ଆପଣ ତାକୁ ଭୂମି ଉପରୁ ଉଠାଇବା ପରେ ମଞ୍ଚ ଅନ୍ଧାକାର ହେବ।” ନିର୍ଦ୍ଦେଶକଙ୍କଠାରୁ ଏତେ ସବୁ ଉପଦେଶ ଶୁଣିବା ପରେ ଭାରାକ୍ରାନ୍ତ ମନରେ ବଡ଼ଦାଣ୍ଡକୁ ଆସି ଶ୍ରୀମନ୍ଦିର ଚୂଡ଼ାକୁ ଅନାଇ ନିରବ ପ୍ରାର୍ଥନା କରିଥିଲି, “ପ୍ରଭୁ ମୁଁ ଉପଯୁକ୍ତ ଅଭିନୟ ପାଇଁ ଆପ୍ରାଣ ଚେଷ୍ଟା କରିବି, ଫଳାଫଳ ଆପଣଙ୍କ ଇଚ୍ଛା।”
ନାଟକ ମଞ୍ଚସ୍ଥ ହେବା ଦିନ ଗ୍ରୀନ୍‌ରୁମ୍‌କୁ ଗଲାବେଳେ ଲକ୍ଷ୍ୟ କରିଥିଲି ଦର୍ଶକଙ୍କର ପ୍ରବଳ ଭିଡ଼। ମେକଅପ୍ ହୋଇ ଯଥା ସମୟରେ ଅଭିନୟ ପାଇଁ ମଞ୍ଚକୁ ପ୍ରବେଶ କରିଥିଲି। ମୋ ମୁହଁର ଆଗ, ପଛ ଓ ପାର୍ଶ୍ବରୁ ପଡୁଥିବା ବିଭିନ୍ନ ରଙ୍ଗଳ ଉଜ୍ଜ୍ୱଳ ଆଲୋକର ସ୍ରୋତରେ ମୁଁ କିଛି ଦେଖିପାରୁ ନ ଥିଲି। ସହ-ଅଭିନେତ୍ରୀଙ୍କ ମୁହଁକୁ ନ ଚାହିଁ ଧୀରେ ଧୀରେ ମୋ ସଂଳାପ ସମାପ୍ତ କରିଥିଲି। ଶେଷ ଦୃଶ୍ୟରେ ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ ଅଭିନେତ୍ରୀଙ୍କୁ ଦୃଢ଼ ଭାବରେ ଧରି ତଳୁ କେତେ ଇଞ୍ଚ ଉଠାଇ ଦେଇଥିଲି। ମଞ୍ଚ ଅନ୍ଧକାର ହେବା ଆଗରୁ ମୁଁ କେତେ ସେକେଣ୍ଡ ପାଇଁ ଅଭିନେତ୍ରୀଙ୍କ ମୁହଁକୁ ଅତି ପାଖରୁ ଦେଖିପାରିଥିଲି। ତାଙ୍କର ଚକ୍ଷୁ ଦୁଇଟିରେ ବିସ୍ମୟର ଲହରି ଥିଲା। ମୋର ଶେଷ ଦୃଶ୍ୟ ପରେ ଦର୍ଶକଙ୍କ କରତାଳି ମତେ ଆଶ୍ଚର୍ଯ୍ୟ କରିଥିଲା। ନନ୍ଦବାବୁ ମୋ ପାଖକୁ ଆସି ଖୁସିରେ କହିଥିଲେ, “ଆଜି ଆପଣଙ୍କ ଅଭିନୟ ଜଣେ ପ୍ରବୀଣ ଅଭିନେତାଙ୍କ ପରି ହୋଇଛି। ଡାଇରେକ୍ଟର ମଧ୍ୟ ସନ୍ତୁଷ୍ଟ।”

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଡିସେମ୍ବର, ୨୦୨୪ ସଂଖ୍ୟାରେ ପ୍ରକାଶିତ । )

5 thoughts on “ଥାନାରୁ ଥିଏଟର

  1. ଆଉଟିକେ ଲମ୍ବିଥିଲେ ହେଇ ନଥାନ୍ତା। ଆହୁରି ପଢ଼ିବା ପାଇଁଁ ଇଚ୍ଛା ହେଉଥିଲା। ଖୁବ୍ ସୁନ୍ଦର। ନୀଳଶୈଳର ସଂଳାପ ପରି ଲାଗିଲା।

    1. ମହାଶୟା ମତାମତ ପାଇଁ ଧନ୍ୟବାଦ🙏,
      ନାଟକ ରେ ଆଉକିଛି ଘଟଣାବଳୀର ପ୍ରାରମ୍ଭ ହୋଇଥିଲା ଯାହା ଲେଖିବା ଅପ୍ରସଙ୍ଗିକ ମନେକଲି । ଭବିଷ୍ୟତରେ ସୁଯୋଗ ମିଳିଲେ ବର୍ଣ୍ଣନା କରିବାକୁ ଚେଷ୍ଟା କରିବି ।

  2. ଆହୁରି ପଢିବାକୁ ଇଛା ଥିଲା।କେତେ ସୁନ୍ଦର ଭାବେ ଉପସ୍ଥାପନ କରିଛନ୍ତି ଆପଣ

  3. ବହୁତ ସୁନ୍ଦର ହୋଇଛି ।

  4. I am utterly amazed at how you’ve managed to recall every detail of the conversation and narrate it with such elegance. This make me feel as though I was witnessing the entire scene unfold right before my eyes.

Leave a Reply

Your email address will not be published. Required fields are marked *