ଓଡ଼ିଶାରେ ଅଘରଦୁଆରି କାର୍ତ୍ତିକ ମାସରେ ବ୍ୟାପୁଥିବା ଏକପ୍ରକାର ମାଲେରିଆ ଜର ଇଏ। ସାହିତ୍ୟକୁ ବି ମାଡ଼ିଯାଏ ଏହି ଜ୍ବର।
କାର୍ତ୍ତିକିକ କଥା; ପୁଣ୍ୟ କଥା, ଭାଷା ସାହିତ୍ୟ ପ୍ରାୟେକ। ମନେ ପଡ଼ୁଛି କେତେପଦ ଏଇ ପ୍ରସଙ୍ଗରେ।
“ମାସ ଅବଶେଷେ ପୂର୍ଣ୍ଣିମା ପ୍ରତ୍ୟୁଷେ ଉଚ୍ଚାରି ଆ କା ମା ବଇ।
ପାନ ଗୁଆ ଫିଙ୍ଗି ଜଳେ ଶିରୀଷାଇ ନିବେଦିଲେ ମୋକ୍ଷ ପାଇଁ।।”
କାର୍ତ୍ତିକ ପୂର୍ଣ୍ଣିମା ସକାଳେ ଜଳଦେବୀଙ୍କୁ ଭଙ୍ଗାଗୁଆରେ ଖିଲମୋଡ଼ା ପାନଖିଲ ଅର୍ପଣ କଲାବେଳେ ମା ଭଉଣୀମାନେ ଆକାମାବୈ ଉଚ୍ଚାରଣରେ ଆଷାଢ଼, କାର୍ତ୍ତିକ, ମାର୍ଗଶୀର ଓ ବୈଶାଖ ପରି ଧର୍ମମାସର କଥା ମନେ ପକାଇ ଦିଅନ୍ତି। ଗାଁ ଗହଳିରେ ଏବେ ମଧ୍ୟ କାର୍ତ୍ତିକଦୀପ ହବିଷ୍ୟାଶିମାନଙ୍କ ଦାମୋଦର ବ୍ରତ ସଙ୍କଳ୍ପ ସହ ଅତ୍ୟୁଚ୍ଚ ବାଉଁଶ ଖୁଣ୍ଟିରେ ଏକ ଛିଦ୍ରଯୁକ୍ତ ହାଣ୍ଡି ଭିତରେ ଦିକିଦିକି ହୋଇ ଜଳୁଛି। ସେଇ ବିଶ୍ୱାସରେ ହିଁ ଗ୍ରାମ୍ୟଜୀବନ ଆଗେଇ ଚାଲିଛି ଭବିଷ୍ୟବୋଧରେ। ଏହି ବିଶ୍ୱାସରେ ଶୁଦ୍ଧପୁତ ହୋଇ ଏକ ସାତ୍ତ୍ୱିକ ଜୀବନଯାପନ କରୁଥିବା ଜୀବନ ପୂଜାଅର୍ଚ୍ଚନାରେ ବ୍ୟସ୍ତ ରହିଥିବା ବେଳେ କେତେ ସ୍ଥାନରେ ତଳମାଳ ଅଞ୍ଚଳର ଅନେକ କାର୍ତ୍ତିକନିଗଡ଼ା ଜରରେ ସଢୁଥାନ୍ତି।
ଭାଷାକୋଷରେ ବର୍ଣ୍ଣିତ ଅଛି ଏଇ କାର୍ତ୍ତିକନିଗଡ଼ା କଥା। ଓଡ଼ିଶାରେ ଅଘରଦୁଆରି କାର୍ତ୍ତିକ ମାସରେ ବ୍ୟାପିବା ଏକପ୍ରକାର ମାଲେରିଆ ଜର ଇଏ। ବର୍ଷାଦିନେ ଅତ୍ୟଧିକ ଜଳସଂସର୍ଗଦ୍ୱାରା ମନୁଷ୍ୟଦେହରେ ରସାଧିକ୍ୟ ହୋଇଥାଏ। କାର୍ତ୍ତିକ ମାସରେ ଅର୍ଥାତ୍ ବର୍ଷା ପରେ ଶରତ୍ କାଳରେ ପୃଥିବୀର ରସ ଶୁଖିଆସିବା ସଙ୍ଗେ ସଙ୍ଗେ ମନୁଷ୍ୟ ଦେହରୁ ମଧ୍ୟ ଉକ୍ତ ରସ ଶୁଖିଯାଏ ଓ ତଜ୍ଜନିତ ତାପବୃଦ୍ଧି ଓ ଜ୍ୱର ହୁଏ। ସେହି ଜ୍ୱରକୁ କାର୍ତ୍ତିକନିଗଡ଼ା ବୋଲାଯାଏ। ଶରତ୍ କାଳରେ ଦେହରୁ ରସ ଶୁଖିବା ସ୍ୱାଭାବିକ; କିନ୍ତୁ ଆମ୍ଭେମାନେ ସେହି ସମୟରେ ବର୍ଷାଋତୁର ଅଭ୍ୟାସବଶତଃ ରସାଧିକ ଖାଦ୍ୟ ଗ୍ରହଣକରୁଁ, ଏଥିପାଇଁ ବର୍ଷାଦିନେ ଦେହରେ ସଞ୍ଚିତ ରସ ଶୁଖି ନ ପାରି ରସାଧିକ୍ୟ ଯୋଗୁଁ ଏ ଜ୍ୱର ହୁଏ।
ଆମେ ଆଜି ଏଇ ଲକ୍ଷଣସମୂହକୁ ଆମ ଭାଷା ସାହିତ୍ୟ ସଂସାରର କିଛି ପ୍ରସଙ୍ଗ ସହ ସମାନ୍ତର ଭାବେ ଯୋଡ଼ି ଦେଖିବା। ସାହିତ୍ୟ ସଂସାରରେ ମା ବେଙ୍ଗ ପରି ଜ୍ଞାନପେଟ ଫୁଲାଇ ବସିଥିବା ଆମର ଦୀର୍ଘବକ୍ତ୍ର ସାହିତ୍ୟିକଙ୍କ ନିକଟରେ ଆଡ଼ଆଡ଼ ହୋଇ ରହୁଥିବା ଆମର ସରଳ ସାହିତ୍ୟ ସାଧକଙ୍କ କଥା। ପ୍ରଥମ ଗୋଷ୍ଠୀ କାର୍ତ୍ତିକନିଗଡ଼ା ପ୍ରାୟେକ ଜରୁଆ ହୋଇ ରହିଥିବା ବେଳେ ମାଟିହାଣ୍ଡି ଭିତରେ ଦିକିଦିକି ହୋଇ ଜଳୁଥିବା ଆକାଶଦୀପ ପ୍ରାୟେକ ଚମତ୍କାର ସାହିତ୍ୟକୃତିକୁ ପାଠକୀୟ ଆଶା ଓ ଭରସାର ବାଉଁଶଖୁଣ୍ଟିରେ ଟେକି ଦେଇଥିବା ସରଳ ବୋଧି ସାହିତ୍ୟିକଗଣ ସାହିତ୍ୟର ଧର୍ମମାସରେ ପ୍ରଶଂସା ଓ ସାଧନାର ଫଳପ୍ରାପ୍ତ ହୁଅନ୍ତି।
ଏଇ କାର୍ତ୍ତିକନିଗଡ଼ା ଗୋଷ୍ଠୀ ନିଜର ପଦପଦବୀ, ବନ୍ଧୁବାନ୍ଧବ, ଶିକ୍ଷାଦୀକ୍ଷା, ବସବାସ ଓ ଧନସମ୍ପତ୍ତିର ବର୍ଷା ହେତୁ ସାହିତ୍ୟସଂସାରରେ ଅହେତୁକ ସମ୍ମାନ, ପରିଚୟ, ଉପାଧି ତଥା ମଞ୍ଚ ସମ୍ମାନରେ ରସାଧିକ୍ୟ ପ୍ରାପ୍ତ ହୁଅନ୍ତି। ସାହିତ୍ୟର ଶରତ ଋତୁରେ ଯେତେବେଳେ ଅନେକ ନୂତନ ସାହିତ୍ୟିକ ପ୍ରେରଣା ନପାଇବାର ନିରାଶବୋଧରେ ଝରି ପଡ଼ନ୍ତି ସେତେବେଳେ ଏହି କାର୍ତ୍ତିକନିଗଡ଼ା ଗୋଷ୍ଠୀ ନିଜ ପାଇଁ ନାମ ଓ ଦାମ ଗୋଟାଇବାରେ ବ୍ୟସ୍ତ ରୁହନ୍ତି। ଏଇ ଅକାମକୃତ ସାହିତ୍ୟିକଗଣ ଏଇ କାର୍ତ୍ତିକନିଗଡ଼ାଙ୍କ ପାଇଁ ସବୁ ପୁରସ୍କାର ଓ ମଞ୍ଚ ଅର୍ପଣ କରି ଦେଇ ଏବେ ଗାଉଛନ୍ତି,
ଆ ମୋ ପୁରସ୍କାର ବାଇ। ତୋ ପାଇଁ ଦେଲି ମଞ୍ଚ ମାନ ଥୋଇ।
ମଞ୍ଚ ମାନ ସବୁ ତୋର। ସାହିତ୍ୟ ସାଧନା ମୋର।
-ପ୍ରଭୂ
* କାର୍ତ୍ତିକନିଗଡ଼ା – ଓଡ଼ିଶାରେ କାର୍ତ୍ତିକ ମାସରେ ବ୍ୟାପିବା ଏକ ପ୍ରକାର ମାଲେରିଆ ଜର।
( ‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଡିସେମ୍ବର, ୨୦୨୪ ସଂଖ୍ୟାରେ ପ୍ରକାଶିତ ନିୟମିତ ସ୍ତମ୍ଭ। )
ନିରାଟ ସତ କଥା ପ୍ରକାଶ କରିଛନ୍ତି । ତଥାକଥିତ ସାହିତ୍ୟକ ଗଣ ଦାସତ୍ୱ ପାଲଟି ଯାଇଛନ୍ତି।
କା ଆଗେ କହିବା,କପାଳରେ ଖାଲି ହତମାରିବା।କିଏ ବା ଶୁଣିବ!ଲେଖକ ମହାଶୟ ଠିକ୍ କହିଛନ୍ତି,ନିରାଟ ସତକଥା କହିଛନ୍ତି।ନିଜ ଢୋଲ ନିଜେ ପିଟିବା ତଥାକଥିତ ଶ୍ରେଷ୍ଠ ସାହିତ୍ୟିକ ମାନେ ସବୁ ଡୋରି ନିଜ ହାତରେ ରଖି ଯାହା କରୁଛନ୍ତି ତାହାକୁ ଅନ୍ୟ ମାନଙ୍କୁ ମାନି ଚାଲିବାକୁ ହେଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ।
ପ୍ରାୟ ଏକମାସରୁ କିଛି ଅଧିକ ସମୟ ପୂର୍ବରୁ ପବିତ୍ର କାର୍ତ୍ତିକ ମାସ ସରିଯାଇଥିଲେ ସୁଦ୍ଧା ସମ୍ପାଦକଙ୍କ କାର୍ତ୍ତିକ ମାସକୁ ନେଇ ସାହିତ୍ୟ ଓ ସାହିତ୍ୟିକଙ୍କ ମଧ୍ୟରେ ଏକ ଚମତ୍କାର ଉପମାଯୁକ୍ତ ଆଲୋଚନା ବେଶ୍ ଆକର୍ଷଣୀୟ ଓ ଭାବୋଦ୍ୟୋପକ। ସର୍ବଦା କିଛି ନୂତନ ଶବ୍ଦ ବା ସାଧାରଣରେ ବ୍ୟବହୃତ ହେଉ ନଥିବା ଶବ୍ଦକୁ ଉଜାଗର କରିବାର ପ୍ରଚେଷ୍ଟା ହେଉଛି ମାନନୀୟ ସମ୍ପାଦକ ପ୍ରଶାନ୍ତ ବାବୁଙ୍କର। ସେଥିପାଇଁ ବୋଧହୁଏ ସାହିତ୍ୟ ଚର୍ଚ୍ଚା ପତ୍ରିକା ଏବଂ ପୋର୍ଟାଲ ଅନେକଙ୍କ ମଧ୍ୟରେ ଆରେକ ସହିତ ଅନନ୍ୟ ଭାବେ ପରିଗଣିତ। ଆସନ୍ତା ଇଂରାଜୀ ନବବର୍ଷ ଉପଲକ୍ଷେ ସାହିତ୍ୟଚର୍ଚ୍ଚା ପରିବାର ସହିତ ସାହିତ୍ୟ ଚର୍ଚ୍ଚାର ପାଠକ ଓ ଅନ୍ୟମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଆଶା ରଖିବା ନୂତନ ବର୍ଷ ୨୦୨୫ ଓଡ଼ିଆ ସାହିତ୍ୟ ଏବଂ ଓଡ଼ିଆ ସାହିତ୍ୟିକଙ୍କ ପାଇଁ କିଛି ନୂଆ ଏବଂ ସୁଖବର ନେଇ ଆସିବ।